Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Tragedy

3  

Shanti Mishra

Tragedy

ଭଙ୍ଗା ଦର୍ପଣର ପ୍ରତିଫଳନ

ଭଙ୍ଗା ଦର୍ପଣର ପ୍ରତିଫଳନ

5 mins
461


ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା

----------------------------------------

ବୋଉ ଆଖିରେ ଲୁହ ଦେଖି ସେଦିନ କୌଣସି ପ୍ରକାର ଦୟା, ଦୁଃଖ ବା ଭାବନ୍ତର ଆସିନଥିଲା କି କିଛି ପ୍ରତିକ୍ରିୟା ହୋଇ ନଥିଲା ‘ରଘୁ’ର l ବରଂ ଏକ ବିରାଟ ଅଭିମାନ ଆସି ଯାଇଥିଲା ମନରେ l ସେଇ ଆହାତ ଅଭିମାନ ଯୋଗୁ ସେ ଆତ୍ମରକ୍ଷା ପାଇଁ କୌଣସି ପ୍ରକାର ଚେଷ୍ଟା ନକରି ସିଧା ପୋଲିସ୍ ହାତରେ ଧରା ଦେଇଦେଲା l ଆପେ ଆପେ ଯାଇ ପୋଲିସ୍ ଗାଡିରେ ବସି ଯାଇଥିଲା l

ସେ ଭଲକରି ଜାଣିଥିଲା ସେ ଗଲାପରେ ବୋଉ ବାଡେଇ କଚାଡି ହୋଇ ଗୁଡାଏ କାନ୍ଦିବ l ଯୋଉ ବୋଉ ସାରା ସଂସାର ସହିତ ଯୁଧ୍ୟ କରି ତାକୁ ସବୁ ବିପଦରୁ ଘୋଡ଼େଇ ରଖିବାକୁ ସଦା ତତ୍ପର ସେ ଆଜି ତାକୁ ପୋଲିସ୍ ହାତରେ ଧରେଇ ଦେଇଛି l ତେଣୁ ରଘୁ ଗଲାବେଳେ ବୋଉକୁ ପଦେ କଥା ନକହି ଚାଲିଗଲା l ତା ପାଟିରୁ ପଦେ ବି ସାନ୍ତ୍ବନା ପୂର୍ଣ୍ଣ କଥା ବାହାରି ନଥିଲା l ସେ କେବଳ ନିର୍ବିକାର ଚିତ୍ତରେ ବୋଉ ଆଖିରୁ ଝରି ପଡୁଥିବା ଲୁହ ଗୁଡାକୁ ଚାହିଁ ରହିଥିଲା ପୋଲିସ୍ ଗାଡି ଭିତରୁ l ଗାଡି ଗଡି ଚାଲିଲା ପରେ ବି ବହୁ ସମୟ ସେ ପଛକୁ ଚାହିଁ ରହିଥିଲା l

ଏଇ କଣ ସେଇ ବୋଉ ତାର l ଯିଏ ପିଲାବେଳେ ପାଠ ପଢା ଠିକ୍ ଭାବେ କରି ନପାରିଲେ ଶିକ୍ଷକଙ୍କ ଠାରୁ ମାଡ଼ ଖାଇଲା ବେଳେ ବା ବିଭିନ୍ନ ପ୍ରକାର ଶାସ୍ତି ପାଇଲା ବେଳେ ବୋଉ ଯାଇ ସେଇ ମାଷ୍ଟରଙ୍କ ଚୌଦ ପୁରୁଷ ଉଝାଳେ, ମନ ଇଛା ଶବ୍ଦକୋଷ ବହିର୍ଭୁତ ଅର୍ବାଚୀନ ଶବ୍ଦରେ ଗାଳି ଗୁଲଜ କରେ, ଯେତକ ଅଶ୍ରାବ୍ୟ ଭାଷା ଅଛି ପୃଥିବୀରେ ସବୁ ଶୁଣାଏ l

ଏହି ପରି ଘୁଷୁରି ଘାଷେରି ରଘୁ ପଞ୍ଚମ ଶ୍ରେଣୀ ଯାଏ ଗଲା ପରେ ବୋଉ ତା ପାଠ ବନ୍ଦ କରିଦେଲା l ‘ନାଇଁ ଥାଉ ଏତେ ଦୁଃଖ କଷ୍ଟ କରି ପାଠ ପଢିବା କି ଦରକାର l ତୋର ପେଟ ମୁଁ ପୋଷି ପାରିବି l ପେଟ ତୋର ଅପୋଷା ରହିବନି ମୁଁ ବଞ୍ଚିଥିବା ଯାଏ l’

ବୋଉ ଦିନ ରାତି କାମରେ ଲାଗେ l ଛୋଟିଆ ବାଡିଟିରେ ବିଭିନ୍ନ ପ୍ରକାର ପନି ପରିବା ଶାଗ ଲଂକା ଗଛ ଲଗେଇ ତାକୁ ନେଇ ଘର ଘର ବୁଲି ବିକ୍ରୀ କରେ l ଅନ୍ୟ ସ୍ତ୍ରୀ ଲୋକ ମାନଙ୍କୁ ଯାଇ ଘର କାମରେ, ବାହା ବ୍ରତରେ ସାହାଯ୍ୟ କରି ଟଙ୍କା ଆଣି ଘର ଚଳାଏ l ରଘୁ ହାତରେ ପାଣି ଲଗେଇବକୁ ବି ଦିଏନା l ରଘୁଆକୁ ବେଶୀ ସମୟ ମିଳେ ଖେଳକୁଦ କରିବାକୁ, ଦଣ୍ଡ ବୈଠକ କରିବାକୁ l ସାଂଗ ସାଥୀ କରି ମଜା ମଜଲିସ୍ କରିବାକୁ l

ସମୟର ବାହମାନ ସ୍ରୋତରେ, ରଘୁ ଅଠର ବର୍ଷରେ ବେଶ୍ ସୁସ୍ଥ ସବଳ ସୁନ୍ଦର ନବ ଯୁବକରେ ଏବେ ପଦାର୍ପଣ l ଗାଁର ସବୁ ରାଜନୀତି କରୁଥିବା ନେତାଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସବୁରି ଆଖି ତା ଉପରେ ଏବେ l ସେମାନଙ୍କ ସଂଗେ ଉଠା ବସା ତାଂକ ସହିତ କାମରେ ସହରକୁ ଯିବା ଆସିବାରେ ସହରର ଚଳଣି ମଧ୍ୟ କିଛି ପରିମାଣରେ ଶିଖି ଗଲାଣି l ଛଅ ଫୁଟ ଉଚ୍ଚ ରଘୁଆ ସେମାନଙ୍କ ସଂଗେ ଥିଲେ ସେମାନଙ୍କୁ ଡର ଲାଗେନା, ଅନୈତିକ କାର୍ଯ୍ୟ କିଛି କରିବାରେ l ରଘୁର ଖିଆ ପିଆ ମାଲ ପାଣି ବି ସେମାନଙ୍କ ଠୁ ମିଳେ l କିଛି ଟଙ୍କା ବି ଏହି ପରି ତାର ଦି ପଇସା ରୋଜଗାର ବି ହୁଏ l ମା କୁ କହି ଦେଇଛି ସେ ଏବେ ସହରରେ ଚାକିରୀ କରୁଛି ବୋଲି l ମା’ର ମନ ବି ଖୁସି l ରଘୁ ଆଜି କାଲି ବେଶୀ ଦିନ ସହରରେ ଯାଇ ରହୁଛି l ଘରକୁ ଖୁବ୍ କମ ଆସୁଛି l

ଦିନେ ସକାଳୁ ରଘୁ ବୋଉର କବାଟ ଖଟ୍ ଖଟ୍ ହେଲା ରଘୁ ଆସିଥିବ ଭାବି ଯାଇ ତରବରରେ କବାଟ ଖୋଲିଦେଲା ବେଳକୁ ଅଠର ବା କୋଡିଏ ପାଖାପାଖି ବୟସର ଝିଅ ଟିଏ ବର୍ଷକର ଝିଅକୁ ଧରି ଠିଆ ହୋଇଛି l ରଘୁ ବୋଉ ‘କିଏସେ ତୁ’ କିଛି ଏହିପରି ପଚାରିବା ପୂର୍ବରୁ ଝିଅଟି କାନ୍ଦି ଉଠି କହିଲା ‘ମା ତୁମ ପୁଅ ରଘୁ ଯାହା କରୁଛି କିଛି ଭଲ କାମ କରୁନାହିଁ କିଛି ଟାଉଟର ଲୋକ ମାନଂକ କଥାରେ ପଡି ଗାଁ ମାନଙ୍କ ରୁ ନିରିହ ଝିଅ ମାନଙ୍କୁ ଚାକିରୀ ଦବା ନାମରେ ସହରକୁ ନେଇ ସେଠି ସେମାନଙ୍କୁ ବିକ୍ରୀ କରି ଦଉଛି l’

‘ତାଂକ ଭିତରୁ ମୁଁ ଜଣେ l ସାବତ ମା ପାଖରେ ଚଳିବା କଷ୍ଟ ହେବାରୁ ତା ସହିତ ସହରକୁ ଯାଇ କାମ କରି ପେଟ ପୋଷିବି ବୋଲି ଠିକ୍ କରି ନେଲି l କିନ୍ତୁ ସେଠାକୁ ନେଇ ମତେ ଜଣକୁ ବିକ୍ର କରି ଦେଇଥିଲା l ସେ ଲୋକଟି ମତେ ବାହା ହେବ କହି ରଘୁକୁ ବଡ ରକମ ଟଙ୍କା ଦେଲା l ସେ ଲୋକଟି ମନ୍ଦିରରେ ବାହା ହୋଇ ବର୍ଷେ ରଖିଲା ପରେ ଆଉ ଜଣକୁ ମତେ ବିକ୍ରୀ କରିଦେଲା l ଏହିପରି ସେମାନେ କେତେ ସରଳ ଗାଁ ଝିଅ, ଖଟିଖିଆ ଦିନ ମଜୁରିଆ, ବିଲ ବାଡିରେ କାମ କରୁଥିବା ଲୋକ ମାନଙ୍କ ଝିଅ ମାନଙ୍କୁ ପ୍ରଲୋଭନ ଦେଖେଇ ତାଙ୍କ ସଂଗେ ଖେଳୁ ଚନ୍ତି ତାର ଠିକଣା ନାହିଁ l ବହୁ କଷ୍ଟରେ ମୁଁ ସେଠୁ ଲୁଚିକି ଚାଲି ଆସିଲି ସିନା ଏବେ ଘରେ ସାବତ ମା ରଖିବାକୁ ନାରାଜ l କୁଆଡେ ଯିବି ଏତେ ଛୋଟ ଛୁଆକୁ ଧରି l’

‘ଆମେ ଦି ଜଣ ଏବେ ନଈକୁ ଡ଼େଇଁ ମରିବାକୁ ଯାଉଛୁ l ଯିବା ପୂର୍ବରୁ ଏତିକି କହିବାକୁ ଆସିଲି ତୁମ ପୁଅକୁ ଅଟକା ଭଲ ରାସ୍ତ ଦେଖା ଏପରି କାହା ଜୀବନ ସହିତ ନଖେଳୁ କାହାର ବ୍ରହ୍ମ ଅଭିଶାପ ନନେଉ l କାହାର ଲୁହ ବନ୍ୟାରେ ଭାଷି ଯାଇ ତତେ ଛାରଖାର କରି ନଦେଉ l’

ରଘୁର ବୋଉ ଆକାଶରୁ ଖସି ପଡିଲା ପରି ଚମକି ପଡିଲା l ମୁଣ୍ଡରୁ ଗୋଡ ଯାଏ କିଛି ଅସହ୍ୟ ଯନ୍ତ୍ରଣା ଅନୁଭବ କଲା ସତ କିନ୍ତୁ ଅଟକେଇ ଦେଲା ଝିଅଟିକୁ ତା ହାତ ଧରି ‘ନା ଝିଅ ତୁ କୁଆଡେ ଯିବୁନି କି ନଈକୁ ଡ଼େଇଁ ପ୍ରାଣ ଦବୁନି ମୋ ପାଖରେ ରହିବୁ ମୋର ଝିଅ ହୋଇ lମୁଁ ଜାଣେ ସେ କି ଯନ୍ତ୍ରଣା l ମୁଁ ସାରା ଜୀବନ ଏଇ ଗୋଟିଏ ଛୁଆର ମୁହଁକୁ ଚାହିଁ କେମିତି ଜୀବନ ବିତେଇଛି ମୁଁ ଜାଣେ l’

ରଘୁର ଠିକଣା ତା ମା’କୁ ଜଣା ନାହିଁ l ସେ କୋଉ ସହରରେ ରହୁଛି କଣ କରୁଛି ତାକୁ କିଛି ଜଣା ନାହିଁ l ଯଦି ଏ ଝିଅର କଥା ସବୁ ସତ ହୋଇ ଥାଏ ତେବେ ସେ ତା ପୁଅକୁ କେବେ ବି କ୍ଷମା ଦେବ ନାହିଁ l ସବୁ ରାଗ ଯାଇ ପଡିଲା ସେଇ ଗାଁ ସରପଞ୍ଚ ଉପରେ l ତା ସହିତ ରଘୁର ମିଳାମିଶା ତାକୁ ମୋଟେ ଭଲ ଲାଗୁ ନଥିଲା l କିନ୍ତୁ କଣ କରିବ ରଘୁ ତ ଆଉ ପିଲା ହୋଇ ନାହିଁ ଯେ ତାକୁ କିଛି କହି ବୁଝେଇଦେଲେ ବୁଝିଯିବ ବା ତା କଥା ସେ ମାନିନେବl ମୁଣ୍ଡକୁ ହାତ ପାଇ ଗଲାଣି ତାର l ଏବେ ତ ତାକୁ ପଦେ କଥା କହିଲେ ଦଶ ପଦରେ ସେ ଉତ୍ତର ଦେଇ ମା ମୁହଁ ବନ୍ଦ କରି ଦଉଛି l

ରଘୁ ବୋଉର ପୁଣି କାମ ବଢିଗଲା l ଗୋଟେ ପେଟ ପୋଷିବାକୁ ତାକୁ କଷ୍ଟ ହେଉଥିଲା ଏବେ ଆଉ ଦୁଇଟା ପେଟ ପୋଷିବାକୁ ପଡିବ l ସାରା ଜୀବନ ସେ ପୁଅର ସବୁ କୁକର୍ମକୁ ପିଠିରେ ପକେଇ ତାକୁ ଘଣ୍ଟ ଘୋଡ଼େଇ ରଖି ଆସିଥିଲା ଆଜି ଏ ବୋଝ ବି ଉଠେଇବ l

ଦିନେ ରାତି ଅଧରେ ରଘୁ ଆସି ଘରେ ହାଜର l -‘ମା ମତେ କିଛି ଖାଇବାକୁ ଦେ ଦିଦିନ ହେବ କିଛି ଖାଇନି ‘l କିନ୍ତୁ ତା ଡରିଲା ଡରିଲା ଆଖି ଆଉ କିଛି କହୁଥିଲା କିନ୍ତୁ ରଘୁ ବୋଉ ସେ ଭାଷା ବୁଝି ନପାରିଲେ ବି ଭାବୁଥିଲା ନିଶ୍ଚୟ କିଛି ଅଘଟଣ ଘଟିଛି ବା ଘଟିବାକୁ ଯାଉଛି l

ରଘୁବୋଉ ବିଶେଷ କିଛି ନକହି ଙ୍କସାଏ ପଖାଳ ପିଆଜ ଆଚାର ଯାହା ଥିଲା ବାଢିଦେଲା l ରଘୁ ପରମ ତୃପ୍ତିରେ ଖାଇ ଶୋଇ ଗଲା l ଯେପରିକି ଅନେକ ଦିନରୁ ଖାଇନି କି ଶୋଇନି l କିନ୍ତୁ ତା ପରଦିନ ସରପଞ୍ଚ ଦି ଜଣ ପୋଲିସ୍ ସଂଗରେ ଆଣି ରଘୁର ଘରେ ହାଜର l ସେମାନଙ୍କ ଅସଂସ୍କାରୀ ଗୁପ୍ତ କାର୍ଯ୍ୟ କଳାପ ସବୁ ଧରା ପଡି ଯାଇଛି l ସରପଞ୍ଚ ବହୁ ସତର୍କତାର ସହିତ ନିଜ କୁକର୍ମର ବୋଝ ରଘୁ ମୁଣ୍ଡରେ ଲଦି ଦେଇଛି l

ଯେତେବେଳେ ପୋଲିସ୍ ଆସି ପଚାରିଥିଲା ରଘୁ ଘରେ ଅଛିକି ନାହିଁ ବୋଲି ସେତେବେଳେ ରଘୁର ମା ତାକୁ ଶୋଇବା ଘରକୁ ନେଇ ଯୋଉଠି ରଘୁ ଥିଲା ସେଇଠିକୁ ନେଇ ଦେଖେଇଦେଲା l ରଘୁ ନିଦ ବାଉଳାରୁ ଉଠି କିଛି ପ୍ରଥମେ ବୁଝି ପାରିଲାନି ତାପରେ ପୋଲିସକୁ ଦେଖି କିଛି କିଛି ବୁଝିଗଲା ତାପରେ ସରପଞ୍ଚକୁ ଦେଖି ଆହୁରି କିଛି ବୁଝିଗଲା l ପୁଣି ବୋଉ ପଛରେ ରାଧୀକାକୁ ଦେଖି ବହୁତ କିଛି ବୁଝିଗଲା l ଏଇ ବଡ ଲୋକ ଆଉ ଶିକ୍ଷିତ ଲୋକ ମାନଂକର ଏହା ଏକ ଚାଲବାଜି l ସେ କିପରି ଭାବେ ଏମାନଙ୍କ ଦ୍ବାରା ବ୍ୟବହୃତ ହୋଇଛି ବୋଉକୁ ବୁଝେଇବା ତା ପକ୍ଷେ ସମ୍ଭବ ନୁହେଁ l

ଲୁଚେଇବକୁ ବାଟ ନାହିଁ l ସାକ୍ଷାତ ପ୍ରମାଣ ତା ଘରେ l ରାଧିକା ପୋଲିସ୍ କୁ ସବୁ କହି ଦେଇଛି l ବୋଉ ସାକ୍ଷୀ ମଧ୍ୟ ଦେଇ ଦେଇଛି l ବୋଉ ତା ପିଲାକୁ ଯେତିକି ଭଲ ପାଇ ଜାଣେ ଦୋଷ ତୃଟି ଦେଖିଲେ ସେତିକି ଦଣ୍ଡ ଦେଇପାରେ l ଏହାତ ଥିଲା ଏକ ଅକ୍ଷମଣୀୟ ଅପରାଧ l ବୋଉର ବା ଦୋଷ କୋଉଠି l ବୋଉ ମନରେ ସେ ଯେ କେତେ ଦୁଃଖ ଦେଇଛି ବୋଉର ଉଦାସ ଚାହାଣୀ ହିଁ ତାର ପ୍ରମାଣ l କାଲି ରାତିଠୁ ତାହା ସେ ଅନୁମାନ କରିଛି l ତାର ସନ୍ଦେହ ଭରା ଚାହାଣୀ ଏତେ ଦିନ ପରେ ପୁଅକୁ ଦେଖି ଖୁସି ହୋଇ ନଥିଲା l କିନ୍ତୁ ତାର ମନ ଜାଣି ତାକୁ ପେଟ ପୁରା ଖାଇବାକୁ ଦେଇଥିଲା l

********


Rate this content
Log in

Similar oriya story from Tragedy