Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Inspirational

3  

Deepak Sarangi

Inspirational

ଶିଖିବାର ନିଶା

ଶିଖିବାର ନିଶା

9 mins
7.5K


ନିଶା ଗୋଟେ ଭାରି ଅଜବ ଜିନିଷ । କେତେବେଳେ ମଣିଷକୁ ମୃତ୍ୟୁ ମୁଖକୁ ଠେଲି ନିଏ ତ କେତେ ବେଳେ ମଣିଷକୁ ଆକାଶ ଉଚ୍ଚାକୁ ନେଇ ଯାଏ । ସେମିତି ଗୋଟେ ନିଶା ମତେ ଘାରି ଥିଲା ୨୦୦୦ ମସିହାରେ ଗିଟାର ଶିଖିବା ନିଶା ମୁଁ ସେତେବେଳେ +୨ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ର ଥାଏ । କଟକ ସହରରେ ପାର୍ବଣ ଋତୁ ଆରମ୍ଭ ହେଇ ଯାଏ ଗଣେଶ ପୂଜା ଠାରୁ ସରସ୍ଵତୀ ପୂଜା ସରିବା ପର୍ଯ୍ୟନ୍ତ । ଆଉ ପୂଜା ହେଲେ ମେଲୋଡି ହେବ ତ ନିଶ୍ଚିତ ଆଉ କଟକର ମେଲୋଡି ପରମ୍ପରା ବହୁ ପୁରାତନ । କେଉଁଠି ଗୋଟେ ପୂଜା ହେଲା ମାନେ ବାଉଁଶ ଉପରେ ଫଲସ୍ କାଠ ବାନ୍ଧି ତିଆରି ହୋଇଯାଏ ଗୋଟିଏ ଦିନ ଭିତରେ ସୁଉଚ୍ଚ ମଞ୍ଚ । ଆଉ ସନ୍ଧ୍ୟା ୭ଟା ବେଳକୁ ହ୍ୟାଲୋ ଚେକ୍, ତାବଲା , ଗିଟାର ଆଉ କ୍ୟାସିଓର ଟେଷ୍ଟିଙ୍ଗ୍ ଶବ୍ଦରେ ଗୋଡ ଆପେଆପେ ଘର ବାହାରୁ ଚାଲି ଆସେ ମୋ ଭଳି ସଙ୍ଗୀତ ପ୍ରେମୀମାନଙ୍କର । ମୋର ମେଲୋଡି ଦେଖିଲା ବେଳେ ଭାରି ଇଚ୍ଛା ହୁଏ ମୁଁ ଯାଇ ତାଙ୍କ ସହ ଗିଟାର ବଜାନ୍ତି କି ? ଯେଉଁ ଭାଇ ମାନେ ବାଦ୍ୟଯନ୍ତ୍ର ବଜାଉ ଥାଆନ୍ତି ସେମାନଙ୍କ ଭିତରେ ସବୁଠାରୁ ବେଶି ଲକ୍ଷ୍ୟ ମୁଁ ଗିଟାରିଷ୍ଟ ଭାଇଙ୍କ ଉପରେ ହିଁ ଥାଏ । ଅବଶ୍ୟ ଏଇ ଗିଟାର ବଜେଇବା ନିଶା ମତେ ହିନ୍ଦୀ ସିନେମା ଦେଖିବା ଠାରୁ ହିଁ ଘାରିଥିଲା । ମନରେ ମୋର ବହୁତ ଇଚ୍ଛା ଥାଏ ମୁଁ କେମିତି ଗିଟାର ଶିଖିବି । ଆଉ ଦିନେ ମୁଁ ମନସ୍ଥ କରିଦେଲି ଯେ ମୁଁ ଯେମିତି ହେଲେ ବି ଗିଟାର ବଜେଇବା ଶିଖିବି କିନ୍ତୁ ଶିଖିବା ପାଇଁ ତ ଜଣେ ଶିକ୍ଷକ ଆବଶ୍ୟକ । ମୋତେ ଜଣେ ଭଲ ଗିଟାର ଶିକ୍ଷକ ମିଳିବେ କେଉଁଠୁ ? ମୁଁ ଲାଗି ପଡିଲି ଗିଟାର ଶିକ୍ଷକ ଖୋଜିବାରେ । ଦିନେ ଗୋଟେ ମେଲୋଡି ପାର୍ଟି ବ୍ୟାନରରୁ ସେ ପାର୍ଟିର ଫୋନ ନମ୍ବର ନେଇ ମୁଁ ତାଙ୍କୁ ଲ୍ୟାଣ୍ଡ ଫୋନରୁ ଫୋନ କଲି । ସେପଟୁ ମୋତେ ଜଣେ ଭଦ୍ରଲୋକ ଗୋଟେ ନମ୍ବର ଦେଲେ ଆଉ କହିଲେ ଯେ “ଏ ହଉଛନ୍ତି ଆମ ପାର୍ଟିର ଜଣେ ଗିଟାରିଷ୍ଟ ଆପଣ ତାଙ୍କ ସହ ଯୋଗାଯୋଗ କରନ୍ତୁ” । ମୁଁ ତାଙ୍କ ପାଖକୁ ଫୋନ କଲି ସେ ସେପଟୁ କହିଲେ ମୋ ଘର ସିଡିଏ ସେକ୍ଟର ୫ରେ ତୁମେ କେତେବେଳେ ବି ଆସିପାର । ତାପରେ ମୋର +୨ର ପ୍ରଥମ ବର୍ଷ ପରୀକ୍ଷା ଥିଲା ତେଣୁ ମୁଁ ତାଙ୍କ ପାଖକୁ ଆଉ ଶୀଘ୍ର ଯାଇପାରିଲି ନାହିଁ । ପ୍ରାୟ ମାସେ ପରେ ମୁଁ ପୁଣି ଆଉ ଥରେ ସେ ନମ୍ବର ଲଗେଇଲି କିନ୍ତୁ ସେପଟୁ ଲାଗିଲା ନାହିଁ । ଭାବିଲି ବୋଧେ ଫୋନ ଖରାପ ଥିବ ତେଣୁ ଆଉ ଫୋନ ନ କରି ସିଧା ସାଇକେଲ ଧରି ଚାଲିଲି ସିଡିଏ ସେକ୍ଟର ୫କୁ । ଆମ ଘର ଠାରୁ ପ୍ରାୟ ୧୨କି॰ମି ପାଖାପାଖି ହବ । ସେ ସାରଙ୍କ ନାଁ ଥିଲା ସୌରଭ ସାର । ମୁଁ ସେ କହିଥିବା ଠିକଣାକୁ ପଚାରି ପଚାରି ଯାଇ ତାଙ୍କ ଘରେ ପହଞ୍ଚିଲି । କଲିଙ୍ଗ୍ ବେଲ୍ ମାରିଲା ପରେ ଦେଖିଲି ଜଣେ ପ୍ରାୟ ୩୦/୩୨ ବର୍ଷର ଯୁବକ ଘର ଭିତରୁ ବାହାରିଲେ । ମୋତେ ପଚାରିଲେ କଣ ହେଲା ବୋଲି ମୁଁ କହିଲି ସାର ଆପଣ ଗିଟାର ଶିଖନ୍ତି ନା ? ସେ ଟିକେ ରହି କି ଥଙ୍ଗମଙ୍ଗ ହେଇ କି କହିଲେ ହଁ ହଁ ମୁଁ ଶିଖାଏ । ତୁମେ ଆସ ଭିତରକୁ ଆସ । ମୁଁ ଗଲି ମୋତେ ଟିକେ କେମିତି କେମିତି ଲାଗୁ ଥାଏ । କାରଣ ଘର ଭିତରେ କିଛି ଜିନିଷପତ୍ର ବେଶି ନଥିଲା ଆଉ କୌଣସି ବାଦ୍ୟଯନ୍ତ୍ର ମଧ୍ୟ ନ ଥିଲା । ସେ ଆଉ ଡେରି ନ କରି କହିଲେ । ତୁମକୁ ଗିଟାର ଶିଖିବାକୁ ହେଲେ ପ୍ରଥମେ ୨୦୦୦ଟଙ୍କା ଦବାକୁ ପଡିବ ଏଡମିଶନ ଫିସ୍ । ଆଉ ତାପରେ ମାସକୁ ମାସ ୫୦୦ ଲେଖାଏଁ ଦବାକୁ ପଡିବ । ପ୍ରତି ଶନିବାର ତୁମେ ତୁମ ନିଜ ଗିଟାର ଧରି କି ଏଠି କି ଆସିବ । ସନ୍ଧ୍ୟା ୬ଟା ରୁ ରାତି ୯ଟା ଯାଏଁ କ୍ଲାସ ହବ । ମୁଁ ସଙ୍ଗେ ସଙ୍ଗେ ମୁଣ୍ଡ ଟୁଙ୍ଗାରି ହଁ ଭରିଦେଲି । ଆଉ କହିକି ଆସିଲି ଯେ ମୁଁ ଆସନ୍ତା ଶନିବାରକୁ ପଇସା ନେଇ କି ଆସିବି ବୋଲି । ତାପରେ ତାଙ୍କ ଠାରୁ ବିଦାୟ ନେଇ ଚାଲି ଆସିଲି । ହଁ ତ ଭରି ଦେଲି କିନ୍ତୁ ଏକକାଳୀନ ଗିଟାର ସହ ଫିସ୍ ଭାରିବାକୁ ପ୍ରାୟ ୫୦୦୦ଟଙ୍କା ଦରକାର ପଡିବ । ଏତେ ପଇସା ଆଣିବି କେଉଁଠୁ ? ବାପାଙ୍କୁ କହିଲେ ତ ପ୍ରବଳ ଗାଳି ପଡିବ କାରଣ ସେତେବେଳେ ବାପାଙ୍କର ସ୍ୱଳ୍ପ ରୋଜଗାରରେ ଆମେ କଟକରେ ଭଡା ନେଇ ରହୁଥିଲୁ । ଆଉ ମୋ ଟିଉସନ୍ ପାଇଁ ବି ପାଖାପାଖି ୭୦୦ ରୁ ୮୦୦ ତାଙ୍କର ଖର୍ଚ୍ଚ ହଉଥାଏ ପ୍ରତି ମାସରେ । ବୋଉକୁ ଯାଇ ସବୁ କଥା କହିଲି । ସେ ପ୍ରଥମେ ଟିକେ ଗରଗର ହେଲା କିନ୍ତୁ ମୁଁ ବେଶି ଜିଦି କରିବାରୁ ଯାହା ହଉ ସେ ରାଜି ହେଇଗଲା । ସେ କହିଲା ହଉ ମୁଁ ତୋ ପାଇଁ କେମିତି କଣ କରି ୨୦୦୦ଟଙ୍କା ଯୋଗାଡ କରି ଦେବି କିନ୍ତୁ ତୁ ସେ ବାଜା ନେଇକି ବାପାଙ୍କ ଆଗକୁ ଜମା ଯିବୁନି । ସେ ଯେତେବେଳେ ଜାଣିବେ ଯେ ତୁ ପଇସା ନେଇ ବାଜା କିଣିଛୁ ବୋଲି ତୋ ସହ ମୋ ଅବସ୍ଥା ମଧ୍ୟ ଖରାପ କରିଦେବେ । ମୁଁ ବୋଉକୁ ବୁଝେଇ ଦେଲି ତୁ ଜମା ବ୍ୟସ୍ତ ହଅନା । ବାପାଙ୍କୁ ୟେ’ ବିଷୟରେ କିଛି ସୁରାକ ବି ମିଳିବନି ବୋଲି । ବୋଉ ଦେଲା ୨୦୦୦ ଆଉ ଗୋଟେ ସାଙ୍ଗ ଠାରୁ ୧୫୦୦ ଧାର ଆଣି ଆଗ ଗୋଟେ ଗିଟାର କିଣିଦେଲି । ଅବଶିଷ୍ଟ ପଇସା ଓ ମୁଁ ରଖି ଥିବା କିଛି ପକେଟ ମନି ମିଶେଇ ୨୦୦୦ଟଙ୍କା ଆଉ ଗିଟାର ଧରି ଶନିବାର ଦିନ ଚାଲିଲି ପୁଣି ସାରଙ୍କ ପାଖକୁ । ସାରଙ୍କ ଘର ଆଗରେ ପହଞ୍ଚିଲି । ସାର ମୋତେ ଦେଖି ଆଗ ପଚାରି ଦେଲେ ୨୦୦୦ଟଙ୍କା ଏଡମିଶନ ଫିସ୍ ଆଣିଛ ତ ? ମୁଁ ଆଉ ବେଶି କିଛି ନ କହି ୨୦ଟା ୧୦୦ ଟଙ୍କିଆ ନୋଟ୍ ତାଙ୍କ ହାତକୁ ବଢେଇ ଦେଲି ସାର୍ ୨/୩ ଥର ଟଙ୍କାକୁ ଗଣି କି ନେଇ ତାଙ୍କ ପକେଟରେ ପୁରେଇ ଦେଲେ ଓ ମୋତେ ବସିବାକୁ କହିଲେ । ମୁଁ ବସିଥାଏ ସନ୍ଧ୍ୟା ଆସି ୭ଟା ବାଜିଲାଣି ମୋତେ ଘରକୁ ଯିବାକୁ ପ୍ରାୟ ୧ ଘଣ୍ଟାରୁ ବେଶି ଲାଗିବ । ତେଣୁ ମୁଁ ସେଠୁ ଉଠି ଘର ଭିତରେ ସାର୍ ଙ୍କୁ କହିଲି ସାର୍ ମୋତେ ଆଜି ପ୍ରଥମ କ୍ଲାସରେ ଟିକେ ବେସିକ୍ ଜିନିଷ ଗୁଡା କହି ଦିଅନ୍ତୁ । ଆସନ୍ତା କ୍ଲାସ ଠାରୁ ଶିଖିବା ଆରମ୍ଭ କରିବା । ମୁଁ ଠିକ୍ ଶୁଣିପାରୁ ଥାଏ ସାର୍ ଟିଭିରେ ବସି ସିନେମା ଦେଖୁଥାଆନ୍ତି ଫୁଲ ସାଉଣ୍ଡ୍ ଦେଇ । ମୁଁ ଟିକେ ଜୋରରେ କହିବାରୁ ମୋତେ କହିଲେ ହଉ ହଉ ତୁମେ ବସ ଆଉ ୩ ଜଣ ପିଲା ଆସିବେ । ସେମାନେ ଆସିଲେ ଏକାଥରେ ତମ ସମସ୍ତଙ୍କୁ ମିଶେଇକି ଶିଖେଇବି । ମୁଁ ଆଉ କିଛି ନ କହି ପୁଣି ଆସି ଚେୟାରରେ ବସିଲି । ରାତି ୯ଟା ହେବାକୁ ବସିଲାଣି କାହାର କେଉଁଠି ଦେଖାଦର୍ଶନ ନାହିଁ । କିଛି ସମୟ ପରେ ସାର୍ ନିଜେ ଆସି କହିଲେ ତୁମେ ଆଜି ଯାଅ ଆସନ୍ତା ଶନିବାର ଠାରୁ ଆମେ ଆରମ୍ଭ କରିବା । ମୁଁ ଆଉ ବେଶି କିଛି ନ କହି ସେଠୁ ଚାଲି ଆସିଲି । ଘରେ ପହଞ୍ଚୁ ପହଞ୍ଚୁ ପ୍ରାୟ ୧୧ଟା ବାଜି ଯାଇଥାଏ । ବାପା ଖାଇ କି ଶୋଇ ପଡିଥାଆନ୍ତି । ବୋଉ ମୋତେ ଜଗି କି ବସି ଥାଏ । ମୁଁ ଧୀରେ ଆସି ଗିଟାରଟାକୁ ମୋ ରୁମ୍ ଭିତରେ ରଖିଦେଲି । ଆଉ ଖାଇବାକୁ ବସି ପଡିଲି । ବୋଉ ମୋର ପଚାରୁ ଥାଏ କଣ ଶିଖିଲୁ, କେତେ ଶିଖିଲୁ, କେତେ ପିଲା ଆଉ ଶିଖୁଛନ୍ତି ଏମିତି କେତେ କଣ ପ୍ରଶ୍ନ । ମୁଁ ସବୁର ଉତ୍ତର ହଁ ହାଁ ରେ ଦେଇକି ଚାଲିଗଲି ଶୋଇବାକୁ । ପୁଣି ଆସନ୍ତା ଶନିବାରକୁ ଗଲି ସାର୍ ଙ୍କ ଘରକୁ । ସେଠି ପହଞ୍ଚିଲା ବେଳକୁ ଦେଖିଲି ସାରଙ୍କ ଘର ଆଗରେ ତାଲା ଝୁଲୁଚି । ଟିକେ ବ୍ୟସ୍ତ ହେଇ ପଡିଲି ଭାବିଲି ଟିକେ ଅପେକ୍ଷା କରିବି ହୁଏ ତ କେଉଁଠି କି ପାଖକୁ ଯାଇ ଥିବେ ଚାଲି ଆସିବେ ବୋଲି । କିନ୍ତୁ ପ୍ରାୟ ଏକ ଘଣ୍ଟା ଧରି କେହି ଆସିଲେନି । ମୁଁ ସେମିତି ଠିଆ ହେଇ ଥାଏ କାନ୍ଧରେ ଗିଟାର ପକେଇ ସାଇକେଲ ଧରିକି । ସେହି ଘରର ଉପର ମହଲାରେ ରହୁ ଥିବା ମାଲିକ ବୋଧ ହୁଏ ମୋତେ ଦେଖି ପଚାରିଲେ କାହାକୁ ଅପେକ୍ଷା କରିଛ ? ମୁଁ କହିଲି ମୁଁ ଗୀତାର ଶିଖିବା ପାଇଁ ଆସି ଥିଲି ସାର୍ କୁଆଡେ ଗଲେ ? ସେ ଭଦ୍ରଲୋକ କହିଲେ ଓଃ ସେ ମେଲୋଡିରେ ଯିଏ ଗିଟାର ବଜାନ୍ତି ତ ? ମୁଁ ହଁ କହିଲି ସେ ତ କେବେ ଠାରୁ ଘର ଛାଡି ପଳେଇ ଗଲେଣି ପ୍ରାୟ ୨ ମାସ ପାଖାପାଖି ହେବ । ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି ଆଉ ଯୋଉ ସାର ଗତ ଶନିବାର ଏଠି ଥିଲେ ସେ କିଏ? ସେ ରାଗି କି କହିଲେ ସାର୍ ନା ଚୋପା । ସେ ପରା ଚୋରଟା ଆଉ ଠକଟା ଆମେ କେହି ନଥିଲା ବେଳେ ସେ ଆମ ଘରୁ ୫୦୦୦ଟଙ୍କା ନେଇ ୩ ଦିନ ହେଲାଣି ଫେରାର ହେଇଯାଇଛି । ସେ ନିଜକୁ ଗୋଟେ କମ୍ପାନୀର ସେଲସମ୍ୟାନ୍ କହି ଆମ ଘରେ ରହିଥିଲା । ଆମରି ଜିନିଷପତ୍ର ବ୍ୟବହାର କରୁଥିଲା । କିନ୍ତୁ ତାର ହାବଭାବ ଦେଖି କେହି ବି କହି ପାରିବେନି ଯେ ସେ ଗୋଟେ ଠକ ବୋଲି ଆମେ ତା ନାଁରେ ପୁଲିସରେ ଏଫଆଇର୍ ଦେଇଛୁ । କାଇଁ କଣ ହେଲା କି ତମଠୁ ବି ପଇସା ନେଇଛି କି ଗୀତ ମାଷ୍ଟର କହି କି? ସେତେବେଳକୁ ମୋ ପାଖେ ଆଉ କିଛି ଉତ୍ତର ନ ଥାଏ । ମୁଁ ସେ ଫୋନ ନମ୍ବରଟି ତାଙ୍କୁ କହିଲି ଆଉ ପଚାରିଲି ଏଇ ନମ୍ବରଟି ତାହେଲେ କାହାର ? ସେ କହିଲେ ଏଇଟା ଆମରି ନମ୍ବର କିଛିଦିନ ହେଲା ଡେଡ୍ ହେଇ କି ଥିଲା ଏବେ ଠିକ ହେଇଛି । ଏ ସବୁ ଶୁଣି ସାରିବା ପରେ ମୋ ପାଦ ତଳୁ ମାଟି ଖସି ଯାଇଥାଏ । ବହୁତ ଜୋରେ କାନ୍ଦ ଲାଗୁଥାଏ । କିନ୍ତୁ କାନ୍ଦି ପାରୁ ନ ଥାଏ । ମୁଁ ପୁରାପୁରି ଠକି ଯାଇଥିଲି । କିଛି ନ ବୁଝି ନ ସୁଝି ପଇସା ଦେବା ଆଉ ଗିଟାର ଶିଖିବା ନିଶା ମୋତେ ମହଙ୍ଗା ପଡି ଯାଇଥାଏ । ରାସ୍ତା ସାରା ଭାବି ଚାଲି ଥାଏ ଘରେ ବୋଉକୁ କି ଉତ୍ତର ଦେବି ବୋଲି । ଘରକୁ ସିଧା ଆସି କାହାକୁ କିଛି ନ କହି ଦେହ ଭଲ ନ ଲାଗିବାର ବାହାନା କରି ସେଦିନ ରାତିରେ ନ ଖାଇ କି ଶୋଇ ପଡିଲି । ୟା ଭିତରେ +୨ର ଶେଷ ବର୍ଷ ପରୀକ୍ଷା ମୁଣ୍ଡ ଉପରେ ଆସି ଯାଇଥାଏ । ମୋ ଗିଟାର ମୋ ରୁମ୍ ର ତାଜା ଉପରେ ପଡିପଡି ତା ଉପରେ ଗୋଟିଏ ଧୁଳିର ଆସ୍ତରଣ ଜମି ଯାଇଥାଏ । ପରୀକ୍ଷା ସରିଲା ଆଉ ମୁଁ ଉତ୍କଳ ବିଶ୍ଵ ବିଦ୍ୟାଳୟରେ ନାମ ଲେଖାଇ ସାରିଥାଏ । କିନ୍ତୁ ଗିଟାର ଶିଖି ନ ପରିବାର ଗ୍ଳାନି ମୋ ମନରେ ଥାଏ । ୨୦୦୨ ମସିହା ବେଳକୁ ମୁଁ ଭାବିଲି କାଇଁ କି ଆଉ ଏ ଗୀଟାର ରଖିବି ଯାଉଛି ବିକି ଦେଇ ପଇସା ନେଇ ଆସିବି ବୋଲି । ବୋଉ ବି କହିଲା ହଁ ରହି ରହି ନଷ୍ଟ ହେଇ ଯିବ ଜିନିଷଟା ଯାଇକି ବିକି ଦେ । ମୁଁ ପୁଣି ଗଲି ସେଇ ଦୋକାନକୁ ଗିଟାର ବିକିବା ପାଇଁ ଯୋଉ ଦୋକାନରୁ ମୁଁ ତାକୁ କିଣିଥିଲି । ମନରେ ବହୁତ କଷ୍ଟ ହଉଥାଏ । ଦୋକାନୀ ନଦେଖି କି କହିଲା ପୁରୁଣା ମାଲ୍ ୧୦୦୦ କି ୧୨୦୦ଟଙ୍କା ହବ ଯଦି ଇଚ୍ଛା ଅଛି ରଖି ଦେଇକି ଯାଅ । ମୁଁ ତାକୁ କହୁଥାଏ ମୁଁ ୟା’କୁ ଜମା ବଜେଇନି ଆଉ ୫୦୦ଟଙ୍କା ମୋତେ ଦିଅନ୍ତୁ ବୋଲି । ସେ କିନ୍ତୁ ରୋକଠୋକ ମନା କରିଦେଲା । ସେଇଠି ଆଉ ଜଣେ ବ୍ୟକ୍ତି ଆମ କଥା ସବୁ ଶୁଣୁଥାଆନ୍ତି । କିଛି ସମୟ ପରେ ମୋ ପାଖକୁ ଆସି କହିଲେ ଆରେ ବାବୁ ଏ ନୂଆ ଗିଟାରଟା କାହିଁକି କି ବିକି ଦଉଚ ? ତୁମେ ନିଜେ ଶିଖ ଆଉ ବଜାଅ । ସେଉଠୁ ମୁଁ ତାଙ୍କୁ ସବୁ କଥା କହିଲି । ବ୍ୟକ୍ତି ଜଣକ ସବୁ କଥା ଶୁଣିକି କହିଲେ ଏଇ କଥା ହଉ ତୁମେ କାଲି ମୋ ଘରକୁ ଆସ ମୁଁ ତୁମକୁ ଗିଟାର ବଜେଇବା ଶିଖେଇ ଦେବି । ତାଙ୍କ ଘର ଫୋନ ନମ୍ବର ଦେଲେ । ସେଇଠି ମୋତେ କାହିଁକି କେଜାଣି ଲାଗିଲା ବୋଧେ ମା ସରସ୍ଵତୀଙ୍କ ଆଶୀର୍ବାଦ ମୋ ଉପରେ ଅଛି । ମୁଁ ଆଉ ଗିଟାର ନ ବିକି ଘରକୁ ଚାଲି ଆସିଲି । ବୋଉକୁ ଆଉ ଜଣେଇଲିଣି ଯେ ମୁଁ ଗୀଟାର ବିକିଲି ନାହିଁ ବୋଲି । ମୁଁ ତା ପରଦିନ ତାଙ୍କ ଘରକୁ ଗଲି ଫୋନ କରି କି । ଅବଶ୍ୟ ତାଙ୍କ ଘର ଆମ ଘର ପାଖରୁ ମାତ୍ର ଗୋଟିଏ କିଲୋମିଟର ଥିଲା । ତାଙ୍କ ଘରେ ଯାଇ ପହଞ୍ଚି ଦେଖିଲି ଯେ ଭିନ୍ନ ଭିନ୍ନ ପ୍ରକାରର ଗିଟାର ସବୁ ସଜା ହେଇ କି ରଖା ହୋଇଛି । ମନେମନେ ଇଶ୍ଵରଙ୍କୁ ଧନ୍ୟବାଦ ଦେଲି ଭାବିଲି ଯେ ଏଥର ମୁଁ ଠିକ ଜାଗାରେ ଆସି ପହଞ୍ଚିଛି ବୋଲି । ସାର୍ ଆସି ମୋତେ ବସିବାକୁ କହିଲେ । ସାର୍ ଙ୍କ ନାଁ ସତ୍ୟ ମିଶ୍ର ଥିଲା । ସେ ମୋ ବିଷୟରେ ସବୁ ପଚାରି ବୁଝିଲେ । ଆଉ ତା ପରଠାରୁ ମୋ ଗିଟାର ଶିକ୍ଷା ଆରମ୍ଭ ହେଲା । ମୁଁ ସାରଙ୍କ ପାଖରୁ ପ୍ରାୟ ୩ ବର୍ଷ ଲଗାତାର ଶିଖିଲି । ପରେ ମୁଁ ପିଜି କରିବାରେ ବ୍ୟସ୍ତ ରହିଲି । କିନ୍ତୁ ଗିଟାର ବଜେଇବାର ଅଭ୍ୟାସ ମୁଁ ଜମା ଛାଡି ନ ଥାଏ । ପିଜି ପରେପରେ ଚାକିରି ମଧ୍ୟ ହୋଇଗଲା । କର୍ମରେ ବ୍ୟସ୍ତ ରହି କି ମଧ୍ୟ ଗିଟାର ବଜେଇବାର ନିଶା ମୁଁ କେବେ ବି ଛାଡି ନଥାଏ । ଯେତେ ରାତି ହଉପଛେ ଘଣ୍ଟେ ନ ବଜେଇଲେ ମୋତେ ନିଦ ହୁଏନି । ମୁଁ ମୋ ପ୍ରଥମ ପ୍ରୋଗ୍ରାମ ଉତ୍କଳ ଇୟୁନିଭରର୍ସିଟିର ଅଡିଟୋରିଉମରେ ଆମ ଫେଆରୱେଲ ପାର୍ଟିରେ ମୁଁ ବଜେଇ ଥିଲି । ପାପା କେହତେ ହେଁ ବଡା ନାମ କରେଗା ଗୀତଟି । ଧୀରେ ଧୀରେ ବାପା ମଧ୍ୟ ମୋତେ ସହଯୋଗ କରିବାକୁ ଲାଗିଲେ ଓ ମୁଁ ବଜେଇଲା ବେଳେ ମୋ ପାଖରେ ବସି ସୁର ଆଉ ତାଳର ଭଲ ତର୍ଜମା କରନ୍ତି । ସେହି ଦିନ ଠାରୁ ବଜେଇ ଚାଲିଛି ଗିଟାର । ଆଜି କାଲିକା ଦୁନିଆ ରେ ନିଜ ପାରଦର୍ଶିତା ପ୍ରଦର୍ଶନ କରିବାକୁ ଇୟୁ ଟିଉବ୍ ଆଉ ଫେସବୁକ୍ ଭଳି ସାମାଜିକ ମାଧ୍ୟମ ଆସିଗଲାଣି । ତେଣୁ ମୁଁ ମଧ୍ୟ ତାର ଭରପୁର ଉପଯୋଗ କରିଛି । ଏବେ ମୋ ଚ୍ୟାନେଲ୍ରେ ୮୦ରୁ ଉର୍ଦ୍ଧ ଗିଟାର ଭିଡିଓ ରହିଛି । ଆଉ ବହୁତ ଜଣ ସବସ୍କ୍ରାଇବର୍ ମଧ୍ୟ ଅଛନ୍ତି । ଯଦିଓ ପାରିବାରିକ ଆଉ କର୍ମ ବ୍ୟସ୍ତତା ହେତୁ ଟିକେ ବେଶି ସମୟ ଦେଇ ପାରୁନି ତଥାପି ମାସକରେ ୨/୩ ଟା ଭିଡିଓ ଅପଲୋଡ୍ ହେଉଛି ଇୟୁ ଟିଉବରେ । ଯେବେ ବି ସୁଯୋଗ ମିଳିଲେ କଲେଜ କିମ୍ବା କୌଣସି ସଂସ୍କୃତିକ କାର୍ଯ୍ୟକ୍ରମରେ ବଜେଇବାର ସୁଯୋଗ ହାତଛଡା ନ କରି ଲୋକଙ୍କୁ ଆମୋଦ ପ୍ରଦାନ କରିଚାଲିଛି । ଶ୍ରୋତାଙ୍କ ତାଳି ଆଉ ଭଲ ପାଇବାକୁ ସାଉଁଟି କି ବାଟ ଚାଲିଛି । କିଛି ପିଲା ମଧ୍ୟ ଘରକୁ ଆସୁଛନ୍ତି ଶିଖିବା ପାଇଁ । ସଙ୍ଗୀତକୁ ବିକ୍ରୀ କରିନି କି କରିବି ନାହିଁ ମଧ୍ୟ । ଯିଏ ଯାହା ଦେଲା ଖୁସିରେ ରଖେ କିଛି ବାଧ୍ୟ ବାଧକତା ନାହି ଫିସ୍ କୁ ନେଇ । ଆଉ ସତ୍ୟ ସାର୍ ଏବେ କଟକରେ ନିଜର ଗୋଟେ ଅନୁଷ୍ଠାନ ଖୋଲି ବହୁତ ପିଲାଙ୍କୁ ଶିଖାଉଛନ୍ତି । ସଙ୍ଗୀତ ଯେ ଗୋଟେ ନିଶା ସେ କଥା ମୋ ଠାରୁ ଅଧିକ ଆଉ କିଏ ଜାଣେ । ମୋ ତିକ୍ତ ଓ ସୁନ୍ଦର ଅନୁଭୂତିରୁ ମୁଁ ଏଇଆ ଶିକ୍ଷା ଲାଭ କରିଛି ଯେ କୌଣସି କାମ କରିବା ପୂର୍ବରୁ ଆଗ ଭଲ ଭାବେ ପରଖି ନେବା ଉଚିତ୍ ଏବଂ ଯଦି ଜଣକ ପାଖେ ଯଦି ଶିଖିବାର ଇଚ୍ଛା ଆଉ ଆଗ୍ରହ ଅଛି ତାକୁ ଇଶ୍ଵର ନିଶ୍ଚୟ ସାହାଯ୍ୟ କରିବେ କୌଣସି ଉପାୟରେ କେମିତି ବି କେଉଁଠି ବି । ସେଥିପାଇଁ ପରା କଥାରେ ଅଛି “ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ” ।

ଦୀପକ ଷଡଙ୍ଗୀ

ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ


Rate this content
Log in

Similar oriya story from Inspirational