ଡୁଗୁର ଜେଜେ
ଡୁଗୁର ଜେଜେ
କଟକ ଯୋବ୍ରା ନିକଟସ୍ଥ ସେଣ୍ଟ ଜାଭିୟର ସ୍କୁଲ l ସମୟ ସକାଳ ସାଢ଼େ ଦଶ l ନର୍ସରୀ ରୁ ଷ୍ଟାଣ୍ଡାର୍ଡ ୱାନ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କର ସ୍କୁଲଛୁଟି ବେଳ l ଗେଟ ପାଖରେ ପ୍ୟାରେଣ୍ଟସ ଓ କୁନି କୁନି ପିଲାଙ୍କର ଭିଡ଼ l ଲିକୁନ ଗେଟ ପାଖେ ଠିଆ ହୋଇ ତା ମାମା ଙ୍କୁ ଅପେକ୍ଷା କରିଛି l କେହିଜଣେ ମହିଳାଙ୍କୁ ଦୂରରୁ ସ୍କୁଟି ଧରି ଆସୁଥିବାର ଦେଖିପକେଇଲା ଲିକୁନ l ୱାଚମ୍ୟାନ ଅଙ୍କଲ ଙ୍କୁ, "ମାମା ଅସିଗଲେଣି " କହି ରାସ୍ତା ଉପରକୁ ଦୌଡ଼ି ଗଲା l
ରାସ୍ତା ଆରପଟୁ ବାଇକ ଟେ ଆସୁଥିଲା ଖୁବ ସ୍ପିଡ଼ ରେ l 'ଆଗରେ ସ୍କୁଲ ଅଛି ' ଲେଖା ହୋଇଥିଲେ ମଧ୍ୟ ଅନେକ ଗାଡି ଚାଳକ ଦେଖି ଅଣଦେଖା କରି ଦିଅନ୍ତି l ତାର ପରିଣାମ ମଧ୍ୟ ବେଳେ ବେଳେ ହୋଇପଡେ ଭୀଷଣ ଭୟାନକ l ଲିକୁନ କୁ ସେହି ଦ୍ରୁତଗାମୀ ଗାଡି ଟି ଖୁବ ଜୋର ରେ ଧକ୍କା ଦେବା ପୂର୍ବରୁ ଜଣେ ବୟସ୍କ ବ୍ୟକ୍ତି, ବୟସ ଅନୁମାନ ସତୁରୀ କିମ୍ବା ବାସ୍ତରୀ ହେବ, କ୍ଷୀପ୍ର ବେଗରେ ଆସି ପିଲାଟିକୁ ନିଜ ଆଡକୁ ଟାଣିନେଇ ଛାତି ରେ ଜାବୁଡି ଧରିଲେ l
ବାଇକ ଚଲାଉଥିବା ଯୁବକକୁ କିଛି ଭଦ୍ରଲୋକ ଘେରି ଯାଇ ବହୁତ ଗାଳି କରୁଥିଲେ l ଉତ୍ୟକ୍ତ ହୋଇ ମାଡ଼ ମାରିବାକୁ ଆଗେଇ ଯାଉଥିଲେ, ବୃଦ୍ଧ ଜଣଙ୍କ ହସ୍ତକ୍ଷେପ କରି ତାକୁ ସେଠୁ ଚାଲିଯିବାକୁ କହିଲେ l ୱାଚମ୍ୟାନକୁ ବୟସ୍କବ୍ୟକ୍ତି ଜଣଙ୍କ ଖୁବ ଚଢାଗଳାରେ ତାଗିଦ କଲେ ତାର ଏତାଦୃଶ ଦାୟିତ୍ୱହୀନତା ପାଇଁ l ସେହି ସମୟରେ ଲିକୁନର ମାମା ସ୍ନିଗ୍ଧା ଆସି ପହଞ୍ଚିଗଲେ l ସ୍ୱାମୀ ଦେବାଶିଷ ଟିଫିନ ସାରି ବ୍ୟାଙ୍କ କୁ ବାହାରିଯିବା ପରେ ସ୍ନିଗ୍ଧା ସ୍କୁଟି ଧରି ପୁଅ କୁ ନେବାକୁ ଆସନ୍ତି l ଦିନେ ଦିନେ ଆସୁ ଆସୁ ସାମାନ୍ୟ ବିଳମ୍ବ ହୋଇଯାଏ l ଲିକୁନ ସେହିପରି ଗେଟ ପାଖରେ ମାମାଙ୍କ ଆସିବା ରାସ୍ତା କୁ ଚାହିଁ ରହିଥାଏ l
--"ଆପଣ ପିଲା ର ମାଆ?"
ବୟସ୍କ ବ୍ୟକ୍ତି ପଚାରିଲେ l
--ହଁ ଆଜ୍ଞା l ରାସ୍ତା ଟିକେ ଭିଡ଼ ଥିଲା ତ ଆସିବାକୁ ଲେଟ ହେଇଗଲା l
--ଆପଣଙ୍କର ସମୟ ଆଗରୁ ଘରୁ ବାହାରିବା ଉଚିତ ଥିଲା l
ଏହିଟା ପିଲାପ୍ରତି ଆପଣଙ୍କର ଅସଚେତନତା କୁ ଦର୍ଶାଉଛି l
--ସରି ସାର ! ଏପରି ଭୁଲ ଆଗକୁ କେବେ କରିବିନି l ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ l ଆଜି ଆପଣ ଏଠି ଉପସ୍ଥିତ ନଥିଲେ.. ଆପଣଙ୍କ ନାଁ ଟା କଣ ଜାଣିପାରେକି ସାର ?
--ମୋ ନାଁ ବ୍ରଜକିଶୋର ସାହୁ l ମୁଁ ଜଣେ ରିଟାଏର୍ଡ ଲେକ୍ଚରର l ଏହି ଆଗରେ ସେ ମ୍ୟୁଜିଉମ ପାଖେ ଆମ ଘର l
--ଆମେ ଆଜ୍ଞା ଏଠି ନୂଆ l ଏହି ଦୁଇମାସ ହେଲା ପାରାଦ୍ୱୀପ ରୁ ଟ୍ରାନ୍ସଫର ହୋଇ କଟକ ଆସିଛୁ l
--ଆଚ୍ଛା.. ଆଚ୍ଛା..
ବ୍ରଜ ବାବୁ ପିଲା ଟି ଆଡକୁ ପ୍ରଫୁଲ୍ଲ ଚିତ୍ତ ରେ ଅନେଇ, ତା କୁଞ୍ଚୁ କୁଞ୍ଚୁ କେଶ କୁ ଟିକେ ହାତରେ ଆଉଁଶି ଦେଇ ପଚାରିଲେ, "ତୁମ ନାଁ କଣ ବାବା? କୋଉ କ୍ଲାସ ରେ ପଢୁଛ? "
--ଅଙ୍କଲ ମୋ ନାଁ ସୁବ୍ରତ ପାତ୍ର l ମତେ ସମସ୍ତେ ଲିକୁନ ଡାକନ୍ତି l ମୋର ଷ୍ଟାଣ୍ଡାର୍ଡ ୱାନ l
--ଆଚ୍ଛା ଆଚ୍ଛା... ଲିକୁନ.. ବହୁତ ସୁନ୍ଦର ନାଁ..
ମୁଁ ଅଙ୍କଲ ନୁହେଁ, ଜେଜେ l ଠିକ ଅଛି l ହଉ ହଉ ଘରକୁ ଯାଅ l
--ବାୟ ବାୟ ଜେଜେ..
--ବାୟ ବାୟ ଡୁଗୁ....ନାଁ ନାଁ ଲିକୁନ..
ଲିକୁନ ଯିବା ରାସ୍ତାକୁ ସେହିପରି ନିମଗ୍ନ ହୋଇ ବ୍ରଜବାବୁ ଚାହିଁ ରହିଥିଲେ ବହୁ ସମୟ ଯାଏ l ତାର ନିରୀହ ଚେହେରାର ମାୟାରେ ପଡିଯାଇଥିଲେ ବୋଧେ l ତାଙ୍କୁ ଲାଗୁଥିଲା ଯେମିତି ଅନେକ ଦିନରୁ ଖୋଜୁ ଥିବା ନିଜର କେହି ଜଣେ ହାତପାହାନ୍ତା କୁ ଆସିଯାଇଛି l
ଏବେ ପ୍ରାୟ ସବୁଦିନ ବ୍ରଜ ବାବୁ ମର୍ନିଙ୍ଗ ୱାକ ରୁ ଫେରି ଲିକୁନର ସ୍କୁଲ ପାଖରେ କିଛି ସମୟ ଠିଆ ହୋଇଯାଆନ୍ତି l ସ୍କୁଲରେ ମର୍ନିଙ୍ଗ ପ୍ରେୟାର ଚାଲିଥାଏ l ଲିକୁନ ଆଖିବୁଜି ପ୍ରାର୍ଥନା ଗାଉଥାଏ l ତାକୁ ସକାଳୁ ଟିକେ ଦେଖିପକେଇଲେ ବ୍ରଜ ବାବୁଙ୍କୁ ଖୁବ ଖୁସି ଲାଗେ l କେବେ କେବେ ପ୍ରାର୍ଥନା ଶେଷରେ ଧାଡି ରେ ଠିଆ ହୋଇଥିଲା ବେଳେ ଲିକୁନ ର ବ୍ରଜ ବାବୁଙ୍କ ଉପରେ ନଜର ପଡିଗଲେ ସେ ହାତ ହଲାଇ 'ହାଏ' କହିଦିଏ l
ପୁଣି ସ୍କୁଲ ଛୁଟି ପରେ ବ୍ରଜବାବୁ ସ୍କୁଲ ପାଖ ଗ୍ରୋସରୀ ଦୋକାନ ରେ ବସିଥାନ୍ତି l କୁନି କୁନି ପିଲାମାନେ ଚକୋଲେଟ, ଚିପ୍ସ ନେବାପାଇଁ ଜିଦ୍ଦି କରି ସେହି ଦୋକାନ କୁ ମାଆ ବାପାଙ୍କ ସହ ଆସି ନିଜେ ନିଜେ ଆପଣା ମନମୁତାବକ ଜିନିଷ ବରାଦ କରୁଥାନ୍ତି l ଟିକି ଟିକି ପିଲାଙ୍କର ଏପରି ଅବୁଝା ଅଳି ଅଝଟ କୁ ମନଭରି ଉପଭୋଗ କରନ୍ତି ବୃଦ୍ଧ ବ୍ରଜକିଶୋର l
ଲିକୁନ ବି ଚକୋଲେଟ ନେବାକୁ ଆସେ କେବେ କେବେ l ଏବେ କିନ୍ତୁ ନୂଆଜେଜେଙ୍କ ସହ ପରିଚୟ ହେଲାପରେ ମାମାଙ୍କୁ କହି ସବୁଦିନ ଛୁଟି ପରେ ଦୋକାନରେ ଅଟକିଯାଏ କିଛିସମୟ l
ବ୍ରଜବାବୁ ଲିକୁନର ପସନ୍ଦର ଚକୋଲେଟ ଓ ଚିପ୍ସ କିଣିଦିଅନ୍ତି l ସ୍ନିଗ୍ଧା ବୃଦ୍ଧଙ୍କ ଶ୍ରଦ୍ଧାକୁ ଏଡାଇ ନପାରି ଲିକୁନକୁ ଗ୍ରହଣ କରିବାକୁ ଅନୁମତି ଦିଅନ୍ତି l
କ୍ରମେ ଲିକୁନ ସହ ବ୍ରଜବାବୁଙ୍କ ସମ୍ପର୍କ ଟା ଖୁବ ନିବିଡ ହେଇଯାଏ l ବ୍ରଜବାବୁଙ୍କୁ ସ୍କୁଲ ର ୱାଚମ୍ୟାନ ଠୁ ଆରମ୍ଭ କରି ପ୍ରିନ୍ସିପାଲ ଯାଏଁ ସଭିଏଁ ଅଳ୍ପ ବହୁତେ ଜାଣନ୍ତି l ଭଦ୍ରଲୋକ ଯେ ଜଣେ ରିଟାଏର୍ଡ କେମେଷ୍ଟ୍ରି ଅଧ୍ୟାପକ ଏକଥା ମଧ୍ୟ ସ୍କୁଲ ର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଜ୍ଞାତ l ଲିକୁନ ଛୁଟିପରେ ଗେଟ ପାଖେ ଠିଆ ହୋଇଥିବା ବେଳେ ତାର ସେହି ନୂଆଜେଜେ ଯାଇ ତାକୁ ସେଠୁ ନେଇଆସନ୍ତି ତା ପ୍ରିୟ ଚକୋଲେଟ ଦୋକାନ କୁ l ତାଙ୍କ ସହ ଛାଡିବାକୁ ସ୍କୁଲ ରୁ କେହି ବାରଣ ମଧ୍ୟ କରନ୍ତିନି କାରଣ ଲିକୁନ ବୃଦ୍ଧ ଙ୍କୁ ଦେଖିଲେ 'ମୋ ଜେଜେ ମୋ ଜେଜେ' କହି ଦୌଡ଼ି ଯାଏ l ଏବେ ସ୍ନିଗ୍ଧା ଆସିବାରେ ବିଳମ୍ବ କଲେ ବ୍ରଜ ବାବୁ ଆଉ କ୍ରୋଧିତ ହୁଅନ୍ତିନି କି ସ୍ନିଗ୍ଧା ମଧ୍ୟ ଚିନ୍ତିତ ଜଣାପଡନ୍ତିନି l
"ଜେଜେ ମୋ ନାଁ ଡୁଗୁ ନୁହେଁ, ଲିକୁନ ", ଲିକୁନ ଚକୋଲେଟ ଟା ହାତରେ ଧରୁ ଧରୁ କହିଲା l
"ଅଚ୍ଛା ମୁଁ ତୁମକୁ ଡୁଗୁ ନାଁ ଟା ଦେଲେ ଅସୁବିଧା କୋଉଠି ରହୁଛି?ନାଁ ଟା ବି ତ ଖୁବ ଭଲ ଅଛି ",ବ୍ରଜବାବୁ ଲିକୁନକୁ ବୁଝେଇଵା ପରି କହିଲେ l
ଧୀରେ ଧୀରେ ଲିକୁନ ବି ଜେଜେ ଙ୍କର ସେହି 'ଡୁଗୁ' ନାଁ ସହ ଅଭ୍ୟସ୍ତ ହୋଇଗଲା l କେବଳ ରବିବାର କୁ ଛାଡ଼ିଦେଲେ ଏମିତି କୋଉଦିନ ନଥାଏ ଯେବେ ଲିକୁନ ତାର ନୂଆଜେଜେ ଙ୍କୁ ଦେଖାନକରି ସ୍କୁଲ ରୁ ଘରକୁ ପଳେଇଆସିଥିବ l
ସ୍ନିଗ୍ଧା ଥରେ ଲିକୁନ କୁ ନେବାକୁ ଆସି ଦେଖିଲେ, ବ୍ରଜବାବୁ ଦୋକାନ ତଳେ ଲିକୁନର ହାତ ଧରି ଠିଆ ହୋଇଛନ୍ତି ଓ ଅତି ନରମ ଗଳା ରେ ପ୍ରାୟ କାନ୍ଦ କାନ୍ଦ ହୋଇ କହୁଛନ୍ତି, "ଡୁଗୁ !ତୁ ମୋ ଡୁଗୁ ନା? କହ ବାବା ତୁ ମତେ କ୍ଷମା କରିଦେଇଛୁ !କହ !"
--sir ଲିକୁନ କିଛି ଦୁଷ୍ଟାମୀ କଲା କି?
ସ୍ନିଗ୍ଧା ଙ୍କ ସ୍ୱର ଶୁଣି ବୃଦ୍ଧ ହଡ଼ବଡେଇ ଗଲେ l
-- ନାଇଁ ନାଇଁ.. ସେ କିଛି ନୁହେଁ l ମୋ ନାତି ଡୁଗୁ କଥା ମନେପଡିଗଲା ତ, ଟିକେ ଇମୋସନାଲ ହେଇଯାଇଥିଲି l
ତୁମେ କେତେବେଳୁ ଆସିଲଣି?
--ଏଇତ ଆସିଲି l ଆପଣଙ୍କ ନାତି ଡୁଗୁ? କେବେ ତ କହିନାହାଁନ୍ତି? ସେ କଣ ଆପଣଙ୍କ ପାଖେ ରହେନାହିଁ ?
--"ପୁଅ ଚେନ୍ନାଇ ରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ଇଂଜିନିୟର ଅଛି l ପୁଅ ବୋହୂ ନାତି ଡୁଗୁ ଆଉ ଦୁଇ ନାତୁଣୀ ସମସ୍ତେ ସେଇଠି l ଆମେ ବୁଢ଼ା ବୁଢୀ ଦୁହେଁ ଏଠି କଟକରେ l କଟକରେ ପୁରା ଜୀବନଟା କାଟିଦେଲୁ l ଆଉ ଵା ବାକି କେଇଟା ଦିନ ରହିଲା l କଟକର ମାୟାକୁ କଣ ସହଜେ ଛାଡ଼ି ହୁଏ ! ଏଠୁ ଛାଡ଼ି ମୁଁ ଆଉ କୁଆଡେ ଯାଇପାରିବିନି l ସେମାନେ ଆସନ୍ତି ଭାକେସନରେ l ନାତିଟା ସହ ମୋର ଖୁବ ଜମେ l ପିଲାଟାର ମୋ ପ୍ରତି ଆଉ ତା ଜେଜେମାଆ ପ୍ରତି ଅନେକ ଶ୍ରଦ୍ଧା l ମୋ ନାତି ଡୁଗୁର ଚେହେରା ଅବିକଳ ଏଇ ଲିକୁନ ପରି l ଏହି ଦେଖୁନ ଫୋଟୋ ",କହି ବ୍ରଜବାବୁ ତାଙ୍କ ସ୍ମାର୍ଟ ଫୋନର ଗ୍ୟାଲେରୀ ଖୋଲିଲେ l ଫୋଟୋ ରୁ ଫୋଟୋ ଉଠାଯାଇଥିବା ଗୋଟେ ଛୋଟ ପିଲାର ପିକ୍ଚର କାଢି ଦେଖାଇଲେ l
ସତରେ ପିଲାଟିର ଆଖି, ନାକ, ବାଳ ସବୁଥିରେ ଲିକୁନ ସହ ଅଦ୍ଭୁତ ସାମଞ୍ଜସ୍ୟ l ସ୍ନିଗ୍ଧାଙ୍କର ଆଉ ବୁଝିବାରେ ବାକିରହିଲାନି କାହିଁକି ବ୍ରଜସାର ଙ୍କର ଲିକୁନ ପ୍ରତି ଏତେଟା ଆଦର ଆକର୍ଷଣ l
ବ୍ରଜସାର ଙ୍କ ସହ ଅଳ୍ପ କିଛି ସମୟର ବାର୍ତ୍ତାଳାପ ପରେ ସ୍ନିଗ୍ଧା ଓ ଲିକୁନ ବିଦାୟ ନେଲେ l ଲିକୁନ ଘରେ ଯେବେ ପାପାଙ୍କ ପାଖରେ ସ୍କୁଲ ବିଷୟରେ କିଛି କହେ ସେତେବେଳେ ତାର କେମିତି ନୂଆ ଜଣେ ଜେଜେ ଙ୍କ ସହ ଘନିଷ୍ଠତା ବଢିଯାଇଛି ସେକଥା କହିବାକୁ ଭୁଲେନାହିଁ l ଦେବାଶିଷ ବାବୁ ମଧ୍ୟ ବ୍ରଜସାର ଙ୍କର ଲିକୁନ ପ୍ରତି ଥିବା ଶ୍ରଦ୍ଧା ଭଲପାଇବା ସମ୍ବନ୍ଧ ରେ ଅନେକ କିଛି ଜାଣିଗଲେଣି l କିଛି କଥା ଲିକୁନ ଠାରୁ ଶୁଣନ୍ତି କିଛି ସ୍ନିଗ୍ଧା କହନ୍ତି l
ବ୍ରଜବାବୁ ଏବେ ସ୍କୁଲ ଛୁଟିର ବହୁ ପୂର୍ବରୁ ଆସି ଲିକୁନ ସ୍କୁଲ ଆଗରେ ହାଜର ହୋଇଯାଆନ୍ତି l କେବେ କେବେ ଗେଟ ଭିତରକୁ ଯାଇ ଅଭିଭାବକମାନଙ୍କ ପାଇଁ ଉଦ୍ଧିଷ୍ଟ ବେଞ୍ଚ ଉପରେ ବସି ଲିକୁନ ର କ୍ଲାସ ରୁ ବାହାରିବାକୁ ପ୍ରତୀକ୍ଷା କରି ରହନ୍ତି l ନିଜ ସ୍ମାର୍ଟଫୋନ ରେ ଲିକୁନ ଗୁଡ଼ାଏ ଫୋଟୋ ଉଠେଇ ରଖିଲେଣି l ସ୍କୁଲ ଆଗରେ, ଦୋକାନ ସାମ୍ନା ରେ ଲିକୁନ ସହ ସେଲ୍ଫି ନିଅନ୍ତି l ଲିକୁନ ଫୋଟୋ ସବୁକୁ ତା ମାମାଙ୍କ ହ୍ୱାଟ୍ସଆପ ନମ୍ବର ରେ ପଠେଇବାକୁ ଜେଜେ ଙ୍କୁ କହେ l ମାମା ପାପାଙ୍କ ନମ୍ବର ଲିକୁନ ର ମୁଖସ୍ତ l ଏବେ ବ୍ରଜସାର ଙ୍କ ନମ୍ବର ବି ମନେରଖିସାରିଲାଣି l
ସ୍ନିଗ୍ଧା ଦେବାଶିଷ ଅନେକ ଥର ଭାବିଲେଣି ବ୍ରଜବାବୁ ଆଉ ତାଙ୍କ ମିସେସଙ୍କୁ ନିଜ ଘରକୁ ଦିନେ ନିମନ୍ତ୍ରଣ କରିବେ l ଲିକୁନ ର ଜନ୍ମଦିନ ରେ ନିଶ୍ଚୟ ଡାକିବେ l ସେ ସେଦିନ ସ୍କୁଲ ପାଖେ ନଥିଲେ ବାଇକ ଟା ଯେମିତି ଲିକୁନ ଆଡକୁ ମାଡିଆସୁଥିଲା, କଣ ଯେ ହେଇଥାନ୍ତା !! ଭାବିଦେଲେ ଖାଲି ସ୍ନିଗ୍ଧାଙ୍କ ଛାତି ଥରିଯାଏ l
ଆଗକୁ ଦୁର୍ଗାପୂଜା ଛୁଟି l ଦୁର୍ଗାପୂଜା ଛୁଟି ସରିଲେ ନଭେମ୍ବର ଚାରି ରେ ଯାଇ ଲିକୁନ ର ଜନ୍ମଦିନ l ଲିକୁନ ଦଶହରା ଛୁଟି ପୂର୍ବରୁ ତା ସାଙ୍ଗମାନଙ୍କୁ କହିସାରିଲାଣି ଆଗକୁ ମୋ ହାପି ଵାର୍ଥଡେ ଅଛି l ସେ ତା ନୂଆ ଜେଜେଙ୍କୁ ମଧ୍ୟ ଚାରି ପାଞ୍ଚ ଥର ନଭେମ୍ବର ଚାରି ନିଜ ବାର୍ଥଡେ ପାର୍ଟି କୁ ନିମନ୍ତ୍ରଣ କରିସାରିଲାଣି l ଜେଜେଙ୍କୁ ଏଟା ବି କହିବାକୁ ଭୁଲିନି ଗିଫ୍ଟ ରେ ତାକୁ କଣ ଦରକାର l
ନିର୍ଦ୍ଧିଷ୍ଟ ଦିନରେ ସ୍କୁଲ ଛୁଟି ଦିଆଗଲା l ଛୁଟି ପୂର୍ବରୁ ଶେଷଥର ପାଇଁ ବ୍ରଜବାବୁ ଲିକୁନ କୁ ଦେଖାକରିବାକୁ ଆସିଲେ l ବହୁତ ସାରା ଚକୋଲେଟସ ଦେଲେ l କୁଣ୍ଢେଇଧରି ତାକୁ ଛାତି କୁ ଆଉଜେଇ ଆଣିଲେ l ସ୍ନିଗ୍ଧା ଲକ୍ଷ କଲେ ବ୍ରଜସାର ଙ୍କର ଲିକୁନ ପ୍ରତି ଆଜିର ସ୍ନେହଁ ଟା ସବୁଦିନ ଠୁ ଭିନ୍ନ, ଟିକେ ନିଆରା l ଅଧିକ ଆବେଗ, ଖୁବ ବେଶୀ ଆପଣାପଣ ଭରି ରହିଛି l ବ୍ରଜବାବୁଙ୍କ ମୁହଁଟି କିନ୍ତୁ ଶୁଖିଲା ଦିଶୁଛି l ଆଖି ଆଜି ଓଦାଳିଆ l ଟିକେ ଦୁର୍ବଳ ମଧ୍ୟ ଦେଖାଯାଉଛନ୍ତି l ସ୍ନିଗ୍ଧା ଆଜିଠୁ ଲିକୁନ ର ବାର୍ଥଡେ ପାଇଁ ବ୍ରଜବାବୁଙ୍କୁ ନିମନ୍ତ୍ରଣ ଦେଇଦେଲେ l ଫୋନ କରିବେ କହି ନମସ୍କାର ଜଣାଇ ସ୍କୁଟି ଷ୍ଟାର୍ଟ କଲେ l ଲିକୁନ ମାମାଙ୍କ ସ୍କୁଟି ରେ ବସି ପଛକୁ ବୁଲି ଅନେଇଲା l ବ୍ରଜସାର ହାତ ହଲେଇ କହୁଥିଲେ, "ଵାଏ ଵାଏ ଡୁଗୁ " l ଲିକୁନ ବି ପ୍ରତିଉତ୍ତର ରେ ହାତ ହଲେଇ ପୁଣି ଆଗକୁ ଦେଖିଲା l ଲିକୁନ ଅଦୃଶ୍ୟ ହେଇଯିବା ଯାଏଁ ବୃଦ୍ଧ ସେମିତି ସେଇଠି ଠିଆ ହୋଇରହିଥିଲେ l
ଖୁବ ମଜା ମସ୍ତିରେ ଲିକୁନ ତା ଛୁଟି କଟେଇଲା l ଏଥର ସେମାନେ ତାଙ୍କ ପିଉସୀନାନୀ ଙ୍କ ପାଖକୁ କୋଲକାତା ଯାଇଥିଲେ l ପିଉସୀ ଙ୍କ ଝିଅ ଲିକି ସହ ବହୁତ ଖେଳିଲା ଲିକୁନ l କଲିକତା ର ଦୁର୍ଗାପୂଜା ବୁଲିଲା l କେତେ ସବୁ ଖେଳନା ଗାଡି ଓ ବନ୍ଧୁକ କିଣି ଆଣିଛି l ସେ ସେଠି ଖେଳରେ ଆଉ ବୁଲାବୁଲି ରେ ଏତେ ମଜ୍ଜି ଯାଇଥିଲା ଯେ, କଟକ ରେ ତାର ଗୋଟେ ସ୍କୁଲ ଅଛି, ସ୍କୁଲ ବ୍ୟାଗ ଅଛି, ପାଠ ପଢା, ସାଙ୍ଗସାଥୀ ଏବଂ ଆଉ ଜଣେ ବୁଢ଼ାଜେଜେ ଅଛନ୍ତି ସବୁକିଛି ଭୁଲିଯାଇଥିଲା l ସ୍ନିଗ୍ଧା ଓ ଦେବାଶିଷ ମଧ୍ୟ ନିଜ ନିଜ ଫୋନ ବନ୍ଦ ରଖୁଥିଲେ ସେହି କେତେଦିନ l ଛୁଟିଟାକୁ ବିନା କୌଣସି ଚାପରେ ଶାନ୍ତି ରେ କଟେଇବାକୁ ସେମାନେ ଆଗରୁ ମନସ୍ଥ କରିଥିଲେ l
ଛୁଟି ସରିଗଲା l ଲିକୁନ କୋଲକାତା ରୁ ଆସିବାକୁ ବିଲକୁଲ ଚାହୁଁନଥିଲା l କହୁଥିଲା, "ଯଦି ଯିଵି ଲିକି କୁ ବି ସାଙ୍ଗରେ ନେଇକି ଯିଵି l ସେ ଏବେ ମୋ ବେଷ୍ଟ ଫ୍ରେଣ୍ଡ l"
ବହୁ କଷ୍ଟରେ ତାକୁ ବୁଝେଇ ଵାଝେଇ ଓଡିଶା ଆଣିଲେ l
କଟକ ରେ ପହଞ୍ଚିଵା ପରଦିନ ହିଁ ଲିକୁନର ସ୍କୁଲ ଖୋଲିଲା l ଆଉ ଆଠ ଦିନ ପରେ ନଭେମ୍ବର ଚାରି l ଲିକୁନ ର ସ୍ପେସିଆଲ ଡେ l ତାର ବହୁ ପ୍ରତିକ୍ଷୀତ ଜନ୍ମଦିନ l ଲିକୁନ ସକାଳେ ଦେଖିଲା ବ୍ରଜଜେଜେ ପ୍ରାର୍ଥନା ଟାଇମ ରେ ଆସି ଗେଟ ପାଖରେ ହାତ ହଲାଉ ନାହାଁନ୍ତି l ଛୁଟି ପରେ ମଧ୍ୟ ଆସିଲେନି l ଲିକୁନ ମାମାଙ୍କୁ ପଚାରିଲା ସେ କାହିଁକି ଆଜି ଆସିନାହାଁନ୍ତି l ସ୍ନିଗ୍ଧା କହିଲେ, "ହୁଏତ ସେ ଜାଣିନଥିବେ ସ୍କୁଲ ଖୋଲିଲାଣି ବୋଲି" l ତହିଁ ଆରଦିନ ମଧ୍ୟ ବ୍ରଜବାବୁ ଙ୍କର ଦେଖା ନାହିଁ l ଏମିତି ତିନି ଚାରିଦିନ ବିତିଗଲା ବ୍ରଜବାବୁ ଆସିଲେ ନାହିଁ l ସେ ଦୋକାନୀ କୁ ସ୍ନିଗ୍ଧା ପଚାରିଲା ରୁ ସେ କହିଲା, "ଓହ ସେ ବୁଢ଼ା ବାବୁ ! ତାଙ୍କର କଣ ଟିକେ ଦେହ ଖରାପ ଥିଲା କହୁଥିଲେ l ସେହି ସ୍କୁଲ ଛୁଟି ଦିଆଗଲା ପରଠୁ ତ ଆଉ ଆସିନାହାଁନ୍ତି l ଏଠି କି ତ ପ୍ରତିଦିନ କେତେ ଗରାଖ ଆସୁଛନ୍ତି l ଆମେ ଆଉ କଣ ସମସ୍ତଙ୍କ ଖବର ରଖିପାରିବୁ ଦିଦି? ଆପଣ ଟିକେ ଫୋନ ଲଗାଉନାହାଁନ୍ତି? "
"ନାଇଁ ତାଙ୍କ ଫୋନ ଟା ବନ୍ଦ ଅଛି l ", କହି ହାତରେ ଚକୋଲେଟ ଧରି ସ୍ନିଗ୍ଧା ଓ ଲିକୁନ ଚାଲିଆସିଲେ l ସ୍କୁଲ ରେ ମଧ୍ୟ କାହାରି ପାଖରେ ତାଙ୍କ ଖବର ନାହିଁ l
ଦେବାଶିଷ ଶୁଣିକି କହିଲେ, "ଆରେ ତୁମେ ଏତେ ବ୍ୟସ୍ତ କାହିଁକି ହେଉଛ? ବୟସ୍କ ଲୋକ ଦେହ ଟିକେ ଅସୁସ୍ଥ ଥାଇପାରେ l ଶୁଣ କାଲି ତ ରବିବାର l ମୋର ଛୁଟି l ତିନିଦିନ ପରେ ଲିକୁନର ଜନ୍ମଦିନ ପାଇଁ ଚାଲ ଆମେ ଯାଇ ତାଙ୍କ ଘରେ ଇନଭିଟେସନ ଦେଇ ଆସିବା ଆଉ ସେହି ବାହାନା ରେ ତାଙ୍କ ସହ ଦେଖା ବି ହେଇଯିବ "l
ମିଉଜିଉମ ପାଖରେ ବ୍ରଜକିଶୋର ସାହୁ ଙ୍କ ଘର କେଉଁଠି ପଚାରି ପଚାରି ତିନିହେଁ ଗଲେ l ହଠାତ ଲିକୁନ ଆବିଷ୍କାର କଲାପରି କହିଲା, "ପାପା ସେହି ଗେଟ ଆଗରେ ଦେଖ ଲେଖାଯାଇଛି ବ୍ରଜକିଶୋର ସାହୁ " l
କଲିଙ୍ଗ ବେଲ ର ଶବ୍ଦରେ ଜଣେ ଅଳ୍ପ ବୟସ୍କା ଝିଅ କବାଟ ଖୋଲିଲା l
--ବ୍ରଜବାବୁ ଘରେ ଅଛନ୍ତି?
ପ୍ରଶ୍ନ ରେ ଝିଅ ଟି ଟିକେ ବିସ୍ମିତ ହେଲା ପରି ଲାଗିଲା ଓ ଚଟାପଟ କହିଲା, "ନାଇଁ ନାହାଁନ୍ତି l ରୁହନ୍ତୁ ମାଆ ଙ୍କୁ ଡାକିଦେଉଛି l ଆପଣମାନେ କିଏ କହୁନାହାଁନ୍ତି ମୁଁ ମାଆଙ୍କୁ ଜଣେଇବି l
ଲିକୁନ ଆଗତୁରା କହିପକାଇଲା, "ଆଣ୍ଟି ଡୁଗୁ ଡାକୁଛି କହିଦିଅ "l
କେଇ ସେକେଣ୍ଡ ରେ ଭିତରୁ ଜଣେ ସଫେଦ ଶାଢ଼ୀ ପରିହିତା ବୃଦ୍ଧା ମହିଳା ବାହାରି ଆସିଲେ l ଲିକୁନ ଓ ତାର ମାମା ପାପାଙ୍କୁ ଭିତରକୁ ପାଛୋଟି ନେଇ ସୋଫା ଉପରେ ବସେଇଲେ l
ସ୍ନିଗ୍ଧାଙ୍କର ହଠାତ ନଜର ପଡିଗଲା କାନ୍ଥ ରେ ଟଙ୍ଗା ହେଇଥିବା ବ୍ରଜବାବୁ ଙ୍କର ଫୋଟୋ ଉପରେ l ଫୋଟୋ ରେ ଫୁଲମାଳ l ସ୍ନିଗ୍ଧା ଙ୍କୁ ସେଆଡେ଼ ଚାହିଁରହିଥିଵା ଦେଖି ବୃଦ୍ଧା କହିଲେ, " ଆଜିକୁ ଚଉଦ ଦିନ ହେଇଗଲା l "
ସ୍ନିଗ୍ଧା ଅତି ନରମ ସ୍ୱର ରେ ପଚାରିଲେ, "ଆପଣଙ୍କ ପୁଅ ବୋହୂ ନାତି ନାତୁଣୀ? "
"ପୁଅ ବୋହୂ ଓ ଦୁଇନାତୁଣୀ ଆଜି ସକାଳୁ ଚାଲିଗଲେ ",ବୃଦ୍ଧା ଲିକୁନକୁ ନିଜ ପାଖକୁ ଆଣୁ ଆଣୁ କହିଲେ l
ପୁଣି ସ୍ନିଗ୍ଧା ପଚାରିଲେ, "ଡୁଗୁ? ସେ କଣ ଆସିନଥିଲା? "
ବୃଦ୍ଧା ଲିକୁନ କୁ ଜାବୁଡି ଧରି କହିଲେ, "ହେଇତ ! ଆଜି ଆସିଲା l ଜେଜେ ତୋତେ ଖୁବ ମନେ ପକାଉଥିଲେ ରେ!", କହି ଲିକୁନର ବାଳକୁ ବୃଦ୍ଧା ମିସେସ ସାହୁ ସ୍ନେହଁ ରେ ଆଉଁଶି ଦେଲେ l
--କ୍ଷମା କରିବେ ଆଜ୍ଞା l ମୁଁ ଆପଣଙ୍କ ନାତି ଡୁଗୁ କଥା କହୁଥିଲି l
--ଆମ ନାତି ଡୁଗୁ ତ ନଅବର୍ଷ ତଳୁ ହିଁ ଚାଲିଯାଇଛି l
--ମାନେ??
ଏଇ ଆସନ୍ତୁ କହି ମିସେସ ସାହୁ ବେଡ ରୁମ ଭିତରକୁ ସ୍ନିଗ୍ଧା ଓ ଦେବାଶିଷ ଙ୍କୁ ଡ଼ାକିନେଲେ l ବେଡରୁମ କାନ୍ଥ ରେ ଛୋଟ ଗୋଟେ ସାତ ଆଠ ବର୍ଷ ର ପିଲାର ବଡ ଫୋଟୋ ଟଙ୍ଗାଯାଇଛି l ଲିକୁନ କୁ ହାତରେ ଧରି ଡୁଗୁ ର ଫୋଟୋ କୁ ମିସେସ ସାହୁ ଏକଲୟ ରେ ଅନେଇ ରହିଛନ୍ତି l ସମସ୍ତେ ନିଶବ୍ଦ, ନିରବ l
ନୀରବତା ଭାଙ୍ଗି ସ୍ନିଗ୍ଧା ପଚାରିଲେ, " କିନ୍ତୁ ବ୍ରଜସାର ତ କହୁଥିଲେ ଡୁଗୁ ଚେନ୍ନାଇରେ ଅଛି "l
ମିସେସ ସାହୁ ଲୁଗାକାନି ରେ ଗଡି ଆସୁଥିବା ଲୁହ କୁ ପୋଛି ନେଇ କହିଲେ, " ତାଙ୍କ ପାଇଁ ଲିକୁନ ହିଁ ଡୁଗୁ l ସେ ଡୁଗୁ ର ଡେଥ କୁ ଗ୍ରହଣ କରିପାରିନଥିଲେ l ଡୁଗୁ ଚେନ୍ନାଇ ରେ ଦିନେ ଆଇସକ୍ରିମ ଖାଇବାପାଇଁ ତା ଜେଜେ ର ହାତ ରୁ ଖସି ଯାଇ କାର ର ଚକା ତଳେ ଫସି ଯାଇଥିଲା l ଚାଁହୁ ଚାଁହୁ ତାଙ୍କରି ଚକ୍ଷୁ ସାମ୍ନା ରେ ତାଙ୍କ ପ୍ରିୟନାତିର କଅଁଳ ଶରୀର ରକ୍ତ ଜୁଡୁବୁଡୁ ଓ ନିଷ୍ପ୍ରାଣ ହୋଇ ରାସ୍ତା ଉପରେ ଲୋଟିପଡିଲା l ସେଇଯେ ଡୁଗୁ କୁ ସେ ହଜେଇ ଦେଇଥିଲେ ପୁଣି ଥରେ ବାଇକ ତଳୁ ଜାଭିୟର ସ୍କୁଲ ଆଗରେ ଆବିଷ୍କାର କଲେ l"
ମିସେସ ସାହୁ ଙ୍କ କଥା ଲିକୁନ କିଛି ବୁଝିପାରୁନି l ସ୍ନିଗ୍ଧା ଓ ଦେବାଶିଷଙ୍କ ଆଖି କିନ୍ତୁ ଓଦାଳିଆ l
ଲିକୁନ କିଛି ବୁଝିନପାରି ପଚାରିଲା, "ଆଣ୍ଟି !ନୂଆ ଜେଜେ କଣ ଏଇ ଡୁଗୁ ପାଖକୁ ଯାଇଛନ୍ତି? ମୋ ବାର୍ଥଡେ କୁ ଯିବେନି?ଆଉ ମୋ ଗିଫ୍ଟ "
ମିସେସ ସାହୁ ଲିକୁନ ଓଠ ରେ ହାତ ଦେଇ କହିଲେ, " ହଁ ବାବା ! ତୁମ ଜେଜେ ତୁମ ଗିଫ୍ଟ ଟା ରଖିଯାଇଛନ୍ତି l ଏଇଠି କୁ ଆସ l"
ବୃଦ୍ଧା ଧୀରେ ଧୀରେ ଆଗେଇ ଯାଇ କାଠ ର ଆଲମାରୀ ଟା ଖୋଲି ପକେଇଲେ l ଉପର ଥାକ ରେ ଅତି ଯତ୍ନ ରେ ସାଇତା ପ୍ୟାକେଟ ଟିଏ କାଢି ଆଣିଲେ l ହସ ହସ ମୁହଁ ରେ ଲିକୁନ ର କୁନି ହାତକୁ ବଢ଼େଇ ଦେଲେ l ସେଇଟି ଥିଲା ଗୋଟେ ରାମୋର୍ଟ ଟୟ କାର, ଲିକୁନ ଜେଜେଙ୍କ ପାଖେ କରିଥିବା ଅଳି l
ଲିକୁନ ଖୁବ ଖୁସି ହୋଇ ପ୍ୟାକେଟ ଟିକୁ ଖୋଲୁଥାଏ ଓ ମିସେସ ସାହୁ ପ୍ରଫୁଲ୍ଲଚିତ୍ତ ରେ ତାକୁ ଚାହିଁରହିଥାନ୍ତି l ଠିକ ସେହି ସମୟରେ ସ୍ନିଗ୍ଧା କହିଲେ, "ଆପଣଙ୍କୁ ଲିକୁନ ର ବାର୍ଥଡେ ରେ ଆସିବାକୁ ହେବ" l
" ମୁଁ ତ ଆସିପାରିବିନି କିନ୍ତୁ ଡୁଗୁ ର ଜନ୍ମଦିନ ପାଇଁ ତା ଜେଜେ ଙ୍କ ତରଫରୁ ମୁଁ ତାକୁ ଅନେକ ଶୁଭେଚ୍ଛା ଓ ସୁଭାଶିଷ ଜଣାଇଦେଉଛି l ", ଏତକ କହି ମିସେସ ସାହୁ ଲିକୁନ କୁ କୋଳ କରିନେଇ ତା ନରମ ଗାଲ ରେ ଆସ୍ତେ କରି ଓଠ ଘଷିଦେଲେ l
ଲୋପାମୁଦ୍ରା ମିଶ୍ର
6.10.2018
ନନ୍ଦିପୁର
ଯାଜପୁର
--------