Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବାଞ୍ଝ ମାଆ
ବାଞ୍ଝ ମାଆ
★★★★★

© Prasant Kumar Senapati

Inspirational Tragedy

4 Minutes   7.2K    5


Content Ranking

କଲିଙ୍ଗ ବେଲ୍ ବାଜିବାର ଶୁଣି ଶାନ୍ତନୁ ଦ୍ୱିପ୍ରହର ଖରାବେଳରେ କିଏ ଆସିଥିବ ଭାବି ତରତର ହୋଇ ସଦର ଦରଜା ଖୋଲିବା ମାତ୍ରେ ସାମନାରେ ଏକ ପୁରୁଣା ଟ୍ରଙ୍କ ଧରି ଗାଁ'ର ଦୀନବନ୍ଧୁ ମାଷ୍ଟର ଓ ତାଙ୍କ ରୋଗିଣା ପତ୍ନୀ ମାଳତୀ ଦେବୀ ଠିଆ ହୋଇଥିଲେ । ଦୀନବନ୍ଧୁ ମାଷ୍ଟର ହାବଭାବକୁ ପରଖି ଠଉରେଇ ନେଲେ ଯେ ତାଙ୍କୁ ଦେଖି ଶାନ୍ତନୁ ଜମା ଖୁସି ନୁହଁ । ଅଭିନୟ ଢଙ୍ଗରେ ଚେହେରାରେ ଏକ କୁତ୍ରିମ ହସ ଟାଣି ଶାନ୍ତନୁ ପଚାରିଲା "ସାର୍ ଆପଣ ଦୁହେଁ କିଛି ଖବର ନଦେଇ ହଠାତ୍ ଚାଲି ଆସିଲେ ! ଭିତରକୁ ଆସନ୍ତୁ !"

ଦୀନବନ୍ଧୁ ମାଷ୍ଟର ପୁରୁଣା ଟ୍ରଙ୍କକୁ ଉଠାଇ ସଂକୋଚ ମନରେ ଶଙ୍ଖ ମଲମଲ ମାର୍ବଲର ଚଟାଣରେ ପାଦ ରଖି କହିଲେ "ହଁ'ରେ ବାପ ! ମାଳତୀ ଦେହଟା କିଛିଦିନ ହେବ ଜମା ଭଲନାହିଁ । ସବୁ ସମୟରେ ଦେହରେ ଉତ୍ତାପ ରହୁଛି, ଦିନକୁ ଦିନ ଦୂର୍ବଳ ହୋଇ ପଡୁଛି । ଗାଁ ଡାକ୍ତରଖାନାରେ ଦେଖାଇଥିଲି ଯେ ସେଠାକାର ଡାକ୍ତର ରାଜଧାନୀର ଏମ୍ସ' ଡାକ୍ତରଖାନାରେ ଦେଖାଇବା ପାଇଁ ପରାମର୍ଶ ଦେଲେ । ଆସନ୍ତାକାଲି ଯଦି ତୁମେ ଅଫିସରୁ ଛୁଟି ନେଇ ମାଳତୀକୁ ଦେଖାଇବାର ପ୍ରବନ୍ଧ କରିଦିଅନ୍ତ ବହୁତ ଭଲ ହୁଅନ୍ତା ।"

"ନାଁ, ନାଁ ଅଫିସରୁ ଛୁଟି ନେବା ଏବେ ଅସମ୍ଭବ "ଦୀନବନ୍ଧୁ ମାଷ୍ଟରଙ୍କ କଥା ନ ସରୁଣୁ ଶାନ୍ତନୁୁ ନିଜ କଥା ରଖିଥିଲା । କିଛି ସମୟ ପରେ ଆନମନା ଢଙ୍ଗରେ ପ୍ରିୟା ଦୁଇକପ୍ ଚା ଓ ବିସ୍କୁଟ୍ ପ୍ଲେଟରେ ଆଣି ଟେବୁଲ୍ ଉପରେ ରଖିଲା । ସାନ୍ୟା ଏବେ ଶୋଇକରି ଉଠିଥିଲା ଓ ଦୁଇ ବୃଦ୍ଧ ବୃଦ୍ଧାଙ୍କୁ ଦେଖି ଖୁସିରେ ଖୁସିରେ ଜେଜେବାପା ଓ ଜେଜେମାଆ କହି ତାଙ୍କ ନିକଟକୁ ଦୌଡି ଆସିଲା । 

ପ୍ରାୟ ଛଅମାସ ପୂର୍ବରୁ ଶାନ୍ତନୁ ଗାଁକୁ ଏକ ସପ୍ତାହ ପାଇଁ ଯାଇଥିଲା । ସାନ୍ୟା ଦିନର ଅର୍ଦ୍ଧେକ ସମୟ ଦୀନବନ୍ଧୁ ମାଷ୍ଟର ଓ ତାଙ୍କ ସ୍ତ୍ରୀ ମାଳତୀ ଦେବୀଙ୍କ ସହ ଖେଳିକୁଦି ଦିନ ସରିଯାଏ । ଦୀନବନ୍ଧୁ ମାଷ୍ଟର ଓ ମାଳତୀ ଦେବୀ ନିସନ୍ତାନ ଥିଲେ ଓ ତାଙ୍କର ମାଟିଝାଟି କୁଡିଆଟି ଶାନ୍ତନୁର ରାଜପ୍ରସାଦ ପରି ବଙ୍ଗଳାର ନିକଟବର୍ତ୍ତି ଥିଲା । ଦୀନବନ୍ଧୁ ମାଷ୍ଟର ସାନ୍ୟା ସହିତ ଛୋଟଛୁଆ ହୋଇ ହାତୀ ଘୋଡା ସାଜି ଖେଳନ୍ତି ଓ ମାଳତୀ ଦେବୀ ଅନେକ ପ୍ରକାରର ସାନ୍ୟାର ପ୍ରିୟ ପିଠା ମିଠା ତିଆରି କରି ତାକୁ ଖୁଆନ୍ତି । ସାନ୍ୟାର ଖୁସିରେ ଉଭୟ ବୃଦ୍ଧ ଦମ୍ପତ୍ତି ଛୁଆ ହୋଇ ଯାଇଥିଲେ ।

ଗାଁରୁ ଭୁବେନେଶ୍ବର ଫେରିବା ସମୟରେ ସାନ୍ୟା ବହୁତ କାନ୍ଦିଥିଲା । ତାର ନିଜ ଜେଜେବାପା ଓ ଜେଜେମାଆ ନଥିଲେ, ତେଣୁ ସେ ଦୀନବନ୍ଧୁ ମାଷ୍ଟର ଓ ମାଳତି ଦେବୀଙ୍କ ସହିତ ଅଧିକ ମିଶି ଯାଇଥିଲା । ଫେରିବା ସମୟରେ ସାନ୍ତନୁ ନିଜ ଠିକଣା ଦେଇ କହିଥିଲା ଯଦି କେବେ ଭୁବେନେଶ୍ୱର ଆସ ଆମ ଘରକୁ ନିଶ୍ଚୟ

ଆସିବ । ସାନ୍ୟା ଆପଣ ଦୁହିଁକୁ ଦେଖି ବହୁତ ଖୁସି ହେବ । ଦୁଇ ବୃଦ୍ଧ ଦମ୍ପତ୍ତି ସାନ୍ୟା ଫେରିଯିବାର ଦେଖି ଆଖିରୁ ଲୁହ ଝରାଉଥିଲେ ଓ ଅନେକ ସେନେହ ଆଶିଷ ଦେଇଥିଲେ ।

ଯେତେବେଳେ ମୁହଁ ଧୋଇବା ପାଇଁ ଦୀନବନ୍ଧୁ ମାଷ୍ଟର ବେସିନ ନିକଟରେ ପହଞ୍ଚିଲେ, ପ୍ରିୟାର କଣ୍ଠସ୍ବର ଶୁଣିବାକୁ ମିଳିଲା । "କଣ ଆବଶ୍ୟକ ଥିଲା ଏମାନଙ୍କୁ ଆମ ଠିକଣା ଦେବା ? ସଂଧ୍ୟାରେ ମୋର କେତେଜଣ ବାନ୍ଧବୀ ଆସିବେ, ସେମାନଙ୍କୁ ମୁଁ କି ଉତ୍ତର ଦେବି ? ସାନ୍ୟାକୁ ଭିତରକୁ ନେଇ ଆସ ।ସେମାନଙ୍କ କୋଳରେ ବସିବ ପାଇଁ ଦିଅନାହିଁ, କଣ ନାଇଁ କଣ ରୋଗ ହୋଇଥିବ ।

ଶାନ୍ତନୁ କହିଲା "ମୁଁ କଣ ଜାଣିଥିଲି ସେମାନେ ସତରେ ଏତେ ଶିଘ୍ର ଏଠାକୁ ଆସିବେ ବୋଲି ?" 

ପ୍ରିୟା କହିଲା "ତୁମେ ଜାଣ କି ନଜାଣ ହେଲେ ମୋତେ ଦ୍ୱିପ୍ରହରରେ ସେମାନଙ୍କ ପାଇଁ ଖାଇବା ପିଇବା ତିଆରି କରିବା ପାଇଁ କହିବ ନାହିଁ ।" 

ପତିପତ୍ନୀ ଦୁହେଁ ବସରେ ଭୁବେନେଶ୍ୱର ଆସିବା ଭିତରେ ଥକ୍କି ଯାଇଥାନ୍ତି । ମନେମନେ ଭାବିଥିଲେ ଆଦର ସହକାରେ ଶାନ୍ତନୁ ଘରକୁ ଯାଇ ସମସ୍ତେ ମିଶି ମଧ୍ୟାହ୍ନ ଭୋଜନ କରିବୁ । ସେଥିପାଇଁ ବି ଦୁହେଁ କେଉଁଠି କିଛି ବି ଖାଇ ନଥିଲେ । ପିଲାଦିନେ ଶାନ୍ତନୁକୁ ଅଗଣିତ ଥର ମୁଁ କୋଳରେ ବସାଇ ଖୁଆଇଛି । ଯେପରି ସେ ପିଲାଦିନେ ନିଜ ଘର ପରି ଜିଦ୍ଦି କରି ପସନ୍ଦର ଖାଦ୍ୟ ମାଳତୀକୁ ଖାଇବା ପାଇଁ କହୁଥିଲା, ଆଜି ବଡଲୋକ ହୋଇଯିବା ପରେ ସମ୍ମାନର ସହିତ ଆଦରର ସହିତ ଆମପାଇଁ ଖାଇବା ପିଇବା ଓ ରହିବାର ବ୍ୟବସ୍ଥା କରିବ ।

ସାନ୍ୟା ।। ପ୍ରିୟାର ତୀକ୍ଷ୍ଣ ଡାକ ଶୁଣି ଡରି ଡରି ଘର ଭିତରକୁ ଚାଲିଗଲା । କିଛି ସମୟ ପରେ ଯେମିତି ଶାନ୍ତନୁ ହଲକୁ ଆସିଲା , ଦେଖିଲା ଚା ବିସ୍କୁଟ ପୂର୍ବବତ ଥୁଆ ହୋଇଛି ଓ କେହି ନାହାନ୍ତି ।

ପ୍ରଥମ ଥର ପାଇଁ ଭୁବେନେଶ୍ୱର ଆସିଥିବା ଦୁଇ ବୃଦ୍ଧ ଦମ୍ପତ୍ତି ଟେକ୍ସି ମାଧ୍ୟମରେ ଏମ୍ସେରେ ପହଞ୍ଚିଲେ ଓ ବହୁତ ଭିଡ ଭିତରେ ଟିକିଏ ବିଶ୍ରାମ ପାଇଁ ଖାଲି ଜାଗାଟେ ଦେଖି ବସି ପଡିଲେ । ସେହି ସମୟରେ ତାଙ୍କ ନିକଟକୁ ଜଣେ ଯୁବକ ଆସି ଗାଁର ନାମ କହି ପଚାରିଲା ଆପଣ ଦୀନବନ୍ଧୁ ମାଷ୍ଟର ନା ? ମୋତେ ଚିହ୍ନିପାରିଲେ ନାହିଁ ? ମୁଁ ଭୀମା ଡମ ପୁଅ ହରିଆ। ଆପଣ ମୋତେ ବିନା ପଇସାରେ ଟ୍ୟୁସନ କରିଥିଲେ ।

ଦୀନବନ୍ଧୁ ମାଷ୍ଟରଙ୍କ ମନେ ପଡିଗଲା । ହରିଆ ଭୀମା ଡମର ପୁଅ । ଭୀମା ଡମ ନାଳ ନର୍ଦ୍ଦମା ସଫା କରେ । ହରିଆ ଛୋଟ ଜାତିର ହୋଇ ଥିବାରୁ ସମସ୍ତଙ୍କ ସହିତ ଏକାଠି ଟ୍ୟୁସନ ନକରିବାକୁ ଗାଁଲୋକେ ମନା

କରିଥିଲେ । ସେଥିପାଇଁ ମୁଁ ପ୍ରତ୍ୟେକଦିନ ଘଣ୍ଟାଏ ତାଙ୍କ ଘରକୁ ପଢାଇବା ପାଇଁ ଯାଏ ।

"ମୁଁ ଏହି ଡାକ୍ତରଖାନାରେ ଚତୁର୍ଥ ଶ୍ରେଣିର କର୍ମଚାରୀ । ଝାଡୁ ପୋଛା ଠାରୁ ପୋଷ୍ଟମର୍ଟମ ପର୍ଯ୍ୟନ୍ତ ସଫା ସୁତର କରିବା ମୋ କାମ ।" ଦୀନବନ୍ଧୁ ମାଷ୍ଟରଙ୍କ ଭାବନାରେ ବ୍ୟଘାତ ଘଟାଇ ହରିଆ କହିଥିଲା ।

ତୁରନ୍ତ ହରିଆ ପୁରୁଣା ଟ୍ରଙ୍କଟି ମୁଣ୍ଡରେ ଉଠାଇ ଦୀନବନ୍ଧୁ ମାଷ୍ଟର ଓ ମାଳତୀ ଦେବୀଙ୍କୁ ସାଥିରେ ଏକ ଛୋଟ ଆଜବେଷ୍ଟସ୍ ଘରକୁ ନେଇଗଲା । ନିଜ ସାଥିରେ କାମ କରୁଥିବା ଲୋକଙ୍କୁ ଦେଖି ହରିଆ ହସି ହସି କହୁଥିଲା ମୋ ସମ୍ପର୍କିୟ ଗାଁ'ରୁ ଆସିଛନ୍ତି, ସେମାନଙ୍କୁ ଘରେ ଛାଡି ଆସୁଛି । ଘରେ ପହଞ୍ଚିବା ପରେ ସ୍ତ୍ରୀକୁ ସବୁକଥା କହିଲା ଓ ସ୍ତ୍ରୀ ସାରିଆ ମହାଆନନ୍ଦରେ ଉଭୟଙ୍କ ପାଦଛୁଇଁ ପ୍ରଣାମ କଲା । ସମସ୍ତେ ମିଶି ଏକା ସାଥିରେ ମଧ୍ୟାହ୍ନ ଭୋଜନ କଲେ । ହରିଆର ଚାରି ବର୍ଷର ଝିଅ ଦୁହିଁକ କୋଳରେ ହସିକୁଦି ଖେଳିଲା ।

ହରିଆ କହିଲା ଆପଣ ଦୁହେଁ ଆଜି ଆରାମ କରନ୍ତୁ । ଆଜି ମୁଁ ଯାହା ବି ହୋଇଛି, ଏହା ଆପଣଙ୍କ ମହାନତା । ପୁଣି ହରିଆ ନିଜ ଚିହ୍ନାଜଣା ଭିତରେ କଥାବାର୍ତ୍ତା କରି ମାଳତୀ ଦେବୀଙ୍କ ନମ୍ବର କରି ଆଣିଲା । ହରିଆ ପିଲାଦିନୁ ନିଜ ମାଆକୁ ହରାଇଥିଲା ଓ ଦଶବର୍ଷ ତଳେ ବାପ ଭୀମା ବି ।

ପରଦିନ ମାଳତୀ ଦେବୀଙ୍କ ନମ୍ବର ଆସିବା ମାତ୍ରେ ହରିଆ ହାତଯୋଡି ଡାକ୍ତରକୁ କହିଲା "ଡାକ୍ତର ବାବୁ ଟିକିଏ ଭଲକି ଦେଖିବ, ଇଏ ମୋର ବୁଢିମାଆଟି ବହୁତ କଷ୍ଟ ସହିଲାଣି ।" ମାଆ ଡାକରେ ମାଳତୀ ଦେବୀଙ୍କ ଅର୍ନ୍ତମନ ସ୍ପନ୍ଦିତ ହେଲା ଓ ତାଙ୍କର ଥରିଲା ହାତଟି ହରିଆର ମଥା ଛୁଇଁ ଆଶିର୍ବାଦର ବର୍ଷା କରୁଥାଏ । ମାଳତୀ ଦେବୀ ବାଞ୍ଝ ଥିଲେ କିନ୍ତୁ ଆଜି ସେ ବାଞ୍ଝ ନୁହେଁ ବୋଲି ଅନୁଭବ କରୁଥିଲେ । ଆଜି ଉଭୟ ଦମ୍ପତ୍ତିକୁ ପୁଅ ମିଳି ଯାଇଥିଲା ଓ ବେସାହାରା ପୁଅକୁ ବୁଢା ମାଆ ବାପ ।

ତାରିଖ-୧୮-୦୯-୨୦୧୭

କପିରାଇଟ୍-ପ୍ରଶାନ୍ତ ସେନାପତି

ଦମ୍ପତ୍ତି ଅର୍ନ୍ତମନ ଆଶିର୍ବାଦ

Rate the content


Originality
Flow
Language
Cover design

Comments

Post

Some text some message..