ମୁହୂର୍ତ୍ତକ କଥା
ମୁହୂର୍ତ୍ତକ କଥା
{୧}
- ନିପଟ ମଫସଲର ବ୍ରାହ୍ମଣ ଝିଅ ସହ ଗରିବ ଅଜାତି ପୁଅର ପ୍ରେମ ହୋଇଗଲା ପରି , ରିଲେସନ୍ ଆମର ନୁହେଁ ମଂଥନ୍ !
- ହ୍ୱାର୍ଟ ?
- ହଁ ! ଏଇ ଟିସିଏସ୍ ରୁ ଆରମ୍ଭ ଆମ ଲଭ୍ ଷ୍ଟୋରି । ସମାନ ପ୍ରଫେସନ୍ ବୋଲି , ବେଶୀ ଆଗ୍ରହକୁ ଅସ୍ୱୀକାର କରିହେବନି । ଅସ୍ୱୀକାର ତ଼ ମୁଁ ଆମ ପ୍ରେମକୁ ବି କରୁନି । କିନ୍ତୁ ..
- କିନ୍ତୁ ?
- କିନ୍ତୁ ତୁମେ ମୋତେ ଟିସିଏସ୍ ଜବ୍ ଛାଡ଼ିବାକୁ କହିପାରୁଛ ??
- ବୁଝ ସାନା । ଲଭ୍ ଆଉ ମ୍ୟାରେଜ୍ , ଦୁଇଟା ଅଲଗା । ପ୍ରେମ ଦି'ଜଣକୁ ହୋଇଯାଏ । ବିବାହ ବେଳେ କିନ୍ତୁ ଆଉମାନେ ଯୋଡି ହୁଅନ୍ତି ଆସି। ତୁମେ ମୋ' ପସନ୍ଦ । ମୋ' ପସନ୍ଦରେ ଆମ ଘରଲୋକଙ୍କ ପସନ୍ଦ । କିନ୍ତୁ ଆବଶ୍ୟକ ନଥାଇ , ଅଯଥାରେ ଝିଅର ଚାକିରୀ କରିବାରେ ସମସ୍ତଙ୍କ ଅପସନ୍ଦ । ଢେର ଜବ୍ ତ କଲଣି । ଏଥର ବିଶ୍ରାମ ନିଅ । ସବୁଅଛି ଆମ ପାଖରେ । କେବଳ ସମୟ ନାହିଁ ଯାହା । ସୁଖସଂସାର , ପିଲାପିଲି ଆଦିକୁ ତ଼ ସମ୍ଭାଳି ବାକୁ ହେବ ତୁମକୁ ?
- କଣ କହିଲ ? ଅଯଥା ? ୟେ' କି ମେଣ୍ଟାଲିଟି ମଂଥନ୍ ? ବାହାଘର କଥା ଆସିଲେ ପୁଅ ମାନଙ୍କୁ ରେସ୍ପନ୍ସିବିଲିଟିଜ୍ ମନେପଡେ ! ସମୟପଡିଗଲେ , ଝିଅଟି କେବଳ ପିଲା ପାଳିବାର ମେସିନ୍ ପରି ଲାଗେ ସମସ୍ତଙ୍କୁ ?
ସେଇଟା ନାରୀର ଅସହାୟତା ନୁହଁ , ବରଂ ନାରୀ ପାଇଁ ପୁରୁଷଟେ' ବାପା ହେବାର ଅଧିକାରଟେ ପାଏ ବୋଲି ଭୂଲିଯାଉଛ କାହିଁକି ?
- ସାନା !!
- ଷ୍ଟପ୍ ମଂଥନ୍ ! କଣ୍ଡିସନାଲ୍ ପ୍ରେମ , ପ୍ରେମ ନୁହେଁ । ସମୟ ଆଉରି ନେଇ ଚିନ୍ତା କର ।
{୨}
ମାମା କୁହେ -
ପୁରୁଷ , ସବୁବେଳେ ଉପରେ ଚଢି ରହିବାର ମନୋବୃତ୍ତି ଟେ' ରଖିଥାଏ ।
ଇଛାହେଲେ ନଚାଇବ , ଇଛାହେଲେ ଶୁଆଇବ !
ପରଭୋଜୀ ବୋଲି ମନେକରିକରି ଅନେକ ନାରୀ ଅସହାୟ ହୋଇପଡନ୍ତି ।
ଏତିକି ଜାଣିଥା , ଭଗବାନ କେବଳ ନାରୀ କାନ୍ଧରେ ବଳ ଦେବାରେ ଟିକେ ଉଣା କରିଛନ୍ତି ଯାହା । କିନ୍ତୁ ମୁଣ୍ଡରେ ପ୍ରଖର ବୁଦ୍ଧି ଦେଇଥାନ୍ତି ।
ଖାଲି , ଅନ୍ଧାରରେ ନିଜକୁ ସମ୍ଭାଳିବା ଶିଖିନେ ! କାରଣ ଆଲୁଅକୁ ପୁରୁଷର ଭାରି ଭୟ ।
ମାମା ସବୁବେଳେ ଏଇପରି । ସେ ଅସ୍ୱୀକାର କରେ , ନାରୀ ପୁରୁଷର ତଳେ ବୋଲି ! ତା'କୁ ବି ସେ' ସେଇପରି ଗଢିଛି । ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ । ଡରିଯିବା କି ହାରିଯିବାକୁ ଘୃଣା ବେଶ୍ ମାମାର ।
ଦାମନଯୋଡି ପରି ରିମୋର୍ଟ୍ ଏରିଆରେ , ଏକୁଟିଆ ରହି ଶିକ୍ଷକତା ସାଙ୍ଗକୁ , ସାନାକୁ ବି ବଡକରିଛି ।
ବାବା ବାଲେଶ୍ବରରେ ତାଙ୍କ ଅଫିସ୍ କୁ ନେଇ । ମାମା କୁହେ -
- ଦୁନିଆଁଯାକର ସ୍ତ୍ରୀ ଚାହାଁନ୍ତି , ସ୍ୱାମୀ ପା�ଖରେ ରହିବାକୁ । କିନ୍ତୁ ଇଚ୍ଛା ତ ବାଧ୍ୟବାଧକତା ନୁହଁ ।
ସ୍ୱାମୀ ସ୍ତ୍ରୀ ଙ୍କର କର୍ମଭୂମି ଭିନ୍ନ ହେଲେ ପରିବାର ଭାଙ୍ଗିଯାଏ । ତା'କୁ ଚ୍ୟାଲେଞ୍ଜ ଖୁବ୍ କମ୍ ସ୍ତ୍ରୀ ଲୋକ କରିପାରନ୍ତି । ମାମା ନିଜକାମ ନିଜେ ବେଶ୍ କରିନିଏ । ବାବାଙ୍କୁ ଅପେକ୍ଷା କରେନି କେଉଁଥିରେ । ଏମିତିକି ସେ ବାବାଙ୍କୁ ଝୁରିହୁଏନି ବି । କୁହେ -
- ଯା'କୁ ବେଶି ମନେପକେଇବ , ସେ ଦିନେ ସେତେ ଦୁରେଇଯିବ !!!!
ଏଇପରି ଏକ ଦୃଢଶକ୍ତ ମହିଳାର ଝିଅ ସାନା । ମଂଥନ୍ ର ଚାକିରୀ ଛାଡିଦେବା ପ୍ରସ୍ତାବ ରେ ସେ ପ୍ରତିକ୍ରିୟାଶୀଳ ହୋଇଯିବା ସ୍ୱାଭାବିକ୍ କଥା ।
{୩}
- କ'ଣ ଚିନ୍ତାକଲ ? ଫୋନ୍ ବି ଆଉ କରୁନ ଯେ' ?
- ନାଇଁ ! ବିଜି ସିଡ୍ୟୁଲ୍ ଜାଣିଛ ।
- ଓକେ । ଟେକ୍ ୟୋର୍ ଟାଇମ୍ ମଂଥନ୍ । ଲଭ୍ ୟୁ
- ମିଁଠୁ ।
{୪}
ଛୁଟି ହେଲେ ବାବା ଚାଲିଆସନ୍ତି ଦାମନଯୋଡି । ସବୁକାମ ଛାଡ଼ି ମାମା ଆଗ ବାବାଙ୍କ କଥା ବୁଝେ । ସାନା ଘରେ ଥିଲାବେଳେ ଆଶ୍ଚର୍ଯ୍ୟ ହୁଏ !
ଇୟେ ସେଇ ମାମା , ଯେ ସବୁବେଳେ ଦାୟିତ୍ୱହୀନ କହି ବାବାଙ୍କୁ ଗାଳି କରୁଥାଏ ? ବେଳେବେଳେ ମାମା ସବୁକିଛି ବନ୍ଦବାନ୍ଦ୍ କରି , ସାନାକୁ ଧରି ଚାଲିଯାଏ ବାବାଙ୍କ ପାଖକୁ ।
ଏଇମିତି ଚାଲେ କର୍ମଜିବୀ ଜୀବନ । ଏଇସବୁ ଦେଖିଦାଖି ସାନା ଛୋଟରୁ ବଡ ହୋଇଛି ।
ମାମା ତା'ପ୍ରତି ଯେତେ ଆକଟ କରେ , ବାବା ସେତିକି କୋହଳ । ଭଲଲାଗନ୍ତି ବାବା ବେଶି । ହଷ୍ଟେଲ୍ ରେ ରହିବାପରେ , ବେଳେବେଳେ ଛୁଟିହେଲେ , ଏକୁଟିଆ ଚାଲିଯାଏ ସାନା । ବାବା ଖୁସିରେ ଦୁଇଘେରା ବୁଲିଯା'ନ୍ତି ତାକୁ ଦେଖି । ଏଇ ପିଲାଳିଆମି ଖୁବ୍ ଭଲଲାଗେ ତାକୁ । ଖୁବ୍ ପରିଶ୍ରମ କରି ସଜାଡିଦିଏ ସେ ତା' ଅସଜଡା ହୋଇପଡ଼ିଥିବା ବାବାଙ୍କୁ । ମାମା କହେ -
- ତୁମର ଏଇ ମାତ୍ରାଧିକ ଶ୍ରଦ୍ଧାରେ ବିଗିଡିଯିବ ଝିଅ ।
- ଝିଅ କିଏ ? ସେ ତ ମୋ' କଣ୍ଢେଇ । ବିଗୁଡୁ ଯେତେ । ସଜାଡି ଦେବିନି ।
- ପହିଲି ବାପ ତୁମେ , ଯେ ପିଲାର ବିଗିଡାପଣ ଦେଖି ଅଚିନ୍ତାରେ ଅଛ ।
- ହା ହା ! ତୁମେ କିନ୍ତୁ ଜଣେ ତଥାକଥିତ ମା' ଠାରୁ ଭିନ୍ନ କିଛି ପହିଲି ମା' ଟେ' ହେଇପାରିଲନି ।
ବାବାଙ୍କ ପାଖରେ ଥାଏ ସବୁ ସମସ୍ୟାର ସମାଧାନ । ଅଡୁଆରେ ପଡିଲେ ବାବା ଭାରି ମନେପଡ଼ନ୍ତି । ମଂଥନର ପ୍ରସ୍ତାବ କୁ ନେଇ ଢେର୍ ଅବସାଦ ଭିତରେ ରହୁଥିଲା ସାନା । ବାବାହିଁ କେବଳ ବତାଇବେ ସଫଳ ସରଳ ସମାଧାନ ।
{୫}
କ୍ରିସମାସ୍ ଛୁଟିରେ , ମାମାକୁ ବାଲେଶ୍ବର ଆସିବାକୁ କହି , ସିଧା ଟ୍ରେନ୍ ଧରିଲା ବାବାଙ୍କ ପାଖକୁ ସାନା । ସବୁଥର ପରି ବାବା ଘେରାଏ ନାଚିଗଲେ ଖୁସିରେ । ଯଦିଓ ଭଲପାଇବା କଥା କିଛି ମାମାକୁ ଜଣାଇଥିଲା , କିନ୍ତୁ ବାବାଙ୍କୁ କହିପାରିନଥିଲା ଆଗରୁ । ସଜଡ଼ା ସଜଡି କରୁକରୁ ରାତି ହେଲା । ଶୋଇଯାଇଥିଲା ସାନା ଥକ୍କା ହୋଇ ।
ମଝି ରାତିରେ ନିଦ ଭାଙ୍ଗିବାରୁ , ଦେଖିଲା ବାବା ବସିଛନ୍ତି ବାଲ୍କୋନୀରେ ।
- ବାବା ! ଏତେ ଥଣ୍ଡାରେ , ତୁମେ ଏଇଠି ??
- ଆଁଆଁ ! ହଁ ନିଦ ଆସୁନି ।
- ଦେହ କଣ ହେଲାକି ?
- ନାଇଁ
- ଆଉ ? ପାଣି ଦେବି ?
- ମନେପଡ଼ୁଛି ସେ ! ସେଇ ଦୂର ଆକାଶରେ ଖୋଜୁଛି ତା'କୁ ।
- କିଏ ? କାହାକୁ ?
- ତୋ' ମାମାକୁ । ବ୍ୟସ୍ତ ହେନା । ୟେ' ମୋର ସବୁଦିନିଆ ବଦଭ୍ୟାସ । ମୁଁ ଶୋଇପାରେନି । ତା'ର ଏଇ ଅଲଗା ରହିବାଟା ମୋତେ କେମିତି ଅଭିଶପ୍ତ କରିପକାଇଛି ।
- କହୁନ ମାମାକୁ ଚାକିରୀ ଛାଡି ଆସିଯିବ ଏଠାକୁ ?
- ହଁ ହଁ ! ଏଇଥର ନିଶ୍ଚୟ କହିବି । ତୁ ଯା' ଶୋଇପଡ ଏଥର ।
ଚୁରମାର୍ ହୋଇସାରିଥିଲା ସାନା ଭିତରର ନିଜ ପରିବାରକୁ ନେଇ ଦମ୍ଭସବୁ । ନାରୀନୁହେଁ , ପୁରୁଷ ର ଥାଏ ବେଶି ଅଭାବବୋଧ !!!
{୬}
- ମଂଥନ୍ ! ହ୍ୟାଲୋ ! ଶୋଇଗଲଣି କି ନିଦରେ ?
- ସାନା ! ଏତେ ରାତିରେ ? ଘରେ ଭଲତ ?
- ହଁଅଁଅଁ ମଂଥନ୍ ! ମୁଁ କିନ୍ତୁ ଭଲନାହିଁ ।
- ହ୍ୱାର୍ଟ ?
- ଆଇଏମ୍ ଗୋଇଂ ଟୁ କୁଇଟ୍ !
- ହ୍ୱାର୍ଟ ?
- ହଁଅଁଅଁ ମୁଁ ଜବ୍ ଛାଡିଦେବି । ତୁମେ ଘରେ କହିଦିଅ ।
- ହ୍ୱାର୍ଟ ?
- ହଁଅଁଅଁ ପ୍ରେମରେ ମୁହୂର୍ତ୍ତ ଟେ' ବି ଗୁରୁତ୍ବପୂର୍ଣ୍ଣ । ମୁଁ ମୁହୂର୍ତ୍ତକ ପାଇଁ ତୁମଠୁଁ ଅଲଗା ହୋଇପାରିବିନି ମଂଥନ୍ ।
- ହ୍ୱାର୍ଟ ?? ସାନା ! ହ୍ୟାଲୋ ! ହ୍ୟାଲୋ ସାନା .....
ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର