Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Tragedy

3  

Kamala Satpathy

Tragedy

ଦନେଇ ଅଜା

ଦନେଇ ଅଜା

9 mins
14.2K


ଅତୀତର କିଛି ପୃଷ୍ଠାକୁ ଓଲଟେଇ ଦେଇ ଯେତେବେଳେ ପୁଣି ଥରେ ତାକୁ ପଢିବାକୁ ଚେଷ୍ଟାକରେ, ସେତେବେଳେ ଆଖ ଆଗରେ ଧାଡି ବାନ୍ଧି ଆସି ଠିଆ ହୋଇଯାନ୍ତି କେତେ କେତେ ଚରିତ୍ର ସବୁ , ଯାହାଙ୍କୁ ଚରିତ୍ର ରୂପରେ ସଜାଡି ଦେଲେ ଅନେକ ଉପନ୍ୟାସ ରଚନା ହୋଇଯିବ ! ସେଇ ସବୁ ଚରିତ୍ରମାନଙ୍କର ନିଆରାପଣ ତାଙ୍କୁ ଅନ୍ୟମାନଙ୍କ ପାଖରୁ ଭିନ୍ନ କରି ଗଢି ତୋଳିଥାଏ । ସେମାନଙ୍କ ଜୀବନର ଉଦ୍ଦେଶ୍ୟ କ’ଣ .. ଅର୍ଥ କ’ଣ .. କିଛି ବୁଝି ହୁଏନା, ତଥାପି ସେମାନେ ସବୁ ସେତେବେଳର ଥିଲେ ଜଣେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ନିଶ୍ଚୟ । ସେମାନଙ୍କୁ ମୁହାଁମୁହିଁ ହେବାର ସୁଯୋଗ ମିଳିବା ସମୟରେ, ସେମାନେ ମତେ କେବେ କୌଣସି ପ୍ରକାରରେ ଆନ୍ଦୋଳିତ କରି ପକେଇଥିବାର କଥା ମୋର ଆଦୌ ମନେ ପଡୁନାହିଁ, ବରଂ କେତେ ଜଣଙ୍କୁ ମନେ ମନେ ସେତେବେଳେ ମୁଁ ବିରକ୍ତ ବି ହେଉଥିଲି ।

କିନ୍ତୁ ଏବେ ବୟସର ଅପରାହ୍ନରେ ସେମାନଙ୍କ କଥା ଚିନ୍ତା କଲା ବେଳକୁ ଲାଗୁଛି, ସତରେ ଉପରକୁ ଯାହା ଦେଖା ଯାଇଥାଏ, ମଣିଷ ପ୍ରକୃତରେ ସେଇଆ ନୁହେଁ । ତା’ ଭିତରେ ଭରି ରହିଥାଏ କେତେ ଅଭାବ .. କେତେ ଅସୁବିଧା, ଯାହା କେବଳ ସେ ନିଜେ ହିଁ ଜାଣିଥାଏ । ନିଜର ସେହି ଅଭାବ ଆଉ ଅସୁବିଧା ଭିତରେ ବଞ୍ଚିବାକୁ କରୁଥିବା ଆପ୍ରାଣ ଚେଷ୍ଟା ଭିତରେ, କେବେ କେବେ ମଣିଷଟି ଯେ କେତେ ଦୟନୀୟ ଅବସ୍ଥା ଭିତରକୁ ଚାଲି ଯାଇଥାଏ, ତାହା ଦେଖିବାକୁ ଆବଶ୍ୟକ ଥାଏ ଏକ ସମ୍ୱେଦନଶୀଳ ହୃଦୟ, ଯାହାକୁ କେବଳ ବୟସ ହି ଆଣି ଦେଇପାରେ !

ଏହି ସବୁ ଚରିତ୍ରମାନେ ହୁଏତ ମୋ ଅଜାଣତରେ ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷରେ ମୋ ବ୍ୟକ୍ତିତ୍ୱର ବିକାଶରେ ଯୋଗଦାନ ଦେଇଥିବେ । ଆଜି ସେମାନଙ୍କ ଭିତରୁ ଅନେକଙ୍କ କଥା ଭାବି ବସିଲେ ମତେ ଦୁଃଖ ଲାଗେ ତ, ଆଉ କେତେକଙ୍କ କଥା ଭାବିଲେ ହସ ଲାଗେ । କୋଉ ମଣିଷର ଦେଖିଥିବା ଜୀବନ ବ୍ୟାପି ଅସହାୟତା ପାଇଁ କେବେ କେବେ ମନ ବିଦ୍ରୋହ ବି କରିଉଠେ । ଏମିତି କେତେ ସବୁ ଚରିତ୍ରମାନଙ୍କ ଭିତରୁ ଦନେଇ ଅଜା ଥିଲେ ଏକ ଅଦ୍ଭୁତ ଚରିତ୍ର । ଅଦ୍ଭୁତ ଏଇ ଦୃଷ୍ଟିରୁ କହିବି ଯେ ତାଙ୍କ କାର୍ଯ୍ୟକଳାପ ସବୁ ସାଧାରଣ ଲୋକଙ୍କ ପରି ହେଇକି ବି, ଅସାଧାରଣ ଥିଲା ! ଅଦ୍ଭୁତ ଥିଲା ତାଙ୍କର ଝୁଙ୍କ, ଆଉ ଅଦ୍ଭୁତ ଥିଲା ତାଙ୍କ ଆଚରଣ ! ସେଇ ଦିନମାନଙ୍କରେ ତାଙ୍କର ସେ ବଡପାଟିରେ କରୁଥିବା ଗାଳିଗୁଲଜ ଦେଖି ଯେତିକି ଭୟ ଲାଗୁଥିଲା, ସବୁକଥାରେ ତାଙ୍କର ମାମଲତକାରିଆପଣ ଦେଖି ରାଗ ବି ମାଡୁଥିଲା । ଲୋକମାନଙ୍କୁ ଜାଣିଶୁଣି ହଇରାଣ କରିବା ଯେ ତାଙ୍କର ଥିଲା ଗୋଟିଏ ନିଶା, ଏଥିରେ କାହାରି ସନ୍ଦେହ ନଥିଲା ।

କିନ୍ତୁ ଏବେ ଭାବିଲା ବେଳକୁ ଲାଗୁଛି, ବାସ୍ତବରେ କେତେ ଅସହାୟ ଥିଲା ସେହି ବ୍ୟକ୍ତିତ୍ୱ, ଯିଏ ଜୀବନଟିକୁ ଖାଲି ସମସ୍ତଙ୍କୁ ସନ୍ଦେହ କରିବାରେ ହିଁ ଶେଷ କରିଦେଲା !

ଛୋଟ ବେଳେ ଖରାଛୁଟି ପାଇଁ ସ୍କୁଲ୍ ବନ୍ଦ ହେଇଗଲା ପରେ ଯେତେବେଳେ ଗାଁକୁ ଆମେ ବୁଲିବାକୁ ଯାଉ, ଗାଁ ଆରମ୍ଭର ପ୍ରଥମ ଘରଟା ପଡ଼େ ସେଇ ଦନେଇ ଅଜାଙ୍କର । ସେ କେବଳ ଆମର ଅଜା ନଥିଲେ, ସେ ଥିଲେ ଗାଁ ସାରା ଛୋଟବଡ ସମସ୍ତଙ୍କର ଅଜା । ତାଙ୍କୁ କାହିଁକି ସମସ୍ତେ ଅଜା ବୋଲି ଡାକୁଛନ୍ତି, ସେକଥା ବୋଉକୁ କେବେ ମୁଁ ପଚାରି ନାହିଁ । ସମସ୍ତେ ଡାକୁଛନ୍ତି, ତେଣୁ ଆମେ ବି ଡାକୁ । ଏପରିକି ନନା ବୋଉ ବି ତାଙ୍କୁ ଅଜା ବୋଲି ହି ଡାକନ୍ତି ।

ଯେତେବେଳେ, ଯୋଉ ସମୟରେ ଗଲେ ବି ନିଜ ଉଚ୍ଚ ବାରଣ୍ଡାରେ ବସି ରାମାୟଣ କି ଭାଗବତ ଧରି ବଡ ପାଟିରେ ପଢୁଥିବାର ଆମେ ତାଙ୍କୁ ଦେଖୁ । ସେଇ ପଢୁଥିବା ଭିତରେ କାହାକୁ ପଦେ ଦି’ ପଦ ଶୋଧା ଚାଲିଥିବ ତ, କାହାକୁ କାମର ବରାଦ ବି ହଉଥିବ .. କାହା ସହିତ ଯୁକ୍ତିତର୍କ ରାଗରୂଷା ହେବାଟା ତ ଏକଦମ୍ ସାଧାରଣ କଥା ! ସେସବୁ ଭିତରେ କିନ୍ତୁ ପୃଷ୍ଠା ଓଲଟା ଚାଲିଥିବ .. ରାମ ବନବାସ ପାଇଁ ଲୁହ ପୋଛା ହେଉଥିବ .. କୈକେୟୀର ଚକ୍ରାନ୍ତ ପାଇଁ ମୁହଁ କଠୋର ଦିଶୁଥିବ .. ସବୁକିଛି ଚାଲିଥିବ ଅବିଶ୍ରାନ୍ତ ଭାବେ .. ନିୟତ ସମୟ ସୀମା ଭିତରେ।

ଆମକୁ ଦେଖୁ ଦେଖୁ ପୁରାଣ ପଢା ଛାଡି, ଖୁସିରେ ଆଈକୁ ଡାକଟାଏ ମାରିଦେଇ ବାରଣ୍ଡାରୁ ଓହ୍ଲେଇ ପଡି ଆମର ଭଲମନ୍ଦ ବହେ ପଚାରି ଦେବେ । ବୋଉର ହାନିଲାଭ ସବୁ ବୁଝିଦେବେ । ବିନା ମତଲବରେ ଦୁଇ ଚାରିଟା ଉପଦେଶ ଦେଇଦେବେ । ଆଉ, ତିନି ଚାରି ଜଣଙ୍କ ନାଁରେ ଆଗରୁ ଗୁଡେ ଅଭିଯୋଗ ନିଶ୍ଚୟ ତୟାର ରଖିଥିବେ, ଯାହା ବୋଉକୁ ଦେଖୁ ଦେଖୁ ତାଙ୍କ ପାଟିରୁ ଗୋଟାକ ପରେ ଗୋଟେ ଆପଣାଛାଏଁ ଝରିଆସେ । ଯେପରିକି – ଶଙ୍କରା ତୋ’ ବାଡିରୁ ନଡିଆ ବାହୁଙ୍ଗା ନେଇ ଯାଇଥିଲା । ରଘୁଆ ତୋ’ ପୋଖରୀରୁ ରାତି ଅଧରେ ମାଛ ମାରି ନେଇଯାଇଛି । ହେମକୁ କହିଥିଲି ତୋ’ ଘରଦ୍ବାର ସଫା କରିଦେବାକୁ .. ଥରେ ବି ଆସନି କି କିଛି କାମ କରିନି । ମୋଟରୁ ପଇସା ଦବୁନି ତାକୁ । ଭାରି ମୁହଁ ବଢାଣ ହେଇଗଲାଣି ତା’ର । ଆଉ ଏସବୁ ତୋରି ପାଇଁ ହି ହେଉଛି .. ।

ଏମିତି ଏମିତି କେତେ କଥା ! ଶେଷକୁ ଆକଟ କରି କହିବେ, “ସହରରେ ରହି ସହରୀ ହେଇଗଲଣି ! ଭିଟାମାଟିରେ ତେଣେ ପଛେ ବିଲୁଆ ଡେଉଁଥାଉ, କାହାର କ’ଣ କିଛି ଚିନ୍ତା ଅଛି ? ଏସବୁ କାହାର ଦାୟିତ୍ୱ ? କିଏ ବୁଝିବ ଏସବୁ ? କେତେ କଷ୍ଟରେ, ସାରା ଜୀବନ ଲାଗି ଲାଗି ମଣିଷ ଏସବୁ ଯୋଗାଡ କରିଥାଏ – କ’ଣ ଭୂତ ଖୁଆଇବାକୁ ? ଜାଣିଛୁ .. ଖାଲି ଡିହରେ ବିଲୁଆ ଡେଇଁଲେ ମଣିଷକୁ ମୁକ୍ତି ମିଳେନା .. ତା’ର ଆତ୍ମା ଏଇ ମୃତ୍ୟୁଲୋକରେ ହି ଘୂରି ବୁଲେ ଅନନ୍ତ କାଳ ଯାଏଁ ..!”

ବୋଉ କିଛି ନକହି ସବୁ ଶୁଣିଚାଲେ, ତା’ପରେ ଅଳ୍ପ ହସିଦେଇ ଚୁପଚାପ୍ ଚାଲିଯାଏ ବିନା ପ୍ରତିକ୍ରିୟା ଦେଖେଇ। ଆମକୁ ଭାରି ବିରକ୍ତ ଲାଗେ ସେଠି ଠିଆ ହେଇ ହେଇ । ଷ୍ଟେସନ୍ରୁ ଚାଲି ଚାଲି ଆସିବାର କଷ୍ଟ ସାଙ୍ଗକୁ ଦନେଇ ଅଜାଙ୍କ ଅସରନ୍ତି ବିରକ୍ତିଆ କଥା ସବୁ ଶୁଣିବାକୁ ପଡୁଥିବାରୁ ରାଗରେ ଦାନ୍ତ କଡମଡ କରି ଆମେ ଖାଲି ବୋଉ ଆଡକୁ ଚାହୁଁଥାଉ । ଇଚ୍ଛା ହୁଏ ବୋଉକୁ ସେଇଠି ଛାଡିଦେଇ ପୁଣି କଟକ ଫେରି ଚାଲିଯିବାକୁ ।

ଅଜା ଆଉ ବୋଉର ସଂପର୍କର ହେତୁ କ’ଣ, ଆମେ ଜାଣୁନା । କିନ୍ତୁ ବୋଉ ତାଙ୍କୁ ଖୁବ୍ ବିଶ୍ୱାସ କରେ, ଆଉ ସେ ବି କରନ୍ତି ବୋଉକୁ । ଅବଶ୍ୟ କାହିଁକି ଏତେ ମାନସମ୍ମାନ ଦେଇ ତାଙ୍କ କଥାକୁ ବୋଉ ଶୁଣିଯାଏ, ସେକଥା ଆମେ କେବେ ବୁଝି ପାରୁନା, କିନ୍ତୁ ଦନେଇ ଅଜାଙ୍କୁ ଦେଖିଲା ମାତ୍ରେ ହି ଆମକୁ ଭାରି ଚିଡିଲାଗେ । ଆଉ ସବୁଠାର ବଡ ବିଡମ୍ୱନା ଏଇଆ ଥିଲା ଯେ ସେ ହିଁ ପ୍ରଥମ ବ୍ୟକ୍ତି ହେଇଥାନ୍ତି, ଗାଁରେ ପଶୁ ପଶୁ ଆମର ସ୍ୱାଗତ କରିବାକୁ, ଆଉ ସିଏ ହିଁ ହେଇଥାନ୍ତି ଶେଷ ବ୍ୟକ୍ତି, ଯିଏ ଫେରନ୍ତି ସମୟରେ ଆମ ପଛେ ପଛେ ଅନେକ ବାଟ ଯାଏ ଚାଲି ଚାଲି ଆସନ୍ତି ଆମକୁ ବାଟେଇ ଦେବାକୁ । ଆଈ ଦେଇଥିବା ବଡି, ମୁଢି, ଖଇ, ମୁଆଁ, ଚୁଡା, ସରୁ ଚାଉଳ, ସବୁ ନିଜ କାନ୍ଧରେ ବୋହି ବୋହି ଆଣନ୍ତି, ବାରମ୍ୱାର ନାହିଁ କରିବା ସତ୍ତ୍ୱେ ବି ।

ଆମ ଗାଁ ଘରର ଚାବି ତାଙ୍କରି ପାଖରେ ରୁହେ । କେତେ ଥର ବୋଉ କାହା କାହା ଆଗରେ କହୁଥିବାର ମୁଁ ଶୁଣିଛି ଯେ ଦନେଇ ଅଜାଙ୍କ ପରି ସଚ୍ଚୋଟ ବ୍ୟକ୍ତି ଏ ଯୁଗରେ ବିରଳ । ତାଙ୍କ ପାଟିଟା ସିନା ଖରାପ, କିନ୍ତୁ ହୃଦୟ ପୂରା ନିର୍ମଳ । ବର୍ଷ ବର୍ଷ ଧରି ତାଙ୍କରି ଦାୟିତ୍ୱରେ ଆମ ଘରଦୁଆର ରହିଛି, ହେଲେ ଭୁଲ୍ ରେ ପତ୍ରଟିଏ ବି ଏକଡ ସେକଡ ହେବାର କି କୌଣସି ଦଗାବାଜିର ଅଭିଯୋଗ ବୋଉ କେବେ କାହାକୁ କରିଥିବାର, ଜମା ଶୁଣାଯାଇନି । ସେ ଦୃଷ୍ଟିରୁ ଅଜାଙ୍କୁ ଖୁବ୍ ବେଶି ପ୍ରଶଂସା କରାଯାଇ ହେବ ।

ସେଇ ଅଜାଙ୍କୁ କିନ୍ତୁ ପୂରା ଗାଁର ଲୋକମାନେ ଚିଡିଚିଡି ହେଉଥିବାର, ରାଗିବାର, ମୁଁ ଦେଖିଛି, ଶୁଣିଛି । ତାଙ୍କ ନାଁରେ ପଛରେ ଲୋକମାନେ ଥୁ ଥୁ ବି କରନ୍ତି । ପ୍ରକୃତିଛଡା ମଣିଷ କହି, ତାଙ୍କ ନାଁରେ ଲେଣ୍ଡାଏ ଛେପ ଛାଟି ଦିଅନ୍ତି ! କିନ୍ତୁ ସେଥିରେ କାହା ଉପରେ ଅବା ଫରକ ପଡିଥାଏ ! ଅଜା ଯେମିତି ଥିଲେ, ସେମିତି ରହି ଯାଇଥିଲେ ଚିରଦିନ, ଗୋଠଖଣ୍ଡିଆ, କଳିହୁଡିଆ, ଆଉ ସମସ୍ତଙ୍କୁ ଅବିଶ୍ବାସ କରୁଥିବା ମଣିଷଟିଏ ହେଇ ।

ଆଈ ହିଁ ସମସ୍ତଙ୍କ ସହିତ ସଂପର୍କ ବଞ୍ଚେଇ ରଖିଥିଲା ଯାହା ! ନହେଲେ ନିତିଦିନ କାହାରି ନା କାହାରି ସାଙ୍ଗରେ ଅଜାଙ୍କର କଳି ତକରାଳ, ମାଡ ଫୌଜଦାରୀ ହେବାର ଘଟଣା ପୂରା ଗାଁ ଦେଖୁଥାଏ । ସବୁବେଳେ ସେ କାହିଁକି ସମସ୍ତଙ୍କୁ ଏମିତି ଗାଳି ଗୁଲଜ କରୁଛନ୍ତି ବୋଲି ଦିନେ ବୋଉକୁ ପଚାରି ଦେଇଥିଲି ବିରକ୍ତିଆ ସ୍ବରରେ । ବୋଉ ଯାହା ଉତ୍ତର ଦେଇଥିଲା, ସେ କଥାର ମହତ୍ତ୍ବକୁ ସେତେବେଳେ ସିନା ମୁଁ ବୁଝି ପାରିନଥିଲି, ହେଲେ ଏଇଲେ ଜାଣୁଛି କେତେ କେତେ ଅଭାବ ଭରି ରହିଥିଲା ତାଙ୍କ ମନରେ ! କେତେ କୁଣ୍ଠା ଭିତରେ ବତୁରି ବତୁରି ଜୀବନ ଜିଉଁଥିଲେ ସେ !

ବୋଉର ଜାଣିବାରେ ଅଜାଙ୍କର ସବୁଠାରୁ ବଡ କୁଣ୍ଠା ଥିଲା ନିସନ୍ତାନ ହେବା ! ତାଙ୍କର ଥିଲା ଅଚଳାଚଳ ସମ୍ପତ୍ତି । ତେବେ ତାଙ୍କ ପରେ ସେସବୁ କିଏ ସମ୍ଭାଳିବ .. କିଏ ଭୋଗ କରିବ .. କାହାର ଭରସାରେ ଶେଷ ନିଶ୍ବାସ ତ୍ୟାଗ କରିବେ ସେ ? ଏତେ ସବୁ ଚିନ୍ତା ଭିତରେ ଦିନ ଦିନ ରାତି ରାତି ସନ୍ତୁଳି ହେଲା ବେଳକୁ, ଗାଁ ଲୋକ ଓର ଉଣ୍ଡୁଥିଲେ ତାଙ୍କୁ ଠକିଦେଇ ସବୁକିଛି ହାତେଇ ନେବାକୁ ! ସତରେ ସେମାନେ ଚାହୁଁଥିଲେ, ଅବା ସେସବୁ ଥିଲା ଅଜାଙ୍କ ମନର ବିକାର, ସେକଥା କେବଳ ଭଗବାନଙ୍କୁ ହି ଜଣାଥିଲା । କିନ୍ତୁ ଏକଥା ସତ ଯେ ଏଇ ବିକାରର ପ୍ରଭାବରେ ଅଜା ଦିନକୁ ଦିନ ଅତି ମାତ୍ରାରେ ସନ୍ଦେହୀ ହୋଇ ପଡିଥିଲେ ।

ସନ୍ଦେହୀ ହେବାର ଆଉ ଏକ କାରଣ ଥିଲା ତାଙ୍କ ରୂପ, ଆଉ ଆଈର ରୂପ ଭିତରେ ଥିବା ଆକାଶ ପାତାଳ ପ୍ରଭେଦ ! ଅଜା ଦେଖିବାକୁ ନିହାତି କୁରୂପ ଥିଲା ବେଳେ, ଆଈ ଥିଲା ଦଶ ଖଣ୍ଡ ଗାଁର ସବୁଠୁ ସୁନ୍ଦରୀ ସ୍ତ୍ରୀଲୋକ। ସାରା ଜୀବନ ସେଇ କଥା ଉପରେ ଲୋକମାନେ ତାଙ୍କୁ ଟାହିଟାପରା କରୁଥିଲେ । ମାଙ୍କଡ ହାତରେ ଶାଳଗ୍ରାମ କହି ଚିଡୋଉଥିଲେ । ସେସବୁ ଶୁଣି ଶୁଣି ମନରେ କୁଣ୍ଠା ଘର କରିଯାଇଥିଲା । ତା’ ସହିତ ଅବିଶ୍ବାସ ବି । ଯେ କେହି ବି ତାଙ୍କ ସାମନାକୁ ଆସି ତାଙ୍କୁ ଦେଖି ହସି ଦଉଥିଲା ତ, ଚଟ୍ କରି ତାଙ୍କର ସନ୍ଦେହ ବଢି ଯାଉଥିଲା । ତାଙ୍କୁ ଲାଗୁଥିଲା ଏ ଲୋକଟା ମତେ ଗୁଣି ଗାରେଡି କରି ମାରିଦେଇ ମୋ ସୁନ୍ଦରୀ ସ୍ତ୍ରୀକୁ ବଶ କରିନେବା ସହିତ ସବୁ ସମ୍ପତ୍ତିର ମାଲିକ ହେଇଯିବ !

କେବେ କେବେ ତ ନିଜ ସ୍ତ୍ରୀ ଉପରେ ବି ତାଙ୍କର ସନ୍ଦେହ ଆସେ .. ଅନ୍ୟ କାହା ସହିତ ହସି ହସି ସେ କଥା କହିଲେ ତାଙ୍କୁ ଅସହଣୀୟ ଲାଗେ । ସାରା ଦୁନିଆକୁ ଗାଳିମନ୍ଦ କରୁଥିବା ଅଜା କିନ୍ତୁ ଆଈ ଆଗରେ ପାଟି ବି ଫିଟେଇ ପାରନ୍ତିନି । ବୋଉ କହିବାନୁସାରେ ଆଈକୁ ଅତି ମାତ୍ରାରେ ଭଲ ପାଉଥିଲେ ସେ । କିନ୍ତୁ ଏକଥା ବି ସତ ଯେ ଆଈକୁ ମୁହୂର୍ତ୍ତକ ପାଇଁ ବି ଆଖି ଆଗରୁ ଦୂରୋଉ ନଥିଲେ, ସେଇଟା ଥିଲା ତାଙ୍କର ଭଲ ପାଇବା, ଅବା ସନ୍ଦେହ, ସେ ହିଁ ଜାଣିଥିବେ । କେଜାଣି କି ପ୍ରକାରର ଭୟ ଥାଏ ତାଙ୍କ ମନରେ, ଯୋଉଥିପାଇଁ ନିଜ ଘରର ଆଖପାଖକୁ ବି କାହାକୁ ଆସିବାକୁ ଦିଅନ୍ତିନି କି ଆଈକୁ ବି କୋଉଠିକୁ ପଠାନ୍ତିନି । ଏକଦମ୍ ଜେଲଖାନାରେ ବନ୍ଦୀ ଥିବା ପରି ଜୀବନଟିଏ ବଞ୍ଚୁଥିଲା ଆଈ ।

ପିଲାଛୁଆ ଥିଲେ ଅଜା ଏତେ ବେଶି ନକାରାତ୍ମକ ପରିବେଶ ନିଜ ଚତୁଃପାର୍ଶ୍ୱରେ ନିଶ୍ଚୟ ଗଢିନଥାନ୍ତେ ବୋଲି ମନେକରି ନନାବୋଉ ବହୁତ ଥର ତାଙ୍କୁ ପରାମର୍ଶ ଦେଇଥିଲେ ପୋଷ୍ୟପୁତ୍ରଟିଏ ଗ୍ରହଣ କରିନେବାକୁ । କମ୍ ସେ କମ୍ ତାଙ୍କ ପରେ କେହି ତ ଦାୟୀତ୍ୱ ମୁଣ୍ଡେଇ ପାରିବ ଏସବୁର ! ତା’ ସହିତ ଏକୁଟିଆ ଜୀବନରେ କିଛି ତ ସନ୍ତୋଷ ଆସିବ .. ସେମାନଙ୍କ ପରେ ସମ୍ପତ୍ତିର କ’ଣ ହେବ ବୋଲି ଭୟ ବି ରହିବନି ।

ସେ କିନ୍ତୁ କେବେ ସେ ବିଷୟରେ ଆଗ୍ରହ ଦେଖୋଉ ନଥିଲେ । ସବୁବେଳେ ଅଜଣା, ଅସ୍ତିତ୍ୱହୀନ ଭୟ ଭିତରେ ଘାରି ହେଉଥିଲେ । ମନରେ ଦୃଢ ବିଶ୍ୱାସଟିଏ ହାତଗୋଡ ମେଲେଇ ସାରିଥିଲା ଯେ ପୋଷ୍ୟପୁତ୍ର କଲେ ଦିନେ ସେ ତାଙ୍କୁ ମାରିଦେଇ ସବୁକିଛି ହାତେଇ ନେବ .. ଆଈକୁ ବି ଛାଡିବ ନାହିଁ ।

ତାଙ୍କର ଏସବୁ ଅଦ୍ଭୁତ ଖିଆଲକୁ ଲୋକମାନେ କେବେ ଦୂର କରିବାର ଚେଷ୍ଟା କରିନଥିଲେ, ବରଂ ସେଥିରେ ଲଙ୍କାଲୁଣ ପକେଇ ଆହୁରି ବଢେଇ ଚାଲିଥିଲେ । ସେସବୁ ଶୁଣି ଶୁଣି କୁଣ୍ଠା ଯାହା ବଢିବା କଥା ତ ବଢୁଥିଲା, ପୂରା ଗାଁକୁ ସନ୍ଦେହ ଚକ୍ଷୁରେ ସେ ଦେଖୁଥିଲେ ବି । କେଜାଣି କ’ଣ ପାଇଁ, ବୋଉ ଉପରେ ତାଙ୍କର ଅଗାଧ ବିଶ୍ୱାସ ରହିଥିଲା । ସବୁ କଥା ବୋଉ ଆଗରେ କହି ଦଉଥିଲେ ନିଶ୍ଚିନ୍ତରେ । ଆମେ ଚିଡିଲେ ବି ବୋଉ ବଡ ଧୈର୍ଯ୍ୟ ସହକାରେ ତାଙ୍କର ସବୁକଥା ଶୁଣେ । ସେ ବିଷଯରେ କେବେ କଥା ଉଠିଲେ ବୋଉ କୁହେ, “ତୁମେ କ’ଣ ଜାଣିବ, ମଣିଷ ମନର ଅଭାବ ଅସୁବିଧାକୁ ! କେହି କ’ଣ ଜାଣିଶୁଣି ଏପରି ହୋଇଥାଏ ? ପରିସ୍ଥିତି ହି ସବୁକିଛି କରେଇଦିଏ ।“

କିନ୍ତୁ କ’ଣ ହେଇଥିବ ସେ ପରିସ୍ଥିତି, ଆମେ କେବେ ଚିନ୍ତା ବି କରି ପାରୁନଥିଲୁ ! ଗାଁର ଅନ୍ୟ ଲୋକେ ବି ବୁଝିନଥିଲେ, ଆଉ ସବୁବେଳେ ତାଙ୍କୁ ଚିଡେଇବାରେ ଆନନ୍ଦ ପାଉଥିଲେ। ସେଇଥିପାଇଁ ବୋଧେ ଅଜାଙ୍କୁ ସବୁବେଳେ ଲାଗେ ଏ ସଂସାରରେ କେବଳ ବୋଉ ହିଁ ତାଙ୍କ ଅନ୍ତରର ଦୁଃଖକୁ ଭଲ ଭାବରେ ବୁଝିପାରେ । ..

ମନ ଭିତରର ସବୁ ଦୁଃଖ, ସବୁ ଅଭିମାନକୁ ମନରେ ମାରି ଦନେଇ ଅଜା କେବେ ଠାରୁ ଏ ଇହଧାମ ଛାଡି ଚାଲି ଗଲେଣି । ସେ ଯିବାର ଅନେକ ବର୍ଷ ପୂର୍ବରୁ ଆଈ ଚାଲି ଯାଇଥିଲା । ଶେଷ ଜୀବନଟା ବଡ କଷ୍ଟରେ ବିତିଥିଲା ତାଙ୍କର ବୋଲି, ଅନେକ ସମୟରେ ବୋଉ ମନଦୁଃଖ କରି କୁହେ । ଶେଷ ପର୍ଯ୍ୟନ୍ତ ତାଙ୍କୁ କେହି ବି ବୁଝିପାରିଲେ ନାହିଁ ବୋଲି ତା’ ମନରେ ଥିଲା ମରୁଭୂମିଏ ଅବସୋସ !

ସେ ବି ନିଜ ଦୁଃଖକୁ ସର୍ବସାଧାରଣ କରେଇ ପାରିଲେନି । ମିଛୁଟାରେ ଗୋଟେ ସାଧାରଣ ଦୁଃଖକୁ ପାଣି, ଆଲୁଅ, ଖତ ଦେଇ ବଢେଇ ବଢେଇ ଚାଲିଗଲେ। ହେଲେ ଆଜି ବି ମନକୁ ପ୍ରଶ୍ନଟେ ଆସେ – ପ୍ରକୃତରେ କୋଉଟା ଥିଲା ତାଙ୍କ ଅସଲ ଦୁଃଖ ! ନିସନ୍ତାନ ହେବା ଫଳରେ ତାଙ୍କର କୋଳ ଶୂନ୍ୟ ହେଇ ରହିଯିବାଟା, ନା ବାଟି ବାଟି ସମ୍ପତ୍ତିକୁ ଜଣେ ଉତ୍ତରାଧକାରୀ ନଦେଇ ପାରିବାଟା ! କେଜାଣି କ’ଣ ଥଲା ସେ ଦୁଃଖର ଅସଲ କାରଣ !!

ବହୁତ ବର୍ଷ ପରେ ଏବେ ଥରେ ଗାଁକୁ ଯିବାର ସୁଯୋଗ ମିଳିଲା । ଗାଁରେ ପଶୁ ପଶୁ ଆଖିରେ ପଡିଗଲା ଦନେଇ ଅଜାଙ୍କ ବିରାଟ ବାରଣ୍ଡା ଆଉ ଭଙ୍ଗାରୁଜା ଘର । ହୃଦୟଟା ଭାରି ଭାରି ଲାଗିଲା । ଦୀର୍ଘ ବର୍ଷ ତଳେ ସେ କହିଥବା କଥା ପଦକ ରହି ରହି କାନରେ ମୋର ପ୍ରତିଧ୍ବନିତ ହେବାକୁ ଲାଗିଲା – “ଭିଟାମାଟିରେ ପଛେ ବିଲୁଆ ଡେଉଁଥାଉ, କିଏ ଚିନ୍ତା କରୁଛି ନା କାହାର ଦାଯିତ୍ବ ଅଛି ! ....ଖାଲି ଡିହରେ ବିଲୁଆ ଡେଇଁଲେ ମଣିଷକୁ ମୁକ୍ତି ମିଳେନା .. ତା’ର ଆତ୍ମା ଏଇ ମୃତ୍ୟୁଲୋକରେ ହି ଘୂରି ବୁଲେ ଅନନ୍ତ କାଳ ଯାଏଁ ..!”

ହଠାତ୍ ମତେ ଲାଗିଲା ଦନେଇ ଅଜାଙ୍କ ଦୁଃଖ ଜାଣିପାରିଛି ମୁଁ। ପ୍ରକୃତରେ ଯୋଉ ଘରଦୁଆରକୁ ସାଇତା ସମ୍ଭାଳିବାରେ ପୂରା ଜୀବନଟାକୁ ସେ ବିତେଇ ଦେଇଥଲେ, ତାଙ୍କ ଅବର୍ତ୍ତମାନରେ ଦିନେ କେତେ ଯେ ଶ୍ରୀହୀନ ହେଇପଡିବ ସେଇ ଘର, ସେହି ଦୃଶ୍ୟକୁ ସେତେବେଳେ ବି ସେ ଦେଖି ପାରୁଥିବେ ନିଶ୍ଚୟ ! ସେଇ କଥା ଚିନ୍ତା କଲା ବେଳେ ବୋଧେ ତାଙ୍କୁ ଆଈର କଥା ଠିକ୍ ଲାଗୁଥିବ, ତା’ ଗାଳିମନ୍ଦ ଯଥାର୍ଥ ଲାଗୁଥିବ । ସେ ତ ରାତିଦିନ ଗୋଟିଏ କଥା ଜପୁଥିଲା ଖାଲି - କାହା ପାଇଁ ଏସବୁ ରଖୁଛ ତୁମେ ! କାହିଁକି ଜୀବନ ଥାଉ ଥାଉ କାହାକୁ ଦାନ କରି ଦଉନ ! ଏ ବୋଝକୁ ମଲା ବେଳେ କ’ଣ ଆମେ ମୁଣ୍ଡେଇକି ନେବା ?

କିନ୍ତୁ ଏତେ କଷ୍ଟରେ ଏକାଠି କରିଥିବା ଧନସମ୍ପତ୍ତିକୁ କ’ଣ ଏମିତି ସହଜରେ କେହି ଦେଇପାରେ କି କାହାକୁ ! ଏଇଟା କ’ଣ ସମାଧାନ ଥିଲା ତାଙ୍କ ନିସନ୍ତାନ ପଣର ! ତା’ହେଲେ .. ତା’ହେଲେ… ସେଇଥିପାଇଁ ବୋଧେ ଆଈ ଚାଲିଗଲା ପରେ ନିଜ ନାତୁଣୀ ବୟସର ଝିଅକୁ ବାହା ହୋଇପଡିଥିଲେ ଏଇ ଆଶାରେ ଯେ ସେ ତାଙ୍କୁ ବାପା ହେବାର ଗୌରବ ଏ ପରିଣତ ବୟସରେ ବି ଆଣିଦେବାକୁ ସକ୍ଷମ ହେବ, ଯାହା ଦିନ ମାସ ବର୍ଷ ବିତିଗଲା ପରେ ବି ସମ୍ଭବ ହେଇନଥିଲା ।

ସେଇ କଥାକୁ ନେଇ ସେ ତାକୁ ଦିନରାତି ଅଥୟ କରୁଥିବା ବେଳେ, ତାକୁ ସନ୍ଦେହ କରି ସାହି ପଡିଶାରେ ବଦନାମ କରୁଥିବା ବେଳେ, ଦିନେ ସେ ଝିଅ ନିଜ କାନରେ ଶୁଣିଦେଲା । ଆଉ ରାଗ ଅପମାନରେ ସମସ୍ତଙ୍କ ଆଗରେ ଅଜାଙ୍କୁ ‘ଅଣପୁରୁଷା’ ବୋଲି ଆକ୍ଷେପ କରିଦେଲା ।

ଥ ମାରିଗଲେ ଅଜା .. ଏପରି କଥାଟେ ତାଙ୍କ କାନ ଶୁଣିବ, ସେ କେବେ ଚିନ୍ତା ମଧ୍ୟ କରିନଥଲେ। ସେ ତ ଆଜି ପର୍ଯ୍ୟନ୍ତ ଆଈକୁ ହି ଦୋଷ ଦେଇ ଆସୁଥିଲେ । କିନ୍ତୁ ଏବେ ..!

ତା’ ପରଦିନ ସକାଳୁ ପୂରା ଗାଁ ଦେଖିଲା ଦନେଇ ଅଜାଙ୍କ ଝୁଲନ୍ତା ଶରୀର ତାଙ୍କ ଶୋଇବା ଘରର ଛାତରୁ ଝୁଲୁଥିବାର । ଘରଦ୍ବାର ସବୁ ମେଲା ପଡିଥିଲା । ଆଲମାରିରେ ନା ଟଙ୍କା ପଇସା, ସୁନାରୂପା ଥିଲା, ନା ସେ ଝିଅ ଥିଲା । ଥିଲା ତ କେବଳ ଦନେଇ ଅଜାଙ୍କ ଦୀର୍ଘଶ୍ବାସ .. ଆଉ ଡିହରେ ବିଲୁଆ ଡେଇଁବାର ସବୁ ସମ୍ଭାବନା !

-0-


Rate this content
Log in

Similar oriya story from Tragedy