Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବାପା
ବାପା
★★★★★

© Pramod Kumar Jena

Tragedy

4 Minutes   15.0K    19


Content Ranking

ଗାଁର ପାଣି...ଗାଁର ପବନ....ଗାଁର ଆବହାୱା... ଟୁଟୁ ବାବୁଙ୍କୁ ଭାରି ଭଲି ଲାଗେ । ସେଥିପାଇଁ ଭୁବନେଶ୍ୱର ପେଲେସିଆଲ୍ ବିଲଡିଙ୍ଗରୁ ବାହାରି କିଛି ଦିନ ପାଇଁ ଗାଁକୁ ଚାଲି ଆସନ୍ତି ସେ । କିନ୍ତୁ ତାଙ୍କର ଏ ମୋହକୁ କିଛି ବି ମୂଲ ଦିଅନ୍ତିନି ତାଙ୍କର ଗୃହିଣୀ । ଯଦିଚ ଦୁହିଁଙ୍କ ଭିତରେ ଅତୁଟ ସମ୍ପର୍କ । ଗାଁ କଥା ଶୁଣିଲେ ସ୍ଥିରାଙ୍କ ମୁହଁଟା ଟିକିଏ ବିକୃତ ହୋଇଯାଏ । ଟୁଟୁ ବାବୁ କିନ୍ତୁ କେବେ ଜୋର୍ ଜବରଦସ୍ତ କରନ୍ତିନି, ତାଙ୍କୁ ଗାଁକୁ ଆଣିବା ନିମନ୍ତେ । ସେ ଭଲ ଭାବରେ ଜାଣିଛନ୍ତି ସ୍ମିତାଙ୍କ ମନର କଥାକୁ । ଏଇ ଗାଁରେ ନୂଆ ନୂଆ ବୋହୁ ହୋଇ ଆସିବା ବେଳେ ତାଙ୍କ ସାଙ୍ଗେ ଘଟିଥିବା ଘଟଣାଗୁଡିକୁ ମନେ ପକାଇ ସେ ବୁହତ କଷ୍ଟ ପାଆନ୍ତି । ତେଣୁ ପୁରୁଣା ଘାଆକୁ ନ କୁଣ୍ଡାଇବା ଭଲ । ବାଧ୍ୟ କରନ୍ତିନି ତାଙ୍କୁ କେବେ ଗାଁକୁ ଆଣିବା ନିମନ୍ତେ ।

ଟୁଟୁ ବାବୁଙ୍କ ବାବା ସରପଞ୍ଚ ଥିଲେ । ବ୍ରିଟିଶ୍ ଅମଳର ସରପଞ୍ଚ । ବେଶ୍ ଖାତିର ଥିଲା ତାଙ୍କର ଗାଁରେ । ତାଙ୍କରି ଯୋଗୁଁ ଟୁଟୁ ସମସ୍ତଙ୍କ ପାଇଁ ଟୁଟୁବାବୁ ହୋଇଥିଲେ । ବାପାଙ୍କ ଯିବାର ଅନେକ ବର୍ଷ ହୋଇଗଲାଣି । ତେବେ ଖାତିରର ଛାପ କିଛିଟା ରହି ଯାଇଛି ।

ଗାଁର ଗୋଲେଇ ଛକରେ ଟୁଟୁବାବୁ ବସିବାକୁ ଭଲ ପାଆନ୍ତି । କିଛି ସମୟ ଭିତରେ ଜଣେରୁ ଦୁଇ ଜଣ, ଦୁଇରୁ ତିନି ହୋଇ ବେଶ୍ ଆସର ଜମିଯାଏ । ସବୁ ପୁରୁଣା ସାଙ୍ଗମାନଙ୍କ ମେଳରେ ପୁରୁଣା ଦିନର ଘଟଣାକୁ ମନେ ପକାଇ ବେଶ୍ ଆନନ୍ଦ ପାଆନ୍ତି ।

ସବୁ ସାଙ୍ଗମାନେ ବୁଢା ହୋଇଗଲେଣି । କାହାର ଦାନ୍ତ ନାହିଁ ତ କାହାର ଚୁଟି ନାହିଁ.... ପୁଣି କାହାର ଅଧା ଧଳା ତ କାହାର ପୁରା । କିଏ ବାଡି ଧରି ଆସୁଛି ତ କିଏ ନାତିକୁ ଧରି....... ହେଲେ ସଭିଏଁ ଯେତେବେଳେ ଏକାଠି ହୋଇଯାଆନ୍ତି, ଲାଗେ ଯେମିତି ବୟସ ତାଙ୍କର ମନ ପାଖରେ ପାଖରେ ପୁରା ହାର ମାନିଯାଇଛି । ତାଙ୍କ ମେଳିର କିଛି ସାଙ୍ଗ ମଧ୍ୟ ଆରପାରିକୁ ଚାଲି ଗଲେଣି । ସେମାନଙ୍କ କଥା ମନେ ପକେଇ କିଛିଟା ଆନନ୍ଦ ହେବା ପରେ ପୁଣି ଆପେ ଆପେ ଚୁପ୍ ହୋଇଯାଆନ୍ତି । ମନେ ମନେ ବୋଧହୁଏ ସମସ୍ତେ ଭାବନ୍ତି, ‘ଆର ପାଳିକୁ ମୁଁ ଥିବି ତ ???’

ସୁନ୍ଦରାୟ ବାବୁଙ୍କ କଥା ଦେଖୁନାହାନ୍ତି । ଗତ ଥର କାର୍ତ୍ତିକ ପୂର୍ଣ୍ଣିମାକୁ କେତେ ମଜା ମଜା କଥା କହି ଆସରଟାକୁ ଜମେଇ ଦେଇଥିଲେ । ହେଲେ ଆଜି ତାଙ୍କର ଶେଷ କ୍ରିୟା । ଯିବାର ବାର ଦିନ ହୋଇଗଲାଣି । ତାଙ୍କ ପୁଅ ପିଲା ଦିନେ କେତେ ବାଳୁଙ୍ଗା ଥିଲା । ମନେ ପଡିଲା ସେ ଦିନର କଥା ।

ହଷ୍ଟେଲରୁ ଆସିଥାଏ । ମୁଣ୍ଡରେ ବୋଝେ ଚୁଟି । ତା ସାଥକୁ ଲମ୍ବା କଲି । ସହର ଛାପ ବେଶ୍ ବାରି ହୋଇ ପଡୁଥାଏ । କଥା କଥା କେ ହିନ୍ଦି ଫିଲ୍ମର ଡାଇଲଗ୍ । ଗୀତ କଥା ନ କହିବା ଭଲ । ପାଠ ପଢା କେମିତି ସେ ଜାଣିଥିବ ।

ସେ ଦିନ ରବିବାର ଥିଲା । ସୁନ୍ଦରାୟ ବାବୁ ମଧ୍ୟ ଘରକୁ ଆସିଥାନ୍ତି । ସେ ଗୋଟିଏ ପ୍ରାଇଭେଟ୍ ଫାର୍ମରେ କାମ କରନ୍ତି । ପ୍ରତି ସପ୍ତାହରେ ଥରେ ଘରକୁ ଆସନ୍ତି । ସେ ଦିନ ଯୋଗକୁ ବାପ ପୁଅ ଦୁଇ ଜଣ ଘରକୁ ଆସିଥାଆନ୍ତି । ସୁନ୍ଦରାୟ ବାବୁ ଜଣେ ଓଲ୍ଡ୍ ଫ୍ୟାସନଡ୍ ଭଦ୍ରଲୋକ । ଭାରି କଟକଣା ତାଙ୍କର । ପୁଅର ପାଠ ପଢା ଗାଁରେ ଠିକ୍ ହୋଇ ପାରିନି ବୋଲି ତାକୁ ବୋର୍ଡିଙ୍ଗ୍ ସ୍କୁଲରେ ଭର୍ତ୍ତି କରିଛନ୍ତି ।

ହଠାତ୍ ପୁଅର ଏ କେଶ ସଜ୍ଜା ଦେଖି ଚିତ୍କାର କଲେ ।

: ଆରେ ଏଇଟା କ’ଣ ? ତୁ କ’ଣ ହିପ୍ପି ରଖିଛୁ ? ତା’ ସାଙ୍ଗକୁ ଲମ୍ବା କଲି ? ରାଗରେ ଚାଉଳ ଚୋବାଉଛନ୍ତି ସୁନ୍ଦରାଏ ।

କହିଲେ, ‘ଯେତେ ଶିଘ୍ର ପାରୁଛୁ ମୋ ସାମ୍ନାରୁ ଉଠ୍ ।’ ଗୋପାଳ ବୋଉକୁ ପାଟି କରି ଡାକି କହିଲେ, ‘ୟାକୁ କହ ଯେତେ ଶିଘ୍ର ପାରୁଛି କାଳିଆ ଭଣ୍ଡାରି ପାଖକୁ ଯାଇ ଚୁଟି ଆଉ କଲି କାଟି ଆସିବ । ନେହେଲେ ଜାଣିବ ମୁଁ କିଏ ?’

ଗୋପାଳ ବୋଉ ପୁଅକୁ ବୁଝେଇ କାଳିଆ ଭଣ୍ଡାରୀ ପାଖକୁ ପଠେଇ ଦେଲେ । ବିଚରା କରେ କ’ଣ ? କେତେ କଷ୍ଟରେ ହିପ୍ପି ରଖା ଯାଇଛି । କାଟିବାଟା କ’ଣ ଏତେ ସହଜ ? ଭଣ୍ଡାରୀକୁ କହି ଟିକିଏ କଲିଟାକୁ ଛୋଟ କରି ଦେଲା । ଆଉ ହିପ୍ପିରେ ସାମାନ୍ୟ ଟିକିଏ କଇଁଚି ଲଗାଇ ବାବୁ ଘରକୁ ଫେରିଲେ ।

ଘର ଭିତରକୁ ଯାଉ ଯାଉ ସୁନ୍ଦରାୟଙ୍କ ହାବୁଡରେ ପଡି ଗଲା । ତାକୁ ଦେଖୁ ଦେଖୁ ତାଙ୍କ ରାଗ ପୁଣି ପଞ୍ଚମକୁ ଉଠି ଗଲା । କହିଲେ, ‘ସେଇଟା ଭଣ୍ଡାରୀ ନା ମୋଚି ? ମୋ ପାଖକୁ ଡାକି କରି ଆଣେ । ଏଇଟା କି ଚୁଟି କଟା ହୋଇଛି ? ତା’କୁ ଦୁଇ ଟଙ୍କା ଦେବୁ, କହିବୁ ଠିକ୍ ଭାବରେ କାଟେ । (ସେତେବେଳକୁ ଦୁଇ ଟଙ୍କାର ମୂଲ୍ୟ ବହୁତ ଥିଲା) । ଯେମିତି ଗୋପାଳ ଶୁଣିଲା, ଏକା ନିଃଶ୍ୱାସକେ ଯାଇ ଭଣ୍ଡାରା ପାଖରେ ହାଜର । ଗୋପାଳର ଖାତିର ଦେଖି ସୁନ୍ଦରାୟେ ମନେ ମନେ ଭାରି ସନ୍ତୋଷ ଲାଭ କଲେ । ଭାବିଲେ ପୁଅଟା ପୁରା ବଦଳି ଗଲାଣି । ଆଉ ସେ ବାଳୁଙ୍ଗାମି ନାହିଁ । ସହରରେ ପାଠ ପଢିଲେ କିଛି ତ ଶିଖିବ ।

ଏ ସବୁ କଥା ଦେଖୁଥିଲେ ପାଖ ଘରର ମହୀ ପ୍ରଧାନେ । ତାଙ୍କର ଆଉ ସୁନ୍ଦରାୟଙ୍କର ଅହି ନକୁଳ ସମ୍ପର୍କ । କଟା ଘାଆରେ ଚୁନ ମାରିବାରେ ପ୍ରଧାନେ ଓସ୍ତାଦ୍ । ପାନ ଖଣ୍ଡେ ପାଟିରେ ପୁରେଇ, ପାକୁଳେଇ ପାକୁଳେଇ ଚୁମୁଟା ମାରିବାର କଳାଟା ତାଙ୍କୁ ବେଶ୍ ଜଣା ।

କିଛି ସମୟ ପରେ ଗୋପାଳ ମୁଣ୍ଡରେ ଗାମୁଛା ଭିଡି ଘରକୁ ଫେରୁଥାଏ । ପ୍ରଧାନେ ପଚାରିଲେ, ‘କିରେ ମୁଣ୍ଡରେ ଗାମୁଛା ? ଏଇଟା କ’ଣ ଗୋଟେ ଇଷ୍ଟାଇଲ୍ ?’

ବିରକ୍ତ ହୋଇ ମୁଣ୍ଡରୁ ଗାମୁଛାଟା ଖୋଲି ଦେଲା ଗୋପାଳ ।

: ଆରେ ଇଏ କ’ଣ ପୁରା ଲଣ୍ଡା ? ତୋ ବୋପା କ’ଣ ମରିଗଲାକିରେ ?

: ସେ କାହିଁକି ମରିବେ ? ଆହୁରି ଦୁଇ ଶହ ବର୍ଷ ବଞ୍ଚିବେ ।

: ଲଣ୍ଡା କାହିଁକି ହେଲୁ ?

: ମୁଁ ହିପ୍ପି ରଖିଛି ବୋଲି ବାପାଙ୍କ ଆଖିରେ ଗଲାନି । ବାପା ଦୁଇ ଟଙ୍କା ଦେଇଥିଲି । ମୁଁ ତା’କୁ ପାଞ୍ଚ ଟଙ୍କା ଦେଇ କହିଲି, କାଟିବୁ ଯଦତି ସବୁ ବାଳ କାଟି ଦେ ।

*** *** *** *** ***

ସେ ଦିନର କଥା ମନରୁ ଲିଭିବା ପୂର୍ବରୁ ସତକୁ ସତ ଗୋପାଳ କୋଉଠି ଥିଲା ଆସି ପହଞ୍ଚିଲା । ଲଣ୍ଡା ମୁଣ୍ଡ । କାନ୍ଧରେ ଗାମୁଛା । ଦେହରେ ଗାମୁଛା । ଟୁଟୁ ବାବୁଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା । ତା’କୁ ଟିକିଏ କୋଳେଇ ନେଲେ ଟୁଟୁ ବାବୁ । ଟୁଟୁବାବୁଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦି ଚାଲିଥାଏ ଗୋପାଳ ।

: ବାପା ଚାଲିଗଲେ । ସାରା ଜୀବନ ତାଙ୍କୁ କେତେ କଷ୍ଟ ଦେଲି । କେତେ ଦୁଃଖ ଦେଲି । କେତେ ହଇରାଣ କଲି .

ସେ କାନ୍ଦ କିନ୍ତୁ ଲୋକ ଦେଖାଣିଆ ନ ଥିଲା । ତା’ର କୋହକୁ ବେଶ୍ ଉପଲବ୍ଧି କରି ପାରୁଥିଲେ ଟୁଟୁ ବାବୁ । ତା’ ଲଣ୍ଡା ମୁଣ୍ଡଟାକୁ ଟିକିଏ ହାତ ମାରି ପିଠିଟାକୁ ସାଉଁଳି ଦେଇ କହିଲେ, ‘ଆରେ ସମସ୍ତେ ତ ଦିନେ ନା ଦିନେ ଯିବା । ଏତେ ଭାଙ୍ଗି ପଡିଲେ ଚଳିବ ?’

: ଏତେ ଶିଘ୍ର ଏମିତି ଚାଲିଯିବେ ?

କ’ଣ ଉତ୍ତର ଦେବେ ଟୁଟୁ ବାବୁ ? ଅଧିକାଂଶ ପୁଅ ଭାବନ୍ତି ତାଙ୍କ ବାପାଙ୍କ ଆୟୁଷ ହଜାରେ ବର୍ଷ । କଥା ନ ମାନିବା....ଜବାବ ଦେବା .....ହଇରାଣ କରିବା.....ତାଙ୍କର ଅଧିକାର . ସେମାନେ ପରା ପିଲା ଲୋକ । ତାଙ୍କ ଭୁଲ ମାଫ୍ । ଆଉ ଯେତେବେଳେ ସେମାନଙ୍କର ବୁଦ୍ଧି ଉଦୟ ହୁଏ,ବାପା ପାଖରେ ନ ଥାନ୍ତି ।

ଟୁଟୁ ବାବୁ ସରପଞ୍ଚ ସ୍ମିତା

Rate the content


Originality
Flow
Language
Cover design

Comments

Post

Some text some message..