Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭାଗ୍ୟକୁ ଏଡାଇ ହେବନାହିଁ
ଭାଗ୍ୟକୁ ଏଡାଇ ହେବନାହିଁ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Inspirational Others

5 Minutes   382    48


Content Ranking

ବହୁଦିନ ତଳେ ଜଣେ ଜ୍ୟୋତିଷ ଥିଲେ । ସେ ତାରା ନକ୍ଷତ୍ର ଦେଖି ଭାଗ୍ୟ ନିର୍ଦ୍ଧାରଣ କରନ୍ତି । ତାଙ୍କର ଗଣନା ନିର୍ଭୁଲ ଏଥିରେ ସନ୍ଦେହ ନାହିଁ । ନିଜର ଭବିଷ୍ୟତ ଜାଣିବା ପାଇଁ ଶହ ଶହ ଗ୍ରାମବାସୀଙ୍କର ତାଙ୍କ ପାଖରେ ଭିଡ ଜମେ । ଗଣନା ପାଇଁ ସେ ସାମାନ୍ୟ କିଛି ପଇସା ଗ୍ରହଣ କରନ୍ତି । ଜ୍ୟୋତିଷ ଜଣକ ତାଙ୍କ ଗଣନାରେ ଖୁବ୍ ଦୃଢ । ସେ ପ୍ରଶ୍ନକର୍ତ୍ତାର ଗତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ କୁହନ୍ତି । ଶୁଣିବା ଲୋକ ଆଶ୍ଚର୍ଯ୍ୟ ହୁଏ । କହନ୍ତି ଭଗବାନ । ସେ କୁହନ୍ତି ଭଗବାନ ଯାହା ଭାଗ୍ୟରେ ଲେଖିଛନ୍ତି , ତାକୁ ପଢିବା ମୋର କାମ । ମୁଁ ଯେତେବେଳେ ତୁମକୁ ଭଲକଥା କୁହେ ତମେ ସେଥିରେ ଆନନ୍ଦିତ ହୁଅ ନାହିଁ । ଅକୁହା କଥା କହିବା ବେଳେ ହତୋତ୍ସାହ ହୁଅ ନାହିଁ । ଜୀବନ ଭଲମନ୍ଦରେ ପରିପୂର୍ଣ୍ଣ । ଏହା ନିହାତି ଅଭ୍ରାନ୍ତ । ଗ୍ରାହକମାନେ ଯେତେବେଳେ ତାକୁ ପଇସା ଦିଅନ୍ତି, ଏହି କଥା ସେମାନଙ୍କୁ କୁହନ୍ତି । ତାଙ୍କର ଗୋଟିଏ ଚାରିକୋଣିଆ କନା ଅଛି । ସେଥିରେ ରହସ୍ୟମୟ ରେଖା ସବୁ ଅଙ୍କିତ । ସେ ତାଙ୍କ କନାକୁ ମେଲେଇ ଦିଅନ୍ତି । ତାଙ୍କ ହାତ ମୁଠାରେ କଉଡି ଅଧା ଡଜନ ଝଣ ଝଣ କରନ୍ତି । ତାପରେ ସେଇ କଉଡିକୁ କନା ଉପରେ ପକେଇ ଦିଅନ୍ତି । କଉଡି ସବୁ ଯେଉଁ ଘରେ ପଡନ୍ତି, ତାକୁ ନେଇ ତାଙ୍କର ଗଣନା ହୁଏ । ସେ କାମ ଶେଷ କରିବା ପର୍ଯ୍ୟନ୍ତ ଗ୍ରାହକ ମାନେ ବସି ରହିଥାନ୍ତି ।

ସତେ ଯେମିତି ସେମାନେ ମନ୍ତ୍ରମୁଗ୍ଧ । ସମସ୍ତଙ୍କ ମନରେ ଆକାଂକ୍ଷା, ଆଶା, ଭୟ, ଆଶଙ୍କାର ମିଶ୍ରିତ ଅବସ୍ଥା ।

ଜ୍ୟୋତିଷଙ୍କର କଥା ପରିଷ୍କାର । ସ୍ପଷ୍ଟ । ତେଣୁ କାହା ମନରେ ସନ୍ଦେହ ହୁଏ ନାହିଁ । ସେ ଗ୍ରାହକଙ୍କର ଗତ, ବର୍ତ୍ତମାନ ଓ ଭବିଷ୍ୟତର ଘଟଣାମାନ କହନ୍ତି । ଯାହା ସେ ଭବିଷ୍ୟତ ବିଷୟରେ କୁହନ୍ତି , ପରବର୍ତ୍ତୀ ସମୟରେ ଘଟେ । ତେଣୁ ତାହା ସତ୍ୟ ବୋଲି ପ୍ରମାଣିତ ହୁଏ ।

ଜ୍ୟୋତିଷଙ୍କର ଖ୍ୟାତି ଚତୁର୍ଦ୍ଦିଗରେ ବହୁ ଦୂରକୁ ବ୍ୟାପିଗଲା । ରାଜା ଏକଥା ଜାଣିଲେ । ସେ ତାଙ୍କୁ ଦରବାରର ଜ୍ୟୋତିଷ ଭାବେ ନିଯୁକ୍ତ କଲେ । ରାଜା ମନ୍ତ୍ରୀଙ୍କର ଅସୁବିଧା ବେଳେ ସେ ଭବିଷ୍ୟତ ଗଣନା କରି ସେମାନଙ୍କୁ ପରାମର୍ଶ ଦିଅନ୍ତି ।

ଦିନେ ରାଜାଙ୍କର ଗୋଟିଏ ପୁଅ ହେଲା । ତା’ ର ଭବିଷ୍ୟତ ଜାଣିବା ପାଇଁ ରାଜା ଓ ରାଣୀ ଉଚ୍ଛନ୍ନ । ସେଥିପାଇଁ ଜ୍ୟୋତିଷଙ୍କୁ ଡକା ହେଲା । ରାଜଉଆସକୁ ଯିବା ପାଇଁ ଜ୍ୟୋତିଷ ତର ତର । ସେହି ସମୟରେ ଜଣେ ମୋଚି ଆସି ପହଞ୍ଚିଲା । ହାତରେ ତା’ ର ହଳେ ଚଟି । ଜ୍ୟୋତିଷଙ୍କର ବରାଦ ଅନୁସାରେ ସେ ଏହା କରିଥିଲା । ଜ୍ୟୋତିଷ ତାକୁ ଦେଖି କହିଲେ - “ରାଜଉଆସକୁ ଯିବା ପାଇଁ ମୁଁ ତର ତର ହେଉଛି । ଚଟିର ଦାମ୍ ତୁ ମୋ ସ୍ତ୍ରୀ ଠାରୁ ନେଇଯିବୁ ।”

ତାଙ୍କ କଥାରେ ବାଧାଦେଇ ମୋଚିଟି କହିଲା - ମୋ ସ୍ତ୍ରୀର ଗୋଟିଏ ପୁଅ ହୋଇଛି । ଦୟାକରି ଆପଣଙ୍କର ସମୟ ଟିକିଏ ଦିଅନ୍ତୁ । କଷ୍ଟ କରି ତା’ର ଭବିଷ୍ୟତ ଟିକିଏ କହିବେ ନାହିଁ ? ତାହାର ପ୍ରାପ୍ୟ ମୁଁ ଦେଇଦେଉଛି ।

ଜ୍ୟୋତିଷ ଦୀର୍ଘ ନିଃଶ୍ୱାସ ପକାଇଲେ । ତାଙ୍କର ରହସ୍ୟମୟ କନାକୁ ବିଛାଇ ଦେଲେ । କଉଡି ପକାଇଲେ । ହିସାବ କରି କହିଲେ - “ତୋ’ ପୁଅ ଭାଗ୍ୟବାନ । କିଛି ସମୟ ପାଇଁ ସେ ରାଜା ହେବ ।” ଏ କଥା ଶୁଣି ମୋଚିଟି ସ୍ତମ୍ଭୀଭୁତ , ଆଶ୍ଚର୍ଯ୍ୟ । କିନ୍ତୁ ଜ୍ୟୋତିଷ କହି ଚାଲିଥାନ୍ତି - “ମୁଁ ଯାହା ଭବିଷ୍ୟତ ଗଣନା କଲି ତାହା ସତ୍ୟରେ ପରିଣତ ହେବ । ପୁଅର ଭାଗ୍ୟ ଖୁବ୍ ଉଚ୍ଚ । ନକ୍ଷତ୍ରମାନେ କହୁଛନ୍ତି ଯେ, ସେ କିଛି ସମୟ ପାଇଁ ରାଜା ହେବ ।” ତାପରେ ସେ କନାକୁ ତାଙ୍କର ସଜାଇଲେ । ରାଜ ଉଆସକୁ ବାହାରିଲେ ।

ମୋଚିଟି ନିର୍ବୋଧ ଭାବେ ହସି ହସି ନିଜକୁ କହିଲା - “ଜ୍ୟୋତିଷ ତର ତର ହେଉଛନ୍ତି ମୋଚିର ପୁଅ ପୁଣି ରାଜା ହେବ ? ଏହା ତ ଅସମ୍ଭବ । କିନ୍ତୁ ମୁଁ ତ ବଞ୍ଚିଛି । ଦେଖିବା ଏହା କ’ଣ ସତ୍ୟ ?”

ଜ୍ୟୋତିଷ ଉଆସରେ ପହଞ୍ଚିଲେ । ରାଜା ଓ ମନ୍ତ୍ରୀ ତାଙ୍କୁ ସ୍ୱାଗତ ଜଣାଇଲେ । ରାଣୀଙ୍କ କକ୍ଷକୁ ନେଇଗଲେ । ସେଠାରେ ସେ ଜନ୍ମିତ ରାଜପୁତ୍ରକୁ ଦେଖିଲେ । ତାପରେ ସେ ତାଙ୍କ କାମ ଆରମ୍ଭ କଲେ । କନା ଦେହରେ ଅଙ୍କିତ ଚିତ୍ର ଉପରେ କଉଡି ପକାଇଲେ । ଜ୍ୟୋତିଷ ଟିକିଏ ରହିଗଲେ । ତା’ପରେ କହିଲେ - “ମହାରାଜ, ନକ୍ଷତ୍ରରୁ ଜଣାପଡେ ରାଜକୁମାରଙ୍କର ଭବିଷ୍ୟତ ଉଜ୍ଜଳ । କିନ୍ତୁ ଅଳ୍ପ ସମୟ ପାଇଁ ସେ ଭିକ୍ଷୁ ହେବେ ।” ରାଣୀ ଚିତ୍କାର କରି କହିଲେ - “ଏହା ଅସମ୍ଭବ ।” ଜ୍ୟୋତିଷ କହି ଚାଲିଲେ - “ମହାରାଜ ଜୀବନ ଗୋଟିଏ ଚକ୍ର । ଜଣେ ଯେଡେ ଭାଗ୍ୟବାନ ହେଉନା କାହିଁକି ଦୁର୍ଭାଗ୍ୟରୁ ତା’ର ମୁକ୍ତି ନାହିଁ ।”

ରାଜା ବିଷାଦଗ୍ରସ୍ତ । ମନରେ ତାଙ୍କର ଭୀଷଣ ରାଗ । ସେ ଜ୍ୟୋତିଷକୁ ନେଇଯାଅ । ଅନ୍ଧାର ଗୃହରେ ବନ୍ଦୀ କରି ରଖ । ମୋ ପୁଅ କେବେ ହେଲେ ଭିକ୍ଷୁ ହେବ ନାହିଁ । ଏହା ହେଲା ଜ୍ୟୋତିଷଙ୍କ ପାଇଁ ଉଚିତ ଶିକ୍ଷା ।

ଜ୍ୟୋତିଷ କହିଲେ - “ମହାରାଜ, ମୁଁ ଯେଉଁ ଭବିଷ୍ୟତବାଣୀ ଶୁଣାଇଲି, ତାହା ପରିବର୍ତ୍ତନ କରି ହେବ ନାହିଁ । ମୋର ଜାତକରେ ଥିଲା ମତେ କିଛି ଦିନ ବନ୍ଦୀ ହୋଇ ରହିବାକୁ ପଡିବ । ଏଥିରୁ ମୋର ମଧ୍ୟ ଖସିଯିବାର ବାଟ ବି ନାହିଁ ।”

ଜ୍ୟୋତିଷଙ୍କୁ ବନ୍ଦୀ କରି କାରାଗୃହରେ ନିକ୍ଷେପ କରାଗଲା । ସେହିଦିନ ଠାରୁ ରାଜା ଓ ରାଣୀ ଉଭୟେ ପିଲାଟିର ଖୁବ୍ ଯତ୍ନ ନେଲେ । ରାଜା ବହୁ ରାଜ୍ୟ ଆକ୍ରମଣ କରି ଦଖଲ କରି ନେଲେ । ତାଙ୍କ ଅଧୀନସ୍ଥ ରାଜ୍ୟରୁ କର ମଧ୍ୟ ଆଦାୟ କଲେ । ତାଙ୍କ ଗନ୍ତାଘର ପୂର୍ଣ୍ଣ ହୋଇଗଲା । ଏସବୁ ଦେଖି ରାଜା ଆନନ୍ଦିତ । କାରଣ ତାଙ୍କ ପୁଅ ଏସବୁ ସମ୍ପତ୍ତିର ଅଧିକାରୀ ହେବ । କେବେ ହେଲେ ଭିକ୍ଷା କରିବ ନାହିଁ ।

ସେ ସେମାନଙ୍କ ସହିତ ରାଜପୁତ୍ରଙ୍କୁ ସାଧାରଣ ପିଲାଙ୍କ ସହ ମିଶିବାକୁ ଦିଆଯାଏ । ଖେଳନ୍ତି, ପାଠ ପଢନ୍ତି । ସମାଜର ସବୁ ସ୍ତରର ପିଲାମାନେ ତାଙ୍କର ବନ୍ଧୁ । କାହାର ବାହାର ସମାଜର ସ୍ଥାନ କ’ଣ, ସେ ବିଷୟରେ ଆଦୌ ଚିନ୍ତା କରନ୍ତି ନାହିଁ । ରାଜପୁତ୍ର ପଢୁଥିବା ବିଦ୍ୟାଳୟରେ ଏକ ନାଟକ ଅଭିନୟ ହେଲା । ଅଭିନୟ ଦେଖିବାପାଇଁ ଡେଙ୍ଗୁରା ଦେଇ ସର୍ବ ସାଧାରଣଙ୍କୁ ନିମନ୍ତ୍ରଣ କରାଗଲା । ରାଜା ସ୍ୱତନ୍ତ୍ର ଭାବେ ସେଥିପାଇଁ ନିମନ୍ତ୍ରିତ ହୋଇଥିଲେ । ରାଜପୁତ୍ର ଅଭିନୟ କରୁଛନ୍ତି । ଏହା ଦେଖିବା ପାଇଁ ରାଜା ରାଣୀଙ୍କ ସହିତ ପାତ୍ର ମନ୍ତ୍ରୀମାନେ ଅଭିନୟ ଦେଖିବା ପାଇଁ ସେ ସ୍ଥାନରେ ଉପସ୍ଥିତ ହେଲେ ।

ନାଟକ ଆରମ୍ଭ । ରାଜା ରାଣୀଙ୍କୁ ପଚାରିଲେ - “ପୁଅ ଆମର କି ହିସାବରେ ଅଭିନୟ କରୁଛି ।”

ରାଣୀ କହିଲେ - “ମୁଁ ଜାଣିନାହିଁ । କିନ୍ତୁ ସେ ମତେ କହିଛି ଯେ ନାଟକରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରୁଛି ।”

ଠିକ୍ ନାଟକ ଆରମ୍ଭ ହେବା ପୂର୍ବରୁ ନାଟକରେ ଦୂଆରୀ ବାହାରି ଉପସ୍ଥିତ ଦର୍ଶକମାନଙ୍କୁ ସମ୍ବର୍ଦ୍ଧନା ଜଣାଇଲା । ନାଟକରେ ଯେଉଁମାନେ ଅଭିନୟ କରୁଛନ୍ତି, ସେମାନଙ୍କୁ ଚିହ୍ନି ସେମାନଙ୍କର ନାମ କହିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କଲା ।

ନାଟକ ଆରମ୍ଭ ହେଲା । ଅଭିନୀତ ରାଜା ସିଂହାସନରେ ବସିଲେ । ପାଖରେ ତାଙ୍କର ମନ୍ତ୍ରୀମଣ୍ଡଳ । ଅଭିନୀତ ରାଜା ତାଙ୍କ ସାଥିରେ ଆଲୋଚନା କଲେ ।

ରାଜା ଭାବିଲେ, ତାଙ୍କ ପୁଅ ରାଜା ଭାବେ ଅଭିନୟ କରୁଛି । ରାଜା ଅଭିନୀତ ରାଜାଙ୍କୁ ମୋ ପୁଅ ବୋଲି କହିବାକୁ ଯାଉଥାନ୍ତି, ହଠାତ୍ ସେ ଶୁଣିଲେ ଆଉ ଜଣେ କହୁଛି ମୋ ପୁଅ ରାଜା ହୋଇଛି । ବହୁ ଲୋକ ଚିତ୍କାର କଲେ – ମୋଚିର ପୁଅ ରାଜା ହୋଇଛି । ଅଭିନୟ ଚାଲିଲା । ସ୍ୱେଚ୍ଛାଚାରୀ ରାଜା ବିଜ୍ଞ ଭିକ୍ଷୁ ଠାରୁ ଜ୍ଞାନ ଆହରଣ କରି ସନ୍ନ୍ୟାସୀ ହୋଇଗଲେ । ଦର୍ଶକମଣ୍ଡଳୀ ଯେଉଁ ମାନେ ଅଭିନୟ କରୁଥିଲେ ତାଙ୍କୁ ଚିହ୍ନିପାରିଲେ ନାହିଁ । ତାଙ୍କର ଅଭିନୟ ଉଚ୍ଚକୋଟୀର ହୃଦୟସ୍ପର୍ଶୀ । ଅଭିନୟ ଶେଷ ହେଲା । ଯେଉଁମାନେ ଅଭିନୟ କରୁଥିଲେ, ସେମାନେ ଗୋଟିଏ ଧାଡିରେ ଦର୍ଶକଙ୍କ ଆଗରେ ଠିଆ ହେଲେ । ଗୋଟିଏ ପାଣିକଖାରୁରେ କର୍ପୂର ରଖି ଲଗାଗଲା । ଦୁଆରୀଟି ତାକୁ ଧରି ଅଭିନୟକାରୀମାନଙ୍କ ଚାରିପଟେ ତିନି ଥର ବୁଲାଇ ଆଣିଲା । ଦୁଷ୍ଟ ଦୃଷ୍ଟିର ପ୍ରଭାବରୁ ମୁକ୍ତ କରିବା ପାଇଁ ତାକୁ ସେ ପଥରରେ କଚି ଦେଲା ।

ଦର୍ଶକମାନେ ଯିବାକୁ ବାହାରିଲେ । ସେମାନଙ୍କ ତୁଣ୍ଡରେ ଗୋଟିଏ ପ୍ରଶ୍ନ - “କିଏ ସେ ଭିକ୍ଷୁ ? ” ଦୁଆରୀ ହସି ହସି କହିଲା - “ଯିଏ କେବେ ଜୀବନରେ ଭିକ୍ଷୁ ହେବନାହିଁ , ସେ ହେଲା ରାଜାଙ୍କ ପୁତ୍ର । ସେ ହିଁ ଭିକ୍ଷୁ ହୋଇଥିଲା । ”

ରାଜା ରାଣୀ ଦୁଆରୀ କଥା ଶୁଣିଲେ । ଜ୍ୟୋତିଷଙ୍କର କଥା ତାଙ୍କର ମନେ ପଡିଲା - ଯାହା ଭାଗ୍ୟରେ ଥାଏ ତାକୁ ଏଡାଇ ହୁଏନାହିଁ । ଜ୍ୟୋତିଷଙ୍କ କଥା ସତ୍ୟ । ରାଜା ଆଦେଶ ଦେଲେ - “ ମୁଁ ନିର୍ବୋଧ ଭଳି ତାଙ୍କୁ କାରାଗାରରେ ରଖିଛି । ତାଙ୍କୁ ତୁରନ୍ତ ଖଲାସ କର ।ଉପଯୁକ୍ତ ଉପଢୌକନ ଦିଅ ।”

ଜ୍ୟୋତିଷଙ୍କୁ ସାଙ୍ଗେ ସାଙ୍ଗେ ମୁକ୍ତ କରି ଦିଆଗଲା । କ୍ଷତି ପୂରଣ ହିସାବରେ ତାଙ୍କୁ ଜମି, ଅର୍ଥ, ଗୃହ ଓ ଗୋ-ସମ୍ପଦ ଦିଆଗଲା ।

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି

ଜ୍ୟୋତିଷ ମନ୍ତ୍ରମୁଗ୍ଧ ଗ୍ରାହକ

Rate the content


Originality
Flow
Language
Cover design

Comments

Post

Some text some message..