Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay kumar Panda

Classics Inspirational Romance

4.7  

Sanjay kumar Panda

Classics Inspirational Romance

ନିହାତି ଅପଦାର୍ଥ

ନିହାତି ଅପଦାର୍ଥ

6 mins
512



     " ଆରେ ଦେଖ୍ ତୋ ଠାରୁ ସାନ ସାନ ପିଲାମାନେ କେମିତି ବାହାସାହା ହୋଇ ଘର ବସେଇଲେଣି, କିଏ ଚାକିରୀବାକିରି ତ କିଏ ବ୍ୟବସାୟ ମଧ୍ୟ କଲେଣି, ବାପା ମାଆଙ୍କୁ ନେଇ ଚାରିଧାମ ଚାଳିଶ ତୀର୍ଥ ବୁଲେଇଆଣିଲେଣି। ହେଲେ ତୁ ନିକମ୍ମାଙ୍କ ସର୍ଦ୍ଦାର ଘରେ ଛଅ ତିଅଣ ନଅ ଭଜା ଠୁସିଦେଇ ଛକରେ ବସି ବାତରା ଟୋକାଙ୍କ ସହିତ ତାସ ପାଲି ପିଟୁଛୁ । ଛିଃ ଛିଃ । ଅପଦାର୍ଥ ଟାଏ ।''


   କେତେଦିନ ହେବ ଘନଶ୍ୟାମ ପଣ୍ଡିତେଙ୍କର ପାଟି ବନ୍ଦ ହୋଇଯାଇଛି । ପୁଅ ଚନ୍ଦୁ ଭାଷାରେ ଏ ନିତିଦିନିଆ ଶୋଧା ଟିକେ ଥମିଯାଇଛି । କିନ୍ତୁ ବେଳେବେଳେ ମାଆ ଏବେ ନୂଆ ନାଟକ ଆରମ୍ଭ କରିଛି -

    " ମନ୍ଦିରକୁ ଯା, ମନ୍ଦିରକୁ ଯା । ଠାକୁର କୁଆଡେ ଘଣ୍ଟ ଘୋଡେଇ ରଖିବେ। କୁଳ ବେଉସା ବନ୍ଦକଲେ ସାତପିଢ଼ି ଅଭିଶାପରେ ଘାଣ୍ଟିହେବେ।"


    ଚନ୍ଦୁର ଏକା ଜିଦ୍ ଦୁନିଆ ଓଲଟ ପାଲଟ ହୋଇଗଲେ ବି ମୁଁ ଏ ଡେନିମ୍ ଜିନ୍ସ ରେମଣ୍ଡ ସାର୍ଟ ଛାଡି ପାକଲା ଗାମୁଛା ସହିତ ରାମାବଳୀ ପକେଇ ତିଲକ ଚିତା ହୋଇ ସେ ମନ୍ଦିରରେ ଯାଇ ଓଁ ସ୍ୱାହା ଓଁ ସ୍ୱାହା କରିପାରିବିନି । ପୁଣି ଫେରିଲା ବେଳକୁ ଦରମା କଣ ନା ମୁଠାଏ ଖୁଚୁରା ପଇସା ଆଉ ଭୋଗ ନାଁରେ ଦୁଇଟା ପାଚିଲା କଦଳୀ ଆଉ କାକୁଡ଼ିଟାଏ ।

   ଆଚ୍ଛା ବୋଉ ତୁ କହିଲୁ ବାପା ଯଦି ମନ୍ଦିର ଯାଇ ପୁଣ୍ୟ କରୁଥିଲେ ଆଉ ତୋ ଠାକୁର ତାଙ୍କୁ ଘଣ୍ଟ ଘୋଡେଇ ରଖିଥିଲେ ତେବେ ତାଙ୍କୁ କାହିଁକି ଏମିତି ହଠାତ ପଙ୍ଗୁ କରିଦେଲେ ? କଣ ଘଣ୍ଟଟା ବାତ୍ୟାରେ ଉଡ଼ିଗଲା କି ?


     ଏମିତି କେତେ କେତେ ଅସମାହିତ ପ୍ରଶ୍ନର ଉତ୍ତର ପ୍ରତିମା ଦେବୀ ଦେବାକୁ ଚେଷ୍ଟା କରି ବି ବିଫଳ ହେଉଥିଲେ । ବୋଧହୁଏ ସନ୍ତାନମାନେ ସର୍ବଦା ପିତାମାତାଙ୍କୁ ତର୍କରେ ହରେଇବାର ଏକ କଳା ଜାଣିଥାନ୍ତି ଏବଂ ହରେଇ ଖୁସି ହୁଅନ୍ତି । ଭଗବାନ ତାକୁ କ୍ଷମା କରନ୍ତୁ । ଜଣେ ମାଆ ହୃଦୟରୁ ଏତିକି ଗୁହାରି ଜଣାଇବା ଛଡ଼ା ସେ ଅନନ୍ୟୋପାୟ । 

କାନ୍ଦ କାନ୍ଦ ହୋଇ ଯେତେଥର ପ୍ରତିମା ଦେବୀ ପୁଅକୁ ଅନୁରୋଧ କରିଛନ୍ତି, ସେତେଥର ଏଇ ଅତ୍ୟନ୍ତ କଠୋର ନାସ୍ତିବାଚକ ବାକ୍ୟଟି ସହିତ ଭେଟ ହୋଇଛି ତାଙ୍କର । ଯେତେଥର ସେ ଏହି ବାକ୍ୟକୁ ଶୁଣିଛନ୍ତି ହୃଦୟଟା ତାଙ୍କର ଟାଇଟାନିକର ବିକ୍ଷିପ୍ତ ଯନ୍ତ୍ରାଂଶ ଟୁକୁଡା ଭଳି ଭାଙ୍ଗିରୁଜି ଲୀନ ହୋଇଯାଇଛି କେଉଁ ଏକ ଅଦୃଶ୍ୟ ଜଳରାଶିରେ । ସେ ବା କଣ କରିପାରିବେ । କଥାରେ ତ ଅଛି ପୁଅମାନେ ବଡ଼ହେଲାପରେ କାଳେ ପିତାମାତାଙ୍କର ବଡ଼ 

ଦୁଃଖ ଯାଏ ଅବା ଦୁଃଖ ବଢିଯାଏ ।


ପଣ୍ଡିତ ଘନଶ୍ୟାମ ମିଶ୍ର ଏବଂ ପ୍ରତିମା ଦେବୀଙ୍କ କ୍ଷେତ୍ରରେ ଦୁଃଖ ବଢି ବଢି ହିଁ ଚାଲିଛି । ଭେଣ୍ଡା ପୁଅଟା ଘରେ ଥାଉ ଥାଉ ମାଆକୁ ହାତ ତିଆରି ଧୂପ ଦୀପ ନେଇ ଗାଁ ଗାଁ ବୁଲି ବିକ୍ରି କରି ପରିବାର ଚଳେଇବାକୁ ପଡୁଛି ।

  ବାପାଙ୍କ ପାଇଁ ମେଡିସିନ୍ ଆସିବ, ଘରେ ଚାଉଳ ସରିଆସିଲାଣି । ଚନ୍ଦୁ ଏସବୁ ଶୁଣିବା ପାଇଁ ନାରାଜ । ବରଂ ଚିଡିଯାଇ କହେ- " ଓଃ ! ସବୁବେଳେ ଗୋଟେ ଡାମରା କାଉ ଭଳି କାହିଁକି ରାଉ ରାଉ ହେଉଛୁ କହିଲୁ ବୋଉ ? ବୁଢ଼ା ବସିଗଲା ହେଲେ ତୋତେ ରାବିବା ଶିଖେଇଦେଇଗଲା ।"


  କାଳ ବଇରୀ ସାଜିଛି ବୋଲି ଏତେ ହୀନସ୍ତା । ତା ପାଖରେ କିଏବା ବଳିଆନ । ନହେଇଥିଲେ ମହାଦେବ ମନ୍ଦିରର ମୁଖ୍ୟ ପୂଜକ ଘନଶ୍ୟାମ ମିଶ୍ର ଦାନ, ଧର୍ମ, ବୁଦ୍ଧି, ଜ୍ଞାନରେ ପରିପୂର୍ଣ୍ଣ ସେଇ ମୂର୍ତ୍ତିମନ୍ତ ମଣିଷ ହଠାତ ପକ୍ଷାଘାତର ଶିକାର ହୋଇ ଆଜି ନିଶବ୍ଦ କାଠଗଣ୍ଡି ଭଳି ହ୍ୱିଲଚେୟାରରେ ପଡିରହିଥାନ୍ତେ ବା କେମିତି । ବିଶ୍ୱନିୟନ୍ତାଙ୍କ ପାଦ ସେବା ଯାହାପାଇଁ ଚରମ ପରିତୃପ୍ତି ଥିଲା ସେ ବା କାହୁଁ ଅନ୍ୟର ସେବାକୁ ଅପେକ୍ଷା କରି ରହିଥାନ୍ତେ ।


ପ୍ରଭୁ ପଣ୍ଡିତେ ଆଜ୍ଞାଙ୍କୁ ଶୀଘ୍ର ଭଲ କରିଦିଅନ୍ତୁ । ଆଖପାଖ ସାତ-ଆଠ ଖଣ୍ଡ ଗାଆଁର ଲୋକଙ୍କ ମନରେ ଏହି ଗୋଟିଏ ମାନସିକ । କିନ୍ତୁ ନିଜ ପୁଅ ଚନ୍ଦନର ମନରେ ଥାଏ ବାପା ଚାଲିଯିବା ଆଗରୁ ସବୁ ଟଙ୍କା ପଇସା ଜମି କାଗଜ ପତ୍ର ହାତେଇ ନେବାର ମନ୍ଦ ଉଦ୍ଦେଶ୍ୟ । ସେଥିପାଇଁ ମାଆକୁ ଲୁଚେଇ ଲୁଚେଇ ପୁରୁଣା ଭଙ୍ଗା ବାକ୍ସ ଆଉ ଗଡ଼ରେଜରେ ଅନବରତ ଖୋଜିଚାଲିଥାଏ ସେ ସବୁକୁ ।

   - ଏଇତ ପାଇଗଲି। ଏହାକୁ ସେ ନାଟୁଆ ଓକିଲକୁ ଦେଖେଇ ଆଣି ବୁଢା ଶୋଇଥିବା

 ଅବସ୍ଥାରେ ଆଙ୍ଗୁଠି ଚିହ୍ନ ନେଇଗଲେ କାମ ଫତେ । ଏହାପରେ ବୁଢା ଠପ୍ ହୋଇଗଲେ ବି ନୋ ଟେନ୍ସନ୍ । 


     ଚନ୍ଦନ ବ୍ୟସ୍ତ ହୋଇ ସେ କାଗଜ ପତ୍ର ନେଇ ବାହାରିଗଲା ବାହାରକୁ । ବୋଧହୁଏ ସେ ନାଟୁଆ ଓକିଲ ପାଖକୁ । ଏକ ବେପରୁଆ ଢଙ୍ଗରେ ସେ ମାଡି ଚାଲିଥାଏ ଆଗକୁ ଆଗକୁ। ଘରଠାରୁ ଅନତିଦୂରରେ ଏକ ବଡ ଚୌପଟି, ଯେଉଁଠାରେ ସେ ବସି ତାସ ଖେଳେ । ଏହାକୁ ଲାଗି ସରକାରୀ ଲାଇଟି ପୋଷ୍ଟଟିଏ। ପୋଷ୍ଟକୁ ଟିକିଏ ଆଗେଇ ଯାଇଛି ପଛରୁ ଶୁଭିଲା ' ଚନ୍ଦୁ ' ବୋଲି । ପଛକୁ ବୁଲି ଚାହିଁଲା ଚନ୍ଦୁ । ଦେଖିଲା ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଗୋଟେ ପୁରୁଣା ଧୂସର ରଙ୍ଗର କ୍ୟାବ୍ । ହସ ହସ ମୁହଁରେ ସେହି ଗାଡ଼ିରୁ ତାଙ୍କ ଆଡକୁ ମାଡି ଆସୁଛନ୍ତି ଜଣେ ପ୍ରାପ୍ତ ବୟସ୍କା ଯୁବତୀ । ଦୂରରୁ ଅଚିହ୍ନା ଲାଗୁଥିଲେ ବି ଚନ୍ଦୁ ଦେଖିପାରୁଥିଲା ସେ ନାଲି ଓଠ ଧାରେ ନିରୀହ ହସଟି ଥିଲା ତାର ଅତି ପରିଚିତ। ହଁ ଭାରି ନିରୀହ, ନିଷ୍କପଟ ସେ ଚେହେରା । ଏବେ ଅତି ପାଖରୁ ସେ ଦେଖିପାରୁଥିଲା ତାକୁ।


     ବିଗତ କେଇ ବର୍ଷ ତଳର କଲେଜ ସହପାଠିନୀ ଯୁଗଜନ୍ମା । ଚନ୍ଦନ ଜାଣିନଥିଲା ତାର ଘର ତାର ଠିକଣା । କେବଳ ଜାଣିଥିଲା ଉତ୍ତାଳ ତରଙ୍ଗାୟିତ ସେ ନବଯୌବନ ମିଶା ଚେହେରାଟିକୁ ଆଉ ତାର ସୀମାହୀନ ଆକାଶ ଭଳି ମୁଖମଣ୍ଡଳରେ ଆଦୌ ଅସ୍ତ ହେଉନଥିବା ଧାରେ ହସକୁ । ସେହି ହସ ହିଁ ପାଗଳ କରିଥିଲା ତାକୁ । ସେହି ହସ ହିଁ ଅନିଦ୍ରା ବିଛଣାରେ କେତେ ରାତି ତାକୁ ସ୍ୱପ୍ନର ଚୌକିଦାର ହୋଇ ଜଗିଥିଲା । ସେ ଜାଣୁଥିଲା ତାକୁ ପ୍ରେମ ହୋଇଛି ବୋଲି । ସେ ଅନୁଭବ କରିପାରୁଥିଲା ଜନ୍ମା ପ୍ରେମର ଆକର୍ଷଣରେ ତାର ପଥର ହୃଦୟ ତଳେ ଏକ କୋମଳ ଭଲପାଇବାର ବୀଜ ଅଙ୍କୁରୋଦଗମ ହେଉଥିଲା ବୋଲି । 


  କଲେଜରେ ଜଣେ ସୁପର ସିନିଅର ଭାବେ ଆଚାର ବ୍ୟବହାର ଦୃଷ୍ଟିରୁ ଚନ୍ଦୁର ବେଶ ଦୁର୍ନାମ ଥିଲା । ଛାତ୍ରମାନଙ୍କ ଠାରୁ ଅଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତେ ଭୟ କରୁଥିଲେ ତାକୁ । କିନ୍ତୁ ଚନ୍ଦୁ ଭୟ କରୁଥିଲା ଜନ୍ମାକୁ । ପ୍ରକୃତ ଭଲପାଇବା ପାଖରେ ସବୁ ବଡ଼ପଣ ସବୁ ହାକିମାତି ହାର୍ ମାନିଯାଏ । ସେଥିପାଇଁ ଜନ୍ମା ପାଖରେ ନିଜ ମନର କଥା ପ୍ରକାଶ କରିବାକୁ ଆସି ସେଦିନ ଆଜ୍ଞାଧୀନ ଛାତ୍ରଟିଏ ଭଳି ମଥାନତକରି ଛିଡ଼ା ହୋଇଥିଲା । ଗୋଡ଼ ଥରିବାକୁ ଲାଗିଥିଲା । ପ୍ରପୋଜ୍ ତ କରିଥିଲା । ହେଲେ ତା ପାଦତଳୁ ମାଟି ଖସିଯାଇଥିଲା ଯେତେବେଳେ ଜନ୍ମା ତା ପ୍ରସ୍ତାବକୁ ଅତି ସହଜରେ ଆଡେଇ ଯାଇଥିଲା ।

 କେବଳ ମାତ୍ର ' ନା ' ଶବ୍ଦଦ୍ୱାରା ପ୍ରତ୍ୟାଖ୍ୟାନ କରିଥିଲା । ହୃଦସ୍ପନ୍ଦନର ତୀବ୍ରତା ଏତେ ବଢିଯାଇଥିଲା ଯେ ଆଉ ଅଧିକ କିଛି ଶୁଣିବାର ଧୈର୍ଯ୍ୟ ନଥିଲା ଚନ୍ଦୁ ପାଖରେ ।

ଗୋଧୂଳି ବେଳାର ପକ୍ଷୀ ଭଳି ତା ମନକୁ ସେ ବୁଝେଇ ଦେଇଥିଲା । ଜନ୍ମା ବୋଧହୁଏ ଆଉ କାହାର ହୋଇସାରିଛି ଅବା ସେ ମୋ ଭଳି ଜଣେ ଅପଦାର୍ଥ କୁ ଭଲ ପାଏ ନାହିଁ । 

      

   ଏତେଦିନ ପରେ ତାକୁ ପୁଣିଥରେ ନିଜ ଗାଁରେ ଅଚାନକ ଦେଖି ଚକିତ ହୋଇଯାଇଛି । କିନ୍ତୁ ଆଖି ଉଠେଇ ଭଲଭାବେ ଦେଖିବାକୁ ଚେଷ୍ଟା କରିପାରିନି। ଅପମାନରେ ନୁହେଁ ବରଂ ନିଜକୁ ଦୋଷୀ ଅନୁଭବ କରି । ମୁହଁ ଫେରେଇ ଅଚିହ୍ନା ଲୋକ ଭଳି ଚାଲିଯିବାକୁ ଉଦ୍ୟତ ହେଲାବେଳେ ପଛରୁ ଶୁଭିଛି-

   - ଚନ୍ଦୁ, ତୁମେ ମୋତେ ଦେଖି ନଦେଖିଲା ଭଳି ଚାଲିଯାଉଛ ଯେ । ମୋତେ କଣ ଚିହ୍ନିପାରିଲନି ?

   - ସମୟ ସବୁକିଛି ଚିହ୍ନାଙ୍କୁ ଅଚିହ୍ନା କରିଦିଏ । 

   - ତୁମେ ମୋତେ ଭୁଲିଯାଇଛ ?

   - ଅସମ୍ଭବ ।

   - ତେବେ ଏ ଅଭିମାନ ! ଓଃ ମୁ ଜାଣେ ତୁମେ ସେହି ଅଛିଣ୍ଡା ଅଙ୍କ ' ନା ' ପାଖରେ ଅଟକି ଯାଇଛ ।

   - ବୋଧହୁଏ ତାହା ଠିକ ।

   - ସେଦିନ ତୁମକୁ ବହୁତ କିଛି କହିବାର ଇଚ୍ଛା ଥିଲେ ବି ତୁମେ ଶୁଣିବା ଅବସ୍ଥାରେ ନଥିଲ । ସତ କହିବାକୁ ଗଲେ ତମେ ମୋ ହୃଦୟ ମୋତେ ମାଗିଥିଲ । କିନ୍ତୁ ମୁ କେମିତି ଦେଇଥାନ୍ତି ଯାହା ମୋ ପାଖେ ନଥିଲା । ମୁ ଜାଣେ ତମେ ମୋତେ ବହୁତ ଭଲ ପାଅ । ହେଲେ ମୁଁ ବି କାହାକୁ ଭଲପାଏ । ମୋ ହୃଦୟ ମନ ମୋ ନିଷ୍ଠା, ସାଧନା ସବୁ ତାଙ୍କରି ପାଇଁ । ଜୀବନର ଶେଷ ନିଶ୍ୱାସ ଥିବା ଯାଏ ତାଙ୍କରି ପାଦ ସେବା ହିଁ ହେବ ମୋ ଜୀବନର ପ୍ରକୃତ ସାଧନା । ତାଙ୍କ ସେବା ହିଁ ମୋ ପାଇଁ ପଞ୍ଚମ ଧାମ । 

    ଏହା କହି ଜନ୍ମା ଧଳା କୁର୍ତ୍ତା ଆଉ ଆଖିରେ କଳା ଚଷମା ଲଗେଇ ଗାଡ଼ିରେ ବସିଥିବା ଜଣେ ମଧ୍ୟବୟସ୍କଙ୍କ ଆଡକୁ ଅଙ୍ଗୁଠି ନିର୍ଦେଶ କଲେ । 

   - ସେ କଣ ତୁମ ମନର ମଣିଷ ?

   - ହଁ ସେ କେବଳ ମୋ ମନର ମଣିଷ ନୁହନ୍ତି, ସେ ମୋ ପାଇଁ ଭଗବାନ ମୋ ମାଆ ଓ ବାପା । ଯିଏ ଅନ୍ଧାରକୁ ଆକଣ୍ଠ ପାନକରି କରି ମୋତେ ଆଲୋକ ର ମାର୍ଗ ଦେଖେଇଛନ୍ତି । ଜାଣିଛ ଅଳିଆଗଦାରେ ମୁଁ ଜନ୍ମ ହୋଇ, ରାସ୍ତା ପାଖରେ ବଡ଼ହୋଇ, ଯେତେବେଳେ ଟ୍ରାଫିକପୋଷ୍ଟରେ ଅଟକିଥିବା ଗାଡ଼ିପାଖରେ ପେଟ ବିକଳରେ ହାତ ପାତୁଥିଲି ସେତେବେଳେ ଏଇ ଅନ୍ଧ ଜ଼ଫର ଚାଚା ମୋତେ ନେଇ ନିଜ ଝିଅ କରି ରଖିଥିଲେ । ଏକ ନୂଆ ଦୁନିଆ ସହିତ ପରିଚୟ କରାଇଥିଲେ । ମୋତେ ଜୀଇଁବା ଶିଖେଇଥିଲେ । ଏବେ କହିଲ କେମିତି ତୁମକୁ ସେଦିନ ହଁ କହିଦେଇ ପାରିଥାନ୍ତି । କ୍ଷଣିକ ମୋହରେ ଅନ୍ଧ ହୋଇ କେମିତି ଭୁଲି ଯାଇପାରିଥାନ୍ତି ତାଙ୍କୁ ଆଉ ତାଙ୍କର ମୋ ପ୍ରତି ଥିବା ସେ ଅବଦାନକୁ । 

   ଚନ୍ଦୁ ତୁମେ ବଡ ଭାଗ୍ୟବାନ ଯେ ତୁମର ଗୋଟେ ପରିବାର ଥିବ । ମା ଥିବେ ବାପା ଥିବେ ବନ୍ଧୁ ପରିଜନ ଥିବେ । ଅବାଟକୁ ଗଲେ ଆକଟ କରିଥିବେ, ମେଳା ବୁଲେଇବାକୁ ନେଇଥିବେ, ସ୍କୁଲରେ ନେଇ ଛାଡିଆସିଥିବେ, ଖୁସିରେ ଖୁସି ହୋଇଥିବେ ଆଉ ଦୁଃଖରେ କାନ୍ଦିଥିବେ । ହେଲେ ମୋର ?


ଚନ୍ଦୁ ନିର୍ବାକ ହୋଇ ଶୁଣୁଥାଏ ଜନ୍ମାର ସେ ପ୍ରଗଳ୍ଭତାକୁ । ଶୁଣୁଥାଏ ଆଉ ଶୁଣୁଥାଏ ।  ଅନୁତାପର ଅନ୍ଧଗଳିରେ ସେ ଖୋଜୁଥାଏ ତାର ହଜି ହଜି ଯାଉଥିବା ସେହି ମଧୁର ଅତୀତ କୁ । ଆଖିରେ ଲୁହ ନଥାଏ । ବୋଧହୁଏ ହୃଦୟରେ ବସା ବାନ୍ଧିଥିବା ଏତେ ବଡ କୋହର ପିଣ୍ଡୁଳା ଆଖିର ଏତେ ସଂକୀର୍ଣ୍ଣ ପଥଦେଇ ଆସିବା ସମ୍ଭବ ନଥିଲା। ବାପାଙ୍କର ସେ ଅପଦାର୍ଥ ସମ୍ବୋଧନ ଭାରି ମନେ ପଡୁଥିଲା ତାର। ସତରେ ନିହାତି ଅପଦାର୍ଥଟାଏ ସେ।


ଦୀର୍ଘଶ୍ୱାସ ଛାଡ଼ି ଜନ୍ମା କହିଲା- ଆଛା କହିଲ ଦେଖି ଆଜିର ଅବାଧ୍ୟ ଅପଦାର୍ଥ ସନ୍ତାନ ମାନେ ସତରେ ବାପା ମାଆ ଭଳି ଏ ଦୁଇ ଅମୁଲ୍ୟ ରତ୍ନକୁ କଣ ଯତ୍ନ କରି ରଖୁଛନ୍ତି ? 

    ଅପ୍ରସ୍ତୁତ ଭାବରେ ଚନ୍ଦୁର ମୁହଁରୁ ବାହାରି ଆସିଲା ' ନା, କେବେନୁହେଁ '।

 -ତେବେ ତୁମେ କଣ ମୋ ସହିତ ହାତ ମିଳାଇ ଏକ ସ୍ୱରରେ କହିପାରିବ ? 

 - କଣ ?

 -" ଆମେ ହେବୁ ବାଡ଼ି ତୁମେ ଚାଲିବ ବାଟ " ।

  କଇଁ ଫୁଲିଆ ହସଟିଏ ଓଠରେ ଖେଳାଇ ଉତ୍ତର ଦେଲା ଜନ୍ମା- ଆରେ ମୁଁ ଗୋଟେ ବୃଦ୍ଧାଶ୍ରମ ଖୋଲିଛି । ସେଥିରେ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ରଖି ସେବାକରି ମୋତେ ବହୁତ ଆନନ୍ଦ ମିଳୁଛି । ତୁମେ ମୋ ସହିତ ଯୋଗ ଦେଇପାରିବ କି ?

  - ନିହାତି, କାହିଁକି ନୁହେଁ ।

  - ସେଇଥିପାଇଁ ତ ଆଜି ତୁମ ଗାଁକୁ ଆସିଥିଲି । ଜଣେ ବୃଦ୍ଧା ମୋତେ ଫୋନ କରିଥିଲେ । ବୃଦ୍ଧ-ବୃଦ୍ଧା ଦୁଇଜଣ ଅଛନ୍ତି । ଆଉ ତାଙ୍କର କେହି ନାହାନ୍ତି। ଘରଟା ଖୋଜିକି ପାଉନଥିଲି। ଦେଖିଲ ଏ ନାଆଁ ଆଉ ଠିକଣାଟା । 

  କାଗଜ ଟିକୁ ହାତରୁ ନେଇ ପଢୁ ପଢୁ ସେ ତାକୁ ଚିରିପକାଇଲା । ହସିଦେଇ କହିଲା ତୁମକୁ କେହି ଭୁଲ ଇନଫରମେସନ ଦେଇଛି । ଆମ ଗାଆଁରେ ପଣ୍ଡିତ ଘନଶ୍ୟାମ ମିଶ୍ର ଏବଂ ପ୍ରତିମା ମିଶ୍ର ନାମରେ ଲୋକତ ଅଛନ୍ତି ହେଲେ ତାଙ୍କର ଗୋଟେ ନିହାତି ଅପଦାର୍ଥ ପୁଅଟେ ବି ଅଛି ।


Rate this content
Log in

Similar oriya story from Classics