ଅଭିଶପ୍ତା ମାନବୀ
ଅଭିଶପ୍ତା ମାନବୀ
ସୁଦୂର ଆଣ୍ଡାମାନରେ ପୁରା ଏକ ବର୍ଷର ରହଣି ପରେ ଯେତେବେଳେ ମୁଁ ପୁଣି ଥରେ ମୋ ଭଡାଘର ଅଭିମୁଖେ ଗୋଟିଏ ଅଟୋରେ ଷ୍ଟେସନରୁ ଫେରୁଥାଏ, ବାରମ୍ବାର ମୁଣ୍ଡ ବାହାର କରି ଦେଖୁଥାଏ । ସେ ବାଜୁଆ ପାନ ଦୋକାନ, ଚାହାଖଟିର ବାଉଁଶ ତିଆରି ବେଞ୍ଚ, ଶିଶୁ ଉଦ୍ୟାନ ସାମ୍ନାରେ ବସିଥିବା ସେ ନିଶୁଆ ସିକ୍ୟୁରିଟି ଗାର୍ଡ, ବସଷ୍ଟାଣ୍ଡ ପାଖ ଗଳିର ନାକ ଫାଟି ପଡୁଥିବା ବାସ୍ନା, ଭଗବତୀ ମନ୍ଦିର ସାମ୍ନାରେ ବୁଲୁଥିବା ସେ ମାଙ୍କଡମାନେ, କେହିବି ବଦଳି ନାହାନ୍ତି ।
- କିନ୍ତୁ ମୁଁ ଏମିତି କାହିଁକି ଭାବୁଛି ?
ଆଣ୍ଡାମାନର ସେ ନିରୀହ ବନବାସୀମାନଙ୍କ ସହିତ ରହି ମୋ ମୁଣ୍ଡଟା ବି ସେହି ବନବାସୀ ହୋଇଗଲାଣି ବୋଧହୁଏ । ହେବନି କେମିତି । ଛଅମାସ ପାଇଁ ତାଙ୍କ ଜୀବନଚର୍ଯ୍ୟା ଉପରେ ରିସର୍ଚ୍ଚ କରିବାକୁ ଯାଇ ଏକ ବର୍ଷ ଯେ ରହିଗଲି ।
ସତରେ କେତେ ନିରୀହ ଯେ ସେମାନେ । ଥରେ କାହାକୁ ବିଶ୍ୱାସ କରିଗଲେ ଆଉ ଭଲପାଇଗଲେ ଜୀବନ ବି ଦେଇଦେବେ ତାଙ୍କ ପାଇଁ । ଠିକ ମିସେସ ଷଡ଼ଙ୍ଗୀଙ୍କ ପରି । ଏଇ ଦେଖୁନ ଏତେବଡ ସହରରେ ମୋ ଭଳି ଜଣେ ଅକିଞ୍ଚନକୁ ସେ ତାଙ୍କ ଘରେ ଆଶ୍ରୟ ଦେଇଥିଲେ । ଖାଲି ଆଶ୍ରୟ ଦେଇନଥିଲେ ମୋତେ ତାଙ୍କ ସାନଭାଇ ଭଳି ସ୍ନେହ ବି ଦେଉଥିଲେ ।
ସବୁ ମିଠାଫଳ ପୋକ ଲାଗିଲା ଭଳି ଏତେ ସ୍ନେହୀ ଲୋକଟାକୁ ଭଗବାନ ଏତେ ଶୀଘ୍ର ନିଜର କରିନେଲେ । ଯିଏ ନିଜ ଭଲପାଇବା, ସ୍ନେହ ତ୍ୟାଗର ରଜ୍ଜୁରେ ପୁରା ପରିବାରକୁ ଏକତ୍ର କରି ରଖିଥିଲେ । ମିସେସ ଷଡ଼ଙ୍ଗୀ ମାନବୀ ନଥିଲେ ଥିଲେ ଜଣେ ଦେବୀ । ନ ହୋଇଥିଲେ ଆକ୍ସିଡେଣ୍ଟରେ ଦୁଇଗୋଟି ଗୋଡ ହରେଇଲା ପରେ ଶାରୀରିକ ଦୃଷ୍ଟିକୋଣରୁ ସେ ସାରାଜୀବନ ପଙ୍ଗୁ ହୋଇଯାଇଥିଲେ ବି ମାନସିକ ଦୃଷ୍ଟିକୋଣରୁ ସେ କାଣିଚାଏ ବି ଧୈର୍ଯ୍ୟହରା ହୋଇନଥିଲେ । ସେ ଦୁଇପିଲାଙ୍କର ମାଆ ଭାବରେ ହେଉ କିମ୍ବା ଜଣେ ଆଦର୍ଶ ପତ୍ନୀ ଭାବରେ ଅବା ଜଣେ ମୁମୂର୍ଷୁ ପିତାର ଅନ୍ତିମ ଆଜ୍ଞାକୁ ପାଳନ କରିବାରେ, ସେ ନିଜକୁ ଶୀର୍ଷସ୍ଥାନରେ ରଖିପାରିଥିଲେ ।
ଅଚଳାଚଳ ସମ୍ପତ୍ତିର ମାଲିକ ସୁଧୀର ଚମ୍ପତିରାୟଙ୍କର ଏକମାତ୍ର କନ୍ୟା ଯେତେବେଳେ ପ୍ରେମକରି ବିବାହ କରିବାର ନିଷ୍ପତ୍ତି ନେଲା ସେତେବେଳେ ବାପା ସହଜରେ ରାଜି ହୋଇଯାଇଥିଲେ, କେବଳ ସର୍ତ୍ତ ଥିଲା ଘରଜୋଇଁଆ ।
ସାମାନ୍ୟ ମେଡ଼ିସିନ ରିପ୍ରେଜେନଟେଟିଭରୁ ଇଣ୍ଡଷ୍ଟ୍ରିଆଲିଷ୍ଟ ହେବା ପାଇଁ ମିଃ ଷଡ଼ଙ୍ଗୀଙ୍କ ଭାଗ୍ୟ ଆକାଶରେ ଏ ସର୍ତ୍ତ ଥିଲା ଗୋଟେ ଉଜ୍ବଳ ତାରକା ଭଳି । ବିବାହ ହେଲା । ଦୁଇ ଦୁଇଟି ସନ୍ତାନର ଜନକ ହେଲା ପରେ ବି ମିଃ ଷଡ଼ଙ୍ଗୀଙ୍କର ପ୍ରେମ ଥିଲା ଅତୁଟ ଓ ସ୍ବର୍ଗୀୟ ।
ଅଫିସ ଯିବାଠାରୁ ଆରମ୍ଭ କରି ଫେରିବା ପର୍ଯ୍ୟନ୍ତ ମିଃ ଷଡ଼ଙ୍ଗୀ ନିଜ ଅନୁପସ୍ଥିତିକୁ ଉପଲବ୍ଧି କରିବାକୁ ନଦେବା ପାଇଁ ଘରେ ଚାକର ବାକର ଠାରୁ ନେଇ ବଗିଚାର ମାଳି ଯାଏଁ ସମସ୍ତଙ୍କୁ କଡା ତାଗିଦ ମିସେସଙ୍କର ଯେମିତି କିଛିର ଅସୁବିଧା ନହୁଏ । ବଡ ଏଲଇଡ଼ି ଟିଭି, ଭିଡ଼ିଓ ଗେମ, ଇଣ୍ଟରନେଟର ମଧ୍ୟ ସୁବିଧା କରିଦେଇଥିଲେ । ସବୁ ପରେ ବି ଅଫିସ ରେ ଯେତେବଡ କ୍ଲାଏଣ୍ଟଙ୍କ ସହ ମିଟିଙ୍ଗ ଥିଲେବି ସେ ପାଞ୍ଚରୁ ଛଅ ଥର କଲ କରି ପତ୍ନୀଙ୍କର ଦେହପା କଥା ପଚାରିବୁଝନ୍ତି ।
ଦୁଇଦୁଇଟା ଚାକର ଥାଇ ବି ଦିନେ ଔଷଧ ଦେବାରେ କୋଡିଏ ମିନିଟ ବିଳମ୍ବ ହେବାରୁ ଜଣେ ନର୍ସଙ୍କୁ ମଧ୍ୟ ଘରକୁ ନେଇଆସିଲେ । ନର୍ସ ଦିନରାତି ତାଙ୍କରି ସେବାରେ ଲାଗି ରହିଥିଲା । ଏମିତିକି ରାତିରେ ବେଡ଼ରୁମରେ ମଧ୍ୟ ମିଃ ଷଡ଼ଙ୍ଗୀ ନର୍ସକୁ ଅନୁମତି ଦେଲେ ରହିବା ପାଇଁ । କାରଣ ଗୋଟେ ଗୋଟେ ମିନିଟ ମଧ୍ୟ ମୂଲ୍ୟବାନ ଥିଲା ତାଙ୍କ ପାଇଁ ।
ମୋ ଆଗରେ କେତେଥର ମିସେସ ଷଡ଼ଙ୍ଗୀ ନିଜର ଖୁସି ଜାହିର କରିଛନ୍ତି ନିଜର ଦାମ୍ପତ୍ୟ ଜୀବନକୁ ନେଇ । କେତେଥର ଆଖି ଛଳଛଳ କରି କହିଉଠିଛନ୍ତି ଯେ ମୋ ଭାଗ୍ୟବଳରେ ମୁ ଏମିତି ଜଣେ ଦେବତା ଭଳି ସ୍ୱାମୀ ପାଇଛି ।ମୋ ଆୟୁଷ ନେଇ ଭଗବାନ ତାଙ୍କୁ ଶତାୟୁ କରନ୍ତୁ ।
ସଜ ମାଛରେ ପୋକ ପକେଇଲାଵାଲା ଏଠାରେ ଅନେକ । ରାମା ମାଆ ଏଥିରୁ ଜଣେ ।କାହିଁକି କେଜାଣି ମିଃ ଷଡ଼ଙ୍ଗୀଙ୍କ ପରିବାରକୁ ସେ ଜମା ସାହିପାରେନି । ଛାଇ ପଡିଲେ ନାହି ଡିଏଁ । ଦେବତା ଭଳି ଲୋକର ନାଁରେ ଦେଖେଇ ଶୁଣେଇ ବହେ କଟୁ କଥା କହେ ।
ମୁଁ ଥରେ ଏହାର ପ୍ରତିବାଦ କରିବାରୁ ମୋତେ କହିଲା -''ହେଇଟି ବାବୁ ସାବଧାନେ !ମେତେ ଆଖିଦେଖେଇବା ଆଗରୁ ତୁମ ନାକ ଆଗରେ ଯେଉଁ ରାସଲୀଳା ସବୁ ହେଉଛି ତାକୁ ବନ୍ଦ କର। ଆମ ଘରେ ପିଲାଛୁଆ କଣ ଶିଖିବେ । ନିଜ ସ୍ତ୍ରୀ ଥାଉ ଥାଉ ପେରେମ କରିବା ପାଇଁ ଗୋଟେ ନର୍ସକୁ ଆଣି ରଖିଲାଣି ଘରେ । ଛିଃ ଛିଃ ଧର୍ମ ସହିବନିରେ । ଆଉଗୋଟିଏ ସ୍ତ୍ରୀ ହେଇଛି ନିଜ ଗେରସ୍ତକୁ ଅନ୍ୟ ସ୍ତ୍ରୀ ପାଖରେ ଲୀଳା କରିବା ପାଇଁ ଛାଡିଦେଇଛି ।''
ମନେମନେ ଭାରି ବିରକ୍ତ ହୁଏ ମୁଁ ଏଭଳି ଚରିତ୍ର ଉପରେ । ମିସେସ ଷଡ଼ଙ୍ଗୀଙ୍କର ଝରିଆସୁଥିବା ଆଖିଲୁହ ମୋତେ ଚୁପ କରିଦିଏ କିଛିକ୍
ଷଣ ପାଇଁ ।
ମିସେସ ଷଡ଼ଙ୍ଗୀ ଚାଲିଯିବା ପରେ ମିଃ ଷଡ଼ଙ୍ଗୀ ସମ୍ପୂର୍ଣ୍ଣ ଏକ ହୋଇଯାଇଥିବେ । ସେ ଯେମିତି ଲୋକ ଆଉ ଯେଭଳି ଭାବରେ ପତ୍ନୀକୁ ନିସ୍ଵାର୍ଥପର ଭାବରେ ଭଲପାଉଥିଲେ ତାଙ୍କ ସ୍ମୃତିକୁ ଝୁରିଝୁରି କଣ୍ଟା ହୋଇଯାଇଥିବେ ବରଂ ଦ୍ୱିତୀୟ ବିବାହ କଥା କେବେ ସ୍ୱପ୍ନରେ ବି ସୁଦ୍ଧା ଚିନ୍ତାକରିବେନି । ମୁଁ କିନ୍ତୁ ଦେଖାହେଲେ ତାଙ୍କୁ ବୁଝେଇସୁଝେଇ ରାଜି କରେଇବି ଦ୍ୱିତୀୟ ବିବାହ ପାଇଁ ।
ଅଟୋ ଆସି ଗେଟ ଆଗରେ ଅଟକିଲା ।
ଦୂରରୁ ଚିହ୍ନି ପକେଇ ପାଖକୁ ଦୌଡ଼ିଆସିଲା ଘରର ପୁରୁଣା ଚାକରାଣୀ ହାଜି ମାଉସୀ ମୋ ହାତରୁ ମୋ ବ୍ୟାଗ ଅତିଖୁସିରେ ଝାମ୍ପି ନେଇ ପୋଟିକ ତଳେ ଥୋଇଦେଲା । ମୁଁ ପଚାରିବା ଆଗରୁ ସେ ଅନର୍ଗଳ କହିଗଲା ଯେମିତି ସେ ମୋ ମନର କଥା ପଢିପାରୁଛି -
- ସେମାନେ କେହି ନାହାନ୍ତି ।
ବାବୁ ଦ୍ୱିତୀୟ ବିବାହ କରି ନୂଆଘରେ ରହୁଛନ୍ତି । ଏ ଘର ସବୁ ବିକ୍ରି ପାଇଁ ମଧ୍ୟ ଲେଖାମାରିଦେଇଛନ୍ତି । ଏହା କହି ସେ ସେହି ସାଇନବୋର୍ଡ ଆଡକୁ ହାତ ଠାରି ଦେଲା । ଯେଉଁଥିରେ 'ବିଲଡିଂ ଫର ସେଲ' ଲେଖାହୋଇଥିଲା ।
ସତେତ ମୋ ଆଖିରେ ପଡ଼ିନଥିଲା ।
ଭଲହେଲା ଦ୍ୱିତୀୟ ବିବାହ କରିଗଲେ । କେତେବା ବୟସ । ଏତେଗୁଡ଼ା ବୟସ ଏକ ନିଃସଙ୍ଗତାର ଜୀବନ ଜିଇଁବା ଅପେକ୍ଷା ଆଉଜଣକର ହାତଧରି ଚାଲିବାରେ ଅସୁବିଧା କଣ ?
ମିସେସ ଷଡ଼ଙ୍ଗୀ ଉପରେ ଥାଇ ଖୁସି ହେଉଥିବେ । ସେ ତ ଚାଁହୁଥିଲେ ସ୍ୱାମୀଙ୍କର ଏକାନ୍ତ ଖୁସି ଟିକକ । ବଞ୍ଚିଥିଲାବେଳେ ବି ସେ ଅନେକବାର ଅନୁରୋଧ କରିଥିଲେ ତାଙ୍କ ପତିଙ୍କୁ ଆଉଗୋଟିଏ ଜୀବନସାଥୀ ବାଛିନେବାକୁ । ହାଜି ମାଉସୀ ଗୋଟେ ଚିଠି ମୋ ହାତକୁ ବଢ଼େଇଦେଇ କହିଲେ ,ବାବୁ ଏ ଚିଠିଟି ମା ଚାଲିଯିବା ପୂର୍ବଦିନ ମୋତେ ଦେଇ କହିଥିଲେ ଆପଣଙ୍କୁ ଦେଇଦେବାକୁ ।
- ଚିଠିଟିକୁ ହାଜି ମାଉସୀ ହାତରୁ ଆଣୁ ଆଣୁ ପଚାରିଲି ବିବାହ କେବେ ହେଲା ?
- ମା ଚାଲିଯିବାର ପାଞ୍ଚଦିନ ପରେ ।
ଚିଠିଟିକୁ ଅଧା ଖୋଲି ଧପ କରି ରହିଗଲି । ପାଞ୍ଚଦିନ ପରେ ?ଏତେ ଶୀଘ୍ର । କେମିତି ଏକ ଅବୁଝା ରହସ୍ୟ ଗୁମ୍ଫାରେ ହଜିଗଲା ଭଳି ଲାଗିଲା । ପୁଣି କିଛି ପଚାରିବା ପୂର୍ବରୁ ହାଜି ମାଉସୀ କହିପକାଇଲା
- ହେଇ ଯେଉଁ ନର୍ସ ମାଆଙ୍କର ସେବା କରିବା ପାଇଁ ବାବୁ ଘରକୁ ଆଣିଥିଲେ ତାଙ୍କରି ସହିତ ବାହାଘର ହେଲା ପରା ।
ଗଭୀର ଅନ୍ତର୍ଦ୍ୱନ୍ଦ ମଧ୍ୟରେ ଅଧାଖୋଲା ଚିଠିଟିକୁ ପୁରା ଖୋଲିଦେଲି । ହଁ ଏ ତ ମିସେସ ଷଡ଼ଙ୍ଗୀଙ୍କର ହାତଲେଖା ଚିଠି ।
ଚିଠିଟାକୁ ପଢିବାକୁ ଆରମ୍ଭ କରିବା ମାତ୍ରେ ମୋତେ ଲାଗୁଥାଏ ଯେମିତି ମିସେସ ଷଡ଼ଙ୍ଗୀଙ୍କ ସେହି ଲୁହଭିଜା ମୁହଁ ମୋ ଆଖିସାମ୍ନାରେ ତା ଜୀବନର ଏ ଅପାସୋରା ଯନ୍ତ୍ରଣା ସବୁକୁ ବୟାନ କରିଚାଲିଛି :-
- ଭାଇ, ସେ ଜଣେ ଦେବତା ନୁହନ୍ତି, ପଶୁଟାଏ । ମୋତେ ବିବାହ କରିବା ପୂର୍ବରୁ ସେ ଭଲପାଇଥିଲେ ସେହି ଝିଅକୁ ଯାହାକୁ ସେ ପରେ ନର୍ସ କରି ଆମ ଘରେ ରଖିଥିଲେ । ମୋର ସେବା କରିବା ପାଇଁ ନୁହେଁ ବରଂ ନିଜର ଅଧାରହିଯାଇଥିବା ପ୍ରଣୟ କାହାଣୀକୁ ପୁରା କରିବା ପାଇଁ । ଟଙ୍କା ପାଇଁ ମୋତେ ବାହାହୋଇଥିଲେ ସେ ।
ବେଡ଼ରୁମର କ୍ଷୀଣ ଆଲୁଅ ମଧ୍ୟରେ ବିନା ମେଡ଼ିସିନରେ ମୁଁ ଯେତେବେଳେ ଛଟପଟ ହେଉଥିଲି ଯନ୍ତ୍ରଣାରେ ସେ କାମନାର ମହୋଦଧିରେ ବୁଡିରହି ଲାଭ କରୁଥିଲେ ଚରମ ପରିତୃପ୍ତି ।
କେବଳ ମୁଁ ନୁହେଁ ଦୁନିଆର କୌଣସି ସ୍ତ୍ରୀ ଏକଥା ସହିପାରିବ ନାହିଁ କି ତା ଆଖିସାମ୍ନାରେ ନିଜର ସ୍ୱାମୀ ପର ସ୍ତ୍ରୀ ସହିତ ସମ୍ପର୍କ ରକ୍ଷା କରିବାଟା ।
ମୁଁ ଆଉ ବଞ୍ଚିବି ନାହିଁ । ମେଡ଼ିସିନ ବଦଳରେ ସେ ଦେଉଥିବା ସ୍ଲୋପଏଜନକୁ ମୁଁ ଜାଣିଥିଲେ ବି ଫୋପାଡ଼ିଦେଉନାହିଁ କାରଣ ମୁଁ ମୁକ୍ତି ଚାହେଁ । ଆଉ ଦିନ କେଇଟାରେ ମୋ ନିଶ୍ୱାସ ଅଟକିଯିବ । ମୁଁ ଭୁଲ କରିଥିଲି ଗୋଟେ ତୁଳସୀ ବଣରେ ଛଦ୍ମବେଶରେ ଲୁଚିରହିଥିବା ଏହି ବାଘକୁ ଜଣେ ଦେବତା ବୋଲି ଭାବି ।
ଇତି ତୁମର ଜଣେ ଅଭିସପ୍ତା ଭଉଣୀ
ଦୀର୍ଘଶ୍ୱାସଟିଏ ଛାଡି ସେ ଚିଠିଟିକୁ ଦଳି ମକଚି ମୋ ପକେଟରେ ପୁରେଇଲି । ହାଜିମାଉସୀ ହାତରୁ ବ୍ୟାଗଟିକୁ ଟାଣିଆଣି ଏକ ଗମ୍ଭୀର ସ୍ୱରରେ ପଚାରିଲି -
- ହାଜିମାଉସି, ରାମା ମାଆ କଣ ଏବେ ବି ଗାଳି ଦେଉଛି ?
- ନାଇଁମ ବାବୁ, ପାଗେଳୀଟିଏ ନା କଣ । ମାଆଙ୍କୁ କେତେ ଗାଳିକରେ ମାଆ ଚାଲିଗଲା ଦିନ ଏଇଠି ଆସି ମୁଣ୍ଡ ପିଟିପିଟି ବହେ କାନ୍ଦିଛି ।