Sanjay kumar Panda

Tragedy

5.0  

Sanjay kumar Panda

Tragedy

ନଦୀପଠା

ନଦୀପଠା

4 mins
496



ଚପର୍ ଚପର୍ କାଦୁଅରେ ବି ଲୁଗାକୁ ଆଣ୍ଠୁ ଯାଏ ଟେକିଦେଇ ତିରିଲା ଗୁଡା଼ ଦୌଡ଼ିଥାନ୍ତି ନଦୀ ମୁହାଣ ଆଡ଼କୁ । ମାଝୀ ସାହିର ମାଆ ବୋଇଲେ ନଦୀକୁ ବୁଝାଏ । ନଦୀ ପଠାରେ ତାଙ୍କ ଦିନ ଆରମ୍ଭ ହୁଏ ତ ଦିନ ଶେଷ ବି ହୁଏ । ଏଇ ନଦୀ ତାଙ୍କ ଜୀବନ ଆଉ ଜୀବିକା । ମରଦମାନେ ମାଛ ମାରିବାକୁ ଏହି ନଦୀ ମୁହାଣ ଦେଇ ସମୁଦ୍ର ମଧ୍ୟକୁ ଯାଆନ୍ତି ଆଉ ମାଛ ମାରି ଦିନେ ହେଉ ବା ଦୁଇଦିନ ପରେ ପାହାନ୍ତିଆ ବେଳକୁ ଘାଟ ପାଖରେ ପହଞ୍ଚି ଯାଆନ୍ତି । ତିରିଲା ଛୁଆ ବଡ଼ମାଛ ସାନବାଛି ଅଲଗା କରନ୍ତି, ବେପାରୀଙ୍କୁ ମପାଣି କରନ୍ତି, ଆଉ ବଳକା ଚୂନା ଚୁପୁରି ଯାହା ରହେ ମୁଣ୍ଡରେ ଟୋକେଇ ଧରି ଗାଁ ଗାଁ ବୁଲି ବିକ୍ରି କରିବାକୁ ଯାଆନ୍ତି । ଏମିତି ଚାଲେ ତାଙ୍କ ସଂସାର । ତେଣୁ ଏ ଦଉଡା-ଦଉଡି଼ ଡକା-ହକା ଆଜିର ନୁହେଁ ବରଂ ନିତିଦିନର ।


     ଫାଗୁ ମାଆ ନୂଆଁଣିଆ ଚାଳ ଛପର ତଳୁ ନଇଁପଡ଼ି ବାହାରକୁ ଚାହିଁଲା । କାହିଁ କାହାରି ହାତରେ ତ ଜାଲଟା, ଦୁଣ୍ଡୁରି କି ଟୋକେଇ ନାହିଁ ମାଛ ଆଣିବା ପାଇଁ ! ତେବେ...


     ବୁଢ଼ୀ ମନକୁ ପାପ ଛୁଇଁଲା । ବ୍ୟସ୍ତ ବିବ୍ରତ କଣ୍ଠରେ ବୁଢ଼ୀ ପଚାରିଲା :


   - ହଇଲ ହେଏଇ..., କାଆଡେ଼ ଇମିତି ଧାଇଁଚ ବା !


   - ଲ ଫାଗୁମାଆ, ଆଇବୁ କି; ନଇକୂଳ ଘାଟରେ କିଏ ପା ମରିକି ପଡି଼ଛି । ପାଣିରେ ଭାସି ଆଇଚି କୁଆଡୁ । 

 ତାଙ୍କ ମଧ୍ୟରୁ ଜଣେ କିଏ ଧାଉଁ ଧାଉଁ କହିଦେଇଗଲା ।


   ବୁଢ଼ୀ ଟିକେ ଉଚ୍ଚା ଶୁଣେ । ତେଣୁ ତାକୁ କିଛି ଶୁଭିଲା ନାହିଁ । ବରଂ ସେ ଉପରକୁ ଅନେଇ ହାତଯୋଡି ଭଗବାନଙ୍କୁ ଇଙ୍ଗିତ କରି କହିଲା:


   “ ଆଜି କାଲି କାହା କଥା କିଏ ଶୁଣୁଛି ନା ବଡ଼ସାନ ବୋଲି ଆଉ ଖାତିର ଅଛି ! ଘୋର କଳି କାଳ । “


ରାତିର ଅନ୍ଧାର ସଂପୂର୍ଣ୍ଣ ସରିଆସିଲାଣି । ଆକାଶକୁ ଦେଖିଲେ ଲାଗୁଛି ରେଡି଼ଓ ଠିକ୍ କହିଥିଲା । ଅଠଚାଳିଶ ଘଣ୍ଟା ରହିବ ବର୍ଷା ଆଉ ପବନର ପ୍ରଭାବ ।ରହିଲା ବି । ଦୁଇଦିନ ତଳେ ଏଇ ଆକାଶରେ ଘୋଟିଆସିଥିବା କଳାହାଣ୍ଡିଆ ମେଘ ଆଉ ଛପର ଉଡ଼ା ପବନ ସବୁ ଆଜିକୁ କିଛି ନଥିଲା । ଆକାଶ ପୁରା ସଫା । କିନ୍ତୁ ଦୁଇଦିନ ଭିତରେ ଖୁବ୍ ତାଣ୍ଡବ ରଚିଦେଇ ଯାଇଥିବା ଝଡ଼ ଛାଡି଼ଯାଇଥିଲା ନିଜ ପାଦଚିହ୍ନ; କାହା ଗୁହାଳ ଘର ଛପର, ଭଙ୍ଗା କାନ୍ଥ, ବିଦ୍ୟୁତ୍ ଖୁଣ୍ଟ, କାନ୍ଦି ଛାଡିଥିବା କଦଳୀ ଗଛ ଇତ୍ୟାଦିରେ । ହେଲେ ସବୁଠୁ ଅଧିକ କ୍ଷତି ହୋଇଛି ଫାଗୁମାଆର ।


   ଗୋଟିଏ ବୋଲି ପୁଅ ଫାଗୁ ଓ ଗୋଟିଏ ବୋଲି ନାତି ବାଇଆକୁ ନେଇ ତାର ହସକାନ୍ଦର , ତେଲଲୁଣର ସଂସାର । ପତ୍ନୀ ଚାଲିଗଲା ଦିନରୁ ଫାଗୁ ବି ନିଜ ଆଠ ବର୍ଷର ପୁଅ ବାଇଆ ଓ ପଞ୍ଚାଅଶି ବର୍ଷ ବୟସର ବୁଢୀ ମାଆ ପାଇଁ ଖୁ ବଳ ଖଟେଇଛି ନଇରେ । ନିଜେ କୂଅପାଣି ରୁ ଢାଳେ ପେଟରେ ଦେଇ ତାଙ୍କ ପାଇଁ ଯୁଗାଡ଼ କରିଛି ପଖାଳ ଦି-କଂସା ଆଉ ମେଞ୍ଚେ ପିତା ଶୁଖୁଆ ।


   ଦୁଇଦିନ ତଳେ ରେଡି଼ଓ ଖବରରେ ଘନ ଘନ ପ୍ରଚାର, ସତର୍କବାଣୀ ସତ୍ତ୍ୱେ ଫାଗୁ ବାହାରି ଯାଇଥିଲା ମାଛ ମାରିବାକୁ । ନଗଲେ ପେଟ ଅପୋଷା । ପେଟକି ବୁଝେ ଝଡତୋଫାନ ! ବୁଢୀ ଅଟକେଇବାକୁ ଚେଷ୍ଟା କଲେବି ତା ଆଖିରେ ନାଚି ଯାଉଥିବା ବାଇଆର ଭୋକ ଜନିତ ବିକଳିଆ ମୁହଁଟି ପାଇଁ ସେ ବି ନିରବ ସମର୍ଥନ କରି ଜାଲ ଆଉ ଦି-ତିନି ଓଳି ଖାଇବା ଖୋରାକ ବାନ୍ଧି ଦେଇଥିଲା ନାଲି ଗାମୁଛାରେ ପୁଟୁଳା କରି ।


   ହଟାତ୍ ବାଇଆଟା ଦଉଡି଼ ଆସି ଜେଜେମାକୁ କୁଣ୍ଢେଇ ପକେଇ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା । ବୁଢୀ ଆବାକାବା ହୋଇ ତା ଆଡ଼କୁ ମୁହଁ ଭିଡି଼ନେଇ ପଚାରିଲା :


   -କି’ରେ କଣ ହେଲା ! ତୁ ପା ଧନିଆଦି ଘରକୁ ଯାଇଥିଲୁ ବାଆ କଥା ପଚାରିବାକୁ ।


   -ଧାନିଆଦି କହିଲା....କହିଲା.....!


   ପୁଣି କାନ୍ଦିବାକୁ ଲାଗିଲା ବାଇଆ । ବୁଢୀ ନିଜ ପିନ୍ଧା କାନିରେ ଲୁହ ପୋଛି ମୁଣ୍ଡ ଆଉଁଶି ଦେଉଦେଉ ଗେଲେଇ ହୋଇ ପଚାରିଲା :


   -ମୋ ଧନଟା ପରା....କାଆନ୍ଦିନି.... । କଅଣ ହେଲା କଅତ ।


   - ଧନିଆଦି କଇଲା, ବାଆକୁ ଛାଡି଼ ଆଉ ଝଡ଼ ବର୍ଷା ପାଇଁ କେଇ ବି ଯାଇନଥିଲେ ଡଙ୍ଗା ନେଇ ।


   - ସେଇଠୁ !


   - ନଇକୂଳରେ ଗୋଟେ ପେଟ ଫୁଲିଯାଇଥିବା ମଲା ଲୁକଟେ ଭାସୁଛି । ସମିତେ ଧାଇଁଚନ୍ତି ଦେଖିବା ପାଇଁ । ମୁହଁ ଜମା ଚିହ୍ନି ହେଉନି । ଧନିଆଦି କଇଲା ବାଆ ଲୁଙ୍ଗି ଭଳି ସେ ଲୁକଟା ପିନ୍ଧିଛି ।


  ଏତକ ଶୁଣୁଶୁଣୁ ବୁଢ଼ୀ ଛାତିରେ ରଚ୍ କରି ଏକ ବଡ଼ କଣ୍ଟା ପଶିଗଲା ଭଳି ଅନୁଭବ କଲା । କେହି ଯେମିତି ତା କଲିଜା ଦିଟାକୁ ଗୋଟେ ବଡ଼ ପଥରରେ ଛେଚିପକେଇଲା । କଥା କଥାକେ ଲମ୍ବା ସ୍ଵର ମେଲେଇ ବାହୁନି ପାରୁଥିବା ବୁଢ଼ୀ ଏ କ୍ଷଣରେ କିନ୍ତୁ ନିଜ କୋହକୁ ଅଟକାଇଲା ବଡ଼ କଷ୍ଟରେ କେବଳ ବାଇଆଟା ପାଇଁ । ଆଖିଭିତରେ ଏକ ବିରାଟ ଝଡ଼ର ସୃଷ୍ଟିକୁ ଭଲଭାବେ ଅନୁଭବ କରିପାରୁଥିଲେ ବି ମିଛରେ ବାଇଆ ପିଠିରେ ଏକ ସାନ୍ତ୍ଵନାଭରା ଆଉଁଷା ଦେଇ କହିଲା –


   - ଓଃ ଏଇ କଥା ପାଇଁ ମୋ ଧନ କାନ୍ଦୁଛି । ଛିଃ ....ତୋ ବାପା ପରା ଚିତିପହଁରା, ବୁଡା଼ପହଁରା, ଓଲଟପହଁରା ସବୁ ଜାଣେ । ତୋତେ ପରା ପିଠିରେ ବସେଇ ମଝିନଇରେ ବୁଲେଇ ଆଣେ । ସେ କାଇଁ ତୋ ବାପା ହବ ।


   ସେ ନଦୀ ଆରପଟ ପହଁରା ଜାଣିନଥିବା ଗାଁ ର ଲୋକ । ତୁ ବ୍ୟସ୍ତ ହଅନା ଦେଖିବୁ ତୋ ବାପା ଢେର୍ ମାଛ ଧରି ଆସିବ।


    - ତାଆଲେ ଚାଲୁନୁ ମାଛ ଆଣିବାକୁ ଘାଟକୁ ଯିବା !

ସକେଇ ହୋଇ କହିଲା ବାଇଆ । କାନ୍ଦି କାନ୍ଦି ଇପ୍ସିତ ବସ୍ତୁ ପାଇସାରିବା ପରେ ଶିଶୁର

 ବନ୍ଦ ହୋଇଆସୁଥିବା କାନ୍ଦର ଏକ ନିଆରା ନିରିହପଣ ଥାଏ । ଏବେ ତାହା ସ୍ପଷ୍ଟ ବାରିହୋଇପଡୁଥିଲା ତା ନିରିହ ମୁହଁରୁ ।


    - ତୁ ଟୋକେଇ ନେଇ ପଛେ ପଛେ ଆ । ମୁଁ ଆଗରେ ଯାଉଛି ।


   ଏତିକି କହି ବୁଢ଼ୀ ଖୁ ଲମ୍ବା ଲମ୍ବା ପାହୁଣ୍ଡ ପକେଇ ନଇପଠା ଆଡ଼କୁ ମାଡି଼ ଚାଲିଲା ।


    ଅଶୀ ବର୍ଷର ବୁଢ଼ୀ ଆଖିରେ ବୁନ୍ଦା ବୁନ୍ଦା ଲୁହ ,କିଛି ଦିନ ତଳେ ବୋହୂ କୁ ହରେଇ ଥିଲା । ଆଉ ଆଜି....!


    ବୁଢ଼ୀ ମନେ ମନେ ପାଞ୍ଚ ଗାଁ ର ଠାକୁର ଠାକୁରାଣୀ ଙ୍କୁ ମାନସିକ କରିଚାଲିଥାଏ । କାହକୁ ଲୁଗା ଦେବ, କାହା ପାଖରେ ଖିରି ହାଣ୍ଡି କରିବ । ଆଉ ନଦୀ କୂଳର ସେ ମା' ଜାଗୁଳାଇ କୁ ବି । ଯମ କୁ ଢେର ଗାଳି କରୁଥାଏ ମନେମନେ ।


   ନଦୀ କୂଳରେ ମେଞ୍ଚାଏ ଲୋକ ମେଳି ବାନ୍ଧି ଠିଆ ହୋଇ କୁବୁର କାବର ଚଳେଇଥାନ୍ତି ସେହି ମଲା ଲୋକ ଟିକୁ ଘେରି ହୋଇ । ବୁଢ଼ୀକୁ କିଛି ଦୂରରୁ ଦିଶିଗଲା ସେ ଲୋକର ନେଳିଆ ଗାରଗାରିକା ଲୁଙ୍ଗି ଖଣ୍ଡକ । ଓଃ ଆଉ ଧୈର୍ଯ୍ୟ ଧରି ରହି ପାରିଲାନି ।


   ପାଦ ଆଗକୁ ଚଳିଲାନି ।ଆଉ ପାଖକୁ ନ ଯାଇ ସେଇଠୁ ଦକ୍ଷିଣ ଦିଗରେ ନଦୀ ପଠାରେ ଥିବା ଜାଗୁଳାଇ ମନ୍ଦିର ଆଡ଼କୁ ମୁହଁ କରି ତଳେ ବସି ପଡି଼ଲା ବୁଢ଼ୀ । ଖୁ ଜୋରରେ ଚିତ୍କାର କରି ବାହୁନିବାକୁ ଆରମ୍ଭ କଲା ।


   " ଏକା କରି ମୋତେ କୁଆଡ଼େ ଗଲା ମୋ ଧନ.....

 ଏ ଦିନ ଦେଖିବା ଆଗରୁ ମୋତେ ଯା ନେଲାନି ହେ ଯମ....

 ବାଳୁତ ଛୁଆ କୁ କିସ ମୁଁ କହିବି ହେ ବାବୁ..."


   ବୁଢ଼ୀର ଏ ବୁକୁ ଫଟା ଚିତ୍କାର ଶୁଣି ଆହା ପଦେ କହିବା ଛଡ଼ା ଆଉ କିଛି ଚାରା ନ ଥାଏ ଲୋକ ମାନଙ୍କର । ସମସ୍ତେ ଏକ ପ୍ରକାର ନୀରବ ସମବେଦନା ଜଣାଉଥାନ୍ତି କେଇଟୋପା ଲୁହ ମାଧ୍ୟମରେ ।


   ହଟାତ୍ ପଛରୁ ଲୁଗା କାନିକୁ ଭିଡ଼ିଧରି ବାଇଆ ନଦୀକୂଳ ଆଡ଼େ ଆସୁଥିବା ଏକ ଡଙ୍ଗା ଆଡ଼କୁ ହାତ ଠାରି ଚିତ୍କାର କରି ନାଚି ଉଠିଲା :


   -ହେଇ ଦେଖ୍ ଜେଜେମା...ଆମ ଡଙ୍ଗା ଆସିଗଲା । ବାଆ ଆସିଗଲା । ମାଛ ଆସିଗଲା ।


   ଧପ୍ କରି ବାହୁନାର ପରଧାଡ଼ିକୁ ତଣ୍ଟିପାଖେ ଅଟକାଇ ବୁଢ଼ୀ ଆତୁର ହୋଇ ଚାହିଁଲା ଡଙ୍ଗା ଆଡ଼କୁ । 

  ଫାଗୁ ସବୁଦିନ ଭଳି ଡଙ୍ଗା ଅଗ୍ରଭାଗରେ ଠିଆହୋଇ ନିଜ ନାଲି ଗାମୁଛାଟିକୁ ଖୁସିରେ ଷ୍ଟେସନ ମାଷ୍ଟର ଭଳି ହଲାଉଥାଏ । କୁଳକୁ କୁଳକୁ ଡଙ୍ଗା ମାଡ଼ି ଆସୁଥାଏ ।


Rate this content
Log in

Similar oriya story from Tragedy