Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦୁହିତା
ଦୁହିତା
★★★★★

© Minakshi Samal

Tragedy Tragedy

4 Minutes   1.6K    10


Content Ranking

ଦୁହିତା..... ଦୁଇ କୁଳକୁ ହିତା ନହେଲେ ଦୁଇ କୁଳକୁ ପିତା।ଛୋଟବେଳେ ଶୀଲା ଏସବୁର ମାନେ ଆଦୌ ବୁଝୁ ନଥିଲା।ବୟସ ବଢିବା ସହିତ ଅନେକ କିଛି ସେ ହୃଦୟଙ୍ଗମ କରିପାରିଥିଲା।ନିଜକୁ କ'ଣ କରିବାକୁ ପଡିବ ତା'ର ନିଷ୍ପତ୍ତି ସେ ନେଇ ସାରିଥିଲା।

ମେଧାବୀ ଛାତ୍ରୀ ହିସାବରେ ଶୀଲା ସମସ୍ତଙ୍କର ପ୍ରିୟପାତ୍ରୀ ଥିଲା।ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ବାଧ୍ୟ ଝିଅଟିଏ ଥିଲା ସେ।

ଆଖପାଖ ଦଶଖଣ୍ଡ ଗାଁ ରେ ସେ ଥିଲା ଗୋଟିଏ ସୁନା ନାକୀ ଝିଅ ଯାହାକୁ ଜିଲ୍ଲାସ୍ତରୀୟ ଛାତ୍ର ବୃତ୍ତି ମିଳୁଥିଲା।କେବଳ ପଢା ନୁହେଁ ଘରକରଣା ଓ ସାମାଜିକ ପ୍ରଥା ଓ ଚଳଣୀ କୁ ଖୁବ୍ ସମ୍ମାନର ସହିତ ମାନୁଥିଲା ମଧ୍ୟ।ପିତା ସଦାଶିବ ପରିଜାଙ୍କ ଛାତି ଖୁସିରେ କୁଣ୍ଢେମୋଟ ହେଇଯାଉଥିଲା ଝିଅର ପ୍ରଶଂସା ଶୁଣି।

ପ୍ରଥମ ଶ୍ରେଣୀରେ ମ୍ୟାଟ୍ରିକ୍ ପାଶ୍ କରିବା ପରେ ସେ ଅଞ୍ଚଳରେ ସମସ୍ତେ ସଦାଶିବ ବାବୁଙ୍କୁ ପରାମର୍ଶ ଦେଲେ ଶୀଲା କୁ ଉଚ୍ଚଶିକ୍ଷା ପାଇଁ ସହରକୁ ପଠାଇବାକୁ।ସମସ୍ତଙ୍କ ସହିତ ବିଚାର ବିମର୍ଶ କରିବା ପରେ ସଦାଶିବ ବାବୁ ନିଜର ସିଦ୍ଧାନ୍ତରେ ଉପନୀତ ହେଲେ ଓ କଟକ ସହରର ଏକ ସୁନାମ ଧନ୍ୟ ମହାବିଦ୍ୟାଳୟରେ ଶୀଲାର ନାମ ଲେଖାଇବା ପାଇଁ ପହଞ୍ଚିଲେ।ଖୁବ୍ ସୁରୁଖୁରୁରେ ସବୁ କାମ ସରିଲା।ଝିଅକୁ ଛାତ୍ରୀନିବାସରେ ଛାଡି ସଦାଶିବ ବାବୁ ଫେରିଲେ ଗାଁ କୁ।

ଏ ଭିତରେ ଚାରିବର୍ଷ ଅତିକ୍ରାନ୍ତ ହୋଇସାରିଛି।ଶୀଲା ପଦାର୍ଥ ବିଜ୍ଞାନ ଅନର୍ସର ଦ୍ଵିତୀୟ ବର୍ଷ ସ୍ନାତକ ଛାତ୍ରୀ।ବହୁଦିନ ଧରି ବାପା ମା'ଙ୍କ ସହିତ ଦେଖା ନହୋଇ ଥିବାରୁ ମନଟା ତା'ର ଖୁବ୍ ଗୋଳେଇ ଘାଣ୍ଟି ହେଉଥାଏ।ଆଗକୁ ପରୀକ୍ଷା ଥିବାରୁ ଗାଁକୁ ଯିବା ମଧ୍ୟ ସମ୍ଭବ ହେଲାନି ତା ପାଇଁ।ମନକୁ ମାରି ପଢାରେ ଧ୍ୟାନ ଦେଲା ସେ।

ଶୀଲାର ଯମଜ ଭଉଣୀ ବେଲା।ଶୀଲାର ବିଲକୁଲ ଓଲଟା।ପଢାପଢି ରେ ତା'ର ଆଗ୍ରହ ନଥାଏ।ଖାଇବା ଏବଂ ଶୋଇବା ଏଇ ଦୁଇ ଟି ତା ଜୀବନର ମୂଳମନ୍ତ୍ର ଥିଲା।ଯେନତେନ ପ୍ରକାରେଣ ମ୍ୟାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ରୋକ୍ ଠୋକ୍ ଭାବରେ ଆଉ ନପଢିବା ପାଇଁ ଘରେ କହିଦେଲା।ମା ବାପା ଏ କଥା ଶୁଣି ମୁଣ୍ଡରେ ହାତ ଦେଲେ।କିନ୍ତୁ ସେମାନଙ୍କର କିଛି କରିବାର ନଥିଲା।

ଦୁଇଜଣ ମିଶି ବେଲା ପାଇଁ ମନଲାଖି ପାତ୍ର ଖୋଜିବାରେ ଲାଗିଲେ।ପଡୋଶୀ ଗାଁ ର ସୁରେଶ ଧଳଙ୍କ ପୁଅ ବୀରେନ୍ ସହିତ ବେଲାର ବିବାହ ଠିକ୍ କଲେ ବାପା ମା' ଦୁଇଜଣ ମିଶି।ବେଲା ର ଜନ୍ମ ତିଥି ଅନୁସାରେ ଆଶ୍ବିନ ଶୁକ୍ଲ ଚତୁର୍ଦ୍ଦଶୀ ବିବାହର ଉପଯୁକ୍ତ ମୁହୁର୍ତ୍ତ ଥିଲା।ବିବାହର ସବୁ ଯୋଗାଡଯନ୍ତ୍ର କରିବା ଆରମ୍ଭ କରିଦେଲେ ପରିଜା ଦମ୍ପତି।

ବିବାହର ପାଞ୍ଚ ଦିନ ଆଗରୁ ସଦାଶିବ ବାବୁ କଟକ ଯାଇ ଶୀଲାଭର ଛାତ୍ରୀ ନିବାସରେ ପହଞ୍ଚିଲେ।ନିଜର ଆବଶ୍ୟକୀୟ ଜିନିଷପତ୍ର ସହିତ ଶୀଲା ବାହାରି ପଡିଲା ଗାଁ କୁ ଯିବାକୁ।ଖୁସିରେ ତା' ଗୋଡ ତଳେ ଲାଗୁ ନ ଥାଏ।ଘରେ ପହଞ୍ଚୁ ପହଞ୍ଚୁ ମା' ବିନୋଦିନୀ ଙ୍କ ସହିତ ମିଶି କାମରେ ଲାଗିଗଲା ସେ।

ବିବାହ ର ଦିନ ଉପସ୍ଥିତ।ବଧୂବେଶ ରେ ବେଲାକୁ ସଜାଇବାକୁ ତା'ର ବାନ୍ଧବୀ ମାନେ ଆସି ପହଞ୍ଚି ସାରିଥା'ନ୍ତି।ସେପଟେ ବନ୍ଧୁ ବାନ୍ଧବ ମାନେ ବରଯାତ୍ରୀଙ୍କ ଅପେକ୍ଷାରେ ବସିଥା'ନ୍ତି।ଦୂରରୁ ବାଣ ରୋଷଣୀ ଶବ୍ଦରେ ଚାରିଦିଗ ଫାଟି ପଡିଲା।ଜ୍ବାଇଁଙ୍କୁ ବରଣ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହେଲେ।ବରଯାତ୍ରୀ ମାନଙ୍କୁ ସସମ୍ମାନେ ପାଛୋଟି ଅଣାହେଲା ଓ ତାଙ୍କର ଆଦର ସତ୍କାରରେ ସମସ୍ତେ ଲାଗି ପଡିଲେ।

ଏପଟେ ବିବାହ କାର୍ଯ୍ୟ ସମ୍ପନ୍ନ ପାଇଁ ବେଦୀ ଉପରକୁ ବରକୁ ନିଆଗଲା।ବ୍ରାହ୍ମଣ ମନ୍ତ୍ର ପଢିବା ଆରମ୍ଭ କଲେ।ଝିଅକୁ ବେଦୀ ଉପରକୁ ଆଣିବାକୁ ବ୍ରାହ୍ମଣ ଗୋସେଇଁ ଆଦେଶ ଦେଲେ।ମା' ବିନୋଦିନୀ ନିଜେ ଯାଇ ଝିଅକୁ ନେଇ ଆସିବାକୁ ଉଦ୍ୟତ ହେଲେ।ଝିଅ ବେଲାର ଦରଜାରେ କରାଘାତ କରି ଦରଜା ଖୋଲିବାକୁ କହିଲେ।ଅନେକ ସମୟ ପର୍ଯ୍ୟନ୍ତ କୌଣସି ଜବାବ ନମିଳିବାରୁ ଛାତିରେ ତାଙ୍କର ଛନକା ପଶିଲା।ଭୟରେ ଥରିବାକୁ ଲାଗିଲେ ଓ ଲଥ୍ କରି ସେଇଠି ବସି ପଡିଲେ ସେ।ମା'ଙ୍କ ଆସିବାରେ ବିଳମ୍ବ ହେବାରୁ ସଦାଶିବ ବାବୁ ଶୀଲାକୁ ପଠାଇଲେ।ମା'ଙ୍କର ଏ ଅବସ୍ଥା ଦେଖି ଶୀଲା ବାପାଙ୍କୁ ଜୋରରେ ଡାକିଲା।ଦୌଡା ଦୌଡି ହୋଇ ସମସ୍ତେ ସେଠାରେ ପହଞ୍ଚି ଗଲେ।କବାଟ ଭାଙ୍ଗି ଭିତରେ ପଶି ଦେଖିଲେ ବେଲା ତା'ର ଗହଣା ଗାଣ୍ଠୀ ସହ ଗାୟବ ହୋଇଯାଇଛି ।ବାପା ମା'ଙ୍କ ମୁଣ୍ଡରେ ବଜ୍ର ପଡିଲା।ବର ପକ୍ଷର ମୁରବୀ ମାନଙ୍କ ପାଖରେ ତୁରନ୍ତ ଏ ଖବର ପହଞ୍ଚି ଗଲା।ଭାବୀ ସମୁଦୀ ସୁରେଶ ବାବୁ ସଦାଶିବ ବାବୁଙ୍କୁ ପରାମର୍ଶ ଦେଇ କହିଲେ "ପୁଅ ବେଦୀରୁ ତ ଏମିତି ଫେରିବନି।ଆପଣ ଆପଣଙ୍କ ଝିଅ ଶୀଲାକୁ ବଧୂ ଭାବେ ବେଦୀ ରେ ବସାଇବାର ବ୍ୟବସ୍ଥା କରନ୍ତୁ।ଏଥିରେ ଦୁଇ ପରିବାରର ମଙ୍ଗଳ ହେବ।ସଦାଶିବ ବାବୁ କିଂକର୍ତ୍ତବ୍ୟବିମୂଢ ହୋଇ ମୁଣ୍ଡରେ ହାତ ଦେଇ ବସି ପଡିଲେ।

ବାପା ମା'ଙ୍କର କରୁଣ ଅବସ୍ଥା ଦେଖି ଶୀଲା ନିଜକୁ ଦୃଢ କଲା।ବାପାଙ୍କ ହାତ ଧରି ସେଠାରୁ ଉଠାଇଲା।ମା'ଙ୍କ ଆଖିରୁ ଲୁହ ପୋଛି ତାଙ୍କୁ ଚିନ୍ତା ନ କରିବାକୁ କହିଲା ..........

କିଛି ସମୟ ମଧ୍ୟରେ ବଧୂବେଶରେ ଶୀଲାକୁ ବେଦୀ ଉପରକୁ ଅଣାଗଲା ଓ ବୀରେନ୍ ସହିତ ତା'ର ବିବାହ ସମ୍ପନ୍ନ ହେଲା।ନିଜର ଅସ୍ତିତ୍ବକୁ ବଳି ଦେଇ ବାପା ମା'ଙ୍କୁ ଟିକିଏ ସ୍ବସ୍ତିର ନିଶ୍ବାସ ମାରିବାକୁ ସୁଯୋଗ ଦେଇ ଝିଅରୁ ଅଚାନକ ବୋହୁ ହୋଇଗଲା ସେ।

ନୂଆ ବୋହୁକୁ ଶଂଙ୍ଖ ହୁଳହୁଳି ପକାଇ ବରଣ କରିନେଲେ ସୁରେଶ ବାବୁଙ୍କ ପତ୍ନୀ ରେବତୀ।ବୋହୁର ଗୃହ ପ୍ରବେଶ ଦିନଠାରୁ ସମଗ୍ର ଧଳ ପରିବାର ରେ ଖୁସିର ମାହୋଲ।ବୀରେନ୍ ର ଖୁସିର ସୀମା ନଥାଏ ।ଏତେ ପାଠୋଇ ଓ ଦଶଖଣ୍ଡ ଗାଁ ର ମଉଡମଣୀକୁ ନିଜ ପତ୍ନୀ ଭାବରେ ପାଇ ସେ ନିଜକୁ ଗର୍ବିତ ମନେ କରୁଥାଏ।ବୀରେନ୍ ର କଲେଜ ପଢୁଆ ଭଉଣୀ ଡେଜି ନିଜ କଲେଜରେ ଡେଙ୍ଗୁରା ପିଟିବା ସହିତ ନିଜ ଭାଉଜର ଗୁଣଗାନ କରିବାକୁ ଲାଗିଗଲା।

ଶୀଲା ସମ୍ପୂର୍ଣ ରୂପେ ସମର୍ପଣ ଭାବ ନେଇ ଧଳ ପରିବାରର ଆଦର୍ଶ ବୋହୁ ଓ ବୀରେନ୍ ର ଆଦର୍ଶ ପତ୍ନୀ ବନିଗଲା।ପାଠ ପଢାକୁ ଅଧାରେ ଛାଡିବାର ଦୁଃଖକୁ ଚିରଦିନ ପାଇଁ ମନ ତଳର ଗୁପ୍ତ ଫରୁଆରେ ବନ୍ଦ କରି ରଖି ଦେଲା।

ସେଦିନ ଥାଏ ଦିପାବଳୀ।ସନ୍ଧ୍ୟା ପୂର୍ବରୁ ନଣନ୍ଦ ଡେଜି ସାଙ୍ଗରେ ମିଶି ଘରକୁ ଲିଚୁ ଲାଇଟ୍‌ରେ ସଜାଇଲା ଶୀଲା।ଦୀପରେ ତେଲ ଦେଇ ଚଉରା ମୂଳରେ ରଖିଲା।ଦାଣ୍ଡ ଦୁଆରେ ଏବଂ ଠାକୁରଙ୍କ ପାଖରେ ଦୀପ ଜଳାଇ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କଲା।ରୋଷେଇ ଘରକୁ ଯାଇ ସମସ୍ତଙ୍କ ପାଇଁ ସୁଜି କାକରା, ସିମେଇ କ୍ଷିରୀ ,ପୁରୀ ଓ ତରକାରୀ ତିଆରିରେ ବ୍ୟସ୍ତ ରହିଗଲା ସେ।

ସମସ୍ତଙ୍କୁ ଖାଇବାକୁ ପରୋଶିବା ପରେ ଡେଜିକୁ ଡାକିବାକୁ ଯିବା ବେଳେ ସେ ଦୌଡି ଦୌଡି ଆସି ଶୀଲା ଉପରେ କାନ୍ଦି କାନ୍ଦି ଲୋଟି ପଡିଲା।ତାର ମଥା ଉପରେ ହାତ ସାଉଁଳେଇ କାନ୍ଦିବାର କାରଣ ପଚାରିବାରୁ ଡେଜି ଘରର ପଛପଟକୁ ଶୀଲାକୁ ଟାଣି ଟାଣି ନେଇଗଲା ଆଉ ଯାହା ଦେଖାଇଲା ତା' ଦେଖି ଶୀଲାର ପାଦତଳୁ ମାଟି ଯେମିତି ଧସିବାକୁ ଲାଗିଲା।

ଦଶ ମିନିଟ୍ ରେ ପୋଲିସ ଜିପ୍ ଆସି ଧଳ ବାବୁଙ୍କ ଘର ସାମନାରେ ଠିଆହେଲା।ହାତକଡି ନେଇ ପୋଲିସ ଅଫିସର ଠିଆହୋଇ ଶୀଲାର ଜମାନବନ୍ଦୀ ଲେଖୁଥିଲେ। .........ଘର ପଛପଟେ ତାକୁ ଏକୁଟିଆ ଅବସ୍ଥାରେ ଦେଖି ଅସଦାଚରଣ କରିବାକୁ ଉଦ୍ୟମ କରୁଥିବା ସେହି ଗାଁ ର ମଦ୍ୟପ ଯୁବକ ଠାରୁ ନିଜକୁ ରକ୍ଷା କରିବାକୁ ଯାଇ ସେହି ଯୁବକକୁ ଖୁବ୍ ଜୋର୍ ରେ ଧକ୍କା ଦେଇଥିଲା।ଲୋକଟି ତଳେ ପଡିଯାଇ ଆଉ ଉଠିଲାନି।

ମହିଳା ପୋଲିସ ଜଣକ ଶୀଲା ହାତରେ ହାତକଡି ପିନ୍ଧାଇ ଦେଉଥିଲା।ଡେଜିର ଆଖିରୁ ଝରୁଥିଲା ଧାରା ଶ୍ରାବଣ।ଧଳ ପରିବାରର ଖୁସିର ପସରା ଶୀଲା ଦୁଃଖର ସିନ୍ଧୁକୁ ପିଇ ନୀଳକଣ୍ଠ ସାଜିଥିଲା ସେଦିନ।

ମିନାକ୍ଷୀ ସାମଲ

7980250037

minusamal1969@gmail.com

ଦୁହିତା ପିତା ଉଚ୍ଚଶିକ୍ଷା

Rate the content


Originality
Flow
Language
Cover design

Comments

Post

Some text some message..