Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଗୋଟାଏ ବଦନାମ ଝିଅର କଥା
ଗୋଟାଏ ବଦନାମ ଝିଅର କଥା
★★★★★

© Sarada Parida

Drama Others

6 Minutes   7.0K    15


Content Ranking

ଏତେ ସହଜ କଥା ନୁହେଁ ମ’ ଲିଖିତ ପରୀକ୍ଷା । ପୁଣି ତା ଉପରେ ବ୍ୟକ୍ତିଗତ ପରୀକ୍ଷା ଏମିତି କେତେ କ’ଣ , ତିନି ଚାରି ଥର ଛଣାଛଣି ପରେ ଚୟନ କରାଯାଏ ଯୋଗ୍ୟ ପ୍ରାର୍ଥୀଙ୍କୁ କୌଣସି ପଦ ପଦବୀ ପାଇଁ ପ୍ରାଇଭେଟ ଚାକିରିରେ ବି । ସୁରଭି ଯେତେବେଳେ ପ୍ରଥମ କରି ସିଲେକ୍ଟ ହେବାର ଖବର ପାଇଥିଲା ଖୁବ ଖୁସି ହୋଇଥିଲା । ହେବା ବି ଅସ୍ଵାଭାବିକ ନୁହଁ । ହେଲେ ସବୁ ଖୁସି ଯେମିତି ପାଣି ଫୋଟକାରେ ମିଳେଇ ଯାଇଥିଲା ସେଇ ପ୍ରାଇଭେଟ ବ୍ୟାଙ୍କରେ ଜଏନିଙ୍ଗ କରିବାର ଦିନ କେତେଟା ଉତ୍ତାରୁ ।

ସହକର୍ମୀ ମାନଙ୍କର ସନ୍ଦେହ , ଭ୍ରୂକୁଞ୍ଚନ ତା’ ଯୋଗ୍ୟତା ଉପରେ । କେଜାଣି କେମିତି ସବୁ ଯୋଗ୍ୟତା ଲୁଚେଇ ହୋଇଯାଏ ; ଏ ସୁନ୍ଦରତା ଆଗରେ । ଆଉ ସିଏ ଚେଷ୍ଟା କରିବି ପ୍ରମାଣ କରିପାରେନି ନିଜର ଦକ୍ଷତା । ଲଗାମ ଦେଇ ପାରେନି ସେଇ ଅସହିଷ୍ଣୁ ମାନଙ୍କ ମୁହଁରେ । ସିଏ ଯୋଗ୍ୟା । ଖାଲି ରୂପରଙ୍ଗରେ କିଏ ତାକୁ ଚାକିରିଟା ଦେଇ ଦେଇନି । ସିଏ କ’ଣ କହିଥିଲା ସେମାନଙ୍କୁ ତାକୁ ତା’ ରୂପର ଆକର୍ଷଣରେ ତଉଲିବାକୁ ? ସିଏ କ’ଣ ମନା କରିଥିଲା ତନ୍ନ ତନ୍ନ କରି ପରୀକ୍ଷା କରିବା ପାଇଁ ତା’ ପାରିବା ପାଣିଆର ଅନ୍ୟମାନଙ୍କ ପରି । ସିଏ କ’ଣ କହିଥିଲା ପ୍ରଶ୍ନ କେଇଟାରେ ସାରିଦେବା ପାଇଁ ପରୀକ୍ଷାର ଶେଷ ପର୍ବ ବ୍ୟକ୍ତିଗତ ସାକ୍ଷାତକୁ । ବେଳେବେଳେ ଭାବେ ଏ ହିପୋକ୍ରେଟ ସହକର୍ମୀ ମାନଙ୍କ ମୁହଁ ଉପରେ ଫିଙ୍ଗି ଦେବ ତା’ ସାଟିଫିକେଟ ଗୁଡା । ଅନ୍ତତଃ ସବୁ ଦିନ ଲାଗି ବନ୍ଦ ହୋଇଯିବ ତ ସେମାନଙ୍କର ମୁହଁ ।

ହେଲେ ସବୁ ସାହାସ ମାତ୍ର କେଇକ୍ଷଣ ଭିତରେ ପଛଘୁଞ୍ଚା ଦିଅନ୍ତି , ଭୟ ମୁଣ୍ଡ ଟେକି ନିଏ ଠିକ ବୈଶାଖ ମାସର ଅପରାହ୍ନରେ ପରିଷ୍କାର ଆକାଶରେ ଝଡ ଉଠେଇବା ପରି । ଅପରାଧ ବୋଧ ହୁଏ । ଲଜ୍ଜାର ଭୟରେ ଆପେ ଆପେ ପାଦକୁ ପଛକୁ କରିନେବାକୁ ପଡେ । ଆଉ ସବୁ ଶୁଣି ନ ଶୁଣିବାର ଅଭିନୟ କରିବାକୁ ପଡେ । ସବୁ ଠାରୁ ବେଶି କଟାକ୍ଷ ଆଉ କମେଣ୍ଟ୍ କରୁଥିବା ସେଇ ଲୋକଟାକୁ ବି ମୁହଁ ଲେଫେଡେଇ ହାଲୋ ହାଏ କରିବାକୁ ପଡେ ।

ସବୁ ଠାରୁ ବେଶି ଆଘାତ ଦିଏ ସେ ପାକଲା ମୁଣ୍ଡିଆ ମ୍ୟାନେଜରର ହାବ ଭାବ । ଗୋଟାଏ ଖୁବ ବଡ ଦୟା କରିଥିବାର ଭଳି ଦେଖେଇ ହୁଏ ସବୁବେଳେ । ହସରେ କୁଟିଳତାର ଛାପ । କଥାରେ ସବୁବେଳେ ସେଇ ଗୋଟାଏ ଗନ୍ଧ । କେଡେ ଲମ୍ପଟ ସତରେ । ପ୍ରଥମେ ପ୍ରଥମେ ଖୁବ ସରଳ ହେବାର ଅଭିନୟ କରିଥିଲା ଢେର କିଛି ଦିନ ଯାଏଁ । ଅନିଚ୍ଛା ସତ୍ତ୍ଵେ ବି ଦେଖେଇ ହଉଥିଲା ତା’ ପରୋପକାରୀ ଗୁଣ । କାହାକୁ । ଇମ୍ପ୍ରେସ କରିବାକୁ ? ଧେତ୍ ଶଳା । ପୁଣି ତା’ ପାଇଁ ବି ବଦନାମ ହେବାକୁ ପଡିଥିଲା ପୁରା ଷ୍ଟାଫଙ୍କ ଆଗରେ । ଏତେ ପାପ ମନ ଭିତରେ । ଲୋକଟା ଏଣିକି ଖୋଲାଖୋଲି ଇଙ୍ଗିତ ଦେବାକୁ ବି କୁଣ୍ଠାବୋଧ କରୁନି । କେଡେ ନିର୍ଲଜ୍ଜଟେ ମ’ । ଗୋଟାଏ ଅଧା ବୟସର ବୁଢା, ପିଲା ଛୁଆର ସଂସାର ଛାଡି , ପୁରା ବ୍ୟାଙ୍କଟା ଭିତରେ ଗୋଟାଏ ୨୨/ ୨୪ ବର୍ଷର ଝିଅକୁ ପ୍ରେମ ପାଇଁ ଇଙ୍ଗିତ କରୁଛି । ବାରମ୍ବାର ନାନା କଥାର ବାହାନରେ ଚାମ୍ବର ଭିତରକୁ ଡାକୁଛି । ସିଏ କ’ଣ ବୁଝିପାରୁନି ଏ କଥା ଗୁଡାକ ।

ହଁ, ଏମିତି ବେଳେବେଳେ ଜାଣି ଜାଣି ଅଭିନୟ କରବାକୁ ପଡେ । ଯେମିତି ପୋଲିସ୍ ଚୋରକୁ ନ ଦେଖିବାର ଅଭିନୟ , ଧନୀକୁ ଗରିବର ନ ଦେଖିବାର ଅଭିନୟ । ଆଉ ନେତାଙ୍କୁ ଜନତାକୁ ନ ଦେଖିବାର ଅଭିନୟ । ହଁ ,ସବୁକିଛି ତ ଅଭିନୟ ଏଠି । ଏ ବେରୋଜଗାରି ଦୁନିଆ ଭିତରେ ସବୁ ଠାରୁ ନିଷ୍ଠୁର ସତ୍ୟ ତ ବି ତ ସେଇଟା । ବେଳେବେଳେ ଅଣ ଦେଖା କରିବାକୁ ପଡେ ସେମାନଙ୍କୁ । କେଉଁଠି ଗୋଟାଏ ସୁରକ୍ଷିତ ଠିକଣା ନମିଳିବା ଯାଏ ସବୁଗୁଡାକୁ ଜାଣି ଜାଣି ବି ନଜାଣିବାର ଅଭିନୟ କରବାକୁ ପଡିବ ।

କେତେ ଅସହ୍ୟ ସେ ଯନ୍ତ୍ରଣା ସତରେ , ସତ୍ୟକୁ ଜାଣି ନ ଜାଣିବାର ଅଭିନୟ କରିବା । ନିଜ ଉପରେ ହେଉଥିବା ଅତ୍ୟାଚାରକୁ ଚୁପଚାପ୍ ସହି ନ ଜାଣିବାର ଅଭିନୟ କରିବା । ବେଳେବେଳେ ପ୍ରତିବାଦ କରିବାକୁ ଇଚ୍ଛା ହୁଏ । ହେଲେ ପାରେନି । ସିଏ ଯେତିକି ଯେତିକି ଏଗୁଡାକୁ ଭୁଲି ଦୂରକୁ ଯିବାକୁ ଚେଷ୍ଟା କରୁଥିଲା ସେ ମ୍ୟାନେଜରଟା ସେତିକି ବେଶି ବେଶି ନିକଟତର  ହେବାକୁ ଚେଷ୍ଟା କରୁଥିଲା ବାରମ୍ବାର ।

ପ୍ରାଇଭେଟ ଚାକିରିରେ ପ୍ରମୋସନ ଆଉ ଡିମୋଶନ । କେଉଁଟାରେ ସମୟ ଲାଗେନି । ସବୁ କିଛି ମତଲବର କଥା । ସବୁକିଛି ମନ ମର୍ଜିର କଥା । ତମେ ଖଟି ଖଟି ମରୁଥା , ଯଦି ବସ୍ ଖୁସ ନାହିଁ ତ ସବୁ ନିରର୍ଥକ ଆଉ ଯଦି ବସ୍ ଖୁସ ତେବେ ସବୁକିଛି ମାଫ୍ । କାମ ବି ଆଉ ଅକାମ ବି । ଚାଟୁକାର ଗୁଡାଙ୍କୁ ରାତାରାତି ପ୍ରମୋସନ ଆଉ ସବୁ କରି ବି ପସନ୍ଦ ଆସୁନଥିବା ଲୋକାଟାର ବିନା କୌଣସି ଦୋଷରେ ଦଣ୍ଡ । ଧେତ୍ । ଲୋକ ଗୁଡାକୁ ଅନାବଶ୍ୟକ ଭାବେ ବଶ କରିବାକୁ ତ ଏଇ ଫିସାଦି ପ୍ରମୋସନ । ନିଜ ପାଖକୁ ନେବା ପାଇଁ ସେ ଲୋକଟାର ପୁଣି ଗୋଟାଏ ଫିସାଦି ପ୍ରମୋସନ । ତମେ ଚାହଁ କି ନ ଚାହଁ । ସେଠି କାହାକୁ କହିବ ଏ ଇଚ୍ଛା ଗୁଡାକ । ଏଣିକି ସେ ଲୋକଟାର ପାଖ ଚାମ୍ବରରେ ବସିବାକୁ ପଡିବ । ମାତ୍ର ଗୋଟାଏ କାଚ ବାଡର ଅବରୋଧ । ବେଳେବେଳ ସେ ଲୋକଟା ଗୋଟାଏ ଜଙ୍ଗଲି ଜନ୍ତୁ ପରି ମନେହୁଏ , ଯିଏ ମଣିଷର ବେଶରେ ଆସି ବସିଛି ସୁଯୋଗ ଦେଖି ଏମିତି ନିରୀହ ଝିଅ ଗୁଡାକୁ ଝୁଣି ଝୁଣି ରକ୍ତ ଶୋଷିବା ପାଇଁ । କିଛି କାମ ହେଉ କି ନହେଉ ସେମିତି ପୁରା ଦିନଟା ଯାକ ଚାହିଁ ବସିଥିବ ତା’କୁ । ଆଉ ଆଖି ମିଶିଗଲେ କିଛି ନ ଜାଣିବାର ଅଭିନୟ କରିବ । କେଡେ ନିର୍ଲଜ୍ଜ ସତରେ । ମଝିରେ ମଝିରେ ସେମିତି ସୁରଭି ବି ଜାଣି ଜାଣି ନିର୍ଲଜ୍ଜ ହେବାର ଅଭିନୟ କରେ । କ’ଣ ଆଉ କରିପାରନ୍ତା । ଏମିତି ଛୋଟ ଛୋଟ କଥାଗୁଡା କାହାକୁ କ’ଣ କୁହାଯାଏ । ସେ ଯନ୍ତ୍ରଣାକୁ ନିଜ ଭିତରେ ପିଇ ଯିବାକୁ ହୁଏ ସିନା ।

ପ୍ରାଇଭେଟ ବ୍ୟାଙ୍କଟା ତ ଆଉ ସରକାରୀ ବ୍ୟାଙ୍କ ନୁହେଁ ଯେ ଏଠି ସବୁ କିଛି ନିୟମ କାନୁନରେ ଚାଲିବ । ପହିଲି ବିଜିନେସଟା ପରେ ଆଉ ସବୁ କିଛି ମତଲବ ଗ୍ରାହକ ଇଶ୍ଵର । ଯାହାର ବ୍ୟାଙ୍କ ଖାତାରେ ଯେତେ ଅଧିକ ଜମା ରାଶି ଯେତେ ଅଧିକା କାରବାର ସେ କଷ୍ଟମର୍ (ଗ୍ରାହକ) ସେତିକି ମୁଲ୍ୟବାନ । ସେତିକି ସାଣଦିଆ । ସେମାନଙ୍କ ଘର ମୁହଁକୁ ଚାଲିଯାଏ ବ୍ୟାଙ୍କ । ତାଙ୍କରି ମରଜିରେ ହୁଏ କାରବାର ।

ସହରର ବିଶିଷ୍ଠ କଣ୍ଟ୍ରାକ୍ଟର- ବିଲଡର ବିଶ୍ଵଜିତ୍ ପଟ୍ଟନାୟକ । ଖୁବ ବିତ୍ତଶାଳୀ ଆଉ ପ୍ରଭାବଶାଳୀ । ବ୍ୟାଙ୍କର ଏକ ନମ୍ବର ଆକାଉଣ୍ଟ୍ ହୋଲ୍ଡାର । ବାରମ୍ବାର ଯିବା ଆସିବାକୁ ପଡେ ତା ପାଖକୁ ବ୍ୟାଙ୍କର କାହାକୁ ନା କାହାକୁ ଟ୍ରାଞ୍ଜକସନ ପାଇଁ । ଟ୍ରାଞ୍ଜାକସନ କ’ଣ, ମାତ୍ର କେଇଟା ଦସ୍ତଖତ । ଏଇ ଦୁଇ ଚାରିଥର ଯିବା ଆସିବା ଭିତରେ ସେ କେମିତି କେଜାଣି ଆକର୍ଷିତ ହୋଇଯାଇଥିଲା ସୁରଭି ଆଡେ । କେଡେ ଅଭଦ୍ର ଲୋକଟା ମ’ । ପ୍ରଥମେ ଟଙ୍କାର ରବାବ୍ ଦେଖେଇ ଡିନର ଲଞ୍ଚ୍ ବାହନରେ ନିମନ୍ତ୍ରଣ କରିଛି ତା’କୁ । ପ୍ରେମ ନିବେଦନର ସମସ୍ତ ବ୍ୟକ୍ତିଗତ ଉପାୟକୁ ଆପଣେଇ ନେଇଛି ସେ ଲୋକଟା । ଗୋଟାଏ ୫୬ ବର୍ଷର ବୁଢାକୁ କ’ଣ ପ୍ରେମ କରାଯାଇପାରେ । କି ନିର୍ଲଜ୍ଜ ଗୁଡା ଏମାନେ । ସମ୍ଭବତଃ ବିତ୍ତଶାଳୀ ହୋଇଯିବା ପରେ ଲଜ୍ଜାର ଆଉ ଆବଶ୍ୟକତା ପଡେନି । ନାରୀ ହେଉ କି ପୁରୁଷ ସମସ୍ତେ ବେଳେବେଳେ ଡେଇଁ ଯାନ୍ତି ଶୃଙ୍ଖଳାର ବନ୍ଧ ।

ବାରମ୍ବାର ପ୍ରତ୍ୟାଖାତ ହେବା ପରେ ଅହଂକାରର ବହ୍ନିରେ ସେ ଦିନ ଜଳି ଉଠିଥିଲା ବିଶ୍ଵଜିତ୍ ପଟ୍ଟନାୟକ । ନାରୀ ହେଉ କି ପୁରୁଷ ଖୁବ ସାଂଘାତିକ ଏ କାମୁକ ଚରିତ୍ର ଗୁଡାକ । କାମାଗ୍ନିର ବସ ପାଇଁ ଚରମ ପଦକ୍ଷେପ ନେବାପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ସେତେବେଳକୁ ପରବାୟ ନ ଥାଏ ଅନ୍ୟ ଜଣଙ୍କର ଇଚ୍ଛା ଆଉ ଅନିଚ୍ଛାର । ଧର୍ମ ଆଉ ଅଧର୍ମର । ପାପ ଆଉ ପୁଣ୍ୟର । ଠିକ୍ ସେମିତି କାଣ୍ଡ ଭେଇଥିଲା ବିଶ୍ଵଜିତ୍ । ସବୁ ଟ୍ରାଞ୍ଜକସନ ହୋଲ୍‌ଡ କରି ରଖିଥାଏ ଅନେକ ଦିନରୁ । ସମ୍ଭବତଃ ମ୍ୟାନେଜର ବି ସେଇ ଫିସାଦିରେ କାର୍ପତଦାର । ଶହେ କହିବା ପରେ ବି ତାକୁ ଜୋର କରି ଠେଲିଦେଇଥିଲା ସେ ରାକ୍ଷସଟାକୁ ମନେଇ ବିଜିନେସ୍ କରିବାକୁ ।

ବିଜିନେସ୍ । ବିଜିନେସ୍ ନା ଫାର୍ଶ୍ । ପୂର୍ବାହ୍ନ ୧୧ଟାରୁ ଦିନ ୩ଟା ଯାଏ ବସିବା ପରେ ଆସି ସିଗନେଚରଟାଏ କରିଥିଲା ଗୋଟାଏ ଚେକ ଉପରେ । ସାଙ୍ଗରେ ଆଉ ଗୋଟାଏ ବ୍ଳାଙ୍କ ଚେକ । ଯେଉଁଥିରେ ବଡ ବଡ ହୋଇ ଲେଖା ହୋଇଥିଲା ସୁରଭି ଦାସ । ସିଏ କ’ଣ ଗୋଟାଏ ପଣ୍ୟ ଚିଜ । କିଣିବାକୁ ଆସିଛି ଏ ରାକ୍ଷସଟା । ସେ ଯେଉଁ କଥାକୁ ଡରୁଥିଲା , ଶେଷରେ ସେଇ କଥା ପଦକ କହି ବସିଲା ବିଶ୍ଵଜିତ୍ ପଟ୍ଟନାୟକ । ଖୋଲାଖୋଲି ବିନା ଲଜ୍ଜାରେ , ଗୋଟାଏ ରାତିର ସଙ୍ଗିନୀ ହେବା ପାଇଁ । ଆଉ ପ୍ରତି ବଦଳରେ ସେଇ ବ୍ଳାଙ୍କ ଚେକ । ଯେଉଁ ଠାରେ ସିଏ ନିଜେ ନିଜର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସ୍ଵାଧୀନ । ସତରେ କେଡେ ସ୍ଵାଧୀନ ସିଏ । କେଡେ ସ୍ଵାଧୀନ ସ୍ଵାଧୀନତା ସତରେ ?

ଗୋଟିଏ ହିଂସ୍ର ସିଂହ ମୁହଁରୁ ବର୍ତ୍ତୀ ଆସିଥିବା ମୃଗୁଣୀଟାଏ ପରି ଏକ ନିଶ୍ଵାସରେ ଧାଇଁଥିଲା ବ୍ୟାଙ୍କ ମୁହାଁ ହେଇ । ପାରିବ ଯଦି କହି ବସିବ ତା’ ଅତି ନିକଟର ସହକର୍ମୀ ମାନଙ୍କୁ ଅକ୍ଷୁର୍ଣ୍ଣରେ ବର୍ତ୍ତୀ ଆସିବାର ଖବର । ସାବାସି ନେବ ତା' ନାରୀତ୍ଵକୁ ବଞ୍ଚେଇଥିବାର ଜୟ ଜୟ କାରରେ , ମାତ୍ର ସିଏ ପହଞ୍ଚିବା ବେଳକୁ ପୁରା ଷ୍ଟାଫ କେଉଁ ଏକ ସନ୍ଦେହ ନଜରରେ ଦେଖୁଥିଲେ ସୁରଭିକୁ । ସବୁ ଲୋଭ ମୋହକୁ ପଦଦଳିତ କରି ଅକ୍ଷୁର୍ଣ୍ଣରେ ବଞ୍ଚେଇ ଆଣିଥିବା ସତୀତ୍ଵର ବିଜୟ ଯେମିତି ଫିକା ପଡି ଯାଇଥିଲା ସେମାନଙ୍କ ଚକ୍ଷୁରେ ଉଙ୍କି ଉଠିଥିବା ସନ୍ଦେହର କଳା ବାଦଲ ଭିତରେ ।

ଇଡିଅଟ ମ୍ୟାନେଜରଟା ସେ ମୋଟା ଅଙ୍କର ଚେକ ଆଉ ନଥି ଡକୁମେଣ୍ଟ ତକ ନେଉ ନେଉ ଗୋଟାଏ କୁଶ୍ଚିତ ଇସାରା ଆଉ ହସର ଫେଣ୍ଟାଫେଣ୍ଟି ଆକ୍ଷେପରେ ଅଜାଡି ଦେଇଥିଲା ଦୁଇଟା ଶବ୍ଦ ।

ଥ୍ୟାଙ୍କ ୟୁ ......

ଆଉ ସେତେବେଳକୁ ସୁରଭି ବିନା କୌଣସି ପାପରେ ପିନ୍ଧି ନେଇଥିଲା ଗୋଟାଏ ବଦନାମ ଝିଅର କଳଙ୍କ ଟୀକା ।

ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା

ସହଜ କଳଙ୍କ ଅଭିନୟ

Rate the content


Originality
Flow
Language
Cover design

Comments

Post

Some text some message..