Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational

4.6  

Writer Roja Panda

Inspirational

ଜ୍ୟାକେଟ

ଜ୍ୟାକେଟ

4 mins
387


ରୋଜା ପଣ୍ଡା

ଆଜିବି ଯେତେବେଳେ ଶୀତଋତୁ ପୃଥିବୀକୁ ଆଗମନ କରେ ମୋର ସେଇ ପୁରୁଣା ଦିନର କ୍ଷୁଦ୍ର କାହାଣୀ ମନେପଡେ । ସେଇ ବିଶାଳ ହୃଦୟଧାରୀ କୁନି ଝିଅର କାହାଣୀ । ହଁ ବୟସର ଅନୁପାତରେ ସେ ସେତେବେଳେ ନୂଆ କରି ଯୌବନାବସ୍ଥାରେ ପାଦ ଦେଇଥାଏ କିନ୍ତୁ ଚାଲିରେ,ବୋଲିରେ, ଚିନ୍ତାଧାରା ଏବଂ ପ୍ରତ୍ୟେକଟି କାର୍ଯ୍ୟକଳାପରେ ସେ ବିଲକୁଲ ଗୋଟେ ଛୋଟ ଝିଅପରି । ନାଁ ତାର ସୋନୁ ।

ସୋନୁ ସେତେବେଳେ ଭୁବନେଶ୍ୱରରେ ଏକ ଘରୋଇ ଛାତ୍ରାବାସରେ ରହି ପାଠ ପଢୁଥାଏ । ଶୀତଋତୁ ସେତେବେଳକୁ ଧରାପୃଷ୍ଠରେ ନିଜର ଶୀତର ପସରା ମେଲେଇ ସାରିଥାଏ ।

ମାଘ ମାସର ହାଡଭଙ୍ଗା ଶୀତ ସାଙ୍ଗକୁ ଦିଗ ଦିସୁନଥିବା କୁହୁଡି ବିଛେଇ ହେଉଥାଏ ଧରାପୃଷ୍ଠରେ ।

ସୋନୁର ଶୀତବସ୍ତ୍ର କହିଲେ ଏକ ମେରୁନ ରଙ୍ଗର ବଟରଫ୍ଲାଏ ଚିତ୍ର ଥିବା ଜ୍ୟାକେଟ । ଯାହା ଥିଲା ସୋନୁର ଅତି ପ୍ରିୟ । ତାକୁ ଛାଡ଼ି ମଧ୍ୟ ସୋନୁ ପାଖରେ ଅନ୍ୟ ଦୁଇଟି ଜ୍ୟାକେଟ ଥିଲା କିନ୍ତୁ ସେଇ ମେରୁନ ରଙ୍ଗର ବଟରଫ୍ଲାଏ ଥିବା ଅନୁଭବ ଜ୍ୟାକେଟଟି ତାର ଖୁବ ପ୍ରିୟ ।

ସୋନୁ ତାର ପ୍ରିୟ ଜ୍ୟାକେଟଟିକୁ "ଅନୁଭବ ଜ୍ୟାକେଟ" କହିବାର ମଧ୍ୟ ଗୋଟେ କାରଣ ଅଛି । ସେତେବେଳେ ଓଡ଼ିଆ ସିନେ ଜଗତର ତାରକା ଅଭିନେତା ଅନୁଭବ ମହାନ୍ତିଙ୍କର ଏକ ଚଳଚିତ୍ର ଆସିଥାଏ । ସେଥିରେ ଅନୁଭବ ଯେଉଁ ଜ୍ୟାକେଟ ପିନ୍ଧି ଡ୍ୟାନ୍ସ କରୁଥିଲେ ସେଇ ଜ୍ୟାକେଟ ପ୍ରତି ସୋନୁ ବେସ ଆକର୍ଷିତ ଥିଲା । ସେଥିପାଇଁ ବଜ଼ାରରୁ ସେ ଅବିକଳ ସେଇପରି ଏକ ଜ୍ୟାକେଟ କିଣିଆଣିଥିଲା ନିଜପାଇଁ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସୋନୁ ତା ଜ୍ୟାକେଟଟିକୁ ପିନ୍ଧୁଥାଏ ।

ଗୋରା ଦେହରେ ଖୋଲା କେଶ ସାଙ୍ଗକୁ ମେରୁନ ରଙ୍ଗର ଜ୍ୟାକେଟ ବେସ ମାନୁଥାଏ ସୋନୁକୁ । ଖୁବ ଆକର୍ଷଣୀୟ ଦେଖାଯାଉଥାଏ ଦୂରରୁ । ସୋନୁ ଉକ୍ତ ଜ୍ୟାକେଟଟିକୁ ପିନ୍ଧି ଖୁସିରେ ଉତ୍ଫୁଲିତ ହୋଇ ଦିୱାନା ଚଳଚ୍ଚିତ୍ରର ଗୀତ ସବୁ ଗୁଣୁଗୁଣଉଥାଏ ଅଧିକାଂଶ ସମୟରେ। ଯଦି କେବେ କେହି ଥଟାରେ ମଜ଼ାରେ ସୋନୁର ଅନୁଭବ ଜ୍ୟାକେଟଟିକୁ ପିନ୍ଧିଦିଅନ୍ତି ତେବେ ସୋନୁ କାନ୍ଦିପକାଏ । ବହୁତ ଦୁଃଖ ଲାଗେ ତାକୁ ।

ସୋନୁର ଚରିତ୍ର ଓ ଚିନ୍ତାଧାରା ଟିକେ ଅଲଗା ଧରଣର । ସେ ଦରକାର ପଡ଼ିଲେ ନିଜପାଇଁ ଥିବା ଖାଦ୍ୟ ପଦାର୍ଥ ମଧ୍ୟ ଭୋକିଲା ଲୋକଙ୍କୁ ଦେଖିଲେ ଦେଇଦେଇ ନିଜେ ଉପାସରେ ରହିଯାଏ । ନିଜେ ସଞ୍ଚୟ କରି ରଖିଥିବା ଟଙ୍କା ପଇସା ନେଇ ଅନ୍ୟର ହିତରେ ଲଗାଏ । ଅନ୍ୟପାଇଁ ସେ ଯେତିକି ଖୋଲା ନିଜ ପାଇଁ ସେ ସେତିକ କଞ୍ଜୁସ । ଅନ୍ୟମାନଙ୍କ ପାଇଁ ସେ ଜୀବନ ଦେବାକୁ ବି ପଛାଏ ନାହିଁ କିନ୍ତୁ ନିଜ ପାଇଁ ଟଙ୍କାଟିଏ ବି ଖର୍ଚ କଲେ ବହୁତ ଭାବିଚିନ୍ତି କରେ । ସେ ଯାହାବି ହେଉ ଜ୍ୟାକେଟ କ୍ଷେତ୍ରରେ କିନ୍ତୁ ସେ ବିଲକୁଲ ବୁଝାମଣା କରୁନଥିଲା । କାହାରିକୁ ବି ହାତ ମାରିବାକୁ ଦେଉନଥିଲା ଉକ୍ତ ଅନୁଭବ ଜ୍ୟାକେଟରେ ।

ତା ଅନ୍ତର ତ ବହୁତ ଦୟାଳୁ । ଥରେ ସକାଳୁ ସକାଳୁ ସେ କ୍ଳାସ ବାହାରିଥାଏ । ହଟାତ ରାସ୍ତାରେ ଜଣେ ବୃଦ୍ଧ ବୁଢାଲୋକଙ୍କୁ ଭେଟିଲା । ସେ ବୃଦ୍ଧ ବୁଢ଼ାଲୋକ ଜଣକ ସୋନୁ ପାଖକୁ ଦୌଡ଼ି ଯାଇ ତାକୁ ବହୁତ କାକୁତି ମିନତୀ ହୋଇ ଶୀତବସ୍ତ୍ର ଖଣ୍ଡେ ମାଗିଲେ । ବୁଢ଼ାଲୋକ ଜଣକ ଶୀତରେ ଥରୁଥିଲେ । ସୋନୁର ବି କ୍ଳାସ ଡେରି ହେଇଯାଉଥାଏ । ସେ ନିଜ ଦେହରେ ଥିବା ଅନୁଭବ ଜ୍ୟାକେଟ ଉପରେ ଟିକେ ଆଖି ବୁଲାଇ ଆଣିଲା । କିଛି ସମୟ ଚୁପଚାପ ହେଇ କଣ ସବୁ ଭାବିଗଲା । ତାପରେ ହଠାତ ସେ ବୃଦ୍ଧ ଲୋକଟିର ହାତ ଧରି ନିଜ ଛାତ୍ରାବାସକୁ ନେଇଗଲା । ଛାତ୍ରାବାସର ଗେଟ ସାମ୍ନାରେ ବୃଦ୍ଧଙ୍କୁ ଠିଆହେବାକୁ କହି ନିଜେ ନିଜର ରୁମକୁ ଦୌଡ଼ିଗଲା । ବୃଦ୍ଧ ଜଣଙ୍କ କିଛି କହିବାପୁର୍ବରୁ ସୋନୁ ଭିତରୁ ଏକ ଜ୍ୟାକେଟ ହାତରେ ଧରି ବୃଦ୍ଧଙ୍କ ସାମ୍ନାରେ ପହଞ୍ଚିଗଲା । ତାହା ଥିଲା ସୋନୁର ଅନ୍ୟ ଏକ ଜ୍ୟାକେଟ ଯେଉଁଟା ସେ ଅନୁଭବ ଜ୍ୟାକେଟ କିଣିବା ପୂର୍ବରୁ ବ୍ୟବହାର କରୁଥିଲା । ସୋନୁ ନିଜର ପୁରୁଣା ଜ୍ୟାକେଟଟିକୁ ବୃଦ୍ଧଙ୍କୁ ଦେଇ ଆଶ୍ୱସ୍ତି ଲାଭ କଲା ।

ଆଜି ସେ ଏକାବେଳେ ଦୁଇଟା କାମରେ ବିଜୟ ହେଇଛି ଭାବି ମନେମନେ ଖୁବ ଖୁସି ହେଉଥିଲା । ପ୍ରଥମରେ ସେ ଏଇ ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ପାଇବାପାଇଁ ବୃଦ୍ଧଙ୍କୁ ଜ୍ୟାକେଟ ଦେଇଛି ଏବଂ ଦ୍ଵିତୀୟରେ ନିଜର ଅତି ପ୍ରିୟ ଅନୁଭବ ଜ୍ୟାକେଟଟିକୁ ନିଜପାଇଁ ସମ୍ଭାଳି ରଖିପାରିଛି ।

ସୋନୁ କ୍ଲାସରୁ ଫେରିଲାବେଳେ କିଛି ମିଠା କିଣି ନିଜ ରୁମକୁ ଫେରିଲା କାରଣ ତାପରଦିନ ସୋନୁର ଜନ୍ମଦିନ ଥିଲା । ରାତି ପାହି ସକାଳ ହେଲା । ସୋନୁର ଜନ୍ମଦିନ ପାଇଁ ତାର ସାଙ୍ଗମାନେ ତାକୁ ଅଭିନନ୍ଦନ ଜଣାଉଥିଲେ । ସୋନୁ କିନ୍ତୁ ତାର ଜନ୍ମଦିନକୁ ଟିକେ ଅଲଗା ତରିକାରେ ପାଳନ କରୁଥିଲା । ସକାଳୁ ଉଠି ଗାଧେଇ ମନ୍ଦିର ଯିବା ବଦଳରେ ସେ ଚାଲିଲା ହସ୍ପିଟାଲକୁ । ଦେହରେ ନିଜର ଅତି ପ୍ରିୟ ଅନୁଭବ ଜ୍ୟାକେଟଟିକୁ ପିନ୍ଧି ସେ ପହଞ୍ଚିଗଲା ଯାଇ କଟକ ବଡ ମେଡିକାଲରେ । ସେ ନିଜ ଜନ୍ମଦିନରେ ପ୍ରତିବର୍ଷ ରକ୍ତ ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ରକ୍ତଦାନ କରେ । ସେଠି ପହଞ୍ଚି ରୋଗି ନିରୂପଣ ଆରମ୍ଭ କରୁ କରୁ ତା ଆଖିରେ ପଡ଼ିଲା ଏକ ରକ୍ତହୀନତା ରୋଗୀଙ୍କ ପରିବାର ଉପରେ ଯାହାଙ୍କର ରକ୍ତ ଦରକାର ଥିଲା । ସେ ସେଠି ରକ୍ତଦାନ କରି ଭୁବନେଶ୍ୱରର ନିଜ ଛାତ୍ରାବାସକୁ ଫେରୁଥିଲା ।

ସେଦିନ ଝିପି ଝିପି ବର୍ଷା ପକୋଉଥାଏ । କେଉଁଠି ଲଘୁଚାପର ସୂଚନା ଦେଉଥାନ୍ତି ଟିଭି ଓ ଖବରକାଗଜମାନ । ଆକାଶ ମେଘାଚ୍ଛନ୍ନ ଦେଖାଯାଉଥାଏ । ଶୀତରେ ଥରିଯାଉଥାଏ ଦେହ । ସୋନୁ ଭୁବନେଶ୍ୱର ଫେରିବା ଅଭିମୁଖେ ବାହାରି ଏକ ବସ ପାଖକୁ ଯାଉଥାଏ । ହଠାତ କିଏ ପଛରୁ ଡାକିଲା ପରି ଲାଗିଲା ସୋନୁକୁ । ସେ ପଛକୁ ବୁଲି ଦେଖିଲା ଏକ ଛିଣ୍ଡା ଲେଙ୍କଡ଼ା ଲୁଗା ପିନ୍ଧା ସ୍ତ୍ରୀ ଲୋକଟିଏ । କାଖରେ ତାହାର ଛଅ କି ସାତ ମାସର କଅଁଳା ଛୁଆଟିଏ । ମାଘମାସର ଶୀତ ସାଙ୍ଗକୁ କୋହଲା ପବନ । ଦୁହେଁ ଶୀତରେ ଥରିଯାଉଛନ୍ତି । ସ୍ତ୍ରୀ ଲୋକଜଣକ ସୋନୁକୁ କିଛି ପଇସା ମାଗିଲା ଏବଂ ଦୁଇଦିନ ହେବ କିଛି ଖାଇନି ବୋଲି କହିଲା ।

ଲଘୁଚାପର ପ୍ରକୋପ ବଢ଼ିବଢି ଚାଲିଥାଏ ତା ସାଙ୍ଗକୁ ପବନର ବେଗ ମଧ୍ୟ । ନିଆଶ୍ରି ସ୍ତ୍ରୀଲୋକଟି ନିଜକୁ ଓ ନିଜର ଛୁଆଟାକୁ ଶୀତର ପ୍ରକୋପରୁ ରକ୍ଷାକରିବା ପାଇଁ ଏଣେ ତେଣେ ବୁଲି କିଛି ଛିଣ୍ଡା ପେପର ଓ ରାସ୍ତାରେ ପଡିଥିବା ଛିଣ୍ଡା ଜରି ,ଛିଣ୍ଡା କପଡାମାନ ଗୋଟୋଉ ଗୋଟୋଉ କରୁଣ କଣ୍ଠରେ କହୁଥାଏ,

" ବାବୁ,ମାଆ କିଛି ପଇସା ଦିଅ,କିଛି ଖାଦ୍ୟ ଦିଅ,କିଛି ଶୀତବସ୍ତ୍ର ଦିଅ ବାବୁ ଏ ନିଆଶ୍ରିକୁ ।

ଧର୍ମ ହେବ ବାବୁ,ମାଆ ଭଗବାନ ମଙ୍ଗଳ କରିବେ" ଏମିତି ଅନେକ କିଛି ।

ଏସବୁ ଦୃଶ୍ୟ ସୋନୁର ହୃଦୟକୁ ମର୍ମାହତ କରିବାକୁ ଲାଗିଲା । ସେ ସଙ୍ଗେ ସଙ୍ଗେ ପାଖ ଦୋକାନକୁ ଦୌଡିଯାଇ କିଛି ଖାଦ୍ୟ କିଣିଆଣିଲା ଏବଂ ସେଇ ସ୍ତ୍ରଲୋକଟି ହାତରେ ବଢାଇଦେଲା ଏବଂ ନିଜ ମନୀପର୍ସରୁ ତିନି ଖଣ୍ଡ ପଚାସ୍ ଟଙ୍କିଆ ନୋଟ କାଢି ସେ ସ୍ତ୍ରୀ ଲୋକଟିର ହାତରେ ଧରେଇ ନିଜ ଗନ୍ତବ୍ୟ ପଥରେ ଆଗେଇଲା ।

ସୋନୁ ବସରେ ଚଢ଼ିବାକୁ ପ୍ରୟାସ କରନ୍ତେ ହଠାତ ଜୋରସେ ପବନ ବହିବାକୁ ଲାଗିଲା । ସୋନୁ ପଛକୁ ଚାହିଁ ଉକ୍ତ ସ୍ତ୍ରୀ ଲୋକଟିକୁ ଖୋଜିପକାଇଲା ନିଜ ଆଖି ବୁଲାଇ । ଦେଖିଲା ସ୍ତ୍ରୀ ଲୋକଟି ଜାକିଜୁକି ହେଇ ରାସ୍ତାରେ ଥିବା ଏକ ଠେଲାଗାଡି କଡରେ ବସିଛି । ନିଜେ ପିନ୍ଧିଥିବା ଛିଣ୍ଡା ଶାଢୀରେ ନିଜ ଛୁଆକୁ ଢାଙ୍କିବାକୁ ପ୍ରୟାସ କରୁଛି ।

ସୋନୁ ଧୀରେ ଧୀରେ ସେ ସ୍ତ୍ରଲୋକଟିର ପାଖକୁ ଆସିଲା । ନିଜ ଦେହରେ ଥିବା ଅନୁଭବ ଜ୍ୟାକେଟଟିକୁ ଭଲ ଭାବରେ ଆଖିପୁରେଇ ଦେଖିଲା । ନିଜ ମୋବାଇଲରେ ଅନୁଭବ ଜ୍ୟାକେଟ ସହିତ ନିଜର ଏକ ଫୋଟୋ ଉଠାଇଲା ଏବଂ ଟିକେ ହସିଦେଇ ଜ୍ୟାକେଟଟିକୁ ନିଜ ଦେହରୁ ବାହାରକରି ସ୍ତ୍ରୀଲୋକଟିର ଦେହରେ ଢାଙ୍କିଦେଲା । ସ୍ତ୍ରୀଲୋକଟି ଜ୍ୟାକେଟଟିକୁ ପାଇ କୋଟିନିଧି ପାଇଗଲାପରି ନିଜ ଦେହରେ ଜାବୁଡି ଧରିଲା । ଜ୍ୟାକେଟର କିଛି ଅଂଶ ଟାଣିନେଇ ନିଜ ଛୁଆ ଦେହରେ ମଧ୍ୟ ଢାଙ୍କିବାକୁ ପ୍ରୟାସ କରୁଥିଲା ।

ସୋନୁ ସେଦିନ ଶୀତରେ ଥରି ଥରି ଘରକୁ ଫେରିଥିଲା । ନିଜର ଅତି ପ୍ରିୟ ଅନୁଭବ ଜ୍ୟାକେଟଟିକୁ ହରାଇ ସେ ସେଦିନ ଟିକେ ବି ଅନୁତାପ କରିନଥିଲା ବରଂ ତା ମୁଖମଣ୍ଡଳରୁ ଏକ ନିଆରା ଚମକ ଝଲସୁଥିଲା ।


Rate this content
Log in

Similar oriya story from Inspirational