Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଚୋରଣୀ
ଚୋରଣୀ
★★★★★

© Lopamudra Mishra

Tragedy

11 Minutes   7.9K    25


Content Ranking

⭐ ଚୋରଣୀ ⭐

🖋ଲୋପାମୁଦ୍ରା ମିଶ୍ର

ନନ୍ଦିପୁର, ଯାଜପୁର

କଟକ ସିଡିଏ ସେକ୍ଟର ଛଅ ର ସଭ୍ୟ ସମ୍ଭ୍ରାନ୍ତ ଅଞ୍ଚଳ l ସେହି ଭଦ୍ର ସମାଜ ରେ ସୁନ୍ଦର ଏକ ବିରାଟ ପ୍ରାସାଦ l ପତିପତ୍ନୀ ଓ ଦୁଇ ପୁଅଝିଅ ଙ୍କୁ ନେଇ ଛୋଟ ଗୋଟିଏ ସୁଖୀ ପରିଵାର l ଗୃହକର୍ତ୍ତା ଡ଼ଃ.ସତ୍ୟରଞ୍ଜନ ପତି ନିକଟସ୍ଥ ଏକ ସ୍ୱନାମଧନ୍ୟ ସରକାରୀ ମହାବିଦ୍ୟାଳୟ ରେ ଇତିହାସ ବିଭାଗ ର ବିଭାଗୀୟ ମୁଖ୍ୟ l ଖୁବ ସଚ୍ଚୋଟ ମଣିଷ l ପତ୍ନୀ ସୁଚରିତା ସୁଗୃହିଣୀ l ସେ ମିଷ୍ଟଭାଷିନୀ, ଦୟାଶୀଳା ଓ ଜଣେ କୋମଳ ହୃଦୟା ନାରୀ l ଜ୍ୟେଷ୍ଠ ସନ୍ତାନ ପ୍ରିୟବ୍ରତ ଓରଫ ପିଙ୍କୁ ଇଂଜିନିୟରିଙ୍ଗ ତୃତୀୟ ସେମିଷ୍ଟର ର ଛାତ୍ର l ସଭିଙ୍କ ନୟନ ର ତାରା, ପରିବାର ର ସର୍ବକନିଷ୍ଠା ଗେଲ୍ହୀଝିଅ ଖୁସି ଷ୍ଟାଣ୍ଡାର୍ଡ 8 ରେ ପଢେ l

ସତ୍ୟ ବାବୁ ଙ୍କ ଘରେ ସବୁକିଛି ଠିକ ଚାଲିଥିଲା ବେଳେ ତାଙ୍କ ପତ୍ନୀ ଙ୍କର ବଡ ଏକ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଛି l ସେହିଗୋଟି ହେଲା କାମବାଲୀ ସମସ୍ୟା l କେହି ଜଣେ ବି କାମବାଲୀ ଚାରି ପାଞ୍ଚ ମାସ ରୁ ବେଶୀ ଦିନ ତାଙ୍କ ଘରେ ତିଷ୍ଠୀ ପାରୁନାହାଁନ୍ତି l କିଏ କାମ ରେ ଠକେଇଲାଣି ତ ପୁଣି କିଏ ଘରର ମୂଲ୍ୟବାନ ଦ୍ରବ୍ୟ, ଟଙ୍କା ପଇସା ଉଠେଇନେଲାଣି l କାହାକୁ ଭରଷା କରିହେଉନି l କଟକ ରେ ପ୍ରାୟ ସମସ୍ତ ଘରେ ସ୍ତ୍ରୀଲୋକ ଙ୍କର ସମାନ ଏହି ଅଭିଯୋଗ l ଭଲ ଜଣେ ବିଶ୍ୱସ୍ତ ଲୋକ ପାଇବା ବଡ କଠିନ l ସୁଚରିତା ଙ୍କର ଜଣେ ବାନ୍ଧବୀ ଥରେ କହିଲେ-

-ବୁଝିଲୁ ରୀତା ଏ ସହର ରେ ସବୁକିଛି ସହଜ ରେ ମିଳିଯିବ କିନ୍ତୁ ଉତ୍ତମ ଗୁଣ ସମ୍ପନ୍ନl କାମବାଲୀ ମିଳିବନି l ଆଉ ଯଦି ତୋ ଭାଗ୍ୟ ରେ ଥିବ ତୁ ସୁଗୁଣା କାମବାଲୀ ଟେ ପାଇଯାଇପାରୁ l

ପୁରୁଣା କାମବାଲୀ ଛବୀନା ଚୋରିବିଦ୍ୟା ରେ ଥିଲା ପାରଙ୍ଗମ l ତା ହାତ ପାହାନ୍ତା ରେ ଥିବା କୌଣସି ବି ଆକର୍ଷଣୀୟ ଚିଜ ଉଠେଇନେବାର ସୁବର୍ଣ୍ଣ ସୁଯୋଗ କୁ ସେ କଦାପି ହାତଛଡା କରୁନଥିଲା l ସେ ବା କଣ କରନ୍ତା? ଅଭାବେ ସ୍ଵଭାଵ ନଷ୍ଟ l ପଠା ପଢ଼ା ବୟସ ରୁ ହିଁ ତାକୁ ତା ଗରୀବ ବାପ ମାଆ ପର ଘରେ ବାସନ ମାଜିବା ପାଇଁ ଛାଡିଦେଇଥିଲେ l ନିଜ ବୟସ ର ଝିଅ ମାନଙ୍କୁ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧି ସଜେଇହୋଇ ସ୍କୁଲ କଲେଜ ଯାଉଥିବା ର ଦେଖିଲେ ତା ଆଖିରେ କଣ ମେଞ୍ଚାଏ ସ୍ୱପ୍ନ ବୋଳି ହେଇଯାଉନଥିବ?

ଖୁସି ର କିଛି ଆବଶ୍ୟକୀୟ ସାମଗ୍ରୀ ଘରୁ ବାରମ୍ବାର ଉଭାନ ହେଇଯିବା କାରଣ ରୁ ଛବୀନା କୁ ସତ୍ୟବାବୁଙ୍କ ଘର କାମରୁ ସବୁଦିନ ପାଇଁ ଛୁଟି ନେବାକୁ ପଡିଲା l

ବିନା କାମବାଲୀ ରେ ସୁଚରିତା ଏକଦମ ବିଚଳିତ ହୋଇପଡିଲେ l ପନ୍ଦର ଦିନ କାଳ ଘର ର ଯାବତୀୟ କାମ ଏକା ତୁଲାଇ ତାଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଗଲା l ସେ ଆଗକୁ ଆସୁଥିବା ଦିପାବଳୀ ରେ ପାଞ୍ଚ ଛଅ ଦିନ ପାଇଁ କାଳୀପୂଜା ଦେଖିବାକୁ ନିଜ ବାପଘର ଗାଁ ଯାଜପୁର ର ଶ୍ରୀରାମପୁର ଯିବା ପାଇଁ ସ୍ଥିର କଲେ l

ଦିୱାଲୀ ର ଗୋଟେ ଦିନ ଆଗରୁ ସୁଚରିତା ପୁଅ ଝିଅ ଙ୍କୁ ସାଙ୍ଗରେ ଘେନି ବାପଘରେ ହାଜିର ହେଇଗଲେ l ପରିବାର ଜଞ୍ଜାଳ ରେ ଛନ୍ଦି ହୋଇ ଅନେକ ଦିନ ହେଲା ଗାଁ କୁ ଆସିପାରୁନଥିଲେ l ତାଙ୍କୁ ସବୁକିଛି ନୂଆ ନୂଆ ଲାଗୁଥିଲା l କାଳୀପୂଜା ପାଇଁ ଗାଁ ରେ ପ୍ରାୟ ସଭିଙ୍କ ଘରେ ଝିଅ ଝିଆଣି ଆସି ଭର୍ତ୍ତି ହେଇଥାନ୍ତି l

ସୁଚରିତା ଓ ତାଙ୍କର ଜଣେ ବାଲ୍ୟବାନ୍ଧବୀ ଅପରାହ୍ନ ସାଢେ ପାଞ୍ଚ ପାଖା ପାଖି ସୁଚରିତା ଙ୍କ ଘର ପୋର୍ଟିକୋ ରେ ବସି ପିଲାଦିନ କଥା ଗପୁଛନ୍ତି, ଅଠେଇଶ ଅଣତିରିଶ ବର୍ଷ ବୟସ୍କା ଶାଢ଼ୀ ପିନ୍ଧା ଝିଅ ଟେ ତାଙ୍କ ଘର ଭିତର କୁ ପଶିଗଲା l କିଛି ସମୟ ପରେ ଝିଅ ଟି ହାତରେ ଦୁଇ କପ ଚା' ଓ ଗୋଟେ ପ୍ଲେଟ ରେ କିଛି ପକୁଡି ନେଇ ଆସିଲା l ଏମାନଙ୍କର ପକୁଡି ଖିଆ ସରିନି ଝିଅଟି ଘର ଝାଡୁ ସାରି ବାଲ୍ଟି ରେ କିଛି ପାଣି ଆଣି ଘର ପୋଛିବା ରେ ଲାଗିପଡ଼ିଲା l ଝିଅଟା କୁ ଆଗରୁ କେବେ ସୁଚରିତା ଦେଖିନଥିଲେ l ସୁଚରିତା ଭାବିଲେ -

-ବୋଉ ଏତେ ଭଲ କାମବାଲୀଟେ ରଖିଛି ଆଗରୁ ତ କେବେ ଫୋନ ରେ କହିନି l

ସେହି ଝିଅ ଟି ଆଡକୁ ସୁଚରିତା ପ୍ରଶ୍ନିଳ ଆଖିରେ ବାରମ୍ବାର ଅନେଇବା ଦେଖି ତାଙ୍କ ସାଙ୍ଗ ମିନା କହିଲା -

-ଆଲୋ ଚିହିଁ ପାରୁନୁ କି ଲୋ ? ହଁ କେମିତି ଚିହିଁବୁ? ତୁମେ ତ ହେଇଗଲ ସହର ବାସିନ୍ଦା l ଗାଁ କୁ ଯୁଗ ଟେ ପରେ ଆସିଲେ କାହା ମୁଁହ ଆଉ କେମିତି ଚିନ୍ହା ଲାଗିବ ? ଆଲୋ ଇଏ ପା ଶ୍ରୀବଚ୍ଛ କକେଇ ଙ୍କ ଏକମାତ୍ର ଝିଅ ଟୁନି l ବାପ ମାଆ ଦୁହେଁଏହି ଝିଅ କୁ ବାହା କରିଦେଇ ପାଞ୍ଚ ବର୍ଷ ତଳେ କେଦାରନାଥ ତୀର୍ଥ କରିବାକୁ ଯାଇ ଆଉ ଫେରିଲେନି l ସେଇଠି ବନ୍ୟା ରେ ସଲୀଳ ସମାଧୀ ନେଇଗଲେ l ଆଉ ଏ ଟୁନି କୁ ତା ବର ଏବେ ଘରୁ ବାହାରକରିଦେଇଛି l ବାପ ମାଆ ଛେଉଣ୍ଡ ଝିଅ l କିଏ ତା କଥା ବୁଝିବ? ଦୁଇବର୍ଷ ହେଲା ଆସି ଗାଁ ରେ ରହୁଛି lଶ୍ରୀଵଛ କକେଇଙ୍କର ତ ଜମି ବୋଲି ଗୁଣ୍ଠ ଟେ ବି ନଥିଲା l ଇଆ ଘରେ ତା ଘରେ ପାଇଟି କରି ପେଟ ପୋଷୁଛି l

ସୁଚରିତା ପଚାରିଲେ, "ପିଲା ପିଲି କେତୋଟି ଇଆର? "

"ପିଲାଝିଲା ହେଇଥିଲେ ଇଆ ବର ଆକୁ ଘରୁ ତଡି ଦ୍ୱିତୀୟ ବିଭା କାହିଁକି କରିଥାନ୍ତା? ଯାହା କହ ଅଭିଶପ୍ତ ପରିବାର ଟେ ଶ୍ରୀବଚ୍ଛ କକେଇଙ୍କର "l ମିନା କହିଲେ l

ଟୁନି ଘରର ସବୁକାମ ସାରି ରାତି ଆଠ ରେ ତା ଘର କୁ ଫେରିଗଲା l ସୁଚରିତା ଦେଖିଲେ ଝିଅ ଟି କାମିକା l ଆଗକୁ ପଛକୁ କେହି ନାହିଁ l ସେ ଭାବିଲେ ଏହି ଟୁନି ତାଙ୍କ ସମସ୍ୟା ର ସମାଧାନ ହୋଇପାରିବ l

ସକାଳୁ ପୁଣି ଟୁନି ଆସିଲା ବାସି ପାଇଟି ପାଇଁ l ସୁଚରିତାଙ୍କ ବୋଉ ଟୁନିକୁ ଦୁଇପଟ ରୁଟି କପେ ଚାହା ଦେଇ କଥା ଛଳ ରେ ପଚାରିଲେ,"ଆଲୋ ଟୁନି କେତେ ଦିନ ଏମିତି ବୁଲି ବୁଲି ୟା ତା ଘରେ ବାସି କାମ କରୁଥିବୁ? ଗୋଟେ ସ୍ଥାୟୀ କାମ ଧରୁନୁ, ଯୋଉଠି ଥାଇକି ହେଇକି ରହିବୁ l"

ଟୁନି କହିଲା, "ବଡମାଆ ମୁଁ କଣ ଚାଁହୁନି କୋଉଠି ଗୋଟେ ଥାଇକି ଚାକିରୀ କରିବା ପାଇଁ? କଣ କରିବି? କାହାକୁ ଚିନ୍ହିଛି ମୁଁ? ପାଠ ଦି ଅକ୍ଷର ପଢିଥିଲେ ହେଲେ କିଛି ହେଇଥାନ୍ତା l ମୋ ପରି ଗଜମୁର୍ଖ କୁ କିଏ କୋଉ କାମ ଦେବ? ଏ ବଡ଼ମାଆ ! ତୁମେ ଟିକେ ରିତାନାନୀ ଙ୍କୁ କହୁନ ମତେ ତାଙ୍କ ଘରେ କାମ ରେ ରଖିଦେବେ l ସେ ମିନା ନାନୀଙ୍କୁ କହୁଥିବାର ମୁଁ ଶୁଣିଛି, ତାଙ୍କୁ ଭଲ କାମବାଲୀ ଟେ ଦରକାର l ମୁଁ ସବୁକାମ କରିବି l ମୋର ବେଶୀ କିଛି ଟଙ୍କା ପଇସା ଦରକାର ନାହିଁ l ଖାଲି ଖାଇ ପିଇ ରହିଗଲେ ଚଳିଲା l"

ବିଲେଇ କପାଳକୁ ଶିକା ଛିଡି଼ଲା ପରି ରୀତାଙ୍କୁ ଶସ୍ତା ରେ କାର୍ଯ୍ୟନିପୁଣା ବିଶ୍ୱସ୍ତ କାମବାଲୀଟେ ମିଳିଗଲା l କଟକ ଫେରିଲା ବେଳକୁ ସାଙ୍ଗରେ ଟୁନିକୁ ଧରି ସେ ଫେରିଲେ l ତାଙ୍କ ମୁଣ୍ଡରୁ ବଡ ବୋଝ ଗୋଟେ ଓଲ୍ହେଇଗଲା l

ଟୁନି ଖୁବ କମ ଦିନ ଭିତରେ ସମସ୍ତଙ୍କ ସହ ମିଶିଗଲା l ଘର ର ସବୁଦାଇତ୍ୱ ନିଜ ଉପରକୁ ନେଇଗଲା l ପ୍ରଥମେ ପ୍ରଥମେ ରୋଷେଇଘର ର ଆଧୁନିକ ଉପକରଣ ଗୁଡିକର ବ୍ୟବହାର କରିବାକୁ ତାକୁ ଅଡୁଆ ଲାଗୁଥିଲା l କ୍ରମେ ସବୁଥିରେ ସେ ପାରଙ୍ଗମା ହୋଇଗଲା l ସକାଳୁ ରାତିଯାଏଁ ଘର ର ଯାବତୀୟ କାମ ରେ ଲାଗିରହିଲା l ରୀତା ଦେବୀ ଙ୍କୁ ସବୁ ଜଞ୍ଜାଳ ରୁ ମୁକ୍ତି ମିଳିଗଲା l ସେ ବସି, ଶୋଇ, ଟିଭି ଦେଖି, ପାଖ ପଡୋଶ ର ବାନ୍ଧବୀ ଙ୍କ ସହ ଖୁସି ଗପ କରି ନିଜ ସମୟ ବିତେଇଲେ l

ସକାଳ ବ୍ରେକଫାଷ୍ଟ ଠୁ ଆରମ୍ଭ କରି ରାତି ର ଡିନର ପର୍ଯ୍ୟନ୍ତ ସବୁ ସ୍ୱାଦିଷ୍ଟ ବ୍ୟଞ୍ଜନ ଗୁଡିକ ଟୁନି ର ହସ୍ତସ୍ପର୍ଶ ପାଇ ଆହୁରି ସୁସ୍ୱାଦୁ ହୋଇଉଠିଲା l ଧୀରେ ଧୀରେ ଟୁନି ସଭିଙ୍କ ପସନ୍ଦ ନାପସନ୍ଦ ସହ ପରିଚିତ ହୋଇଗଲା l ଏବେ ଯାହାର ଯାହା ଦରକାର ହୁଏ ସେ ସୁଚରୀତା ଙ୍କୁ ନଡାକି ଟୁନି କୁ ଡାକ ପକାନ୍ତି l

ସତ୍ୟବାବୁ ଙ୍କର ସକାଳ ଚାହାରେ ଟିକେ ବିଳମ୍ବ ହେଲେ ସୋଫା ଉପରେ ପେପର ଧରି ବସି ପାଟି କରନ୍ତି, "ଟୁନି ମୋ ଚା କାହିଁ? ଶୀଘ୍ର ଆଣେ "l

ପିଙ୍କୁ ପ୍ୟାଣ୍ଟ ସାର୍ଟ ଇସ୍ତ୍ରୀ ହୋଇନଥିଲେ ସେ ଟୁନି କୁ ଡାକି କହେ, "ଟୁନି ଆଣ୍ଟି ମୋ ସାର୍ଟଟା ଟିକେ ଜଲଦି ଆଇରନ ଲଗେଇଦିଅ l ମୁଁ ଆଜି ଏଇଟା ପିନ୍ଧିବି "

ଖୁସି ର ତ ଏବେ ସବୁଠୁ ପ୍ରିୟ ତା ଟୁନି ଆଣ୍ଟି l ସେ ଟୁନି ଠୁ ଗାଁ ର ବହୁ ନିଆରା କାହାଣୀ ଶୁଣେ l କୁଆଁର ପୁନେଇଁ ଗୀତ ଓ ରଜ ଗୀତ ବି ତା ଟୁନିଆଣ୍ଟି ତାକୁ ଗାଇକି ଶୁଣାନ୍ତି l ଖୁସି ବି ତା ସ୍କୁଲ କଥା ଆସି ଟୁନି କୁ କହେ l

ଟୁନି ଏହି କେତେଟା ଦିନ ଭିତରେ ସଭିଙ୍କୁ ଆପଣା ର କରିସାରିଥିଲା l ଘରେ ଏବେ 'ମାମା' 'ମାମା' 'ରୀତା' 'ରୀତା ' ଶବ୍ଦ ବଦଳରେ 'ଟୁନି' 'ଟୁନି' 'ଆଣ୍ଟି' 'ଆଣ୍ଟି' ବେଶୀ ଶୁଣା ଯାଉଥିଲା l ସବୁକାମ ରେ ଟୁନିର ଆବଶ୍ୟକତା ଯେତିକି ବଢ଼ୁଥିଲା, ରୀତା ଙ୍କ ଗୁରୁତ୍ୱ ସେତିକି କମୁଥିବା ରୀତା ଅନୁମାନ କଲେ l ଟୁନି କୁ ଥରେ ଜର ହେଇଗଲା, ଯେ ବେଶ କିଛିଦିନ ଔଷଧ ଖାଇଲା ପରେ ବି ଛାଡ଼ିଲାନି lରୀତା ଦେବୀଙ୍କ ବ୍ୟତୀତ ଘର ର ଅନ୍ୟ ସମସ୍ତେ ବହୁ ବ୍ୟସ୍ତ ହୋଇପଡିଲେ l ଗୋଟେ ସନ୍ଧ୍ୟା ରେ ଜର ଟା ବଢିଯିବାରୁ ପିଙ୍କୁ ସ୍କୁଟି ନେଇକରି ରାତି ନଅ ଟାରେ ତା ବାପାଙ୍କ ଡାକ୍ତର ବନ୍ଧୁ ସୁବୋଧ ଅଙ୍କଲଙ୍କୁ ଡାକିକରି ଘରକୁ ଆଣିଲା l ସେ ଟୁନି କୁ ଦେଖି ସଠିକ ଔଷଧ ଇଂଜକସନ ଲେଖିବା ପରେ ଟୁନି ସେହି ମେଡ଼ିସିନ, ଇଂଜକସନ ରେ ଭଲ ହେଲା l

ଟୁନି ସେହି ଘରେ ଖୁବ ଖୁସି ରେ ଥିଲା l ମନେ ମନେ ଠାକୁରଙ୍କୁ, ରୀତା ନାନୀ ଓ ସତ୍ୟବାବୁଙ୍କୁ ଧନ୍ୟବାଦ ଦେଉଥିଲା l

ସବୁକିଛି ଠିକ ଚାଲିଥିଲା ବେଳେ ପୁଣି ଆଗପରି ଘରୁ କିଛି କିଛି ଦରକାରୀ ସାମଗ୍ରୀ ହଜିବାକୁ ଲାଗିଲା l ସମସ୍ତଙ୍କ ସହ ମିଶି ଟୁନି ବି ସେହି ସବୁ ଜିନିଷ ବହୁତ ଖୋଜିଲା l କୋଉଠୁ ମିଳିଲାନି l ନିୟମିତ ବ୍ୟବଧାନ ରେ ଘରୁ କିଛି ନା କିଛି ଚୋରି ହେଲା l ଟୁନି ପରି ନିସ୍ଵାର୍ଥପର ମହିଳା କୁ ସନ୍ଦେହ କରିବାକୁ କାହାରି ବି ସାହସ ହେଉନଥିଲା l ତାହେଲେ ଜିନିଷ ଗୁଡିକ ଏମିତି ଉଭାନ ହେଇଯାଉଛି କୁଆଡେ?ହଜିଯାଉଥିବା ସାମଗ୍ରୀମାନ ପ୍ରକୃତରେ ଖୁବ ମୂଲ୍ୟବାନ ଥିଲା ଓ ଯାହାର ଜିନିଷ ହଜୁଥିଲା ତାର ଅତିପ୍ରିୟ ଜିନିଷ ଟି ହିଁ ହଜୁଥିଲା l ସେଦିନ ଯେମିତି ପିଙ୍କୁ ର ଅତିପ୍ରିୟ ରିଷ୍ଟୱାଚ ଟି ହଜିଗଲା l ପିଙ୍କୁ ରାଗିକରି ନଖାଇ କଲେଜ ପଳେଇଥିଲା l କିଏ ସେ ଚୋର ଯାହାକୁ ସଭିଙ୍କ ପ୍ରିୟ ଦ୍ରବ୍ୟ ହିଁ ଲୋଡ଼ା?

ଯେତେ ସତର୍କ ରହିଲେ ମଧ୍ୟ ଚୋରି ବନ୍ଦ ହେଉନଥିଲା କି ଚୋର ବି ଧରାପଡୁନଥିଲା l କିଛି ଦିନ ଉତ୍ତାରୁ ଆଉ ଏକ ଅଭାବନୀୟ ଘଟଣା ଘଟିଲା l ସତ୍ୟବାବୁ ଡିପାର୍ଟମେଣ୍ଟର କିଛି ଉନ୍ନତିମୂଳକ କାର୍ଯ୍ୟପାଇଁ ଉଠେଇ ଥିବା ତିରିଶ ହଜାର ଟଙ୍କା ସେମିନାର ସେକ୍ରେଟାରୀ କୁ ହସ୍ତାନ୍ତର କରିବାର ଥିଲା l କିନ୍ତୁ ସେ ଆସିବାକୁ ବିଳମ୍ବ କଲାରୁ ଟଙ୍କା ଟା ସାଙ୍ଗରେ ଘେନି ଘରକୁ ଚାଲିଆସିଲେ l ପରଦିନ କଲେଜ ଟାଇମ ରେ ନେଇଯିବେ ଭାବି ଆଲମିରା ରେ ରଖିଥିଲେ l ସକାଳୁ ଆଲମାରୀ ଖୋଲି ଦେଖିଲେ ଟଙ୍କା ଗାୟବ l ସୁଚରୀତାଙ୍କୁ ପଚାରିବାରୁ ସେ ଦେଖିନାହାଁନ୍ତି କହିଲେ l ସମସ୍ତଙ୍କୁ ଗୋଟି ଗୋଟି କରି ପଚାରି ସେହି ସମାନ ଉତ୍ତର ପାଇଲେ l ସତ୍ୟବାବୁ ଙ୍କର କଲେଜ ଟାଇମ ଗଡିଯାଉଥିଲା l ସେ ବ୍ୟସ୍ତ ବିବ୍ରତ ହୋଇଗଲେ l ତିରିଶ ହଜାର ଟଙ୍କା ଘରୁ ଚୋରୀ ହେଇଯିବା ଟା ଆଦୌ ଶୁଭ ସଙ୍କେତ ନୁହେଁ l

ସୁଚରିତା ଆଜି ବାଧ୍ୟ ହୋଇ ଟୁନି କୁ ତା ବ୍ୟାଗ ଖୋଲି ଦେଖାଇବା ପାଇଁ କହିଲେl

ଟୁନି ର ବଡ ବଡ ଆଖିରୁ ଟୋପା ଟୋପା ଲୁହ ଖସିପଡିଲା l ସେ ତା ଛୋଟ ରୁମ ଭିତର କୁ ଯାଇ ନିଜ ସାତସିଆଁ ଛିଣ୍ଡା ବ୍ୟାଗ ଟି ଆଣି ସମସ୍ତଙ୍କ ସାମ୍ନା ରେ ରଖିଦେଲା l ଚେନ କାମ କରୁନଥିବା ବ୍ୟାଗ ଟା କୁ ରୀତା ଦେବୀ ଖୋଲି କରି ତଳେ ଅଜାଡି ଦେଲେ l ବ୍ୟାଗ ରୁ ଦୁଇ ହଳ ପୁରୁଣା ଶାଢ଼ୀ, ଟୁନି ଆଉ ତା ବାପା ବୋଉ ଥିବା ଗୋଟେ ଫୋଟୋ ଫ୍ରେମ,ହଳେ କଳା ପଡ଼ିଯାଇଥିବା ରୁପା ପାଉଁଜି ସହ ମୋଟା ଏକ ଟଙ୍କା ର ବିଡା ଖସିପଡିଲା l

ସମସ୍ତେ ଏତେଗୁଡ଼େ ଟଙ୍କା ଟୁନି ର ବ୍ୟାଗ ରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ l ସତ୍ୟବାବୁ ଗଣିକରି ଦେଖିଲେ ପୁରା ତିରିଶ ହଜାର l ଟୁନି ପାଟି ରୁ କିଛି କଥା ବାହାରୁନଥାଏ l ରୀତା ଙ୍କ ଆଖି ରାଗରେ ଲାଲ l ପିଲାମାନେ ନିଜ ଆଖିକୁ ବିଶ୍ୱାସ କରିପାରୁନଥାନ୍ତି l

ସତ୍ୟବାବୁ କ୍ରୋଧିତ ହୋଇ କହିଲେ -

- ଟୁନି ତୋର ଏତେ ଟଙ୍କା କାହିଁକି ଦରକାର ପଡିଲା ? ଯଦି ଆବଶ୍ୟକ ଥିଲା ମତେ କହିଲୁନି l ଚୋରୀ କରି ଆମ ସମସ୍ତଙ୍କ ବିଶ୍ୱାସ କୁ କାହିଁକି ଭାଙ୍ଗିଦେଲୁ? ଆମେ ଚାହିଁକି ବି ତତେ ଆଉ ଏ ଘରେ ରଖିପାରିବୁନି l

ଟୁନି କିଛି କହିଲାନି l କେବଳ କାନ୍ଦିଚାଲିଥିଲା l ତଳୁ ସେହି ପୁରୁଣା ଶାଢ଼ୀ ଉପରୁ ତା ବାପା ବୋଉଙ୍କ ଫୋଟୋ ଟା କୁ ଉଠେଇ ନିଜ ଛାତି ରେ ଚାପି ଧରିଥିଲା l କାନ୍ଦି କାନ୍ଦି ବୋଧେ ସେ ତା ଭାଗ୍ୟ କୁ ନିନ୍ଦା କରୁଥିଲା l

ସତ୍ୟବାବୁ କଲେଜ ଯିବା ପୂର୍ଵ ରୁ ପୁଣିଥରେ କହିଗଲେ -

-ଟୁନି ମୁଁ ଘରକୁ ଫେରିଲାବେଳକୁ ତୁ ତୋ ଗାଁ କୁ ଯାଇସାରିଥିବୁ ବୋଲି ମୁଁ ଆଶା କରୁଛି l

ସମସ୍ତେ ଦୁଃଖୀ ଦୁଃଖୀ ଜଣାପଡୁଥିଲା ବେଳେ ଟୁନି ର ପ୍ରିୟ ରୀତା ନାନୀ ବେଶ ଆଶ୍ଵସ୍ତ ଅନୁଭବ କରୁଥିଲେ, ଏତେ ଦିନକେ ଅସଲ ଚୋରଣୀ ଟା ଧରାପଡିଥିବା ରୁ l

ଖୁସି ଦୌଡ଼ି ଆସି ଟୁନି କୁ କୁଣ୍ଢେଇ କହିଲା, " ଆଣ୍ଟି ଯାଅନି l ବାବା ମାମା ଙ୍କୁ ସରି କହିଦିଅ l"

ଟୁନି ଖୁସି ର ମୁଣ୍ଡ ଆଉଁସି ଦେଇ ତାକୁ ଟିକେ ପାଖକୁ ଆଣି ଗେଲ କଲା l ଟୁନି ର ଲୋତକ ଭର୍ତ୍ତି ଆଖି l ଖୁସି ର କାନ୍ଦ କାନ୍ଦ ମୁଁହ l

ଟୁନି ଏବେ ତା ଛିଣ୍ଡା ବ୍ୟାଗ ଟା ଉଠେଇଲା l ଶାଢ଼ୀ ଆଉ ଅନ୍ୟ ଦୁଇ ତିନିଟା ଜିନିଷ କୁ ରଖିଦେଇ ଦୁଇପାଖରୁ ବ୍ୟାଗ ର ଫିତା ଦୁଇଟିକୁ ବାନ୍ଧି ଗଣ୍ଠି ଟେ ପକାଇଲା l ରୀତା ନାନୀଙ୍କ ଠୁ ବସ ଭଡ଼ା ପାଇଁ ପଞ୍ଚାବନ ଟଙ୍କା ମାଗି କରି ଆଣିଲା l

ହଠାତ ପୁଣି ମନେପଡ଼ିଲା ସକାଳ ର ବାସନ ମେଞ୍ଚାଏ ପଡିଛି l ବିନା କୌଣସି ଶବ୍ଦ ରେ କିଚେନ ଭିତର କୁ ଗଲା ଓ ଅନ୍ୟ ଦିନମାନଙ୍କ ପରି ଅଇଁଠା ବାସନଗୁଡା ଚିକଚିକ କରି ମାଜିପକାଇଲା l

ରୋଷେଇ ଘରୁ ବାହାରିଆସି ଦେଖିଲା ମାଆ ପିଲା ତିନିଜଣ ଯାକ ହଲ ରେ ବସିଛନ୍ତି l ସେ ନିଜର ସର୍ବସ୍ୱ ସେହି ଚିରା ବ୍ୟାଗ ଟିକୁ ଦୁଇହାତରେ ଜାବୁଡି ଧରି ସଭିଙ୍କ ଠୁ ବିଦାୟ ମାଗିଲା l

ପିଙ୍କୁ ଆସି ଏକ ଦୁଃଖୀ ଦୁଃଖୀ ଜଣାପଡୁଥିବା ଧୀର ସ୍ୱର ରେ କହିଲା -ଆଣ୍ଟି ବସ ଷ୍ଟାଣ୍ଡ ପାଖରେ ରେ ଛାଡିଦେବି କି?

ଟୁନି ମୁଣ୍ଡ ହଲେଇ ନାହିଁ କଲା l

ଟୁନି ଘରୁ ବାହାରୁଥିଲା ବେଳେ ସୁଚରିତା କବାଟ ଟା ବନ୍ଦ କରିବାକୁ ପଛେ ପଛେ ଆସିଲେ l ଟୁନି ଗଲା ବେଳକୁ ବ୍ୟାଗ ଟା ତଳେ ରଖିଦେଇ ରୀତା ଙ୍କ ପାଦ ଛୁଇଁଲା l ପୁଣି ବ୍ୟାଗ ଟା ହାତ ରେ ଉଠେଇ ଧରି କହିଲା -

- "ନାନୀ ଯାଉଛି l ତୁମମାନଙ୍କ ସହ ବିତିଥିବା ଏହି କେତୋଟି ଦିନ ମୋ ଜୀବନ ର ସବୁଠୁ ଖୁସି ର ଦିନ ହେଇ ମୋ ଛାତିତଳେ ମଲାଯାଏଁ ରହିଥିବ l ପିଲାମାନଙ୍କୁ କହିଦେବ ଏ ଚୋରଣୀ ଟା କୁ ବେଶୀ ମନେପକେଇବେ ନାହିଁ l" ଏତିକି କହିଲା ବେଳେ ଟୁନି ର ଆଖିରୁ ଲୁହ ବୋଲ ମାନୁନଥିବା ବନ୍ୟା ପରି ବୋହି ତା ଗଣ୍ଡ ଦେଶ ଅତିକ୍ରମ କରି ପିନ୍ଧା ଶାଢ଼ୀ ବି ଭିଜେଇଦେଉଥିଲା l

ରୀତା କିଛି ନକହି ସେମିତି ଠିଆ ହୋଇଥାନ୍ତି l ଟୁନି ପୁଣି କହିଲା, "ନାନୀ, ଖାଲି ହାତରେ ଆସିଥିଲି, ଗଲାବେଳକୁ ବିରାଟ ବୋଝ ଟେ ମୁଣ୍ଡେଇ ଯାଉଛି l ବାପା ବୋଉ ବନ୍ୟା ରେ ଭାସିଗଲେ, ସ୍ୱାମୀ ଘରୁ ତଡ଼ିଦେଲା ସେସବୁ ଅସହ୍ୟ ଛତିଫଟା ବେଦନା କୁ ଏକା ଏକା ସହିଯାଇଥିଲି l ମୁଁ ପର ଘରେ ବସିପାଇଟି କରି ଅନ୍ୟ ର ବାସି ଅଇଁଠା ଖାଇ ଆପଣା ପେଟ ପୋଷିଛି କିନ୍ତୁ ନିଜ ମାନ ମହତ କୋଉଠି ହରେଇନଥିଲି l ଏଠିକୁ ଆସିଲି l ଭାବିଲି ଏହି ମୋ ଶେଷ ଠିକଣା l ତୁମମାନଙ୍କ ସେବା କରି ବାକି ଜୀବନ କାଟିଦେବି l ହେଲେ ମୁଁ ହତଭାଗିନୀ କାହୁଁ ବୁଝିବି ମୋ କପାଳ ଟା ପା ଜନ୍ମ ରୁ ଫଟା l "

ଟୁନି କାନ୍ଦୁ କାନ୍ଦୁ ପୁଣି ଜୋଡ଼ିଲା "କିନ୍ତୁ ନାନୀ ମୋର ସବୁ ଯନ୍ତ୍ରଣା ଠୁ ବଳିଗଲା ଆଜି ମୁଁ କରିନଥିବା ଅପରାଧ ର ଅସହ୍ୟ ଅପବାଦ ବୋଝ l ୟାକୁ ବୋହିବା ବହୁତ କଷ୍ଟ l ଏଇଟା ମୋ ଛାତି କୁ ରୁନ୍ଧି ପକଉଛି ନାନୀl" କହୁ କହୁ ତା ଗଳା ଯନ୍ତ୍ରଣା ରେ ଦବିଗଲା ବୋଧେ l ଦୁଃଖିନୀ ଝିଅ ଟା ସେହି ଲୁଣିଆ ଅଶ୍ରୁ କୁ ଗଳା ପାଖେ ଢୋକିନେଇ ଛାତି କୁ ଜୋରକରି ବ୍ୟାଗରେ ଚାପିଧରି କହିଲା," ନକଲି ଚୋରି ଟା ତ ଧରା ପଡିଗଲା ନାନୀ, କିନ୍ତୁ ଅସଲରେ ତୁମର ଯାହା ଚୋରିଯାଇଛି ସେହିଟା ତୁମ ଆଉ ମୋ ଛଡା କେହିଜାଣିଲେ ନାହିଁ ନାଁ? ସେହି ଚୋରୀ ଦରବ ଟା ବି ଚାହିଁକରି ତୁମେ ମୋଠୁଁଉ ଛଡେଇ ନେଇପାରିବନି l ହଉ ନାନୀ ମୁଁ ଆସୁଛି l ଏ ଗରିବ ପାପିନୀ କୁ ତା ଭୁଲ ପାଇଁ କ୍ଷମା କରିଦେବ l" ଟୁନି ର ବାଷ୍ପରୁଦ୍ଧ କଣ୍ଠ ର କାରୁଣ୍ୟତା ରୀତା ଙ୍କ ହୃଦୟ ରେ ଧକ୍କା ହେଲା ପରି ତାଙ୍କୁ ମନେ ହେଲା l ସେ ସେମିତି ମୂର୍ତ୍ତି ପରି ଠିଆହୋଇ ରହି ସେହି ଚିରଦୁଃଖିନୀ ସ୍ୱମୀପରିତ୍ୟକ୍ତା ଅନାଥ ଝିଅ ଟିକୁ ଚାଲିଯାଉଥିବାର ପଛରୁ ଦେଖୁଥାନ୍ତି l ଟୁନି କେତେବେଳୁ ଗେଟ ପାର ହୋଇଯାଇସାରିଲାଣି l ରୀତା ନିଶ୍ଚଳ ହୋଇ ଚାହିଁ ରହିଛନ୍ତି l ତାଙ୍କ ନଜର ପଡିଲା ସେ ଟୁନିକୁ ଦେଇଥିବା ନିଜ ପୁରୁଣା ଚପଲ ହଳକ ଗେଟ ଏପଟେ ଥୁଆହୋଇଛି l ସେଇଦୁଇଟିକୁ ବି ଫେରାଇଦେଇ ବିଚାରୀ ସ୍ନେହ କାଙ୍ଗାଳି ଏକାକିନୀ ଏକଦମ ନିସ୍ବ ନାରୀ ଟି ଖାଲିପାଦରେ ଚାଲିଯାଇଛି l

ସନ୍ଧ୍ୟା ରେ ସତ୍ୟବାବୁ ଫେରିଆସି ସୋଫା ଉପରେ ବସିପଡ଼ିଲେ ଆଉ ଅଭ୍ୟାସ ବଶତଃ ପାଟିକଲେ, "ଟୁନି ଚା' କପେ ଆଣିଲୁ "

ସୁଚରିତା ନିଜେ ପାଣି ଆଉ ଚା' ଧରି ଆସିଲେ l ସତ୍ୟବାବୁ ସେ ଚା' ରୁ ଗୋଟେ ଚୁରୁକ ପିଇ ବାକିତକ ସେମିତି ଟିପୟ ଉପରେ ରଖିଦେଲେ l ପିଲାମାନେ ବି ଆଜି ଠିକ ରେ ଖାଇନାହିଁନ୍ତି l ସମସ୍ତେ ମ୍ରିୟମାଣ ଗଭୀର ଦୁଃଖ ରେ l ଗମ୍ଭୀର ପରିବେଶ l କେହି କାହା ସହ କଥା ହେଉନାହାଁନ୍ତି l

ସୁଚରିତା ଏକ ଭୀଷଣ ଅପରାଧ ବୋଧ ରେ କାହାକୁ ସାମ୍ନା କରିନପାରି ଷ୍ଟୋର ରୁମ ଆଡକୁ କୁ ଗଲେ l ସେଠି କବାଟ କୋଣ ରେ ଥିବା ବଡ ଟିଣ ବାକ୍ସ ର କୁମୁଡା ଖୋଲିଲେ l ଅନ୍ୟମନସ୍କ ଭାବେ ତା ଭିତରେ ହାତ ପସେଇ ଆଗରୁ ଚୋରୀ ଯାଇଥିବା ପିଙ୍କୁ ର ପ୍ରିୟ ରିଷ୍ଟ ୱାଚ ସମେତ ଅନ୍ୟାନ୍ୟ ସମସ୍ତ ଚୋରୀ ଜିନିଷ ଗୋଟି ଗୋଟି କରି ବାହାର କଲେ l ସେ ପ୍ରତ୍ୟେକ ଟି ମୂଲ୍ୟବାନ ଦ୍ରବ୍ୟ କାଢ଼ୁଥାନ୍ତି ଓ ମନେ ମନେ ଭାବୁଥାନ୍ତି, "ଟୁନି ଗଲା ବେଳକୁ କୋଉ ଚୋରୀ କଥା କହିଦେଇ ଗଲା?"

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର

ଦଶରଥପୁର

ଯାଜପୁର

****************

ଚୋରଣୀ କାମବାଲୀ ଅଭିଶପ୍ତ

Rate the content


Originality
Flow
Language
Cover design

Comments

Post

Some text some message..