ଆକବର ବିରବଲ - ୬୦
ଆକବର ବିରବଲ - ୬୦
ଇଏତ ରାମଦାସ - ୧
ବହୁତ ଦିନ ପୁରୁଣା କଥା । ସମ୍ରାଟ୍ ଆକବରଙ୍କ ସାମ୍ରାଜ୍ୟ ମଧ୍ୟରେ ଦୁଇଜଣ ବନ୍ଧୁ ବାସ କରୁଥିଲେ । ଦୁହିଁଙ୍କ ମଧ୍ୟରେ ଖୁବ୍ ମିତ୍ରତା ଥିଲା । ସେହି ଦୁଇଜଣଙ୍କ ମଧ୍ୟରୁ ମୋତିଲାଲ୍ ଥିଲେ ବ୍ୟବସାୟୀ । ସେହିପରି ରାମଦାସ ମଧ୍ୟ ସାମାନ୍ୟ ନଥିଲେ, ତାଙ୍କର ମଧ୍ୟ ଅମାପ ଧନ ଥିଲା । ସେଥିଲାଗି ଏହି ଦୁଇ ମିତ୍ରଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ ଥିଲା ।
ଏମିତି ଏକ ସମୟ ଆସିଲା କି ରାମଦାସ ଓ ତାଙ୍କ ସ୍ତ୍ରୀଙ୍କର ଇଚ୍ଛା ହେଲା କିଛି ଦିନ ନିମନ୍ତେ ସେ ତୀର୍ଥ ଭ୍ରମଣରେ ଯିବେ । ଯଦି ତୀର୍ଥ ଭ୍ରମଣରେ ଯିବେ ତାହା ହେଲେ ଘରେ ଏତେ ସବୁ ଧନରତ୍ନ ଓ ଏହାକୁ ଜଗି ରଖିବାର ଦାୟିତ୍ୱ ସେ ପୁଣି କାହା ହସ୍ତରେ ଦେଇଗଲେ ଭଲ ହେବ, ଏପରି ବିଚାର ବିମର୍ଷ କରୁଥିବା ସମୟରେ ସ୍ତ୍ରୀଙ୍କ ମୁଣ୍ଡରେ ଭଲକଥାଟିଏ ଢୁକିଲା । ସେ କହିଲେ – ଆମର ଖୁବ୍ ମିତ୍ର ବନ୍ଧୁ ମୋତିଲାଲ୍ । ତାଙ୍କ ଉପରେ ଯେବେ ଆମେ ସେହି ଦାୟିତ୍ୱକୁ ସମର୍ପଣ କରିଯିବା ଏଥିରେ ଆମର ଅସୁବିଧା କ’ଣ ହେବ?
ସ୍ତ୍ରୀଙ୍କର କଥା ରାମଦାସଙ୍କର ମନକୁ ପାଇଲା, ତହୁଁ ସେମାନେ ମୋତିଲାଲ୍ଙ୍କ ସହିତ ଏକଥା ପରାମର୍ଶ ହେଲେ । ବନ୍ଧୁ ଯେତେବେଳେ କହୁଛନ୍ତି ମୋତିଲାଲ୍ କାହିଁକି ମନା କରନ୍ତେ, କଥାରେ ଅଛି ବିପଦ ଆପଦ ସୁଖ ସମ୍ପଦ କାଳେ ଯିଏ ପାଖରେ ଆସି ଠିଆ ହୁଏ ସେହି ହିଁ ପ୍ରକୃତ ମଣିଷର ବନ୍ଧୁ ।
ଏହାପରେ ରାମଦାସ ତୀର୍ଥ ଯିବା ନିମନ୍ତେ ନିଜର ସମସ୍ତ ଜିନିଷପତ୍ର ବନ୍ଧାବନ୍ଧି କରି ସାରି ମୋତିଲାଲ୍ଙ୍କ ହସ୍ତରେ ଗୃହର ଚାବି ଦେଇ ତୀର୍ଥ ଭ୍ରମଣରେ ବାହାରି ଗଲେ ।
ଏଥି ମଧ୍ୟରେ ରାମଦାସ ଓ ତାଙ୍କର ସ୍ତ୍ରୀ ନାନା ଦେଶ ଭ୍ରମଣ କରିବାକୁ ଲାଗିଲେ । ସେଥି ମଧ୍ୟରୁ ବହୁ ତୀର୍ଥସ୍ଥାନ ଗଲେ । ଏହିପରି ଭାବରେ ଭ୍ରମଣ କରୁ କରୁ ରାମଦାସଙ୍କୁ ଗୋଟିଏ ବର୍ଷ ଲାଗିଗଲା । ତା’ପରେ ସେମାନେ ତୀର୍ଥ ଭ୍ରମଣ ସମାପ୍ତ କରି ଘରକୁ ଫେରିଲେ ।
ମନ ମଧ୍ୟରେ ଖୁବ୍ ଧର୍ମ ଭାବ, କିଏ ବା ତାଙ୍କର ଘରକୁ ଅଛି । ଏତେ ଅମାପ ଧନ ଭୋଗ ବା କାହାପାଇଁ ଥୋଇ ଦେଇ ଯିବେ । ଏମିତି ବାଟରେ ଚିନ୍ତା କରିବା ମଧ୍ୟରେ ସେମାନେ ଚିନ୍ତା କରିଥିଲେ ଯେ ଏଥିଲାଗି ସାହି ପଡିଶାର କିଛି ଆତ୍ମୀୟ ଲୋକଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିବେ ।
ଏମନ୍ତ ଚିନ୍ତା କରି ସେମାନେ ଗୃହରେ ପହଁଚିଲେ । ଗୃହରେ ଆସି ସେ ଯାହାସବୁ ଦେଖିଲେ ତାହା ଦେଖି ତାଙ୍କର ମୁଣ୍ଡ ଘୂରିଗଲା । କାରଣ ଯେଉଁ ଘରେ ଏତେ ଧନରତ୍ନ ଥିଲା, ତାହାର ନିରାପତା ନିମନ୍ତେ ମୋତିଲାଲ୍ଙ୍କ ହସ୍ତରେ ଗୃହର ଚାବିଦେଇ ସମସ୍ତ ଦାୟିତ୍ୱ ସମର୍ପଣ କରି ଯାଇଥିଲେ । ସେମାନେ ଆସି ଦେଖିଲେ ଯେ ତାଙ୍କର ଗୃହରେ ସବୁ ଓଲଟ ପାଲଟ ହୋଇଯାଇଛି । ତାଙ୍କର ଗୃହଟି ଗୋଟିଏ ଅନାଥାଶ୍ରମ ପରି ହୋଇଛି, ସବୁଘର ତାଲା ଖୋଲା ରହିଛି । ଗୃହମଧ୍ୟରେ ସାମାନ୍ୟ ପଦାର୍ଥଟିଏ ବି ନାହିଁ । ଘର ଭିତରେ ବିରାଡି ଓ ମୂଷାଙ୍କ ରାଜ । ଖୋଲା ଘର ଥିବାରୁ ତା ଭିତରେ ଗୋରୁ ଗାଈଙ୍କର ମଳମୂତ୍ରରେ ପରିପୂର୍ଣ୍ଣ । କହିବାକୁଗଲେ ଗୃହ ଆଉ ଗୃହ ଅବସ୍ଥାରେ ନଥିଲା । ପଶୁମାନେ ମଧ୍ୟ ସେ ଗୃହରେ ରହିବାକୁ ଇଚ୍ଛା କରିବ ନାହିଁ ।
ରାମଦାସ ଏହା ଦେଖି ଦୁଃଖରେ ମ୍ରିୟମାଣ ହୋଇ ଦୁହେଁ ସାଥି ହୋଇ ସଂଗେ ସଂଗେ ବନ୍ଧୁ ମୋତିଲାଲ୍ଙ୍କ ନିକଟରେ ପହଁଚି ସମସ୍ତ ପ୍ରସଙ୍ଗ ଉଠାନ୍ତେ, ମୋତିଲାଲ୍ ସେତେବେଳେ ମିତ୍ର ରାମଦାସଙ୍କୁ ନିଷ୍ଠୁର ଭାଷାରେ ଗାଳିଗୁଲଜ କରି କହିଲେ – ତୁମର କେଉଁ ଘର? ତୁମ ଘରର ଦାୟିତ୍ୱ ମୋତେ ଦେଇ ନଥିଲ । ଅଧିକ କଥାବାର୍ତ୍ତା କଲେ ମୁଁ ତୁମକୁ ବନ୍ଧୁ ଭାବରେ ସମ୍ମାନ ନ ଦେଇ ଏଘରୁ ଧକ୍କା ଦେଇ ବିତାଡିତ କରିଦେବି ।
ମୋତିଲାଲ୍ଙ୍କ ଠାରୁ ଏପରି ନିଷ୍ଠୁର ବଚନ ଶୁଣିବା ପରେ ରାମଦାସ ଖୁବ୍ ଜୋର୍ରେ କାନ୍ଦି ପକାଇ କହିଲେ – ବନ୍ଧୁ ହିସାବରେ ମୁଁ ତୁମକୁ ବିଶ୍ୱାସ କରି ମୋ ଘରର ଦାୟିତ୍ୱ ସମର୍ପଣ କରିଥିଲି, ତୁମେ ମୋ ବିଶ୍ୱାସରେ ବିଷ ମିଶାଇଦେଲ ମୋତିଲାଲ୍ । ତୁମକୁ ଧର୍ମ ସହିଲେ ହେଲା ।
ରାମଦାସଙ୍କଠାରୁ ଏପରି ବଚନ ଶୁଣିବା ମାତ୍ରେ ମୋତିଲାଲ୍ ରାମଦାସଙ୍କ ପାଖକୁ ଚମକି ଆସି କହିଲେ – ତୁମେ ମୋର କୌଣସି ବନ୍ଧୁ ମିତ୍ର କିମ୍ବା ବାନ୍ଧବ ନୁହଁ । ଅଯଥାରେ ମୋର ଘର ଦ୍ୱାରଠାରେ କାନ୍ଦିବାଟା ମୋର ସମ୍ମାନ ପ୍ରତି ଆଂଚ ଆସୁଛି । ତୁମ୍ଭର ଯଦି କାନ୍ଦିବାକୁ ଏତେ ଇଚ୍ଛା ତାହା ହେଲେ ତୁମେ ତୁମର ଘରଠାରେ ଯାଇ କାନ୍ଦ । ଏହା କହି ବନ୍ଧୁ ମୋତିଲାଲ୍ ଏକ ବୃଷଳିଆ ଠେଙ୍ଗାଧରି ରାମଦାସ ଓ ତାଙ୍କ ସ୍ତ୍ରୀଙ୍କୁ ଗୋଡାଇ ଆସିବାରୁ ରାମଦାସ ପ୍ରାଣ ବିକଳରେ ନିଜର ସ୍ତ୍ରୀଙ୍କୁ ଧରି ସେଠାରୁ ଫେରି ଆସି ଚିନ୍ତା କରିବାକୁ ଲାଗିଲେ ଯେ ଏଥିପାଇଁ ଆଉ କି ଉପାୟ ଅଛି, ଆଉ କାହାର ପରାମର୍ଶ ଗ୍ରହଣ କଲେ ଆମେ ମୋତିଲାଲ୍ଙ୍କ ଉପରେ ପ୍ରତିଶୋଧ ନେଇପାରିବୁ ଏବଂ ଆମର ଧନରତ୍ନ ଓ ଗୃହର ସମସ୍ତ ଆସବାବ ପତ୍ର ଫେରି ପାଇବୁ ।