ଓଡିଆ ଶିଶୁ ଗପ

Children

3  

ଓଡିଆ ଶିଶୁ ଗପ

Children

ବୁଦ୍ଧିଆ ମହାଜନ

ବୁଦ୍ଧିଆ ମହାଜନ

3 mins
586


ଅନେକ ବର୍ଷ ତଳର କଥା । ଗୋଟିଏ ଗାଆଁରେ ଜଣେ ମହାଜନ ଥିଲେ । ତାଙ୍କର ତିନୋଟି ପୁଅ ଥିଲେ । ତନ୍ମଧ୍ୟରୁ ବଡ ପୁଅର ନାମ ସୁରେଶ, ମଝିଆଁ ପୁଅର ନାମ ଦିନେଶ ଏବଂ ସାନ ପୁଅର ନାମ ଅବିନାଶ । ସେ ମହାଜନଙ୍କର ପୁଣି ଅଚଳାଚଳ ଧନ ସମ୍ପତ୍ତି ଥିଲା । ଗୋରୁ ଗାଈ, ଘୋଡା, ଛେଳି ସବୁ ମହାଜନ ପାଳିଥିଲେ । କିନ୍ତୁ, ଅତି ଦୁଃଖର ବିଷୟ ଯେ, ସେ ତିନି ଭାଇମାନଙ୍କ ମଧ୍ୟରେ କାହାର ବି କାହା ସହିତ ଭଲ ଭାବରେ ପଡୁନଥିଲା । ସେ ଯାହାବିହେଉ, ସେ ମହାଜନ ତାଙ୍କର କୁଟୁମ୍ବ ଅତି ସୁଖରେ ପ୍ରତିପୋଷଣ କରୁଥିଲେ ।

ଏକଦା ସେ ମହାଜନ ଏକ ଅଜଣା ରୋଗରେ ଶଯ୍ୟାଶାୟୀ ହେଲେ । ତାଙ୍କ ଜୀବନ ସଙ୍କଟାପନ୍ନ, ଏମିତିକି କୌଣସି ବଇଦ ମଧ୍ୟ ସେ ମହାଜନଙ୍କ ରୋଗକୁ ଆଦୌ ଚିହ୍ନି ପାରିଲେ ନାହିଁ । ଯେତେ ଔଷଧ ଦେଲେ ବି ମହାଜନଙ୍କର ସେ ରୋଗ ମୋଟେ ଭଲ ହେଲା ନାହିଁ । ଏଥର ସେ ମହାଜନ ଘୋର ଚିନ୍ତାରେ ପଡିଲେ, ମୃତ୍ୟୁ ତ ନିଶ୍ଚିନ୍ତ । ତହୁଁ ସେ ମହାଜନ ମୃତ୍ୟୁ ନିଶ୍ଚିନ୍ତ ବୋଲି ଜାଣିପାରି ଖାଲି ଚିନ୍ତା କରିବାକୁ ଲାଗିଲେ । ତାଙ୍କ ମୃତ୍ୟୁପରେ ପୁତ୍ରମାନେ ସମ୍ପତ୍ତି ଭାଗବଂଟାରେ କାଳେ ଝଗଡା ଲାଗିବେ । ତେଣୁ ସେ ମହାଜନ ଖଣ୍ଡିଏ ସାଧା କାଗଜରେ ଲେଖି ଦେଲେ ଯେ, ସେ ତାଙ୍କ ପରେ ତାଙ୍କର ପୁଅମାନଙ୍କୁ କିପରି ଭାବରେ ସମ୍ପତ୍ତି ବଂଟନ କରିପାରିବେ ।

ସେ କାଗଜରେ ମହାଜନ ପରିଷ୍କାର ଭାବରେ ଲେଖି ଦେଲେ ମୁଁ ମରିଗଲା ପରେ ମୋର ତିନି ପୁଅ ଯାକ ଅଲଗା ଅଲଗା ରହିବେ । ସେମାନେ ମୋ ସମ୍ପତ୍ତିକୁ ସମାନ ତିନିଭାଗ କରିବେ, ହେଲେ ମୋ ମରିବା ପରେ ଘରେ ଯେତୋଟି ହୀରା ଥିବ ତାକୁ ନିମ୍ନ ଲେଖାନୁଯାୟୀ ଭାଗ କରିବାକୁ ମୋର ଏକାନ୍ତ ମନ୍ତବ୍ୟ ।

ମୋର ବଡ ପୁଅ ସୁରେଶ, ସେ ହୀରାକୁ ବହୁତ ଭଲ ପାଏ । ତେଣୁ ସେ ଦୁଇଭାଗରୁ ଏକ ଭାଗ ନେବ । ତା’ପରେ ମଝିଆଁ ପୁଅ ଦିନେଶ ସେ ତା’ର ବଡଭାଇଠାରୁ ଏ ହୀରାକୁ ଟିକେ କମ୍ ଭଲ ପାଏ । ତେଣୁ ସେ ତିନି ଭାଗରୁ ଏକ ଭାଗ ନେବ । ଶେଷରେ ରହିଲା ସାନପୁଅ ଅବିନାଶ ସେ ହୀରାକୁ ସମସ୍ତଙ୍କଠାରୁ କମ୍ ଭଲ ପାଏ, ତେଣୁ ସେ ‘ନଅ’ ଭାଗରୁ ଏକ ଭାଗ ନେବ । ମୋ ମଲାପରେ ମୋ ପୁଅମାନେ ଠିକ୍ ଏହିପରି ଭାବରେ ହୀରା ଭାଗକରି ନେବେ । ହୀରା ଭାଗ କଲାବେଳେ ସେଗୁଡିକୁ ଆଦୌ ଆଦୌ ଖଣ୍ଡ ଖଣ୍ଡ କରିବେ ନାହିଁ । ଏହି ଲେଖାଟିକୁ ପଢି ସେ ତିନି ଭାଇଯାକ ରାଜି ହୋଇଗଲେ । କେହି ବି ଆଉ ଏହାର ପ୍ରତିବାଦ କଲେ ନାହିଁ ।

ମହାଜନ ବୁଢା ତାଙ୍କ ଲେଖା କାଗଜଟିକୁ ବଡ ପୁଅ ସୁରେଶ ହାତରେ ଦେଇ ସବୁଦିନ ପାଇଁ ଏ ସଂସାରରୁ ବିଦାୟ ନେଲେ । ତା’ପରେ ସେ ମହାଜନଙ୍କ ଏକ ଦଶାହ କ୍ରିୟାକର୍ମ ସମାପନ ପରେ ତିନି ଭାଇ ସମ୍ପତ୍ତି ବଂଟନରେ ଲାଗିପଡିଲେ । ଗାଈ, ଗୋରୁ, ଛେଳି, ଜମିବାଡି ସବୁ ସମାନ ତିନିଭାଗରେ ବଂଟା ହୋଇଗଲା । ଶେଷରେ ରହିଲା ହୀରା ବଂଟା କଥା । ମହାଜନଙ୍କ ସେହି ପୁଅମାନେ ହୀରା ଥିବା ବାକ୍ସକୁ ଆଣି ଦେଖିଲେ ଯେ, ସେ ବାକ୍ସରେ ମୋଟ ସତରଟି ହୀରା ଅଛି । ଏ ତ ଏକ ମହାନ ସମସ୍ୟା । ସତରଟି ହୀରାକୁ ତ ସମାନ ଦୁଇଭାଗ କରିହେଉ ନାହିଁ । ତାପରେ ପୁଣି ବାପା ହସ୍ତଲେଖା କାଗଜରେ ଉଲ୍ଲେଖ ଅଛି ଯେ, ହୀରାକୁ କଦାପି ଖଣ୍ଡ ଖଣ୍ଡ କରି ଭାଗ କରାଯାଇ ପାରିବ ନାହିଁ । ତେଣୁ ଭାଇମାନେ ମହାଦ୍ୱନ୍ଦରେ ପଡିଲେ ।

ସେମାନେ ଶେଷରେ ଗ୍ରାମ ମୁଖିଆଙ୍କ ନିକଟକୁ ଗଲେ । ମୁଖିଆଙ୍କୁ ମହାଜନଙ୍କ ବଡପୁଅ ସୁରେଶ ସମସ୍ତ ବିଷୟ କହିଲେ ଓ ତାଙ୍କ ବାପା ହୀରା ବଂଟନର ଭାଗ କରିଥିବା ନିୟମ ଲେଖା ହୋଇଥିବା କାଗଜଟିକୁ ମଧ୍ୟ ଦେଲେ । ମୁଖିଆ ସେ ମହାଜନ ବୁଢା କାଗଜରେ ଲେଖିଥିବା ହୀରା ବଂଟନ ନିୟମକୁ ପଢି ଉପଲବ୍ଧି କଲେ । ସେ ମୁଖିଆ ଜଣେ ବୃଦ୍ଧିଜୀବୀ ବ୍ୟକ୍ତି ଥିଲେ । ତେଣୁ ସେ ଚିନ୍ତାକରି ଗୋଟିଏ ଉପାୟ ପାଇଲେ । ତାଙ୍କ ପାଖରେ ବି ଗୋଟିଏ ହୀରା ଥିଲା । ସେ ହୀରାଟିକୁ ସାଙ୍ଗରେ ଧରି ତିନି ଭାଇଙ୍କ ସାଙ୍ଗରେ ଏ ମୁଖିଆ ମହାଜନଙ୍କ ଘରକୁ ଗଲେ । ତାପରେ ସେ ହୀରା ବାକ୍ସଟିକୁ ଅଣାଗଲା । ହୀରା ବାକ୍ସରୁ ସମସ୍ତ ହୀରା ବାହାର କରାଗଲା । ମୋଟରେ ସତରଟି ହୀରା ମୁଖିଆ ସାଙ୍ଗରେ ନେଇଥିବା ନିଜ ହୀରାଟିକୁ ମିଶାଇ ଦେବାରୁ ମୋଟ ଅଠରଟି ହୀରା ହୋଇଗଲା । ତା’ପରେ ସେ ହୀରାକୁ ଭାଗ କଲେ । ମହାଜନର ବଡ ପୁଅ ସୁରେଶକୁ ମୁଖିଆ ପଚାରିଲେ ତୁମେ କେତୋଟି ହୀରା ପାଇବା କଥା, ତହୁଁ ସେ ସୁରେଶ କହିଲା ଦୁଇ ଭାଗରୁ ଏକ ଭାଗ । ତା’ପରେ ସେ ମୁଖିଆ ତାକୁ ନଅଟି ହୀରା ଦେଇ ଦେଲେ । ସୁରେଶ ଏଥିରେ ଖୁସି ହେଲା । ତା’ପରେ ଆସିଲା ମଝିଆଁ ପୁଅର ପାଳି । ମଝିଆଁ ପୁଅ ଦିନେଶକୁ ମୁଖିଆ ପଚାରିଲେ ତୁମର କେତୋଟି ହୀରା ପାଇବା କଥା, ଏପରି କଥା ଶୁଣି ସେ ଦିନେଶ କହିଲା ମୋର ତିନି ଭାଗରୁ ଏକ ଭାଗ । ମୁଖିଆ ତାକୁ ଛଅଟି ହୀରା ଦେଲେ, ଦିନେଶ ବି ଖୁସି ହୋଇଗଲା । ତା’ପରେ ସାନ ପୁଅ ଅବିନାଶକୁ ମୁଖିଆ ପଚାରିଲେ ଅବିନାଶ, ତୁମେ କେତୋଟି ହୀରା ପାଇବ? ତହୁଁ ସେ ଅବିନାଶ କହିଲା, “ନଅ ଭାଗରୁ ଏକ ଭାଗ ।” ଏହା ଶୁଣି ମୁଖିଆ ତାକୁ ଦୁଇଟି ହୀରା ଦେଲେ । ଶେଷରେ ସେ ବି ଖୁସି ହୋଇଗଲା । ନଅ, ଛଅ, ଦୁଇ ମୋଟ ସତର । ଏହିପରି ଭାବେ ସେ ତିନିଭାଇ ଯାକ ନିଜ ନିଜର ସମାନ ଭାଗ ପାଇ ଅତ୍ୟନ୍ତ ଖୁସି ହେଲେ । ତାପରେ ମୁଖିଆ ତାଙ୍କ ସାଙ୍ଗରେ ନେଇଥିବା ହୀରାଟିକୁ ଧରି ଘରକୁ ଆସିଲେ ।


Rate this content
Log in

Similar oriya story from Children