ପରିବର୍ତ୍ତନ
ପରିବର୍ତ୍ତନ
ରାଜୁ ଓ ବିଜୁ ଦୁଇ ସାଙ୍ଗ । ସେ ଦୁହେଁ ଗୋଟିଏ ଶ୍ରେଣୀରେ ପାଠ ପଢନ୍ତି । ଶ୍ରେଣୀ ଗୃହରେ ପାଖାପାଖି ହୋଇ ମଧ୍ୟ ବସନ୍ତି । ଦୁଇଜଣଙ୍କର ଗୋଟିଏ ମନ । ଖାଇବା, ଶୋଇବା, ସମୟତକ ଛାଡି ସବୁବେଳେ ସେମାନେ ଏକାଠି ଖେଳନ୍ତି ଓ ବୁଲନ୍ତି । ରାଜୁ ଓ ବିଜୁ ଦୁଇ ଜଣଙ୍କ ମଧ୍ୟରେ ବିଜୁ ଅତ୍ୟନ୍ତ ଦୁଷ୍ଟ । ୟା’ ତା’ ବାଡିରେ ପଶି ପିଜୁଳି କାକୁଡି ଆମ୍ବ ପ୍ରଭୃତି ଚୋରି କରେ । ବିଜୁର ସ୍ୱଭାବ ଏତେ ଖରାପ ବୋଲି ରାଜୁ ତ ଆଉ ଜାଣି ନଥାଏ । ରାଜୁର ସ୍ୱଭାବ ଅତ୍ୟନ୍ତ ଭଲ । ନିହାତି ଶାନ୍ତ, ସରଳ, ଉଦାର ସ୍ୱଭାବର । କୌଣସି ଉପାୟରେ ରାଜୁ, ବିଜୁର ମନ୍ଦ ସ୍ୱଭାବ ଜାଣିପାରିଲା । ବିଜୁକୁ ବୁଝାଇଲା ରାଜୁ । ରାଜୁ କହିଲା, ଦେଖ ବିଜୁ ‘ଚୋରି କରିବା ମହାପାପ’ । ତୁ କହିଲୁ ବିଜୁ ସମସ୍ତେ ଯେତେବେଳେ ତୋର ମନ୍ଦ ସ୍ୱଭାବ ଜାଣିଯିବେ ଘରେ ଓ ବାହାରେ ସମସ୍ତେ ତୋତେ ଘୃଣା କରିବେ । ତୁ, ତ ଜାଣୁ ବିଦ୍ୟାଳୟରେ ଗୁରୁଜୀ କହନ୍ତି, ଘରେ ବାପା, ମାଆ ବି କହନ୍ତି, ‘ଚୋରି କରିବା ମହାପାପ’ । ଏମିତି ଛୋଟ ଚୋରି କରୁ କରୁ ତୁ ବଡ ଚୋର ହୋଇଯିବୁ । ବାପାର ନାଆଁ ପକାଇବୁ, ସମସ୍ତେ କହିବେ ଅମୁକ ପୁଅଟା ଚୋରଟାଏ । ଚୋରଟାର ମାନସମ୍ମାନ କିଛି ବି ନାହିଁ । ତୁ ମୋ କଥା ମାନ ବିଜୁ । ତୁ ଚୋରି ଆଦୌ କର ନାହିଁ । ବିଜୁ ରାଜୁର ସବୁ କଥା ଶୁଣିଲା, ହେଲେ ଏ କାନରେ ପୂରାଇ ସେ କାନରେ ବାହାର କରିଦେଲା । ବିଜୁର ତ ଚୋରି କରିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ସେ ସେହିଭଳି ଚୋରି କରି ଚାଲିଲା । ବିଜୁର କୌଣସି ପରିବର୍ତ୍ତନ ନ ଦେଖି ରାଜୁ ଆଉ ବିଜୁ ସହିତ କଥାବାର୍ତ୍ତା କଲା ନାହିଁ । ରାଜୁ ବିଜୁକୁ କହିଲା ତୁ ଆଉ ମୋ ସାଙ୍ଗରେ କଥାବାର୍ତ୍ତା କର ନାହିଁ କି ସାଙ୍ଗ ବି ହେବୁ ନାହିଁ ।
ସେହିଦିନଠାରୁ ରାଜୁ ଆଉ ବିଜୁ ସହିତ ସାଙ୍ଗ ହେଲା ନାହିଁ । ଦୁହେଁ ସ୍କୁଲକୁ ଯାଆନ୍ତି, କିନ୍ତୁ ଆଉ ଆଗଭଳି କଥାବାର୍ତ୍ତା, ଖେଳିବା, ବୁଲିବା ସବୁ ବନ୍ଦ । ଏମିତି କିଛିଦିନ ବିତିଗଲା । ଦିନକର ଘଟଣା, ବିଜୁ ଗାଆଁ ମୁଖିଆ ମଙ୍ଗରାଜ ପ୍ରଧାନଙ୍କ ବାଡିରେ ପଶି ପିଜୁଳି ଚୋରି କରୁଥିବା ବେଳେ ଜଗୁଆଳି ବିଜୁକୁ ଧରି ପକାଇଲା । ଜଗୁଆଳି ବିଜୁକୁ ଧରି ବଗିଚାର ମାଲିକ ମଙ୍ଗରାଜ ପ୍ରଧାନଙ୍କ ନିକଟରେ ହାଜର କରାଇଲା । ସେ ଗାଆଁ ମୁଖିଆ ତ ବିଜୁକୁ ଭଲଭାବେ ଜାଣନ୍ତି । ବଗିଚାରେ ପ୍ରତିଦିନ ଚୋରି ହୁଏ । ଚୋର ଧରା ପଡୁନଥିଲା । ବିଜୁ ତା’ର ସ୍ୱଭାବର ଆଉ କେତେ ଜଣ ପିଲାଙ୍କୁ ସାଙ୍ଗରେ ଧରି ମଙ୍ଗରାଜ ପ୍ରଧାନଙ୍କ ବଗିଚାରୁ ପିଜୁଳି ଚୋରି କରେ । ଆଜି ଏକା ଧରା ପଡିଛି । ମଙ୍ଗରାଜ ପ୍ରଧାନ ଜାଣନ୍ତି, ବିଜୁ ଗାଆଁରେ ସମସ୍ତଙ୍କ ବାଡି ବଗିଚାରୁ ପିଜୁଳୀ, କାକୁଡି, ଆମ୍ବ ଚୋରି କରୁଛି । ହେଲେ କେହି ବିଜୁକୁ ଧରି ତାଙ୍କ ନିକଟରେ ପହଁଚାଇଲେ ସେ ବିଜୁର ବିଚାର କରନ୍ତେ ।
ମଙ୍ଗରାଜ ପ୍ରଧାନ ବି ସେହିଭଳି ଏକ ସୁଯୋଗକୁ ଅପେକ୍ଷା କରି ରହିଥିଲେ । ଆଜି ଯେତେବେଳେ ତାଙ୍କ ବଗିଚାରୁ ବିଜୁ ପିଜୁଳୀ ଚୋରି କରି ଧରା ପଡିଛି । ମଙ୍ଗରାଜ ପ୍ରଧାନଙ୍କ ରାଗ ହଠାତ୍ ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ଚଢିଗଲା । ପିଜୁଳୀ ବାଡି ଖଣ୍ଡେ ଭାଙ୍ଗି ମଙ୍ଗରାଜ ପ୍ରଧାନ ନିସ୍ତୁକ ପିଟିଲେ ବିଜୁକୁ । ବିଜୁ ମାଡ ଖାଇ ବାପା ଲୋ ବୋଉ ଲୋ ହେଉଥାଏ ।
ଠିକ୍ ସେହି ସମୟରେ ରାଜୁ ଟିଉସନରୁ ଛୁଟି ହୋଇ ବହି ବସ୍ତାନୀ ଧରି ଘରକୁ ଫେରୁଥିଲା । ହଠାତ୍ ଏକ ପିଲାର କାନ୍ଦଣା ଶୁଣି ରାଜୁ ଆଗକୁ ଆଗକୁ ଚାଲିଲା । ପହଁଚିଲା ମଙ୍ଗରାଜ ପ୍ରଧାନଙ୍କ ଘର ନିକଟରେ । ରାଜୁ ମଙ୍ଗରାଜଙ୍କ ଘର ପାଖରେ ପହଁଚି ତା’ସାଙ୍ଗ ବିଜୁକୁ ମଙ୍ଗରାଜ ପ୍ରଧାନ ମାଡ ମାରୁଥିବାର ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲା । ମଙ୍ଗରାଜ ପ୍ରଧାନ ରାଜୁକୁ ଦେଖି ବିଜୁକୁ ଆଉ ବାଡିଆ ପିଟା କଲେ ନାହିଁ । ମାଡ ମାରିବା ବନ୍ଦ କରିଦେଲେ । ପ୍ରଧାନେ ରାଜୁକୁ କହିଲେ, ବୁଝିଲୁ ରାଜୁ ଏ ବଦମାସ ଚୋର ଟୋକା ପ୍ରତିଦିନ ମୋ ବାଡିରେ ପଶି ଆମ୍ବ, ପିଜୁଳି ଚୋରି କରେ । କିନ୍ତୁ ଆଜି ମୋ ଜଗୁଆଳି ଏ ଚୋର ଟୋକାକୁ ଧରି ଆଣି ମୋ ପାଖରେ ପହଁଚିଗଲା । ଗାଆଁ ମୁଖିଆ ବାଡିରୁ ପୁଣି ଚୋରି! ଆଜି ଗ୍ରାମ ସଭା ଡକାଇବି । ତା’ ବାପାକୁ ଡାକିବି, ସବୁ କହିବି ଆଜି ୟାର ଗୋଟେ ବିଚାର କରିବି । ପ୍ରଧାନେ ଏହି କଥା ରାଗ ଜର ଜର ହୋଇ କହିଲେ ।
ପ୍ରଧାନଙ୍କଠାରୁ ଏକଥା ଶୁଣି ରାଜୁ ମନରେ ଟିକେ ଦୟା ଆସିଲା, ବିଜୁ ପିଠିରେ ମାଡ ଦାଗ ଦେଖି ରାଜୁକୁ ଭାରି ଦୁଃଖ ବି ଲାଗିଲା । ଯେହେତୁ ବିଜୁ ଦିନେ ତା’ର ଅନ୍ତରାଙ୍ଗ ସାଙ୍ଗ ଥିଲା । ଏତେ ଆନ୍ତରିକତା ଥିବାରେ ସେ ତାକୁ ପର କରିଦେବ ।
ରାଜୁ ସେ ଗାଆଁ ମୁଖିଆ ପ୍ରଧାନ ମଙ୍ଗରାଜକୁ କହିଲା, ଦେଖ ମଉସା ମୁଁ ଛୋଟ ପିଲା, ମୋର ଛୋଟ କଥାଟିଏ ରଖିବ? ଏହା ଶୁଣି ପ୍ରଧାନ କହିଲେ ରାଜୁ ତାହେଲେ ତୁ କ’ଣ କହୁଛୁ? କହ ତୋ କଥା ମୁଁ ନିଶ୍ଚୟ ରଖିବି । ରାଜୁ କହିଲା, ବିଜୁ ତରଫରୁ ମୁଁ ଆପଣଙ୍କ ନିକଟରେ କ୍ଷମା ମାଗୁଛି । କଥାରେ ପରା କହନ୍ତି – ଚୋରି କରି ମହତ ଲୋକ ହାବୁଡରେ ପଡିଲେ ଚୋରର ସମ୍ମାନ ରହେ । ମହତ ଲୋକର ଉପଦେଶରେ ଚୋର ପୁଣି ତା’ ଚୋରି ଛାଡିଦିଏ । ଆପଣ ଗ୍ରାମ ସଭା ଡାକିବେ । ଫଳରେ ସମସ୍ତେ ଜାଣିବେ ବିଜୁଟା ଚୋର । ବିଜୁକୁ କେତେ ଅପମାନ ନ ହେବ କହିଲ? ତେଣୁ ମୁଁ ଭାବୁଛି ବିଜୁ ଆଉ କେବେବି ଚୋରି କରିବ ନାହିଁ । ଆପଣ ବିଜୁକୁ ଏଥର ଛାଡି ଦିଅନ୍ତୁ । ଗାଆଁ ମୁଖିଆ ମଙ୍ଗରାଜ ପ୍ରଧାନଙ୍କୁ ରାଜୁର କଥା ବେଶ୍ ଭଲ ଲାଗିଲା । ପ୍ରଧାନେ ବିଜୁକୁ ତାଗିଦ୍କଲେ ଆଉ କେବେ ଏ ଖରାପ୍ କାମ କରିବୁ ନାହିଁ । ବିଜୁ ହଁ କହିଲା, ସେ ଭଲ ପିଲା ହେବ । ଜୀବନରେ ଆଉ କେବେବି ଚୋରି କରିବ ନାହିଁ । ତା’ପରେ ରାଜୁ ଓ ବିଜୁ ସାଙ୍ଗ ହୋଇ ଘରକୁ ଫେରିଲେ । ବିଜୁ ତା’ର ଭୁଲ୍ ବୁଝିପାରି ରାଜୁ ନିକଟରେ କ୍ଷମା ମାଗିଲା । ସେହିଦିନଠାରୁ ବିଜୁ ସେ ଖରାପ କାମ ଛାଡି ଭଲ ପିଲା ହେଲା, ଭଲ ପାଠ ବି ପଢିଲା । ରାଜୁ ଓ ବିଜୁ ପୁଣି ପୂର୍ବଭଳି ସାଙ୍ଗ ହୋଇ ରହିଲେ ।