Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Abstract

3  

Sachidananda Kar

Abstract

ଭାତ ଦିଅ ଭାତିଆ ଦିଅ

ଭାତ ଦିଅ ଭାତିଆ ଦିଅ

3 mins
225



            ଫେରିଲା ଶରତ।ସକାଳର ଝଲମଲିଆ ଶିଶିର ବିନ୍ଦୁରେ ଆସି ପହଞ୍ଚିଲା ଧର୍ମର ଋତୁ ହେମନ୍ତ।


            କାର୍ତ୍ତିକ ମାସରୁ ମାର୍ଗଶିରକୁ ଚାହିଁ ବସିଲା ନର୍ମଦା।ପାହାନ୍ତା ପହରୁ ଉଠି ମାଣବସା ଗୁରୁବାର ଓଷା କରିବ - ଖୁସିରେ ତା'ର ଗୋଡ ତଳେ ଲାଗୁ ନ ଥିଲା।


             ପ୍ରଥମଥର ପାଇଁ ଘରେ ଗୁରୁବାର ଓଷା କରିବାକୁ ଯାଉଥିଲା ସେ।ରାତି ନ ପାହୁଣୁ ଉଠି ଦାଣ୍ଡ ଦୁଆର ଛେରାପହଁରା କରିବ।ଝୋଟି ଚିତାରେ ଲକ୍ଷ୍ମୀପାଦ ଆଙ୍କିବ।ଶ୍ରଦ୍ଧା ଓ ଭକ୍ତିରେ ପୂଜାରେ ବସିବ।ଭୋଗ ଯାଚିବ ମା'ଙ୍କୁ।ଧୂପ, ଦୀପ,ଝୁଣା ଧୂଆଁ ଦେବ।ମା'ଙ୍କୁ ଘରକୁ ଆମନ୍ତ୍ରଣ କରିବ।ମା' ତା' ଘରକୁ ଆସିବେ।- ମନେମନେ ଏମିତି କେତେ କ'ଣ ଭାବୁଥିଲା।


             ଦିନ ପାଖେଇ ଆସିଲା।ରାତି ପାହିଲେ ଗୁରୁବାର।ସେ ତା'ର ଖାଉନ୍ଦ ପାଖକୁ ଆସିଲା।ଆସି କହିଲା - " ସାଆନ୍ତେ ହଜୁର୍।କାଲି ମାଣବସା ଗୁରୁବାର ଓଷା କରିବାକୁ ମନସ୍ଥ କରିଛି।ନୂଆ କରି କରିବି।ମତେ ଦିନକ ପାଇଁ ଛୁଟି ମଞ୍ଜୁର କରନ୍ତୁ, ଆଜ୍ଞା। "


             ଛୁଟି ! ଖାଉନ୍ଦ ସାଆନ୍ତ ଚିହିଁକି ଉଠିଲେ।କହିଲେ - " କାଲି ମୋର ଗୁହାଳ ଗୋବର ପୋଛିବ କିଏ ? ଏତେ ବଡ ଖଞ୍ଜା ଘର ଝାଡୁ ପୋଛା କରିବ କିଏ ? ଗୋରୁଗାଈଙ୍କୁ କୁଣ୍ଡାପାଣି ମୁହାଁଇବ କିଏ ? ଦୁଇଟା ଗାଈଙ୍କ ଠାରୁ ଦୁଧ ଦୁହାଁହେବ କେମିତି ? ଲକ୍ଷ୍ମୀ ତୋର ନୁହନ୍ତି, ଲୋ।ସେ ମୋ ଘରେ ଅଛନ୍ତି।ଯା'....ଯା'।ଗୁହାଳ ସଫା କର।ଝାଡୁ ମାର୍। "


             - " ସେମିତି କୁହନ୍ତୁନି,ଆଜ୍ଞା।ମୁଁ ବହୁତ କରି ମନ କରିଛି।କାଲି ଦିନକ ପାଇଁ ଛୁଟି ମଞ୍ଜୁର କରନ୍ତୁ। " ନର୍ମଦା କାକୁସ୍ଥ ହୋଇ କହିଲା।


             - " ବୁଝିଲୁ ! ତୁ ଚଣ୍ଡାଳୁଣୀ କାହିଁକି ସେଥିପାଇଁ ମନ କରୁଛୁ ? ତୋରି ପରି ଜଣେ ଚଣ୍ଡାଳୁଣୀ ପାଇଁ ଦିନେ ଲକ୍ଷ୍ମୀ ସ୍ୱାମୀ ଛଡା ହୋଇଥିଲେ।ଜଗା,ବଳିଆ ଦୁଇ ଭାଇ ଭିକ୍ଷାଥାଳ ଧରି ବୁଲିଥିଲେ।ମନେଅଛି ତ.....? ହେତୁ କର।ତୁ କ'ଣ ଚାହୁଁଛୁ ପୁଣି ମହାପ୍ରଭୁ, ମହାମାୟୀ ସେଇ ଦଶା ଭୋଗନ୍ତୁ।ଏଇ ବୁଦ୍ଧି ତୋର ! ଭୁଲିଯା' ସେକଥା ମନରୁ।ଭୁଲିଯା'....।ଯା' କାମ କରିବୁ ଯା'।ବହୁତ କାମ ପଡି ରହିଛି। " ଖାଉନ୍ଦ ସାଆନ୍ତ ପାଟିକରି କହିଲେ।


             - " କାହିଁକି ଖାଉନ୍ଦ ସାଆନ୍ତ ଆଜ୍ଞା ସେମିତି ତୁଚ୍ଛା ରଡି କରୁଛନ୍ତି ? ଜଗନ୍ନାଥ ପରା ଲକ୍ଷ୍ମୀଙ୍କୁ କଥା ଦେଇଛନ୍ତି, ଏ ମାସରେ ସିଏ ଘର ଘର ,ନଗର ବୁଲିବେ।ତାଙ୍କ ପାଶେ ଛୁଆଁ ଅଛୁଆଁ ରହିବନି।ବାଛବିଚାର ଆସିବନି।ଏତିକି କଥା ପାଇଲାରୁ ସିନା ମାଆ ଶ୍ରୀମନ୍ଦିର ଆସିଲେ।ନ ହେଲେ କି ଆସିଥାନ୍ତେ ସିଏ ? " ନର୍ମଦା କହିଲା।


             ଖାଉନ୍ଦ ସାଆନ୍ତ ଟିକେ ରାଗିଗଲେ ଏହାପରେ।ପୁଣି ପାଟିକରି କହିଲେ - " ହୁଁ......! ବେଶୀ ତ ବଢିବଢି କଥା କହୁଛୁ ? ତୋର କ'ଣ ବିଦ୍ୟା, ବୁଦ୍ଧି ଅଛି କହିଲୁ ? କେତେ ପାଠ ପଢିଛୁ ? ମତେ ପୁରାଣ ପାଠ ପଢାଉଛୁ ? ମାଆ ଠାକୁରାଣୀ ଶ୍ରୀମନ୍ଦିରରେ ନ ରହି ଆଉ କେଉଁଠି ରହନ୍ତେ ? ମୁର୍ଖ ଚଣ୍ଡାଳୁଣୀ କେଉଁଠିକାର ! "


             ବଡଲୋକକୁ ଉତ୍ତର ନାହିଁ।ନର୍ମଦା ଚୁପ୍ ହୋଇଗଲା।ଧୀରେଧୀରେ ଫିକା ଦିଶିଆସିଲା ତା'ର ମୁହଁ।ପାଣିଚିଆ ପଡିଆସିଲା ତା'ର ଖୁସି।


             ଖାଉନ୍ଦ ସାଆନ୍ତଙ୍କ ରାଗ ତଥାପି ଶାନ୍ତ ପଡି ନ ଥିଲା।ସେ ପୁଣି ପାଟିକରି କହିଲେ - " ମୋ ଗୁହାଳ ଠାରୁ ବି ହୀନ କୁଡିଆରେ ତୋର ଦିନ ବିତୁଛି।ସେଠିକି ମାଆ ଲକ୍ଷ୍ମୀ ଠାକୁରାଣୀଙ୍କୁ ଆମନ୍ତ୍ରଣ କରିବାକୁ ବସିଛୁ ? ମୋ ହାତଟେକା ଭାତ ଖାଇ ବଞ୍ଚୁଛୁ।ପେଟ ପୂରୁଛି ବୋଲି ସିନା ଏତେ ନାଟ।ରହ....,ଦେଖୁଛି ତତେ।କାଲିଠୁ ତୋ ପାଞ୍ଚ ପ୍ରାଣୀ କୁଟୁମ୍ବ ଯଦି ଭୋକରେ ଡହଳ ବିକଳ ନ ହୋଇଛନ୍ତି, ତେବେ ମତେ କହିବୁ।ଜାଣିବୁ ଲକ୍ଷ୍ମୀ କୋଉଠି ଅଛନ୍ତି ଆଉ କାହା ଘରକୁ ଆସିବେ। "


              ନର୍ମଦାର ଆଖିରୁ ଠକ୍ ଠକ୍ ଲୁହ ଗଳିପଡିଲା।ନିଜର ଦୁଃଖ ଓ କୋହକୁ ନିଜ ଭିତରେ ଚାପି ରଖି ସେ ଏଥର ହାତ ଯୋଡି ପକାଇ କହିଲା - " ମୋର ଭୁଲ୍ ହୋଇଗଲା , ଖାଉନ୍ଦ ସାଆନ୍ତ ଆଜ୍ଞା।ଆଖିରେ ଲୁହ ଦେଲେ ଦିଅ।ଦେହରୁ ଲହୁ ନେଲେ ନିଅ।ହେଲେ ଆମକୁ ଭାତ ଦିଅ,ଭାତିଆ ଦିଅ।ବନ୍ଦ କରନା।ଲକ୍ଷ୍ମୀ ତମର।ହଁ,ତମର ସେ ସବୁଦିନର।ତମ ଭଣ୍ଡାର ଘରେ ଥାଆନ୍ତୁ ସେ।ତାଙ୍କୁ ପୂଜା ଦିଅ।ମୁଁ ଯେମିତି ଅଛି ସେମିତି ରହିବି।ମୋତେ କ୍ଷମା କରିଦବ। "


             - ' ଏଥର ଯାହା କହିବୁ, ବୁଝି ବିଚାରି କହିବୁ ,ଲୋ ଚଣ୍ଡାଳୁଣୀ।ହେଲା....? " ପୁଣି କହିଲେ ଖାଉନ୍ଦ ସାଆନ୍ତ।


             ହେଲେ ନର୍ମଦା ସେତେବେଳକୁ ତାଙ୍କ ସାମ୍ନାରୁ ଚାଲିଯାଇ ବାସି ଗୁହାଳ ଗୋବର ପୋଛିବା କାମ ଆରମ୍ଭ କରି ଦେଇଥିଲା।


             ଏବେ ସବୁଦିନେ ସମୟ ମିଳିଲେ ଦୁଃଖପୂର୍ଣ୍ଣ ଓ ଅବଶୋଶର ହୃଦୟଟେ ଧରି ସେ ବସି ବସି ଭାବୁଥିଲା - " ଲକ୍ଷ୍ମୀ....., ଆଉ କେବେ,କେଉଁଦିନ ସମସ୍ତଙ୍କର ହେବେ ! ! ! "


Rate this content
Log in

Similar oriya story from Abstract