Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
"ପ୍ରେମ କବିତା"
"ପ୍ରେମ କବିତା"
★★★★★

© Paramita Sarangi

Inspirational Romance

3 Minutes   7.4K    12


Content Ranking

ଗୋଟିଏ ଥିଲା ପ୍ରେମ, ଆଉ ଗୋଟିଏ ଥିଲା କବିତା। ସେଦିନ ଆସିଥିଲା ଅସରାଏ ବର୍ଷା। ଦୁହେଁ ଭିଜି ଥିଲେ ଖୁବ୍। କବିତାର ଅଙ୍ଗେ ଅଙ୍ଗେ ପ୍ରେମ ର ମାଦକତା, ଅନ୍ତର ରେ ପ୍ରେମ, ଆତ୍ମା ରେ ପ୍ରେମ। ପ୍ରେମର ଦୁନିଆରେ କବିତା,ବିଶ୍ବରେ କବିତା, ଅନ୍ତରୀକ୍ଷରେ କବିତା। ଖାଲି କବିତା ଆଉ ପ୍ରେମ_ପ୍ରେମ ଆଉ କବିତା।

କିନ୍ତୁ ଏବେ...

ପ୍ରେମର ରାତିଟିଏ ଦରକାର।

କବିତାର ସ୍ବପ୍ନଟିଏ ଦରକାର।

ପ୍ରେମ ନିଶ୍ଚିନ୍ତର ରାତିଟିଏ କିଣିବାକୁ ଖଟୁଥିଲା ଦିନ ସାରା।

କବିତା ସ୍ବପ୍ନ ଟି ଏ ଗଢ଼ିବାକୁ ନିଦ ଟି କୁ ଖୋଜୁଥିଲା। ହେଲେ ପ୍ରେମ ତ ନ ଥିଲା ତା ପାଖରେ। ଏପରି ସ୍ବପ୍ନ ଟି ର ଭବିଷ୍ୟତ କ'ଣ, ବୁଝି ପାରୁ ନ ଥିଲା କବିତା।

ପ୍ରେମ ର ରାତି ଟି ଏ ଦରକାର, ଗଭୀର ରାତି। ଯେଉଁ ରାତି ରେ ଫୁଟି ପଡୁଥିବେ କେତେ ଗୁଡିଏ କଅଁଳିଆ ରଜନଗନ୍ଧା।ଖସି ପଡୁଥିବେ କେତେ ଗୁଡିଏ ତାରା ପୁଞ୍ଜ ବ୍ରହ୍ମାଣ୍ଡରୁ ବାହାରି ଆସି ତା ଶେଯ ଉପରେ। ହେଲେ ପ୍ରେମ ଜାଣି ପାରୁ ନ ଥିଲା କେଉଁ ଦୋକାନ ରେ ଏମିତି ରାତି ମିଳେ? କେତେ ଦାମ୍ ରେ ମିଳେ?

କବିତାର ସ୍ବପ୍ନଟିଏ ଦରକାର। କିନ୍ତୁ ସ୍ଵପ୍ନଟିଏ ପାଇଁ ଦୁଇଟି ଉପାଦାନର ଆବଶ୍ୟକ। ଉପାଦାନ, ଉପାଦାନ ମାନେ ମାଧ୍ୟମ। ଆରେ ମାଧ୍ୟମ _ମାଧ୍ୟମ ମାନେ ଦୁଇଟି ମନ , ମାନେ ପ୍ରେମ ଆଉ କବିତା, ଏତିକି ବୁଝି ପାରୁନ।

ଝିଅ ମାନଂକ ପାଖରେ ଯନ୍ତ୍ରଣାଟିଏ ସବୁବେଳେ ରେଡ଼ି ହୋଇ ଥାଏ। ବାସ୍ ଟିକିଏ ଇସାରା ମିଳିଲାନି କି ବାହାରି ଆସେ। କବିତା ବି ପ୍ରସବ ର ଅକୁହା ଯନ୍ତ୍ରଣା ପରି କେତେଗୁଡ଼ିଏ ଯନ୍ତ୍ରଣା କୁ ନିଜ ପର୍ସ ଭିତରେ ଭରି ଚାଲି ଥିଲା।ମନେ ପକାଇ ପାରେନା, କେଉଁ ଦିନ ଖଣ୍ଡେ ଢ଼ଙ୍ଗ ର ସ୍ବପ୍ନ ଦେଖିଥିଲା।

ସେହି ଗୋଟିଏ ରାତି......

ଝୁରୁଛି ପ୍ରେମ....

ଝୁରୁଛି କବିତା....

କେଉଁଠି ମିଳିବ......ଉଧାରରେ ହେଉ ପଛେ।

ଉଦାସୀ ସଂଧ୍ୟାଟାର ଗୋଡ଼ ଖସୁଛି ବାରମ୍ବାର ଭିଜା ଭିଜା ରାସ୍ତାଟାରେ। ରାତି ଠାରୁ ରାତିଟିଏ ମାଗି ଚାଲିଛି ପ୍ରେମ। ଉଭୟ ଅସହାୟ _ରାତିଟିଏ ପାଇଁ, ଏକୁଟିଆ ମୁହୂର୍ତ୍ତଟିଏ ପାଇଁ, କିଛି ଶବ୍ଦ ପାଇଁ, କିଛି ଉତ୍ତର ପାଇଁ।

କିଛି କହିବାକୁ ଚାହୁଁଥିଲା କବିତା।

କିଛି ଶୁଣିବାକୁ ଚାହୁଁଥିଲା ପ୍ରେମ।

ମୁଣାରେ ଭର୍ତ୍ତି ହୋଇ ପଡ଼ିଛି , କେତେ ଗୁଡିଏ ଭଲପାଇବା, ଠିକ୍ ସେଦିନ ର ଖୁଦ ପରି। ଚାହିଁ ରହିଛି ତା ସଖା ଙ୍କ ସାନ୍ନିଧ୍ୟ କୁ।

ଜାଦୁ ଜାଣିଛି ଏ ସହରଟା। ଝଟ୍ କରି ତା ଛଡିଟାକୁ ବୁଲାଇ ଦିଏ।ବଦଳି ଯାଆନ୍ତି ସମସ୍ତେ ମସିନ୍ ରେ।ମିଳାଇ ଯାଏ ଇଛା ଗୁଡିକ ଲୁଣ ପରି।

ଚର୍ଚଗେଟ୍ ଷ୍ଟେସନ, ଲୋକାଲ ଟ୍ରେନ ଟା ଛାଡ଼ିବ ଛାଡ଼ିବ ହେଉଛି।ଚଢୁଥିବା ଭିଡ଼ ମାନଙ୍କ ଭିତରେ ଧସି ହୋଇ ପସି ଆସିଲା ସେ ଲୋକଟି।ବୟସ ପଚାଶ ବର୍ଷ ପାଖାପାଖି।କାନ୍ଧରେ ଲଦି କରି ଧରିଛି ସ୍ତ୍ରୀକୁ ତାର। ସାମ୍ନା ସିଟ୍ ରେ ତାକୁ ବସାଇ ଦେଇ ଦୁମ୍ କରି ନିଜେ ବସି ପଡ଼ିଲା।

ଚିଡି ଗଲା ପ୍ରେମ।

ଚିଡି ଗଲା ସେ ଭିଡଟା ବି।

"ଆହେ,ଏ ଅବସ୍ଥାରେ ତାଙ୍କୁ ଘରେ ଛାଡ଼ିଦେଇ ଆସୁନ କାହିଁକି? ବୋହିକି ଆଣିଛ। ଜାଣିନ କି କେତେ ଭିଡ଼ ହୁଏ ଏ ଟ୍ରେନରେ।" ଭିଡ଼ ଭିତରୁ କାହାରି ବିରକ୍ତି ଭରା ସ୍ବର ଶୁଣାଗଲା।

ହାତ ଧରି ବାହା ହୋଇଥିଲି, କେଉଁଠି ଛାଡ଼ି ଦେଇ ଆସିବି? ଏତେ ଦିନ ଧରି ସେ ହିଁ ସମ୍ଭାଳୁ ଥିଲା, ଏବେ ମୋ ପାଳି। ତା ଛଡା ମୋର କେହି ନାହିଁ କି ,ମୋ ଛଡା ତାର କେହି ନାହିଁ।ପାରାଲିସ୍ସ ପରେ ତାକୁ ସବୁଦିନ ମୋ ସହ ନେଇକି ଆସେ।ଏଇ ଷ୍ଟେସନରେ ମୋର ଚା' ଦୋକାନଟିଏ। ମୋ ସାମନାରେ ତାକୁ ବସାଇ, ଖୁଆଏ, ସବୁ କାମ ତାର କରେ।କିଏ ଜାଣେ ଆଉ କେତେ ଦିନ ବାକି ଅଛି? ମୋ ପାଇଁ ଏତେ ସହଜ ନୁହେଁ ବାବୁ , କିନ୍ତୁ ଯେତେକ ଦିନ ଅଛି ତା ସହ ସମୟ ବିତାଇବା ପାଇଁ ଚେଷ୍ଟା କରୁଛି।"ଟ୍ରେନର ସିଟ୍ ରେ ବସାଇ ସ୍ତ୍ରୀର ଶାଢ଼ୀ କୁ ସଜାଡୁ ସଜାଡୁ ସେ ଲୋକଟି କହୁଥିଲା।

ଚମକି ପଡ଼ିଲା ପ୍ରେମ। ଗୋଟେ ସାଧାରଣ ଲୋକ ଠାରୁ ଏତେ ବଡ଼ ଶିକ୍ଷା ମିଳିପାରେ!

ଲୋକାଲ ଟ୍ରେନଟା ଦଉଡୁଥିଲା। ଦଉଡୁଥିଲେ କେତେ ଦୋକାନ, ରାସ୍ତା, ଷ୍ଟ୍ରିଟ ଲାଇଟ୍ ଆଉ...ଆରବ‌ ମହାସାଗର ଟି।

ସମୁଦ୍ର ଟା ସେମିତି। ତା ଉପରେ ଦେଇ ବୋହି ଆସୁଥିବା ପାଣିଚିଆ ପବନ ଟା ଓଦା କରିଦିଏ ସମସ୍ତ ଙ୍କୁ_ଆଦର ରେ ଛୁଇଁ ଯାଏ ମାନ, ଅଭିମାନ, ଅଭିନୟ, ଅସହାୟ ସବୁକୁ ଭେଦ କରି ହୃଦୟକୁ।

* * * ‌ * * * ‌‌‌ * * * ‌* * *

ଆଜି କାଲି କବିତା ଆଇନା ଆଗରେ ଠିଆ ହେଉଛି। ପୁରା ରାତିଟିଏ ନେଇ ହେଲେ ବି ପ୍ରେମ ମୁହୂର୍ତ୍ତ ତା ବଟୁଆରେ ଲୁଚାଇ ନେଇ ଆସୁଛି କବିତା ପାଖକୁ। ଏ ପଥରର ସହରରେ ଉଭୟ ଖୋଜି ନେଇ ଥିଲେ ବଞ୍ଚି ବାର ବାହାନା କୁ।

ଏବେ ପ୍ରେମ ବଦଳାଇ ଦେଇଛି କବିତା କୁ ପ୍ରେମିକା ଟିରେ।

ଆଉ କବିତା ବଦଳାଇ ଦେଇଛି ପ୍ରେମକୁ ପୁରୁଷଟିରେ।

ଉଭୟ ହୋଇ ଯାଇଥିଲେ ସେହି ଗୋଟିଏ ମାଧ୍ୟମରେ ଆଉ ଭିଜୁଥିଲେ ଏଇ ବର୍ଷା ରାତିରେ।

ପାରମିତା ଷଡ଼ଙ୍ଗୀ

ପ୍ରେମ କବିତା ସ୍ବପ୍ନ

Rate the content


Originality
Flow
Language
Cover design

Comments

Post

Some text some message..