Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଏମିତି ଏକ ବର୍ଷା ଦିନେ
ଏମିତି ଏକ ବର୍ଷା ଦିନେ
★★★★★

© Pramod Kumar Jena

Tragedy

9 Minutes   21.4K    25


Content Ranking

    ଏ ଅଦିନିଆ ବର୍ଷାଟା ଭାରି ବିରକ୍ତିକର । ସକାଳ ଆକାଶ ଏକଦମ୍ ପରିଷ୍କାର ଥିଲା । ଭାବିଥିଲେ ଆଜି ବର୍ଷା ହେବନି । ଘରୁ ବାହାରିଛନ୍ତି କି ନାହିଁ ଦେଲା ଅସରାଏ । ସମୟ ମିଳିଲାନି ରେନ୍ କୋଟଟା ଗଳେଇବାକୁ । ଆଜି ପୁଣି ଅଫିସରେ ଫଙ୍କସନ୍ ଅଛି । ତେଣୁ ଶାଢୀ ପିନ୍ଧିଥିଲେ । ଟିକିଏ ବେଳା ବେଳି ବାହାରି ଆସିଥିଲେ ଘରୁ କେବଳ ସେଇ ବର୍ଷା ଡରରେ । ଦେଲା ବିଗାଡି ସବୁ କାମ । ଅବଶ୍ୟ ଅଫିସ୍ ସମୟ ହୋଇନି । ତେବେ ବୁକେ ଦେବା ଦାୟିତ୍ୱଟା ରେଖାଙ୍କର

ଥିଲା । ଭାବିଲେ ସାଙ୍ଗ ଅସୀମାଙ୍କୁ ଫୋନରେ କହିଦେବେ ତାଙ୍କ ଘର ଛକଠୁ ନେଇ ଆସିବ । ହୁଏ ତ ଅଫିସ୍ ପହଞ୍ଚିବାରେ ଡେରି ହୋଇପାରେ ।

       ଓଦା ସରସର ହୋଇ ପୁଣି ଘରକୁ ଫେରିଲେ । ମୁଣ୍ଡଟାକୁ ଟାୱେଲରେ ପୋଛି ଆଉ ଗୋଟେ ଶାଢୀ ବଦଳେଇବାକୁ ଆଲମାରୀ ଖୋଲିଲେ । ଶାଢୀର ଭଣ୍ଡାର । ପାଟ ଠାରୁ ଆରମ୍ଭ କରି ସିଫନ୍, ଜର୍ଜେଟ୍ କ’ଣ ନାହିଁ ? କୋଉଟା ପିନ୍ଧିବେ, କୋଉଟା ନାହିଁ ଭାବୁ ଭାବୁ ଟେବୁଲ୍ ଉପରକୁ ନଜର ପଡିଲା । ଆରେ ସେଇଟା ତ ଅଛି । ଏବେ କିଣିଥିଲେ । ପ୍ୟୁଅର୍ ସିଲ୍କ୍ । ପ୍ଲେନ୍ ହେଲେ ବି କଲରଟା ତାଙ୍କର ଭାରି ପସନ୍ଦ । କାଲି ସନ୍ଧ୍ୟାରେ

       ଶ୍ୱଶୁର ଲଣ୍ଡ୍ରିରୁ ପ୍ରେସ୍ କରି ଆଣିଥିଲେ । ଭିତରେ ରଖିବାକୁ ଭୁଲି ଯାଇଥିଲେ । ଭାବିଲେ ସେଇଟା ପିନ୍ଧିବେ । ଖୋଲି ଦେଖିବା ବେଳକୁ ମୁଣ୍ଡ ଗୋଳମାଳ ହୋଇଗଲା । ଚିତ୍କାର କଲେ, ‘ତିନି ହଜାର ଟଙ୍କାର ଶାଢୀଟା । ଦେଲାନା ବେକାର କରି । ବାପା କ’ଣ ଶୁଣିବେ ? ସେଇ ବୁଢାକୁ ହିଁ ଦେଇ ଆସିବେ । ଦେଲାନା ପୋଡି । ଆରେ.... ଏତେ ଦୟା ଦେଖେଇବା କ’ଣ ଦରକାର

ଅଛି ? ଏତେ ସୁନ୍ଦର ଶାଢୀଟା । ହେ ଭଗବାନ୍...... ଦେଲା ନା ।’

       ଶ୍ରୀମତିଙ୍କର ରାଗ ଦେଖି ପ୍ରଶାନ୍ତ ପଚାରିଲେ, ‘କ’ଣ ହେଇଛି ?’

       : ଦେଖୁନ.... ଦେଖ.... କହି ଶାଢୀଟି ବଢେଇ ଦେଲେ ରେଖା ସ୍ୱାମୀଙ୍କ ଆଡକୁ ।

       ତନ୍ନ ତନ୍ନ କରି ଆଖି ବୁଲେଇଲେ ଶାଢୀ ଉପରେ ପ୍ରଶାନ୍ତ । କିଛି ଅସୁବିଧା ନଜରକୁ ବୋଧହୁଏ ଆସୁ ନ ଥାଏ । ରେଖାଙ୍କର ଆଉ ଧୈର୍ଯ୍ୟ ନ ଥିଲା । ସେତେବେଳକୁ ତ ସେ ରାଗରେ ଫଁ ଫଁ ହେଉଥିଲେ । ସ୍ୱାମୀଙ୍କ ହାତରୁ ଶାଢୀଟା ନେଇ ଦେଖେଇଦେଲେ ।

       : ଏଇ ଦେଖ । ପୁରା ପୋଡି ଦେଇଛି ।

: ଆରେ ସତେ ତ... ପ୍ରଶାନ୍ତ ଦେଖିଲେ ଅତ୍ୟଧିକ ଗରମ୍ ଆଇରନର ପ୍ରଭାବ । ଯଦିଚ ପୁରା ପୋଡି ଯାଇନି । କିନ୍ତୁ ବାରି ହୋଇ ପଡୁଛି ।

ସ୍ୱାମୀଙ୍କ ମୁହଁର ଭାବନାକୁ ଠିକ୍ ଭାବରେ ପଢି ରେଖା କହିଲେ, ‘ବାରମ୍ବାର ମୁଁ ବାପାଙ୍କୁ ମନା କରୁଛି ସେ ବୁଢାର ଲଣ୍ଡ୍ରୀରେ କପଡା ନ ଦେବାକୁ । ବାପା କ’ଣ ଶୁଣୁଛନ୍ତି ? ବାପାଙ୍କୁ କହ, ଯାଇ ସେ ବୁଢାକୁ ଦେଖେଇବେ । ତିନି ହଜାର ଟଙ୍କାର ଶାଢୀଟା ... ଗତ ଥର ତମ ପ୍ୟାଣ୍ଟଟା ବରବାଦ କରିଥିଲା । ଆଉ ଏଥର... ବହୁତ ହେଇଗଲା । ଯାଅ ବାପାଙ୍କୁ କହ । ଆଉ ସେ ଯଦି ରାଜି ନ ହୁଅନ୍ତି, ତୁମେ ଯାଇ ସେ ବୁଢାକୁ ଦେଖାଅ ।’ 

       ମୋର ଏତେ ପଇସା ନାହିଁ ଯେ ପୋଡିଗଲେ ଆଉ ଗୋଟେ କିଣି ଦେବି । ତା’କୁ ସେ ଶାଢୀଟା ଦେଖେଇବ । ଆଉ କହିବ, ସେଇଟାକୁ ରଖି ମୋ ଶାଢୀର ଦାମ୍ ଦେଇ ଦେବ ।

       ପାଟି ଶୁଣି ପ୍ରଶାନ୍ତର ବୋଉ ରମା ଚାଲି ଆସିଲେ । ବାସ୍ ପୁଅ ବୋହୁଙ୍କ ଠାରୁ ଘଟଣାଟି ଶୁଣି ମନେ ମନେ କ’ଣ କରିବେ ଭାବି ପାରୁ ନ ଥାନ୍ତି । ସତ କଥା । ଏତେ ଭଲ ଶାଢୀଟା । ଯେ କୌଣସି ଲୋକର ମୁଣ୍ଡ ଗୋଳମାଳ ହୋଇଯିବ । କ’ଣ କରିବେ ଭାବୁଥାନ୍ତି । ପୁଅ ହାତରୁ ଶାଢୀଟା ନେଇ ପାଖ ଘରକୁଗଲେ । ପ୍ରଶାନ୍ତର ବାପା ସେତେବେଳକୁ ଟି।ଭି।ରେ ନିଉସ୍ ଦେଖୁଥାନ୍ତି । ଶ୍ରୀମତୀଙ୍କ ହାତରେ ଶାଢୀଟାକୁ ଦେଖି ପଚାରିଲେ, ‘କ’ଣ ହେଲା ? ପିଲାମାନେ କିଛି କହୁ ଥିଲେ କି ? ଟିକିଏ ପାଟି ଶୁଭୁଥିଲା । ପାଖରେ ବସି ପଡି ପ୍ରଶାନ୍ତ ବୋଉ ଧିର ଗଳାରେ କହିଲେ, ବୋହୁର ଶାଢୀଟା ସେ ଧୋବା ପୋଡି ଦେଇଛି ।’

       : ଆହାଃ.... ଦେଖି ଦେଖି..... ଦୁହେଁ ମିଶି ଦେଖିଲେ ।

       : ସେମାନେ ତ ତୁମକୁ ବାରମ୍ବାର ମନା କରିଛନ୍ତି ସେ ଧୋବାକୁ ଆଇରନ୍ କରିବାକୁ ନ ଦେବାକୁ । ତୁମେ ଶୁଣୁନ । କ’ଣ ତୁମର ସେ ବୁଢା ବୁଢୀ ପ୍ରେମ ମୁଁ ବୁଝୁନି । ଅନ୍ୟ ଲଣ୍ଡ୍ରିରେ ଦେଲେ ହୁଅନ୍ତାନି ? ତୁମେ ତ ବୋହୁ କଥା ଜାଣିଛ ।

ଆଜି ତ ସେ ଆଉ କାହା କଥା ଶୁଣିବା ଅବସ୍ଥାରେ ନାହିଁ । ତା’ ଅଫିସ୍ ଫଙ୍କସନକୁ ଯାଇଥାନ୍ତା ସେ ଶାଢି ପିନ୍ଧି । କିଏ ତା’କୁ ସମ୍ଭାଳିବ ? ଯାଅ ତାଙ୍କୁ ଦେଖାଅ ।

ବଡ ଅସୁବିଧା କଥା । କ’ଣ କରିବେ ପ୍ରଧାନ ବାବୁ ? ମନେ ମନେ ଭାବିଲେ, ତା’କୁ ଏତେ କରି କହିଥିଲେ । ବୋହୁର ଶାଢିଟା । ଟିକେ ହୁସିଆରରେ କରିବୁ ବୋଲି । ହେଲେ କ’ଣ କଲା ସେ ? ଭାରି ଅସହାୟ ଲାଗିଲା । କ’ଣ କରିବେ ?

: ହେଇଟି..... ତୁମେ ନ ଗଲେ, ପୁଅ ଯିବ । କ’ଣ କହୁଛ ?

: ଆରେ ନାଁ....... ନାଁ....... ସେ ଗଲେ ତା’କୁ କ’ଣ ବୋଲେ କ’ଣ କହିଦେବ । ବୁଢା ବୁଢୀ ଲୋକ ସେମାନେ । ମୁଁ ନିଜେ ଯିବି ।

ଯିବାକୁ ବାହାରିଲେ ପ୍ରଧାନ ବାବୁ । ଶାଢୀଟାକୁ ଗୋଟେ ଖବର କାଗଜରେ ଗୁଡାଇ ଦେଇ ରମା ବଢେଇ ଦେଲେ ତାଙ୍କ ହାତକୁ । ପକେଟରେ ହାତ ମାରି ଦେଖିଲେ ସ୍କୁଟର୍ ଚାବିଟା ଅଛିକି ନାହିଁ । ପୁଣି କ’ଣ ଭାବିଲେ । ତା’ ପରେ ବାହାରି ଗଲେ ଘରୁ ।

ସେତେବେଳ ପର୍ଯ୍ୟନ୍ତ କିନ୍ତୁ ବୋହୁ ମାଆଙ୍କର ରାଗ ଶାନ୍ତ ହୋଇ ନ ଥାଏ । ବାପାଙ୍କ ଉପରେ ଥିବା ରାଗଟାକୁ ସ୍ୱାମୀଙ୍କ ଉପରେ ଶୁଝାଉଥାନ୍ତି । ଅଫିସ୍ ଯିବା କଥା ଭୁଲି ଗଲେଣି ବୋଧହୁଏ ।

: ଏତେ ସିମ୍ପାଥି କାହିଁକି ସେ ବୁଢା ବୁଢୀଙ୍କ ପ୍ରତି କେଜାଣି ? ମୁହଁଟାକୁ ବିକୃତ କରି କହିଲେ ରେଖା ।

ଟିକିଏ ସ୍ତ୍ରୀକୁ ପାସିଫାଇ କରି କହିଲେ ପ୍ରଶାନ୍ତ । ‘ଆକ୍ଚୁଆଲି ସେମ୍ ଜେନେରେସନର ଲୋକମାନଙ୍କ ପ୍ରତି ସମସ୍ତଙ୍କର ଅଳ୍ପେ ବହୁତ ସିମ୍ପାଥି ଥାଏ । ହୁଏ ତ ତାଙ୍କ ଷ୍ଟେଜକୁ ଆସିଲେ ଆମେ ସେ କଥା ବୁଝିବା ।’

ଏ ଚିକ୍କଣ କଥା ଶୁଣିବାକୁ ଧୈର୍ଯ୍ୟ ନ ଥିଲା ଶ୍ରୀମତିଙ୍କର ।

ସେମ୍ ଜେନେରେସନ୍ ବୋଲି ଷ୍ଟାଟସର ଖିଆଲ୍ କରିବା କଥା ନା ନାହିଁ ? ଦୁନିଆଁଯାକର ଦୁଃଖ ବାଣ୍ଟିବାକୁ ବାପାଙ୍କୁ କିଏ ଗୁହାରୀ କରୁଛି ?

ରମା ଦେବୀ ଦେଖିଲେ ଏମାନଙ୍କ ଯୁକ୍ତି ତର୍କର ଅନ୍ତ ନାହିଁ । ଭାବିଲେ ଅନ୍ୟ ଘରକୁ ଚାଲିଗଲେ ମୁକ୍ତି । ଅତି କମରେ ସ୍ୱାମୀଙ୍କ ବିରୁଦ୍ଧରେ ତ କିଛି ଶୁଣି ପାରିବେନି । ଦିନ ଥିଲା ଛୋଟ ଛୋଟ କଥା ଗୁଡିକରେ ପ୍ରଶାନ୍ତର ବାପା ପୁଅକୁ ଆକଟ କରୁଥିଲେ । ବାଟ ଦେଖାଉଥିଲେ । ବିରୋଧ କରୁଥିଲେ । ଆସ୍ତେ ଆସ୍ତେ ଲାଗିଲା, ବୟସ ଯେତିକି ଆଗକୁ ଆଗକୁ ଯାଉଛି, ସେ କ୍ଷମତାଟା ପୁଅ ପାଖକୁ ହସ୍ତାନ୍ତର ହୋଇଯାଉଛି । ଆଉ ପୂର୍ବ ଭଳି କର୍ତ୍ତୃତ୍ୱ ନାହିଁ । ବରଂ ସବୁ କର୍ତ୍ତୃତ୍ୱ ଯେ ପ୍ରଶାନ୍ତ ଆଉ ତା’ର ସ୍ତ୍ରୀ ରେଖା ବାଣ୍ଟି ନେଇଛନ୍ତି କହିଲେ ଚଳେ । ଘର ବର୍ତ୍ତମାନ ଚାଲୁଛି ସେମାନଙ୍କ ଇଚ୍ଛା ମୁତାବକ । ଚାକିରିଆ ବୋହୁ । ତାଙ୍କର ବେଶ ଭୂଷା, ଚାଲିଚଳନ, ବନ୍ଧୁମାନଙ୍କ ସାଙ୍ଗରେ ମିଳାମିଶା ଆଉ ପରିଚର୍ଯ୍ୟାରେ ବାପା ବୋଉଙ୍କର କୌଣସି ରୁଚିର ସ୍ଥାନ ନ ଥାଏ । ସବୁ ଗୁଡିକୁ ଅନାୟାସରେ ହଜମ କରି ନେବାରେ ହିଁ ବୁଦ୍ଧିମତା ବୋଲି ଉଭୟେ ଭାବନ୍ତି । ଅବଶ୍ୟ ପ୍ରଥମେ ପ୍ରଥମେ ରମା ଦେବୀଙ୍କୁ ଦୃଷ୍ଟି କଟୁ ହେଉଥିଲା । ଏପରିକି ବେଳେ ବେଳେ ସୀମା ଅତିକ୍ରମ ଲକ୍ଷ୍ୟ କରି ବିରୋଧ କରିବାକୁ ଚାହିଁଥିଲେ । ହେଲେ ଏ ବୟସରେ ସେ ସବୁରୁ ନିବୃତ୍ତ ରହିବାକୁ ପ୍ରଶାନ୍ତର ବାପା ଉପଦେଶ ଦେଇଥିଲେ । ବେଳେବେଳେ ଅତିଷ୍ଠ ହେଲା ଭଳି ଲାଗେ ତାଙ୍କୁ । କିନ୍ତୁ ଭବିଷ୍ୟତ କଥା ଚିନ୍ତା କରି ମୁହଁରେ ତାଲା ଦେବାକୁ ବାଧ୍ୟ ହୁଅନ୍ତି ।

ଆଜିର କଥାର ଯେ ପରିଣାମ କ’ଣ ହେବ ସେଇ କଥା ଚିନ୍ତା କରି ମନଟା ଟିକିଏ ଅଶାନ୍ତ ଥାଏ । ଅପେକ୍ଷା କରିଥାନ୍ତି ସ୍ୱାମୀଙ୍କ ଆସିବା ବାଟକୁ । ମନ ପରିବର୍ତ୍ତନ କରିବାକୁ ଅନ୍ୟ କାମରେ ଲଗାଇବାକୁ ଚେଷ୍ଟା କଲେ ।

କିଛି ସମୟ ପରେ ପ୍ରଶାନ୍ତର ବାପା ଫେରିଲେ । ଆସୁ ଆସୁ ପୁଅ ବୋହୁ ଆଉ ଶ୍ରୀମତି ଘେରିଗଲେ ତାଙ୍କୁ, ଜାଣିବା ପାଇଁ ଯେ, କ’ଣ ହେଲା ? ଖବରକାଗଜଗୁଡା ଶାଢୀଟାକୁ ରଖି କହିଲେ, ‘ସେ କ’ଣ ମାନୁଥିଲା ? ଶାଢୀଟାକୁ ଦେଖେଇଲି । କେତେ ଝଗଡା ଝଗଡି ବି କଲି । କହିଲି, ତିନି ହଜାର ଟଙ୍କାର ଶାଢୀ । ନଷ୍ଟ କରିଦେଲୁ । ଏଇଟା ତୁ ରଖ । ଆମ ପଇସା ଫେରା ।’

ସମସ୍ତେ ଚାହିଁ ରହିଲେ ।

: ତା’ ପରେ କ’ଣ ହେଲା ? ଶାଢୀଟା ତ ଫେରେଇ ଆଣିଲ ।

: ବଡ କଷ୍ଟରେ ରାଜି ହେଲା । କହିଲା, ଶାଢୀ ନିଅନ୍ତୁ । ଆଉ ନଷ୍ଟ ବାବଦକୁ 1000 ଟଙ୍କା ଦେଲା । ମୁଁ ଆଣୁ ନ ଥିଲି । ଦେଖିଲି ଗରିବ ଲୋକ । ଆଉ ବାଧ୍ୟ କଲିନି । 

ଏତିକି କହି ପକେଟରୁ 1000 ଟଙ୍କା ବାହାର କରି ସ୍ତ୍ରୀଙ୍କ ହାତକୁ ବଢେଇ ଦେଇ କହିଲେ ବୋହୁକୁ ଦେଇ ଦିଅ । ଆଉ ବୁଝେଇ ଦିଅ । ହେଲା ? ଏଣିକି ଆଉ ସେ ବୁଢାବୁଢୀଙ୍କୁ କେବେ ବି କପଡା ଦେବାନି । 

ଯାହା ହେଉ କିଛି ତ ମିଳିଲା । ଅର୍ଦ୍ଧଂ ତ୍ୟଜ୍ୟନ୍ତି ପଣ୍ଡିତାଃ.... ଭାବି ଭିତରକୁ ପଶିଗଲେ ପୁଅ ବୋହୁ । ପ୍ରଶାନ୍ତର ବୋଉ ମଧ୍ୟ ଟିକେ ଆଶ୍ୱସ୍ତ ହେଲେ ପୁଅ ବୋହୁଙ୍କ ଅବସ୍ଥା ଦେଖି ।

ଶୋଇବା ବେଳକୁ ରମା ପଚାରିଲେ, ‘ଗୋଟେ କଥା ମୋତେ ସତ କହିବ?’ 

: ପଚାର ।

: ନାଁ..... ତୁମେ ମୋ ରାଣ ଖାଅ ।

: ଆରେ ବାବା ...... ମୁଁ କ’ଣ ତୁମକୁ କେବେ ମିଛ କହିଛି ଯେ, ତୁମେ ଶେଷରେ ମୋତେ ରାଣ ଖୁଆଇବ ?

: ସତ କହିବ ?

: ନିଶ୍ଚୟ...

: ସେମାନେ ଯଦି ତୁମକୁ ବାରମ୍ବାର ମନା କରୁଛନ୍ତି, ସେ ବୁଢାକୁ କପଡା ଦେବାକୁ, ତୁମେ ତା’କୁ କାହିଁକି ଦେଉଛ ? ସେ ତୁମର କ’ଣ ? ଏତେ ଦରଦ ତାଙ୍କ ପାଇଁ କାହିଁକି ?

: ଏଇଟା ଗୋଟିଏ କଥା..... ଏଇଥି ପାଇଁ ମୋତେ ରାଣ ଖୁଆଉଛ ?

: ହଁ.... ଆଜି ମୁଁ ଯାହା ଯାହା ପଚାରିବି ତୁମେ ମୋତେ ସତ ସତ କହିବ ।

: ଠିକ୍ ଅଛି । ଶୁଣ ସେ ଦୁଇ ଜଣଙ୍କୁ ମୁଁ ଆଗରୁ ଜାଣି ନ ଥିଲି । ଦିନେ କପଡା ନେଇ ଗଲା ବେଳକୁ ସେ ପଟ ଲଣ୍ଡ୍ରିଟା, ଯେଉଁଠି ପୁଅ ଆଗେ କପଡା ଦେଉଥିଲା ଖୋଲା ନ ଥିଲା । ଏ ପଟେ ଗୋଟେ ନୂଆ ଲଣ୍ଡ୍ରି ଦେଖିଲି । ବୁଢାଟିଏ ବୁଢୀଟିଏ । ଭାବିଲି, କପଡା ଦେବି ନା ଦେବିନି ? ଫେରି ଆସିଲେ ବୋହୁ ବିରକ୍ତି ହେବ । ଦେଖିଲି, ତାଙ୍କ ପାଖରେ ବେଶି କପଡା ବି ନ ଥିଲା । ତେଣୁ ଦେଇ ଦେଇ କହିଲି, ‘ଏବେ କରି ଦିଅ ।’ ବୁଢା ସାଙ୍ଗେ ସାଙ୍ଗେ ଇସ୍ତ୍ରୀ କରି ଦେଲା । ପ୍ରଥମ ଚିହ୍ନା ପରେ ମୁଁ ସେଠି କପଡା ଦେବା ଆରମ୍ଭ କଲି । ଆସ୍ତେ ପରିଚୟ ହେଲା । ଏମିତି ଥରେ ପଚାରୁ ପଚାରୁ ଦିନେ ତାଙ୍କ ଘର କଥା ପଚାରି ଦେଲି । ସେ ଦିନ ବୁଢୀ ମୋ ପାଖରେ ତା’ ଦୁଃଖର କାହାଣୀ କହିଲା ।

ତାଙ୍କର ଦୁଇ ପୁଅ । ଦୁଇ ଜଣଯାକ ଚାକିରି କରିଛନ୍ତି । ସାନପୁଅ ବାହାଘର ପରେ ଅଲଗା ହୋଇଗଲେ । ଗାଆଁରେ ସେମିତି କିଛି ଜମି ବାଡି ନାହିଁ । ଯାହା ଥିଲା, ପିଲାଙ୍କର ପାଠ ପଢାରେ ବିକ୍ରି ହୋଇଗଲା । ଦୁଇ ପୁଅଙ୍କ ରାଜିରେ କଥା ହେଲା, ବୁଢା ବୁଢୀ ଦୁହେଁ ମାସର ପନ୍ଦର ଦିନ ଲେଖାଏଁ ଉଭୟ ପୁଅ ପାଖରେ ରହିବେ । ଭଲରେ ଭଲରେ ଚାଲିଥିଲା । ମାସର ପ୍ରଥମ ପନ୍ଦର ଦିନ ବଡ ପୁଅ ପାଖେ ତ ଆର ପନ୍ଦର ଦିନ ସାନ ପୁଅ ପାଖେ । ଦିନେ ସାନ ବୋହୁର ଦେହ ଖରାପ ହେଲା । ତାଙ୍କ ଘରେ କିଏ ଅଛି ଯେ ରୋଷେଇବାସ କରିଦେବ ? ସାନ କହିଲା, ବଡ ଭାଇ ପାଖରେ ଆଉ ପନ୍ଦର ଦିନ ରହିଯା.. କିନ୍ତୁ ଆଉ ଅଧିକା ଦିନ ରଖିବାକୁ ବଡ ବୋହୁ ମନା କରି ଦେଲା ।

ଭାବିଲେ କାହିଁକି କାହାକୁ ହଇରାଣ କରିବେ ? ପନ୍ଦର ଦିନର କଥା ତ । ଗାଆଁକୁ ପଳେଇ ଆସିଲେ । ଯେନତେନ ପ୍ରକାରେଣ ପନ୍ଦର ଦିନ ନିଜେ ନିଜେ ରୋଷେଇ କରି କାଟି ନେଲେ । ହେଲେ ଯେତେବେଳେ ବଡ ପୁଅ ପାଖକୁ ଆସିଲେ, ମହାଭାରତ ଆରମ୍ଭ ହୋଇଗଲା ।

       : ଏଥିରେ ମହାଭାରତ କାହିଁକି ସୃଷ୍ଟି ହେଲା ?

       : ସେଇଠି ତ କଥା । ବଡ ବୋହୁ କହିଲା, ‘ସାନ ବୋହୁ ପାଳି ବେଳେ ଯଦି ନିଜେ ରୋଷେଇ କରି ଖାଇ ପାରୁଛ, ଆମ ପାଳିରେ ବି ନିଜେ ରୋଷେଇ କରି ଖା । ହାତ ଗୋଡ ତ ବେଶ୍ ଚଳୁଛି । ଆମକୁ କାହିଁକି ମାରୁଛ ? ସାନ ବୋହୁ କ’ଣ ବୋହୁ, ମୁଁ କ’ଣ ବୋହୁ ନୁହେଁ ? ତା’ ବେଳକୁ ଦରଦ ବୋହି ପଡୁଛି । ଆଉ ଆମ ବେଳକୁ ହାତ ଗୋଡ ଚଳୁନି ?’ 

       : କି ବିଚିତ୍ର ଯୁକ୍ତି !

       : ଯେତେ କହିଲେ ବି ବଡ ବୋହୁ ଆଉ ଘରେ ପୁରେଇଲାନି । ଏ କଥା ସାନ ବୋହୁ କାନରେ ପଡିଲା । କଙ୍କଡାକୁ ଗୋଳି ପାଣି ସୁହାଏ । ତା’ ପରେ ସାନ ବୋହୁ ବି ମନା

କରିଦେଲା । ପୁଅମାନଙ୍କର ତ ବୋହୁମାନଙ୍କୁ ହାଡେ ହାଡେ ଡର । ଆଉ କରିବେ କ’ଣ ?

       : ହେ ଭଗବାନ୍………

       : ଏଇ କଥା ବୁଢୀ ମୋତେ କାନ୍ଦି କାନ୍ଦି ସେ ଦିନ କହିଲା । ମୋତେ ପଚାରିଲା, ବାବୁ ମୋ ଦୋଷ କୋଉଠି ରହିଲା ? ମୁଁ ଆଉ କ’ଣ ତା’କୁ ଜବାବ ଦେବି ? ସେଇ ଦିନ ଠାରୁ ସେମାନେ ପେଟ ପୋଷିବାକୁ ଏ ବୟସରେ ଲଣ୍ଡ୍ରିଟିଏ ନେଇଛନ୍ତି । ହେଲେ କିଏ ତାଙ୍କୁ କପଡା ଦେବ ? ମୁଁ ଯେବେ ଠାରୁ ଦେବା ଆରମ୍ଭ କଲି, ଅନ୍ୟମାନେ ବି ଦେଉଛନ୍ତି । ମୁଁ ବନ୍ଦ କଲେ ଆଉ କେହି କପଡା ଦେବେନି । ଆଖିକୁ ଦେଖାଯାଉନି ଭଲ ଭାବେ । କ’ଣ କରିବ ? ବେଳେ ବେଳେ ଅସୁବିଧା ହୋଇଯାଉଛି । ବୟସ ବି ଦାଉ ସାଧୁଛି । ଏତିକି କହିବା ବେଳକୁ ପ୍ରଧାନ ବାବୁଙ୍କ ଗଳା ଟିକେ ଓଦା ହେଇଗଲା ।

       କଥା ସବୁ ଶୁଣି କାହିଁକି କେଜାଣି ଶ୍ରୀମତିଙ୍କ ଆଖିରେ ଲୁହ ଆସିଗଲା ।

       : ସେଇଥିପାଇଁ ଏ.ଟି.ଏମ୍.ରୁ ଟଙ୍କା ବାହାର କରି ବୋହୁକୁ ଦେଇଦେଲ ?

: ଆରେ ତମେ କେମିତି ଜାଣିଲ ?

ସ୍ୱାମୀଙ୍କ ହାତକ ଏ.ଟି.ଏମ୍. ୱିଥଡ୍ରୟାଲ୍ ସ୍ଲିପଟା ବଢେଇ ଦେଇ କହିଲେ, ‘ଏଇଥିରୁ । ଆଚ୍ଛା.... ଦୁଇ ହଜାର ଟଙ୍କା ତ ବାହାର କଲ । ପକେଟରେ ତ ଆଉ କିଛି ପଇସା ନାହିଁ ?’

: ଆଉ ହଜାରେ ଟଙ୍କା ସେମାନଙ୍କୁ ଦେଇ ଦେଲି । କହିଲି, ଆଉ କିଛି ପଇସା ମିଶେଇ ଗୋଟେ ଭଲ ଅଟୋମେଟିକ୍ ଆଇରନ୍ କିଣିନେବ ।

       ନ ହେଲେ ଆଜି ଆମ ବୋହୁର କପଡା ଜଳିଛି । କାଲି ଆଉ କାହାର ଜଳିଯିବ । ସମସ୍ତେ କ’ଣ ବୁଝିବେ ? ମୋ ଆକାଉଣ୍ଟରେ ଏବେ ଡି.ଏ. ଏରିଅରଟା କ୍ରେଡିଟ୍ ହୋଇଛି । ସେଇଥିରୁ ଦେଇ ଦେଇଛି । ଗରିବ ଲୋକ । ଏ ବୟସରେ ସେମାନଙ୍କର ବେପାର ବୁଡିଗଲେ, ସେମାନେ କୁଆଡେ ଯିବେ ? ଆମର ସିନା ପେନସନ୍ ଅଛି ।

       ଆଉ କିଛି ପଚାରିଲେନି ରମା । ବାହାଘର ପରର କଥା ମନେ ପଡିଲା । ଦିନେ ତାଙ୍କ ବୋଉକୁ ବାପା କହୁଥିଲେ, ‘ମୋର ଜ୍ୱାଇଁଙ୍କର ସିନା ଦରମା କମ୍, ହେଲେ ମନ ବହୁତ ବିଶାଳ । ଆମ ରମା ବହୁତ ଖୁସିରେ ରହିବ ।’ ଆଜି ବାପା ବୋଉ ନାହାନ୍ତି । ଥିଲେ ଅବା କହିଥାନ୍ତେ, ‘ବାପା ! ତାଙ୍କ ଭଳି ସ୍ୱାମୀ ପାଇ ମୋ ଜୀବନ ଚରିତାର୍ଥ ହୋଇଯାଇଛି ।’

ପାଳି ସାନ ବୋହୁ ବଡ ବୋହୁ ବୁଢା ବୁଢୀ

Rate the content


Originality
Flow
Language
Cover design

Comments

Post

Some text some message..