Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶୁକୁଟା ମା
ଶୁକୁଟା ମା
★★★★★

© Kulamani Sarangi

Tragedy

2 Minutes   7.5K    17


Content Ranking

ବୈଶାଖ ମାସ।ସକାଳ ଆଠଟା।

ଦିନର ବୟସ ବଢିବା ସଙ୍ଗେ ସଙ୍ଗେ ଖରାର ରାଗ ବି ବଢୁଚି।ପ୍ରଚଣ୍ଡ ଖରା।ଲାଇନ୍ କଟିଯିବା ଯୋଗୁ ଫ୍ୟାନ୍ ବନ୍ଦ୍।ଦେହ ମୁଣ୍ଡ ଝାଳରେ ଉବୁ ଟୁବୁ।ଫାର୍ମ ଘର ବାରଣ୍ଡାରେ ବସି ଇଣ୍ଟର୍ ନେଟ୍ ଦେଖୁ ଦେଖୁ ବିରକ୍ତରେ ପାଟିରୁ ବାହାରି ଆସିଲା--ଛିଃ,ଫୋର୍ ଜି ସିମ୍ ରେ ବି ନେଟ୍ ଆସୁନି !

ଫାର୍ମ ଘର ମାନେ ଭାବନ୍ତୁନି ଯେ ବିରାଟ ଫାର୍ମ ହାଉସ୍।ଛୋଟକାଟିଆ ଫାର୍ମକୁ ଛୋଟକାଟିଆ ଘର।ପାଖକୁ ଲାଗି ପାଞ୍ଚ ଛ'ଟି ଜର୍ସି ଗାଈ ଥିବା ଗୁହାଳଟିଏ।ଘୋଡାକୁ ଦାନା ବଳେଇଲା ପରି ସେଥିରୁ ଲାଭ ଘରେ ଶୂନ।ଚାରି ପାଖରେ ଚାରି ପାଞ୍ଚ ଏକରର କାଜୁ ବଗିଚା।ଖରାଦିନେ ଏଇ ସମୟରେ ମୋ ତତ୍ତ୍ବାବଧାନରେ କାଜୁ ଆଦାୟ ହୁଏ।ସେଥିପାଇଁ ଏତେ ସକାଳୁ ଫାର୍ମକୁ ମୋର ଆଗମନୀ ଓ ଏ ଗୌର ଚନ୍ଦ୍ରିକା।

ମୁହଁ ପୋତି ଇଣ୍ଟର ନେଟ୍ ଦେଖୁ ଦେଖୁ,ମତେ ଲାଗିଲା କିଏ ଜଣେ ବାରଣ୍ଡା ତଳେ ଠିଆ ହେଇଚି।ଜଗୁଆଳ ପ୍ରଫୁଲ୍ଲ ଆସିଥିବ ଭାବି ମୁହଁ ନଉଠାଇ ପଚାରିଲି 'କହ କଣ ହେଲା?'

ଜଣେ ମହିଳାର ଥର ଥର କଣ୍ଠସ୍ବର କାନରେ ପଡିଲା "ଏ ବୋପା,କଣ କାମ ଅଛି ପରା?"

ମୁହଁଟେକି ଚାହିଁଲି ,ବୁଢୀଟିଏ ସାମ୍ନାରେ ଠିଆ ହେଇଚି।ବୟସ ଲାଗପାଟ ଅଶୀ।ଚମ ଧୁଡୁ ଧୁଡୁ।ସାହାରା ପାଇଁ ହାତରେ କେନ୍ଦୁ କାଠର ବାଡି।ମୁଣ୍ଡ ବାଳ ଫୁରୁ ଫୁରୁ।ଦେହରେ ଖଣ୍ଡିଏ ଚିରା ଲୁଗା।ବର୍ତ୍ତମାନର ରଙ୍ଗ ଦେଖି ଲୁଗାଟିର ପ୍ରକୃତ ରଙ୍ଗ ଅନୁମାନ କରିବା କଷ୍ଟ।ପରଳମଡା ପେଜୁଆ କୋଟର ଗତ ଆଖି ଦୁଇଟିରେ କାମ ପାଇବାର ମେଞ୍ଚେ ଆଶା।ଠିଆ ହବାର ବଳ ହରେଇ ଲଥକରି ବୁଢୀଟି ବାରଣ୍ଡାରେ ବସି ପଡିଲା।

ମତେ ହଠାତ୍ ଆକାଶରୁ ଖସି ପଡିଲା ପରି ଲାଗିଲା।କି କରୁଣ ସେ ଦୃଶ୍ୟ!ପଚାରିଲି " ଏଠି କାମ ଅଛି ବୋଲି ତମକୁ କିଏ କହିଲା?"

ବୁଢୀ ସଂକ୍ଷୀପ୍ତରେ କହିଲା "ଭିକ ବୋହୂ।"

ମୁଁ କହିଲି "ଭିକ ତ ଏଠି କେହି ନାହାନ୍ତି।"ବୁଢୀ କହିଲା,'ଏଇ ପଫୁଲ ମ,ଗାଁରେ ଆମେ ତାକୁ ଭିକ ବେଲି ଡାକୁ।"ବୁଢୀଟି ଉପରେ ଦୟା ହେଲା।କାମ ପାଇବା ଆଶାରେ ଦୁଇ କିଲୋମିଟର ଚାଲି ଚାଲି ଆସିଚି।ଏ ବୟସରେ କି କାମ କରିବ?ତାର ପୁଅ ବୋହୂ ତାକୁ କେମିତି ଆସିବାକୁ ଦେଲେ?

ଏ ସମୟରେ ପ୍ରଫୁଲ୍ଲ ଆସି ପହଞ୍ଚିଲା।କହିଲା "ଶୁକୁଟା ମାଆ ବଡ ଦୁଃଖୀ ନୋକ ଆଜ୍ଞା।ଦି'ଦିନ ହେଲା ଖାଇନି।କିଛି ହେଲେ କାମ ଦିଅନ୍ତୁ,ଅଧା ମୂଲ ଦେଲେ ଚଳିବ।"

ପ୍ରଫୁଲ୍ଲ ଉପରେ ବିରକ୍ତ ହେଇ ମୁଁ କହିଲି "ତମର ଟିକେ ଦୟା ହଉନି ତା ଉପରେ ପ୍ରଫୁଲ୍ଲ?ତାର ଅବସ୍ଥା ଦେଖୁଚ ଟି?ଏ ବୟସରେ କି କାମ କରିବ?ତାର କଣ ପିଲା ପିଲି କେହି ନାହାନ୍ତି?"

ବୁଢୀ କହିଲା "ଅଛନ୍ତି ଲୋ ବୋପା।ଦି ପୁଅ,ଦି ବୋହୂ।ତାଙ୍କଦୁଃଖରେ ସିଏ ଅଛନ୍ତି।"

ପ୍ରଫୁଲ୍ଲ କହିଲା "ଥାଇ ନଥିଲା ପରି ଆଜ୍ଞା।ଭାତ ମାଗିଲେ ବୁଢୀକି ପାଞ୍ଚଣ ମାଡ ମିଳୁଚି।"ଲୁଗା ଘୁଞ୍ଚେଇ ପ୍ରଫୁଲ୍ଲ ବୁଢୀର ଫୁଙ୍ଗୁଳା ପିଠି ଦେଖେଇଲା।ଦି'ପାହାର ପାଞ୍ଚଣ ଦାଗ ଲାଲ୍ ଲାଲ୍ ଫୁଟି ଦେଖା ଯାଉଥିଲା ବୁଢୀର ପିଠିରେ।

ଆଖି ଭରି ଆସିଲା।କେମିତି ପୁଅ ବୋହୂ ଏମାନେ!ଏତେ ନିର୍ଦ୍ଦୟ କେମିତି ହେଇ ପାରୁଚନ୍ତି?

ପ୍ରଫୁଲ୍ଲ ସ୍ତ୍ରୀ ଆସି ପହଞ୍ଚିଲା।କହିଲା "ଗୋଟେ ପୁଅ ବାଡିଖିଆ ତ ଯାଜନ(ଦାଦନ)ଯାଇଚି ଯେ ମଲା କି ଗଲା ଜଣାନାଇଁ।ତା ମାଇପ ଖଟି ଖାଟି ଯାହା ଦି'ପଇସା ଆଣୁଚି,ତାକୁ ନିଅଣ୍ଟ।ଆଉ ଏ ବାଡିଖିଆ ଶୁକୁଟା ମଦ ପିଇ ମା କୁ ଅନବରତ ପିଟୁଚି।ବୁଢୀର ଭତ୍ତା ପଇସା ହଡପ କରୁଚି,ପଡି ଚାଉଳ ବି ଦଉନି।ମନ ହେଲେ ମୁଠେ ଦେଲା,ନହେଲେ ନାଇଁ।ବାଡିଖିଏ........

କଥା ଛଡେଇ ନେଇ ଶୁକୁଟା ବୋଉ କହିଲା "ସେମିତି ଗାଳି ଦେ'ନା ଲୋ ଭିକ ବୋହୂ।ମୋ ପିଲେ ଭଲରେ ଥାଆନ୍ତୁ।ତାଙ୍କ ଆଗରୁ ମୁଁ ଚାଲିଯାଏ।ଭଗବାନ ତାଙ୍କୁ ଭଲରେ ରଖିଥାନ୍ତୁ।"

ଆଶ୍ଚର୍ଯ୍ୟ ଲାଗିଲା।ଏଇ ହଉଚି ମାଆ,ସର୍ବଂସହା!ବାଘୁଣୀ ମୁହଁରୁ ସେ ପିଲାକୁ ଭିଡିଆଣେ।କେହି ତା ପିଲାକୁ ଗାଳିଦେଲେ,ଭଲ ମନ୍ଦ କହିଲେ ସହି ପାରେନି।

କିଛି ପଇସା ଦେଇ ବୁଢୀକି ବିଦା କରିଦେଲି।ଯାଉ ଯାଉ ଅସ୍ପଷ୍ଟ ସ୍ବରରେ ବୁଢୀ କହୁଥିଲା "ଭଲ ନୋକ ଘରର ଝିଅ ବୋହୂ ମୁଁ ରେ ବୋପା।ଗେରସ୍ତ ଥିଲାବେଳେ ରାଣୀ କରି ରଖିଥିଲା।କାହା ଦୁଆରକୁ ଯିବାକୁ ଦଉ ନଥିଲା।"

ମନଟା ଭାରାକ୍ରାନ୍ତ ହେଇଗଲା।ଭାବୁଥିଲି,ବୁଢୀର ପେଟ ଚିନ୍ତା ଆଗରେ ମୋ ନେଟ୍ ନଆସିବା ଚିନ୍ତା କେତେ ଗୌଣ ସତେ!

ନେଟ୍ ବୁଢୀ ସର୍ବଂସହା

Rate the content


Originality
Flow
Language
Cover design

Comments

Post

Some text some message..