Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବୁଢୀଗାଈ
ବୁଢୀଗାଈ
★★★★★

© Lopamudra Mishra

Tragedy

8 Minutes   14.4K    19


Content Ranking

ରୁକ୍ମଣୀଙ୍କ ବଡ ବୋହୂ ସ୍ମିତା ବାହା ହେଇଆସିଲା ବେଳେ ସାଙ୍ଗରେ ବିଭିନ୍ନ ଆସବାବପତ୍ର ସହ ଗୋଟେ ସୁନ୍ଦରିଆ କଳା ବାଛୁରୀ ଯୌତୁକ ସୂତ୍ରରେ ଆଣିଆସିଥିଲେ l ରୁକ୍ମଣୀ କିନ୍ତୁ ଏ ଗାଈ ବାଛୁରୀ ଜଞ୍ଜାଳ ମୁଣ୍ଡେଇବାକୁ ଚାଁହୁନଥିଲେ l ସେ ଜାଣିଥିଲେ ସ୍ୱାମୀ ନବଘନ ଏ କାମରେ ହାତ ଦେବେନି l ନୂଆବୋହୂ ସ୍ମିତା ପାଠୁଆ ଝିଅ l ପାଖ ଗାଁ କବୀରପୁର ହାଇସ୍କୁଲରେ ଇଂରାଜୀ ଶିକ୍ଷୟିତ୍ରୀ l ସେ ମଧ୍ୟ ଏସବୁ ଧନ୍ଦା କରିବେନି l ଘର ଛ ପ୍ରାଣୀ କୁଟୁମ୍ବଙ୍କ ସହ ଏ ବାଛୁରୀର ଦାୟିତ୍ୱ ମଧ୍ୟ ରୁକ୍ମଣୀ ଦେବୀଙ୍କୁ ହିଁ ନେବାକୁ ପଡିବ l ସେଥିସକାଶେ ସେ ପ୍ରଥମରୁ ବାଛୁରୀ ଟି ବିକ୍ରି କରିଦେବାକୁ ଚାଁହୁଥିଲେ l କିନ୍ତୁ ସାହି ଭାଇର ବଡ ଯାଆ,ସାନ ଯା',ଖୁଡୀ ଶାଶୁ ସଭିଏଁ ବାରଣ କଲେ ଦାନ ସୂତ୍ରରେ ମିଳିଥିବା ଗାଈ ବାଛୁରୀ ବିକ୍ରି ହୁଅନ୍ତିନି,ଵିକନାହିଁ l ବାଛୁରୀ ରହିଲା l ରୁକ୍ମଣୀଙ୍କ କାମ ବଢ଼ିଲା l

ବାଛୁରୀ ଟି ଭାରି କୌତୁକିଆ ହେଇଥିଲା l କଳା ଚିକ୍କଣ ଦେହକୁ ମଥା ରେ ଗୋଟେ ଧବଳ ରଙ୍ଗ ର ଟୀକା l ସେହିଟା ବାଛୁରୀ କୁ ଖୁବ ମାନୁଥିଲା l ନବମ ଶ୍ରେଣୀ ରେ ପଢ଼ୁଥିବା ରୁକ୍ମଣୀ ଙ୍କ କୋଳପୋଛା ପୋଛି ସାନ ଝିଅ କୁନୁମୁନି ବାଛୁରୀ ର ସୁନ୍ଦର ଟୀକା କୁ ଲକ୍ଷ କରି ନାଁ ଟି ତାର ଦେଲା 'ଚାନ୍ଦ' l କୁନୁମୁନି ର ଥିଲା ଚାନ୍ଦ ପ୍ରତି ଅହେତୁକ ଶ୍ରଦ୍ଧା l ସକାଳୁ ଉଠି ସେ ଚାନ୍ଦ କୁ ରୁଟି କିମ୍ବା ପିଠା ନିଜ ହାତରେ ଖୁଆଏ l କ୍ରମେ ତାହା କୁନୁମୁନି ର ନୀତିଦିନିଆ କାମ ରେ ପରିଣତ ହେଇଗଲା l ପରିବାର ର ସବୁଠୁ ସାନଥିବା କୁନୁମୁନି କୁ ତାଠୁ ସାନ ଆଉ ଜଣେ ସଦସ୍ୟ ମିଳିଯାଇଥିବାରୁ, ସେ ବହୁତ ଖୁସି ଥିଲା l ରୁକ୍ମଣୀ ଦେବୀ ବି ଚାନ୍ଦ କୁ ନିଜ ପିଲା ପରି ଯତ୍ନ କଲେ l ଚାନ୍ଦ, ପୁର୍ଣିମା ର ଚାନ୍ଦ ପରି ବଢିଚାଲିଲା l କୁନୁମୁନି ଦଶମ ଶ୍ରେଣୀ ପାସ ନକରୁଣୁ ତା କୁନି ସାଙ୍ଗ ଚାନ୍ଦ ପୂର୍ଣ୍ଣ ଯୌବନପ୍ରାପ୍ତl ହୋଇ ଗର୍ଭବତୀ ହୋଇସାରିଥିଲା l ଯେଉଁଦିନ ଚାନ୍ଦ ତା ପ୍ରଥମ ସନ୍ତାନ କୁ ଭୂମିଷ୍ଠ କଲା ,ଘରେ ସବୁଠୁ ବେଶୀ ଖୁସି ହେଇଥିଲା କୁନୁମୁନି l ଟ୍ୟୁସନ ରୁ ଫେରିବା ରାସ୍ତା ରେ ଚାନ୍ଦ ର ପ୍ରସବ ଖବର ଶୁଣି ଖୁବ ଜୋର ରେ ସେ ଘରକୁ ଦୌଡ଼ି ଦୌଡ଼ି ଆସିଥିଲା l ଚାନ୍ଦ ର ପ୍ରଥମ ଗର୍ଭ ସେହି ମାଈ ବାଛୁରୀ ଟି ଠିକ ତା ମାଆ ର ଅବିକଳ ରୂପ ପାଇ ଆସିଥିଲା l ସେହି ପରି କଳା ମଚ ମଚ ଦେହ, ମୁଣ୍ଡରେ ସୁନ୍ଦର ଧଳା ଚାନ୍ଦ l କୁନୁମୁନି ପୂର୍ବ ଦିନ ରାତି ରେ ନିୟୁଜ ରେ ଦେଖିଥିଲା ନନ୍ଦନ କାନନ ର 'ଚାନ୍ଦିନୀ' ନାମ୍ନୀ ସିଂହୀ ତିନୋଟି ସିଂହ ଶାବକ ଜନ୍ମ ଦେଇଛି l ସେମାନଙ୍କ ନାମ ଶଙ୍କର, ରାଜା ଓ ବଉଳୀ ରଖାଯାଇଛି l କୁନୁମୁନି ବି ତା ପ୍ରିୟ ଚାନ୍ଦ ଗାଈ ର ନବଜାତ ବାଛୁରୀ ର ନାଁ 'ବଉଳୀ' ରଖିଲା l ବଉଳୀ କୁନୁମୁନି ର ପୁରା ଗେଲ୍ଲୀ ବାଛୁରୀ ହୋଇଯାଇଥିଲା l ସ୍ମିତା ଭାଉଜ କେବେ କେବେ ଥଟା ପରିହାସ ରେ କହନ୍ତି, " ବଉଳୀ କୁ କୁନୁମୁନିଙ୍କ ଶାଶୂଘର କୁ ଯୌତୁକ ରେ ପଠେଇଦେବା " l

ଏହି ଭିତରେ ବଉଳୀ କୁ ମିଶେଇ ଚାନ୍ଦ ଆହୁରି ପାଞ୍ଚୋଟି ବାଛୁରୀ ଦେଲାଣି l ସମସ୍ତ ନୂଆ ଅତିଥି ଙ୍କ ନାମକରଣ ଦାୟିତ୍ୱ ନେଇଛି କୁନୁମୁନି l ଚାନ୍ଦ ତା ଷଷ୍ଠ ସନ୍ତାନ ପ୍ରସବ ଦେଲା ବେଳକୁ କୁନୁମୁନି କିନ୍ତୁ ଆଉ ଉପସ୍ଥିତ ରହିପାରିଲାନି lବାହାହୋଇ ଶାଶୂଘର କୁ ଚାଲିଗଲା l ସହର ରେ ଶାଶୂଘର l ଯୌତୁକ ରେ ଗୋଦାନ ବି ସେମାନେ ନେଲେନି l ବିନା କୁନୁମୁନି ରେ ଚାନ୍ଦର ଷଷ୍ଠ ସନ୍ତାନ, ସେହି ଅଣ୍ଡିରା ବାଛୁରୀ ଟିର ନାମକରଣ ହୋଇପାରିଲାନି l କେବଳ ତାର ନୁହେଁ ଚାନ୍ଦର ପରବର୍ତୀ ସମସ୍ତ ସନ୍ତାନ ସନ୍ତତି ଓ ସେମାନଙ୍କ ଠୁ ଜନ୍ମ ମାଈ ଅଣ୍ଡିରା ସବୁ ବାଛୁରୀମାନଙ୍କର ଆଉ ନାଁ ଦିଆଗଲା ନାହିଁ l କାହାକୁ କାଳୀ, କାହାକୁ ଧଳୀ, କାହାକୁ ଛାବୁଲି, କାହାକୁ କାଳିଆ, କାହାକୁ ହେଁଏଲ, କାହାକୁ କଷରା ତ ପୁଣି କାହାକୁ ଓଲେଇଗାଈ ଡକାଗଲା l ଧୀରେ ଧୀରେ ଅଣ୍ଡିରା ବାଛୁରୀ ସବୁ ବିକ୍ରି ହେଇଗଲେ l ମାଈ ଗୁଡ଼ାଙ୍କୁ ପାଳିବାକୁ ଅଧିଅlଡ଼ି ଦିଆହେଇଗଲା l

ଦିନ ପରେ ଦିନ ବିତିଚାଲିଲା l ଚାନ୍ଦ ଅଠର ଟି ପିଲା ର ମାଆ ହୋଇ ବୁଢୀ ହୋଇଗଲା l ରୁକ୍ମଣୀ ଦେବୀଙ୍କ ପରିବାର ରେ ମଧ୍ୟ ଅନେକ ପରିବର୍ତନ ଆସିସାରିଥାଏ l ନବଘନ ବାବୁ ବାର୍ଦ୍ଧକ୍ୟ ଜନିତ ନାନାଦି ରୋଗ ରେ ପୀଡିତ ହୋଇ ରୁକ୍ମଣୀ ଙ୍କୁ ଛାଡ଼ି କେବେଠୁ ଆରପାରି କୁ ଚାଲିଗଲେଣି l ବୁଲୁ ସ୍ମିତା ଙ୍କ ପୁଅଝିଅ ଦୁହେଁ ବଡ ହୋଇ କଲେଜ ପାଠ ପଢିବାକୁ ଦୂର ସହର କୁ ଗଲେଣି l ସାନପୁଅ ବୁଟୁ ବାହା ହୋଇ, ସେ ମଧ୍ୟ ଦୁଇଟି ପିଲାମାନେ ର ବାପା ହୋଇସାରିଲାଣି l ଘରେ ଏବେ ବୃଦ୍ଧା ରୁକ୍ମଣୀ ଦେବୀ, ବଡପୁଅ ବୁଲୁ, ବଡ଼ବୋହୂ ସ୍ମିତା, ସାନପୁଅ ବୁଟୁ ଓ ତାର ସ୍ତ୍ରୀ ସୁଜାତା ଏବଂ ବୁଟୁ ର ଏଗାର ବର୍ଷ ର ଝିଅ ପୂଜା ଓ ଆଠ ବର୍ଷ ର ପୁଅ ବଣ୍ଟି l ଏତେବଡ ପରିବାର ର ଦାୟିତ୍ୱ ସହ ଗୋସମ୍ପଦ ମାନଙ୍କର ଯତ୍ନ ନେବାକୁ ଅବହେଳା ଦେଖାଦେବାରୁ, ଗୋଟି ଗୋଟି କରି ସବୁ ବିକ୍ରି ହୋଇଗଲା l ଖାଲି ରହିଗଲା ଚାନ୍ଦ l ସାରାପରିବାର କୁ ନିଜ ଥନ ରୁ ଅମୃତ ଖୁଆଇଛି l ଘର ର ସବୁପିଲା ତାରି ମିଠା କ୍ଷୀର ଖାଇ ବଡ ହେଇଛନ୍ତି l ଏହି ବୁଢୀ ବୟସ ରେ ତାର ସେବା ଯତ୍ନ ନକରି ତାକୁ ବିକିଦେଇ ପାପ ଅର୍ଜିବା କଥା କେହି ଚିନ୍ତାକଲେନାହିଁ l ତାଛଡା ବିକିବାକୁ ଗଲେ ତାକୁ କିଣିବ କିଏ?

ଚାନ୍ଦ କୁ ଏବେ ତେଇଶି l ରୁକ୍ମଣୀ ଙ୍କୁ ତେୟାଶୀ l ଚାନ୍ଦ କୁ ଏବେ ଆଉ କେହି ତା ନାଁ ଧରି ଡାକନ୍ତିନି l ସମସ୍ତେ କହନ୍ତି "ବୁଢ଼ଗାଈ" ଟା l ରୁକ୍ମଣୀ ଙ୍କୁ ମଧ୍ୟ ମାଆ ବଦଳରେ 'ବୁଢୀ' କୁହାଯିବାର ସେ ଅନେକ ଥର ଶୁଣିଲେଣି l ଯୋଉ ଚାନ୍ଦ କୁ ରୁକ୍ମଣୀ କଅଁଳl ବାଛୁରୀ ବୟସ ରୁ ସ୍ନେହ କରି ବଡ କରିଥିଲେ, ସେ ଆଜି ତାଙ୍କରି ପରି ବାର୍ଦ୍ଧକ୍ୟ ରେ ଉପନୀତ l ବୁଢ଼ଗାଈ ଟା ପରିବାର ପାଇଁ ଗୋଟେ ଅଦରକାରୀ ବୋଝ l ବୃଦ୍ଧା ରୁକ୍ମଣୀ ଅନାବଶ୍ୟକୀୟ ସଦସ୍ୟା l ଘର ପାଇଁ ଏବେ ଦୁଇଜଣଙ୍କ ମଧ୍ୟ ରୁ କାହାରି ଜଣଙ୍କ ର ମଧ୍ୟ ପ୍ରୟୋଜନ ନାହିଁ l ସଭିଙ୍କ ନଜର ରେ ଦୁଇଜଣ ଙ୍କର ମୂଲ୍ୟ ପାଖା ପାଖି ସମାନ l ଫରକ ଖାଲି ଏତିକି, ବୁଢ଼ଗାଈ ର ଅବଦାନ କୁ କେହି ଭୁଲିନାହାନ୍ତି କିନ୍ତୁ ବୃଦ୍ଧା ରୁକ୍ମଣୀ ଙ୍କର ପରିବାର ପ୍ରତି ଉତ୍ସର୍ଗୀତ ତ୍ୟାଗ କୁ ସଭିଏଁ ପାଷୋରିଦେଲେଣି l

ବୁଟୁ ର ସ୍ତ୍ରୀ ସୁଜାତା ବୃଦ୍ଧାଦ୍ୱୟ ଙ୍କ ଦାୟିତ୍ୱ ମୁଣ୍ଡେଇ ଥକିଗଲେଣି l ସ୍ମିତା ଏଯାଏଁ ବି ସ୍କୁଲ ଚାକିରୀ ରୁ ଅବସର ନେଇନାହାନ୍ତି l ସବୁ କାମ ସୁଜାତା ଙ୍କୁ ହିଁ ବୁଝିବାକୁ ହୁଏ l ବୁଢ଼ଗାଈ ର ପବିତ୍ର ଗୋବର ତ ଅନାୟାସ ରେ ସେ କାଢ଼ିନିଅନ୍ତି କିନ୍ତୁ ବୃଦ୍ଧା ରୁକ୍ମଣୀ ଯଦି କେବେକେମିତି ଟୟଲେଟ ଯିବାକୁ କାହାକୁ ଡାକିନପାରି ଲୁଗାପଟା ଖରାପ କରିଦିଅନ୍ତି , ତେବେ ଘରେ ପ୍ରଳୟ ହେଇଯାଏ l ସମସ୍ତେ ସେ ମଳ ପାଖକୁ ଯିବାକୁ ମଧ୍ୟ ଘୃଣା କରନ୍ତି l ସ୍ମିତା ଓ ସୁଜାତା ତ ପରଝିଅ l ନିଜ ପୁଅମାନେ ମଧ୍ୟ ଘୃଣା ରେ ବାନ୍ତି କରିପକାନ୍ତି lକରିବା ସ୍ୱାଭାବିକ ମଧ୍ୟ l ବୃଦ୍ଧା ଙ୍କ ମଳ ତ ଆଉ ପବିତ୍ର ଗୋବର ନୁହେଁ ଯେ ଆନନ୍ଦ ରେ ହାତ ରେ ତୋଳି ଧରିବେ କିମ୍ବା ସେଥିରୁ ଅତର ର ଭୁରୁ ଭୁରୁ ଗନ୍ଧ ବାହାରୁନି ଯେ ଘ୍ରାଣ କରି ବିମୋହିତ ହେବେ l ପୁଅମାନେ ବୋହୂମାନଙ୍କୁ ତାଗିଦ କରିକହନ୍ତି, "ବୁଢୀ କୁ ଟିକେ କମ ଖାଇବା ପିଇବା କୁ ଦିଅ l ଏତେ ରାଗ ମସଲା କାହିଁକି ଦେଉଛ ତାକୁ? " l ବୋହୂମାନେ ଓଲଟି କହନ୍ତି, " ତୁମ ମାଆଙ୍କ ପାଇଁ ଆମେ ବି ସବୁ ଖାଇବା ପିଇବା ଛାଡିଦେବୁ ନା କଣ? ଏମିତି ନାକ ଖଣ୍ଡେ ପାଇଛନ୍ତି, ଯାହା ଟିକେ ଭଲ ମନ୍ଦ ରାନ୍ଧିଲେ ଶୁଙ୍ଘି ଶୁଙ୍ଘି ଜାଣିଦେଉଛନ୍ତି l ରାଗ ମସଲା ବିନା ତାଙ୍କୁ କିଛି ୠଚୁନି l ଖାଇବେ ଆଉ ଆମକୁ ହଇରାଣ କରିବେ l ଏହି ଟା ତାଙ୍କ ଉଦେଶ୍ୟ " l ଯୌବନ ହଟିନଥିବା ବୋହୂମାନେ କାହିଁକି ବୁଝିବେ ବୃଦ୍ଧାବସ୍ଥା ରେ ଜିହ୍ୱା ଲାଳସା ବ୍ୟତୀତ ଅନ୍ୟ କୌଣସି ଇନ୍ଦ୍ରିୟ ର ଏତେ ଟା ତାଡନା ନଥାଏ l ବୁଢ଼ଗାଈ ର ସୌଭାଗ୍ୟ ତାକୁ ତା ପ୍ରିୟ ଖାଦ୍ୟ ରୁ ବିଶେଷ କିଛି ବଞ୍ଚିତ ହେବାକୁ ପଡ଼େନାହିଁ l

ବଣ୍ଟି ବୁଢ଼ଗାଈ ଉପରକୁ ବଲ ପକାଇ, ଗାଈ ର ଗୋଡ ପାଖରେ ଗୋଡ ଲଗାଇ,ବଲ କୁ ଠେଲି ଠେଲି ଖେଳୁଥିଲା l ସୁଧାର ଗାଈ ଟି ଉଁ ଚୁଁ ନହେଇ ସେମିତି ଠିଆ ହୋଇ ରହିଥିଲା l ବଣ୍ଟି ର ଏତାଦୃଶଃ କାର୍ଯ୍ୟ ଦେଖି ବୁଟୁ ଓ ସୁଜାତା ଉଭୟ ଖୁବ ରାଗିଲେ ପିଲା ଟି ଉପରେ,ଗୋମାତା କୁ ଅସମ୍ମାନ କରିଥିବାରୁ l ଗାଈ ର ଗୋଡ ଧରି ଭୁଲ ମାଗିବାକୁ ମଧ୍ୟ ତାକୁ କହିଲେ l ବୁଢ଼ ର ଅହୋଭାଗ୍ୟ l ସେ ଭାଗ୍ୟ ବୁଢ଼ୀଜେଜେମା ର କାହିଁ? ବୁଢ଼ଗାଈ ଯେ ପରିବାର ରେ ଖୁବ ଆଦର ସମ୍ମାନ ସହକାରେ ରହିଥିଲା, ସେକଥା ଭାବିବା ଭୁଲ l କେବଳ ଭୟ ରେ ସମ୍ମାନ l କାଳେ ବୁଢ଼ ଅଭିଶାପ ଦେଇଦେବ, ସେହି ଡର ରେ l ବୁଢୀ ରୁକ୍ମଣୀ ଙ୍କ ତରଫରୁ ଅଭିଶାପ ର କୌଣସି ଭୟ ନଥିଲା l ଘରଲୋକ ସେ ଦିଗରେ ନିଶ୍ଚିନ୍ତ ଥିଲେ ଯେ ବୁଢୀ କେବେ ସେ କାମ କରିବେନି l କାହାରି ଅନିଷ୍ଟ ତୁଣ୍ଡ ରେ ଧରିବେନାହିଁ l

ବୁଢ଼ଗାଈ ଆଉ ବୁଢୀମାଆ ଦୁହିଁଙ୍କୁ ଘରେ ଏକା ଛାଡ଼ି ସପରିବାରେ କୁଆଡେ ଯାଇଆସି ପାରୁନଥିଲେ l ସୁଜାତା ଙ୍କୁ କେହି ବନ୍ଧୁ ପରିଜନ ନିମନ୍ତ୍ରଣ କଲେ ସେ କହୁଥିଲେ, " ସେ ବୁଢୀଗାଈ ଆଉ ଆମ ବୁଢୀ ଶାଶୁ, ଏହି ଦୁଇଟା ଅଧାମଲା ଜୀବ ଥିଲା ଯାଏ ମୁଁ ସ୍ୱର୍ଗ କୁ ବି ଯାଇପାରିବିନି l ଯାହା ଯୁଆଡେ ଯିଵି ଏମାନଙ୍କ ଅନ୍ତେ "l ବୁଢୀ ଶାଶୁ ସବୁ ଶୁଣନ୍ତି l କିଛି କିଛି ବୁଝନ୍ତି, କିଛି ଅବୁଝା ରହିଯାଏ l ବୁଢ଼ଗାଈ ନା କିଛି ଶୁଣିପାରେ, ନା ସେ କିଛି ବୁଝିପାରେ l ଦୁହେଁ କିନ୍ତୁ ଅପେକ୍ଷା କରିଥାନ୍ତି ସେହି ଗୋଟିଏ ମୁହୂର୍ତ ର, ସେହି ଚିରନ୍ତନ ସତ୍ୟ ର, ସେମାନଙ୍କ ନିଜ ନିଜ ଅନ୍ତିମ ଘଡି ର .. ମୃତ୍ୟୁ ର..

ବୁଢୀଗାଈ ବେମାରୀ ପଡିଲା l ଘରେ ଭାଳେଣି ପଡିଲା l ଦୁଇଦୁଇଟା ବେମାରିଆ ଙ୍କ ଖବର ସୁଜାତା ଏକା ଏକା ବୁଝିବାକୁ ସଫା ମନାକରିଦେଲେ l ସ୍ମିତାଙ୍କୁ ସ୍କୁଲ ରୁ ଛୁଟି ନେଇ ନିଜ ଯୌତୁକ ଗାଈ ର ସେବା ନିଜେ କରିବାକୁ ସେ ପରାମର୍ଶ ଦେଲେ l ଦୁହିଁଙ୍କ ମଧ୍ୟ ରେ ମନୋମାଳିନ୍ୟ ଦେଖାଦେଲା l ବୁଟୁ ର ଝିଅ ପୂଜା ଏବେ ଜେଜେମା ର ଖାଇବା ଖବର ବୁଝା ବୁଝି କରେ l ଛୋଟ ଝିଅଟିର ନିଜ ଜେଜେମା ପ୍ରତି ଗଭୀର ଭଲପାଇବା l ଦିନେ ସକାଳୁ ପୂଜା ଦୁଇଟି ଶୁଖିଲା ରୁଟି କୁ କ୍ଷୀର ରେ ଭେଦେଇ ବୁଢୀ ରୁକ୍ମଣୀଙ୍କୁ ଖୁଆଇବାକୁ ଆଣିଲା l ବୃଦ୍ଧା ତାଙ୍କ ନାତୁଣୀ କୁ କହିଲେ, " ବୁଢୀ ଲୋ ଘରେ କଣ ତିଅଣ ରନ୍ଧା ହେଇଛି, ତୋ ମାଆ କୁ ଲୁଚେଇ ଟିକିଏ ଆଣିଦିଅନ୍ତୁନି? " l ଅନ୍ୟ ଦିନ ହେଇଥିଲେ ପୂଜା ଲୁଚେଇ ନେଇଆସିଥାନ୍ତା l କିନ୍ତୁ ଆଜି ନୁହେଁ l କାଲି ରାତି ରୁ ମାଆ ତାଗିଦ କରିକହିଛନ୍ତି, " କାଲିଠୁ ଜେଜେମା କୁ ଯଦି କିଛି ବି ଲୁଚେଇକି ଖାଇବାକୁ ଦେଇଛୁ, ମତେ ଚିହିଁବୁ l ବୁଢୀ କୁ ଝାଡ଼ା ହେଲେ ମୁଁ ତତେ ପିଟି ପିଟି ତୋ ପିଠି ରୁ ଛାଲ ବାହାର କରିଦେବି " l ପୂଜା ନିରୁପାୟ l ଜେଜେମା କୁ ଭୁଲାଇବା ପାଇଁ ସେ ତାଙ୍କୁ ବୁଢ଼ଗାଈ ର ବେମାରୀ କଥା କହିଲା l " ଜାଣିଛୁ ଜେଜେମା ବୁଢ଼ ର ଦେହ ଭଲନାହିଁ l ଶୋଇକି ରହୁଛି l ଉଠୁନି ଜମା l ଦୁଇଦିନ ହେଲା କିଛି ଖାଉନି l ସେ ଆଉ ବଞ୍ଚିବନି l ମାଆ ଆଉ ବଡମାଆ କଳି ଲାଗି କେହି ବି ଜଣେ ଯାଉନାହାଁନ୍ତି ତା ପାଖକୁ l" ବୃଦ୍ଧା ଙ୍କୁ ଏବେ ମନେହେଲା ବୁଢ଼ ଗୋଟେ ଗାଈ ନୁହେଁ, ସେ ତାଙ୍କ ଅଲିଅଳି ଝିଅ, ବାନ୍ଧବୀ, ସମଦୁଃଖୀ, ନାଁ ନାଁ ସେ ତ ସେ ନିଜେ..ସେ ବୁଢ଼ ନୁହେଁ ରୁକ୍ମଣୀ..

ସେଦିନ ସକାଳ ଯାଇ ସଞ୍ଜ ହେଲା ରୁକ୍ମଣୀ ସେହିପରି ଅନ୍ୟମନସ୍କ l ଚାନ୍ଦ ଏକବାର ଏକାକୀ l ବହୁତ ଭାବି ବୃଦ୍ଧା ଖୁବ କଷ୍ଟରେ ନିଜ ଖଟରୁ ଉଠିଲେ lନିଜ ଦୁର୍ବଳ ଶରୀରକୁ କୌଣସି ମତେ ଘୋଷାରି ଘୋଷାରି ଗୁହାଳ ପର୍ଯ୍ୟନ୍ତ ନେଇଗଲେ l ହାତରେ ଥିଲା ପାଣିଢାଳ ଟେ l ବୁଢୀଗାଈ ପାଖେ ତଳେ ବସିପଡ଼ିଲେ l ନିଜ ଶିରାଳ ଶୁଷ୍କ ହାତରେ ତା ମଥା ର ଚାନ୍ଦ କୁ ଟିକେ ଆଉଁସି ଦେଲେ l ଅତୀତର ଛବି ଦର୍ପଣ ପରି ତାଙ୍କ ଚକ୍ଷୁ ସାମ୍ନା ରେ ଭାସିଉଠିଲା l ରୁକ୍ମଣୀ ନିର୍ବାକ l ଚାନ୍ଦର ନିର୍ଣିମେଶ ଦୃଷ୍ଟି l ଦୁହେଁ ଦୁହିଁଙ୍କୁ ଚାହିଁ ରହିଛନ୍ତି ଯେମିତି ଉଭୟ ଉଭୟଙ୍କୁ ଆଜି ପରସ୍ପରର ଆଖିରେ ଦେଖୁଛନ୍ତି l ରୁକ୍ମଣୀଙ୍କ ରୁଗ୍ଣ ନୟନରୁ ବିନ୍ଦୁ ବିନ୍ଦୁ ଲୋତକ ଝରିଆସିଲା l ଚାନ୍ଦର ପେଜୁଆ ଆଖି ବି ଓଦାଳିଆ ଦେଖାଯାଉଥିଲା l ବୃଦ୍ଧା ଜଣଙ୍କ ବୁଢୀଗାଈ ଟିର ପାଟିରେ ପାଣି ଦୁଇଚଳା ଦେଲେ l ତା ବେକରୁ ପଘା ଖୋଲି ତାକୁ ମୁକ୍ତ କରି ଫେରିଆସିଲେ l

ସକାଳୁ ଉଠୁ ଉଠୁ ରୁକ୍ମଣୀଙ୍କୁ ହସ ଉଲ୍ଲାସର ସ୍ୱର ଶୁଭାଗଲା l ନିଜ ଦୁର୍ବଳ ଶ୍ରବଣେନ୍ଦ୍ରିୟକୁ ଟିକେ ବେଶୀ କଷ୍ଟ ଦେଇ ଘଟଣାଟା କଣ ଜାଣିବାକୁ ଚେଷ୍ଟା କରନ୍ତେ, ସ୍ମିତା ଓ ସୁଜାତାଙ୍କ କଥୋପକଥନ ଶୁଣିବାକୁ ପାଇଲେ l ସ୍ମିତା କହୁଥିଲେ, "ଓହୋ ଗୋଟେ ବୋଝ ଗଲା l ମଣିଷ ଏବେ ଟିକେ ଶାନ୍ତିରେ ନିଶ୍ୱାସ ମାରିପାରିବ "l ସୁଜାତା କହୁଥିଲେ, "ଆମ ଜୀବନରେ ଶାନ୍ତି କାହିଁ ନାନୀ? ଗୋଟେ ବୋଝ ସିନା ଉତୁରି ଗଲା, ଆର ବଡ ବୋଝ ଟା ପା କାନ୍ଧ ରେ ଝୁଲୁଛି "l ରୁକ୍ମଣୀ ଏତିକି ଶୁଣିଛନ୍ତି ଲଥ କରି ପଡିଗଲେ l ପଡିଗଲେ ଯେ ଆଉ ନିଜେ ଉଠିପାରିଲେନାହିଁ l

ଏହି ଘଟଣାର ଦୁଇଦିନ ପରେ ଲୋକଙ୍କ ମୁଁହରୁ ଶୁଣାଗଲା ଯେ ବୁଲୁମାଆ ପାଟିରେ ପାଣି ଗଳୁନି l ବୁଢୀ ଆଉ ବେଶୀ ନୁହେଁ l ସେହି ଘଣ୍ଟାଏ କି ଦୁଇଘଣ୍ଟା.....

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର, ଦଶରଥ, ଯାଜପୁର

ପିନ -755006

ଫୋନ -8280207798

*************

ରୁକ୍ମଣୀ ଚାନ୍ଦ ଦୁର୍ବଳ ଶରୀର

Rate the content


Originality
Flow
Language
Cover design

Comments

Post

Some text some message..