Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସକଳ ଘଟେ ନାରାୟଣ
ସକଳ ଘଟେ ନାରାୟଣ
★★★★★

© sushama Parija

Inspirational

7 Minutes   14.6K    24


Content Ranking

ସୁଷମା ପରିଜା

ଏ ବର୍ଷ ଖରାଛୁଟିରେ ପିଲାଙ୍କୁ ନେଇ ଯାଇଥିଲି ବାଲେଶ୍ୱର ମୋ ଭଉଣୀ ଘରକୁ । ଭଉଣୀ ଘରେ ରହି କିଛିଦିନ ବୁଲାବୁଲି କରି ରେମୁଣା ଜଗନ୍ନାଥ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର, ନୀଳଗିରି ଜଗନ୍ନାଥ ମନ୍ଦିର, କ୍ଷୀରଚୋରା ଗୋପୀନାଥ ମନ୍ଦିର ଇତ୍ୟାଦି ଦେଖିଲୁ, ପିଲାମାନେ ଖୁବ୍ ଖୁସି ହେଲେ । ମୋ ଭଉଣୀର ନଣନ୍ଦ ଘର ବାସୁଦେବପୁରର ମନ୍ଦାରୀ ଗାଁରେ, ଦିନେ ସକାଳୁ ଭଉଣୀର ନଣନ୍ଦ ଆସି ଡାକିନେଇଗଲା ଆମକୁ ତାଙ୍କ ଗାଁକୁ । ସେଠାର ପରିବେଶ ଭାରି ସୁନ୍ଦର, ଶସ୍ୟ ଶ୍ୟାମଳିମା ଭରା ଧାନକ୍ଷେତକୁ ପ୍ରତ୍ୟେକ ଘର ବାରିରେ ସୁନ୍ଦର ସୁନ୍ଦର ପନିପରିବା ଚାଷ ଦେଖି ଖୁସି ହେଉଥାଆନ୍ତି ପିଲାମାନେ । ମୋ ନାତୁଣୀ ତ ସେମାନଙ୍କ ବ୍ୟବହାରରେ ଏତେ ଖୁସି ହୋଇଯାଇଥିଲା ଯେ ସେ ସେଠି ଗୁଡ଼ାଏ ସାଙ୍ଗସାଥୀ କରିପକେଇଲା । ସେଠାରେ ପ୍ରାୟ ସମସ୍ତଙ୍କର ଘର ଆଗରେ କିମ୍ବା ପଛରେ ପେଖରୀଟିଏ ନିଶ୍ଚୟ ଥିବ । ଖରାବେଳେ ପିଲାମାନେ ସାଙ୍ଗସାଥୀ ହୋଇ ସେଥିରେ ଖେଳୁଥିବେ । ଛୋଟ ଛୋଟ ମାଛ ଧରି ଆଣୁଥିବେ କାନି ପତେଇ । ଏ ସବୁ ଦେଖି ମୋ ନାତୁଣୀ ଖୁବ୍ ଖୁସି ହେଉଥାଏ । ସେଇଠି ରହିବା ଭିତରେ ଘଟଣାଟିଏ ଘଟିଥିଲା ଯାହା ମୋ ଆଖିରେ ଲୁହ ଆଣି ଦେଇଥିଲା । ସାରା ଜୀବନ ସେ ଘଟଣାଟି ମୁଁ ଭୁଲି ପାରିବିନି । ଘଟଣାଟି ଥିଲା ଏହିପରି ।

ମୋ ଭଉଣୀର ଶଶୁର ସେ ଗାଁର ଜଣେ ପ୍ରତିପତ୍ତିଶାଳୀ ଲୋକ । ଧନୀ ଏବଂ ମାନୀରେ ତାଙ୍କ ନାଁ ଆଗରେ ଥାଏ । ଘରେ ମୂଲିଆ ପାଣିଆ କରି ଛଅଜଣ ଖଟୁଥାଆନ୍ତି । ବାଟୀ ବାଟୀ ସଂପତ୍ତି ସାଙ୍ଗକୁ ପାନ ବରଜ, ମାଛ ପୋଖରୀ ଏମିତି ଅନେକ ଅର୍ଥକରୀ ବ୍ୟବସାୟ ଥିଲା ଶ୍ରୀହର୍ଷ ମିଶ୍ର ମାନେ ମୋ ଭଉଣୀର ନଣନ୍ଦର ଶଶୁରଙ୍କର । ଭଉଣୀର ନଣନ୍ଦେଇ, ପେଷାରେ ଡାକ୍ତର ହୋଇଥିବାରୁ ପ୍ରାୟ ସବୁବେଳେ ବାହାରେ ରହନ୍ତି । ବାଲେଶ୍ୱର ସହରରେ ତାଙ୍କର ନିଜର ତିନି ମହଲା କୋଠାଟିଏ ଥିଲେ ମଧ୍ୟ ପ୍ରାୟ ଗାଁକୁ ଯିବା ଆସିବା କରନ୍ତି ଛୁଟିଦିନ ମାନଙ୍କରେ । ସେଥରକ ଆମମାନଙ୍କୁ ସାଙ୍ଗରେ ନେଇ ଗାଁ ବୁଲେଇ ନେଇଥିବାରୁ ତାଙ୍କ ଘର ଲୋକେ ଆମର ଖୁବ୍ ଆଦରଯତ୍ନ କରୁଥାଆନ୍ତି । ଆମକୁ ଦେଖିବାକ୍ଷଣି ଭଉଣୀର ଶଶୁର ଡାକ ପକାଇଲେ ତାଙ୍କ ଘରେ କାମକରୁଥିବା ଲୋକଟିକୁ । “ଘନିଆଁ ଆରେ ହେ ଘନିଆଁ, ଆସିଲୁ ଡାବ ଦି’ ଚାରିଟା ପାରିଦେବୁ, ବାବୁମାନେ ସହରରୁ ଆସିଛନ୍ତି ଖାଇବେ । ଡାକ ଶୁଣି ଆମ ଆଗକୁ ଯିଏ ଆସି ମୁଣ୍ଡ ନୁଆଁଇ ଦଣ୍ଡବତଟିଏ କରି ଠିଆହେଲା ସିଏ ପଚାଶ ପାରେଇଥିବା ଅଧୁଆଳିଆ ଲୋକଟିଏ । ମଇଳା ଧୋତିକୁ ଅଣ୍ଟାରେ ମଇଳା ଗାମୁଛାଟିଏ ବନ୍ଧା ହୋଇଛି । ଅଣ୍ଟାରେ ଦାଆଟିଏ ଖୋସି ହାତରେ କାତିଟିଏ ଧରି ଠିଆହେଲା ଦୁଆର ବନ୍ଧ ବାହାରେ । ମାଲିକଙ୍କ ଆଦେଶ ମତେ ଖପ୍ ଖାପ୍ ନଡ଼ିଆ ଗଛ ଉପରକୁ ଚଢ଼ି ପଇଡ଼ ଦଶ ବାରଟା ତୋଳି କାଟି ପକେଇଲା । ସବୁ ଆଣି ଥୋଇଲା ଦାଣ୍ଡ ବାରଣ୍ଡାରେ, ଆମେ ସବୁଘର ଅଗଣା ଭିତରେ ଚୌକି ପକାଇ ବସିଥାଉ । ଲୋକଟିକୁ ଝାଳନାଳ ହୋଇ ଖରାଟାରେ ଠିଆ ହେବାର ଦେଖି ମୋ ପାଟିରୁ ସ୍ୱତଃ ହାହାରି ପଡିଲା “ଘନିଆଁ, ଖରାଟାରେ କାହିଁକି ଠିଆ ହୋଇଛ, ଘର ଭିତରକୁ ଆସି ଏଇଠି ଛାଇରେ ବସୁନ । ମୋ କଥା ଶୁଣି ଭଉଣୀର ନଣନ୍ଦ ଆସି ମୋ ପିଠିପଟୁ ପୁଳାଏ ଚିମୁଟି ପକାଇ ଆଖିର ଇଶାରାରେ ମତେ ମନା କଲେ ସେମିତି କରିବା ପାଇଁ । ମୁଁ ବୁଝି ପାରିଲିନି ମୁଁ ଭୁଲଟି କେଉଁଠି କଲି । ଘନିଆଁ ମଧ୍ୟ ନାଇଁ ମା ଏଇଠି ବସିଛି କହି ଓହ ପଟିଆ ଖରାଟାରେ ବସିପଡ଼ିଲା ଘର ଆଗରେ । ପ୍ରଶ୍ନିଳ ଦୃଷ୍ଟିରେ ଚାହିଁ ରହିଥାଏ ମୁଁ ମୋ ଭଉଣୀର ମୁହଁକୁ କିଛି ସମୟ ପରେ ଘନିଆଁର ପୁଅଟି ଆସିଲା କିଛି ଗୋଟିଏ କାମରେ ଘନିଆଁକୁ ଡାକିବା ଲାଗି, ମୁଁ ଉଠିଯାଇ ଘର ଭିତରୁ ଆମେ ନେଇଥିବା ମିଠା ଆଉ ଫଳରୁ କିଛି ଆଣି ଜରିଟିଏରେ ଭରି ବଢ଼େଇ ଦେଲି ତାକୁ । ହାତ ବଢ଼େଇବା ଲାଗି ପିଲାଟିର କୁଣ୍ଠାବୋଧକୁ ସ୍ୱାଭାବିକ ସଂଭ୍ରମ ଭାବି ମୁଁ ନିଜେ ତା’ର ହାତକୁ ଧରି ତା’ର ଆଞ୍ଜୁଳା ଭିତରେ ମିଠା ଜରିଟିକୁ ରଖି ତା’ର ମୁଣ୍ଡ ଆଉଁଷି କଲ୍ୟାଣ କରି କହିଲି “ତୋ ନାଁ କ’ଣ କିରେ ବାବୁ? କୋଉ ଶ୍ରେଣୀରେ ପଢ଼ୁଛୁ? କେତେ ଭାଇ ଭଉଣୀ ତମେ?” ହଠାତ୍ ପିଲାଟି ମୋ ହାତକୁ ଛଡ଼େଇ ଜରିଟି ଧରି ଦୌଡି ପଳାଇଗଲା କିଛି ଉତ୍ତର ନଦେଇ । ପଛରୁ ଶୁଣି ପାରିଲି ମୋ ଭଉଣୀର ଫିସ୍ ଫିସ୍ କଣ୍ଠସ୍ୱର “ନାନୀ କ’ଣ କଲୁ? ସେ ପରା ଘନିଆଁର ପୁଅ, ତାକୁ ଛୁଇଁଲୁ? ଏବେ କେମିତି ଘରକୁ ପଶିବୁ କହିଲୁ? ମନିର ଶଶୁର କ’ଣ ତତେ ଆଉ ଘରେ ପଶିବାକୁ ଦେବେ? ତୁ ଏବେ ଯା’ ସେ ବାହାର କୂଅ ପାଖରେ ଗାଧୁଆ ପାଧୁଆ କରି ଲୁଗା ଛାଡ଼ି ଆସିବୁ । ଗଂଗା ଜଳ ପିଇ ଘରେ ପଶିବୁ । ମୁଁ ହାଁ ଟାଏ କରି ଚାହିଁ ରହିଥିଲି ମୋ ଭଉଣୀର ମୁହଁକୁ । ଭାବୁଥିଲି ଏକବିଂଶ ଶତାବ୍ଦୀରେ ମଧ୍ୟ ଏମିତି ଗୋଟିଏ କୁତ୍ସିତ ପ୍ରଥା ଅଛି ଏ ଗାଁରେ । ମଉସା ଜଣେ ସମାଜସେବୀ, ପାଞ୍ଚଖଣ୍ଡ ଗାଁର ମୁରବୀ ବୋଲି ତାଙ୍କ ନାଁ ଡାକ ସେ ପୁଣି ଜାବୁଡ଼ି ଧରିଛନ୍ତି ଚାଳିଶି ଦଶକର ଏଇ ଘୃଣ୍ୟ ଜାତିପ୍ରଥାକୁ । ଘନିଆଁ ପାଣ କ’ଣ ମଣିଷ ନୁହେଁ । ଗାନ୍ଧୀ ଏଇ ଦଳିତ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଲାଗି ଏମାନଙ୍କୁ ନାମ ଦେଇଥିଲେ ‘ହରିଜନ’ ଅର୍ଥାତ ହରିଙ୍କ ଲୋକ, ଈଶ୍ୱରଙ୍କ ସନ୍ତାନ ଏମାନେ । ଆଜି ସ୍ୱାଧୀନତାର ସତୁରୀ ବର୍ଷ ପରେ ବି ଆମେ ସେଇ ଚାଳିଶି ଦଶକର ମନସ୍ତତ୍ୱରୁ ମୁକୁଳି ପାରିନାହୁଁ ଯଦି ଏ ସ୍ୱାଧୀନତାର ପ୍ରହସନ କାହିଁକି କରୁଛୁ? ମଣିଷ ମଣିଷକୁ ଏତେ ଘୃଣା କରୁଛି ଏଇ ସାମାନ୍ୟ ଜାତି ବିଭାଗକୁ ନେଇ କାହିଁକି? ଘନିଆଁ ମଉସାଙ୍କର ଜଣେ ସେବକ, ଜଣେ ବେତନଭୋଗୀ କର୍ମଚାରୀ, ତା ବାଦ୍ ରେ କ’ଣ ସେ ମଣିଷ ନୁହେଁ? ତା’ର ପୁଅଟି ତ ବଡ଼ ସୁନ୍ଦର, ଡଉଲ ଡାଉଲ ଠିକ୍ ଆମ ଘରର ପିଲାଙ୍କ ପରି । ତା’ର କ’ଣ ଇଛା ହେଉ ନଥିବ ଆମ ପିଲାଙ୍କ ସହିତ ଖେଳିବା ପାଇଁ? ତାଙ୍କ ଭଳିଆ ପୋଷାକ ପତ୍ର ପିନ୍ଧି ସ୍କୁଲ ଯିବାପାଇଁ । ତେବେ କାହିଁକି ତାକୁ ତା’ ବାପା କାମରେ ସାହାଯ୍ୟ କରିବାକୁ ବାଧ୍ୟ କରାଯାଉଛି? ତା’ ମନରେ ଜାତିବାଦର ଏ ହୀନମନ୍ୟତାକୁ ଲଦି ଦିଆଯାଉଛି? କାହିଁକି? କାହିଁକି? ଏମିତି ଅନେକ କାହିଁକିର ଉତ୍ତର ଖୋଜି ଖୋଜି ମନଟା ମୋର ଭାରି ହୋଇ ଉଠିଥିଲା । ଭଉଣୀର ବାଧ୍ୟବାଧକତାରେ ମୁଁ ସେଇ ବାହାର କଳ ପାଖରେ ଗାଧୋଇ ଲୁଗା ବଦଳି ଘରେ ପଶିଥିଲି କିନ୍ତୁ ମଉସାଙ୍କ ବାଡ଼ିରେ ଥିବା ମାଛ ପୋଖରୀରୁ ଘନିଆଁ ଧରି ଆଣିଥିବା ମାଛ ତରକାରୀ ମୋ ତଣ୍ଟିରେ ଅଟକିଗଲା ଭଳି ଲାଗୁଥିଲା । ମଉସା ଗର୍ବରେ କହୁଥିଲେ “ଆରେ ପିଲାମାନେ ତମେ ସବୁ ସହରରେ ରହିବା ଲୋକ, ଏମିତି ସଜ ମାଛ ସଜ ପନିପରିବା କୋଉଠୁ ପାଉଥିବ, ମନପୁରେଇ ଖାଅ । ମୋତେ କିନ୍ତୁ ସେ କଥା ଗୁଡ଼ିକ ମୋଟେ ଭଲ ଲାଗୁନଥିଲା । ମଉସାଙ୍କ ମୁଖା ଖୋଲିଯାଇଥିଲା । ଘନିଆଁ ପ୍ରତି ତାଙ୍କର କଠୋର ବ୍ୟବହାର ଦେଖି ଚୁପ୍ ରହିବାକୁ ବାଧ୍ୟ ହେଉଥିଲି ମୋ ଭଉଣୀ ଖାତିରିରେ ।

ତା ପରଦିନ ସକାଳୁ ଉଠି ମନଟା ଟିକିଏ ହାଲୁକା କରିବା ଲାଗି ମୁଁ ବାଡ଼ିଆଡ଼କୁ ଚାଲ ଚାଲ ହୋଇ ଗଲି । ଜାତି ଜାତିକା ଫୁଲ ଗଛରେ ଭର୍ତ୍ତି ହୋଇଛି ବାଡ଼ି ବଗିଚା । ମଲ୍ଲୀ, ଚମ୍ପା, ସୁଗନ୍ଧରାଜର ବାସ୍ନାରେ ମନ ପୁରିଯାଉଥାଏ । ମୁଁ ଆଗକୁ ଆଗକୁ ଚାଲିଥାଏ । ଆଗରେ ଥାଏ ପରିବା ବଗିଚା ସେଠି ନାନା ରକମର ପରିବା, ପୋଟଳ, ଜହ୍ନି କଲରା, କଖାରୁ ବାଇଗଣ, ଭେଣ୍ଡି, ଲଙ୍କା ସବୁ ପଟାଳି ପଟାଳି ହୋଇ ଲାଗିଥାଏ । ଆଗକୁ ଶାଗ କିଆରୀ, ଲେଉଟିଆ, ଖଡ଼ା, କଳମ, ବଥୁଆ, ଅହୁରି କେତେ ପ୍ରକାରର ଶାଗ । ତା ଆଗକୁ ପୋଖରୀଟିଏ, ପୋଖରୀ ଚାରିପଟେ ନଡ଼ିଆ ଗଛ ତା ଆବକୁ ପାନ ବରଜ । ପ୍ରକୃତିର ଏ ନୈସର୍ଗିକ ଶୋଭା ଦେଖୁ ଦେଖୁ ମୋର ନଜର ପଡ଼ିଲା ଘନିଆଁ ଉପରେ, ଶାଗ କିଆରୀରୁ ଘାସ ବାଛୁଥିଲା ସିଏ, ମୁଁ ଚାଲ ଚାଲ ହୋଇ ପହଁଞ୍ଚିଲି ତା ପାଖରେ । ଦେଖିଲି ତା ସ୍ତ୍ରୀ ଗାଣ୍ଡୁଆଏ ଗୋବର ନେଇ ପରିବା କିଆରୀରେ ଦେବାରେ ବ୍ୟସ୍ତ । ତା’ର ପୁଅଟି ବାଇଗଣ ଗଛରୁ ବାଇଗଣ ତୋଳୁଥାଏ । ମତେ ଦେଖି କହିଲା ନାନୀ, ଭେଣ୍ଡି, ବାଇଗଣ ତୋଳିଛି ତମେ ଗଲାବେଳେ ନେଇଯିବ । ଆମ ଏଠିକାର ପରିବା ଖୁବ୍ ସୁଆଦିଆ । ପିଲାଟିର ସରଳ କଥାରେ ମନ ଭରିଗଲା ମୋର । ଭାବିଲି ସରକାର ଏମାନଙ୍କ ଲାଗି ଏତେ ସୁବିଧା ସୁଯୋଗ ତିଆରି କରୁଛନ୍ତି ହେଲେ ୟାଙ୍କର ଅଭିଭାବକମାନେ ସେ ସବୁର ସତ୍ ଉପଯୋଗ କରିପାରୁନାହାଁନ୍ତି, କେବେ ଅଶିକ୍ଷାରୁ ତା କେବେ ଦାରିଦ୍ର୍ୟରୁ । ଆଉ ଏହି ସ୍ୱାର୍ଥନ୍ୱେଷୀ ସବର୍ଣ୍ଣ ସମାଜ ୟାଙ୍କୁ ଲୁଟିଚାଲିଛନ୍ତି ନିଜ ପାରିଲା ପଣିଆର ଦ୍ୱାହିଦେଇ । ଏମିତି ଭାବୁ ଭାବୁ ଆଉଟିକେ ଆଗେଇଗଲି । ଦେଖିଲି ଗୁଡ଼ିଏ ପିଲା ସେଠି ବଲ୍ ଟିଏ ଧରି ଖେଳୁଛନ୍ତି । ମୋ ଭଉଣୀର ନଣନ୍ଦର ଦଶବାର ବର୍ଷର ପୁଅ ସିଲୁ ବି ସେମାନଙ୍କ ସାଥୀରେ ଅଛି ଭାବିଲି, ଗାଁ ସାରା କେତେ ଖାଲି ପଡ଼ିଆ ଥାଉଁ ଥାଉଁ ଏମିତି ପୋଖରୀ ହୁଡ଼ା ପାଖରେ ଏ ପିଲାଗୁଡ଼ିକ କାହିଁକି ଖେଳୁଛନ୍ତି! ମନକୁ ଆସିଲା ବୋଧହୁଏ ଏମାନେ ସାହି ପିଲାଙ୍କ ସାଙ୍ଗରେ ଖେଳିବା ମନା, କାରଣ ସମସ୍ତେ ତ ଏକ ଜାତିର ହୋଇନଥିବେ ନା, ସେଇଥିପାଇଁ ଏମାନେ ଏକା ଏକା ଏଠି ନିଜ ବାଡ଼ି ପଟେ ଖେଳୁଛନ୍ତି । ଏଇ ସମୟରେ ହଠାତ୍ ବଲଟିକୁ କେହି ଜୋରରେ ଫିଙ୍ଗି ଦେବାରୁ ସେଇଟି ପୋଖରୀରେ ପାଣି ଭିତରେ ପଡ଼ିଗଲା । ଦୌଡ଼ି ଆସିଲା ମୋ ଭଉଣୀ ନଣନ୍ଦର ପୁଅ ସିଲୁ । ଧୀରେ ଧୀରେ ପାଣିଭିତରକୁ ପଶୁଥାଏ ମୁଁ ହାଁ ହାଁ କରୁକରୁ ସେ ପାଣି ଭିତରକୁ ପଶି ପଶି ଯାଉଥାଏ । ବୋଧହୁଏ ତା’ର ଗୋଡ ଖସିଗଲା କି କ’ଣ ସେ ଏକବାର ପୋଖରୀର ମଝିକୁ ଚାଲିଗଲା । ଉବୁଟୁବୁ ହୋଇ ପାଣି ପିଇ ଯାଉଥାଏ । ମୋତେ ପହଁରା ଜଣା ନଥିବାରୁ ମୁଁ ତାକୁ ଧରିବା ଲାଗି ପାଣି ଭିତରକୁ ପଶିପାରୁନଥାଏ । ଅନନ୍ୟୋପାୟ ହୋଇ ମୁଁ ବଡ଼ ପାଟିରେ ଚିତ୍କାର କଲି “ସିଲୁ ପୋଖରୀରେ ବୁଡ଼ିଗଲା, କିଏ ଅଛ ଧାଇଁ ଆସ”, କେଉଁଠି ଥିଲା ଘନିଆଁ କେଜାଣି, ଅଖି ପିଛୁଳାକେ ଧାଇଁ ଆସି ପାଣି ଭିତରକୁ ଡେଇଁ ପଡ଼ିଲା । ପହିଁରି ପହଁରି ଯାଇ ସିଲୁକୁ ଧରିପକାଇଲା । ସେତେବେଳକୁ ସିଲୁ ପେଟେ ପାଣି ପିଇଯାଇଥାଏ । ନିଃଶ୍ୱାସ ନେବା ଲାଗି କଷ୍ଟ ହେଉଥାଏ ତାକୁ, ଘନିଆ ସିଲୁକୁ ପିଠିରେ ଲାଉ କରି ଧୀରେ ଧୀରେ ଆଣି ପୋଖରୀ କୂଳକୁ ଆସିଲା । ପୋଖରୀ ହୁଡ଼ା ଉପରେ ତା’କୁ ପେଟେଇ ଶୁଆଇ ପକାଇ ତା’ ଛାତି ପେଟକୁ ଚିପି ପାଣି ବାହାର କରି ତାକୁ ସାଷ୍ଟମ କଲା । ପାଟି ଗୋଳ ଶୁଣି ସେତେବେଳକୁ ସମସ୍ତେ ଘରୁ ଆସି ରୁଣ୍ଡ ହୋଇଥାଆନ୍ତି ପୋଖରୀ ହୁଡ଼ାରେ । ଘନିଆଁର କୁଆଡ଼କୁ ନଜର ନାଇଁ, ସେ ସିଲୁର ଛାତି ପେଟକୁ ଆଉଁସି ପକାଉଥାଏ । ନିଜ କୋଳରେ ଶୁଆଇ ପକାଇ ତା’ର ମୁଣ୍ଡକୁ ଆଉଁସି ପକାଇଥାଏ । ହାତ ପାଦକୁ ମାଲିସ୍ କରି ପକାଉଥାଏ । କେତେ ସମୟ ପରେ ସିଲୁ ଆଖି ଖୋଲିଲା । ଘର ଭିତରୁ କାନ୍ଦି କାନ୍ଦି ଆସୁଥିବା ସିଲୁର ମାଆ ସେତେବେଳକୁ ଘନିଆଁର ପାଦ ଦୁଇଟିକୁ ଜାବୁଡ଼ି ଧରିଥାନ୍ତି । କହୁଥାନ୍ତି ‘ଘନିଆାଁରେ! ତୁ ଆଜି ଦେବତା ହୋଇ ମୋ କୁଳରକ୍ଷା କଲୁ । ମୁଁ ଚଣ୍ଡାଳୁଣୀ ତୁ ହରିଜନ ବୋଲି ତତେ କେତେ ହୀନମାନ କରିଥାଏ । ତୁ ଆଜି ତୋ ପ୍ରାଣକୁ ବିପନ୍ନ କରି ମୋ ପୁଅକୁ ପାଣିରୁ ଉଦ୍ଧାର କରି ଆଣି ମତେ ଫେରେଇ ଦେଲୁ । ଯଦି ତୁ ମନରେ ସେ ଛୁଆଁ ଅଛୁଆଁ ଭେଦ ଭାବକୁ ଧରି ବସିଥାନ୍ତୁ, ତା’ ହେଲେ ମୋ ପୁଅ ଆଉ ଜୀବନରେ ନଥାନ୍ତା, ତୁ ଆମକୁ ଋଣୀ କରିଦେଲୁରେ ଘନିଆଁ । ତୁ ମଣିଷ ନୁହେଁ ଦେବତା । ମୋ କଲା କର୍ମମାନ ପାଇଁ ମୁଁ ତତେ କ୍ଷମା ମାଗୁଛି, ତୁ ଆମକୁ କ୍ଷମା କରିଦେରେ ଘନିଆଁ, କାନ୍ଦି କାନ୍ଦି କଇଁ ଉଠିଯାଉଥାଏ ସିଲୁ ମାଆର । ଘନିଆଁ ଉଠି ଠିଆ ହେଲା, ହାତ ଯୋଡି କହିଲା “ସାଆନ୍ତାଣୀ! ମୋ ପାଦ ଛୁଇଁ ମୋ ଉପରେ ପାପଭାର ଲଦି ଦୁଅନ୍ତୁ ନାହିଁ । ମୁଁ ଛାର ମଣିଷଟାଏ ମାତ୍ର । ସିଲୁ ବାବୁ କ’ଣ ମୋର ପୁଅ ନୁହେଁ । ପୁଅର ରକ୍ଷା କରିବା ତ ବାପର କର୍ତ୍ତବ୍ୟ ମୁଁ ସେତିକି କରିଛି ମାତ୍ର” । ଘନିଆଁର କଥା ଶୁଣି ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା । ମୁଁ ଦେଖିଲି ମୋ ଭଉଣୀର ନଣନ୍ଦର ଶଶୁର ବି କିଛି ଦୂରରେ ଠିଆ ହୋଇ ଗାମୁଛାରେ ଆଖିରୁ ଲୁହ ପୋଛୁଛନ୍ତି ।

ସେଦିନ ଘନିଆଁର ମହନୀୟତାରେ ମୋ ମୁଣ୍ଡ ନଇଁଯାଇଥିଲା ତା ପାଖରେ । କିଏ ଜାଣେ ଅନ୍ୟମାନଙ୍କର ମନୋଭାବରେ କିଛି ପରିବର୍ତ୍ତନ ହୋଇଥିବ କି ନାହିଁ । ଏମିତି ଘଟାଣାରୁ ସମସ୍ତେ କିଛି ଶିକ୍ଷା ନେଇଥିଲେ କିନ୍ତୁ ଭଲ ହୋଇଥାଆନ୍ତା । ଘନିଆଁ ଭଳି ଅନେକ ପ୍ରାଣ ସୁଶୀତଳ ହୁଅନ୍ତା । ସାମାନ୍ୟ ଟିକିଏ ଆତ୍ମୀୟତା, ସାମାନ୍ୟ ଟିକିଏ ସହଯୋଗ ମିଳିଲେ ଆମମାନଙ୍କ ଭଳି ତଥାକଥିତ ଉଚ୍ଚ ବର୍ଣ୍ଣର ମଣିଷ ମାନଙ୍କ ପାଖରୁ । ଆଜି ବି ସେମାନେ ମଣିଷ ହୋଇ ମଧ୍ୟ ମଣିଷଟିଏର ପରିଚୟ ପାଇବା ପାଇଁ ବ୍ୟାକୁଳ ହେଉନଥାନ୍ତେ ।

*******

ଖରାଛୁଟି ଘନିଆଁ କର୍ତ୍ତବ୍ୟ

Rate the content


Originality
Flow
Language
Cover design

Comments

Post

Some text some message..