Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan Sahu

Tragedy

4.1  

Jyotiranjan Sahu

Tragedy

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

7 mins
906


ବସ୍ ଟା ଆସି ଜାତୀୟ ରାଜପଥ ର ଗୋଟିଏ କଡକୁ ଛିଡାହୋଇଗଲା। ଧୀରେଧୀରେ ସେ ବସ୍ ରୁ ଓହ୍ଲାଇଲେ ଜଣେ ମଧ୍ୟବୟସ୍କା ମହିଳା। ଦେହ ରେ ଧଳା ଲୁଗା ଆଉ ମୁଣ୍ଡରେ ଅଳ୍ପ ଓଢଣା। ଆଖି ଆଗରେ ଲମ୍ବି ଯାଇଛି ଜାତୀୟ ରାଜପଥ କୁ ଲାଗି ଗୋଟିଏ ସଂକୀର୍ଣ୍ଣ ଗ୍ରାମ୍ୟ ରାସ୍ତା ହରିପୁର ଗାଁ ମଧ୍ୟକୁ । ରାସ୍ତା ର ଉଭୟ ପାଖରେ ଦୂର ଦିଗବଳୟ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ସବୁଜ ଧାନକ୍ଷେତ। ଅସରାଏ ବର୍ଷା ବୋଧହୁଏ ହୋଇଯାଇଛି। ତଥାପି ଆକାଶରେ ଘୋଟିରହିଛି କଳାହାନ୍ଡିଆ ମେଘ। ଲାଗୁଛି ସତେଯେପରି ବହୁ ବର୍ଷ ପୂର୍ବ ରୁ ମରିସାରିଥିବା ଧାରା ଶ୍ରାବଣଟି ଆଜି ହରିପୁର କୁ ଫେରିଛି । ଅନେକ ବ୍ୟଗ୍ର ସିଏ ସ୍ପର୍ଶକରିବାକୁ ସେ ଧଳା ଓଢଣୀ ତଳେ ଥିବା ମୁହଁଟିକୁ ଆଉ ଧଳା ଶାଢୀ ଆଚ୍ଛାଦିତ କଲ୍ୟାଣୀ କଂର ସମସ୍ତ ଶରୀର କୁ।

ନୀରବରେ ଗାଁ ର ଅଣଓସାରିଆ ରାସ୍ତା ଉପରେ ଛିଡାହୋଇଥାନ୍ତି କଲ୍ୟାଣୀ। କାହିଁ କେହିତ ନେବାକୁ ଆସୁ ନାହାନ୍ତି। ଆସିବେ ବା କିପରି ! ଦୀର୍ଘ ୧୫/୧୭ ବର୍ଷ ପାଖାପାଖି ହେବ ହରିପୁର ସହ ତାଂକ ସମ୍ପର୍କ ଟା କଟିଯାଇଛି ଯେ। ଆଜି ଆସିଛନ୍ତି ସିଏ ସେହି ପୁରୁଣା ସମ୍ପର୍କ ଟିକୁ ଖୋଜିବାକୁ। ଦୀର୍ଘ ନିଶ୍ବାସ ଟିଏ ଛାଡି ଆକାଶ କୁ ଚାହିଁଲେ କଲ୍ୟାଣୀ ଆଉ କଣ ସବୁ ଭାବି ମନେମନେ ମୁରୁକି ହସଟିଏ ଦେଲେ। ଏତିକିବେଳେ ଆକାଶ ରୁ ଖସିପଡିଲା ଅସରାଏ ବର୍ଷା। ଆଖି ଭିଜିଗଲା ଆଉ ଶରୀର ବି। ଶୀତଳ ବର୍ଷାର ଛୁଆଁ ଟା କିନ୍ତୁ ଆଜି କାହିଁକି ଖୁବ୍ ନିଜର ନିଜର ଲାଗୁଥିଲା କଲ୍ୟାଣୀ କୁଂ। ବର୍ଷାଭିଜା ମୁହଁଟିରେ ଗାଲ ଓ ଓଠ ଦେଇ ଆଖି ରୁ କେତେ ବୁନ୍ଦା ଅଶ୍ରୁ ଝରିପଡୁଛି ତାହା ଜଣାପଡୁନାହିଁ ; କିନ୍ତୁ ନାଲିପଡିଯାଇଥବା ଆଖିଯୋଡିଏ କହିଦେଉଥାଏ ହୃଦୟ ର ବେଦନା।

ଧୀରେଧୀରେ ଆଗକୁ ପାଦ ବଢାଇଲେ କଲ୍ୟାଣୀ। ଯାଉଯାଉ ଅଟକିଗଲେ ରାସ୍ତା କଡ ର ସେହି ପୁରୁଣା ବଉଳ ଗଛ ମୂଳରେ। ଆସ୍ତେଆସ୍ତେ ବଉଳ ଗଛ ର ଦେହଟାରେ ହାତ ରଖି ଅନୁଭବ କରିବାକୁ ଚେଷ୍ଟାକଲେ ୧୭ ବର୍ଷ ପୁରୁଣା ସ୍ପର୍ଶ ର ଅନଭୂତି। ଆଜିବି କାହିଁକି ଲାଗୁଛି ସତେ ଯେମିତି କେହି ତାଂକ ହାତ ଉପରେ ହାତ କୁ ରଖି ଶରୀର ରେ ଭରିଦେଉଛି ଭିନ୍ନ ଏକ ଶିହରଣ । କାହିଁ କିଛି ତ ବଦଳିନି ଏହି ସତର ବର୍ଷ ଭିତରେ! ଖାଲି ଯାହା ବୟସ ଟା ଲୁଚକାଳି ଖେଳିଛି ତାଂକ ସହ। ସେଦିନ ଏହି ବଉଳ ଗଛ ମୂଳରେ କଲ୍ୟାଣୀ କଂର ଆଦିତ୍ୟ ସହ ହୋଇଥିଲା ଶେଷ ସାକ୍ଷାତ। ସେଦିନ ବି ଆକାଶରୁ ଝରୁଥିଲା ଧାରା ଶ୍ରାବଣ। ବୋଧହୁଏ ସେହି ଶ୍ରାବଣ ର ବାରିଧାରା ରେ ସେଦିନ ଲୁଚିଯାଇଥିଲା କଲ୍ଯାଣୀ କଂ ଆଖି ର ଉଷ୍ଣ ଲୋତକ ଧାରା। କାନ୍ଦକାନ୍ଦ କଲ୍ୟାଣୀ ଆଦିତ୍ୟ କୁ କହିଥିଲେ" ମୋ ଦେହ ଛୁଇଁ କଥାଦିଅ ଆଦିତ୍ୟ ତୁମେ ମୋତେ ଭୁଲିଯିବ ବାକି ସାରା ଜୀବନ ପାଇଁ । ମୋ ବିନା ବନ୍ଚିବା ଟା ଶିଖିଯାଅ। କାହିଁକି ନା ମୋ ବାପା ଆମ ସମ୍ପର୍କ କୁ ସ୍ବୀକାର କରିବାକୁ ଅନିଚ୍ଛୁକ। ତୁମେ ଜାଣ ସେ ଜଣେ ହାର୍ଟ ପେସେନ୍ଟ। ସେ ମୋ ବାହାଘର ପାଇଁ ଅନ୍ୟ ଜଣକୁ କଥାଦେଇସାରିଛନ୍ତି। ଆଉ ମୁଁ ମୋ ବାପା କୁଂ ହରାଇବାକୁ ଚାହୁଁନାହିଁ। ତେଣୁ ମୋତେ କ୍ଷମା କରିଦିଅ ଆଦିତ୍ୟ ; ମୋତେ କ୍ଷମାକରିଦିଅ"। କଲ୍ୟାଣୀ କଂ ଆଖି ରୁ ଝରିପଡୁଥବା ଅଶ୍ରୁ କୁ ହାତ ପାପୁଲି ରେ ଧରିନେଲେ ଆଦିତ୍ୟ ଆଉ କଲ୍ୟାଣୀ ର ହାତ ପାପୁଲିରେ ସେହି ଅଶ୍ରୁ ବୁନ୍ଦା କୁ ଫେରାଇ ଦେଇ କହିଲେ " ଆଜିଠାରୁ ଏ ଲୁହ ବି ଆଉ ମୋର ନୁହେଁ କଲ୍ୟାଣୀ। ମୋ ପାଇଁ ଯଦି ତୁମ ଆଖି ରୁ ଲୁହ ଝରେ ତେବେ ସେଇଟା ମୋ ଭଲପାଇବାକୁ ଅପମାନ ହେବ। ପ୍ରେମ ମାନେ ଯଦି ଖାଲି ଶାରୀରିକ ସୁଖ ହୁଏ ତେବେ ତୁମେ ମୋତେ ଆଜିବି ଚିହ୍ନି ପାରିଲନି କଲ୍ୟାଣୀ। ଏ ଦେହ ଟା ଯଦି ପ୍ରେମ ର ସଂଜ୍ଞା ହୁଅନ୍ତା ତାହା ହେଲେ ବୋଧ ହୁଏ କୃଷ୍ଣ ବିନା ରାଧା କଂ ପ୍ରେମଟା ବାଟବଣା ହୋଇଯାଇଥାନ୍ତା। ଯଦି ହୃଦୟ ର ଶେଷ ସ୍ପନ୍ଦନ ଟା ସ୍ପନ୍ଦିତ ହେବା ଆଗରୁ ଥରୁଟେ ତୁମ ନାଁ ମନେ ପଡିଯାଏ; ଯଦି ଇତିହାସ ହେବାପରେ କେବେ ତୁମ ମନରେ ମୋ ନାଁ ର ପୃଷ୍ଠା ଟା ଖୋଲିଯାଏ ତେବେ ମୋ ପାଇଁ ସେଇଟା ହିଁ ପ୍ରେମ "। ଆଉ ନିଜକୁ ସମ୍ଭାଳି ରଖି ପାରିଲେନି କଲ୍ୟାଣୀ। ଖୁବ୍ ଜୋର ରେ ଭିଡି ଧରିଲେ ଆଦିତ୍ୟ କୁଂ। ଆଦିତ୍ୟ କହିଲେ " ତୁମର ଏହି ସ୍ମ୍ରତି କୁ ନେଇ ଏ ଆଦିତ୍ୟ ବନ୍ଚିଯିବ ତାର ବାକି ଜୀବନ"।

ଏତିକି ବେଳେ ଆକାଶ ଟା ତା ଛାତିରେ ଜାକିଥିବା ସମସ୍ତ ଜଳ ବିନ୍ଦୁ କୁ ବରଷାଇ ଦେଲା ହରିପୁର ଗାଁ ଉପରେ। ସେହି ବର୍ଷା ରେ ଭିଜିଭଜି ଆଦିତ୍ୟ କଂ ପାଖରୁ ସବୁଦିନ ପାଇଁ ବିଦାୟ ନେଇ ନିଜ ସାଇକେଲ ରେ ଆଗକୁ ଆଗକୁ ମାଡିଚାଲିଥିଲେ କଲ୍ୟାଣୀ। ସେହି ବର୍ଷାରେ ବାରି ହେଉନଥାଏ କଲ୍ୟାଣୀ କଂ ଆଖିରୁ ଝରିଚାଲିଥିବା ଉଷ୍ଣ ଜଳବିନ୍ଦୁ ଗୁଡିକୁ। ଏହାପରେ ହରିପୁର ରୁ ମୁହଁ ଫେରାଇ କଲ୍ୟାଣୀ ସେଇ ଯାଇଥିଲେ ଯେ ଯାଇଥିଲେ। ଏହାରି ଭିତରେ ବିତିଯାଇଛି ୧୭ ବର୍ଷ।

ଆଜିବି ସେହି ବଉଳ ଗଛଟା ଛିଡା ହୋଇରହିଛି କଲ୍ୟାଣୀ ଆଉ ଆଦିତ୍ୟ କଂର ସେହି ଶେଷ ସାକ୍ଷାତ ର ମୂକ ସାକ୍ଷୀ ହୋଇ। ସେହି ବଉଳ ଗଛ ତଳୁ କିଛି ସ୍ମୃତିକୁ ଗୋଟାଇ ଆଣିଲେ କଲ୍ୟାଣୀ ଆଉ ଏକାଏକା ପାଦ ବଢାଇଲେ ଗାଁ ରାସ୍ତା ରେ ଆଗକୁ ଆଗକୁ। ଏହା ଭିତରେ ସେ ଗାଁ ପାଖାପାଖି ପହନ୍ଚି ଗଲେ । ହଠାତ୍ ପଛରୁ କେହିଜଣେ ସାଇକେଲ ଘନ୍ଟି ଟା ବଜାଇଦେଲା ଟ୍ରିଂ..ଟ୍ରିଂ...। ବୁଲିପଡି ଦେଖିଲେ ନିଧି ଅଂକଲ। କଲ୍ୟାଣୀ କୁ ଦେଖି ତୁରନ୍ତ ଚିହ୍ନି ପକାଇଲେ ନିଧି ଅଂକଲ। ଆଖି ରୁ ଝରିପଡିଲା ଆନନ୍ଦ ର ଅଶ୍ରୁ। କଲ୍ୟାଣୀ କାନ୍ଦକାନ୍ଦ ସ୍ବର ରେ କହିଲେ" ଅଂକଲ ବୁଢା ହୋଇଗଲଣି। ଆଉ କେହି ପଟିବେନି"। ସାଇକେଲ ରୁ ଓହ୍ଲାଇପଡି କଲ୍ୟାଣୀ ର ହାତ ଟାକୁ ଧରି ଲୁହରେ ଭିଜାଇ ଦେଲେ ନିଧି ଅଂକଲ।

ନିଧି ଅଂକଲ ହରିପୁର ଗାଁ ପୋଷ୍ଟ ପିଅନ୍ । ସେ ହିଁ ଥିଲେ ଦୁଇ ପ୍ରେମ ପକ୍ଷୀ ଆଦିତ୍ୟ ଆଉ କଲ୍ୟାଣୀ କଂର ପ୍ରେମ ବାର୍ତ୍ତାବହ। ତାଂକୁ ଦେଖିଦେଲେ ଉଭୟ କଂ ମନ ରେ ଖେଳିଯାଉଥିଲା ପ୍ରେମ ର ମୂର୍ଛନା। ଭାରି ରୋମାନ୍ଟିକ ପ୍ରକୃତି ର ନିଧି ଅଂକଲ। ବିବାହ କରିନଥିବା ନିଧି ଅଂକଲ ମଜାରେକହନ୍ତି " ମୋର ବୟସ କେତେ କି ? ମୋ ପାଇଁ ଝିଅଟେ ଦେଖୁନ"! କେତେ ହସ ଲୁହ ମାନ ଅଭିମାନ ର ସେ ଥିଲେ ଜୀବନ୍ତ ସାକ୍ଷୀ। କେତେ ଯେ ଅନ୍ତହୀନ ପ୍ରତୀକ୍ଷା ର ସେ ପୂର୍ଣ୍ଣଛେଦ ସାଜିଛନ୍ତି ତାର ହିସାବ ସମୟ ପାଖରେ ବି ନାହିଁ। ତାଂକ ସାଇକେଲ ଘନ୍ଟି ର ଶବ୍ଦ ରେ ବଢିଯାଉଥିଲା ଉଭୟକଂର ହୃଦୟ ର ସ୍ପନ୍ଦନ।

ଠିକ୍ ଆଜି ଯେମିତି ନିଧି ଅଂକଲ କଂ ଲୁହ କୁ ଦେଖି କଲ୍ୟାଣୀ କଂର ହୃତ ସ୍ପନ୍ଦନ ଟା ବଢିବଢି ଯାଉଛି। କିଛି ସମୟ ର ନୀରବତା ପରେ ନିଧି ଅଂକଲ ପଚାରିଲେ " କେଉଁଠି ହଜିଯାଇଥିଲୁରେ ମା? ଆଉ ତୋ ଦେହ ରେ ଏ ଧଳା ଶାଢୀ ଟା"! ଆଶ୍ଚର୍ଯ୍ୟ ହୋଇ ପଚାରିଲେ ନିଧି ଅଂକଲ। " ହଁ ଅଂକଲ ସେ ଅନେକ କଥା" ଏତିକି କହି ଦୀର୍ଘ ନିଶ୍ବାସ ଟିଏ ଛାଡିଲେ କଲ୍ୟାଣୀ। ତା ପରେ କହିଲେ " ଅଂକଲ! ତୁମେ ତ ସବୁ ଜାଣ। ଆଦିତ୍ୟ ସହ ମୋର ସମ୍ପର୍କ ଯେ ପବିତ୍ର ଏକଥା ତୁମଠୁ ଭଲ ଆଉ କେହି ଜାଣିବେ ନାହିଁ । ଏ ସମ୍ପର୍କ ବିଷୟରେ ମୋ ବାପା ଜାଣିଲା ପରେ ଟ୍ରାନସପର ନେଇ ଏଠାରୁ ଚନ୍ଦନପୁର ହାଇସ୍କୁଲ କୁ ଚାଲିଗଲେ। ମୋତେ ରାଣ ଦେଲେ ସେ ବନ୍ଚି ଥାଉଥାଉ ଆଉ ଯେପରି ମୁଁ ହରିପୁର ଗାଁ ମାଟି ନମାଡେ। ଆଉ ଏହାର କିଛିଦିନ ଭିତରେ ମୋ ବାହାଘର ଟା ବି ସାରିଦେଲେ। ସ୍ବାମୀ ମୋର ରେଳବାଇ ରେ ଚାକିରୀ କରୁଥିଲେ। ବାହାଘର ର କିଛି ଦିନ ପରେ ହଠାତ୍ ବିଦ୍ୟୁତ୍ ଆଘାତରେ ସାରା ଶରୀର ଟା ତାଂକର ପାରାଲିସିସ୍ ହୋଇଗଲା। ୧୦ ବର୍ଷ କାଳ ବିଛଣାରେ ପଡିରହି ଶେଷରେ ସବୁଦିନ ପାଇଁ ମୋତେ ଏକା କରିଦେଇ ଚାଲିଗଲେ। ଜୀବନଟା ମୋର ସଂଘର୍ଷମୟ ହୋଇଉଠିଲା। ଦିନରାତି ମୋହରି ଚିନ୍ତାରେ ବୁଡିରହି ଗତବର୍ଷ ମୋ ବାପା ବି ହାର୍ଟଆଟେକ୍ ରେ ସବୁଦିନ ପାଇଁ ଚିରନିଦ୍ରା ଗଲେ। ବାକି ପଡିରହିଛୁ ଆମେ ଦୁଇ ପ୍ରାଣୀ ମା ଆଉ ମୁଁ। ସ୍ବାମୀ ଚାଲିଗଲାପରେ ଶାଶୁ ଘର ଦ୍ବାର ବି ସବୁଦିନ ପାଇଁ ବନ୍ଦ ହୋଇଗଲା। ତେବେ ଛାଡନ୍ତୂ ସେସବୁ କଥା। ଏଇ କିଛିଦିନ ହେଲା ହରିପୁର କଥା ବହୁତ ମନେପଡୁଥିଲା। ସେଇଥିପାଇଁ ଚାଲିଆସିଛି ତୁମ୍ଭ ମାନକଂ ଗହଣରେ ଜୀବନର ସେ ପାସୋରା ହସଟିକୁ ଖୋଜିବାକୁ। ଆଚ୍ଛା ନିଧି ଅଂକଲ! ଆଦିତ୍ୟ କେମିତି ଅଛି? ତାର ପିଲା ସବୁ କେତେ ବଡ ହେଲେଣି? ମୁଁ ଲକ୍ଷ୍ମୀ ମାଉସୀ ଘରକୁ ଯାଉଛି। ସେଇଠି କିଛିଦିନ ରହି ବୁଲାବୁଲି କରି ଚାଲିଯିବି। ହଁ ଅଂକଲ ଯଦି ଆଦିତ୍ୟ ଦେଖାହୁଏ ତେବେ କହିବ କଲ୍ୟାଣୀ ଗାଁ କୁ ଆସିଛି ବୋଲି "। ଆଶ୍ଚର୍ଯ୍ୟ ହୋଇ ନିଧିଅଂକଲ ଚାହିଁଲେ କଲ୍ୟାଣୀକୁଂ। ଆଉ ଥରଥର କନ୍ଠରେ ପଚାରିଲେ " ଆଲୋ ମା! ଏଠାରୁ ଯିବାପରେ ତୁ କଣ ଆଉ କେବେହେଲେ ଆଦିତ୍ୟର କୌଣସି ଖବର ନେଇନାହୁଁ"? ଗମ୍ଭୀର ହୋଇଗଲେ କଲ୍ୟାଣୀ। କହିଲେ" ନାଁ ! ମୋ ବିବାହ ର କାର୍ଡଟି ପଠାଇଥିଲି ତାପାଖକୁ। ସେ କିନ୍ତୁ ଆସିଲାନି କି କୌଣସି ଉତ୍ତର ବି ଦେଲାନାହିଁ। ବହୁତ ଅପେକ୍ଷା କରିଥିଲି ତାର ଉତ୍ତରକୁ। ତାର ଉତ୍ତର ଆସିଲା କିନ୍ତୁ ଅନେକ ବର୍ଷପରେ। ସେ ଦିନ ସେ ଚିଠି ରେ ଲେଖା ଥିଲା ତାର ବାହାଘର ହୋଇଯାଇଛି। ଖୁବ୍ ଖୁସିରେ ଅଛି ସିଏ। ଆଉ ପୁରା ଚିଠି ରେ ଭରି ଦେଇଥିଲା ମୋ ବୈବାହିକ ଜୀବନ ପାଇଁ ଅନେକଗୁଡ଼ିଏ​ ଶୁଭ କାମନା। ଭାବିଥିଲି ଜଣାଇଦେବି ମୁଁ କେତେ ଖୁସିରେ ଅଛି ବୋଲି। କିନ୍ତୁ ରହିଗଲି। ବିବେକ ଟା ଅନୁମତି ଦେଲା ନାହିଁ ମୋତେ। ଭାବିଥିଲି ସେ ନିଶ୍ଚୟ ଭଲରେ ଥିବ । ହେଲେ ତୁମେ ଏତେ ଆଶ୍ଚର୍ଯ୍ୟ କାହିଁକି ଅଙ୍କଲ"?

ଆଉ ଡେରି କଲେନାହିଁ ନିଧି ଅଙ୍କଲ। ଭିଡିଧରିଲେ କଲ୍ୟାଣୀ ଙ୍କ ହାତଟାକୁ। କିଛି ବୁଝିବା ପୂର୍ବରୁ ଟାଣିନେଲେ ନିଜ ଘର ଭିତରକୁ। କବାଟରେ ଶିକୁଳିଟା ଦେଇ ଘର ଭିତରେ ନିଜେ ନିଜେ ଖୁବ୍ କାନ୍ଦିଲେ। କିଛି ବୁଝିପାରିଲେ​ନାହିଁ କଲ୍ୟାଣୀ। କଣ ସବୁ ଘଟିଯାଉଛି! କିଛି ସମୟ ପରେ ନିଧି ଅଙ୍କଲ ବାଷ୍ପ ରୁଦ୍ଧ କଣ୍ଠ ରେ କହିଲେ" ଆଦିତ୍ୟ ଆଉ ନାହିଁ ରେ! " ! "ମାନେ!"ଆଶ୍ଚର୍ଯ୍ୟ ହୋଇ ପଚାରିଲେ କଲ୍ୟାଣୀ।

" ମାନେ ତୋ ଆଦିତ୍ୟ ଛଅ ବର୍ଷ​ ପୂର୍ବରୁ ମରିସାରିଛି। ଆଉ ମରିବା ଆଗରୁ ତୋ ପାଇଁ ପାର୍ସଲ ଟିଏ ଛାଡ଼ି ଦେଇ ଯାଇଛି। କହିଛି ଯେଉଁ ଦିନ ମୋ କଲ୍ୟାଣୀ ହରିପୁର ଆସିବ ସେହି ଦିନ ଏ ପାର୍ସଲ ଟା ତାକୁ ଦେବ। ସେହି ଦିନ ଠାରୁ ବହୁ ଯତ୍ନରେ ଏଇଟା କୁ ସାଇତି କି ରଖିଛି"। ଏତିକି କହି ନିଧି ଅଙ୍କଲ ପାର୍ସଲ ଟା ବଢାଇ ଦେଲେ କଲ୍ୟାଣୀ ଙ୍କ ହାତ କୁ। ସ୍ଥାଣୁ ପାଲଟି ଗଲେ କଲ୍ୟାଣୀ ଏ କଥା ଶୁଣି। ଆଖି ରେ ଖେଳିଗଲା ଲୁହ ର ବନ୍ୟା। ଲୁହ ଭିଜା ହାତ ରେ ଖୋଲିଲେ ପାର୍ସଲ ଟିକୁ। ଦେଖିଲେ ଉପରେ ଅଛି ଗୋଟିଏ ଚିଠି ଆଉ ତା ତଳେ ଗୋଟିଏ ଶୁଖିଲା ଗୋଲାପ । ସେହି ଚିଠି ରେ ଲେଖା ଥିଲା :

"କଲ୍ୟାଣୀ

ପ୍ରିୟତମା କି ଜୀବନ ସାଥି ତ ଲେଖିପାରିବିନି। କାହିଁକି ନା ସେ ଅଧିକାର ଟିକକ ଅନେକ ଦିନ ଆଗରୁ ତୁମେ ମୋ ଠାରୁ ଛଡେଇ ନେଇଛ। କିନ୍ତୁ ମୁଁ ନିଜକୁ ଆଉ କାହାରି ପ୍ରିୟତମ ହେବାର ଯୋଗ୍ୟ ଭାବିଲି ନାହିଁ। ମୋତେ କ୍ଷମା କରିବ କଲ୍ୟାଣୀ। ମୋର ବିବାହ କଥାଟି ସମ୍ପୂର୍ଣ୍ଣ ମିଥ୍ୟା। ଦେଖ ତୁମେ ଗଲାପରେ ଭଗବାନ ବି ଇଚ୍ଛା କଲେନାହିଁ ମୁଁ ଆଉ ବଞ୍ଚିରହେ। ସେଇଥିପାଇଁ ତ ଏ ଦୂରାରୋଗ୍ୟ ରୋଗ ଟା ମୋତେ ଦେଇଦେଲେ। ମୋତେ ବ୍ଲଡ କ୍ୟାନ୍ସର। ମୋ ପାଖରେ ସମୟ ବି ବହୁତ କମ୍। ଅନେକ କିଛି କରିବାର ଥିଲା। ସବୁ ଅଧା ହୋଇ ରହିଗଲା। କଲ୍ୟାଣୀ ଯଦି କେବେ ଏଚିଠି ପଢ ତେବେ ମୋ ପାଇଁ ଏତିକି କାମ କରିଦେବ ଯେ ତୁମେ ସେଦିନ ସେ ବଉଳ ମୂଳରେ ଦେଇ ଥିବା ଶେଷ ଗୋଲାପ ଟା ନିଜ ହାତରେ ନେଇ ମୋ ସମାଧି ଉପରେ ରଖି ଦେଇ ଆସିବ। ତୁମେ ନ ଆସିବା ପର୍ଯ୍ୟନ୍ତ ମୁଁ ତୁମକୁ ସେଇଠି ଅପେକ୍ଷା କରି ଥିବି। ତୁମେ ଆସିବ ନା କଲ୍ୟାଣୀ"?

ତୁମ ଅପେକ୍ଷାରେ ...

ଆଦିତ୍ୟ

ଆଉ ତାପରେ; କଲ୍ୟାଣୀ ଙ୍କ ଅବସ୍ଥା ଟା ଲେଖିବାକୁ ମନା କରୁଛି ମୋ ହୃଦୟ​। ତାକୁ ବର୍ଣ୍ଣନା କରିବାକୁ ବୋଧହୁଏ ମୋ ଶବ୍ଦ କୋଷ ଅସମର୍ଥ।

ତେବେ ହଁ! ଅନେକ ସମୟପରେ କଲ୍ୟାଣୀ କେବଳ ଏତିକି କହିପାରିଲେ " ନିଧି ଅଙ୍କଲ! ଆଦିତ୍ୟ ଙ୍କ ସମାଧି ଟା କେଉଁଠି "???

ଜ୍ୟୋତିରଞ୍ଜନ ସାହୁ

ପି ଏକ୍ସ ଇ

ଚାନ୍ଦିପୁର

ବାଲେଶ୍ଵର


Rate this content
Log in

Similar oriya story from Tragedy