ଫର୍ଚ୍ଚା ଆକାଶ
ଫର୍ଚ୍ଚା ଆକାଶ
ଆକାଶରେ ମେଘର ଆସର। ଦଲକାଏ ପବନ କୁଢ଼େଇ ଦେଇଗଲା ଘର ଭିତରଟା ଧୂଳି ମଇଳାରେ। ଅନେକ ବେଳୁ ବନ୍ଦ ଅଛି ବିଦ୍ୟୁତ ସରବରାହ। ବିଜୁଳିର ଗର୍ଜନ ସହ ବର୍ଷିବ ବର୍ଷିବ ହେଉଛି ମେଘ। ସୀତାକାନ୍ତ ବନ୍ଦ କରିଦେଲେ ତଳମହଲାର କବାଟ, ଝରକାସବୁ। ବାହାରେ ରାସ୍ତା ଅନ୍ଧକାର ଓ ଜନଶୂନ୍ୟ।
ଡଃ ସୀତାକାନ୍ତ। ବୟସ ମାତ୍ର ସତତିରିଶି ବର୍ଷ। ଗୋରା ଚେହେରା, ଚଉଡ଼ା ଛାତି, ଲମ୍ବା ଦେହ। ଯେଉଁ ବୟସ ଯୁବସୁଲଭ ଚପଳତା, ସ୍ଫୁର୍ତ୍ତିରେ ଭରି ରହିବା କଥା, ସେଇ ବୟସରେ ସେ ଭାଙ୍ଗି ପଡ଼ିଛନ୍ତି ଅତ୍ୟନ୍ତ ଅସହାୟ ଭାବରେ। ବଞ୍ଚି ରହିବାର ମୋହ ତାଙ୍କର ଦିନକୁ ଦିନ କମି କମି ଯାଉଛି। ସତେକି କେଉଁ ଏକ ଅଭାବିତ ଘଟଣାକୁ ସେ ଅପେକ୍ଷା କରି ବସିଛନ୍ତି।
ହଠାତ୍ ପାଚେରୀ ଡେଇଁ ହତା ଭିତରକୁ ପଶି ଆସିଲା ଦୁର୍ଦ୍ଦାନ୍ତ ଦିଶୁଥିବା ଲୋକଟିଏ। କରାଘାତ ଶୁଣି ସୀତାକାନ୍ତ କବାଟ ଖୋଲି ଦିଅନ୍ତେ ରିଭଲଭର ଦେଖାଇ ପଶି ଆସିଲା ଘର ଭିତରକୁ। ଇଙ୍ଗିତରେ କବାଟ ବନ୍ଦ କରିବାକୁ କହି ଢ଼ଳି ପଡ଼ିଲା ସୋଫା ଉପରେ। ସୀତାକାନ୍ତ ଲକ୍ଷ୍ୟ କଲେ କାନ୍ଧରେ ତାର ଗୁଳି ବାଜି କ୍ଷତ ସ୍ଥାନରୁ ରକ୍ତ ଝରି ଆସୁଛି। ବୋଧହୁଏ ପୋଲିସ୍ ତା ପଛରେ। ଏଭଳି କେଶ୍.ର ଫର୍ମାଲିଟିସ୍ ଅନେକ। ସୀତାକାନ୍ତ କିନ୍ତୁ ସ୍ୱଭାବବଶତଃ ବ୍ୟସ୍ତ ହୋଇ ଲୋକଟାର ଚିକିତ୍ସାରେ ଲାଗିପଡ଼ିଲେ। ତା କାନ୍ଧରୁ ଗୁଳିଟିକୁ ବାହାର କରି ଦେଇ ଔଷଧ, ଇଞ୍ଜେକ୍ସନ୍ ଦେଇ କ୍ଷତ ସ୍ଥାନକୁ ବ୍ୟାଣ୍ଡେଜ୍ କରିଦେଲେ। ଭଲ ହୋଇ ଲୋକଟି ଯେତେବେଳେ ହୋସ୍.ରେ ଆସିଲା, ଚମକି ପଡ଼ି ରିଭଲଭର ଦେଖାଇଲା ସୀତାକାନ୍ତଙ୍କୁ। ତାପରେ ସଚେତନ ହୋଇ ସ୍ୱରରେ ଅପେକ୍ଷାକୃତ କୃତଜ୍ଞତା ଭରି କହିଲା – ଆପଣଙ୍କର ଏ ଉପକାର ମୋର ଜୀବନସାରା ମନେ ରହିବ, ବଦଳରେ ମୁଁ ଯଦି ଆପଣଙ୍କର କିଛି କାମରେ ଲାଗି ପାରନ୍ତି... ...
ସୀତାକାନ୍ତଙ୍କର ଯେମିତି ତୃତୀୟ ନୟନ ଖୋଲିଗଲା ଲୋକଟିର କଥାରେ। ସେ କହିଲେ, ମୋତେ ତୁମ ହାତର ଏଇ ରିଭଲଭର ଦରକାର। ଲୋକଟି ବିସ୍ମୟରେ ଚାହିଁଲା ସୀତାକାନ୍ତଙ୍କ ଆଡ଼େ। ଆପଣ ଡାକ୍ତର ଲୋକ, ରୋଗୀକୁ ମୃତ୍ୟୁମୁଖରୁ ବଞ୍ଚାଇବା ଆପଣଙ୍କ କାମ, ରିଭଲଭର ନେଇ ଆପଣ କଣ କରିବେ? ବରଂ ଆଉ କିଛି କୁହନ୍ତୁ। ସୀତାକାନ୍ତ ହାତ ହଲେଇ ମନା କଲେ। କହିଲେ – ତୁମେ ତାହେଲେ, ଯାଅ। ମୋର ଅନ୍ୟ କିଛି ଦରକାର ନାହିଁ। ଲୋକଟା କିଛି ସମୟ ସୀତାକାନ୍ତଙ୍କ ଆଡ଼କୁ ପଲକହୀନ ଚାହିଁଲା। ତାପରେ କଣ ଭାବି ତାଙ୍କ ଆଡ଼କୁ ରିଭଲଭର ବଢ଼ାଇ ଦେଉ ଦେଉ କହିଲା, ମୁଁ ଜାଣିପାରିବି କି ଆପଣଙ୍କର ଏ ରିଭଲଭର କେଉଁ କାମରେ ଆସିବ? କଠୋର ମୁଖଭଙ୍ଗୀ କରି ଚୁପ୍ ରହିଲେ ଡଃ ସୀତାକାନ୍ତ। ଲୋକଟି କବାଟ ଆଡ଼କୁ ମୁହାଁଉ ମୁହାଁଉ କହିଲା – ଝଡ଼ର ପ୍ରକୋପ କମିଛି, ମୁଁ ଯାଏଁ। ଦିନେ କିନ୍ତୁ ଶୁଣିବି ଆପଣଙ୍କ ମୁହଁରୁ। ତାପରେ ଭୁସ୍ କରି ବାହାରିଗଲା ଘର ଭିତରୁ।
ସୀତାକାନ୍ତ ରିଭଲଭରଟିକୁ ନିଜ ଆଲମାରୀର ଡ୍ରୟାର୍.ରେ ସଯତ୍ନେ ରଖିଲେ। ଚେୟାରଟିଏ ନେଇ ଉଠି ଆସିଲେ ବାଲ୍.କୋନୀ ଉପରକୁ। ବସିବେ ଟିକିଏ ମୁକ୍ତ ବାୟୁରେ। ମେଘ ପରି ତାଙ୍କ ହୃଦୟ ଭିତରଟା ଯେ ମନ୍ଥି ହୋଇ ଯାଉଛି। ନିଜ ଭାବନାସମୂହକୁ ସେ ଅଟକେଇ ରଖିବାକୁ ଅସମର୍ଥ। କେଇଦିନ ହେବ ନିଦ ନାହିଁ ଆଖିରେ। ଆଖିଦୁଇଟି ମଧ୍ୟ ବର୍ଷିବାକୁ ବ୍ୟଗ୍ର। ଚେୟାର ଉପରେ ଆଉଜି ପଡ଼ି ଜାଲୁଜାଲୁଆ ଆଖିରେ ଅନେଇଲେ ଦୂର ଆକାଶକୁ ଯେଉଁଠି ଚମକୁଛି ବିଜୁଳି।
ତାଙ୍କର ମନେ ଅଛି, ଆନି ସହ କୋଲକାତାରେ ତାଙ୍କର ପ୍ରଥମ ଦେଖାର କଥା। ଭିକ୍ଟୋରିଆ ମେମୋରିଆଲ୍.ର ବିଭିନ୍ନ ଅନ୍ଦିକନ୍ଦି ବୁଲୁଥିବା ସମୟରେ ନିଜର ସହପାଠୀନୀମାନଙ୍କ ସହ ବୁଲିବାକୁ ଆସିଥିବା ଆନି ଅପ୍ରତ୍ୟାଶିତ ଭାବରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଗୋରା ସୁଠାମ ଶରୀର, ମୁଣ୍ଡରେ ଗୋଛାଏ କୁଞ୍ଚୁକୁଞ୍ଚିଆ କେଶ। ଓଠରେ ହାଲ୍.କା ଗୋଲାପି ରଙ୍ଗର ଲିପ୍.ଷ୍ଟିକ୍। ଆଖିରେ ସନ୍.ଗ୍ଲାସ୍। ହାତରେ ଭ୍ୟାନିଟି ଧରି ଅତ୍ୟନ୍ତ ଉତ୍ସୁକତାର ସହ ସେ ଦେଖି ଚାଲିଥିଲେ ମ୍ୟୁଜିୟମ୍.ର ପ୍ରତ୍ୟେକ ଆକର୍ଷଣୀୟ ବସ୍ତୁ। ତାଙ୍କର କଳ କଲ୍ଲୋଳିତ ହସ, ଚାଲିବାର ଛନ୍ଦ, ଠିଆ ହେବାର ମୁଦ୍ରା, ସବୁକିଛି ସୀତାକାନ୍ତଙ୍କୁ ମୁଗ୍ଧ କରି ତୋଳିଥିଲା। ତାଙ୍କୁ ଲାଗିଥିଲା ଆନିଙ୍କ ସହିତ ତାଙ୍କର ଯୁଗ ଯୁଗର ସମ୍ପର୍କ। ଅନେକ ଦିନର ବିଛେଦ ପରେ ସତେକି ଉଭୟେ ଉଭୟଙ୍କୁ ଦେଖୁଛନ୍ତି। ସୀତାକାନ୍ତ ଆନିଙ୍କ ପାଖେ ପାଖେ ରହି ବାର୍ତ୍ତାଳାପର ସୁଯୋଗ ଖୋଜୁଥିଲେ। ଆଉ ଆନିଙ୍କର ଲାଜୁଆ ଲାଜୁଆ ଚାହାଣୀ ଦର୍ଶାଉଥିଲା ସେ ମଧ୍ୟ ଆକର୍ଷିତ ହୋଇଛନ୍ତି ସୀତାକାନ୍ତଙ୍କ ବ୍ୟକ୍ତିତ୍ୱରେ। ପୁଣି ଥରେ ସୀତାକାନ୍ତ ତାଙ୍କୁ ଦେଖିଲେ ବାଙ୍ଗାଲୋର୍.ରେ। ନିଜର ଜଣେ ସମ୍ପର୍କୀୟାଙ୍କୁ ଚିକିତ୍ସା କରାଇବା ଉଦ୍ଦେଶ୍ୟରେ ଆନି ଆସିଥିଲେ ବାଙ୍ଗାଲୋର୍.ର ସତ୍ୟସାଇ ହସ୍.ପିଟାଲ୍.କୁ । ଦେଖୁ ଦେଖୁ ଚିହ୍ନି ପକାଇଥିଲେ ଆନି। ହସ୍.ପିଟାଲ୍.ରେ ଗୋଟିଏ ସପ୍ତାହର ରହଣୀରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ। ତାପରେ ନମ୍ବର ଦିଆନିଆ, କଥାବାର୍ତ୍ତା ଏବଂ ଭେଟଭାଟ ଉଭୟଙ୍କୁ ନିକଟରୁ ନିକଟତ୍ତର କରିଥିଲା। ବିବାହ ପରେ ସୀତାକାନ୍ତ ଆନିଙ୍କୁ ନେଇ ବାଙ୍ଗାଲୋର୍ ଛାଡ଼ି ଚାଲି ଆସିଥିଲେ ଭୁବନେଶ୍ୱର। ଡଃ ସୀତାକାନ୍ତ ରୋଗୀ ସେବାରେ ନିୟୋଜିତ ଥିଲେ ଭୁବନେଶ୍ୱରର ଏକ ପ୍ରାଇଭେଟ୍ କ୍ଳିନିକ୍.ରେ ଏବଂ ଆନି ସଫ୍ଟୱେର୍ ଇଞ୍ଜିନିୟର୍ ଭାବେ ଯୋଗ ଦେଇଥିଲେ ବ୍ଳୁ ସଲ୍ଯୁସନ୍ସ୍.ରେ।
ଆଜି କିନ୍ତୁ ଆନି ତାଙ୍କ ଜୀବନରୁ ବହୁ ଦୂରକୁ ଚାଲି ଯାଇଛନ୍ତି। ତାଙ୍କ ଖୁସିର ନୀଡ଼ରେ ପାଦ ଦେଇଥିଲା ଅଶାନ୍ତ ଝଡ଼ଟିଏ। ଆଉ ଉଡ଼େଇ ନେଇଥିଲା ଆନି ସହ ତାଙ୍କ ଅପୂରଣୀୟ ପ୍ରେମ ଓ ଭଲପାଇବାର ରାଶି ରାଶି ସୁରଭି। ସୀତାକାନ୍ତ ନିଜକୁ ଦୋଷମୁକ୍ତ ମନେ କରି ପାରୁନାହାନ୍ତି ଏଯାବତ୍। ତାଙ୍କୁ ଲାଗୁଛି ଯାହା ସବୁ ଘଟିଗଲା, ସେଥିରେ ତାଙ୍କର ନେଗ୍ଳିଜେନ୍ସି ଊଣା ଅଧିକେ ଦାୟୀ। ଟିକିଏ ତତ୍ପରତା ଦେଖାଇଥିଲେ, ସେ ହୁଏତ ଆନିଙ୍କୁ ଆଜି ନିଜ ପାଖରେ ଦେଖୁଥାନ୍ତେ।
ଏମିତି ଏକ ଝଡ଼ ରାତ୍ରିରେ ଆନି ତାଙ୍କୁ ଫୋନ୍ କରି ଜଣାଇଥିଲେ ନିଜର ଆଶଙ୍କା। ସେତେବେଳେ ସୀତାକାନ୍ତ ବ୍ୟସ୍ତ ଥିଲେ ଏକ ଏମେର୍.ଜେନ୍.ସି କେଶ୍ ନେଇ। ଆନିଙ୍କ ଆଶଙ୍କାକୁ ସେ ଖୁବ୍ ହାଲୁକା ଭାବରେ ଗ୍ରହଣ କରିଥିଲେ ଏବଂ ଅନ୍ୟ ଦିନମାନଙ୍କ ଅପେକ୍ଷା ସେଦିନ ଟିକିଏ ଡେରିରେ ପହଞ୍ଚିଥିଲେ ଘରେ। ଘରେ ପହଞ୍ଚି ତାଙ୍କୁ ସବୁ କିଛି ଅସ୍ୱାଭାବିକ ମନେ ହେଲା। ସମଗ୍ର ଅଟ୍ଟାଳିକା ଅନ୍ଧକାରରେ ଆଚ୍ଛନ୍ନ। ମେନ୍ ଡୋର୍ ଉନ୍ମୁକ୍ତ। କଣ୍ଠଯାଏଁ ଆଶଙ୍କାରେ ତ୍ରସ୍ତ ସୀତାକାନ୍ତ ଇନ୍ଭର୍ଟର୍ ସୁଇଚ୍ ଅନ୍ କରି ଦୌଡ଼ିଗଲେ ଘର ଭିତରକୁ। କିଛି ଜିନିଷପତ୍ର ଇତସ୍ତତଃ, ବିକ୍ଷିପ୍ତ। ଆନି, ଆନି ଡାକି ସେ ପହଞ୍ଚିଲେ ଶୟନକକ୍ଷରେ। ଆନିଙ୍କୁ ଦେଖି ତାଙ୍କର ଛାତି ଥରି ଉଠିଲା। ଶଯ୍ୟାରେ ମୁକୁଳା ପଡ଼ିଛନ୍ତି ଆନି। ଦେହରେ ଖଣ୍ଡିଏ ବି ବସ୍ତ୍ର ନାହିଁ। ମୁଣ୍ଡରୁ ରୁଧିର ଝରି ଆସି ବେଡ୍.ସିଟ୍ ଲାଲ୍ ହୋଇଯାଇଛି। ଶରୀରର ଅନେକ ସ୍ଥାନରେ ରାମ୍ପୁଡ଼ା, କାମୁଡ଼ା ଦାଗ। ସୀତାକାନ୍ତଙ୍କର ବୁଝିବାକୁ ଆଉ ବାକି ରହିଲା ନାହିଁ ଯେ ଆନି ବଳାତ୍କାରର ଶୀକାର ହୋଇଛନ୍ତି। କୋହ ଆବେଗରେ ଆନିଙ୍କୁ ଟାଣି ଆଣିଲେ ନିଜ ଛାତି ପାଖକୁ। ଛାତିରେ ଅନୁଭବ କଲେ ତାଙ୍କ ହୃତ୍.ପିଣ୍ଡର କ୍ଷୀଣ ସ୍ପନ୍ଦନ। କିଞ୍ଚିତ୍ ଆଶାର ଝଲକ ପାଇ ଅଶ୍ରୁ ଛଳ ଛଳ ନେତ୍ରରେ ସେ ଆନିଙ୍କୁ ଉଠାଇ ଦୌଡ଼ିଲେ ଗେଟ୍ ପାଖକୁ। ତାପରେ ଅତି ତୀବ୍ର ବେଗରେ ଗାଡ଼ି ଛୁଟାଇନେଲେ କ୍ଳିନିକ୍ ଅଭିମୁଖେ। ସେତେବେଳକୁ ଡେରି ହୋଇ ଯାଇଥିଲା। କ୍ଳିନିକ୍ ପହଞ୍ଚିବା ପୂର୍ବରୁ ଆନି ପ୍ରାଣ ଛାଡ଼ି ସାରିଥିଲେ। ସୀତାକାନ୍ତ ଢ଼ୋ କରି ମୁଣ୍ଡ ପିଟି ଦେଇଥିଲେ କାନ୍ଥରେ। ଆଉ ଟିକିଏ ଶୀଘ୍ର ଯଦି ସେ ଘରେ ପହଞ୍ଚିଥାନ୍ତେ, ହାୟ!
ଆନିଙ୍କ ବିୟୋଗ ସୀତାକାନ୍ତଙ୍କୁ ଦୁଃଖରେ ମ୍ରୀୟମାଣ କରି ପକାଇଲା। ତାଙ୍କୁଇ ଝୁରି ଝୁରି ତାଙ୍କ ଖାଇବା, ପିଇବା, କ୍ଳିନିକ୍ ଯିବାର କିଛି ଠିକ୍ ଠିକଣା ରହିଲା ନାହିଁ। ତେବେ ଗୋଟିଏ କଥା ତାଙ୍କୁ ସଦା ସର୍ବଦା ଉତ୍ୟକ୍ତ, ଉତ୍ତେଜିତ କରି ରଖୁଥିଲା, ତା ଥିଲା ଆନିଙ୍କ ମୃତ୍ୟୁର ପ୍ରତିଶୋଧ। ନିକଟସ୍ଥ ଥାନାରେ ବଳାତ୍କାର ଓ ମୃତ୍ୟୁର କେଶ୍ ଫାଇଲ୍ କରିଥିଲେ ସୀତାକାନ୍ତ। ପୋଲିସ୍.ର ପ୍ରାଥମିକ ତଦନ୍ତ ଓ ସିସିଟିଭି ଫୁଟେଜ୍.ରୁ ଧରା ପଡ଼ିଥିଲେ ଦୁଇଜଣ ଅପରାଧୀ। ଜଣେ ନାମଜାଦା ଖଣି ବ୍ୟବସାୟୀଙ୍କ ପୁଅ ଏବଂ ଅନ୍ୟ ଜଣକ ହେଲେ ବାହାର ରାଜ୍ୟର ଏମ୍.ପି.ଙ୍କ ପୁଅ। ଦୁଇ ସାଙ୍ଗ। ସୀତାକାନ୍ତ କେଶ୍ ବାବଦରେ ଜଣେ ବରିଷ୍ଠ ଓକିଲଙ୍କୁ ନିଯୁକ୍ତି କଲେ। ଅନେକ ଟଙ୍କା ପଇସା ଖର୍ଚ୍ଚ କଲେ ଅପରାଧୀଙ୍କୁ ଶାସ୍ତି ଦେବା ସକାଶେ। କିନ୍ତୁ କିଛି ଫଳ ହେଲା ନାହିଁ। ସେମାନେ ଯେ ଆନିଙ୍କ ବଳାତ୍କାର ଅଥବା ମୃତ୍ୟୁ ପାଇଁ ଦାୟୀ, ପ୍ରମାଣିତ ହୋଇ ପାରିଲା ନାହିଁ। ଫୁଟେଜ୍.ରେ କେବଳ ଘର ସାମ୍ନାରେ ସେ ଦୁହିଁଙ୍କୁ ଚଳପ୍ରଚଳ ହେବାର ଦେଖା ଯାଇଥିଲା। ତାପରେ ବିଦ୍ୟୁତ୍ ସରବରାହ ବନ୍ଦ ଯୋଗୁଁ ସିସିଟିଭିରେ ଅନ୍ୟ କିଛି ରେକର୍ଡ୍ ହୋଇ ନ ଥିଲା। ନିକଟ ପଡ଼ୋଶୀ ଯେଉଁମାନେ ସେ ଦୁହିଁଙ୍କୁ ଘର ଭିତରେ ପଶିବାର ଦେଖିଛନ୍ତି, ଆନିଙ୍କ ଚିତ୍କାର ଶୁଣିଛନ୍ତି, ସେମାନେ କୋର୍ଟରେ ସାକ୍ଷୀ ଦେବାକୁ ଭୟ କଲେ। ଧନ ଓ ପ୍ରତିପତ୍ତି ବଳରେ ନିର୍ଦ୍ଦୋଷରେ ଖଲାସ ହୋଇ ଯାଇଥିଲେ ଆନୀଙ୍କ ଅପରାଧୀ ଦୁହେଁ ଉଭୟ ତଳ କୋର୍ଟ ଓ ହାଇକୋର୍ଟରେ ମଧ୍ୟ।
ସୀତାକାନ୍ତ ଆନୀଙ୍କ ମୃତ୍ୟୁରେ ଯେତିକି ନିଜକୁ ଦାୟୀ କରି ମୁହ୍ୟମାଣ ହୋଇ ଉଠୁଥିଲେ, ସେତିକି କ୍ରୋଧରେ ଜଳି ଉଠୁଥିଲେ ଦୋଷୀଙ୍କ ବାହାରେ ମୁକ୍ତ ଭାବରେ ଘୁରିବା ଦେଖି। ଆଖି ତାଙ୍କର ପ୍ରତିଶୋଧର ନିଆଁରେ ଜଳି ଉଠି ଲାଲ୍ ଦିଶୁଥିଲା। ହାତ ମୁଠା ମୁଠା ହୋଇ ଆସୁଥିଲା। ସେ ଉପାୟ ଖୋଜି ଚାଲିଥିଲେ କଣ କରି ସେ ଦୁହିଁଙ୍କୁ ଉଚିତ୍ ଶିକ୍ଷା ଦେବେ। ଆଉ ଆନୀଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବେ।
ରିଭଲଭର ପାଇ ତାଙ୍କ ମୁଖରେ ଖେଳି ଯାଇଛି ଖଳନାୟକର କୁଟିଳ ହସ । ହତ୍ୟାକାରୀକୁ ପ୍ରକୃତ ଦଣ୍ଡ ମିଳୁ, ସେଇଥିପାଇଁ ତ ଈଶ୍ୱର ଦେବଦୁତ ସମ ଏ ଲୋକଟି ହାତରେ ରିଭଲଭରକୁ ତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଛନ୍ତି। ଆଇନ୍.କୁ ଫାଙ୍କି ବେପରାୟ ଘୁରି ବୁଲୁଥିବା ବଳାତ୍କାରୀ କୁକୁର ଦୁଇଟାକୁ ସେ ନିଜ ହାତରେ ଗୁଳି କରି ନିଜର ମନ ଓ ଶରୀର ଶାନ୍ତ କରିବେ। ତାପରେ ତାଙ୍କୁ ଫାଶୀ ହୋଇଗଲେ ମଧ୍ୟ ଦୁଃଖ ନାହିଁ। ଏମିତିରେ ତ ସେ ବଞ୍ଚିବାର ମୋହ ତ୍ୟାଗ କରି ସାରିଛନ୍ତି କେବେଠାରୁ।
ଭାବନାର ଘେରରେ ଘଟଣାବଳୀକୁ ବିଶ୍ଳେଷଣ କରୁ କରୁ ଶୀତଳ ପବନର ସ୍ପର୍ଶରେ ସୀତାକାନ୍ତଙ୍କୁ ତନ୍ଦ୍ରା ଲାଗି ଆସିଲା। ଚେୟାର ଉପରେ ସେ ସେମିତି ଢ଼ୁଳେଇ ପଡ଼ିଲେ। କେତେ ସମୟ ପରେ ସେ ଅନୁଭବ କଲେ ନିଜ କପାଳ ଓ ମସ୍ତକରେ କାହାର କୋମଳ ସ୍ପର୍ଶ। ଅର୍ଦ୍ଧନିମିଳିତ ଚକ୍ଷୁରେ ପାର୍ଶ୍ୱକୁ ଚାହିଁଲେ ସୀତାକାନ୍ତ। ତାଙ୍କ ଚେୟାରକୁ ଲାଗି ଠିଆ ହୋଇଛନ୍ତି ଆନି ଏବଂ ନିଜ କୋମଳ ହସ୍ତର ଅଙ୍ଗୁଳିରେ ସାଉଁଳି ଦେଉଛନ୍ତି ତାଙ୍କର କେଶରାଶି।
- ଆନି! ତୁମେ! ମୁଁ ସ୍ୱପ୍ନ ଦେଖୁନାହିଁ ତ?
ଆନି ନିଜର ଅଙ୍ଗୁଳି ଚାଳନା ଜାରି ରଖି କହିଲେ – ଖୁବ୍ ଥକି ପଡ଼ିଛ ନା ସୀତୁ? ଥାନା, କୋର୍ଟ, କଚେରୀ ଆଦିର ଧାଁ ଦଉଡ଼ରେ?
- ଅନେକ ଦୌଡ଼ିଛି ଆନି। ସେ ଶୃଗାଳ ଦୁଇଟାକୁ ଉଚିତ୍ ଦଣ୍ଡ ବିଧାନ ପାଇଁ ଖୁବ୍ ଚେଷ୍ଟା କରିଛି। କିନ୍ତୁ ସବୁଠି ବିଫଳତାର ସ୍ୱାଦ ଚାଖିବା ଛଡ଼ା କିଛି ଫଳ ହେଲା ନାହିଁ। ନ୍ୟାୟ ଏଠି ମାଗିଲେ ମିଳେନା ଆନି। ଛଡ଼େଇ ନେବାକୁ ହୁଏ ଜୋର୍ କରି। ମୁଁ ଖୁବ୍ ଡେରିରେ ବୁଝିଛି କଥାଟା। ତୁମକୁ ନ୍ୟାୟ ଦେବାରେ ମୋର ବିଳମ୍ବ ହେଇଛି ଆନି। ହେଲେ ତୁମେ ଚିନ୍ତା କରନି। ମୋ ହାତରୁ ସେ ଶୃଗାଳଯୋଡ଼ି ବର୍ତ୍ତି ପାରିବେ ନାହିଁ। ସେ ଦୁଇଟାକୁ ତାଙ୍କ କଲାକର୍ମର ଉଚିତ୍ ଶାସ୍ତି ଦେଇ ମୁଁ ଫେରୁଛି ତୁମ ପାଖକୁ।
ଆନି ସୀତାକାନ୍ତଙ୍କ ସାମ୍ନାକୁ ଆସିଲେ। ଦୁଇ ହାତରେ ତାଙ୍କର ମୁହଁ ତୋଳି ଧରି କହିଲେ – ମୋ ସୀତୁ ନରହତ୍ୟା କରିବେ? ଡଃ ସୀତାକାନ୍ତ ରାୟ ତାଙ୍କର ସ୍ୱଧର୍ମ ଭୁଲି ନରହତ୍ୟା ପରି ଏକ ଘୃଣ୍ୟକର୍ମ ସଂଘଟିତ କରିବାକୁ କାୟ ମନୋ ବାକ୍ୟରେ ପ୍ରସ୍ତୁତି ଚଳାଇଛନ୍ତି? ଯେଉଁ କାର୍ଡିଓଲୋଜିଷ୍ଟଙ୍କ ନାଁ ଶୁଣିଲେ ଅଧା ହୃଦ୍.ରୋଗ ଭଲ ହୋଇଯାଏ, ସେ ପୁଣି ଜୀବଦାନ ଛାଡ଼ି ପ୍ରାଣ ନେବା କଥା ଚିନ୍ତା କରୁଛନ୍ତି? ତୁମେ ବୁଝିପାରୁଛ ସୀତୁ, ତୁମେ ଯେତେବେଳେ ଧରାପଡ଼ି ଜେଲ୍ ଯିବ, କେତେ ବଦ୍.ନାମ ହେବ ତୁମର। ତାପରେ, କେତେ ରୋଗୀ ତୁମ ସେବା ପାଇବାରୁ ବଞ୍ଚିତ ହେବେ ଅନୁମାନ କରି ପାରୁଛ ତ? ତୁମେ ଦିନେ ମୋତେ କହିଥିଲ ନା, ଏ ଜୀବନ ତୁମର ରୋଗୀ ସେବା ନିମନ୍ତେ ସମର୍ପିତ ବୋଲି। ଆଜି ସେକଥା କେମିତି ଭୁଲିଗଲ ସୀତୁ? ତୁମର ଏ ସମାଜ ପାଇଁ ଯଥେଷ୍ଟ ଆବଶ୍ୟକତା ଅଛି। ନିଜ ମନକୁ ଶାନ୍ତ ରଖ।
- କିନ୍ତୁ... ... ସେ ଦୁଇଟାକୁ ମୁଁ କଣ ଏମିତି ଖାଲି ଛାଡ଼ି ଦେବି?
- ସେ ଦୁହେଁ ତାଙ୍କର କର୍ମଫଳ ଅବଶ୍ୟ ପାଇବେ। ସେଥିପାଇଁ ତୁମେ ନିଜର ମନ, ହୃଦୟ, ଶରୀରକୁ କଳୁଷିତ କରନାହିଁ। ଏ ପ୍ରତିଶୋଧର ବହ୍ନି କେବଳ ତୁମକୁ ଯେ ଛାରଖାର କରିବ, ସେକଥା ନୁହେଁ, ତୁମଦ୍ୱାରା ସେବା ଓ ଉପକାର ପାଉଥିବା ଏବଂ ପାଇବାକୁ ଥିବା ଅନେକ ମଣିଷ ଓ ତାଙ୍କ ପରିବାର ମଧ୍ୟ ଛାରଖାର ହୋଇଯିବ। ସ୍ଥିର ଚିତ୍ତରେ ଚିନ୍ତା କର। ଏବେ ଶୋଇଯାଅ, ପ୍ଳିଜ୍। ଆନି ସୀତାକାନ୍ତଙ୍କ ମୁଣ୍ଡକୁ ନିଜ ଛାତି ଉପରେ ଆଉଜେଇ ନେଲେ।
- ନା, ଶୋଇଲେ ତୁମେ ଚାଲିଯିବ। ମୁଁ ଶୋଇବିନି।
- ପ୍ଳିଜ୍...।
କିଛି ହରାଇବାର ଭୟରେ ସୀତାକାନ୍ତଙ୍କର ତନ୍ଦ୍ରାଭଙ୍ଗ ହେଲା। ସେ ଆଖି ଖୋଲି ଦେଖିଲେ ଆକାଶ ଫର୍ଚ୍ଚା ଦିଶୁଛି। କିଛି ବିହଙ୍ଗମ କଳକାକଳି ସହ ନୀଡ଼ରୁ ବାହାରିଛନ୍ତି ଖାଦ୍ୟର ଅନ୍ୱେଷଣରେ। ମୋହାଚ୍ଛନ୍ନ ପରିବେଶରୁ ବାହାରି ଏକ ଦୀର୍ଘଶ୍ୱାସ ଛାଡ଼ି ସୀତାକାନ୍ତ ତଳକୁ ଆସିଲେ। ନିତ୍ୟକର୍ମ ସାରି କିଚେନ୍.ରେ ପାଦ ଦେଲେ। କଫି ଟିକିଏ ତାଙ୍କର ନିହାତି ଦରକାର। ହଠାତ୍ ମୋବାଇଲ୍.ଟା ବାଜି ଉଠିଲା। ରିସିଭ୍ କରି କାନରେ ଦେଲେ ସୀତାକାନ୍ତ। ଆର ପଟୁ ତାଙ୍କ ଓକିଲ ରଘୁନନ୍ଦନଙ୍କ କଣ୍ଠସ୍ୱର।
- ସାର୍, ଗୁଡ୍ ମର୍ଣ୍ଣିଙ୍ଗ୍, ଖବର ଶୁଣିଲେଣି?
- କି ଖବର?
- ଟିଭି ଅନ୍ କରି ନ୍ୟୁଜ୍ ଚ୍ୟାନେଲ୍ ଖୋଲନ୍ତୁ। ଆପଣଙ୍କ ପତ୍ନିଙ୍କ କେଶ୍.ରେ ଆରୋପିତ ଯୁବକ ଦୁଇଜଣ କାଲି ରାତିରେ ଏକତ୍ର ମଦ୍ୟପାନ କରି ନିୟନ୍ତ୍ରଣ ହରାଇ ଖଣି ବ୍ୟବସାୟୀଙ୍କ ସମ୍ବଲପୁର ସ୍ଥିତ ବାସଭବନର ବାଲ୍.କୋନୀରୁ ଖସି ମୃତ୍ୟୁବରଣ କରିଛନ୍ତି।
କାହାର ଖିଲ୍ ଖିଲ୍ ହସରେ ମୋବାଇଲ୍.ଟା ସୀତାକାନ୍ତଙ୍କ ହାତରୁ ଖସି ପଡ଼ିଲା। ସେ କିଚେନ୍.ର ଚାରିପଟକୁ ଚାହିଁଲେ। ତାଙ୍କର ମନେ ହେଲା, ଆନି ହସୁଛନ୍ତି ଆତ୍ମତୃପ୍ତିରେ।