Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ-୦୯
ବିକ୍ରମ ବେତାଳ-୦୯
★★★★★

© Prasant Kumar Senapati

Inspirational Others

6 Minutes   7.1K    18


Content Ranking

ଅଧିକ ପାପୀ କିଏ ?

ଭୋଗବତୀ ନାମକ ଏକ ରାଜ୍ୟରେ ରାଜା ରୁପସେନ ରାଜୁତି କରୁଥିଲେ । ରାଜାଙ୍କ ପାଖରେ ଚିନ୍ତାମଣି ନାମକ ଏକ ଶୁଆ ଥିଲା । ଦିନେ ରାଜା ପଚାରିଲେ "ମୋର ବିବାହ କେଉଁଠି ଓ କାହା ସାଥିରେ ହେବ ?' ଶୁଆ କହିଲା "ମଗଧ ଦେଶର ରାଜକୁମାରୀ ଚନ୍ଦ୍ରାବତୀ ସହିତ ଆପଣଙ୍କ ବିବାହ ହେବ' । ରାଜା ଜ୍ୟୋତିଷକୁ ଡକାଇ ପଚାରିଲେ ତ ଜ୍ୟୋତିଷ ବି ସମାନ ଉତ୍ତର ଦେଲେ ।

ମଗଧ ଦେଶର ରାଜକନ୍ୟା ପାଖରେ ଏକ ଶାରୀ ଥିଲା । ଶାରୀ'ର ନାମ ମଦନମଞ୍ଜରୀ । ଦିନେ ରାଜକନ୍ୟା ମଦନମଞ୍ଜରୀକୁ ପଚାରିଲେ "ମୋର ବିବାହ କେଉଁଠି ଓ କାହା ସାଥିରେ ହେବ ?' ଶାରୀ କହିଲା ଭୋଗବତୀ ରାଜ୍ୟର ରାଜ ରୁପସେନ ସହିତ ଆପଣଙ୍କ ବିବାହ ହେବ ।

ଏହା ପରେ ଦୁଇ ଜଣଙ୍କ ବିବାହ ହୋଇଗଲା । ରାଣୀ ନିଜ ଶାରୀ ମଦନମଞ୍ଜରୀକୁ ସାଥିରେ ନେଇ ଆସିଲେ । ରାଜା ରାଣୀ ଶୁଆ ଶାରୀ'ର ବିବାହ କରାଇ ଏକ ସୁନାର ପିଞ୍ଜରାରେ ଦୁହିଁଙ୍କୁ ରଖିଲେ । କିଛିଦିନ ପରେ ଦିନେ ଶୁଆ ଶାରୀ ମଧ୍ୟରେ କଳି ଆରମ୍ଭ ହୋଇଗଲା । ଶାରୀ କହିଲା ପୁରୁଷ ପାପୀ, ଅଧର୍ମି ଓ ଧୋକାବାଜ ଅଟେ । ଶୁଆ କହିଲା ସ୍ତ୍ରୀ ମିଥ୍ୟାବାଦୀ, ଲୋଭୀ ଓ ହତ୍ୟାରିଣୀ ଅଟେ । ଦୁହିଁକ ମଧ୍ୟରେ କଳି ବଢିବା ଦେଖି ରାଜା ରୁପସେନ ଏହାର କାରଣ ପଚାରିଲେ । ଶାରୀ କହିଲା "ମହାରାଜ ପୁରୁଷ ବହୁତ ଖରାପ ଅଟେ' । ଏହା ପରେ ଶାରୀ ଏକ କାହାଣୀ ରାଜାଙ୍କୁ ଶୁଣାଇଲା ।

ଇଲାପୁର ନଗରରେ ଏକ ସେଠ୍ ରହୁଥିଲେ । ବିବାହର ଅନେକ ବର୍ଷ ପରେ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ହେଲା । ସେଠ୍ ପୁତ୍ରର ଲାଳନ ପାଳନ ଅତି ଆଡମ୍ବରରେ କରୁଥିଲେ । କିନ୍ତୁ ପୁତ୍ର ବଡ ହୋଇ ଏକ ଜୁଆରୀ ପାଲଟିଗଲା । ଏହା ଭିତରେ ସେଠ୍ ଓ ସେଠାଣୀ ଦୁହିଁଙ୍କର ମୃତ୍ୟୁ ହେଲା । ସେଠ୍'ର ମୃତ୍ୟୁ ପରେ ପୁତ୍ର ସମସ୍ତ ଧନ ସମ୍ପତ୍ତି ଜୁଆରେ ଖେଳି ହାରିଗଲା । ଯେତେବେଳେ ସମସ୍ତ ଧନ ସମ୍ପତ୍ତି ଚାଲିଗଲା ସେ ନିଜ ନଗର ଛାଡି ଚନ୍ଦ୍ରପୁରୀ ରାଜ୍ୟରେ ପହଞ୍ଚିଲା ।

ସେଠାରେ ହେମଗୁପ୍ତ ନାମକ ଏକ ସାହୁକାର ଥିଲେ । ଯୁବକ ସାହୁକାର ନିକଟକୁ ଯାଇ ନିଜ ପିତାଙ୍କ ପରିଚୟ ଦେଇ କହିଲା ମୁଁ ଜାହାଜ ନେଇ ସୌଦାଗରି କରିବାକୁ ଯାଇଥିଲି । ସମସ୍ତ ଜିନିଷ ପତ୍ର ବିକ୍ରୀ କଲି ଓ ବହୁତ ଧନ କମାଇ ନିଜ ରାଜ୍ୟକୁ ଫେରୁଥିବା ସମୟରେ ସମୁଦ୍ରରେ ପ୍ରବଳ ଝଡ ତୋଫାନ ହେଲା । ଜାହାଜ ବି ବୁଡିଗଲା । ଭଗବାନଙ୍କ ଆର୍ଶୀବାଦରୁ ମୁଁ ସୁରକ୍ଷିତ ଅବସ୍ଥାରେ ଏଠାରେ ପହଞ୍ଚିଲି ।

ସାହୁକାର'ର ଏକ ଯୁବତୀ କନ୍ୟା ଥିଲା । ନାଁ ତାର ରତ୍ନାବତୀ । ସାହୁକାର ମନେ ମନେ ବହୁତ ଖୁସି ହେଲା ଯେ ଘରେ ବସି ବସି ଏତେ ସୁନ୍ଦର ଜ୍ଵାଇଁ ମିଳିଗଲା । ସାହୁକାର ଯୁବକକୁ ନିଜ ଘରେ ରଖିଲେ ଓ କିଛିଦିନ ପରେ ଉଭୟଙ୍କ ବିବାହ କରାଇ ଦେଲେ । ଦୁହେଁ କିଛିଦିନ ସେଠାରେ ରହିବା ପରେ ସାହୁକାର ଝିଅ ଜ୍ଵାଇଁକୁ ବିଦାୟ ଦେଇ ଅନେକ ଧନ ରତ୍ନ ସହିତ ଏକ ଦାସୀ ଯୌତୁକ ରୁପେ ଦେଲେ ।

ଅନେକ ଦୂର ଯିବା ପରେ ଏକ ଘନ ଜଙ୍ଗଲ ପଡିଲା । ଜଙ୍ଗଲ ମଧ୍ୟରେ ଯୁବକ ନିଜ ପତ୍ନି ରତ୍ନାବତୀକୁ କହିଲା ଏଠାରେ ବହୁତ ଭୟ ଲାଗୁଛି । ତୁମେ ତୁମ ସୁନା ଗହଣା ମୋତେ ଦେଇ ଦିଅ । ରତ୍ନାବତୀ ସ୍ବାମୀଙ୍କର କଥା ମାନି ସମସ୍ତ ସୁନା ଗହଣା ଦେଇ ଦେଲା । ଏହା ପରେ ଯୁବକ ସମସ୍ତ ଚାକର ବାକରଙ୍କୁ କିଛି କିଛି ଧନ ଦୌଲତ ଦେଇ ବିଦା କରିବା ପରେ ଦାସୀକୁ ମାରି ଏକ କୂଅରେ ପକାଇ ଦେଲା । ପୁଣି ନିଜ ପତ୍ନିକୁ ସେହି କୂଅ ଭିତରକୁ ଠେଲି ଦେଇ ନିଜ ରାସ୍ତାରେ ଚାଲିଗଲା ।

ପତ୍ନି କୂଅ ଭିତରେ ପଡି କାନ୍ଦିବାକୁ ଲାଗିଲା । ସେହି ସମୟରେ ଜଣେ ବାଟୋଇ ଜଙ୍ଗଲ ଦେଇ ଯାଉଥିଲା । ସେ ଜଙ୍ଗଲ ଭିତରେ ଏକ ନାରୀର କାନ୍ଦଣା ଶୁଣି କୂଅ ନିକଟକୁ ଆସିଲା ଓ ରତ୍ନାବତୀକୁ କୂଅରୁ ଉଦ୍ଧାର କରି ଓ ତାର ଠିକଣା ପଚାରି ସାହୁକାର ନିକଟରେ ଛାଡି ଆସିଲା । ରତ୍ନାବତୀ ଘରେ ପହଞ୍ଚି ସାହୁକାରକୁ କହିଲା ରାସ୍ତାରେ କିଛି ଚୋର ସମସ୍ତ ଧନ ଦୌଲତ ଲୁଟି ନେଲେ । ଦାସୀକୁ ଜୀବନରୁ ମାରିଦେଲେ ଓ ମୋତେ ଏକ କୂଅ ଭିତରକୁ ଠେଲି ଦେଇ ଚାଲିଗଲେ । ସୌଭାଗ୍ୟବଶତଃ ମୁଁ ବଞ୍ଚିଗଲି । ସାହୁକାର ନିଜ ଝିଅକୁ ଧୈର୍ଯ୍ୟ ରଖିବାକୁ ଯାଇ କହିଲେ ଜ୍ଵାଇଁ ନିଶ୍ଚୟ ଜୀବିତ ଥିବେ । ଦିନେ ନା ଦିନେ ନିଶ୍ଚୟ ଏଠାକୁ ଫେରି ଆସିବେ ।

ସେପାଖେ ଯୁବକ ସମସ୍ତ ସୁନା ଗହଣା ନେଇ ଜୁଆ ଖେଳିଲା । ପୁନଶ୍ଚ ସେ ସମସ୍ତ ଧନ ଦୌଲତ ସୁନା ଗହଣା ଜୁଆରେ ହାରିଗଲା । ଦିନକୁ ଓଳିଏ ଖାଇବା ପାଇଁ ପଇସାଟେ ପାଇଲା ନାହିଁ । ସେ ନିଜର ଏକ ପୁଅ ହୋଇଛି, ଏହି ମିଛ ଖବର ସାହୁକାରକୁ ଦେବା ବାହାନାରେ କିଛି ଧନ ପାଇବା ପାଇଁ ଚନ୍ଦ୍ରପୁରୀ ଅଭିମୁଖେ ଯାତ୍ରା କଲା ।

ସେଠାରେ ପହଞ୍ଚିବା ପରେ ପ୍ରଥମେ ସେ ନିଜ ପତ୍ନୀ ରତ୍ନାବତୀକୁ ଦେଖି ଆଶ୍ଚର୍ଯ୍ୟ ହେଲା । ସେ ଭାବି ନେଇଥିଲା କୂଅ ଭିତରେ ଭୋକ ଉପାସରେ ରହି ରତ୍ନାବତୀ ନିଶ୍ଚିତ ମରି ଯାଇଥିବ । ଯୁବକର ମନରେ ଭୟ ଜାତ ହେଲା । ରତ୍ନାବତୀ ସ୍ଵାମୀଙ୍କୁ ଦେଖି କହିଲା " ପ୍ରାଣଦେବ ଆପଣ ଭୟଭୀତ ହୁଅନ୍ତୁ ନାହିଁ, ମୁଁ ଏଠାରେ ଓଲଟା କଥା କହିଛି' । ରତ୍ନାବତୀ ଯାହା କହିଥିଲା ସମସ୍ତ ଘଟଣା ନିଜ ସ୍ବାମୀ ନିକଟରେ ପ୍ରକାଶ କଲା । ସାହୁକାର ଜ୍ଵାଇଁକୁ ଦେଖି ବହୁତ ଖୁସି ହେଲେ ଓ ସବୁ ଦିନ ପାଇଁ ସେଠାରେ ରହି ଯିବାକୁ ଯୁବକକୁ ଅନୁରୋଧ କଲେ । କିଛିଦିନ ପରେ ପତ୍ନୀ ପୁନଶ୍ଚ ସୁନା ଗହଣା ପିନ୍ଧିଲା । ଯୁବକ ଚୁପଚାପ୍ ପତ୍ନୀର ହତ୍ୟା କରି ଓ ସମସ୍ତ ସୁନା ଗହଣା ନେଇ ଚମ୍ପଟ ମାରିଲା । ମହାରାଜ ଏସବୁ ମୁଁ ମୋ ଆଖିରେ ଦେଖିଛି । ଏହିପରି ପୁରୁଷ ପାପୀ ଅଟନ୍ତି, ଶାରୀ କହିଲା । ରାଜା କହିଲେ ଶୁଆ ତୁମେ ଏବେ କୁହ ସ୍ତ୍ରୀ କାହିଁକି ଖରାପ ?

ଶୁଆ ନିଜ କାହାଣୀ ଆରମ୍ଭ କଲା ।

କଞ୍ଚନପୁରରେ ଏକ ସେଠ୍ ରହୁଥିଲେ । ତାଙ୍କର ଶ୍ରୀଦତ୍ତ ନାମକ ଏକ ପୁତ୍ର ଥିଲା । ପାଖ ନଗରରେ ସୋମ୍ୟଦତ୍ତ ନାମକ ଅନ୍ୟ ଏକ ସେଠ୍ ର କନ୍ୟା ଜୟଶ୍ରୀକୁ ଶ୍ରୀଦତ୍ତ ବିବାହ କଲା । ବିବାହ ପରେ ଶ୍ରୀଦତ୍ତ ବାଣିଜ୍ୟ ପାଇଁ ବିଦେଶ ଚାଲିଗଲା । ବାର ବର୍ଷ ବିତିଗଲା ଶ୍ରୀଦତ୍ତ ଫେରିଲା ନାହିଁ । ଜୟଶ୍ରୀ ବ୍ୟାକୁଳତାର ସହିତ ଶ୍ରୀଦତ୍ତର ଫେରିବା ବାଟକୁ ଚାହିଁ ରହିଥାଏ । ଦିନେ ଜୟଶ୍ରୀ ମହଲର ଛାତ ଉପରେ ଠିଆ ହୋଇଥିବା ସମୟରେ ଏକ ସୁନ୍ଦର ଯୁବକକୁ ଦେଖିଲା । ଯୁବକକୁ ଦେଖିବା ମାତ୍ରେ ସେ ମୋହିତ ହୋଇଗଲା ଓ ନିଜ ଦାସୀକୁ ହାତ କରି ଯୁବକକୁ ଆଣି ଦାସୀ ଘରେ ରଖିଲା । ରାତିର ଦ୍ଵିତୀୟ ପ୍ରହରରେ ଜୟଶ୍ରୀ ସେ ଯୁବକ ନିକଟକୁ ଯାଉଥିଲା ଓ ରାତି ତମାମ୍ ପ୍ରେମ ଆଲିଙ୍ଗନ କରି ସକାଳ ହେବା ପୂର୍ବରୁ ମହଲକୁ ଫେରି ଆସୁଥିଲା । ଏହିପରି ଅନେକ ଦିନ ବିତିଗଲା ।

ଦିନେ ଶ୍ରୀଦତ୍ତ ବିଦେଶରୁ ବାଣିଜ୍ୟ ସାରି ଘରକୁ ଫେରିଲା । ଶ୍ରୀଦତ୍ତକୁ ଦେଖି ଜୟଶ୍ରୀ ମନ ଦୁଃଖ ହେଲା । ସ୍ବାମୀ ବିଦେଶରୁ ଫେରି କ୍ଲାନ୍ତ ଶରୀର ନେଇ ଖୁବ୍ ଶିଘ୍ର ଶୋଇଗଲା ପରେ ଜୟଶ୍ରୀ ମହଲରୁ ବାହାରି ଯୁବକ ନିକଟକୁ ଚାଲିଲା ।

ରାସ୍ତାରେ ଏକ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଠିକଣା ଖୋଜୁଥାଏ । ଏତେ ରାତିରେ ଏକ ନାରୀକୁ ଦେଖି ତାର ମନରେ ସନ୍ଦେହ ହେଲା ଓ ସେ ଜୟଶ୍ରୀ ପଛେ ପଛେ ଚାଲିଲା । ସଂଯୋଗ ବଶତଃ ସେ ଯୁବକକୁ ସାପ ଦଂଶନ କରିଥିଲା ଓ ସେ ମରି ଯାଇଥିଲା । ଜୟଶ୍ରୀ ଭାବିଲା ବିଳମ୍ବ ହେବାରୁ ସେ ବୋଧେ ନିଦରେ ଶୋଇ ପଡିଛନ୍ତି । ସାମନାରେ ଥିବା ଏକ ଅଶ୍ଵତ୍ଥ ବୃକ୍ଷରେ ଏକ ପିଶାଚ ରହୁଥିଲା ଓ ପ୍ରତ୍ୟେକ ଦିନ ଏପରି ଅଧର୍ମଣି ସ୍ତ୍ରୀର କାର୍ଯ୍ୟକଳାପ ଦେଖୁଥିଲା ।

ପିଶାଚ ମୃତ ଯୁବକର ଶରୀରରେ ପ୍ରବେଶ କରି ସ୍ତ୍ରୀ'ର ନାକକୁ କାମୁଡି ଛିଡାଇ ଦେଲା ଓ ପୁନଶ୍ଚ ଯୁବକ ଶରୀରରୁ ଗାୟବ ହୋଇଗଲା । ଜୟଶ୍ରୀ କାନ୍ଦି କାନ୍ଦି ନିଜ ଦାସୀକୁ ସମସ୍ତ ଘଟଣା ଶୁଣାଇଲା । ଦାସୀ କହିଲା ତୁମେ ଶ୍ରୀଦତ୍ତ ନିକଟକୁ ଯାଇ ସେଠାରେ କାନ୍ଦ । କେହି ପଚାରିଲେ ତୁମର ଏପରି ଅବସ୍ଥା କିଏ କଲା, ତୁମେ ଶ୍ରୀଦତ୍ତ ନାମ କହିବ ।

ଜୟଶ୍ରୀ ଦାସୀ କହିବା ଅନୁଯାୟୀ ସେହିପରି କଲା । ଶ୍ରୀଦତ୍ତ ଶୋଇବା ସ୍ଥାନରୁ ଉଠି ବସିଲା । ପାଖ ପଡୋଶୀ ବି ଜମା ହୋଇଗଲେ । ଜୟଶ୍ରୀ ସମସ୍ତଙ୍କୁ କହିଲା ଶ୍ରୀଦତ୍ତ କ୍ରୋଧରେ ମୋର ଏପରି ଅବସ୍ଥା କରିଛି । ଜୟଶ୍ରୀର ପିତା ଖବର ପାଇ ଝିଅ ଘରକୁ ଆସିଲେ ଓ ଝିଅର ଏପରି ଅବସ୍ଥା ଦେଖି କଟୁଆଳକୁ ଡକାଇଲେ । କଟୁଆଳ ଶ୍ରୀଦତ୍ତକୁ ବାନ୍ଧି ନେଲା । ଗୋଟିଏ ସ୍ତ୍ରୀ'ର ଏପରି ଅବସ୍ଥା ଦେଖି ରାଜାଙ୍କ ମନରେ କ୍ରୋଧ ଜାତ ହେଲା ଓ ଶ୍ରୀଦତ୍ତକୁ ଶୁଳି ଦେବାକୁ ଆଦେଶ ଦେଲେ ।

ଚୋର ଆରମ୍ଭରୁ ଶେଷ ଯାଏ ଯିଏ ସମସ୍ତ ଘଟଣା ଦେଖି ଆସୁଥିଲା । ଏକ ନିର୍ଦ୍ଦୋଷ ଦଣ୍ଡ ପାଇବ ଭାବି ଚୋର ରାଜାଙ୍କ ନିକଟ ସମସ୍ତ ସତ କଥା କହିଲା । ଏକଥା ମଧ୍ୟ କହିଲା ଯଦି ବିଶ୍ଵାସ ନହେଉଛି ମୋ ସାଥିରେ ଚାଲନ୍ତୁ ମୁଁ ସେ ଯୁବକ ମୁହଁରେ ଏହି ଦୁରାଚାରୀ ନାରୀର କଟା ନାକ ଦେଖାଇ ପାରିବି ।

ରାଜା ଚୋର କଥାର ସତ୍ୟତା ପ୍ରମାଣ ପାଇ ସେଠାକୁ ଯାଇ ଦେଖିଲେ ପ୍ରକୃତରେ ଯୁବକର ମୁହଁରେ ସ୍ତ୍ରୀର କଟା ନାକ ଥିଲା । ଏତିକି କହି ଶୁଆ କହିଲା ସ୍ତ୍ରୀ ଜାତି ଏହିପରି ଦୁରାଚାରଣୀ । ରାଜା ସେ ସ୍ତ୍ରୀକୁ ଲଣ୍ଡା କରି ପୁରା ନଗର ଗଧ ଉପରେ ବସାଇ ବୁଲାଇଲେ ଓ ପରେ ଜଙ୍ଗଲରେ ଛାଡିଦେଲେ ।

ଏତିକି କହି ବେତାଳ ପଚାରିଲା "ହେ ରାଜନ୍ ଏବେ କୁହନ୍ତୁ ପୁରୁଷ ଓ ସ୍ତ୍ରୀ ମଧ୍ୟରୁ ଅଧିକ ପାପୀ କିଏ ? '

ରାଜା ବିକ୍ରମ ଉତ୍ତର ଦେଲେ.....।

ଆଜିର ଏହି ପ୍ରଶ୍ନର ଉତ୍ତର ପାଠକ ବନ୍ଧୁ ମୁଁ ଆପଣ ମାନଙ୍କ ଠାରୁ ଆଶା କରୁଛି । ଆପଣମାନେ କାହାଣୀ ପଢିବା ପରେ ବୁଝି ବିଚାରି ସମୁଚିତ ଉତ୍ତର ଦେବେ, ଏହି ଅପେକ୍ଷାରେ ରହିଲି ।

© ପ୍ରଶାନ୍ତ ସେନାପତି

ଭୋଗବତୀ ରୁପସେନ ଚନ୍ଦ୍ରାବତୀ

Rate the content


Originality
Flow
Language
Cover design

Comments

Post

Some text some message..