Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର ଲେଙ୍କା

Tragedy Inspirational

4.5  

ଅନିଲ କୁମାର ଲେଙ୍କା

Tragedy Inspirational

# ପଶ୍ଚାତାପ #

# ପଶ୍ଚାତାପ #

4 mins
376


--ଫେସବୁକରୁ ହିଁ ମାନସର ପ୍ରେମରେ ପଡ଼ିଯାଇଥିଲା ରଶ୍ମୀ ।ଉଭୟ ଥିଲେ କବି। ଆରମ୍ଭରେ ପରସ୍ପରର କବିତା ଉପରେ ମତାମତ ଦେଉ ଦେଉ କେତେବେଳେ ଦୁହେଁ ଦୁହିଁଙ୍କୁ ଭଲ ପାଇ ଯାଇଥିଲେ ତାହା ଜାଣି ପାରି ନଥିଲେ। କିଛିଦିନ କଥାବାର୍ତ୍ତା ଭିତରେ ଅନ୍ତରଙ୍ଗତା ଆଉ ତା ପରେ ଦୁହେଁ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଯିବାର ନିଷ୍ପତ୍ତି ନେଲେ । ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଇଯାଇଥିଲେ ଯେ ଜଣେ ଆଉ ଜଣଙ୍କ ଦୋଷ ଦୁର୍ବଳତା କିଛି ବି ଦେଖୁ ପାରୁ ନଥିଲେ। ପ୍ରେମରେ ଅନ୍ଧ ପ୍ରେମୀ ଯୁଗଳ ବିବାହ ବିଷୟରେ ଘରେ କଥା ହେବା ପାଇଁ ନିଷ୍ପତ୍ତି ନେଲେ।

-- ମାନସର ପରିବାର କହିଲେ କେବଳ ତାର ବିବାହିତ ଭଉଣୀ। ଭଉଣୀକୁ ମାନସ କୌଣସି ମତେ ରାଜି କରିଦେଲା।ମାତ୍ର ଯେତେବେଳେ ରଶ୍ମୀ ତା’ର ପ୍ରେମ ସମ୍ପର୍କ ବିଷୟରେ ଘରେ ଜଣାଇଲା, ତା’ର ବାପା, ମା’ ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ । କାରଣ ସେମାନେ ଥିଲେ ଉଚ୍ଚ ଆଭିଜାତ୍ୟ ଶ୍ରେଣୀର ଓ ଅପେକ୍ଷାକୃତ ସହରୀ। ମାନସ ଥିଲା ଗାଉଁଲି ଚଷା ଘରର ପୁଅ। ଛୋଟ ଚାକିରିଆ ସାଙ୍ଗକୁ ଓଡିଶାର ଉପାନ୍ତ ଅଞ୍ଚଳରେ ନିଜ ଝିଅକୁ ବାହା ନ ଦେଇ ରାଜଧାନୀ ଅଞ୍ଚଳର ଏକ ବ୍ୟବସାୟୀ ସହ ରଶ୍ମୀକୁ ବାହା କରାଇଦେଲେ ତା’ ବାପା।

--ରଶ୍ମୀ ମଧ୍ୟ ନିଜ ବାପାଙ୍କ କଥା ବାହାରକୁ ନ ଯାଇପାରି ବାହା ହୋଇଯାଇଥିଲା ଭୁବନେଶ୍ଵରର ପ୍ରତିଷ୍ଠିତ ବ୍ୟବସାୟୀ ମୋହନକୁ। ହେଲେ ରଶ୍ମୀ ହୃଦୟରୁ ଭୁଲି ପାରିନଥିଲା ମାନସକୁ କି ଆପଣେଇ ପାରିନଥିଲା ମୋହନକୁ !

--ବାହାଘର ପରେ ନିଜ ସ୍ୱାମୀ ମୋହନ ସହିତ ଅନ୍ୟ ଏକ ସହରରେ ବାସ କରିବାକୁ ଚାଲିଯାଇଥିଲା ରଶ୍ମୀ । ହେଲେ ବାହାଘର ପରେ ମଧ୍ୟ ସେ ନିଜ ପୁରୁଣା ପ୍ରେମିକ ସହ ଯୋଗାଯୋଗରେ ରହିଥିଲା । ତା’ ସ୍ୱାମୀ ଭିତରେ ସେମିତି କିଛି ଖରାପ ଗୁଣ ନଥିଲା। ହେଲେ କାହିଁକି କେଜାଣି ଅତୀତକୁ ଭୁଲି ବର୍ତ୍ତମାନରେ ବଞ୍ଚିବାକୁ ରାଜି ନଥିଲା ରଶ୍ମୀ ।

--ରଶ୍ମୀର ଏପରି ବ୍ୟବହାରେ ଅତିଷ୍ଠ ହୋଇପଡୁଥାଏ। ବିନା ଦୋଷରେ ସ୍ତ୍ରୀର ମାନସିକ ନିର୍ଯ୍ଯାତନା କ୍ରମଶଃ ବଢିଚାଲିଥାଏ ।କିଛି ବୁଝି ପାରୁ ନଥାଏ ବିଚରା ମୋହନ।

-- ହଠାତ୍ ଦିନେ ସକାଳେ ରଶ୍ମୀର ମୋବାଇଲ ମୋହନ ହାତରେ ଲାଗିଲା। ହ୍ବାଟ୍ସଆପରେ ରଶ୍ମୀ ଆଉ ମାନସର ଚାଟିଂ ଦେଖି ମୋହନର ପାଦ ତଳୁ ମାଟି ଖସି ପଡିଲା। ଗଭୀର ମାନସିକ ଆଘାତ ଭିତରେ ଖୁବ୍ ଭାଙ୍ଗି ପଡିଲା। ପୁରୁଷର ଅହଙ୍କାରରେ ପ୍ରକୁତିସ୍ଥ ହୋଇ ସ୍ତ୍ରୀକୁ ସିନା କିଛି କହିଲାନି ସିନା କିନ୍ତୁ ମନେ ମନେ ଖୁବ୍ କଷ୍ଟ ପାଇଲା ।ଆଉ ସେ କଷ୍ଟକୁ ଲାଘବ କରିବାକୁ ଯାଇ ଜଣେ ବନ୍ଧୁଙ୍କ ପରାମର୍ଶରେ ମଦ୍ୟପାନ ଆରମ୍ଭ କଲା।

--ଯେତେବେଳେ ମୋହନ ନିଶାଗ୍ରସ୍ତ ହୋଇ ରାତିରେ ଘରକୁ ଫେରେ ଓ ନିଜ ସ୍ତ୍ରୀ ଉପରେ ବିରକ୍ତି ହୁଏ, ସେତେବେଳେ ମାନସ କଥା ଭାରି ମନେପଡ଼େ ରଶ୍ମୀର। ମାନସର ସେ ପ୍ରେମ, ସେ ଆନ୍ତରିକତା, ସେ ମଧୁର ବଚନ ଆଉ ଯାହା ସେଠାରୁ ପାଏ, ବୋଧେ ସେ ମୋହନ ଠାରୁ ତାହା ପାଇବାକୁ ଚାହେଁ ନାହିଁ।

-- ଏଥି ମଧ୍ୟରେ ବାହାଘରର ତିନି ମାସ ବିତି ଯାଇଥିଲା। ମୋହନ ବହୁତ ଚେଷ୍ଟା କରିଛି ରଶ୍ମୀକୁ ମନେଇ ନିଜ ପ୍ରତି ଆକର୍ଷିତ କରିବା ପାଇଁ। ତା’ ପ୍ରେମରେ ପଡ଼ି ମଦକୁ ଭୁଲିଯିବା ପାଇଁ । ହେଲେ ଶତ ଚେଷ୍ଟା ପରେ ମଧ୍ୟ ସେ ତା’ ସ୍ତ୍ରୀ ପାଖରୁ ସେ ଆପଣାପଣ ପାଇ ପାରି ନଥିଲା । ବୋଧେ ସେଥିପାଇଁ ମଦକୁ ନିଜ ସାଥି ଭାବେ ବାଛି ନେଇଥିଲା !

--ଏ ଭିତରେ ମଦ ନିଶାରେ ଦୁର୍ଘଟଣା କରି ପନ୍ଦର ଦିନ ହାଜତ୍‌ରେ ମଧ୍ୟ ରହିସାରିଥିଲା । ତଥାପି ସେ ପିଉଥିଲା, ବୋଧେ ନିଜ ଲୋକ ନିଜର ନହେବା ଦୁଃଖରେ !

--ଏଣେ ମାନସର ବଦଳି ଭୁବନେଶ୍ଵରକୁ ହୋଇଗଲା। ଯେତେବେଳେ ମେସେଜ୍ କରି ରଶ୍ମୀକୁ ଏ କଥା ଜଣାଇଲା ସେତେବେଳେ ରଶ୍ମୀର ଖୁସି ଆହୁରି ବହୁତ ବଢ଼ି ଯାଇଥିଲା ।

--ମୋହନ ଦୋକାନକୁ ଗଲାପରେ ରଶ୍ମୀ ଫୋନ୍‌ରେ ଅନେକ ଗପେ ମାନସ ସହ । ସେମାନେ ଦୁହେଁ ପୁଣି ଏକାଠି ହେବାର ସ୍ୱପ୍ନ ଦେଖନ୍ତି ।

--ବାହାଘର ପରେ ପ୍ରଥମ ସାବିତ୍ରୀ ବ୍ରତ ପଡ଼ିଥାଏ ସେଦିନ । ଲୋକ ଦେଖାଣିଆ ଭାବେ ରଶ୍ମୀ ଖାଲି ବ୍ରତ ରଖିଥାଏ ମୋହନ ପାଇଁ ହେଲେ ହୃଦୟରୁ ଠାକୁରଙ୍କୁ ଡାକୁଥାଏ, ମାନସର ଲମ୍ୱା ଜୀବନ ପାଇଁ ।

--ରାତି ପ୍ରାୟ ଦଶଟା ପାଖାପାଖି ହୋଇଯାଇଥିଲା ।ମୋହନ ଘରକୁ ଫେରିନଥିଲା । ରଶ୍ମୀ ନିଜ ସ୍ୱାମୀର ଫେରିବା ବାଟକୁ ଅପେକ୍ଷା କରି ଭାବୁଥିଲା, ଆଜି ଆସିଲା ବେଳେ କେଉଁଟି ମଦ ନିଶାରେ ଗାଡ଼ି ପିଟି ମରିଯାନ୍ତେ କି, ମୁଁ ମୋ ମନର ମଣିଷ ସହ ସଂସାର ଗଢ଼ି ପାରନ୍ତି ।

--ଏଭଳି ଭାବୁଥିବା ସମୟରେ ଫୋନ୍‌ଟି ବାଜି ଉଠିଲା ରଶ୍ମୀର । ଏକ ଅଜଣା ନମ୍ୱର ଥିଲା । ରଶ୍ମୀ ଫୋନ୍ ଗ୍ରହଣ କରିବା ପରେ ସେପଟୁ କେହି ଜଣେ କହିଲେ, “ଆପଣଙ୍କ ସ୍ୱାମୀ ମୋହନଙ୍କର ପଟିଆ ଛକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।”

--ନିଜ କାନ ଉପରେ ବିଶ୍ୱାସ କରିପାରିଲାନି ରଶ୍ମୀ । ସାବିତ୍ରୀ ବ୍ରତରେ ସ୍ୱାମୀର ମୃତ୍ୟୁ ଡାକ ଠାକୁର ଏତେ ଶୀଘ୍ର ଶୁଣିବେ ତା’ର ଆଶା ନ ଥିଲା । ସେ ପ୍ରଥମେ ଟିକେ ଡରି ଯାଇଥିଲା ହେଲେ ପରେ ପରେ ତା’ର ଖୁସିର ଠିକଣା ରହିଲା ନାହିଁ । ନିଜ ବାପାଙ୍କୁ ଏହି ଖବର ଛଳନାରେ କାନ୍ଦି କାନ୍ଦି ଜଣାଇ ଦେଲା । ଆଉ ମଧ୍ୟ କହିଲା ତା’ର ପ୍ରେମକୁ ନ ବୁଝି ଗୋଟେ ମଦୁଆ ସହ ବାହାଘର କରି ତା’ ଜୀବନ ନଷ୍ଟ କରିଦେଇଛନ୍ତି ତା’ ମା’, ବାପା ।

--ଏହାର କିଛି ସମୟ ପରେ ତାକୁ ତା’ର ଏକ ସାଙ୍ଗର ଫୋନ୍ ଆସିଲା ଓ ସେ ରଶ୍ମୀକୁ ଜଣାଇଲା, “ ଆରେ, ମାନସ ପଟିଆ ଛକରେ ଗୋଟେ ଦୁର୍ଘଟଣା କରିଦେଇଛି। ସେ ଲୋକଟା ସେଇଠି ମରିଗଲା । ମାନସ ମଦ ପିଇକି ଗାଡ଼ି ଚଲାଉଥିଲା । ପୋଲିସ୍ ତାକୁ ଧରିନେଇଛି, ଯାହା ହେଲେ ବି ୧୦/୧୫ ବର୍ଷରୁ କମ୍ ଜେଲ୍ ହବନି।”

--ଯେଉଁ ପ୍ରେମିକ ମାନସ ପାଇଁ ତା’ ସ୍ୱାମୀ ମୋହନକୁ ନିଜର କରି ପାରିନଥିଲା, ସେ ପ୍ରେମିକ ତାକୁ ଗୋଟେ କଥା ଲୁଚେଇ ଥିଲା କି ସେ ବି ମଦ ପିଏ ! ନିଜ ପ୍ରତି ବହୁତ ଘୃଣା ଆସିଲା। ମାନସ ଉପରେ ଯେତେ ରାଗ ନ ହେଲା ନିଜ ଉପରେ ଅଧିକ ଘୃଣା ଭାବ ଜାତ ହେଲା। ନିଜ କୃତ କର୍ମ ପାଇଁ ମନସ୍ତାପ କରିବା ସହ ଆଖିରୁ ଏଥର ଲୋତକର ଅବିଶ୍ରାନ୍ତ ଧାରା ବହି ଚାଲିଲା।

--ମଣିଷ ଯେତେବେଳେ ପର ଓ ଆପଣାର ପ୍ରଭେଦ ବୁଝେ ନାହିଁ, ସମ୍ପର୍କକୁ ସମ୍ମାନ ଦିଏ ନାହିଁ, ସେତେବେଳେ ସେ ଏମିତି କିଛି ହରାଏ ଯାହାକୁ ସେ ଯେତେ କାନ୍ଦିଲେ ମଧ୍ୟ ଆଉ ଫେରିପାଏ ନାହିଁ । କାରଣ ସମୟ ଥରେ ବିତିଗଲେ ଆଉ ଫେରେ ନାହିଁ । ଯାହା ପାଖରେ ନିଜକୁ ସମର୍ପି ଦେବା କଥା ତା’ ଠାରୁ ଦୂରେଇ ରହି ପର ପୁରୁଷର ଆଶାରେ ଥିଲା ରଶ୍ମୀ। ସେ ନା ହେଇପାରିଲା ତା’ ସ୍ୱାମୀର, ନା ପ୍ରେମିକର ! 'ପଶ୍ଚାତାପ' ଯାହା ସାର ହେଲା !

 


Rate this content
Log in

Similar oriya story from Tragedy