Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil Kumar Parhi

Thriller Drama

2  

Anil Kumar Parhi

Thriller Drama

ବାଣପେଷା

ବାଣପେଷା

4 mins
7.2K


ଏ ଦୁର୍ଘଟଣା ବି ଘଟିଥିଲା ୧୯୯୯ ମସିହାରେ ଗାଁର ଆମ ଘରେ। ପ୍ରାୟ ଦୁଇମାସ ଧରି ଆମ ଘରଉପରେ ଟେକାମାଡ ହୋଇଥିଲା। ଓ ଟିଭି, ଇ ଟିଭିବାଲାଏ ବି ଯାଇଥିଲେ ଆମ ଘରକୁ। କେଉଁଠି କିଛି ନଥିବ ହଠାତ୍ ବଡବଡ ଶୂଳା, ଭଙ୍ଗା ଟାଇଲ ଅଜାଡି ହୋଇପଡିବ ଆମ ଘରଉପରେ। ଆମର ମାଟି ଘର। ଟାଇଲ ଛପର। କେହି ରହନ୍ତି ନାହିଁ। ଗାଁ ସ୍କୁଲର ଜଣେ ଶିକ୍ଷକ ରହୁଥିଲେ। ସଞ୍ଜ ହେବା ମାତ୍ରେ ପଡିବ ଟେକାପଥର। ଆଟୁ ଥିବା ଘର ଆମର। ଏମିତିକି ବନ୍ଦ କୋଠରୀ, ମଶାରୀ ଭିତରେ ପଡିବ ପଥର। ମୁଣ୍ଡ ଫଟେଇବ, ଭାତ ଥାଳି ଛିନ୍ ଛତ୍ର କରିଦେବ। ଅବିଶ୍ବାସ କରି ବଡଭାଇ ବାବୁନନା ସାଙ୍ଗରେ ଶ୍ରୀ ହନୁମାନଙ୍କ ଫଟୋନେଇ ଆମେ ପହଁଚିଥିଲୁ ଗାଁରେ। ବାବୁନନା ନୈଷ୍ଟିକ। ସେ ଗୋଡହାତ ଧୋଇ ହନୁମାନଙ୍କ ଫଟୋ ପାଖରେ ପୂଜା ସାରିଛି କି ନାହିଁ ଆରମ୍ଭହେଲା ପଥରମାଡ। ଛଅମାସ ଡରରେ ମୁଁ ଗାଁକୁ ଗଲିନି। ବାବୁନନା, ବଡନନା ହେରିକା ପ୍ରାୟ ଚାଳିଶ ହଜାର ଟଙ୍କା ଖର୍ଚ୍ଚ କଲେ ପୂଜା ଅର୍ଚ୍ଚନାରେ। ଦିନେ ମନକୁ ମନ ଟେକା ପଡିବା ବନ୍ଦ ହୋଇଗଲା।

ଟେକା ପଡିବା ସହିତ ଆମ ଘରର ପୁରୁଣା ସମ୍ପର୍କ। ବାବୁନନାର ବ୍ରତଘର ଅର୍ଥାତ ଆଜିକୁ ପ୍ରାୟ ଚାଳିଶ ବର୍ଷ ତଳେ ଟେକା ପଡିଥିଲା ଆମ ଘରେ। ଅବଶ୍ୟ ଏକାସାଙ୍ଗରେ ଟେକା ଗଜ ଘରେ ବି ପଡିଥିଲା। ସେତେବେଳେ ମୁଁ ମାତ୍ର ଆଠ କି ନଅ ବର୍ଷର। ଖରାଦିନ। ବାବୁନନାର ବ୍ରତଘର ସରିଯାଇଥାଏ। ବେଦି ଉପରେ କଦଳୀ ଗଛର ପତ୍ର ବି ଶୁଖିନଥାଏ। ଗାଁରେ ଆମ ସାରା ପରିବାର ରାଉରକେଲାରୁ ଯାଇ ରୁଣ୍ଡ ହୋଇଥାଏ। ଆମ ଘର ଆଗରେ ବିଲ। ବିଲ ଆଡୁ ଥଣ୍ଡା ପବନ ବହେ। ହେଁସ ପକେଇ ବଡନନା, ଛୁଆନନା, ବଡ ଭିଣେଇ, କକା ଆଉ ବାପା ବସନ୍ତି। କେତେ ଆଲୋଚନା ହୁଏ। ଆମ ସାନପିଲାମାନେ ପ୍ରଶସ୍ତ ବାରଣ୍ଡାରେ ବସି ବୁଢୀମା ଠାରୁ କଳା କଳେବର କହ୍ନେଇ ଗୀତ ଶୁଣୁ। ପରୀକ୍ଷା ସରିଯାଇଥିବାରୁ ପାଠର ଝିଂଝଟ ନଥାଏ। କୂଅର ଚାନ୍ଦିନୀ ଉପରେ ଶିବଦାଦି, ଜଗାଦାଦି , ମଉସା ବସି ମଶା ଘଉଡେଇବା ଉଦ୍ଦେଶ୍ୟରେ ଖୋର୍ଦ୍ଦା ଗାମୁଛାକୁ ପିଠି ଉପରେ ସଟ୍ସାଟ୍ କରି ପିଟୁଥାନ୍ତି। ଆମ ପିଲାଙ୍କର ଗୋଟେ ବଦଖୋଇ। ଯେତେ ଯିଏ ଗପ କହୁ କି କାଖଉକୋଳଉ ରାତିହେଲେ ଆମ ନଜର ବହର ଉପରେ ପଡିବ। ପଡିବା ମାତ୍ରେ ଆମେ ଦେଖିବୁ ଗୋଟେ ଆଲ ( ଆଲୁଅ ପିଣ୍ଡ ) ସେଠୁ ବାହାରିବ ଆଉ ଖସାଗଡିଆ ଗାଁ ପାଖ ଆମ ବିଲ ପାଣିଧାଡି ହୋଇ ବଗିଚା, କିମ୍ଭିରଆଢି ଦେଇ ଆମ ବିଲ ଅନ୍ତେଇପାଖ ଆମ ଆମ୍ବ ବଗିଚାରେ ଲିଭିବ। ସେ ଆଲ ଆମକୁ ପାଣିଧାଡି ପର୍ଯ୍ୟନ୍ତ ଦିଶେ, ଅନ୍ୟ ଗୁଡିକୁ ଆମେ ଅନୁମାନ କରିଥାଉ। ଗୁଡାଏ ଅତିଭୌତିକ ସ୍ଥାନ ଆମ ପାଢୀ ସାହିକୁ ଘେରି ରହିଥାଏ। କେତେବେଳେ ପାଣୁଆବାଡି ପାଖରେ ଝୁଲିବୁଢୀର ଭୂତ କୁହ୍ଲାପିଟେ, ଉମାସାଗର ପୋଖରୀଆଢିରୁ ଗର୍ଜନ ଶୁଭେ। ଗଢିଆ ପାଖ ବାଉଁଶବୁଦାରୁ ଖସ୍ ଖସ୍ ଆବାଜ ଆସେ। ରାତି ହେଲେ ପେଚାଟିଏ ଆମରି ଚାଳରେ ବସି ହୁଟ୍ ହୁଟ୍ କରେ। ବାହାରେ ନାରଣ ଶୋଇଥିବା ବେଳେ ମହାବଳ ବାଘ ତାକୁ ଚାଟି ଚାଲିଯାଏ, ଶୀତଦିନେ ପହ୍ଲପହ୍ଲ ହାତୀ ଆମ ଖଳାରୁ କଳେଇ ଖାଇଯାନ୍ତି, ଭାଲୁ ମହୁଲ ଖାଇବାକୁ ପତଡାରୁ ଗଡିଆସେ, ଗାଈର ଶବ ପାଖରୁ ଗର୍ଜନ ଶୁଭେ ଓ ବିଲୁଆମାନେ ଏକାଥରକେ ହୁକେହୋ ବୋବେଇପକାନ୍ତି। ଇଏ ଆମାଜନ ନଦୀ ପାଖର ଜଙ୍ଗଲ ନୁହେଁ ତ କଣ! ଘର ଭିତରେ ଆମ ମାଟୁରେ କିଏ ଦୁଲ୍ ଦୁଲ୍ ଚାଲେ। ମରେଇ ଭିତରେ ଫଁଫଁ ଶବ୍ଦ ଶୁଭେ ଖରାଦିନେ ଡରନାହିଁ।

ଚାରିଆଡେ ଲୋକ ସାଲୁବାଲୁ। ଠିକ୍ ଏମିତି ଗୋଟିଏ ରାତିରେ ଶିଳାମାଛର ଖଟା, କଲରାଭଜା, ଶାଗ, ପଖାଳ ଖାଇବା ଆଗରୁ ପ୍ରଥମ ଶୂଳାଟି ପଡିଲା ଆମ ଚାଳଛପର ଘର ଉପରେ। କେହି ଚପଳମତି ଦୁଷ୍ଟ ବାଳକର କାମ ଭାବି କେହି ନିଘା କଲେନି। ଦ୍ବିତୀୟ ଟେକାରେ ବାପା କି କକା ପାଟିକଲେ - କିଏ ସେ ଦୁଷ୍ଟପିଲା ରେ! ତୃତୀୟ, ଚତୁର୍ଥ, ପଞ୍ଚମ ଟେକା ଭିତରେ ସମସ୍ତେ ଜାଣିଯାଇଥିଲେ ଯେ ଏ କାମ ଦୁଷ୍ଟ ପିଲାର ନୁହେଁ। ଅନୁସନ୍ଧାନ ପରେ ଏକଥା ବି ଦେଖାଗଲା ଯେ ଟେକାରେ ସିନ୍ଦୂର ଲାଗିଛି।

ଏଣୁ, ବାଣପେଶା କଥା ମନକୁ ଆସିଲା। ସାରା ସଂସାରରେ ଶତୃ ବୋଇଲେ ଗଜଘର ଆମ ଶତୃ। ତାଙ୍କ ପ୍ରତି ପ୍ରଥମ ସନ୍ଦେହ ଆସିଲା। ହେଲେ ମାତ୍ର ଦଶମିନିଟ ପରେ ତାଙ୍କ ଘର ଉପରେ ବି ଟେକା ପଡିଲା। 

ଶିଳାମାଛ ଖଟାରେ ପିମ୍ପୁଡି ଲାଗିଗଲେ, ଛୁଞ୍ଚୁଣୀ ଶାଗ ଟେଳା ହୋଇଗଲା, ପଖାଳ ଜିଆଖାଡିଆ ହୋଇଗଲା। ବିଚାର ଚାଲିଲା କିଏ ଆମ ଶତୃ ତାହେଲେ! ମୁଁ ବୋଧେ ଗୋଟେ ଟେକା ଉଠେଇ ଟେକା ଆସୁଥିବା ଦିଗକୁ ଫୋପାଡିଥିଲି। ତକ୍ଷଣାତ୍ ସେହି ଆଡୁ ଟେକାଟିଏ ଏକଦମ ମୋ ମୁଣ୍ଡଛୁଇଁ ମୋ ପାଖରେ ପଡିଲା। ମୁଁ ଜୋରରେ ଚିତ୍କାର କଲି।

ସେଦିନ ନା ଠିକରେ ଖାଇହେଲା ନା ଶୋଇହେଲା। ପରଦିନ ସଂଧ୍ୟାକୁ କିଛି ଭାବୁଥାନ୍ତି ଟେକା ପଡିବ, ଆଉ କିଛି ପଡିବନି। ହେଲେ, ସଂଧ୍ୟା ସମୟରେ ପୁଣିଥରେ ଟେକା ପଡିବା ଆରମ୍ଭ ହେଲା। ଆମ ବଡ ଭିଣେଇ ଭାରି ସାହସୀ। ଛୁଆନନା ବି। ସେମାନେ ରାଉରକେଲାରେ ରହନ୍ତି। ଭୂତପ୍ରେତର ବିଶ୍ବାସ ନାହିଁ। ବଡନନା ଆଉ କୁନିନନା ମୋ ପରି ଡରୁଆ। ଭିଣେଇ, ଛୁଆନ୍ନା ଆଉ ଗାଁର କିଛି ଲୋକ ବାହାରିଲେ ବହର ଆଡକୁ, ଯେଉଁଠୁ ସେହି ରହସ୍ୟମୟ ଆଲ ବାହାରେ। ସେମାନଙ୍କ ଧାରଣା ଥିଲା ବହର ପାଖ ହଳବିଲରୁ କିଏ ଜାଣିଶୁଣି ଟେକାମାରୁଛି। ଆଲକୁ ତାଙ୍କର ଡର ନାହିଁ। ସେ ଆଲ କୁଆଡେ ବିଲୁଆ ପାଟିରୁ ବାହାରୁଥିବା ଫସଫରସ୍!

ଏହି ଅବସରରେ ମନମଥିଆ, ଗଜ, ପୁନିଆ ଆଦି ଆମେ ଏକାଠି ହୋଇଗଲୁ। ମନମଥିଆ ତକ ( ବାଜି ) ମାରିଲା ଯେ ଚରା ଡାହାଣୀ ହାବୁଡରେ ପଡି ନିଶ୍ଚେ ମୋ ଭିଣେଇ ଆଉ ଛୁଆନ୍ନା ମରିବେ। ମୁଁ ସିନା ତକ ମାରିଥିଲି, ହେଲେ ମୋତେ ଲାଗୁଥିଲା ମନମଥିଆ କଥା ସତ ହେବ! ସେମାନେ ଗୋଟେଗୋଟେ ଟର୍ଚ୍ଚ ନେଇ ଗୁପ୍ତ ଭାବରେ ନିଷ୍କ୍ରାନ୍ତ ହୋଇଗଲେ। ଆଲ ବାହାରୁଥିବା ବରଗଛ ଉପରେ ଜଗି କି ବସିଲେ, ହେଲେ କାହାକୁ ଧରିପାରିଲେନି। ଟେକା ପଡିବା ଅବ୍ୟାହତ ରହିଲା। ହେଲେ ମୋ ପାଇଁ ଆଶ୍ବାସନାର କଥା ଥିଲା ଯେ ସେମାନେ ଜୀବିତ ଫେରିଆସିଲେ।

ପରଦିନ ମନମଥିଆ କହିଲା - ଜାଣିଛୁ, ମୋ ବୋଉ କହୁଥିଲା ତମ ଦାଣ୍ଡରୁ କଳା ଶାଢି ପିନ୍ଧି ଜଣେ ଝାମ୍ପୁରୀ ମୁଣ୍ଡି ଆସିବାର ସେ ଦେଖିଛି। ଗୋଟେ ମୁଣ୍ଡ ନବ। ତାପରେ ଏ ଟେକାପଡିବା ବନ୍ଦ ହେବ। ମୁଁ କହିଲି - ଗଜ ଘରୁ ନେବ। ଗଜ କହିଲା - ତୋ ବୁଢୀମା ମରିବ। ମନମଥିଆ କହିଲା- ଚୁପକର। ତମେମାନେ ଆଜିଠୁଁ ଏକ ଘରକିଆ ହେଇଗଲ। ତମକୁ ଛୁଇଁଲେ ଆମଘରେ ବି ଟେକା ପଡିବ। ଏବେ ତମ ସାଙ୍ଗରେ ଖେଳ ବନ୍ଦ। ସେମାନେ ଗଜକୁ ମତେ ଛାଡି ଫେରିଗଲେ। ଆମେ ଏକୁଟିଆ ହୋଇଗଲୁ। 

ପୂଜା ଚାଲିଲା। ମା ଘିଅ ଘଡିରେ ବାବୁନନା ବ୍ରତଘର ପରେ ବାକୀ ଥିବା ଘିଅକୁ ନରକ ( ନର କକ - ନର କକା ), ଆଭ ପୁରୋହିତକୁ ଡାକି ହୋମ କଲା। ଚଣ୍ଡୀପାଠ ହେଲା। ଟେକା ପଡିବା ବନ୍ଦ ତ ହେଲାନାହିଁ ବରଂ ଆମର ଦାମୁଡିଆଟିଏ ବିନାରୋଗରେ ମୃତ୍ୟୁଲାଭ କଲା। ଗଜଘର ବାଛୁରୀଟିଏ ମଲା। ପାଢୀ ସାହିରେ ବିଶ୍ବାସ ଯେ ଯିବ ଯଦି ତିନିମୁଣ୍ଡ ଯିବ। ଦୁଇମୁଣ୍ଡ ଯାଇସାରିଲାଣି। ତୃତୀୟଟି କହାର! ପ୍ରାୟ ସାତଦିନ ଏ ଅବସ୍ଥା। ଦିନେ ବାପା, ବୁଧିଆକକା, କାର୍ତ୍ତିକାକକା ବାହାରିଲେ ବାଲେଶ୍ବର। ବାଲେଶ୍ବରରେ ଭୂତମାନଙ୍କୁ କାନଧରି ଉଠାବସା କରୁଥିବା ବିଖ୍ୟାତ ଗୁଣିଆ ବାବୁ ଶତପଥୀ। ସଂଧ୍ୟାରେ ସାଧନ ନେଇ ଫେରିଲେ। ବାପା ମା କୁ କହୁଥିବାର ଶୁଣିଲି - କେହିଜଣେ ବାଣ ପେଷିଛି। ନୂଆନୂଆ ବାଣପେଷା ଶିଖୁଛି। ରାତି ଅଧ ବେଳକୁ ବାପା, ବୁଧିଆକକା,ଭିଣେଇ, ଛୁଆନନା, ଶୁକମାମୁଁ ବାହାରିଗଲେ ତିନିଛକି ଜାଗା ବେହେରା ସାହି ପଡିଆ ପାଖକୁ। ଆମେ ସେତେବେଳକୁ ଶୋଇପଡିଥାଉ। ଶୁକମାମୁ କାଳେ ଗୋଟେ କଳା ଗଞ୍ଜା ନେଇଥିଲା ସାଙ୍ଗରେ। ସେ ହେଲା ତୃତୀୟ ମୁଣ୍ଡ। ତା ପରଦିନ ଠୁଁ ସତରେ ଆଉ ଟେକା ପଡିଲାନାହିଁ।

ଅନୀଲ କୁମାର ପାଢୀ


Rate this content
Log in

Similar oriya story from Thriller