Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅସ୍ପଷ୍ଟ ସତ୍ଯ
ଅସ୍ପଷ୍ଟ ସତ୍ଯ
★★★★★

© Kalyani Nanda

Tragedy

4 Minutes   86    0


Content Ranking


ଶିତ ସକାଳ। ଖରା ଆସିଲାଣି। କୁହୁଡ଼ିର ଚାଦର ଧିରେ ଧିରେ ଅପସରି ଯାଉଛି । ରାସ୍ତାଘାଟରେ ଧିରେ ଧିରେ ଗହଳି ବଢୁଥାଏ । ସେ ପାଦ ବଢାଇଲା ଶୀଘ୍ର ଶୀଘ୍ର । ତା କାମଟା ଯେ ସଫଳତାର ସହ ସାରିବାକୁ ହେବ ।ଆଜି ପ୍ରଥମ ଭାବରେ କୌଣସି ଦାୟିତ୍ବ ପୂର୍ଣ୍ଣ କାମ ତାକୁ କରିବାକୁ ହେବ । ପାଦ ତାର ଚଂଚଳ ।ତା ସାଥେ ମନ ବି ଚଂଚଳ।ନା, ତାକୁ ସ୍ଥିର, ଶାନ୍ତ ରହିବାକୁ ହେବ । କିନ୍ତୁ ମନ ର ଚଂଚଳତ।,ବ୍ୟାକୁଳତା, ତା ଆଖିର ଚାହାଣୀ , ତା ମୁଖ ମଣ୍ଡଳ ରେ ପରିଷ୍କାର ବାରି ହେଇ ଯାଉଥାଏ । ଶିତ ସକାଳରେ ବି କାନ ପାଖରୁ ତାର ଝାଳ ନିଗିଡି ପଡୁଥାଏ ।ଶୀଘ୍ର ଶୀଘ୍ର ପାଦ ବଢାଇଲା ସେ । 18 ବର୍ଷର ଗୋରା ଦେହ, ମଥାରେ କଳା, କୁଂଚୁ କୁଂଚିଆ ଗହଳ ବାଳ। ଆଖିରେ ନୀରିହତାର ଛାପ । ହାତରେ ଗୋଟିଏ ବ୍ୟାଗ । ବଜାର ଛକ ପାଖରେ ଛିଡା ହୋଇ ଚାରିଆଡେ ସେ ନଜର ଘୁରାଇଲା।

ବଜାର ର ଦୋକାନ ସବୁ ଖୋଲି ଗଲାଣି। ଲୋକ ଗହଳି ବଢୁଥାଏ ।ସେ ଭାବୁଥାଏ, ବ୍ୟାଗ ଟିକୁ ନିର୍ଦ୍ଦିଷ୍ଟ ଜାଗାରେ ରଖିଦେଲା ପରେ ଯାଇ ସେ ନିଶ୍ଚିନ୍ତ। ଅଟୋ ରିକ୍ସା ସବୁ ଟ୍ୟାକ୍ସି ଷ୍ଟେଣ୍ଡ ପାଖରେ ଧାଡି ହୋଇ ରହିଛି ।ତା ପାଖରେ 6/7ଟି ରିକ୍ସା । ଅଟୋବାଲା ସବୁ ଆସି ନ ଥାନ୍ତି।

ସେ ଆଗେଇ ଗଲା ସିଆଡେ। ବଜାରର ଗହଳି, ଗାଡି,ମୋଟର ର ପେଁ ପାଁ , ପାଟିତୁଣ୍ଡ ବଢୁଥାଏ।ସେ ତର ତର ହୋଇ ଫେରିବାକୁ ଲାଗିଲା। ଏବେ ତା ମୁହଁରେ ଆଉ ଆଗ ଭଳି ବ୍ୟସ୍ତତା, ବ୍ୟାକୁଳତା ନ ଥିଲା। ବରଂ ଓଠ ରେ ତାର ଲାଗିଥିଲା ଏକ ପୈଶାଚିକ ହସ। ହୋ, ହୋ ହୋଇ ଜୋର ରେ ହସିବାକୁ ମନ ହେଉଥିଲା ତାର । ହାତ ଦୁଇଟିକୁ ତା ଦେଖିଲା । ସତ ରେ ତା ହାତ ଏକ ଅସାଧାରଣ କାର୍ଯ୍ଯ କରି ପାରିଛି । ପୁଣି ଥରେ ବଜାର ଆଡେ ନଜର ବୁଲାଇ ଆଣିଲା । ବଜାର, ରାସ୍ତା ଏବେ ବି ବ୍ଯସ୍ତ । ବୁମ୍ ........ ଏକ ବିରାଟ ଗର୍ଜନରେ ଚତୁର୍ଦ୍ଦିଗ କାପି ଉଠିଲା । ତାପରେ ସବୁ ସ୍ତବ୍ଧ, ନିଶ୍ଚଳ, ନିଶବ୍ଦ ।ସେ ବି ସ୍ତବ୍ଧ, ନିଶ୍ଚଳ ହୋଇଗଲା କିଛି ମୁହୁର୍ତ୍ତ ପାଇଁ।କିନ୍ତୁ ଖୁବ ଶୀଘ୍ର ଅଦ୍ଭୁତ କୋଳାହଳ ମୟ ହୋଇ ଉଠିଲା ସେଇ ଜାଗାଟି। ଚତୁର୍ଦିଗ ଆର୍ତ୍ତ ଚିତ୍କାର, କ୍ରନ୍ଦନ, ଆଉ ଧୂଆଁ ଧୂଆଁ ରେ ଭରି ଉଠିଲା ସେଇ ବଜାର ସ୍ଥଳ।ଧୂଆଁ ପରିଷ୍କାର ହେଲା ପରେ ସେଠାକାର ଭୟାବହ,ହୃଦୟ ବିଦାରକ ଦୃଶ୍ଯ ଯାହାକୁ ହେଲେ ବି ସ୍ତବ୍ଧ କରିଦେବ।ସେ ବି ତ ସ୍ତବ୍ଧ, କିଂକର୍ତ୍ତବ୍ଯ ବିମୁଢ ହୋଇ ନିଜ ଜାଗାରେ ବହୁ ସମୟଧରି ଛିଡା ହୋଇ ରହିଥାଏ। ଏ କଣ ଦେଖୁଛି ?ରକ୍ତର ଯେମିତି ହୋରି ଖେଳ ହୋଇଛି । ରକ୍ତ ଧାରରେ ସମଗ୍ର ଭୂଇଁ ଲାଲ ହୋଇଯାଇଛି। ଛୁଆ, ବୁଢା, ଯୁବକ, ଯୁବତୀ, ସ୍ତ୍ରୀ ଲୋକଙ୍କ ଖଣ୍ଡିଆ ଖାବରା ଶରୀର, ବିଦୀର୍ଣ୍ଣ ଶରୀର ରୁ ରକ୍ତ ର ଧାର ଛୁଟିଛି।ମୃତ ଶରୀର ଗୁଡିକ ର ଭୟଙ୍କର ଅବସ୍ଥା କେବଳ ହୃଦୟ ବିଦାରକ ନୁହେଁ, ଛାତି ଦୋହଲାଇ ଦେଉଥାଏ।କାହା ଶରୀର ଟୁକୁଡ଼ା ଟୁକୁଡ଼ା ହୋଇ ଇତସ୍ତତଃ ଭାବରେ ପଡିଛି ତ କାହାର ଗୋଡ ନାହିଁ, ଆଉ କାହାର ହାତ ନାହିଁ। ଶରୀର ର ମାଂସ ଖଣ୍ଡ ସବୁ ଇଆଡେ ସିଆଡେ ଛିଞ୍ଚାଡି ହୋଇ ପଡିଛି। ଆଉ ସେ ଦେଖି ପାରିଲାନି। କଣ ଏ ସବୁ ଦେଖିବ ବୋଲି ସେ ତା କାର୍ଯ୍ଯ ଆରମ୍ଭରୁ ଏତେ ଖୁସି ହେଉଥିଲା ? ହଁ ତ, ସେ ବ୍ୟାଗ ରେ ଆଣିଥିବା ଟିଫିନ ବମ୍ ବ୍ଲାଷ୍ଟିଂ ଯୋଗୁଁ ତ ଏଇ ଅବସ୍ଥା । ଲୋକେ ଦୌଡ଼ା ଦୌଡି କରି ନିଜ ଆତ୍ମୀୟସ୍ବଜନ ଙ୍କୁ ଖୋଜୁଥାନ୍ତି।କିନ୍ତୁ ଏମିତି ଅବସ୍ଥାରେ କେମିତି ଜାଣିବେ ସେମାନେ, କିଏ ତାଙ୍କ ନିଜ ଲୋକ ?

ଚିହ୍ନିବେ କେମିତି ? ଲୋକଙ୍କ ବିକଳ କାନ୍ଦଣା, ଚିତ୍କାର, ଅସହାୟତା ଦେଖି ସେ ସ୍ତବ୍ଧ ହୋଇ ଯାଇଥିଲା। କଣ ସେ କଲା ?କାହିଁକି କଲା ? କଣ ଲାଭ ପାଇଲା ସେ ?କାହାର ଘର, ପରିବାର ଉଜାଡି ଦେଇ କି ଲାଭ ପାଇଲା ସେ ? କି ଶାନ୍ତି ମିଳିଲା ତାକୁ ? ମୁଣ୍ଡ ତାର ଗୋଳମାଳ ହେଇ ଯାଉଥାଏ ।କଣ କରିବ ଭାବି ପାରୁ ନଥାଏ ସେ। ଧିରେ ଧିରେ ପାଦ ପକାଇ ସେଇ ଆଡକୁ ଆଗେଇ ଗଲା ସିଏ। କୁଢ କୁଢ ମୃତ ଶରୀର।ଇତସ୍ତତଃ ଛିଟିକି ପଡିଥିବା ରକ୍ତ, ମାଂସର ଲୋଥଡା । ଉଫ୍..., ଆଉ ପାରିବନି ଦେଖି ।ଏତିକି ବେଳେ ତା ଦୃଷ୍ଟି ପଡିଲା ଯାଇ ଗୋଟିଏ 6/7 ବର୍ଷର ଛୁଆ ଉପରେ । ଛୁଆଟିଏ ନିଷ୍ପଲକ ଭାବେ ତଳକୁ ଚାହିଁ ରହିଥାଏ। ତା ଗୋଡ ପାଖରେ ଜଣେ ଲୋକ କ୍ଷତବିକ୍ଷତ ଅବସ୍ଥାରେ ପଡିଥାଏ ।ଛୁଆଟା ଏକ ଲୟରେ ସେ ଲୋକଟି ଆଡେ ଦେଖୁଥାଏ। ସେ ଛୁଆଟିଏ ପାଖକୁ ଯାଇ ତା ପାଖରେ ବସି ପଡିଲା। ଛୁଆଟିକୁ ସେଇ ଅବସ୍ଥାରେ ଦେଖି ସେ ନିର୍ବାକ ହୋଇଯାଇଥାଏ ।

ଛୁଆଟିଏ ବହୁତ ସମୟ ପରେ ଯେତେବେଳେ "ବାବା" ବୋଲି , ଡାକିଲା, ସେ ଚମକି ପଡିଲା। ଆଖି ଆଗରେ ତା ଭାସି ଉଠିଲା ଦଶ ବର୍ଷ ତଳର ସେଇ ଭୟଙ୍କର ରାତ୍ରିର ଘଟଣା। ଯେଉଁ ରାତ୍ରିର ଅନ୍ଧକାର ତାଙ୍କ ପରିବାରକୁ ଅନ୍ଧକାର ର ଗର୍ତ୍ତ ଭିତରକୁ ଫିଙ୍ଗି ଦେଇଥିଲା। କେତେକ ମୁଷ୍ଟିମେୟ ଲୋକଙ୍କ ବର୍ବର ଆକ୍ରମଣରେ ତା ବାବାର ରକ୍ତାକ୍ତ ଶରୀର ନିର୍ଜୀବ,ଅସାଢ ପାଲଟି ଯାଇଥିଲା। ମାଁ ତାର କାନ୍ଦି କାନ୍ଦି ସମସ୍ତଙ୍କୁ ସାହାଯ୍ଯ ମାଗୁଥାଏ, କିନ୍ତୁ କେହି ହେଲେ ତାକୁ ସାହାଯ୍ଯ କରି ନଥିଲେ।ସେଇ ରାତି ଆଉ ଆଜି ।

ସେ ଥିଲା ସେତେବେଳେ 8ବର୍ଷ ର ଛୁଆ ଆଉ ଏବେ ସିଏ 18ବର୍ଷର ଯୁବକ ।ଏକ ସୁନ୍ଦର ଭବିଷ୍ୟତଟିଏ ଗଢି ପାରିଥାନ୍ତା ସିଏ।କିନ୍ତୁ ପ୍ରତିଶୋଧ ପରାୟଣ ହୋଇ ଯେଉଁ ପଥ ସେ ବାଛିନେଲେ, ସେଇଟା କଣ ଠିକ୍ ରାସ୍ତା ?ଲଥ୍ କରି ହାତ ଥାପି ବସି ପଡିଲା ସେ ସେଇଠି।

ଆହତଙ୍କ କରୁଣ ଚିତ୍କାର,କ୍ରନ୍ଦନର ସ୍ବର ତାକୁ ବ୍ଯତିବ୍ଯସ୍ତ କରି ପକାଇଲା।ତା ହାତ ଦୁଇଟିକୁ ଦେଖିଲା।ଇସ୍ , ଇଏ କଣ ହୋଇଛି ? ରକ୍ତ ଭିଜା ମାଟିର ଧୂସର ରଂଗରେ ତା ହାତ ପାପୁଲି ଦୁଇଟି କି ଭୟଙ୍କର ଲାଗୁଛି ।ଚାରିପଟେ ଆଉ ଥରେ ଦେଖି, ସେ ଛୁଆଟିକୁ କୋଳରେ ନେଇ ଦୌଡିଲା ସେଇ ପଟେ, ଯୁଆଡେ ସ୍ବେଚ୍ଛାସେବୀ , ପୋଲିସଙ୍କ ଦ୍ବାରା ମୃତବ୍ୟକ୍ତି ଙ୍କ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖୁଥିଲେ। ସ୍ବେଚ୍ଛାସେବୀ ଙ୍କସାଥିରେ ମିଶି ମୃତ ଶରୀର ଓ ଆହତ ବ୍ଯକ୍ତିଙ୍କ ସେବାରେ ଲାଗି ପଡିଲା ସିଏ । ଦିନ ତମାମ ସେ ପାଗଳଙ୍କ ପରି ଆହତ ବ୍ଯକ୍ତିଙ୍କ ସେବାରେ ଲାଗିଥାଏ। ସନ୍ଧ୍ଯା ନଇଁ ଆସୁଥାଏ।ଅସ୍ତ ଗାମୀ ସୂର୍ଯ୍ଯ କିରଣରେ ତା ହାତ ଦୁଇଟିକୁ ପୁଣିଥରେ ଚାହିଁଲା । କିନ୍ତୁ ଏବେ ଯେ ତା ହାତରେ ସେଇ କଦର୍ଯ୍ୟ ଧୂସର ରଂଗ ଆଉ ନାହିଁ । ମନ ବି ତାର ଶାନ୍ତ, ସ୍ଥିର । ସେ ତା ହାତକୁ ଦେଖୁଥାଏ । ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ । ହାତ ର ରେଖା ସବୁ ସେଇ ଲୁହରେ ଧୋଇ ହୋଇ ସ୍ପଷ୍ଟ ଓ ଉଜ୍ଜ୍ବଳ ଦେଖାଯାଉଥାଏ ।


କଲ୍ଯାଣୀ ନନ୍ଦ,

କଲ୍ଯାଣନଗର, ବୁଢାରଜା,ସମ୍ବଲପୁର, ଓଡିଶା ।

ଲୁହ ଭବିଷ୍ୟତ କ୍ରନ୍ଦନ

Rate the content


Originality
Flow
Language
Cover design

Comments

Post

Some text some message..