Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅକାଳ କୁଷ୍ଣାଣ୍ଡ
ଅକାଳ କୁଷ୍ଣାଣ୍ଡ
★★★★★

© Pramod Kumar Jena

Tragedy

6 Minutes   517    55


Content Ranking

ଏମିତି ନବାବ୍ ପିଲାଟା ତ । ପୁରୁଣା ସାର୍ଟ୍ ପିନ୍ଧିଲେ ୟାର ଜାତି ପଳୋଉଛି । ମାଆର ପଛେ ଗାଣ୍ଡି ନୁଚେଇବାକୁ କପଡା ନାହିଁ । ପୁଅର ଆଡ୍ଡା ଦେଖ । ଏତେ ଯଦି ନାଜ ମାଡୁଛି ପଳେଇ ଆସୁନୁ । ଏ ପୋଡା ପାଠ ପଢାରୁ କି ନାଭ ମିଳିବ ? ବୋପା ଭଳିଆ ମୂଲ ନାଗିଲେ ହେଲେ ଘରକୁ ଦି ପଇସା ଆସିବ । ମୁଁ କେତେ ଆଉ ପର ଘରେ ମାଗି ମାଗି ଚଳିବି ? ପୁଅକୁ ନାଜ ମାଡୁଛି ।

କହି କହି ନେତ ଖୁଡି ବାହାରି ଆସିଲା ତାଙ୍କ ଘରୁ । ପଚାରିଲି,

: କ’ଣ ହେଲା ଖୁଡୀ ? କାହାକୁ ଏତେ ଭାଷଣ ଦେଉଛ ?

ମୋତେ ଦେଖି ଟିକିଏ ଚୁପ୍ ହୋଇଗଲେ ଖୁଡି । ପାଖକୁ ଆସି କହିଲା,

: କାଲି ରାତିରେ ପୁଅ ଆଇଛି । କହୁଛି ନୂଆ ସାର୍ଟ୍ କିଣିବ । ତା’କୁ ତା’ ସାଙ୍ଗମାନେ କୁଆଡେ ଚିଡୋଉଛନ୍ତି । ହଇରେ ପୁଅ, ସେମାନେ ବଡ ବଡ ଘରର ପିଲା । ୟାକୁ କାହିଁକି ନାଜ ମାଡୁଛି ? ୟା ବୋପା କ’ଣ ଲାଟ୍ ସାହେବ୍ ଥିଲା ଯେ ଚିଡେଇଲେ ଇଜ୍ଜତ ପଳୋଉଛି ?

କଥାଟା ବୁଝି ନେଲି । କେଶବ ଆସିଛି । ଏବେ କଲେଜରେ ନାଆଁ ଲେଖେଇଛି । ଆଜିକାଲିକା ପିଲା । କାହା ପାଖରେ ମୋଟର୍ ସାଇକେଲ୍ ଓ କାହା ପାଖରେ ଦାମିକିଆ ମୋବାଇଲ୍ । ବିଚରା ନୂଆ ସାର୍ଟ୍ ପାଇଁ ମାଆକୁ କହୁଛି ଯେ ଖୁଡୀ ଏତେ ପାଟି କରୁଛି ।

: ପିଲାଟା ତ ଭଲ ପାଠ ପଢୁଛି । କିଛି ସରକାରୀ ସାହାଯ୍ୟ ମିଳିବା କଥା । ତୁମେ ତ.....

: ନାଇଁରେ ବାପା ! ତା’ ବାପା ପରା ସାମନ୍ତରା । ବାପା ଅଜା କେତେବେଳେ ଖଣ୍ଡା ଧରୁଥିଲେ ଯେ ଏବେ ତ କୁଣ୍ଡା ପାଛୁଡି ଦିନ ଯାଉଛି ।

‘ସା’ନ୍ତେରା ନା ସାନ୍ତେରା

ଗାମୁଛା ଚିରା

ଭଙ୍ଗା ଶଗଡରେ

ଛେରା ପହଁରା ’

ପଚାରିଲି, ତା’ ମାନେ କ’ଣ ?

: ମୁଁ ମୁରୁଖ ନୋକ । ଯାହା ପାଟିକୁ ପଳେଇ ଆସିଲା କହିଦେଲି ।

ହଇରେ ପୁଅ ! ତା’ ବୋପାତ ମଲାଣି । କୋଉ କାଳରୁ ଘର କାନ୍ଥ ତ ଭାଙ୍ଗିବ ଭାଙ୍ଗିବ ହେଉଛି । ନା ବିଲବାଡି ଅଛି ନା ତୋଟା...... ସେ ସାନ୍ତେରା ପଦରୁ ଆମକୁ କ’ଣ ମିଳିବ ? ମୁଁ ତ ନେତ ଦେଇ । ଓଳିଏ ଖାଇଲେ ଓଳିଏ ଉପାସ । ସେ ସାନ୍ତେରାରୁ କ’ଣ ମିଳିବ ? ଆର ସାହିର ନୋକା । ତା’ ପୁଅର ଚାକିରି । ତା’ ଝୁଅର ଚାକିରୀ । ତାଙ୍କ ପିଲାଙ୍କୁ ବହି ବସ୍ତାନି । ସାଇକେଲ୍ । ଛତା । ଆଉ ମୋ ପିଲା କ’ଣ ନିଆଁରେ ମୁତି ଥେଲା ? ତାଙ୍କର କୋଠା ଘର । ସେ ପାଇବେ । ମୋର ଛପର ନାହିଁ । ଆମକୁ ଦଇବ ସାହା । କି କଥା । କୋଉ ସରକାର ଏଇ ନିଆୟ କରିଛି କହିଲ ? ତା’କୁ କହିଲି ହେତିକି ପାଠ ପଢେ । ଏଥର ଚାକିରି ବାକିରି କରେ । କହିଲା କ’ଣ ନା ହେତିକିରେ କିଛି ଚାକିରି ମିଳିବନି । ହଇଏ ପୁଅ ! ତାଙ୍କ ପୁଅ ଝିଅଙ୍କୁ ତ ଅଳପ ପାଠ ପଢା ଚାକିରି ମିଳୁଛି । ୟାକୁ କାହିଁକି ମିଳିବନି ?

କ’ଣ କହିବି ତା’କୁ ? କଥାଟାକୁ ବୁଲେଇକି କହିଲି, ଆଉ ଟିକିଏ ଅଧିକା ପାଠ ପଢିଲେ ଭଲ ଚାକିରି କରିବ ।

: ଅଧିକା... ଅଧିକା କିଏ ପଢେଇବ ? ତା’ ବୋପା ସରଗରୁ ଆସିବ ? ମୁଁ କୋଉଠୋଉ ପଇସା ଆଣିବି ?

: କାହିଁକି ? ତୁମକୁ ତ ସରକାର ବହୁତ କିଛି ଦେଉଛି । ଇନ୍ଦିରା ଆବାସ..... ବାର୍ଷିକ ଭତ୍ତା.........

: ଭତ୍ତା..... ନା ବଇଶମ ହର ଛତା । ଦିନ ଯାକ ପଡିଆ ହେଇକି ପଞ୍ଚେଇତ ଅଫିସି ଯାଇ ଦିନ ଯାକ ନାଁଇନି ନଗେଇଲେ ଯାଇ ଶହେ କି ଛ କୋଡି ମିଳିବ ବୋଲି ରତନୀ ମାଆ

କହୁଥେଲା । ଆମ ନାଆଁ ପରା ଉଠିନି । ଆର ଥରକୁ ଉଠିବ ବୋଲି ମେହେମ୍ବର କହିଲେ ।

ଗାଆଁ ଗହଳିରେ ଭୁବନେଶ୍ୱର ଅପେକ୍ଷା ବେଶି ରାଜନୀତି । ନ ପଚାରିବା ଭଲ । ଭାବିଲି । ପୁଣି କହୁ କହୁ ବୁଢୀ ଆଉ କ’ଣ କହି ବସିବ , କିଏ ଶୁଣିଲେ, ଯାହା ନାଆଁଟା ଚଢିବାର ଥିବ, ବନ୍ଦ ହୋଇଯିବ ।

: ପାଠ ପଢିବ କି ବାନା ଉଡେଇବ କେଜାଣି ? ଗଜା ମୁରୁଖଗୁରାକ ସୁରଟ ଯାଇକି ଗାଆଁରେ ପକ୍କା ଘର କଲେଇଁ । ତଳ ସାହିଟା ଯାକ ଲୋକ କଲିକତାରେ । ପଇତା ପକେଇ ରୋଷେୟା । ଆଉ ତିଆଡି ଘର ପଇତାପକା ପୁଅ ଭୋବନିଶୋରରେ ସୁହା ସୁହା କରି ନାଖେ ନାଖେ ଟଙ୍କା କମୋଉଛି । ଆକୁ କ’ଣ ଦୁଶୁନି ? ଆରେ ମୁଁ ଆଉ ପଇସା କୋଉଠୁ ଆଣିବି ?

ଭାବିଲି ବୁଢୀ ବହୁତ ଚାଲାକ । ଗାଆଁ ଯାକର ଖବର ରଖିଛି । କହିଲି -

: ଗାଆଁ ଯାକର ହିସାବ ଛାଡ । ତୁ ତୋ’ ପୁଅ କଥା ଚିନ୍ତା କର ।

: ତା’ରି ପାଇଁ ତ ମୁଣ୍ଡଟା ବୁଲୋଉଛି । ହଉରେ ପୁଅ ! ଗୋଟେ ତୁମର ପୁରୁଣା ସାର୍ଟୁଟେ ଦିଅନ୍ତୁନି ?

ଖୁଡୀ ବୁଝୁନି ଯେ, ସେ କ’ଣ ଆଉ ପୁରୁଣା ସାର୍ଟ୍ ପିନ୍ଧିବ ?

: ଆଉ କ’ଣ ମୋର ଧାମ ଅଛି ? ବସ୍ତେ ଚାଉଳ ପାଛୁଡିଲେ ଦି କୋଡି ମିଳୁଛି । ସେଥିରୁ ମୁଁ କେତେ ଖାଇବି ? ଆଉ ତା’କୁ କେତେ ଦେବି ? ବୋପା ତ ଖଟି ଖଟି ମଲା । ମାଆଟା ମରିଗଲେ ଯାଆନ୍ତା । ମୁଣ୍ଡରେ ହାତ ଦେଇ ବୁଢୀ ବସିଲା ।

ଭାରି ଦୟା ଲାଗିଲା । ପାଖରେ ବି ମୋର ବେଶି ଟଙ୍କା ନ ଥିଲା । ତେବେ 100 ଟଙ୍କାଟେ ବାହାର କରି ବୁଢୀକୁ ଦେଲି । କହିଲି

: ଏଇଟା ତା’କୁ ଦେଇଦେବ । ସେଇଥିରେ ଯେମିତିଆ ସାର୍ଟ୍ ହେବ କିଣିଦେବ ।

ଖୁସି ହୋଇ ବୁଢୀ ନୋଟଟି ଧରି କହିଲା, ତମରି କାମ କରି ଶୁଝି ଦେବି ।

: ନାଁ ନାଁ କିଛି ଶୁଝିବା ଦରକାର ନାହିଁ ।

: ନାଇରେ ବାପା । କେତେ ଥର ଦେଲଣି । କ’ଣ କରିବି ? ଦୁଃଖ କାହାକୁ ଜଣେଇବି ? କୋଟି ପରମାୟୁ ଠାକୁରେ ଦିଅନ୍ତୁ ।

ପୁଣି କହି ଚାଲିଥାଏ, ନାଟ୍ ସାହେବ୍ ପିଲାଟା ତ । ନାଜ ମାଡୁଛି ପୁରୁଣା ସାର୍ଟ୍ ପିନ୍ଧିଲେ ।

‘ନାଳି ନଡିଆ,

ଘରେ ଭାତ ନାହିଁ

ସଭାରେ ଠିଆ’

ଯାହା ଦୁଃଖ ଲାଗୁଥିଲା, ତା’ କଥା ଶୁଣି ହସ ବି ଲାଗିଲା ।

*** *** *** *** ***

ଏଇ ଭିତରେ କେଶବର ଚାକିରି ଖଣ୍ଡେ ବି ହୋଇଗଲା । ବୁଢୀ ଖୋଜି ଖୋଜି ପୁଅ ପାଇଁ ବୋହୁଟିଏ ବି ଯୋଗାଡ କରିଦେଲା । ଯାହା କିଛି ଯୌତୁକ ମିଳିଲା ଭୋଜି ଭାତରେ ସରିଗଲା । ଦଶ ମଙ୍ଗଳା ଦିନ ବୋହୁକୁ ନେଇ ପୁଅ ପଳେଇଲା । ସେମାନେ ଏବେ ଭୁବନେଶ୍ୱରରେ ରହୁଛନ୍ତି । ଦିନେ ସକାଳୁ ଦେଖିଲି ବୁଢୀ ପାନ ଖଣ୍ଡେ ଖାଇ, ଗଣ୍ଠିଲି ଗୋଟେ ଧରି କୁଆଡେ ଯାଉଛି । ପଚାରିଲି ଖୁଡୀ କୁଆଡକୁ ଶୁଭ ? ? ?

ହସି କି ବୁଢୀ କହିଲା ମୋ ପାଇଟି ସଇଲାରେ ବାପା । ଯାଉଛି କେଶୁ ପାଖକୁ । ଆଉ ଗାଆଁରେ କ’ଣ କରିବି ? ପୁଅ ପାଖକୁ ଯାଉଛି । ଭଲ ମନ୍ଦ ଖାଇବି । ପୁରୀ ଯିବି । ତୀରଥ ବାରଥ କରି ମଶାଣିକି ଯିବି । ଭାରି ଖୁସିରେ ବୁଢୀ କହି ମାଡି ଚାଲିଲା ବସ୍ ଷ୍ଟାଣ୍ଡ୍ ଆଡେ । ଟିକିଏ ଆଶ୍ୱସ୍ତ ହୋଇ ଭାବିଲି ଯାହା ହେଉ ବୁଢୀର କଷ୍ଟ ଫଳ ଧରିଲା ।

ତା’ ପରଦିନ ସନ୍ଧ୍ୟାବେଳକୁ ଦେଖେ ତ ବୁଢୀ ଧିରେ ଧିରେ ଗାଆଁ ଭିତରକୁ ଆସୁଛି । କିଛି ପଚାରିଲିନି । ମୁହଁଟା ପୁରା ଶୁଖିଯାଇଛି । ମୋ ମୁହଁକୁ ଆଉ ଚାହିଁଲାନି । ଭାବିଲି ଏଇଟା ସମୟ ନୁହେଁ ପଚାରିବା ପାଇଁ । କାଲି ପଚାରିବି । ତା’ ପରଦିନ ସକାଳୁ ସକାଳୁ ବୁଢୀ ଆସି ଆମ ବାଡି ପଟେ ହାଜର । ମତେ ଦେଖି ବହେ କାନ୍ଦିଲା । ମୁଁ ମଧ୍ୟ ସେମିତି କିଛି ଗୋଟେ ଅଘଟଣ ହୋଇଥିବ ବୋଲି ଅନୁମାନ କରୁଥିଲି । କେମିତି ପଚାରିବି ଭାବୁଥାଏ । ବୁଢୀ ଲୁହ ପୋଛୁ ପୋଛୁ କହିଲା,

: ଯାଇଥେଲି ପୁଅ ପାଖକୁ । ଡେଣା ଧରିକି ବାହାର କରିଦେଲା ।

: ବାହାର କରିଦେଲା ?

: କେତେ କଥା କହିଲା ।

: କ’ଣ କହିଲା ?

: ଜୀବନଯାକ ତ ଗଣ୍ଡେ ଖାଇବାକୁ ଦେଇ ପାରିଲୁନି । ଆଇଚୁ ମାଉଁସ ଖାଇବାକୁ । ଭୋକ ଉପାସରେ ଯାଇଥିଲି । ଗଣ୍ଠିଲିଟାକୁ ଫିଙ୍ଗି ଦେଲା ।

କହିଲା – ମୁଁ ତା’କୁ ପଢିବାକୁ ବହି ଦେଲିନି । ଖାତା ଦେଲିନି । ପ୍ୟାଣ୍ଟ୍ ଦେଲିନି । ସାର୍ଟ୍ ଖଣ୍ଡେ ଦେଲିନି । ସଦାବେଳେ ଶୋଧୁଥିଲି । ପଇସାଟିଏ ତା’ ପାଠ ପଢାରେ ଖର୍ଚ୍ଚ କରିନି । ସେ ଟୁସନ କରି ପାଠ ପଢିଲା । ଆଉ ଚାକିରି କଲା ବେଳକୁ ଧାଇଁ ଆଇଚି ।

ମୋ ଗଣ୍ଠିଲିଟାକୁ ଫିଙ୍ଗି ଦେଲା । ତା’ ବୋହୁକୁ କହିଲା – ଜୀବନ ସାରା ଶାଗ ଭାତ ଦେଇକି ଆଇଚି ମାଉଁସ ଭାତ ଖାଇବାକୁ ।

ବୋହୁ କିଛି କହିଲାନି । ନାକରୁ ପାଣି ପୋଛୁ ପୋଛୁ ବୁଢୀ କହିଲା, ବୋହୁ....??? ‘ମଉନମୁହିଁ । କିଛି ଜାଣି ନାହିଁ । ଶେଯରେ କହି ।’

ରାତି ଅନ୍ଧାରରେ କୁଆଡେ ଯିବି ? ଗଣ୍ଠିଲି ମୁଣ୍ଡ ତଳେ ଯାକି ଶୋଇଲି ।

ରାତିରେ କୁକୁର ମାଙ୍କଡକୁ ଦେଲା ଭଳିଆ ବୋହୁ ଗୋଟେ ଖଲିରେ ଥୋଇ ଦେଲା ଖାଇବାକୁ । କହିଲା, ଖାଇକି ଖଲିଟା ଫିଙ୍ଗି ଦେବ । ଏଠି କେହି ଚାକର ବାକର ନାହାନ୍ତି ତମ ଅଇଣ୍ଠା ଉଠେଇବାକୁ ।

: ଖାଇଲ ?

: ସତ କହୁଛିରେ ବାପା । ପାଣି ଟୋପେ ଛୁଇଁବାକୁ ଇଚ୍ଛା ହେଲାନି । ଖାଇବି କ’ଣ.....??? ସକାଳୁ ସକାଳୁ ପଳେଇ ଆସିଲି । କଣ୍ଡକ୍ଟରକୁ କହିଲି, ‘ଦଶୁଟା ଟଙ୍କା ଅଛିରେ ବାପା । ଆଉ

ନାହିଁ ।’ କଣ୍ଡକ୍ଟର୍ ନେଲାନି । କହିଲା, ମାଉସୀ ଥାଉ । କୋଟି ପରମାୟୁ ମାହାପ୍ରୁ ଦିଅନ୍ତୁ ତା’କୁ । ସବୁ ପାଇଗଲିରେ ବାପା ସବୁ ପାଇଗଲି ।

ବୁଢୀ ଭୋ ଭୋ ହୋଇ କାନ୍ଦିଲା ।

ଏତେ ଖରାପ ମୋତେ ଜୀବନରେ ବୋଧହୁଏ କେବେ ଲାଗି ନ ଥିଲା । ମଣିଷର ଚିନ୍ତାଧାରା ଯେ ଏତେ ତଳକୁ ଖସିପାରେ, କେବେ ଚିନ୍ତା କରି ନ ଥିଲି ।

: ଅଧା ସୁଖ ବୋପା ଦେଇଥିଲା । ବାକି ଅଧା ପୁଅ ଦେଇ ଦେଲା । ପେଟ ଫାଡିକି ପୁଅ ଜନମ କରିଥିଲି ଯେ ଜନମ ସାରଥକ ହୋଇଗଲା । ପୁଣି ଲୁହ ପୋଛୁ ପୋଛୁ ବୁଢୀ କହିଲା ।

ପୁଣି କାନ୍ଦିଲା । ତା’କୁ ସାନ୍ତ୍ୱନା ଦେବାକୁ ମୋ ପାଖରେ ଭାଷା ନ ଥିଲା । ଲୁହ ପୋଛି ଶେଷରେ କହିଲା – ଆଉ କୁଆଡେ ଯିବିନି । ଏଇ ଭଙ୍ଗା ଘରେ ପଡିଥିବି । ତମରି ପିଲାଙ୍କ ଗୁହମୁତ କରି ଏଇ ଭଙ୍ଗା ଘରେ ପଡିଥିବି । ମରିଗଲେ ମଶାଣିରେ ଫିଙ୍ଗି ଦେବ ।


ସାନ୍ତେରା ସୁରଟ ନାଳି ନଡିଆ

Rate the content


Originality
Flow
Language
Cover design

Comments

Post

Some text some message..