Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Tragedy

3  

Kamala Satpathy

Tragedy

ଗ୍ୟାରେଣ୍ଟି କାର୍ଡ

ଗ୍ୟାରେଣ୍ଟି କାର୍ଡ

11 mins
7.3K


ବିଗତ ଚାରି ଦିନରୁ ଘରେ ସରଗରମ ଆଲୋଚନା ଚାଲିଛି। ବୋହୂ ଘରୁ ଆସିଥିବା ପ୍ରତ୍ଯେକଟି ଜିନିଷ ଅତି ନିମ୍ନମାନର । କୋଉ ଗୋଟିଏ ଜିନିଷର ଷ୍ଟାଣ୍ଡାର୍ଡ ନାହିଁ , କି ସ୍ଥାୟୀତ୍ବ ବି ନାହିଁ । କୋଉଟା ବର୍ଷେ ଚାଲିବ ତ, ଆଉ କୋଉଟା ଛଅ ମାସେ । ଭଗବାନଙ୍କର ଦୟା ଥିଲେ, ତା’ ସହିତ ବ୍ୟବହାରକାରୀ ସାମାନ୍ୟ ହୁସିଆର୍ ହେଇଥିଲେ, ଏଥିରୁ କିଛି ଜିନିଷ ଦୁଇ ଚାରି ବର୍ଷ ପର୍ଯ୍ୟନ୍ତ ହୁଏତ ବ୍ୟବହାର କରାଯାଇ ହେବ, ବାକି ନହେଲେ ସବୁଗୁଡା କବାଡି ବାଲାକୁ ବିକି ଦେଲା ଭଳି । ଏ ଘରର ମାନଥାନକୁ ଚାହିଁ ବେୋହୂଘରବାଲା ଭଲରେ କିଛି ଦିଆନିଆ କଲେ ନାହିଁ । ଏବେ ସେ ଜିନିଷ ସବୁକୁ କ’ଣ କରାଯିବ, ତା’ରି ଉପରେ ଚାଲିଛି ଘରର ସଦସ୍ୟମାନଙ୍କ ଭିତରେ କଥା କଟାକଟି, ମୁହଁ ଫଟାଫଟି ।

ବାହା ହୋଇ ଘରକୁ ପତ୍ନୀ ଆଣିଥିବା ପୁଅର ମୁହଁ ସବୁଠାରୁ ଅଧିକ ଶୁଖିଯାଇଛି । ବନ୍ଧୁଗହଣରେ ବହୁତ ବଡ ବଡ ଫୁଟାଣି ମାରିଥିଲା, ହେଲେ ଏବେ ଜାଣୁଛି ଲୋକହସା ହେବା ସାର ହେବ । ସରକାରଙ୍କ ଉଚ୍ଚପଦସ୍ଥ କର୍ମଚାରୀଙ୍କର ଏତି ଅଲିଅଳୀ ଝିଅକୁ ବାହା ହେଉଛି ବୋଲି ସାଙ୍ଗମାନେ ଈର୍ଷାତୁର ହେଇ ପଡିଥିଲେ ଖବରଟା ପାଉ ପାଉ । ହେଲେ ଏବେ କୋଉ ମୁହଁରେ ଯାଇ କହିବ ଯେ ସବୁ ସ୍ବପ୍ନ ତା’ର ସକାଳର ଗଙ୍ଗଶିଉଳି ପରି ଭୂଇଁରେ ଲୋଟିପଡିଛି ! ବାପା ବୋଉଙ୍କ ଆଗରେ କ୍ରୋଧରେ ଫାଟି ପଡୁଥଲା ସେ । ନବ ବିବାହିତା ପତ୍ନୀକୁ ଶୁଣେଇ ଶୁଣେଇ ଉତ୍ତ୍ୟକ୍ତ ସ୍ବରରେ ବୋଉ ଆଗରେ କହିଲା, “ଏମାନେ ଏତେ କଂଜୁସ୍ ବାହାରିବେ ବୋଲି ମୋର ଆଦୌ ଧାରଣା ନଥିଲା । ତାଙ୍କ ପରି ଜଣେ ନାମଜାଦା ବ୍ୟକ୍ତି ପୁଣି ଏତେ ଛୋଟ ପ୍ରକୃତିର ହେଇଥିବେ !

ଘରବାଡି, ଗାଡିଘୋଡା, ଟଙ୍କା ପଇସା କୋଉଥିରେ କିଛି ଅଭାବ ନାହିଁ ବୋଲି ସେ ମଧ୍ୟସ୍ଥି କେତେ ଜୋର୍ ଦେଇ କହିଥିଲା ! ଝିଅ ଆସିବନି ଯେ, ତମ ଘରକୁ ସିଧାସଳଖ ମା’ ଲକ୍ଷ୍ମୀ ଚାଲିଆସିବେ । ଗାଡି ଘୋଡା ସୁନା ଗହଣା, ସବୁଥିରେ ପୋତି ପକେଇବେ ଝିଅକୁ ସେମାନେ ! ଆଉ ଏଇଲେ ଦେଖ, କେମିତି ଶୁଖିଲା ଶୁଖିଲାରେ ପାର୍ ପାଇଗଲେ । ଗାଡି ତ ଦେଇଛନ୍ତି, ହେଲେ ସେଇଟାକୁ କ’ଣ ଗାଡି କୁହାଯିବ ? ଆଜିକାଲି ମାରୁତି ଗାଡି କିଏ ଚଢୁଛି ଭଲା ! କ’ଣ ବା ତା’ର ମୂଲ୍ୟ ? ମର୍ସିଡିଜ୍ କି ବି.ଏମ୍‍.ଡବ୍ଲ୍ୟୁ. ର ଆଶା ତ କରୁନଥିଲା କେହି, କିନ୍ତୁ ହୋଣ୍ଡା କି ଫିଏଟ୍ କମ୍ପାନୀର ଗାଡି ବି ତ ହେଇ ପାରିଥାନ୍ତା …?”

ଭାଇର ଦୁଃଖକୁ ସେଇଠି ଅଟକେଇ ଦେଇ ଝିଅ କହିଲା, “ତୋର ତ ଶ୍ବଶୁରଘର, ଆଜି ନହେଲେ ବି କାଲିକୁ ସବୁ ପାଇବୁ । ହେଲେ ମୋ କଥା ଭାବିଲୁ ! ଯାହା ଦବା କଥା ମତେ ସେମାନେ ଏଇ ଗୋଟିଏ ଥରରେ ହି ଦେଇଥାନ୍ତେ । କିନ୍ତୁ ଏମିତି ଜିନିଷ ଦେଇଛନ୍ତି, ଯାହାକୁ ଆମ ଚାକରାଣୀ ଭଲା ପିନ୍ଧିବାକୁ ଚାହିଁବ ! ନଣନ୍ଦ ପୁଟୁଳି ମୁଦି ପୁଣି ଏତିକି ନକନକିଆ ହୋଇପାରେ ! ସେଥିରେ କ’ଣ ହୀରା ପଥରଟେ ବସେଇ ଦେଇଥିଲେ ହେଇନଥାନ୍ତା !”

“ଭିକମଗା ଘରେ ତ ବନ୍ଧୁ ବାନ୍ଧିବାକୁ ମନ କଲେ ତୋ’ ବାପା, ଏବେ ଅଖା ଧୋଉଥିବେ, ଗୁଣ ଗାଉଥିବେ । ବନ୍ଧୁବାନ୍ଧବଙ୍କ ଆଗରେ ପୂରା ନାକ କଟେଇ ଦେଲେ । ଗଲା ବେଳକୁ ଯେତେକ ଛି ଛାକର କରିକି ଗଲେ ସମସ୍ତେ । ବନ୍ଧୁବାନ୍ଧବଙ୍କୁ ଏମିତି ଶସ୍ତା ଲୁଗାପଟା କେହି ଦେବା କଥା କେବେ ଦେଖିଥିବ ନା ଶୁଣିଥିବ ! ଘରକରଣା ଜିନିଷ ଦେଖିଲେ ମୁଣ୍ଡ ପିଟିଦେବାକୁ ପରା ଇଚ୍ଛା ହେଉଛି । ଏଡେ ବୁଦ୍ଧିମନ୍ତ ଲୋକ ବୋଲି ସାହିରେ ଛାତି ଫୁଲେଇ ଚାଲୁଥିଲ, ଆଉ ସେ ଚାକିରିଆ ଲୋକଟା ତମକୁ ବୋକା ବନେଇ ଦେଲା ! ଝିଅକୁ ବାହା କଲେ, ଅଥଚ ପକେଟ୍ ରୁ କଉଡି ଖସିଲା ନାହିଁ ! ଏଇଲେ କୋଉ ମୁହଁରେ ଯାଇ ସମସ୍ତଙ୍କୁ ଦେଖେଇବ – ଏଇ ସବୁ ଜିନିଷ ବୋହୂଘର ଦେଇଛନ୍ତି ବୋଲି ?”

ପୁଅ ମା’ର ରାଗ ଆକାଶ ପାତାଳ ଫଟେଇ ପକୋଉଥିଲା । ଯାହାହେଲେ ବି ଗୋଟିଏ ବୋଲି ପୁଅ, କେତେ କ’ଣ ଭାବି ରଖିଥିଲେ ତା’ ବାହାଘରକୁ ନେଇ । କିନ୍ତୁ ହେଲା କ’ଣ ? ଯେତକ ସବୁ ଅଦରକାରୀ ଜିନିଷରେ ଘର ପୂରେଇ ଦେଇ, ବୋହୂଘର ଲୋକଙ୍କ ଆଗରେ ବାହାଦୁରି ମାରିଲେ ଯେ ସେମାନେ ପୁଅକୁ ଚାହିଁ ଯାହା ଦବା କଥା, ସବୁ ଦେଇଛନ୍ତି । .. ସବୁ ଦେଇଛନ୍ତି ନା ଛେନା ! ଏଗୁଡା ସବୁ ପୁଣି ଦେବାରେ ଯାଏ ? ପୁଅ ହାତରେ ଧରେଇଛନ୍ତି ମାତ୍ର ଲକ୍ଷେ ଟଙ୍କା !! ହଇଓ, ଆଜିକାଲି ପିଅନଟିଏ ବାହାହେଲେ ପରା ଦୁଇ ତିନି ଲକ୍ଷ ଡିମାଣ୍ଡ୍ କରୁଛି, ଆଉ ତାଙ୍କ ପୁଅ ଭଳି ଜୋଇଁକୁ ମାତ୍ର ଲକ୍ଷେ ! କ’ଣ ଜୋଇଁ କରିଛନ୍ତି, ନା ଦକ୍ଷୀଣା ଦେଇଛନ୍ତି ! ଛି, ଛି, କ’ଣ ହେଲାଣି ଯୁଗ ସତରେ ! ମାନ ମର୍ଯ୍ୟାଦା ବୋଲି କିଛି ଆଉ କ’ଣ ରଖୁଛନ୍ତି କେହି !

ସ୍ବାମୀ ତାଙ୍କର ଏ ସହରର ବିରାଟ ମାଛ ବ୍ଯବସାୟୀ । ମାଇଲିଏ ବାଟରୁ ଜାଣିଦେବେ ମାଛ ତଟକା ଅଛି କି ବାସି .. ବାସି ଯଦି କେତେ ଦିନର, କି ଘଣ୍ଟାର ! ବଜାରକୁ ଆସୁଥୁବା କୋଉ ଗରାଖକୁ କେତେ ଦିନିଆ ବାସି ମାଛ ଧରେଇ ଦେଲେ କିଛି ନୋକସାନ୍ ହେବନି, ତାହା ମଧ୍ୟ ତାଙ୍କୁ ଜଣା । କେମିତି ବାଗରେ ପଚା ମାଛକୁ ସଜ ମାଛ ଦରରେ ବିକ୍ରି କରି ଦିଆଯାଇ ହେବ, ସେକଥା ତାଙ୍କଠୁ ହି ଶିଖିବା କଥା । ବ୍ୟବସାୟର ଗୁରୁମନ୍ତ୍ର ହେଲା ଭେକ ଦେଖି ବାଗ । ସେଇ ବାଗ କରି ପାରୁଛନ୍ତି ବୋଲି ଆଜି ପର୍ଯ୍ୟନ୍ତ କେହି ଦିନେ ହେଲେ ତାଙ୍କ ସାମନାରେ କାହିଁକି ଖରାପ ମାଛ ଦେଲ ବୋଲି ତୋଡ ଦେଖେଇ ପାରିନି । ସେମିତି କିଛି ଶୁଣିବା ପୂର୍ବରୁ ପଚାମାଛ ନେଉଥୁବା ଲୋକକୁ ଆଗତୁରା ସେ କହିପକାନ୍ତି, “ଯାହା କୁହ ଭାଇନା, ଆପଣଙ୍କ ନଜର ଏକଦମ ପାରଖି ନଜର । ଏତେ ମାଛ ଗଦା ହେଇଛି, ହେଲେ ଆପଣ ବାଛି ବାଛି ସବୁଠାରୁ ଭଲ ମାଛଟିକୁ ହି ନେବେ । ଭାଉଜଙ୍କ ହାତ ବାଜିଲେ ପରା ଏ ମାଛ ଫାଇଭ୍ ଷ୍ଟାର୍ ହୋଟେଲ୍ ର ମାଛ ତରକାରୀ ପରିକା ଲାଗିବ ! ହେଲେ ଆମ ଘର କଥା – କୁହନ୍ତୁନି କୁହନ୍ତୁନି .. ପାଟିରେ ଥୋଉ ଥୋଉ ପରା ବାନ୍ତି ହେଇଯିବ ! .. ଏତେ ବର୍ଷରୁ ଘରଗୃହସ୍ଥୀ କଲେ କ’ଣ ହେବ .. ବାଗେଇକି ରାନ୍ଧି ଜାଣିଲେ ସିନା .. ! ଆଉ ଭାଉଜ ତ ସାକ୍ଷାତ ଅନ୍ନପୂର୍ଣ୍ଣା ..” ଏତକ ଶୁଣିକି ମାଛ ନେଇକି ଯାଇଥିବା ଲୋକ କୋଉ ମୁହଁରେ ଆସି ତାଙ୍କ ଆଗରେ ଫେରାଦ କରିପାରିବ ଯେ, କାଲିର ମାଛ ଭଲ ନଥିଲା ବୋଲି !

କିନ୍ତୁ କେମିତି କେଜାଣି ପୁଅ ବାହା କଲାବେଳକୁ ସବୁ ବୁଦ୍ଧି ତାଙ୍କର ଘାସ ଚରିଗଲା ! ଲୋକଟାର ଚାଲିଚଳନ, କଥାବାର୍ତ୍ତା ଦେଖି ତ ମୁଗ୍ଧ ହେଇଯାଇଥିଲେ । ଆଉ କିଛି ନହେଲେ ନାହିଁ, ଯୌତୁକଟା ଭରପୁର ମିଳିବାର ଆଶା ବହୁତ କରିଥିଲେ । ହେଲେ କିଛି ମିଳିଲାନି । ଯାହା ଯେତିକି ମିଳିଛି, ଘରଲୋକଙ୍କ ମନକୁ ଯାଉନି । ଏବେ କ’ଣ କରାଯିବ ?

ପତ୍ନୀ ତାଙ୍କର ଜିଦ୍ଦି କରୁଛନ୍ତି ଏସବୁ ବିଷୟରେ ବୋହୂର ବାପାଙ୍କ ସାଥିରେ ସିଧା ସଳଖ ଯାଇ କଥା ହେବାକୁ । ଆଉ ତାଙ୍କୁ ବାଧ୍ୟ କରିବାକୁ ଯେ ଏସବୁ ଜିନିଷ ସେ ଫେରେଇ ନେଇ କିଛି ଭଲ ଜିନିଷ ପଠାନ୍ତୁ । ମାର୍କେଟ୍ ରେ ଏତେ ଭଲ ଭଲ ଜିନିଷ ମିଳୁଛି, ବଡ ବଡ କମ୍ପାନୀର ବ୍ରାଣ୍ଡେଡ୍ ଜିନିଷ । ପଇସା ଟିକିଏ ଅଧକ ପଡିବ ସତ, ହେଲେ ଥରେ କିଣି ଦେଲେ ଜୀବନସାରା ବ୍ୟବହାର କରୁଥିବ । ଫୁଲ୍ ଗ୍ୟାରେଣ୍ଟି ଥାଏ ସେଥିରେ । ଦୈବାତ୍ ଖରାପ ହେଇଗଲେ ସାଙ୍ଗେ ସାଙ୍ଗେ କମ୍ପାନୀ ପଇସାରେ ନୂଆ ଜିନିଷ ମିଳିଯାଏ । ଆଉ ସେଇଟା ହିଁ ତ ଗ୍ରାହକ ହେବାର ମଜା !

ତାଙ୍କ ନିୟମ ହେଲା ଭଲ ଦାମ୍ ଦେଇ ଭଲ ଜିନିଷ କିଣିବା । ଯେମିତି ସହର ସାରା ଏତେ ଝିଅ ଥାଉ ଥାଉ ସେ ବୋହୂ କରିଛନ୍ତି ତ ଦାମୋଦର ନାୟକର ଝିଅକୁ, ଯିଏ ରୂପରେ ଗୁଣରେ ଅନିନ୍ଦ୍ୟ ହେବା ସହିତ ବାପା ମା’ଙ୍କର ଗୋଟିଏ ବୋଲି ଝିଅ । ମାନେ, ସେମାନେ ଚାଲିଗଲା ପରେ ସବୁ ଜିନିଷ ତାଙ୍କ ପୁଅର ହେବ, ଏ କଥାର ଫୁଲ୍ ଗ୍ୟାରେଣ୍ଟି । ସବୁଠାରୁ ବଡ କଥା ହେଲା, ବୋହୂ ବି ବାପା ପରି ସରକାରୀ ଚାକିରିଆ । ମାନେ ଦରମା ଟଙ୍କାରେ ହାତ ନ ଲଗେଇ ବି ଆରାମରେ ସାରା ଜୀବନ ଚଳିହେବ । ତା’ ସହିତ କୁର୍ସିର ପାୱାର ବୋଲି ବି ତ କିଛି ଅଛି !

ହେଲା ଏବେ, ଏଇଲେ କିଛି ନ ଦେଲା, ନ ଦେଉ ! ସେଥିରେ ଏତେ ବ୍ୟସ୍ତ ହେବାର କ’ଣ ଅଛି ! ଆଦାୟ କରିବାର ସମୟ କୁଆଡେ ପଳୋଉଛି ନା କ’ଣ !

କିନ୍ତୁ ସ୍ତ୍ରୀ କ’ଣ ତାଙ୍କର ସେକଥା ବୁଝୁଛନ୍ତି କି ! ରାଗରେ ଖାଲି ରକ୍ତଚାଉଳ ଚୋବେଇ ହଉଛନ୍ତି, କ’ଣ ନା ସେମାନେ ତାଙ୍କୁ ଠକିଦେଲେ । ଦେଖିଲେ ଲାଗୁଛି, ବୋହୂର ବାପା ମା’ ଭିତରୁ କୋଉ ଜଣଙ୍କୁ ବି ସାମନାରେ ଏବେ ପାଇଗଲେ, କଞ୍ଚା ଚୋବେଇ ପକେଇବେ ସେ । ଏବେ ସାମନାରେ ସେମାନେ ତ ନାହାନ୍ତି, ତେଣୁ ତାଙ୍କରି ଉପରେ ନିଜ ରାଗଗୁଡା ବାନ୍ତି କରି ପକୋଉଛନ୍ତି । ସମସ୍ତଙ୍କୁ ଥୟ କରିବାକୁ ଯାଇ ସେ ପଚାରିଲେ, “ଏକଥା ସତ ଯେ ବୋହୂଘର ଆମକୁ ଠକିଦେଲେ । ମନ ମୁତାବକ କିଛି ଦେଲେ ନାହିଁ । ମାତ୍ର ଏଗୁଡା ଏବେ ତାଙ୍କ ଘରକୁ ପଠେଇ ଦେଲେ, ଆମରି ଇଜ୍ଜତ ମାଟିରେ ମିଶିବ । ଯଦି କେହି ଦୁଷ୍ଟବୁଦ୍ଧି ସମ୍ପନ୍ନ ବ୍ୟକ୍ତି ବାହାରେ କଥାଟା ପ୍ରଘଟ କରିଦେଲା, ତେବେ ମିଡିଆବାଲା ତ ଚାହିଁ ବସିଛନ୍ତି ସଜ ମାଛରେ ପୋକ ପକେଇ ଦବାକୁ ! ତେଣୁ ଯାହା କିଛି ବି କରିବାକୁ ହେବ, ଭାବିଚିନ୍ତି କରିବା । ତୁମେମାନେ ନିଜ ନିଜ ମତ ଉପସ୍ଥାପନ କର । ମୁଁ ସେଥିରୁ ବିଚାର କରିବି କାହାର ମତ ସଠିକ୍ ଅଛି, ଯାହାକୁ ବ୍ୟବହାରରେ ଲଗେଇଲେ ଆମେ କୌଣସି ଅସୁବିଧାରେ ପଡିବା ନାହିଁ ।“

ବାପାଙ୍କ କଥା ଶୁଣି ପୁଅର ମନ ଭିତରେ ଲିଭି ଆସୁଥିବା ଦିପାଳୀଟି ବିନା ତେଲଘିଅରେ ବି ଝକ୍ ମକ୍ ଜଳିବାକୁ ଲାଗିଗଲା । ଖାଲି ପୁଅ ନୁହେଁ, ବାକି ସମସ୍ତେ ବି ଭଲ ଭଲ ଜିନିଷ ସବୁ ପାଇବାର ସ୍ବପ୍ନ ତତକ୍ଷଣାତ୍ ଦେଖି ପକେଇଲେ । ଏକ ସ୍ବରରେ କହିଲେ ଯେ ବୋହୂର ଘରକୁ ଖବର ଦେବା ପୂର୍ବରୁ ଆଗ ବୋହୂ ସହିତ ଆଲୋଚନା କରାଯାଉ । ସେ ଆଣିଥିବା ଜିନିଷ ସବୁ କେତେ ଶସ୍ତା କ୍ବାଲିଟିର, ସେକଥା ଜଣେଇ ଦିଆଯାଉ । କୋଉ ଗୋଟିଏ ଜିନିଷ ବି ଠିକ୍ ଠାକ୍ ଚାଲିବ, ତାହାର କିଛି ବି ଗ୍ୟାରେଣ୍ଟି ନାହିଁ । ଏ ଜିନିଷ ସବୁର କ’ଣ ବ୍ୟବସ୍ଥା କରାଯିବ, ସେ ନିଜେ କହୁ ।

ସେପଟ ଘରେ ଓଢଣା ଭିତରେ ବସି ନୂଆ ବୋହୂଟି ଅପେକ୍ଷାରେ ଥିଲା କେତେବେଳେ ଝଡର ଦିଗ ତା’ ଆଡକୁ ମୋଡି ଆସିବ । ବାହାଘରରେ ବାପା ତା’ର ସାଧ୍ୟ ମତେ ବେଶ୍ ଖର୍ଚ୍ଚ କରିଛନ୍ତି । ଗୋଟିଏ ଝିଅକୁ ବାହାଘର ବେଳେ ଯାହା ଯାହା ଦେବା କଥା, ସବୁ ଦେଇଛନ୍ତି, ଯୋଉଥିପାଇଁ ବାପାଙ୍କ ସହିତ ବାହାଘର ପୂର୍ବରୁ ତା’ର ମୃଦୁ ଯୁକ୍ତିତର୍କ ହୋଇଥିଲା । ତା’ କହିବାନୁସାରେ ସେ ପାଠ ପଢିଛି, ଚାକିରି କରିଛି, ନିଜ ସାଥେ ସାଥେ ଆଉ ପାଞ୍ଚ ଜଣଙ୍କୁ ପୋଷିବାର କ୍ଷମତା ରଖିଛି, ତାହାହେଲେ କାହିଁକି ଏସବୁ ଦିଆନିଆ ହେବ ? ଆଗରୁ ସିନା ଝିଅଟିଏ ବାହା ହେଇକି ଗଲେ ଶ୍ବଶୁର ଘର ଲୋକଙ୍କ ଉପରେ ବୋଝଟିଏ ହେଉଥିଲା ଯେ, ସେଥିପାଇଁ ବାପା ମା’ ସାଙ୍ଗରେ କିଛି ଜାନି ଯୌତୁକ ଦେଇ ତା’ର ନୂଆ ଗୃହସ୍ଥୀ ଆରମ୍ଭ କରିବାକୁ ସାହାଯ୍ୟ କରୁଥିଲେ । ହେଲେ ଏବେ ତ ଯୁଗ ସେପରି ନାହିଁ । ତା’ର ଗୋଟିଏ ମାସର ଦରମାରେ ପୂରା ଘର ପାଇଁ ଯାହା ଇଚ୍ଛା, ତାହା କିଣି ସେ ଗଦେଇ ଦେଇପାରିବ ! କାହିଁ ତାହାହେଲେ ବାପା ନିଜ ଉପରେ ଏତେ ବୋଝ ଲଦୁଛନ୍ତି !

ହେଲେ ବାପା ତା’ର କଥାଟାକୁ ହସିକି ଉଡେଇ ଦେଇଥିଲେ । କହିଥିଲେ, “ଏସବୁକୁ ଯୌତୁକ ବୋଲି ତୁ କାହିଁ ଭାବୁଛୁ? ଏସବୁ ଆମର ଆଶୀର୍ବାଦ ତମ ଦୁଇ ଜଣଙ୍କ ପାଇଁ ।“

ଏବେ ସେଇ ଆଶୀର୍ବାଦ ତା’ ପାଇଁ ପ୍ରଳୟର ରୂପ ହେବାକୁ ଯାଉଛି । ଶାଶୁଘରେ ସେଇ ଯୌତୁକ ହି ତା’ର ସବୁ ରୂପଗୁଣର ମାପକାଠି ହୋଇଛି । ଆଉ ସେ ମାପକାଠି କହିଦେଉଛି, ଏ ପରୀକ୍ଷାରେ ସେ ପାସ୍ ମାର୍କ ବି ରଖି ପାରିନାହିଁ । ତେବେ ଏତେ ସବୁ ଯୁକ୍ତିତର୍କ ଶୁଣି ତା’ ମନକୁ ପ୍ରଶ୍ନଟେ ଆସୁଛି ଯେ ଯେପରି ଭାବରେ ସେମାନେ ପାଇଥିବା ଜିନିଷର ଗ୍ୟାରେଣ୍ଟି ଉପରେ ଏତେ ଯୁକ୍ତିତର୍କ ଚାଲିଛି. ସେମିତି ସେ ପାଇଥିବା ଜିନିଷର ଗ୍ୟାରେଣ୍ଟି ତାକୁ କିଏ ଦେବ ?

ଶାଶୁଙ୍କ କର୍କଶ ସ୍ବରରେ ଚମକି ପଡିଲା ସେ । ଭାବନାର ତନ୍ତ୍ରୀ ମୂଳ ପାଖରୁ ଛିଡିଗଲା । “କ’ଣ ଭାବି ତୋ’ ବାପା ଏସବୁ ଶସ୍ତା ଜିନିଷ ଆମ ଘରକୁ ପଠେଇ ଦେଇଛନ୍ତି ? ଆମେ କ’ଣ ଭିକମଗା ବୋଲି ସେ ଭାବିଲେ କି ! କ’ଣ ଗ୍ୟାରେଣ୍ଟି ଅଛି ଏସବୁ ଜିନିଷର ?”

ଶାଶୁଙ୍କ କଥା ସରୁ ନସରୁଣୁ ଶ୍ବଶୁର କହିଉଠିଲେ, “ସାରା ସଂସାର ନିଜ ଝିଅକୁ ସବୁଠାରୁ ଭଲ ଭଲ ଜିନିଷ କିଣି ଦିଅନ୍ତି, ହେଲେ ତୋ’ ବାପା ତ ଠିକ୍ ଓଲଟା କରୁଛନ୍ତି । ଜାଣିଶୁଣି ଆମକୁ ଏମିତି ସବୁ ଜିନିଷ ଦେଇଛନ୍ତି, ଯାହାକୁ ବାଣ୍ଟିଲେ ବି କେହି ଆମଠୁ ନବନି । ତୁ ତମ ଘରକୁ ଖବର ଦେ’, ସେମାନେ ଆସି ଏସବୁ ଏଠୁ ନେଇଯାଆନ୍ତୁ, ଆଉ ଏମିତି ଜିନିଷ ଆଣିକି ଦିଅନ୍ତୁ, ଯାହାର କିଛି ମୂଲ୍ୟ ଥିବ .. ଗ୍ୟାରେଣ୍ଟି ଥିବ !”

ଶ୍ବଶୁରଙ୍କ କଥା ଉପରେ ସ୍ବାମୀ କହିଲେ, “ମୋର କ’ଣ ହୈସିୟତ୍ ବୋଲି କିଛି ନାହିଁ ନା କ’ଣ ? ଦାଣ୍ଡ ଲୋକ ଛି ଛାକର କରୁଛନ୍ତି .. ଠକାମୀରେ ପଡିଗଲି ବୋଲି ବୁଲେଇ ବାଙ୍କେଇ କହୁଛନ୍ତି .. ଏସବୁ ଶୁଣି ଶୁଣି କାନ ପାଚିଗଲାଣି ମୋର । ଆଉ ବରଦାସ୍ତ କରିପାରୁନି ମୁଁ । ତୁମେ ତୁମ ବାପାଙ୍କୁ କୁହ, ମତେ ଆଉ କିଛି ଭଲ ଉପହାର ଦରକାର । ଭଲ ମାନେ ଦାମୀ .. ଅନ୍ୟ ଅର୍ଥରେ କହିବାକୁ ଗଲେ ଫୁଲ୍ ଗ୍ୟାରେଣ୍ଟେଡ୍ ଜିନିଷ ..”

“ହଉ କହିଦେବି .. ।”

ତା’ର ଶାନ୍ତ ଆଉ ବିନମ୍ର କଥାରେ ସାମାନ୍ୟ ଆଶ୍ବସ୍ତ ହୋଇଉଠିଲା ସାରା ପରିବାର । କିଛି ସମୟ ପୂର୍ବରୁ ଯେଉଁ ତିକ୍ତତା ପୂରା ପରିବେଶକୁ କରାୟତ କରିନେଇଥିଲା, ତାହା ଦୂର ହେଇ ଯାଉଥିବାର ଆଭାସ ମିଳିଲା । କିନ୍ତୁ ତାହା ଯେ ଥିଲା ଗୋଟିଏ ଝଡର ପ୍ରସ୍ତୁତି ପର୍ବ, ସେକଥା ସେମାନେ ଲକ୍ଷ୍ୟ କରିନଥିଲେ ।

ନିଜ ବସିବା ସ୍ଥାନରୁ ଉଠି ପ୍ରଥମେ ସ୍ବାମୀ ଆଉ ନଣନ୍ଦଙ୍କ ଉପରୁ ଆଖି ବୁଲେଇ ଆଣି ଶ୍ବଶୁରଙ୍କ ପାଖରେ ଯାଇ ସିଧା ଠିଆ ହେଲା କିଛି ସମୟ । ନିରବରେ ତାଙ୍କୁ ଚାହିଁ ରହିଲା । ଆଶ୍ଚର୍ଯ୍ୟ ସ୍ବରରେ ଶାଶୁ ପଚାରିଲେ, “କି ନାଟକ ଚାଲିଛି ତୋର ? ତମ ଘରକୁ ଖବର ପଠେଇବା କଥା ଯାହା ଆମେ କହିଲୁ, ତୋ’ କାନରେ ପଶିଲା ତ ! ତାହାହେଲେ ଫୋନ୍ କରୁନାହୁଁ କାହିଁକି ?”

ମୁଣ୍ଡ ଉଠେଇ ସେ ଏଥର ଶାଶୁଙ୍କ ଆଡକୁ ନ ଚାହିଁ ସିଧା ସଳଖ ଶ୍ବଶୁରଙ୍କୁ କହିଲା, “ହେଲେ ତା’ ପୂର୍ବରୁ ଆପଣ ଯୋଉ ଜିନିଷ ମୋ ବାପାଙ୍କୁ ବିକିଛନ୍ତି, ତା’ର ଗ୍ୟାରେଣ୍ଟି ବିଷୟରେ ମତେ କିଛି କହିବେ କି ? କେମିତିଆ ଜିନିଷ .. କେତେ ଦିନ ପାଇଁ ଚାଲିବ .. କିଛି ଦୋଷତ୍ରୁଟି ଅଛି ନା ନାହିଁ .., ସେ ବିଷୟରେ ତ କିଛି ବି ଜଣେଇ ନାହାନ୍ତି ! ଏ ସଂସାରରେ ସବୁ ଜିନିଷ କ୍ଷଣସ୍ଥାୟୀ, ସେଥିପାଇଁ କିଣିଲା ପୂର୍ବରୁ କମ୍ପାନୀ ଠାରୁ ଗ୍ରାହକ ଗ୍ୟାରେଣ୍ଟି କାର୍ଡ ଅବଶ୍ୟ ଆଦାୟ କରେ । କିନ୍ତୁ ଯାହାକୁ ନେଇକି ସଂସାର, ତା’ର ଗ୍ୟାରେଣ୍ଟି କିଏ ଦେବ ?”

“ଗ୍ୟାରେଣ୍ଟି ? କୋଉ ଜିନିଷର ଗ୍ଯାରେଣ୍ଟି ?” ଏକା ସଙ୍ଗରେ ସମସ୍ତଙ୍କ ମୁହଁରୁ ବାହାରି ପଡିଲା ଆଶ୍ଚର୍ଯ୍ୟ ମିଶ୍ରିତ ପ୍ରଶ୍ନଟା । ସେମାନେ ତ କିଛି ବିକି ନାହାନ୍ତି, ତେବେ ଗ୍ୟାରେଣ୍ଟି କ’ଣ ପାଇଁ !

“କହି ବୋଲି କରି ପଚା ମାଛକୁ ବି ସଜ ଦରରେ ବିକିଦବାରେ ଜଣେ ଓସ୍ତାଦ ଲୋକ ଭାବାରେ ସାରା ସହରରେ ଆପଣ ସୁପରିଚିତ । ସେଥିପାଇଁ ଆପଣ ଆଜି ଜଣେ ସଫଳ ବ୍ୟବସାୟୀ। ପୁଅ ବାହାଘରରେ ବି ଆପଣ ନିଜର ବ୍ୟବସାୟୀ ବୁଦ୍ଧିକୁ ଭରପୁର ଲଗେଇଛନ୍ତି, ଏବଂ ଉଚ୍ଚ ଶିକ୍ଷିତ, ଉଚ୍ଚ ଚାକିରିଆ କହି ନିଜର ବେକାର ପୁଅକୁ ମୋ ବାପାଙ୍କୁ ବିକି ଦେଇଛନ୍ତି । ବାପା ଆପଣଙ୍କ ଛନ୍ଦକପଟକୁ ବିଶ୍ବାସ କରିନେଲେ । ଭଲ ବର, ଭଲ ଘର ପାଇଛନ୍ତି ବୋଲି ନିଜ ସାମର୍ଥ୍ୟରୁ ବାହାରକୁ ଯାଇ ଖର୍ଚ୍ଚ କରି ପକେଇଲେ । କିନ୍ତୁ ପରେ ଜାଣିଲେ ଯେ ଚିକ୍ ମିକ୍ ପ୍ୟାକିଙ୍ଗ୍ ଭିତରେ ରହିଥବା ଜିନିଷଟାର ବାସ୍ତବ ମୂଲ୍ୟ କିଛି ନାହିଁ । ବିନା ପ୍ୟାକିଙ୍ଗ୍ ରେ ତାକୁ ରଦ୍ଦିବାଲା ବି ନେବନାହିଁ । ଆପଣ ନିଜେ କୁହନ୍ତୁ, ସେମିତି ଜିନିଷ ନେଇ ସଂସାର କେମିତି କରିବି ମୁଁ ?

ସବୁକିଛି ଜାଣିଲା ପରେ ମୁଁ ଚାହିଁଥିଲି ଏ ବାହାଘରକୁ ରୋକି ଦେବାକୁ । କିନ୍ତୁ ଶେଷ ମୁହୂର୍ତ୍ତରେ ଜଣା ପଡିଥିବାରୁ ବାପା ସେମିତି କରିବାକୁ ମତେ ଦେଲେ ନାହିଁ । ଏସବୁ ନିଜର ଭାଗ୍ୟ ବୋଲି ସେ ଭାବୁଥିଲେ । ମତେ ବୁଝେଇବାକୁ ଚେଷ୍ଟା କରି କହିଲେ, “କ’ଣ ଗ୍ୟାରେଣ୍ଟି ଅଛି ଯେ ୟା’କୁ ନ ବାହା ହୋଇ ଆଉ କାହାକୁ ବାହା ହେଲେ, ଆମେ ଠକାମୀରେ ପଡିବା ନାହିଁ ! ଭାଗ୍ୟ ଆଗରେ କାହାର କିଛି ଚଳିଲାଣି ନା ଚଳିବ ! ତୁ ଜାଣିନେ ଯେ ଭଗବାନ ତୋ’ ପାଇଁ ଏମିତି ହି ପୁଅଟେ ଲେଖିଛନ୍ତି, ଯାହାର ବାପା ମିଛ ନ କହିଥିଲେ ତାକୁ କେବେ ବି ବାହା କରିପାରି ନଥାନ୍ତେ । ଭଗବାନାଙ୍କ ଇଚ୍ଛା ବିରୁଦ୍ଧରେ ସ୍ବର ଉତ୍ତୋଳନ ନକରି ବରଂ, ଏ କଠୋର ସତ୍ୟ ଭିତରେ ନିଜକୁ ଚଳେଇ ନବାକୁ ବାଧ୍ୟ କରିଦେଲେ । ତାଙ୍କ ଆଖିରେ ଲୁହ ଦେଖି ନରମ ପଡିଗଲି ମୁଁ । କିନ୍ତୁ ତା’ ଅର୍ଥ ନୁହେଁ ଯେ ମୁଁ ଚୁପ୍ ରହିଯିବି !”

“କ’ଣ କହିବାକୁ ଚାହୁଁଛୁ ତୁ? ମୋ ପୁଅ ବେକାର ? ତୁ ଜାଣିଛୁ – ଚାକିରି ନକଲେ ବି ସେ ମୋ ବ୍ୟବସାୟର ଅଂଶୀଦାର । ରାତି ପାହିଲେ ହଜାର ହଜାର ଟଙ୍କାର ବ୍ୟବସାୟ ତା’ର । ତୋ’ ବାପା ଜଣେ ସମାନ୍ୟ ଚାକିରିଆ .. କେତେ ବା ଦରମା ହେଇଥିବ ତାଙ୍କର ? ତୁମ ଘରକୁ ମାସ ଶେଷରେ ଯେତିକି ପଇସା ଆସେ, ଆମ ଘରକୁ ପ୍ରତି ରାତିରେ ସେତିକି ଆସେ । ଆଉ ତୁ କହୁଛୁ ଆମେ ତତେ ଠକିଦେଲୁ ? ଏମିତି ଘର ବର ଭଲା ପାଇଥାନ୍ତୁ ଆଉ କୋଉଠି ? ଆମରି ଭାଗ୍ୟ ଖରାପ ଯେ ଆମେ ତୋ’ ରୂପରେ ଭଳି ତମ ଘରକୁ ତୋ’ ହାତ ମାଗିବାକୁ ଚାଲିଗଲୁ । ନହେଲେ ଆମକୁ କ’ଣ ଝିଅ ଅଭାବ ଥିଲା !!”

“ସେକଥା ମୁଁ ଜାଣିନି ଯେ ଆପଣଙ୍କୁ ଝିଅ ଅଭାବ ଥିଲା ବୋଲି ଆପଣ ଆମ ଘରକୁ ଗଲେ ଅଥବା ଆଉ କ’ଣ ପାଇଁ ଗଲେ । ମୁଁ ଖାଲି ଏତିକି ଜାଣିଛି ଯେ ମତେ ଆପଣଙ୍କ ପୁଅର ଗ୍ୟାରେଣ୍ଟି କାର୍ଡ ଦରକାର ।”

“ପୁଅର ଗ୍ୟାରେଣ୍ଟି କାର୍ଡ ? ତୋ’ ମୁଣ୍ଡ ଫୁଣ୍ଡ ଖରାପ ହେଲାଣି ନା କ’ଣ ?” ଚିତ୍କାର କରିଉଠିଲେ ଶ୍ବଶୁର । ଏ ଅଭେକା କଥା ସେ ତାଙ୍କ ଜୀବନ କାଳ ଭିତରେ କେବେ ଶୁଣିନାହାନ୍ତି ।

“ହଁ, ପୁଅର ଗ୍ୟାରେଣ୍ଟି କାର୍ଡ । ସେ ଜୀବନ ସାରା ମୋ ସାଥିରେ ରହିବେ, କେବେ ମତେ ଧୋକା ଦେବେ ନାହିଁ .. ମଦ ବିଡି ସିଗାରେଟ୍ ର ଧାର୍ ଧାରିବେ ନାହିଁ । ମୋ ବ୍ୟତୀତ ଆଉ କାହାକୁ ଅନ୍ୟ ଦୃଷ୍ଟିରେ ଦେଖିବେ ନାହିଁ । ମୁଁ ତାଙ୍କୁ ଯେମିତି ବ୍ୟବହାର କରିବାକୁ ଚାହିଁବି, ସେପରି କରିପାରିବି । ଏସବୁର ଗ୍ୟାରେଣ୍ଟି ଆପଣ ମତେ ଲିଖିତ ଆକାରରେ ଦେଇସାରିଲା ପରେ ଆପଣ ଯୋଉ ଜିନିଷ ଫେରେଇବାକୁ କହିବେ, ସେ ଜିନିଷ ଫେରେଇ ନୂଆ ଆଣି ଦେବାକୁ ବାପାଙ୍କୁ ମୁଁ ଜଣେଇଦେବି । ଯାହାହେଲେ ବି ଏତେ ଟଙ୍କା ଦେଇ ଆପଣଙ୍କଠୁ ସେ ଜିନିଷ କିଣିଛନ୍ତି, ଆଉ ସେ ଜିନିଷର ଗ୍ୟାରେଣ୍ଟି କିଛି ବର୍ଷ ପାଇଁ ତ ନିଶ୍ଚୟ ରହିବା ଦରକାର ! ଆଉ ସେ ଗ୍ୟାରେଣ୍ଟି ଆପଣଙ୍କ ବ୍ୟତୀତ ଆଉ କିଏ ମତେ ଦେବ ? .. ଏଥର କୁହନ୍ତୁ, କୋଉ କୋଉ ଜିନିଷ ଫେରେଇବାକୁ ହେବ ମତେ !”

ସେମାନେ ପରସ୍ପରକୁ ଚାହିଁ ରହିଥିଲେ କେବଳ । ସେମାନଙ୍କ ପାଟିରେ କହିବାକୁ ଆଉ କିଛି ନଥିଲା । ବୋହୂକୁ ଦେବାକୁ ତାଙ୍କ ପାଖରେ କୌଣସି ଗୋଟିଏ ଜିନିଷର ବି ଗ୍ୟାରେଣ୍ଟି କାର୍ଡ ନଥିଲା । କାରଣ ପୁଅ ତାଙ୍କର ସବୁ ଅବଗୁଣରେ ଥଲା ପରିପୂର୍ଣ୍ଣ ।

                                               -0-


Rate this content
Log in

Similar oriya story from Tragedy