Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜରାସନ୍ଧ ବଧ
ଜରାସନ୍ଧ ବଧ
★★★★★

© Krupasindhu Mishra

Thriller

7 Minutes   14.0K    11


Content Ranking

ଜରାସନ୍ଧ ବଧ

          ଦିନେ କଥାପ୍ରସଙ୍ଗରେ କୃଷ୍ଣଙ୍କୁ ବଳରାମ ପଚାରିଲେ, "ତୁ ଗୁରୁ ସନ୍ଦିପନିଙ୍କ ପୁତ୍ରମାନଙ୍କୁ ଆଣିବାକୁ ଯାଇ ଯମପୁରରେ କ'ଣ ଦେଖିଲୁ ?" କୃଷ୍ଣ ଅନ୍ୟସବୁ କହିବା ଭିତରେ ଗୋଟିଏ କଥା କହି ଦୁଃଖ ପ୍ରକାଶ କଲେ । "ରାଜା ପଣ୍ଡୁ ଆଗ୍ନିକ ଋଷିଙ୍କୁ ହତ୍ୟା କରିଥିବାରୁ ବ୍ରହ୍ମହତ୍ୟା ଦୋଷରେ ମୃତ୍ୟୁ ପରଠାରୁ ଯମଙ୍କ ସିଂହାସନ ତଳେ ଛିଡାହୋଇ ରହିଛନ୍ତି । ସେ ଦୃଶ୍ୟ ମୁଁ ଭୁଲିପାରୁନାହିଁ ।" ବଳରାମ କୃଷ୍ଣଙ୍କୁ କହିଲେ, "ତୁ ପାଣ୍ଡବମାନଙ୍କୁ ଭଲପାଇବା ତାହେଲେ ସବୁ ବାହାନା । ତୁ ଚାହିଁଥିଲେ ୟା'ର ପ୍ରତିକାର ତ କରିପାରିଥାନ୍ତୁ ?" କୃଷ୍ଣ କହିଲେ, "ବ୍ରହ୍ମହତ୍ୟା ଅପରାଧର ପ୍ରତିକାର ମୋ ଦ୍ୱାରା ସମ୍ଭବ ନୁହେଁ ଭାଇ ।'' ''ତୁ ପାଣ୍ଡବମାନଙ୍କୁ କହି ଯେମିତି ତା'ର ପ୍ରତିକାର ହେବ କରୁନାହୁଁ ?" ବଳରାମ ପଚାରିଲେ । ଶ୍ରୀକୃଷ୍ଣ କହିଲେ, "ମୋ କହିବା ଅପେକ୍ଷା ଦେବର୍ଷି ନାରଦ ଏ ଖବର ଦେଲେ ଭଲ ହେବ" କହି ସେ ନାରଦଙ୍କୁ ସ୍ମରଣ କଲେ । ନାରଦ ପହଞ୍ଚିଲେ । ନମସ୍କାର ଆଦାନପ୍ରଦାନ ପରେ କୃଷ୍ଣ ନାରଦଙ୍କୁ ହସ୍ତିନା ଯାଇ ପାଣ୍ଡବମାନଙ୍କୁ ସ୍ଵର୍ଗତ ପଣ୍ଡୁଙ୍କ ଦୁର୍ଦ୍ଦଶା ଓ ତା'ର ପ୍ରତିକାର କହିବାକୁ ଅନୁରୋଧ କଲେ । ନାରଦ କୃଷ୍ଣଙ୍କ ଅନୁରୋଧ ଅସ୍ୱୀକାର କରିବାର ପ୍ରଶ୍ନ ନ ଥିଲା । ସେ ଶୀଘ୍ର ଯାଇ ହସ୍ତିନାରେ ଉପସ୍ଥିତ ହେଲେ ଓ ପଣ୍ଡୁଙ୍କର ଦୁର୍ଦ୍ଦଶା କଥା କହିଲେ । ସେତେବେଳେ କୁରୁସଭାରେ ଉପସ୍ଥିତ ଦୁର୍ଯ୍ୟୋଧନ, ଦୁଃଶାସନ ଆଦି “ଛି, ଛି, ୟାଙ୍କ ପିତା ବ୍ରହ୍ମହତ୍ୟାକାରୀ” କହି ଉଠିଗଲେ । 

          ଲାଜ ଅପମାନରେ ସଭାରୁ ଉଠିଆସିଲେ ପାଣ୍ଡବମାନେ । ଯୁଧିଷ୍ଠିର ଶୀଘ୍ର ଶ୍ରୀକୃଷ୍ଣଙ୍କୁ ଆଣିବା ପାଇଁ ଅର୍ଜୁନଙ୍କୁ ପଠାଇଲେ । ଶ୍ରୀକୃଷ୍ଣ ଆସିବା ପରେ ପ୍ରତିକାରର ଉପାୟ ପଚାରିଲେ । ଦେବର୍ଷି ତାଙ୍କ ଦୋଷ କ୍ଷମା ପାଇଁ ପାଞ୍ଚଟିରୁ ଗୋଟିଏ କିଛି ଅନୁଷ୍ଠାନ କରିବାକୁ ପରାମର୍ଶ ଦେଲେ । ପ୍ରଥମ ଉପାୟ, "ଅହର୍ନିଶି ଅନ୍ନଦାନ ଦେବା । ଦ୍ଵିତୀୟ ଉପାୟ ବ୍ରହ୍ମଜ୍ଞାନ ସାଧିବା, ଅସ୍ତ୍ରଶସ୍ତ୍ର ଧରି ଯୁଦ୍ଧ କରି ମରିବା ତୃତୀୟ ଉପାୟ, ବହୁ ତୀର୍ଥ କରିବା ଚତୁର୍ଥ ଏବଂ ପ୍ରୟାଗରେ ଝାସଦେବା ପଞ୍ଚମ ଉପାୟ ।” ଆଲୋଚନା ପ୍ରତ୍ୟାଲୋଚନା ପରେ ସ୍ଥିର ହେଲା ଯେ ଅନୁକ୍ଷଣ ଅନ୍ନଦାନ କରିବା ସର୍ବୋତ୍ତମ ଉପାୟ । କିନ୍ତୁ ସେଥିପାଇଁ ରାଜସୂୟ ଯଜ୍ଞ କରିବାକୁ ହେବ । ଯଜ୍ଞରେ ଯୋଗ ଦେବା ପାଇଁ ଏକଲକ୍ଷ ରାଜାଙ୍କୁ ନିମନ୍ତ୍ରଣ କରିବାକୁ ହେବ । ସାରା ଭାରତରେ ଚାରି ଊଣା ଲକ୍ଷେ ରାଜା ଅଛନ୍ତି ବୋଲି ନାରଦ କହିଲେ । ଏହି ଚାରିଜଣ ରାଜାଙ୍କର ପ୍ରତିମୂର୍ତ୍ତି ସ୍ଵର୍ଣ୍ଣରେ ତିଆରି ହେବ, କେବଳ ରାଜା ନୁହେଁ ତାଙ୍କର ପାତ୍ରମନ୍ତ୍ରୀ ସୈନ୍ୟସାମନ୍ତ  ଗଜ, ଅଶ୍ୱ ଆଦି ମଧ୍ୟ ସ୍ୱର୍ଣ୍ଣରେ ନିର୍ମିତ ହେବ । ଯୁଧିଷ୍ଠିର ମୁଣ୍ଡରେ ହାତଦେଇ ବସିଲେ । ସେ କହିଲେ, "ଏତେ ଧନ ମୁଁ କେଉଁଠୁ ପାଇବି ?" ନାରଦ କହିଲେ, "ସ୍ୱୟଂ ଲକ୍ଷ୍ମୀଦେବୀଙ୍କର କାନ୍ତ ଯାହାର ବନ୍ଧୁ ତା' ପାଇଁ ଧନର ଅଭାବ ପ୍ରତିବନ୍ଧକ ହେବନାହିଁ । ତୁମେ ରାଜାମାନଙ୍କୁ ଆଣିବା କଥା ଚିନ୍ତା କର । ଏତେ ରାଜାଙ୍କୁ କେମିତି ଏକାଠି କରିବି ବୋଲି ଯୁଧିଷ୍ଠିର ପଚାରିଲେ । ନାରଦ କହିଲେ, ''ଏକା ଜରାସନ୍ଧ ପାଖରେ ଛୟାନବେ ହଜାର ରାଜା ବନ୍ଦୀ ହୋଇ ଅଛନ୍ତି । ସେମାନଙ୍କୁ ବଳି ପକାଇ ଇନ୍ଦ୍ର ପଦ ଲାଭ କରିବା ପାଇଁ ସେ ଏବେ ଯଜ୍ଞ କରୁଛି । ତାକୁ ମାରିପାରିଲେ ହେଲା ।''

          ଯୁଧିଷ୍ଠିର କହିଲେ, "ସ୍ୱୟଂ କୃଷ୍ଣ ବଳରାମ ଯାହା ଡରେ ଲୁଚି ବୁଲୁଛନ୍ତି ତାକୁ କିଏ ମାରିବ ? ନାରଦ କହିଲେ, "କୃଷ୍ଣ କାହାକୁ କାହା ହାତରେ ମରାଇବେ ସେ ଜାଣନ୍ତି । ଆଉ ଅଳ୍ପଦିନ ଅଛି ଜରାସନ୍ଧର ପୂର୍ଣ୍ଣାହୁତି ପାଇଁ । ତା'ପରେ ସେ ରାଜାମାନଙ୍କୁ ବଳି ଦେଇଦେବ ।'' ଯୁଧିଷ୍ଠିର କୃଷ୍ଣଙ୍କ ମୁହଁକୁ ଚାହିଁଲେ । ଶ୍ରୀକୃଷ୍ଣଙ୍କ ମୁହଁରେ ସେଇ ସ୍ମିତ ହାସ୍ୟ । ସେ କହିଲେ, "ଭୀମ ଓ ଅର୍ଜୁନ ମୋ ସହିତ ଚାଲନ୍ତୁ । ଜରାସନ୍ଧ କିପରି ମରିବ ତା'ର ବ୍ୟବସ୍ଥା କରିବା ।" ଯୁଧିଷ୍ଠିରଙ୍କ ଠାରୁ ବିଦାୟ ନେଇ ଭୀମ ଓ ଅର୍ଜୁନଙ୍କୁ ନେଇ କୃଷ୍ଣ ଜରାସନ୍ଧର ରାଜ୍ୟ ମଗଧ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ବାଟରେ ଯେଉଁ ରାଜ୍ୟ ପଡୁଥାଏ ସେ ରାଜ୍ୟର ଲୋକେ କହୁଥାନ୍ତି ଯେ ତାଙ୍କ ରାଜାଙ୍କୁ ଜରାସନ୍ଧ ଧରିନେଇଛି । ଆଉ ତିନିଦିନ ପରେ ବଳିଦେବ । ଭୀମ କହିଲେ, "ଆମେ ତାହେଲେ ପହଞ୍ଚିପାରିବା ନାହିଁ । ଶ୍ରୀକୃଷ୍ଣ ଗରୁଡଙ୍କୁ ସ୍ମରଣ କଲେ, ତିନିଜଣ ଯାକ ଗରୁଡ ପିଠିରେ ବସି ମଗଧର ରାଜଧାନୀରେ ପହଞ୍ଚି ଯଜ୍ଞ ସ୍ଥଳର କିଛି ଦୂରରେ ଓହ୍ଲାଇ ବ୍ରାହ୍ମଣ  ବେଶରେ ଯାତ୍ରା କଲେ । ବାଟରେ ଦାନ ନେଇ ଫେରୁଥିବା ବ୍ରାହ୍ମଣମାନଙ୍କୁ ପଚାରି ବୁଝିଲେ ଯେ ତା'ପରଦିନ ପୂର୍ଣ୍ଣାହୁତି ହେବ । ଯଜ୍ଞରେ ଆହୁତି ବନ୍ଦ ହେବନାହିଁ । 

          ବାଟରେ ସୋମେଶ୍ୱର ମହାଦେବଙ୍କ ମନ୍ଦିର ପଡିଲା । ସେଠାରେ ପୂଜାଅର୍ଚ୍ଚନା କରିବା ପରେ କୃଷ୍ଣ ମହାଦେବଙ୍କୁ ସ୍ମରଣ କଲେ । ଭୋଳାନାଥ ଆବିର୍ଭୂତ ହୋଇ ସ୍ମରଣର କାରଣ ପଚାରିଲେ । କୃଷ୍ଣ କହିଲେ, "ଆପଣଙ୍କୁ କ'ଣ ଅଜଣା ? ଆମକୁ ଆଶୀର୍ବାଦ କରନ୍ତୁ ଯେପରି କାର୍ଯ୍ୟ ସାଧିତ ହେବ । ପଞ୍ଚାନନ କହିଲେ, "ଜରାସନ୍ଧ ଦୁଇଫାଳ ହୋଇ ଜନ୍ମ ହୋଇଥିଲା, ତାକୁ ଦୁଇଫାଳ କରି ଚିରିଦେଲେ ହିଁ ସେ ମରିବ ଏବଂ ଏଇ ଭୀମ ହିଁ ତାକୁ ମାରିବ ।" ଏତିକି କହି କପାଳୀ ବିଦାୟ ନେଲେ । 

          ଦାନ ନେଇ ଫେରୁଥିବା ବ୍ରାହ୍ମଣମାନଙ୍କ ପାଖରୁ ଖବର ମିଳିଲା ଯେ, କେହି ଶତ୍ରୁ କୌଣସି ବିଘ୍ନ ନ ଘଟାଇବା ପାଇଁ ଚାରିଟି ଦ୍ୱାରରେ ଚାରିଟି ବ୍ୟବସ୍ଥା ଅଛି । ପ୍ରଥମ ଦ୍ୱାରରେ ରାଜପୁତ୍ର ସହଦେବ ଜଗିଛି । ଅସ୍ତ୍ରଶସ୍ତ୍ର ଧରି କେହି ଭିତରକୁ ଯାଇପାରିବ ନାହିଁ । ଦ୍ଵିତୀୟ ଦ୍ୱାରରେ ଗୋଟିଏ ଭେରୀ ଅଛି । ସେ ଶତ୍ରୁ ଦେଖିଲେ ଆପେଆପେ ବାଜିବ । ତୃତୀୟ ଦ୍ୱାରରେ ଗୋଟିଏ ଶିମୁଳି ବୃକ୍ଷ ଅଛି । ଏମିତି ତା'ର ଡାଳରେ ପତ୍ରଟିଏ ବି ନ ଥାଏ । କେହି ଶତ୍ରୁ ଦେଖିଲେ ସେ ବୃକ୍ଷସାରା ଫୁଲରେ ଛାଇଯିବ । ଚତୁର୍ଥ ଦ୍ୱାରରେ ଥିବା ଗଧଟି କେହି ଶତ୍ରୁକୁ  ଦେଖିଲେ ବିରାଟ ରଡି କରିବ । ଏହିସବୁ ଲକ୍ଷଣରୁ କୌଣସି ଗୋଟିଏ ସୂଚନା ପାଇଲେ ଜରାସନ୍ଧ ପ୍ରସ୍ତୁତ ହୋଇଯିବ ।    

          ଶ୍ରୀକୃଷ୍ଣ କହିଲେ ,"ରାଜପୁତ୍ର ସହଦେବ ଆମକୁ ନିରସ୍ତ୍ର ଦେଖିଲେ ଛାଡି ଦେବ । ବାକି ତିନିଟି ଦ୍ୱାରରୁ କିଏ କେଉଁଟି ନେବା କୁହ ।” ଅର୍ଜୁନ ଶିମୁଳୀ ବୃକ୍ଷର ଦାୟିତ୍ୱ ନେଲେ, ଭୀମ ଭେରୀର ଏବଂ ଶ୍ରୀକୃଷ୍ଣ ଗଧର । ପ୍ରଥମ ଦ୍ୱାରରେ ସହଦେବ ଥାଏ । ଏ ତିନିଜଣ ବ୍ରାହ୍ମଣ ବେଶରେ ଏମିତି ବେଦପାଠ କଲେ ଯେ ତା' ମନରେ ଅନ୍ୟ କିଛି ସନ୍ଦେହ ରହିଲା ନାହିଁ । ସେ କହିଲା, ଆପଣମାନେ ବହୁତ ବିଦ୍ୱାନ୍ ବିପ୍ର ଭଳି ଜଣାପଡୁଛନ୍ତି । ଆପଣମାନେ ଆଜି ଖାଇ ପିଇ ବିଶ୍ରାମ କରନ୍ତୁ, କାରଣ ଆଜି ଦାନ ଦେବା ସମୟ ଗଡିଗଲାଣି । ଆସନ୍ତାକାଲି ଆପଣ ଦାନ ନେଇ ଯିବେ । କୃଷ୍ଣ କହିଲେ, ”ଆମେ ମନରେ ଦୃଢ ସଂକଳ୍ପ କରିଆସିଛୁ, ଆଜି ଯେମିତିହେଲେ ରାଜାଙ୍କ ଦର୍ଶନ କରିବୁ ।” ସହଦେବ ସେମାନଙ୍କୁ ନିରସ୍ତ୍ର ବ୍ରାହ୍ମଣ ଦେଖି ଛାଡିଦେଲା । ଦ୍ଵିତୀୟ ଦ୍ୱାରରେ ଥିଲା ସେ ଭେରୀ । ଭୀମଙ୍କର ଗୋଟିଏ ମୁଷ୍ଟି ଆଘାତରେ ସେ ଚୂର୍ଣ୍ଣ ହୋଇଗଲା । ତୃତୀୟ ଦ୍ୱାରରେ ଥିବା ଶିମୁଳୀ ବୃକ୍ଷ  ଅର୍ଜୁନଙ୍କ ଦାୟିତ୍ୱରେ ଥିଲା । ଏମାନେ ନିଜର ଅସ୍ତ୍ରଶସ୍ତ୍ର ସବୁ ଗରୁଡ ପୃଷ୍ଠରେ ରଖି ଆସିଥିଲେ । ଅର୍ଜୁନ ସ୍ମରଣ କଲାରୁ ବୈନତେୟ ଅର୍ଜୁନଙ୍କୁ ଧନୁଶର ଆଣିଦେଲା । ଗୋଟିଏ ଶରରେ ଅର୍ଜୁନ ଶିମୁଳୀ ବୃକ୍ଷର ମୂଳ ଛେଦନ କଲେ ଓ ଅନ୍ୟ ଏକ ଶର ମାରି ସେ ମହାଦ୍ରୁମକୁ ଉଡାଇ ନେଇ ସମୁଦ୍ରରେ ପକାଇଦେଲେ । 

          ବାକି ରହିଲା ଚତୁର୍ଥ ଦ୍ୱାର ଜଗିଥିବା ଗଧ । ଦୂରରୁ ଥାଇ କୃଷ୍ଣ ଦକ୍ଷିଣ ହସ୍ତ ବଢ଼ାଇ ଗଧ ମୁହଁରେ ଦେବଦତ୍ତ ଶଙ୍ଖ ପୂରାଇ ଦେଲେ ସେ ଗର୍ଜନ କଲାରୁ ଶଙ୍ଖଧ୍ୱନି ପରି ଶୁଭିଲା । ବାମ ହସ୍ତ ବଢ଼ାଇ କୃଷ୍ଣ ତା' ବେକ ଚିପିଧରିଲେ । ପ୍ରକୃତରେ ଏମାନେ ସବୁ ଶାପଗ୍ରସ୍ତ ଗନ୍ଧର୍ବ ଥିଲେ ଓ ମୁକ୍ତି ଅପେକ୍ଷାରେ ଥିଲେ । ଗଧ କହିଲା, ମୁଁ ଜାଣିପାରୁଛି ଆପଣ ସ୍ୱୟଂ ନାରାୟଣ । ଆପଣ ମୋ ଗୋଡ଼ରେ ଟିକିଏ ସ୍ପର୍ଶ କରିଦେଲେ ମୁଁ ମୁକ୍ତି ପାଇଯିବି । ଭୀମ ଓ ଅର୍ଜୁନ ଏକଥା ଶୁଣି କ୍ରୁଦ୍ଧ ହେଲେ କିନ୍ତୁ କୃଷ୍ଣ କହିଲେ, କାମ ପଡ଼ିଥିଲେ ଏପରି କରିବାରେ କିଛି ଦୋଷ ନାହିଁ । ଏହା କହି କୃଷ୍ଣ ଗଧର ଗୋଡ଼ରେ ବାମ ହସ୍ତ ଲଗାଇ ଦେବା ମାତ୍ରକେ ଗଧର ମୂର୍ଦ୍ଧା ଫାଟିଗଲା ଓ ସେ ମୃତ୍ୟୁ ବରଣ କଲା । ଚତୁର୍ଥ ଦ୍ୱାର ଅତିକ୍ରମ କଲାପରେ ସେମାନେ ଯଜ୍ଞସ୍ଥଳୀରେ ପହଞ୍ଚି ଉଚ୍ଚ ସ୍ୱରରେ ବେଦପାଠ କଲେ । ସେଠାରେ ଉପସ୍ଥିତ ମୁନିଋଷି ଓ ବ୍ରାହ୍ମଣମାନେ ମଧ୍ୟ ସେ ବେଦ ଧ୍ୱନି ଶୁଣି ତଟସ୍ଥ ହୋଇଗଲେ । ଜରାସନ୍ଧ ନିଜେ ଉଠିଆସି ତାଙ୍କର ପାଦ ଧୌତ କରି ବିନମ୍ର ଭାବରେ ଜଣାଇଲା ଯେ ସେଦିନ ପାଇଁ ଦାନ ଦେବା ସମୟ ଅତିକ୍ରାନ୍ତ ହୋଇଛି ଓ ସେମାନେ ଗୋଟିଏ ଦିନ ଅପେକ୍ଷା କରନ୍ତୁ । ତା'ପରଦିନ ସେ ଯେତିକି ଦାନ ଦେବ ଏମାନଙ୍କ ବଂଶରେ ଆଉ କାହାରିକୁ ଦାନ ଆଣିବାକୁ କେଉଁଠିକି ଯିବାକୁ ପଡିବ ନାହିଁ ।

          ଶ୍ରୀକୃଷ୍ଣ କହିଲେ, "ଆମେ ସେଭଳି ଧନରତ୍ନ କିଛି ଦାନ ମାଗୁନାହୁଁ ।" ଜରାସନ୍ଧ କହିଲା, "ତା'ହେଲେ ଯାହା ମାଗୁଛ ମାଗ, କେବଳ ମୋ ଆହୂତିକୁ ବନ୍ଦ କରିବା ଛାଡି ।" କୃଷ୍ଣ କହିଲେ, "ସେପରି କହିଲେ ହେବ ନାହିଁ । ତୁମେ ଦକ୍ଷିଣାବର୍ତ୍ତ ଶଙ୍ଖରେ ଜଳ ତିଳ ଭରି ଉପର ହସ୍ତରେ ଦେବ ଓ ଆମ୍ଭେ ୟେ ସମସ୍ତ ବ୍ରାହ୍ମଣମାନଙ୍କ ସମ୍ମୁଖରେ ତଳ ହସ୍ତରେ ଗ୍ରହଣ କରିବୁ ।" ତାହାହିଁ ହେଲା । ଜରାସନ୍ଧ ଜଳ ତିଳ ଢ଼ାଳିଲା ପରେ କୃଷ୍ଣ କହିଲେ, "ଆମର ଯୁଦ୍ଧ ଦରକାର, ଆମକୁ ଯୁଦ୍ଧ ଦିଅ ।" ଜରାସନ୍ଧ କହିଲା, "ତୁମର ଯଦି ମୃତ୍ୟୁ କାମନା ଥିଲା, ଆତ୍ମହତ୍ୟା ନକରି ମୋ ଯଜ୍ଞରେ ବିଘ୍ନ ସୃଷ୍ଟି କରିବାକୁ ଆସୁଥିଲ କାହିଁକି ? ଏ ସମସ୍ତ ରାଜା ଏକକୁ ଆରେକ ବଳି ଯୋଦ୍ଧା । ଏମାନଙ୍କୁ ଆଣିଛି ବନ୍ଦୀ କରି, ବଳି ପକାଇବା ପାଇଁ । ମୋ ସାଙ୍ଗରେ ତୁମେ ଦୁର୍ବଳ ବ୍ରାହ୍ମଣମାନେ କି ଯୁଦ୍ଧ କରିବ ? ମୋ ଉପରେ ଏବେ ବ୍ରହ୍ମହତ୍ୟା ଦୋଷ ଲାଗିବ ।" ପୁଣି ଜରାସନ୍ଧ କହିଲା, "ହେ ଉପସ୍ଥିତ ସଜ୍ଜନ ମଣ୍ଡଳୀ, ହେ ବିପ୍ରଗଣ, ମୋର କିଛି ଦୋଷ ନାହିଁ । ଯେହେତୁ ଏହି ବ୍ରାହ୍ମଣମାନେ ମୋତେ ଏଭଳି କରିବାକୁ ବାଧ୍ୟ କରୁଛନ୍ତି, ସତ୍ୟ କରିଛି, ଏବେ ମୋତେ ଯୁଦ୍ଧ କରିବାକୁ ହେବ । ତୁମେ ତିନିଜଣଯାକ ଆସ ।" କୃଷ୍ଣ କହିଲେ, "ତୁମେ ଆମ ଭିତରୁ ଜଣକୁ ବାଛ ଯାହା ସାଙ୍ଗରେ ତୁମର ଯୁଦ୍ଧ କରିବାକୁ ଇଚ୍ଛା ହେଉଛି ।" ଜରା କହିଲା, "ତୁମେ ଦି'ଜଣ ଦୁର୍ବଳ ଦେଖାଯାଉଛ, ଚିପିଦେଲେ ମରିଯିବ । ଏଇ ବ୍ରାହ୍ମଣ ଟିକିଏ ମୋଟାସୋଟା ଦେଖାଯାଉଛନ୍ତି । ଇଏ ଆସନ୍ତୁ । କିହୋ, ବିପ୍ରେ ! "କିଛି ମାଲକୁସ୍ତି ଜାଣିଛ ନା ନାହିଁ ?" ତା'ପରେ ଜରା ଭୀମଙ୍କୁ କୁସ୍ତିବିଦ୍ୟା ବିଷୟରେ କିଛି ପ୍ରାଥମିକ ଶିକ୍ଷା ଦେଲାପରେ ଉଭୟଙ୍କ ମଧ୍ୟରେ ଲାଗିଲା ଘୋର ଯୁଦ୍ଧ । ଜରା କହିଲା, "ତମେ ତ ବିପ୍ର ଭଳି ଜଣାପଡ଼ୁନାହଁ, ଯିଏ ହୁଅ ଭଲଭାବରେ ଲଢ଼ ।" କହି ଭୀମଙ୍କୁ ଓଲଟାଇ କଚାଡି ଦେଲା । ଶତଶୃଙ୍ଗ ଅଭିଶାପରେ ଭୀମ ପ୍ରଥମ ଯୁଦ୍ଧରେ ହାରିବା କଥା, ହାରିଲେ । ଜରାସନ୍ଧ ମାଡିବସି ଗର୍ଜନ କରୁଥାଏ । ସମସ୍ତେ ଭାବୁଥାନ୍ତି, ଭୀମଙ୍କର ପ୍ରାଣ ଗଲା । ଭୀମ ଶତଶୃଙ୍ଗଙ୍କୁ ସ୍ମରଣ କରି ମହାବିକ୍ରମରେ ପ୍ରତିଆକ୍ରମଣ କଲେ । ବହୁସମୟ ଯୁଦ୍ଧ ପରେ ବି, ଜରାକୁ ଯେତେ ଆଘାତ ଦେଲେ ବି ସେ ହାରୁନଥାଏ । ସେଠାରେ ଉପସ୍ଥିତ ବନ୍ଦୀ ରାଜାମାନେ ଭୀମଙ୍କର ଭୟଙ୍କର ରୂପ ଦେଖି ମନେମନେ ମା' ମଙ୍ଗଳାଙ୍କୁ ସ୍ମରଣ କରୁଥାନ୍ତି ଯେ ଏହି ବିପ୍ର ହସ୍ତରେ ଜରା ମରୁ । ଭୀମ ବଜ୍ରମୁଥ ମାରୁଥାନ୍ତି, ତା'ର ବେକ ଚିପି ଧରୁଥାନ୍ତି, ତା' ଛାତି ଉପରେ ବସି ଛାତିକୁ ଚିରି ଲହୁଲୁହାଣ କରିଦେଉଥାନ୍ତି, କିନ୍ତୁ ଜରା ମରୁ ନଥାଏ. ଭୀମ ଥକିପଡିଲା ଭଳି ଲାଗୁଥାନ୍ତି । ଅର୍ଜୁନ କୃଷ୍ଣଙ୍କୁ କହିଲେ, "ଭାଇ ବୋଧହୁଏ ମହାଦେବଙ୍କ କଥା ଭୁଲି ଯାଇଛନ୍ତି ।"  ଶ୍ରୀକୃଷ୍ଣ ଭୀମଙ୍କୁ ଇଶାରା ଦେବାପାଇଁ ତାଳି ମାରି ସାବାସି ଦେବା ଆଳରେ ତାଙ୍କର ଦୃଷ୍ଟି ଆକର୍ଷଣ କଲେ । ଭୀମ ଚାହିଁବାରୁ ସେ କୁଟାଟିଏ  ଚିରି ଦୁଇଫାଳ କରି ଦୁଇ ଦିଗକୁ ଫିଙ୍ଗିଦେଲେ । (ସାରଳା ଦାସ ଧୋତିତିଏ ଚିରିଦେବା କଥା ଲେଖିଛନ୍ତି) ଭୀମ ଇଶାରା ବୁଝିଗଲେ । ଶ୍ରୀକୃଷ୍ଣଙ୍କ ଇଶାରା ପାଇବାମାତ୍ରେ ଭୀମ ଗୋଟାଏ ଗୋଡ଼ରେ ଜରାର ଗୋଟାଏ ଗୋଡ଼କୁ ମାଡିବସିଲେ ଏବଂ ଅନ୍ୟ ଗୋଡଟିକୁ ଦୁଇ ହାତରେ ଧରି ପ୍ରଚଣ୍ଡ ହୁଙ୍କାର ଦେଇ ଦୁଇଫାଳ କରି ଗୋଟାଏ ଫାଳକୁ ଶୂନ୍ୟକୁ ଓ ଅନ୍ୟ ଫାଳଟିକୁ ଦୂରକୁ ଫିଙ୍ଗିଦେଲେ । ଜରାର ମୃତ୍ୟୁରେ ବନ୍ଦୀ ଥିବା ରାଜାଗଣ ଆନନ୍ଦିତ ହେଲେ । କିନ୍ତୁ ରାଜପୁତ୍ର ସହଦେବ ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସୈନ୍ୟବଳ ଧରି ଲଢ଼ିବାକୁ ଆସିବାରୁ କୃଷ୍ଣ ତାକୁ ବୁଝାଇସୁଝାଇ ଶାନ୍ତ କରି ତାକୁ ମଗଧର ସିଂହାସନରେ ଅଭିଷିକ୍ତ କଲେ ଓ ବନ୍ଦୀ ରାଜାମାନଙ୍କୁ ମୁକ୍ତ କଲେ । ସେମାନଙ୍କୁ ଯୁଧିଷ୍ଠିରଙ୍କର ରାଜସୂୟ ଯଜ୍ଞରେ ଯୋଗଦେବାକୁ ନିମନ୍ତ୍ରଣ କରି ତିନିଜଣ ହସ୍ତିନାକୁ ଫେରିଆସିଲେ ।

ଜରାସନ୍ଧର ମୃତ୍ୟୁ କୃଷ୍ଣ ବଲରାମଙ୍କ ହାତରେ ନ ଥିଲା ।

Rate the content


Originality
Flow
Language
Cover design

Comments

Post

Some text some message..