Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶେଷ ସଙ୍ଘର୍ଷ
ଶେଷ ସଙ୍ଘର୍ଷ
★★★★★

© Pramod Kumar Jena

Tragedy

5 Minutes   15.0K    16


Content Ranking

ଆଜିକାଲି ଗୋଟେ ଫେସନ୍ ହୋଇ ଗଲାଣି, ବୁଢା ଆଙ୍ଗୁଠିଟାକୁ ଓଲଟେଇ ଲିଫ୍ଟ୍ ମାଗିବା l ଏକରେ ଦୟା କରି ଲିଫ୍ଟ୍ ଦେବେ l ଓହ୍ଲାଇବା ବେଳକୁ ଭଦ୍ରାମୀ ଦୃଷ୍ଟିରୁ ପଦେ ଧନ୍ୟବାଦ କହିବାକୁ ବି ଜିଭ ଲେଉଟିବନି l ଓହ୍ଲାଇ ନବାବୀ କାଇଦାରେ ବାଏଁ ବାଏଁ ଚାଲିଯିବେ l ଯେମିତି ତାଙ୍କୁ ଲିଫ୍ଟ୍ ଦେବାଟା ଆମର ପରମ ଧର୍ମ ଥିଲା l ସେଥିପାଇଁ ଅନେକ ସମୟରେ ମଝି ବାଟରେ କାହାକୁ ଲିଫ୍ଟ୍ ନ ଦେବାକୁ ମନସ୍ଥ କରିଥିଲି l

କିନ୍ତୁ ସେ ଦିନ ସେ ବୁଢି ସ୍ତ୍ରୀ ଲୋକଟିକୁ ଦେଖି ଗାଡି ଅଟକେଇ ଦେଲି l ନିଜର ଛୋଟ ବ୍ୟାଗଟିକୁକ ମଝିରେ ରଖି ଆତ୍ମ ତୃପ୍ତିରେ ବସି ପଡିଲା ସେ l

: ଖରା ବେଳଟାତ l ହାଲିଆ ଲାଗୁଛି l ଏତେ ବାଟ ଯିବାକୁ ବଳ ପାଉନି l ଏମିତି କିଏ ଟିକିଏ ଦୟା ଦେଖେଇ ନେଇଯାଆନ୍ତି l କିଛି ପଚାରିବା ପୂର୍ବରୁ ସେ କହି ଚାଲିଥାଏ l

: ଏଇ ହୋଟେଲରେ କାମ କରୁଛି l ମାସକୁ ସାଢେ ତିନିହଜାର ଟଙ୍କା ଦେଉଛି l

: ଭଲ ..........

: ହଁ...........ରେ ବାପା l ମୁଁ କହିଲି ସାଢେ ତିନିହଜାର ନ ହେଲେ ପୋଷେଇବନି l ଭଲ ଲୋକ l ରାଜି ହୋଇଗଲା l ଆଗରୁ ମୁଁ ପାଖ ଦୋକାନରେ କାମ କରୁଥାଏ l ଏଇ ଆର ମାସ ଯାଇଥିଲି ଟିକେ ତୀର୍ଥ କରିବାକୁ l ପାଖ ପଡିଶାରୁ ଯାଇଥିଲେ l ବୁଢୀ ହେଲିଣି l ସେଥିପାଇଁ ଭାବିଲି ଟିକିଏ ତୀର୍ଥ କରି ବୁଲି ଆସିବି l ଆଠ ହଜାର ଜଣଙ୍କୁ ପଡିଲା l ହେଲେ ସାତ ଦିନ ଜାଗାରେ ଆଠ ଦିନ ନେଇ ଗଲା l ତାଙ୍କର ଦୋକାନ କଥା l ଆଉ ଜଣଙ୍କୁ ରଖି ଦେଲେ l ତାଙ୍କୁ ବାପା ଦୋଷ ଦେଇ ପାରିବା କି ? ଆଠ ଦିନ କାଳ ଦୋକାନ ଚଳେଇ

ନେଲେ l କିନ୍ତୁ ଖବର ନ ପାଇ ଆଉ ଗୋଟିଏ ସ୍ତ୍ରୀ ଲୋକକୁ ରଖି ଦେଲେ l ମୋ ପାଖରେ ଫୋନ୍ ଥିଲେ ଅବା ଜଣେଇ ଦେଇଥାନ୍ତି l ତାଙ୍କରି ଲାଗି ଏକା ହୋଟେଲରେ କାମ ପାଇଲି l ତାଙ୍କେ କଇଲେ, ‘ମାଉସୀ ଭଲ ଲୁକ l ଭଲ କାମ କରିବ l ସେଥିଲାଗି ହୋଟେଲ୍ ବାଲା ଖୋଜି ଖୋଜି ମୋ ଘର ପାଖେ ମତେ ଭେଟିଲା l ତିନି ହଜାର କହୁଥିଲା l ମୁଁ 3500 କହିବାରୁ ରାଜି ହୋଇଗଲା l ’

ମୁଁ ଖାଲି ମଝିରେ ମଝିରେ ହଁ ଭରୁଥାଏ l

ସେ କିନ୍ତୁ କହି ଚାଲିଥାଏ l

: ହେଲା ବାପା ! ବହୁତ କାମ l ଅଣ୍ଟା ପିଠି ଲାଗିଯିବ l ଆମ ଛଡା ଆଉ ସେ କାମ କେହି କରିପାରିବନି l ପିଲା ଦିନରୁ କାମ କରି କରି ଆମ ଅଭ୍ୟାସ ପଡି ଯାଇଛି l

ପଚାରିଲି, ଘରେ ଆଉ କିଏ ସବୁ ଅଛନ୍ତି ?

: ବୁଢା ତ ଅନ୍ଧ l ସେ କ’ଣ ଆଉ କାମ କରିବ ? ଉପରେ ବୋଝ l

: ବୋଝ ପୁଣି କାହାର ?

: ଝିଅ ଆଉ ନାତି l ସେମାନେ ବି ଏଇଠି ଏକା ରହୁଛନ୍ତି l

: ଜ୍ୱାଇଁ ? ? ?

: ଜ୍ୱାଇଁ ପିଲା କଥା କିସ କହିବି ? ତାରି ଲାଗି ତ ଏତେ ନାଟ lଏ ବୟସରେ ଖଟି ଖଟି ମରୁଛି l

: କ’ଣ ହେଲା ?

: ଆମ ନିଜ ଘର ଆସ୍କା ପାଖରେ l ଝିଅ ବାହା ଲାଗି ଜମିଟା ବିକ୍ରି କରିଦେଲୁ ଅଶି ହଜାର ଟଙ୍କାରେ l ଆମ ଦିଅର...... ବେଲେ ଝିଅର ଦାଦା ରଖିଲା l ସେଇ ଏକା ବାହାଘର ଠିକ୍ କରି ଦେଇଥିଲା l ଯୌତୁକ ବାବଦକୁ ସବୁ ଟଙ୍କା ଦେଲୁ l ସବୁ ଠିକ୍ ଥିଲା l ହେଲେ.........

: ପୁଣି କ’ଣ ହେଲା ?

: ହେଲା କିସ କି ବାପା..... ତା’ ସାନ ଭାଇ ବାହା ହେଲା l ସେ ଆଣିଲା ଦେଢା

ଲାଖେ l ମୋ ଝିଅକୁ କହିଲା, ‘ତୋ ବୋପାଠୁ ଆଉ ସତୁରୀ ହଜାର ଆଣ l’ ମୋ ଝିଅ କଇଲା, ‘ବାପା ତ ଅନ୍ଧ l ମାଆ ତ ଯାଇ ଭୁବନେଶ୍ୱର ଆଡେ କୋଉଠି କାମ କରୁଛି l ତାଙ୍କ ପାଖରେ ଟଙ୍କା କୋଉଠୁ ଆସିବ ଯେ ମୁଁ ମାଗିବି ?’ ହେଲେ ବାପା ! ସେ କ’ଣ ଶୁଣିବା

ଜନ୍ତୁକିଏ ? ଧମକ ଚମକ କଲାରୁ ମୋ ଝିଅ ଆସି ଆମକୁ କଇଲା l ହେଲେ ଆମ ଅବସ୍ଥା କିସ ତା’କୁ ଅଛପା ଅଛି କି ? କାନ୍ଦି ବୋବାଳି କରି ତା’ ଜ୍ୱାଇଁକି କହିଲା l

: ତା’ପରେ କ’ଣ ହେଲା ?

: ତା’ପରେ ବିଷମ ପାଇଟି l ସବୁ ଦିନ ପିଟା ମରା କଲା l ତା’କୁ କହିଲା – ତୁ ମଲେ ସିନା ଏକା ମୁଁ ଆଉ ଗୋଟେ ବାହା ହେବି l

: କି କଦର୍ଯ୍ୟ ଲୋକଟେ.........

: ବାପା ! ଜାଣିଛ l ଏମିତି ପିଟିଲା ଯେ ଦିନେ ଚେତା ଚପଟ ଯାଇକି ପଡିଲା l ତା’କୁ ବାହାରୁ ଶିକୁଳି ଲଗେଇ ଦେଇକି ପଳେଇଲା l ଭାବିଲା ମଲେ ଏକା ଆସିବ l ହେଲେ ଗାଆଁ ଲୋକମାନେ ସିକୁଳି ତାଡିକି ମୋ ଝିଅକୁ ନେଇ କି ଡାକ୍ତରଖାନାରେ ଭର୍ତ୍ତି କଲେ l ମତେ ଖବର ପଠେଇଲେ l ମୁଁ ଆସି ଦେଖିବା ବେଳକୁ ଏତେ ଅବସ୍ଥା l ଯାହା ଦି ପଇସା ଥିଲା, ସେଥିରେ ତା’କୁ ଭଲ କଲି l ଲୋକେ କହିଲେ ଥାନାକୁ ଯାଆ l ତାଙ୍କ କଥାରେ ଥାନାକୁ ଗଲି l ମୋତେ ଦେଖି ଥାନା ବାବୁ ଆକଟ କରି କହିଲା, ‘ଏଇଟା ପରଥମ କିଲୋ l ସବୁଦିନ ପିଟୁଛି l କେତେ ଥର ଗାଆଁ ବାଲା କହିଲେଣି l ତୋ ଜ୍ୱାଇଁକି ଡରା ଧମକା କରି ବୁଝେଇଥିଲି l ହେଲେ ସେଇଟା ଅସୁରଟେ l କିଅଣ ବୁଝିବ ? ମାଡକୁ ବି ଭୟ ନାହିଁ l’

ଫେର୍ ଥାନା ବାବୁ କହିଲା, ‘ତୁ ୟାକୁ ନେଲେ ମରି ଯିବୁ କି ? ତୁ ଯାହା ଖାଉଛୁ ୟାକୁ ଦେବୁ l ହେଲେ ଏଠି ରହିଲେ, ଏ ରାକ୍ଷସଟା ତୋ’ ଝିଅକୁ ଆଉ ନାତିକୁ ମାରି ଦେବ l’

ଥାନାବାବୁଙ୍କ କଥାରେ ଝିଅକୁ ଆଉ ନାତିକୁ ନେଇ ଆଇଲି l ହେଲେ ଗୋଟେ ଲୁକ l କେତେ ରୋଜଗାର କରି ଚଳେଇବି ? ବହୁତ କଷ୍ଟ କଲିରେ ବାପା l

ପଚାରିଲି, କେତେ ଦିନ ହେଲାଣି ?

: ପନ୍ଦର ବର୍ଷ ହେଇଗଲା l

: ଝିଅକୁ ଆଉ କୋଉଠି ବାହା କରେଇ ଦେଲନି ?

: କିଏ ବାହା ହେବ ? ନାତିଟେ ଅଛି ପରା ? ପଇସା କୋଉଠୁ ପାଇବି ? ନାତିକି କିଏ ନେବ ? ସେଥିପାଇଁ ଆଉ ବାହାଘର ଦେଲିନି l ଏବେ ସେ ପାଖ କମ୍ପାନୀରେ କାମ କରୁଛି l ଏଇ ରାସ୍ତାରେ ଦେଖିନ ? ? ? ଡେଙ୍ଗା ହେଇ କି ........... ଗୋରା ହେଇ କି.............

ମୁଁ ବା କାହିଁକି କାହାକୁ ଚିହ୍ନିବି ? କିନ୍ତୁ ବୁଢୀ ଭାବୁଥିଲା ଏଇ ରାସ୍ତାରେ ସଦାବେଳେ ସେମାନେ ଯିବା ଆସିବା କରନ୍ତି, ତେଣୁ ଜାଣିଥିବେ ବୋଲି l ତା’ କଥା ଶୁଣି ଭାରି ଦୁଃଖ ଲାଗୁଥାଏ l ସଂସାରରେ ଏତେ କଷ୍ଟରେ ଯେ ଲୋକ ଅଛନ୍ତି କିଏ ଜାଣେ ?

ବୁଢୀ କହି ଚାଲିଥାଏ – କାମ ନ କଲେ କିଏ ଆମକୁ ଖାଇବାକୁ ଦେବ ?

କହିଲି, ‘ମାଉସୀ ! ଅନ୍ୟ କାମ କଲେ ତ ଦିନକୁ 250 ରୁ 350 ଟଙ୍କା ପାଆନ୍ତ l ଏମିତି ତ ଦିନକୁ ଶହେ ଟଙ୍କା ହେଉଛି l ପୁଣି ଦିନ ସାରା ଖଟୁଛ l ’

: ବାପା ! ରାସ୍ତା କାମ ଆଉ ଘର କାମ ଅଲଗା l ବୟସ କ’ଣ ଅଛି ସେ କାମ କରିବାକୁ ? ତିନି କୋଡି ଉପରେ ବୟସ ହେଲାଣି ପା l

ମନେ ମନେ ଭାବୁଥିଲି, ଏମିତି କେତେ ଦିନ ଏମାନେ କଷ୍ଟ ଉଠୋଉଥିବେ l ପଚାରିଲି, ‘କିଛି ସରକାରୀ ସାହାଯ୍ୟ ମିଳୁନି ?’

: ନାଇଁ ରେ ବାପା l ଆମ କାର୍ଡ୍ ହେଇନି l ୱାର୍ଡ୍ ମେମ୍ବର୍ କହୁଥିଲେ ଏଇଥର ହେଇ ଯିବ l ଇନ୍ଦିରା ଆବାସ ହେଇଯିବ ବୋଲି କଉଛନ୍ତି l ହେଲେ ପନ୍ଦର ବର୍ଷ ହୋଇ ଗଲାଣି l

: ନାତି କ’ଣ କରୁଛି ?

: ତାରି ପାଇଁ ତ କରୁଛି ? ଆଉ ଛଅ ମାସ ଗଲେ ସବୁ ଠିକ୍ ହୋଇ ଯିବ l

: କ’ଣ ଠିକ୍ ହୋଇ ଯିବ?

: ତା’କୁ ଏଇଠି ସେ କଲେଜରେ ପଢୋଉଛି l ତାଙ୍କ ମାଷ୍ଟର୍ କହିଲେ, କୋଡିଏ ହଜାର ଟଙ୍କା ଦେଲେ ଯାଇ ପରୀକ୍ଷା ଦେବ l ଆଉ ସାର୍ଟିଫିକେଟ୍ ମିଳିବ l ଉଧାର କରି ଦେଇଛି l ସୁଧ ଆଉ ମୂଳ ବାବଦକୁ ଯାହା ହେବ, ସାତ/ଆଠ ମାସରେ ଦେଇ ଦେବି l ତା’ ପରେ କୋଉଠି ଗୋଟେ ନାଗି ଗଲେ ମୋତେ ଆଉ କାମ କରିବାକୁ ପଡିବନି l

ହଠାତ୍ ମାଉସୀ କହିଲା, ବାପା ଏଇଠି ରଖି ଦିଅ l

ମୁଁ କହିଲି, ଆଗକୁ ଛାଡି ଦେବି l

: ନାଇଁରେ ବାପା l ତମେ ନ ଥିଲେ ତ ପୁଣି ପୁରା ବାଟ ଚାଲି ଚାଲି ଆଇ ଥାଆନ୍ତି l ଗାଡିରୁ ଓହ୍ଲାଇ ଆଶିର୍ବାଦ ଦେଇ ମାଉସୀ ଚାଲିଗଲା l

ଭାବିଲି, ଏଇ ପାଖ ଆଇ.ଟି.ଆଇ.ରେ ବୋଧହୁଏ ଡିପ୍ଲୋମା କିମ୍ବା କୌଣସି ସାର୍ଟିଫିକେଟ୍ କୋର୍ସ୍ କରୁଛି ତାଙ୍କ ନାତି l ଟ୍ରେଡ୍ କ’ଣ ଜଣା ନାହିଁ l ଚାକିରିଟେ ଯେ ପାଇବ ତାର କି ଠିକଣା ? ତା’ ଛଡା ଚାକିରି ଜୀବନର ଚାକଚୌକରେ ଯେ ନାତିଟି ଆଇ ଆଉ ଅଜାକୁ ମନେ ରଖିବ କିଏ କହିବ ? ବୟସ ଢଳି ଢଳି ଆସୁଛି l ମାଉସୀ ଭାବୁଛି ତା’ର ସଂଘର୍ଷର ଦିନ ଶେଷ ହୋଇ

ଆସୁଛି l

ମନେ ମନେ ଡର ଲାଗୁଥାଏ l ଆଉ ମନରେ ପ୍ରଶ୍ନ ଉଠୁଥାଏ, ‘ସଂଘର୍ଷର ଦିନ ସରି ଯାଉଛି ନା ଆସୁଛି ?’

ଫେସନ୍ ସଙ୍ଘର୍ଷ ଶିକୁଳି

Rate the content


Originality
Flow
Language
Cover design

Comments

Post

Some text some message..