Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Nandi

Tragedy

4  

Nityananda Nandi

Tragedy

କପ୍ତିପଦା ରୁ ଭୁବନେଶ୍ୱର

କପ୍ତିପଦା ରୁ ଭୁବନେଶ୍ୱର

5 mins
246



ଯୌବନର ପ୍ରଥମ ସିଡ଼ିରେ ପାଦ ରଖିଛି ଯମୁନା।

କପ୍ତିପଦା ନିଘଂଚ ଜଙ୍ଗଲରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସମ୍ଭାବ୍ୟ ବସ ଯାତ୍ରା ଯମୁନାର ହୃଦସ୍ପନ୍ଦନକୁ ତୁରାନିତ କରୁଛି। କିଛି ଆଶଙ୍କା ଆଉ କିଛି ଆଗ୍ରହର ମିଶ୍ରଣ। ପ୍ରଥମ ଥର ପାଇଁ ସହର ଦେଖିବାର ଆଗ୍ରହ। 

ଇଚ୍ଛାର ବାସ୍ତବିକ ପରିସୀମା ଲଂଘିଯିବା ହିଁ ଜୀବନର ସଫଳତା , ଅଣାୟତ ମନ ବି ଇଚ୍ଛାର ଚକ୍ରବ୍ୟୁହ ଭିତରେ ରାସ୍ତା ପାଏନି ଫେରିବାକୁ। ଯମୁନା ବି ନିୟନ୍ତ୍ରଣ ହରେଇ ବସିଲା ମାଆର ଏଇ ଅଭୂତପୂର୍ବ ପ୍ରସ୍ତାବରେ। ସହର ବୁଲିବାକୁ ଯିବ !!!


ଯମୁନାର ମାଆ ଗଙ୍ଗା। ପାହାଡ଼ ତଳି ଜଙ୍ଗଲ ସଫା କରି ଧାନ ଅଳସି, ସୋରିଷ ଚାଷ କରେ ବର୍ଷ ସାରା। ବିକ୍ରିବଟା କରି ମା ଝିଅ କଷ୍ଟେ ମଷ୍ଟେ ଚଳି ଯାଆନ୍ତି, ବାପ ଛେଉଣ୍ଡ ଯମୁନା। ମାଆ ହିଁ ସବୁକିଛି।

ଗଙ୍ଗାର ଦୂର ସମ୍ପର୍କୀୟ ଭାଇର ସାଙ୍ଗ ରୁଦ୍ର ସାଥିରେ ଯମୁନାକୁ ଭୁବନେଶ୍ୱର ପଠେଇବା ସିଦ୍ଧାନ୍ତରେ ପରିପକ୍ଵତାର ମହକ ଥିଲେ ବି କାହିଁକି କେଜାଣି ଭୟର ପାହାଡ଼ଟିଏ ଜନ୍ମ ନେଉଥିଲା ଗଙ୍ଗାର ମନ ଭିତରେ..

ଯମୁନା ପଚାରିଲା, ମା ! ମୁଁ କଣ ଗାଈ ଗୁହାଳ ସଫା କରି ପାରିବି ଯେ ମୋତେ ତୁ ଭୁବନେଶ୍ୱର ପଠଉଛୁ !! ସକାଳୁ ଉଠି ଘର ଚାରିପଟେ ଗୋବର ପାଣି କଣ ମୁଁ ପକେଇ ପାରିବି ?


ରୁଦ୍ର ଫେଁ କରି ହସି ଦେଲା। ଆରେ ପାଗଳୀ ! ସହରରେ କଣ ଏ ସବୁ ଥାଏ, ଚାଲ ଦେଖିବୁ ସହର କେମିତି !!!ନୂଆ ବର୍ଷ ଦେଖିବୁ କେତେ ସୁନ୍ଦର, ସହରରେ। କେତେ ସାଙ୍ଗ ସାଥୀ ଆସିବେ, ତୋତେ ଟିକିଏ କାମରେ ସାହାଯ୍ୟ କରିବାକୁ ହେବ, ବାସ୍। ପାଞ୍ଚ ଦିନ ପରେ ବସରେ ବସେଇ ଦେବି। ଫେରି ଆସିବୁ ତୁ ଗାଆଁ କୁ ।

ଯମୁନାର ପ୍ରତିକ୍ରିୟା ଭିତରେ ସୂକ୍ଷ୍ମ ହସଟିକୁ ଆବିଷ୍କାର କଲେ ରୁଦ୍ର। ଯୌବନକୁ ଅଚାନକ ଛୁଇଁଥିବା ଗୋଟେ ସରଳ ସାବଲୀଳ ବନ ହରିଣୀର ଭାବପ୍ରବଣତା ସହରୀ ହାଟରେ ବିକିଗଲା ବିନା ଦ୍ୱିଧା ରେ, ବିନା ଦ୍ବନ୍ଦରେ... ମାଆ ଝିଅକୁ ରାଜି ହେବା ଛଡ଼ା କିଛି ଉପାୟ ନ ଥିଲା !!

 

ଜୀବନରେ ପ୍ରଥମ ଥର ପାଇଁ ବସରେ ବସିଛି ଯମୁନା। ପାହାଡିଆ ଅଙ୍କା ବଙ୍କା ରାସ୍ତା ଅତିକ୍ରମ କରି ଆଗଉଥାଏ ତା ବସଟି। ଝର୍କା ଦେଇ ଆକାଶରୁ କିଛି ବାର୍ତ୍ତା ନେଇ ସକାଳର କଅଁଳିଆ ଖରା ଛୁଇଁ ଯାଉଥାଏ ଯମୁନାର ମନକୁ। ସହର ଦେଖିବ, ପାହାଡି ଝରଣାର କୁଳୁ କୁଳୁ ନାଦ, ଜଙ୍ଗଲ ପକ୍ଷୀର କୁହୁ କୁହୁ ଗୀତ ଯମୁନାକୁ ଆଉ ଭଲ ଲାଗୁନି। ଭଲ ଲାଗିବ ବା କେମିତି ! ସବୁଦିନ ସେଇ ସମାନ କଥା। ସକାଳରୁ ସଞ୍ଜ ପର୍ଯ୍ୟନ୍ତ। ପାଞ୍ଚ ଦିନ ସହର ଆଡୁ ବୁଲି ଆସିବ। ରୁଦ୍ର ଅଙ୍କଲ କହୁଥିଲେ, ସହର ଅତି ସୁନ୍ଦର। ପାହାଡ଼ ପର୍ବତ, ଜଙ୍ଗଲ ଠାରୁ ବି ସୁନ୍ଦର। ସହର ଦେଖିବାର ଇଚ୍ଛା ଅମାନିଆ ବାଇ ଚଢେଇ ପରି ଫୁରକିନା ଉଡୁଥିଲା ଏ ଡାଳରୁ ସେ ଡାଳ କୁ। ମନ ଥରେ ଉଡ଼ିଗଲେ ଆଉ ଧରା ଦିଏନି, ସ୍ବପ୍ନ ତିଆରି କରେ ଆକାଶରେ। ଏକାନ୍ତ ବେଳାଭୂଇଁ ର ବାଲି ଉପରେ ଜୀବନର ସତ ମିଛ ନକ୍ସା ଆଙ୍କେ ...


ବସ ଦୌଡ଼ିବାକୁ ଆରମ୍ଭ କଲା ଜାତୀୟ ରାଜପଥ ଉପରେ। ବସ ର ସେଇ ତୀବ୍ରତମ ଗତି କୁ ଅତିକ୍ରମ କରି ଯମୁନା ର ମନ ଚାଲିଥିଲା ଆଗେ ଆଗେ। ଭାବନା ରାଇଜରେ ହଜିଗଲା ଯମୁନା.... 


ଫେରି ଆସିଲେ, ଛାତି ଫୁଲେଇ ଚାଲିବି ମୁଁ ବସ୍ତି ଭିତରେ। ପ୍ରଭା, ମାଳ, ବାସନ୍ତୀ , ସମସ୍ତେ ଧାଇଁ ଆସିବେ। ଘେରି ଯିବେ ମୋ ଚାରିକଡେ। ସବୁ କଥା କହିବି ସେମାନଙ୍କୁ। ପ୍ରଭା ଈର୍ଷା ରେ ଜଳିବ, ଆଦୌ ସହି ପାରେନି। କଣ କହି ତାକୁ ମନେଇବି କେଜାଣି !! 

ରୁଦ୍ର ଅଙ୍କଲ କହୁଥିଲେ, ସହରରେ ଦିନ ରାତି ସମାନ। ରାତି ହେଲେ ରାସ୍ତାରେ ଆଲୁଅ ଜଳେ। ନା ଭାଲୁର ଭୟ, ନା ଚିତା ବାଘର। ସେଇଠି କୁଆଡେ ମାଟି କାଦୁଅ ନାହିଁ.. ସ୍ୱର୍ଗଠୁ ସୁନ୍ଦର ସେଇ ସହର। ସେ କହୁଥିଲେ, ସହରକୁ ଲାଗି ଛୋଟ ପାହାଡ ଟିଏ ଅଛି। ଖଣ୍ଡଗିରି ପାହାଡ। ନୂଆ ବର୍ଷ ପରଦିନ ବଡ଼ ମେଳା ବସେ। ଅଙ୍କଲ ମୋତେ ମେଳା କୁ ନେଇଯିବେ ବୋଲି ମା କୁ କହୁଥିଲେ। ଆସିବାବେଳେ ବୋଉ ପଚାଶ ଟଙ୍କା ଦେଇଛି ମୋ ହାତରେ। ପ୍ରଭା ପାଇଁ ଲଡୁ ପଟା, ବାସନ୍ତୀ ପାଇଁ ମଥା କ୍ଲିପ୍, ମାଳ ପାଇଁ ଅତର ଆଣିବି। ଏତେ ବଡ ମେଳାକୁ ନେଇଯିବେ ଯେତେବେଳେ, କିଛି ହାତ ଖର୍ଚ୍ଚ ଦେବେ ହିଁ ଦେବେ। ମାଆ ପାଇଁ ଉକୁଣି କଢ଼ା ପାନିଆ ଆଣିବି। ଭାରି ଖୁସି ହେବ ମୋ ମାଆ। 


ଆଶା ଭିତରେ ଗପଟିଏ ଲୁଚି ରହିଥାଏ, ଗପ ଭିତରେ ଉପନ୍ୟାସ ଆଉ ସେଇ ଉପନ୍ୟାସ ଭିତରେ ଜୀବନ ଟା ଜୀବନ୍ତ ହୋଇଉଠେ। ଭୁବନେଶ୍ୱର ଆସିଯାଇଛି କେତେବେଳୁ। ହାଇ ମାରି ଭାଙ୍ଗି ମୋଡ଼ି ହୋଇ ବସ ରୁ ଓଲ୍ହେଇଲା ଯମୁନା..ମୁହଁରେ ହସର ଜୁଆର।


*****

ପାଞ୍ଚ ଦିନ ପରେ ଫେରୁଛି ଯମୁନା ତା ଗାଆଁ କୁ..

ବସ ଭିତରୁ ଅନଉଛି ଉଦାସୀନ ଆକାଶ ଆଡ଼କୁ। କ୍ଳାନ୍ତ ଶ୍ରାନ୍ତ ମନ ଭିତରେ କିଛି ଅକୁହା କଥା ଯେମିତି ଭାରାକ୍ରାନ୍ତ କରି ଦେଉଛି ତା ଶରୀରକୁ। 

କାହିଁ ଏତେ ଖାସ୍ ଲାଗିଲାନି ସେଇ ସହରଟା। ଉଦାସୀନ ଆକାଶର ଦୁଃଖ ଦେଖି ଯମୁନା ଆଖିରେ ଲୁହ ଭରିଗଲା। କାଳେ କିଏ କଣ ଭାବିବ ବୋଲି ମୁହଁ ତଳକୁ କରି ବସି ରହିଲା ବସ ଭିତରେ। ଘରକୁ ଯାଇଥିବା ରାସ୍ତା ଫେରି ପାଇ ବି ଲାଗୁଥିଲା ଯେମିତି ଅନେକ ରାସ୍ତା ସେ ହରେଇ ଆସିଛି ସେ ଭୁବନେଶ୍ୱର ରେ। ପଞ୍ଜୁରୀ ଭିତରୁ ଉଡ଼ି ଆସି ବି ମୁକ୍ତିର ଆନନ୍ଦ ନାହିଁ। ଅବଶ ଲାଗେ, ମନ ଭିତରେ କ୍ଷୟ କ୍ଷତିର ହିସାବ ନାହିଁ, 

ଯେମିତି.. ଗୋଟାଏ ତମସାଛନ୍ନ ଅରଣ୍ୟରେ ନିଆଁ ଲାଗିଛି !!


ଆଖି ଖୋଲିଲା, ଜାତୀୟ ରାଜପଥ ଶେଷ ହୋଇ ଯାଇଛି ବୋଧେ। ବସ ଦୃତ ଗତିରେ ଚାଲିଛି ଜଙ୍ଗଲ ଭିତର। କେତେ ଆଶା, କେତେ ଗଳ୍ପ ଛୁପି ରହିଛି ଏଇ ଜଙ୍ଗଲ ଭିତରେ। ଏଇଠି ବାଘ ଭାଲୁ ବୁଲୁଥିଲେ କେତେ ସୁନ୍ଦର ଲାଗେ। ଭୟ ଲାଗେ ସିନା, କ୍ଷତି କିନ୍ତୁ କରନ୍ତି ନାହିଁ। ସହର ଟା ଠିକ ଓଲଟା। ସବୁ ଚକ୍ ଚାକ୍ ଲାଗେ। ରୁକ୍ଷ, ବର୍ବର ମାନସିକତା ଛୁପି ରହିଥାଏ ସହର ଭିତରେ। ସର୍ବନାଶ ର ମନ୍ତ୍ରତନ୍ତ୍ର ଭିତରେ ଜୀବନଟା କହଦହ ହୁଏ, ବସ ଝର୍କା ଦେଇ ଅନେଇଲା ନିରୀହ ଜଙ୍ଗଲ ଆଡେ। ଶୀତଳ ପବନ ପଶି ଆସୁଛି ଝର୍କା ଦେଇ...


ଭାବିଥିଲି ବାସନ୍ତୀ, ମାଳ, ପ୍ରଭାକୁ ଅନେକ କଥା କହିବି। ନା... କିଛି କହିବିନି। ଏତେ ଖାସ୍ ନୁହେଁ ସହରଟା, କଣ ଆଉ ଗପିବି ସହର ବାବଦରେ। ସ୍ବପ୍ନ ସ୍ବପ୍ନ ରେ ରହିଗଲା। ନା ମା ପାଇଁ ପାନିଆ, ନା ସାଙ୍ଗ ମାନଙ୍କ ପାଇଁ କିଛି କିଣି ପାରିଲି ମୁଁ। ରଙ୍ଗ ବେରଙ୍ଗର ଆଲୁଅ ଝଲସୁ ଥିଲା ସହର ଭିତରେ। ଆଲୁଅ ତଳ କିନ୍ତୁ ଅନ୍ଧାର। ଅନ୍ଧାର ଭିତରେ ବିଶ୍ବାସଘାତକତା ର ସୁଲୁସୁଲୁଆ ଗରମ ନିଃଶ୍ୱାସ, କେତେ ବିଶ୍ବାସ ଜଳି ଯାଏ ତା ଭିତରେ। ପାଉଁଶ ର ଚିହ୍ନ ବର୍ଣ୍ଣ ବି ରହେନି। ବାହାରକୁ ସୁନ୍ଦର ଲାଗେ ସହରଟା।


ବସ ଆସି ଛିଡ଼ା ହେଲା ଘର ଆଗରେ, ଓହ୍ଲେଇ ଆସିଲା ଯମୁନା ବସ ଭିତରୁ। କୁଡିଆ ଭିତରୁ ଦୌଡ଼ି ଆସିଲା ଗଙ୍ଗା। ପାଞ୍ଚ ଦିନ ପରେ ଝିଅକୁ ଦେଖି ବିଭୋର ହୋଇ ଉଠିଲା ମା' ଟି। ଯମୁନା କୋଳେଇ ନେଲା ମା କୁ। କହିଲା ମାଆ ! 


ମୁଁ ଅସତୀ ହୋଇ ଯାଇଛି !!!! 


ଧରାଶାୟୀ ହୋଇଗଲା ଆକାଶ ଓ ଜଙ୍ଗଲ ର ନିସ୍ତବ୍ଧତା..  

କ୍ଷୁର୍ଣ୍ଣ ହେଲା ମାଆ ଭିତରେ ବସା ବାନ୍ଧିଥିବା ଅଭିମାନ, ସ୍ୱାଭିମାନ ସବୁ। ଧ୍ବସ୍ତ ବିଧ୍ୱସ୍ତ ହେଲା ମିଳନର ସେଇ ରଙ୍ଗ, ମିଳନର ସେଇ ମୁହୂର୍ତ୍ତ। କକ୍ଷ ଚ୍ୟୁତ ହୋଇଗଲା ଅପରାହ୍ନର କ୍ଳାନ୍ତ ପୃଥିବୀ..

ମାଆ ଆହୁରି ଜାବୁଡ଼ି ଧରିଲା ଯମୁନାକୁ.. ଆଉ କୋଉ ରୁଦ୍ର ର ଶକ୍ତି ଅଛି ଯମୁନାକୁ ଛଡେଇ ନେବ ତା ପାଖରୁ !!!


ମା ଲୁହର ଉଷ୍ମତା ଭିତରେ ଯମୁନା ଖୋଜୁ ଥିଲା ବାତ୍ସଲ୍ୟ, ମମତାର ବାସ୍ନା କୁ ଆଉ ଥରେ। ଫୁଲ କଢ଼ଟିଏ ସମ୍ପୂର୍ଣ୍ଣ ପ୍ରସ୍ଫୁଟିତ ହେବା ଆଗରୁ ଦଳି ଚକଟି ଗଲେ ଜୀବନ ପ୍ରତି ଅନୁରାଗ କମିଯାଏ ବୋଲି ବୁଝିବାର ବୟସ ବି ହୋଇନି ଯମୁନାର। ବିଭତ୍ସ ଯନ୍ତ୍ରଣା ର କୋହ ମିଶ୍ରିତ ଅଶ୍ରୁଧାରା ପୃଷ୍ଠକୁ ଛୁଁ ଥିଲା ଧୀରେ ଧୀରେ ମାଆର ପଣତ କାନି ଦେଇ।

ମାଆ ସାନ୍ତ୍ଵନା ଦେଲା ଯମୁନା କୁ...

ମୁଁ ପରା ଗଙ୍ଗା, ବିଲୁପ୍ତ ହୋଇ ଯାଆ ତୁ ମୋ କୋଳରେ। ସବୁ ପାପ ଗଙ୍ଗା ଭିତରେ ବୋହି ଯାଏ ନା..

ଦେଖ, କେତେ ପବିତ୍ର ଏଇ ଜଙ୍ଗଲ, କେତେ ପବିତ୍ର ଏଇ ପାହାଡି ଝରଣା। ସାରା ଜୀବନ ତୁ ଏଇଠି ରହିବୁ, ଆଉ କେବେ ତୋତେ ସହରକୁ ଛାଡିବିନି ଯମୁନା..

ସୂର୍ଯ୍ୟାସ୍ତର କ୍ଳାନ୍ତ କିରଣ ଆସି ଝଲକୁ ଥିଲା ଅସହାୟ ଯମୁନାର ମୁହଁ ଉପରେ, ଆଶ୍ୱାସନା ର ବାର୍ତ୍ତା ବାର ବାର ଯାଇ ପ୍ରତିଧ୍ଵନିତ ହେଉଥିଲା ପାହାଡ଼ ପାଖ ଦେଇ। ମାଆ କୁ ଅନେଇ ହସି ଦେଲା ଯମୁନା...ଭାବୁଥିଲା ସ୍ଵର୍ଗ ତ ମା'ର ପାଶେ ପାଶେ, ଆଉ ସବୁ କଥା ମିଛ !!!



Rate this content
Log in

Similar oriya story from Tragedy