କୋକୁଆ ଭୟ
କୋକୁଆ ଭୟ
ପାହାଡ଼ ତଳିଆ ଗାଆଁଟିଏ ନାମ ତାହାରି ପାର୍ବତୀ ଦେଇ ପାଟଣା l ସରଳ ଓ ନିରାଡ଼ମ୍ବର ଜୀବନ ଶୈଳୀ ଥିଲା ଗ୍ରାମବାସୀଙ୍କର l ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି l ହାତ ଗଣତି ଦୁଇ ତିନିଜଣ ଚାକିରିଆ ଗାଆଁରେ ଥିବେ l ଦିନ ସାରା ହାଡ଼ଭଙ୍ଗା ପରିଶ୍ରମ, ତେଣୁ ସଞ୍ଜ ନଇଁଲେ ଗାଆଁ ମଝିରେ ଥିବା ଚନ୍ଦିନୀରେ ଆସର ଜମେ l କି ବୁଢା କି ପିଲା ସମସ୍ତେ ସେଠି ମେଳି l ଗାଆଁ ଠାରୁ ଆରମ୍ଭ ହୋଇ କଥା ଲମ୍ବି ଯାଏ ରାଜ୍ୟ ଦେଶ ଅତିକ୍ରାନ୍ତ କରି l କିଏ କହୁ, ଥାଏ କିଏ ଶୁଣୁଥାଏ ପୁଣି କିଏ ଘୁମେଇ ଘୁମେଇ" ହୁଁ ","ହୁଁ " ଭରୁଥାଏ l
ସେ ଦିନ ବି ବେଶ ଆସର ଜମିଥାଏ l ଆଗକୁ ଗାଆଁ ଠାକୁରାଣୀଙ୍କ ପରବ ଆସିବାର ଥିଲା ସେଥିପାଇଁ ପ୍ରସ୍ତୁତି ଆଲୋଚନା l କଥା ଶୁଣି ଶୁଣି ଦନେଇ କାକା କେତେବେଳୁ ଘୁମେଇ ପଡିଥିଲା l ସେ ଏକ କୋଣକୁ ଆଉଜି ଶୋଇଥିଲି l ତେଣୁ କେହି ଆଉ ତାକୁ ଡାକି ନାହାଁନ୍ତି l ଅଧିକ ରାତି ହେବାରୁ ଯିଏ ଯା ଘରକୁ ଗଲେଣି l ତାଙ୍କ ପୁଅ ଯାଇ ବି ତାଙ୍କୁ ଡାକି ଆସିଲାଣି କିନ୍ତୁ ତାଙ୍କୁ ନିଦ ଘାରିଛି l ବହୁ ବାର ଲୋକ ମାନେ ସେଠି ଶୋଇ ପଡ଼ନ୍ତି ଚଟାଣରେ l ଖରା ଦିନେ ତ ପ୍ରାୟ ଲୋକ ସେଠି ଶୁଅନ୍ତି l
ନିଦ ଭାଙ୍ଗିଲା ଦନେଇ କକାଙ୍କର l ରାତି ଅଧ ଚାରି ଆଡ଼ ନିଃଶବ୍ଦ l ସେ ଦେଖିଲେ ତାଙ୍କ ଗୋଡ ତଳେ ଚଟାଣ ଉପରେ ଏକ କଳା ଛାଇ ପରି ଦେଖାଯାଉଛି (ସାତ, ଆଠ ବର୍ଷର ଛୁଆ ପରି ) ଜଣେ ବସିଛି l ସେ ଭାବିଲେ ତାଙ୍କ ପୁଅ ରାଜୁ ବୋଧହୁଏ?
ସେ ଡାକ ଛାଡିଲେ' ରାଜୁ '.... 'ରାଜୁ '......
ହଠାତ ସେ ଛାଇଟି ଆସି କକାଙ୍କ ତଣ୍ଟିକୁ ଚିପି ଧରିଲା l ସେ ଦେହ ଉପରେ ଲଦି ହୋଇଥାଏ, ଲାଗୁଥିଲା ଯେପରି ଶହେ କେଜିର ଲୁହା ଲଦା ହୋଇଛି l ଠାକୁରାଣୀଙ୍କୁ ସୁମରଣା କରି ନିଜର ସମସ୍ତ ବଳ ପ୍ରୟୋଗ କରି ତାକୁ ଠେଲିଲେ l ତା ପରେ ପଡି ଉଠି ଯାଇ ପହଞ୍ଚିଲେ ଘରେ l ତା ପର ଦିନ ତାଙ୍କୁ ଝାଡା ବାନ୍ତି l ଗାଆଁ ସାରା ଖବରଟା ପ୍ରଚାର ହୋଇଗଲା l ଲୋକଙ୍କ ଭିତରେ ଏକ କୋକୁଆ ଭୟ ଖେଳିଗଲା l କାରଣ ସେମାନେ ନିଜର ବାପା ଜେଜେଙ୍କଠୁଁ ଶୁଣିଥିଲେ ଏପରି ଏକ ଶକ୍ତି ଯାହାକୁ ସେମାନେ ଚଣ୍ଡୀ କହୁଥିଲେ l ସେମାନଙ୍କ ସାମ୍ମାରେ ଯିଏ ପଡ଼େ ଆଉ ବର୍ତ୍ତେନି l ଦନେଇ କାକା ଭାରି କପାଳିଆ ତେଣୁ ସେ ବଞ୍ଚି ଗଲେ l
ତା ପରଠୁଁ ଘର ବାହାରେ କେହି ଶୋଇଲେ ନାହିଁ l ଯେତେ ଅସୁବିଧା ଆସୁ l କିନ୍ତୁ କେତେକ ଯୁବକ ଏ କଥାକୁ ବିଶ୍ୱାସ କଲେ ନାହିଁ, ଲୋକଙ୍କୁ ଚେତେଇ ଦେବା ପାଇଁ ସେ ଦିନ ମନୁ, ଟୁନା, ଜଗା ଓ ବାବୁ ଚାରି ଜଣ ଛାତ ଉପରେ ଶୋଇଲେ l ବଳିଷ୍ଠ ଯୁବକ ଏଣେ ଯୌବନ ବୟସ, ଡର କାହାକୁ ଭୟ କାହାକୁ l କଥା ବାର୍ତ୍ତା ଚାଲିଥିଲା l କେହିଶୋଇ ନାହାଁନ୍ତି l ସେଇ ସମୟ, ମଧ୍ୟ ରାତ୍ର ଟୁନା ଏକ ଭୟଙ୍କର ରଡି ଛାଡିଲା l ସମସ୍ତେ ଛାନିଆ ହୋଇ ତାକୁ ଚାହିଁଲେ l ତାର ବେକ ପାଖରେ କଣ କଳା କଳା ଦେଖାଗଲା l ସମସ୍ତେ ନିରେଖି ଚାହିଁଲା ବେଳକୁ ସେଇ କଳା ମୂର୍ତ୍ତି ତା ବେକକୁ ଧରି ଓହଳି ଥିଲା ପଡିଶା ଘର ଛାତକୁ l ସମସ୍ତେ ମିଶି ପାଟି କରି ହନୁମାନ ଚାଳିଶା ବୋଲିବାରେ ଲାଗିଲୁ l ଭୟରେ ଓଠ କଣ୍ଠ ଥରୁଥାଏ କିନ୍ତୁ ପରସ୍ପରକୁ ସାହସ ଦେଉଥାଉ l ଆମ ଆଗରେ ସେ କଳା ଛାୟାଟି ଛାତକୁ ଛାତ ଡେ଼ଇଁ ଏକ ନଡ଼ିଆ ଗଛ ଉପରକୁ ଚଢ଼ିଗଲା l ସେଦିନ ବୁଝିଲୁ ବୟସ୍କ ଲୋକ କିଛି କହୁଛନ୍ତି, ତାହା ଅବମାନନା କରିବା ଠିକ କଥା ନୁହେଁ l
ଗାଆଁର ଜଣେ ବୟସ୍କ ବଳିଆ ବାପାଙ୍କ ପରାମର୍ଶ କ୍ରମେ ଗାଆଁରେ ହୋମ ଯଜ୍ଞ ହୋଇ ଅଭମନ୍ତ୍ରିତ ଜଳ ଗାଆଁର ଚତୁର୍ପାଶ୍ୱରେ ଛିଞ୍ଚନ ହେଲା l ତାପରେ ଲୋକ ମାନେ ପୁଣି ଭୟ ଶୂନ୍ୟ ହୋଇ ବସବାସ କଲେ l

