ଆସୁଛି କଳାପାହାଡ଼
ଆସୁଛି କଳାପାହାଡ଼
ଭଗ୍ନ କୋଣାର୍କର ମଗ୍ନ ଶିଳ୍ପୀ ମୁଁ
ବେଦନା ସିକ୍ତ ମନ,
ଯନ୍ତ୍ରଣା ଜର୍ଜରିତ ହୃଦୟେ ବି ଆଜି
ଭୀତି ଆସେ ଘନଘନ।
କାହିଁ କେଉଁ କାଳୁ ଚାହିଁ ବସିଅଛି
କାହାର ସ୍ନେହ ପରଶ,
ବାଜି ମୋ ଦେହରେ ଆସିବ ଓଠରେ
ଅମୂଲ୍ୟ ଟିକିଏ ହସ।
ଆଶଙ୍କା ମୋହର ବେଳୁବେଳ କହେ
ପୁଣି ଆସିବ କଳାପାହାଡ଼,
ଭାଙ୍ଗିବ କୀରତି ନେଇଯିବ ଲୁଟି
ଫିଙ୍ଗିବ ସହସ୍ର ଦୁଃଖର ଝଡ଼।
ଓଡିଶାର ଅନ୍ତ ଫାଡି କାଢିଦେବ
କରିଦେବ ବିବସନା,
ଜାଗ୍ରତ ହୁଅ ମୋ ଭାଇ ଓ ଭଉଣୀ
ଆଖି ଫାଡି ଟିକେ ଅନା।
ପ୍ରଣତି ମହାପାତ୍ର
ବାଲେଶ୍ଵର