ମୋ ଜନମ ଭୂଇଁ
ମୋ ଜନମ ଭୂଇଁ
ଜନମ ଭୂଇଁ ମୋ କେତେ ଯେ ନିଜର
ନିଇତି ମୁଁ ତାକୁ ଝୁରେ
ମୋ ଜନମ କାଳର ଏନ୍ତୁଡି ପାଉଁଶ
ପଡିଅଛି ସେହିଠାରେ ।
ଯେଉଁ ମା କୋଳେ ଜନମ ଲଭିଲି
ପାଦ ଦେଇ ଠିଆ ହେଲି
ଧୂଳି ଧୂସରରେ ସ୍ନେହ ଶରଧାରେ
ତା କୋଳେ ମୁଁ ଗଡୁଥିଲି ।
ଶରତ ରାତିରେ ପୁନେଇଁର ଜହ୍ନ
ଯେବେ ପୂରୁବ ଆକାଶେ ଦିଶେ
ଜନମଭୂଇଁ ମୋ ଶିରୀ ସୁଷମାରେ
ଗେହ୍ଲା ଝିଅ ପରି ହସେ ।
ବାଲ୍ୟକାଳେ ମୁହିଁ ଦେଖିଥିଲି ଯହିଁ
ଶରତ ପୂର୍ଣ୍ଣିମା କୁଆଁରୀ ଗୀତେ
ପୁଞ୍ଚି ଖେଳ ମେଳେ କୁଆଁରୀ ସଭିଏଁ
ଭିଡ ଲାଗିଥାଏ ପ୍ରେମ ସଂଗୀତେ ।
ସୂରୁଜ ଉଏଁ ନୀଳ ଆକାଶେ
ସୁନା ଥାଳିପରି ଦିଶେ
ସଞ୍ଜ ଆସିଲେ ଜହ୍ନ ମାମୁଁଟି
ବଉଦ ଫାଙ୍କେ ହସେ ।
ଭୁଲି ହୁଏ ନାହିଁ ଗାଁ ଦାଣ୍ଡ ଭୁଇଁ
ଗାଁ ଦିଅଁ ପୀଠ ସାଥୀ ସଙ୍ଗାତ କଥା
ବାରମାସେ ପୁଣି ତେର ପରବରେ
ମଣ୍ଡା ଯେ କାକରା ଆରିସା ପିଠା ।
ଗାଁ ଟି ମୋର କେତେ ବଢିଆ
ସବୁଜିମା ମୟ ସେ ଧାନ ଖେତ
ମନେପଡେ ଆଜି ଗାଁ କଥା ମୋର
ପିଲାଦିନ ସାଥୀ ସେ ସଂଗାତ
ସୁଜଳା ସୁଫଳା ସବୁଜିମାମୟ
ସେ ଦାଣ୍ଡ ଧୂଳିକୁ ମୋ ପ୍ରଣିପାତ ।।