ଅଫେରା ବସନ୍ତ
ଅଫେରା ବସନ୍ତ
ଫଗୁଣ ଫେରିଛି ଧରଣୀ ହସୁଛି
ଆମ୍ବ ବଉଳର ସାଥେ
ହଳଦୀ ବସନ୍ତ ଲୁଚକାଳି ଖେଳେ
କୋଇଲି ଗାଉଛି ପଥେ ।
ମହମହ ବାସେ ପଲ୍ଲୀ କୁଞ୍ଜ ବନେ
ଶେଫାଳୀ ଶିମିଳି ମଲ୍ଲୀ
ପଦୁଅଁ ଚାହିଁଛି ସ୍ମିତ ହାସ୍ୟ ଦେଇ
ସବିତା କିରଣେ ମେଲି ।
ଫଗୁଣର ରଙ୍ଗ ଅବିର ଅର୍ପଣ
ରହିଛି କି ଚିରସ୍ଥାୟୀ
ଜୀବନ ରଙ୍ଗରେ ରଙ୍ଗାୟିତ ଦିନେ
କେବେ ସେ କାଳିମା ନେଇ ।
ଦିନ ପରେ ଦିନ ଗଡି ହୁଏ ମାସ
ଆସେ ପୁଣି କେତେ ବର୍ଷ
ଜୀବନ ଯନ୍ତ୍ରଣା ସଂସାର ପୁସ୍ତକେ
ଫର୍ଦ ଲେଉଟାଏ ବିଷ ।
ଗ୍ରୀଷ୍ମର ତାଡନା ବର୍ଷାର ଛଳନା
ସବୁ ଚାଖିଛି ଏ ଦେହ
ଶୀତର ପ୍ରକୋପ ଜାଡର ଚାପୁଡା
ଭରିଛି ମନରେ କୋହ ।
ଋତୁ ପରି ଆମ ଜୀବନ ବଦଳେ
କେତେ ରଙ୍ଗ ଢ଼ଙ୍ଗ ରୂପେ
ଶୈଶବ ବାଳୁତ ଯୌବନ ସରିଲେ
ବାର୍ଦ୍ଧକ୍ୟ ଟାଣଇ କୋପେ ।
ଲୋଭ ମୋହ ସବୁ ହିସାବ ଦିଅଇ
କେତେ ଥିଲା କେତେ ଗଲା
ଯାହା ବଳି ଅଛି ଖୁଚୁରା ଜୀବନେ
ସିଏ ବି ଅମାପ ହେଲା ।
ଋତୁର ରାଜୁତି ତିଷ୍ଠି ରହି ନାହିଁ
ରହିବ କି ଏ ଛାର ପ୍ରାଣ
ଅଭିନୟ କରି ବାହୁଡିବେ ବଳେ
ମୁଁ ସେହି ମଣିଷ ଜାଣ ।
ଶେଷ ବସନ୍ତର ଠିକଣା ମୁଁ ଏବେ
ଖୋଜୁଛି ଜୀବନ କାଳେ
ଖେଳିବି ଅବିର ଶେଷ ଫଗୁଣର
ଶୋଷ ଯିବ ଗଙ୍ଗା ଜଳେ ।
ଏମିତି ଜୀବନ ଟଳମଳ ଆଜି
ଭାସୁଛି ଜଞ୍ଜାଳ ତୀରେ
କାଳ ହାତ ଠାରି ସେ କୂଳେ ଡାକୁଛି
ମାୟା ପାଶେ ଟାଣି ନେବ ଧୀରେ
ଆଉ ତା ପରେ ।