ମୁଁ ସ୍ଥିର
ମୁଁ ସ୍ଥିର
ମୁଁ ସ୍ଥିର , ମୁଁ ଅଟଳ ,
ଠିକ୍ ତୋ ରି ପରି ,
ହେଲେ ରହିଛି କିଛି ତଫାତ୍,
କେବଳ ନାମରେ,
ତୁ ଗିରି ମୁଁ ସାଧାରଣ ନାରୀ ।
କେତେ ଡିନାମାଇଟ୍ ପିଟି ହୋଇଛି ତୋ ଦେହରେ ,
ଖଣ୍ଡ ଖଣ୍ଡ କରି ଗଡେଇ ଦେଇଛି ତୋତେ ,
ତଥାପି ବି ତୁ ସ୍ଥିର , ଅଟଳ ,
ଠିକ୍ ଆଗ ପରି ।
ବିଶାଳ ମେଘ ଖଣ୍ଡ ,
ମୁଣ୍ଡ ପିଟିଛି ତୋ ଦେହେ ,
ବାରି ଧାରା ବହି ଯାଇଛି ,
ଶୈଳାତକ୍ଷେପ ବୃଷ୍ଟିର ନାମ ଧରି ।
ତଥାପି ଧୋଇ ପାରିନି ,
ତୋ ବିଶ୍ବାସକୁ ,
ଦୋହଲାଇ ପାରିନି ତୋ ର ଅଟଳ ପଣକୁ ।
ଅସଂଖ୍ୟ ଦକ୍ଷ କାରିଗର ,
ତୋ ଦେହର ଅଂଶକୁ ନେଇ ,
ଗଢିଛି କିଛି ନୂଆ ,
ପାଇଛି ନବ ମୂରତି
ତଥାପି ,
ମୂଳୋତ୍ପାଟନ କରି ପାରିନି ତୋତେ ।
ମୁଁ ବି ଠିକ୍ ତୋ ପରି
କେବଳ ଏତିକି ତଫାତ୍
ତୁ ଗିରି ଆଉ ମୁଁ ନାରୀ ।
ବାଧା ର ବାଦଲ , ବିପଦ ର ଲହରୀ
ଆସି ବାଡେଇଛି ମୋତେ ,
ସମସ୍ୟାର ଭୂକମ୍ପ ଅବିରତ ପ୍ରୟାସ କରିଛି
ନୁଆଇଁବାକୁ ମୋ ମଥା
ତଥାପି ପାରିନି
ମୁଁ ଏବେ ବି ସେମିତି ସ୍ଥିର ।
ନାନା ପ୍ରଶ୍ନ ଉଠେ ମୋ ସଚ୍ଚୋଟତା ଉପରେ ,
ଅସୁମାରୀ ବିପଦର କଟୁରୀ ଆସେ
ମୋ ବିଶ୍ବାସ କୁ ହାଣି ଟିକ୍ ଟିକ୍ କରିବାକୁ ,
ତଥାପି ସେ ହାରିଯାଏ ।
ଆଉ ମୁଁ ରହିଥାଏ ସ୍ଥିର ,
ଠିକ୍ ଆଗ ପରି
ହଁ ମୁଁ ସ୍ଥିର ଠିକ୍ ତୋ ପରି
କେବଳ ଏତିକି ତଫାତ୍
ତୁ ନାମରେ ଗିରି ଓ ମୁଁ ନାରୀ ।