ମୁକ୍ତିମନ୍ତ୍ର
ମୁକ୍ତିମନ୍ତ୍ର
ରମାକାନ୍ତ ପୁରୋହିତ
ଭାରତେ ଓଡ଼ିଶା ଓଡ଼ିଶା,
ତା’ ସାଥେ କାହାକୁ ନମିଶା ।
ଯା ନାଥ ଜଗତର ନାଥ,
ହାତ ନଥାଇ ଜଗନ୍ନାଥ ।
ନଥାଇ କାନ ସେ ଶୁଣନ୍ତି,
ପାଦ ନଥାଇ ବୁଲିଯାନ୍ତି ।
ରସନା ନଥାଇ ରସନା,
ଆନନ୍ଦ ବଜାରୁ ବାସନା ।
ସେ ପୂର୍ଣ୍ଣଧାମ ନୀଳାଚଳ,
ଅଚଳ ଯେଉଁଠି ସଚଳ ।
ମାନଭଂଜନ ରସଗୋଲା,
ଧରି ଭେରନ୍ତି ଚକାଡୋଳା ।
ଘରେ ଘରଣୀ ଗରଗର,
ଶାନ୍ତି କରଇ ମିଠାଭାର ।
ଅପତ୍ୟ ସ୍ନେହେ ଅନ୍ଧ ହୋଇ,
ଆସନ୍ତି ଏଠି ଶ୍ରଦ୍ଧାନେଇ ।
ଦେବକୀ ବସୁଦେବ ନନ୍ଦ,
ଯଶୋଦା ଅପୂର୍ବ ସମ୍ବନ୍ଧ ।
ଗୁରୁଜନଙ୍କୁ ଗୁରୁଜନ,
ମାନ୍ୟ କରି ସେ ମହାଜନ ।
ରତ୍ନସିଂହାସନେ ଆସୀନ,
ଦର୍ଶନେ ଧନ୍ୟ ଭକ୍ତମନ ।
ସାଗର ହୁଏ ମହୋଦଧି,
ଦଣ୍ଡେ ନାଶଇ ବହୁବ୍ୟାଧି ।
ଜାତି ବର୍ଣ୍ଣ ବିଦ୍ଵେଷ ଭାବ,
ଏ ପରିବେଶରେ ଅଭାବ ।
ଧର୍ମନିରପେକ୍ଷ ଭାବନା,
ଆବ୍ରହ୍ମ ଚଣ୍ଡାଳଙ୍କୁ ଜଣା ।
ମା ଲକ୍ଷ୍ମୀ ଏଠି ଦୟାମୟୀ,
ଶ୍ରୀୟା ଭବନେ କୁଣ୍ଠାନାହିଁ ।
ଯେ କରେ ଏହାକୁ ବିରୋଧ,
ତା’ ପାଇଁ ହୁଏ କଷ୍ଟବୋଧ ।
ହେଉ ଛୋଟ ବା ବଡ଼ଜାତି,
ଯଦି ସ୍ୱଚ୍ଛ ଶୁଦ୍ଧତା ନୀତି ।
ରସଗୋଲା ପାଞ୍ଚ ଅମୃତ,
ଓଡ଼ିଶା ଓଡ଼ିଆ ପ୍ରସ୍ତୃତ ।
ବନ୍ଦେ ଉତ୍କଳ ମୁକ୍ତି ମନ୍ତ୍ର,
ଓଡ଼ିଶା ଉତ୍କଳ ସ୍ୱତନ୍ତ୍ର ।