ଗାଁ ବୁଢ଼ୀ ମା'ର ଶୀତ
ଗାଁ ବୁଢ଼ୀ ମା'ର ଶୀତ
ଶୀତ ଆସିଅଛି ଗାଆଁକୁ ମୋହର
ନୁଆଁଣିଆ ଚାଳଘରେ
ସକାଳ ହୋଇଲେ ସେହି ଘରେ ବସି
ବିଚରା ବୁଢୀଟା ଥରେ ।
ଥରି ଥରି ଚାଲେ କେତେସେ କଷ୍ଟରେ
ବଙ୍କୁଲୀ ବାଡିକୁ ଧରି
ଚୂଲିର ମୁଣ୍ଡରେ ପିଉଅଛି ବସି
ନାଲିଆ ଚାହାକୁ କରି ।
ଧୂଆଁ ପରି ସତେ ସକାଳ କୁହୁଡି
ଅଗଣାକୁ ତାର ଆସେ
କାକରର ଟୋପା ଗଛର ପତ୍ରରୁ
ଟିପ୍ ଟିପ୍ ହୋଇ ଖସେ ।
ସକାଳ ସୂର୍ଯ୍ୟର ଗରମ ପରଶ
ଟିକିଏ ପାଇବା ପାଇଁ
ଅଗଣାକୁ ଯାଇ ବସୁଅଛି ସିଏ
ପୂରୁବ ଦିଗକୁ ଚାହିଁ ।
ହାତ ଗୋଡ଼ ତାର କାଲୁଆ ମାରୁଛି
ବାଜିଲେ ଟିକିଏ ପାଣି
ସନ୍ଧ୍ୟା ହୋଇଗଲେ ଘରେସେ ରହୁଛି
ତାଟିର କବାଟ ଟାଣି ।
ନିଆ ପୁହୁଁ ଅଛି କେବେ କେବେ ସିଏ
ନିଜ ଅଗଣାରେ ବସି
ହଳଦୀ ରଙ୍ଗର ମାଳ ମାଳ ଗେଣ୍ଡୁ
ଦେଉଛି ସେଇଠି ହସି ।
ଖାଇ ପାରୁନାହିଁ ଶାନ୍ତିରେ ଗଣ୍ଡାଏ
ପାଟି ମରିଯାଏ ଖନୀ
ସତେକି ଯେମିତି ଶୀତ ଆସି ତାକୁ
କରୁଅଛି ହିନୀମାନି ।
ବାଡ଼ିରେ ଦେଖିକି ଧାନେଇ ଲଙ୍କାକୁ
ହେଉଅଛି ତାର ଲୋଭ
ହେଲେ ବାଜିଗଲେ ପାଟିରେ ଟିକିଏ
ଜଳି ଯାଉଅଛି ଜିଭ ।
ଛିଣ୍ଡା କମ୍ବଳରେ ଦେହ ତା ଢ଼ାଙ୍କୁଛି
ପୁରୁଣା ହେଁସରେ ଶୋଇ
ଶୀତ ଟା ଯେମିତି ଆସିଛି ତାପାଇଁ
ଯମର ଡାକରା ନେଇ ।