ଏକକ ଈଶ୍ଵର
ଏକକ ଈଶ୍ଵର
ମୁଁ ତ ବାଧ୍ୟ
ତୁମକୁ ଆଣି ବସାଇବାକୁ
ମୋ ଆଖି ସାମ୍ନାରେ ଠିକ୍
ସିନ୍ଦୂରା ଫିଟାଇ ଉଇଁ ଆସୁଥିବା
ସୂର୍ଯ୍ୟଙ୍କ ପରି
ସକାଳର ଶୁଭେଛା ନେଇ...।।
କେଉଁଠି ବା ତୁମେ ନାହଁ ଯେ
ଏତେ ଏତେ ଅଭିମାନର ଜୁଆର
ସବୁକୁ ଭାଙ୍ଗି ଚାଲ ତୁହାକୁ ତୁହା
ମୋ ନରମ ବୁକୁ ଉପରେ....???
ଦେଖିବ କି କୁହ
ମୋ ଘରର କାନ୍ଥ ବାଡ
ଆସବାବପତ୍ର ...
ସବୁଠି ତ ତୁମ ଛୁଆଁର ବହଳ ପ୍ରଲେପ
ଛନ୍ଦମୟ ଆଉ ଶବ୍ଦମୟ ସମସ୍ତ ପରିବେଶ
ବଖାଣୁ ଥାଏ ପରା ଅନବରତ
ଘର୍ମାକ୍ତ ତୁମ ଦେହର ଲାଳିତ୍ୟ....।।
ଭାବନାରୁ ଉର୍ଦ୍ଧରେ
ପ୍ରକାଶ୍ୟର ସୀମା ବାହାରେ
ତୁମେ ମୋର ଏକକ ଈଶ୍ଵର
ଯୋଜନ ଦୂରେ ଥାଇ ବି
ତୁମକୁ ଦେଖିପାରେ ଛୁଇଁପାରେ
ବାରି ପାରେ ମହ ମହ ଶରୀର ଗନ୍ଧ
ସେଥିପାଇଁ ପରା ମୋ କବିତାରେ
ଏତେ ପ୍ରେମର ନିର୍ଝର, ଭାବର ଉଚ୍ଛ୍ୱାସ...।।
ବିବ୍ରତ କାହିଁକି ହୁଅ
ମୁଁ ଯେ ସ୍ଥିର ଓ ନିର୍ବିକାର
କୋଟିଏ ଯୁଗର ଗୋଟିଏ ଗାଥା
ହେଉ ପାପ ଅବା ହେଉ ପୂଣ୍ୟର କଥା
ତୁମେଇ ସର୍ବତ୍ର ବିଦ୍ୟମାନ
ଯେମିତି ପବନେ ଫୁଲର ସୁରଭି
ଯେମିତି ଜହ୍ନର ଜୋଛନା ରୂପେଲି ....।।
ହୁଏତ ମୁଁ ନୀରବି ଯାଇଛି
ବେଶ୍ କିଛି କ୍ଷଣ ପାଇଁ
ଶୋଇ ଯାଇଛି ବି ଆତ୍ମା ମୋର
କି ଏକ ଗହନ ନିଦ୍ରାରେ
ସେଇଠି ବି ତୁମ ଅସ୍ତିତ୍ଵର ରାଜତ୍ଵ
ଚେତନରେ ହେଉ
କି ଅବଚେତନରେ ହେଉ
ସିଦ୍ଧ ଓଂକାର ନାଦରେ ସେ
ଧ୍ୟାନ ଭଙ୍ଗ କରୁଥାଏ ମୋର କ୍ଷଣ ପ୍ରତିକ୍ଷଣ...।।
॥ ସଂଘମିତ୍ରା ॥