ଯୋଦ୍ଧା କର୍ଣ୍ଣ କୁ ପଚାର
ଯୋଦ୍ଧା କର୍ଣ୍ଣ କୁ ପଚାର
ଅର୍ଜୁନଙ୍କ ସହିତ ଭୟଙ୍କର ଯୁଦ୍ଧ କରି ନିଜ ଶିବିର ମଧ୍ୟରେ ଚିନ୍ତାମଗ୍ନ ଅବସ୍ଥାରେ ବିଶ୍ରାମ ନେଉଥାନ୍ତି ଯୋଦ୍ଧା କର୍ଣ୍ଣ l ଚାରିଆଡେ ନୀରବତା ଓ ନିରାଶା ର ଛାଇ ଖେଳି ଯାଇ ଥାଏ l ଠିକ୍ ଏହି ସମୟରେ ହଠାତ୍ ଜଣେ ଯୋଦ୍ଧା ଆସି ଅତି ବିନମ୍ର ଭାବରେ କର୍ଣ୍ଣଙ୍କୁ ପଚାରନ୍ତି " ହେ ଯୋଦ୍ଧା କୁନ୍ତୀ ପୁତ୍ର କର୍ଣ୍ଣ ତୁମେ ଦୁର୍ଯ୍ୟୋଧନଙ୍କର ସପକ୍ଷରେ ରହି ନିଜ ଭାଇ ଅର୍ଜୁନଙ୍କ ବିରୁଦ୍ଧରେ ଶର ଉତ୍ତୋଳନ କରି କଣ ଖୁସି ଅଛ "l
ନିର୍ମିମେଷ ନୟନରେ କିଛି ସମୟ ପ୍ରଶ୍ନ ପଚାରି ଥିବା ଯୋଦ୍ଧାକୁ ଦେଖି କହିଲେ " ହେ ବୀର ଯୋଦ୍ଧା ତୁମେ ମୋର ଏ ଅବସ୍ଥା ଦେଖି କ'ଣ ଭାବୁଛ, ମୁଁ କ'ଣ ବାସ୍ତବରେ ପ୍ରସନ୍ନ ଦେଖା ଯାଉଛି, ହେଲେ ଆଜି ତୁମେ ଏକା ଏ ପ୍ରଶ୍ନ ପଚାରିଛ, ଆସନ୍ତା କାଲି ଏ ଜନ ସମୁଦାୟ ପଚାରିବେ, ମତେ ଦୋଷୀ ସାବ୍ୟସ୍ତ କରିବେ ତା ପୂର୍ବରୁ ମୋର ଉତ୍ତର ଶୁଣି ନିଅ "l
ବିଶ୍ୱର ଜନ ସମୁଦାୟ ଉଦ୍ଦେଶ୍ୟରେ କହିବା ଆରମ୍ଭ କଲେ " ମୁଁ ବହୁ ପୂର୍ବରୁ ଜାଣିଛି ଯେ ତୁମେ ଆଜି ନହେଲେ ଆଗାମୀ ହଜାର ପିଢ଼ି ପରେ ମତେ ଏହି ଯୋଦ୍ଧା ପଚାରି ଥିବା ପ୍ରଶ୍ନ ନିହାତି ପଚାରିଥାନ୍ତ, ହେ ଯୋଦ୍ଧା ସୂତ ପୁତ୍ର କର୍ଣ୍ଣ ତୁମେ ଯେତେବେଳେ କୁନ୍ତୀଙ୍କୁ ନିଜର ମା' ବୋଲି ଜାଣିଲ, ନିଜେ ଜ୍ୟେଷ୍ଠ ପାଣ୍ଡବ ବୋଲି ଜାଣିଲା ପରେ କେମିତି ସାନଭାଇ ଅର୍ଜୁନଙ୍କ ଉପରେ ତୀର ବର୍ଷଣ କଲ, ମାରିବାକୁ ଶତ ପ୍ରଚେଷ୍ଟା କରିଥିଲ,ଶର ସନ୍ଧାନ କଲାବେଳେ କ'ଣ ତୁମ ହାତ ଥରୁ ନଥିଲା ଇତ୍ୟାଦି ଇତ୍ୟାଦି ଅନେକ ପ୍ରଶ୍ନ ପଚାରି ଥାନ୍ତ, ହେଲେ ଭ୍ରାତା ଅର୍ଜୁନଙ୍କ ସହିତ ଯୁଦ୍ଧ କରୁଥିବାର ଦେଖି ତୁମକୁ କ'ଣ ଲାଗୁଛି ମୁଁ ମୋର ସାନଭାଇ କୁ ମାରି ଦେଇ ମୁଁ ବିଜୟୀ ହୋଇଯିବି l ଯେତେବେଳେ ମାତା କୁନ୍ତୀଙ୍କ ସହିତ ସାକ୍ଷାତ କଲି ଏବଂ ତାଙ୍କ ନିଜ ପରିଚୟ ଦେଲେ ସେ ମହିୟସୀ ମହିଳା ହେଉଛନ୍ତି ମୋର ମା', ସେ ମୁହୂର୍ତ୍ତ ମୋ ପାଇଁ ଥିଲା ଅବିସ୍ମରଣୀୟ, ତନୁମନକୁ ଆନନ୍ଦରେ ପୁଲକିତ କରିଦେଇଥିବା କ୍ଷଣ,ଅନେକ ଦିନ ପରେ ନିଜ ମା'କୁ ପାଇଲି ,ମହାନ ଯୋଦ୍ଧା, ଜ୍ଞାନୀ, ଗୁଣୀ , ଧର୍ମ ରେ ପରିପୂର୍ଣ୍ଣ ପାଞ୍ଚଭାଇଙ୍କୁ ପାଇଲି ଗୋଟିଏ ମୁହୁର୍ତ୍ତ ପାଇଁ ମୁଁ ଭାବ ବିହୋଳିତ ହୋଇ ଉଠିଲି, ଲାଗୁଥିଲା କିଛି ସମୟ ମାଆଙ୍କ କୋଳରେ ମୁଣ୍ଡ ରଖି ଶୋଇଯାନ୍ତି, ଭାଇ ମାନଙ୍କ ପାଖକୁ ଯାଇ ଆଲିଙ୍ଗନ କରନ୍ତି l ମୋର ଇଚ୍ଛା ଥିଲେବି ମୁଁ ଏସବୁ କିଛି କରି ପାରି ନଥିଲି ବରଂ ମା'ଙ୍କୁ କଥା ଦେଲି ତାଙ୍କ ଛ ପୁତ୍ରରୁ ପାଞ୍ଚ ପୁତ୍ର ନିଶ୍ଚିତ ଜୀବିତ ରହିବେ ସେ ଅର୍ଜୁନ ହୁଅନ୍ତୁ ବା କର୍ଣ୍ଣ l ମୁଁ ମାଆଙ୍କୁ ଏହି କଥା ଦେବାର ଦେଖି ଆପଣଙ୍କୁ କ'ଣ ଲାଗୁଥିଲା ମୁଁ ମୋର ସାନଭାଇକୁ ମାରି ମୁଁ ବିଜୟୀ ହୋଇଯିବି l ହେଲେ ଥରେ ମାତ୍ର ମୋର ହୃଦୟକୁ ଦେଖି ପାରିଥାନ୍ତ, ମୋର ମନକୁ ପଢ଼ି ପାରିଥାନ୍ତ ତେବେ ମତେ ବୁଝି ପାରିଥାନ୍ତ ମୋ ଭାଇ ମାନଙ୍କ ପ୍ରତି କେତେ ସ୍ନେହ, ପ୍ରେମ ଓ ଦରଦ ଥିଲା l ଗୋଟିଏ ମୁହୁର୍ତ୍ତ ପାଇଁ ଭୁଲି ଯାଇଥିଲି ନିଜକୁ, ଭୁଲି ଯାଇଥିଲି ଏ ଭୟଙ୍କରୀ ମହା ସମରକୁ l ଇଚ୍ଛା ହେଉଥିଲା ପାଣ୍ଡବ ଶିବିରକୁ ଯାଇ ପାଣ୍ଡବ ପକ୍ଷରୁ ଯୁଦ୍ଧର ନେତୃତ୍ୱ କରିବା ପାଇଁ, ମୋର କର୍ଣ୍ଣ ଦ୍ବୟ ଆତୁର ହେଉଥିଲା ବଡଭାଇ ର ଡାକ ଶୁଣିବା ପାଇଁ ହେଲେ ମୁଁ ଏପରି କରିପାରିନଥିଲି ଏହା ଥିଲା ବିଧିର ଏକ ମହା ବିଡମ୍ବନା....
ହୃଦୟରେ କୋହ ଆଖିରେ ମୋ ଲୁହ ହାତରେ ମୋହର ଧନୁ
ଭାବ ବିହୋଳିତ ଅସ୍ଥିର ମୋ ଚିତ୍ତ ପୁଲକିତ ତନୁ ମନୁ,
ମୁଁ ଏପରି ଏକ ବନ୍ଧନରେ ବାନ୍ଧି ହୋଇଯାଇଥିଲି ଯାହା ଆପଣ ମାନଙ୍କୁ ସ୍ପଷ୍ଟ ରୂପରେ ଜଣା l ଦୁର୍ଯ୍ୟୋଧନ ଙ୍କ ସହିତ ବନ୍ଧୁତ୍ବ ର ସମ୍ପର୍କ l ମୁଁ ହିଁ ଜ୍ୟେଷ୍ଠ ପାଣ୍ଡବ ଜାଣିଲା ପରେ ଯଦି ଦୁର୍ଯ୍ୟୋଧନଙ୍କୁ ତ୍ୟାଗ କରି ମୋ ଭାଇ ମାନଙ୍କ ପକ୍ଷରେ ଆସିଥାନ୍ତି ତେବେ ତୁମେ କ'ଣ କହିଥାନ୍ତ, ଏଇଆ ନା "ବିଶ୍ୱାସଘାତୀ କର୍ଣ୍ଣ " ଏହି ନାମରେ ନାମିତ କରି କଳଙ୍କିତ କାଳିମାରେ ପୋତି ଦେଇଥାନ୍ତ l 'ବନ୍ଧୁ' ଶବ୍ଦଟି 'ବିଶ୍ୱାସଘାତୀ' ଶବ୍ଦରେ ପରିବର୍ତ୍ତନ ହୋଇଯାଇଥାନ୍ତା l ଦାନୀ କର୍ଣ୍ଣ ପରିବର୍ତ୍ତେ ବିଶ୍ୱାସଘାତୀ କର୍ଣ୍ଣ ନାମରେ ନାମିତ କରି ଦେଇଥାନ୍ତେ ଏହି ବିଶ୍ୱ ସମୁଦାୟ, ଯାହା ମୋ ସହିତ ମୋ ଜନ୍ମଦାତା ଓ ଜନ୍ମଦାତ୍ରୀ ଙ୍କୁ ଆଦୌ ବରଦାସ୍ତ ହୋଇ ନଥାନ୍ତା l କେବଳ ଏହି କାରଣ ପାଇଁ ପରମ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କର ପରାମର୍ଶକୁ ଅଣଦେଖା କରିଦେଇଥିଲି l ସେଥିପାଇଁ ତ ଏହି ମହା ଭୟଙ୍କର ମହାଭାରତ ଯୁଦ୍ଧରେ ନିଜକୁ ନିଜ ବିରୁଦ୍ଧରେ ଠିଆ କରାଇଲି l ମୋ ମାଆ ପାଇଁ ମୋର ଭାଇ ମାନଙ୍କର ପାଇଁ ନିଜକୁ ନିଃଶେଷ କରିବାର ଦୃଢ଼ ନିଷ୍ପତ୍ତି ନେଲି l ମୁଁ ଭଲ ଭାବରେ ଜାଣିଥିଲି ଯଦି ମୋ ଭାଇମାନେ ଜାଣିଥାନ୍ତେ ମୁଁ ତାଙ୍କର ବଡଭାଇ ବୋଲି ତେବେ ସେମାନେ କେବେବି ଯୁଦ୍ଧ କରିବାକୁ ଶସ୍ତ୍ର ଉତ୍ତୋଳନ କରିନଥାନ୍ତେ, ହସ୍ତୀନାପୁର ରାଜ ସିଂହାସନରେ ମତେ ବସେଇ ଦେଇଥାନ୍ତେ ଏବଂ ମୁଁ ବାଧ୍ୟ ହୋଇଥାନ୍ତି ଏହି ସିଂହାସନ ବନ୍ଧୁ ଦୁର୍ଯ୍ୟୋଧନ କୁ ଦେବାପାଇଁ ଯିଏକି ଅଧର୍ମର ପ୍ରତୀକ ଅଟେ l ଏହି ଘଟଣାବି ମତେ କଳଙ୍କିତ କରିଦେଇଥାନ୍ତା l
ହେ ବିଶ୍ୱର ଜନ ସମୁଦାୟ ତୁମେ କୁହ ଧର୍ମର ସ୍ଥାପନ ପାଇଁ ପ୍ରଭୁ ଶ୍ରୀକୃଷ୍ଣ ଏହି ଧରାପୃଷ୍ଠରେ ଅବତାର ଗ୍ରହଣ କରି, ଅନେକ ଅପମାନକୁ ତଥା ଅଭିଶାପ କୁ ସାଉଁଟି ନେଇଥିଲେ ତାହା କ'ଣ ବୃଥା ହୋଇଯାଇଥାନ୍ତା l ଆପଣମାନେ କ'ଣ ଭାବୁଛନ୍ତି ଅର୍ଜୁନକୁ ପରାସ୍ତ କରିବାପାଇଁ ମତେ କେତେ ସମୟ ଲାଗିଥାନ୍ତା ବହୁତ କମ୍ ସମୟ ମଧ୍ୟରେ ପରାସ୍ତ କରିଦେଇଥାନ୍ତି କାରଣ ତାର ଗୁରୁ ମୋର ଗୁରୁଙ୍କର ଶିଷ୍ୟ, ଆପଣମାନେ ଏଥିରୁ ଅନୁମାନ କରି ପାରୁଥିବେ l
ହେଲେ ହେ ବିଶ୍ୱର ଜନ ସମୁଦାୟ ତୁମେ କେବେ ମୋ ପରି ଧର୍ମ ସଙ୍କଟରେ ପଡ଼ି ନିଜର ଆତ୍ମୀୟ ସ୍ୱଜନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥାନ୍ତ ଅବା ଶସ୍ତ୍ର ଚଳେଇଥାନ୍ତ, ତେବେ ଆଜି ଏ ପ୍ରଶ୍ନ ମତେ ପଚାରିବାକୁ ସାହସ କରିନଥାନ୍ତ l ହେଲେ ଆଜି ମୁଁ ଆପଣମାନଙ୍କୁ ମୋର ହୃଦୟର କଥା କହୁଛି ମୋର ଇଚ୍ଛା ନଥିବା ସତ୍ବେ ବି ସାନଭାଇ ମାନଙ୍କ ସହିତ ଯୁଦ୍ଧ କରିବାକୁ ପଡିଥିଲା, ଏହା ମୋ ପାଇଁ ବିଧିର ସବୁଠୁ ବଡ଼ ବିଡମ୍ବନା ଥିଲା!କାହିଁକି ମୁଁ ବି ଜାଣେନା ।
