ମୋ ମାର୍ଗ ଦର୍ଶକ
ମୋ ମାର୍ଗ ଦର୍ଶକ
ମଣିଷ ଏକ ଅମୁଲ୍ୟ ଜୀବନ ଓ ସଂଘର୍ଷରେ ଭରା l କେତେବେଳେ ଦୁଃଖ ତ କେତେବେଳେ ସୁଖ, କେତେବେଳେ ଆଖିରୁ ଝରିପଡ଼େ ଦିଟୋପା ଲୁହ ତ କେତେବେଳେ ମୁହଁରେ ଝଲସି ଉଠେ ଚେନାଏ ହସ l ସଂଘର୍ଷ ଭରା ଏହି ଜୀବନରେ ହାରିଗଲେ ବିଫଳତା ମିଳିଥାଏ, ଜୀବନଟି ପିତା ଲାଗିଥାଏ ଏବଂ ନର୍କ ଯନ୍ତ୍ରଣା ଠାରୁ ମଧ୍ୟ ଆହୁରି ଯନ୍ତ୍ରଣା ଦାୟକ ହୋଇଯାଏ କିନ୍ତୁ ଜିତିଗଲେ ସଫଳତା ମିଳିଥାଏ ଏବଂ ଜୀବନଟି ହସଖୁସିରେ ଭରିଯାଏ ସ୍ବର୍ଗୀୟ ସୁଖର ଅନୁଭବ ହୋଇଥାଏ l ଏହି ସଫଳତା ପଛରେ ସର୍ବଦା କୌଣସି ନା କୌଣସି ବ୍ୟକ୍ତିଙ୍କର ମାର୍ଗଦର୍ଶନ ବା ଘଟଣା ବା କାହାଣୀ ବା କୌଣସି ଉପଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ଏହାର ଏକ ସୁନ୍ଦର ଓ ସତ୍ୟ ଆଧାରିତ କାହାଣୀ ବର୍ଣ୍ଣନା କରୁଛି l
ଆଜିଠାରୁ ପଚାଶ ବର୍ଷ ତଳର କଥା l ମାଳତୀପୁର ଓଡିଶାର ଏକ ନିପଟ ମଫସଲ ଗାଁ, ଯାହା ଝାରଖଣ୍ଡ ସୀମାକୁ ଲାଗି ରହିଛି l ଗାଁ କୁ ଲାଗି ରହିଛି ଘଞ୍ଚ ଜଙ୍ଗଲ ବିଜ୍ଞାନ ଅନେକ ଆଗକୁ ଗତି କରିଥିଲେହେଁ ଏହି ଗାଁ ଅତ୍ୟାଧୁନିକ ସୁବିଧା ସୁଯୋଗରୁ ବଞ୍ଚିତ l ଏହି ଗାଁ ରେ ବସବାସ କରୁଥିଲେ ନିଜ ମା ବାପା ସହିତ ସରଳ ମନା ବାଳକ ବାଲାଜୀ l ଏହି ଚାକଚକ୍ୟ ଦୁନିଆରେ ସାଧାରଣ ଭାବେ ଜୀବନ ଜିଇଁବା, ସାଧାରଣ ପୋଷାକ,ସାଧାରଣ ଖାଦ୍ୟ ଖାଇ ଏହି ସମାଜରେ ପାଦରେ ପାଦ ମିଳେଇ ଚାଲିବା ଅତି ଆହ୍ୱାନ ପୂର୍ଣ୍ଣ l ସେହି ସମୟରେ ସେହି ଅଞ୍ଚଳର ଆଖପାଖରେ ବିଦ୍ୟାଳୟ ଟିଏ ନଥିଲା l ପାଠ ପଢିବାକୁ ହେଲେ ଦୂର ଜାଗାକୁ ଯିବାକୁ ପଡୁଥିଲା ଏବଂ ହଷ୍ଟେଲରେ ରହିବାକୁ ପଡୁଥିଲା l ବାଲାଜୀ ଅତ୍ୟନ୍ତ ଗରିବ ଘରର ପିଲା, ତାର ମା ବାପା ଦିନ ମଜୁରିଆ ରୂପେ ନିଜ ଗୁଜୁରାଣ ମେଣ୍ଟାନ୍ତି l ଏହି ଗରିବ ପରିସ୍ଥିତିରେ ମଧ୍ୟ ବାଲାଜୀର ପାଠ ପଢିବାକୁ ପ୍ରବଳ ଇଚ୍ଛା ତା ସହିତ ତାର ମା ବାପାଙ୍କର ମଧ୍ୟ ଇଚ୍ଛା ଯେ ବାଲାଜୀ ଅନେକ ପାଠ ପଢ଼ୁ ବଡ଼ ମଣିଷଟିଏ ହେଉ ଯାହା ଦ୍ୱାରା ତାଙ୍କ ଦୁଃଖ ଯିବ ଏବଂ ସୁଖ ଆସିବ l ଏଥିପାଇଁ ଯେତେ କଠିନ ପରିଶ୍ରମ କରିବାକୁ ପଡିବ କରିବୁ ହେଲେ ବାଲାଜୀ କୁ ପାଠ ପଢ଼ାଇବେ l ପାଠପଢ଼ା ସ୍ଥିର ହେଲାପରେ ବାଲାଜୀ ବିଦ୍ୟାଳୟ ଯିବାପାଇଁ ପ୍ରସ୍ତୁତ ହେଲା l
ବାଲାଜୀ ହଷ୍ଟେଲରେ ରହିବା ଆରମ୍ଭ କଲା, ବାଲାଜୀକୁ ଛାଡି ସେଠି ସବୁ ଧନୀ ଘରର ପିଲାମାନେ ରହୁଥାନ୍ତି l ସମସ୍ତଙ୍କର ଖାଇବା ରହିବା ପୋଷାକ ପିନ୍ଧିବା ଅତି ଉଚ୍ଚ ମାନର ହୋଇଥିବା ବେଳେ ବାଲାଜୀ ର ସବୁ ସାଧାରଣ ଥିଲା l ଧନୀ ପିଲାମାନେ ଚୁଡା ମୁଢ଼ି ମିକ୍ସଚର ଖାଉଥିବା ବେଳେ ବାଲାଜୀ ମେସରୁ ତୋରାଣୀ ମୁନ୍ଦିଏ ରହିଯାଏ l ଆକାଶ ପାତାଳ ଫରକ ରହଣିରେ l ଏଥିପାଇଁ ବାଲାଜୀକୁ ଅନେକ ଅପମାନ ସହିବାକୁ ପଡୁଥାଏ ଆଉ ଧନୀ ପିଲାମାନେ ବାଲାଜୀକୁ ଥଟା କରିବାରେ ମଜା ନେଉଥାନ୍ତି l ଅପମାନର ସୀମା ଏତେ ବଢିଗଲା ଯେ ବାଲାଜୀ ଆଉ ସହି ପାରିଲା ନାହିଁ l ନିରାଶ ହୋଇ ଶେଷରେ ସେ ନିଷ୍ପତ୍ତି ନେଲା ଆଉ ପାଠ ପଢିବ ନାହିଁ, ଘରକୁ ଫେରିଯିବ l ଅନ୍ୟର ମୂଳ ଲାଗିବ ଦିନରାତି ପରିଶ୍ରମ କରି ଟଙ୍କା ଉପାର୍ଜନ କରିବ, ନିଜ ମା ବାପାଙ୍କୁ ସୁଖରେ ରଖିବ ଏମିତି ଅନେକ କଥା ଭାବୁ ଭାବୁ ସ୍କୁଲ ଯିବାର ଘଣ୍ଟି ବାଜିଲା l ସ୍କୁଲର ଘଣ୍ଟି ଶବ୍ଦ ଶୁଣି ତାର ଭାବନା ଭାଙ୍ଗିଗଲା ସେ ନିରାଶ ମନରେ ଶ୍ରେଣୀକୁ ଗଲା l ସାହିତ୍ୟ ସାର ଆସିଲେ ନାରୀ କବି କୁନ୍ତଳା କୁମାରୀ ସାବତ ଙ୍କର ଏକ କବିତା ପଢେଇବା ଆରମ୍ଭ ହେଲା, ବାଲାଜୀ ଯାହା ଶୁଣୁଥାଏ ତାହା ଏ କାନରୁ ସେ କାନରେ ଚାଲି ଯାଉଥାଏ ହେଲେ ହଠାତ ଏକ ପଦ ତା କାନରେ ବାଜିଲା ଯାହାକି ତାର ନିରାଶ ମନରେ ଆଶା ସଂଚାର ହେଲା l ଯେପରି ମରୁଭୂମି ରେ ପାଣି ପାଇବା ପରି ହେଲା l ଯେତେ କଷ୍ଟ ଅପମାନ ଆସୁ ପଛକେ ସେ ଆଉ ପଛକୁ ଫେରି ଚାହିଁବ ନାହିଁ କି ସାଙ୍ଗ ମାନଙ୍କର ଅପମାନକୁ ଭ୍ରୁକ୍ଷେପ କରିବ ନାହିଁ, ପାଠ ପଢିବ ବଡ଼ ମଣିଷ ହେବ ମା ବାପାଙ୍କର ଆଶା ପୂରଣ କରିବ l ସେହି ପଦଟି ହେଲା
ହେଲେ ସାନ ମୁହିଁ ନାହିଁ ଲାଜ ଅପମାନ
ଯଦି ମୁଁ ପାରିବି ବଢ଼ି l
ଫୁଟିଲା ଫୁଲକି ଫୁଟେ ଆଉଥରେ
ଫୁଟେ ସିନା ଫୁଲ କଢ଼ି l
ବାଲାଜୀ ଆଉ ପଛକୁ ଫେରି ଚାହିଁଲା ନାହିଁ ଆଗକୁ ବଢିଲା ଏବଂ ନିଜ ଜିଲ୍ଲାରେ ଜିଲ୍ଲାପାଳ ରୂପରେ ସେବାଦେବା ପାଇଁ ସୁଯୋଗ ପାଇଲା l
ବାସ୍ତବରେ ଗୋଟିଏ ମୁହୂର୍ତ୍ତ ଗୋଟିଏ ଉପଦେଶ ଜୀବନର ଗତିପଥ କୁ ପରିବର୍ତ୍ତନ କରି ସଫଳତା ଆଡକୁ ନେଇ ଯାଇଥାଏ l
