ତୁମକୁ ମୋର ଗୋଟିଏ ପ୍ରଶ୍ନ?
ତୁମକୁ ମୋର ଗୋଟିଏ ପ୍ରଶ୍ନ?
ପୁରୁଣା ଆଲମିରା ର ଜିନିଷ ଗୁଡିକ ସଜାଡୁ ସଜାଡୁ ହଠାତ ଆଖି ପଡିଲା ଏକ ଜରାଜୀର୍ଣ୍ଣ କାଗଜ ଉପରେ, ସାଉଁଟି ଆଣୁ ଆଣୁ ଦେଖିଲି ମୋର ହାତ ଲେଖା ଏକ ଚିଠି, ଯାହାକି କାଳି କଲମରେ ଲେଖା ହୋଇଥିଲା l ଆଜି ଠାରୁ ପଚିଶ ବର୍ଷ ତଳେ ମୁଁ ମୋର ଅତିପ୍ରିୟ ଧର୍ମପତ୍ନୀଙ୍କୁ ଲେଖିଥିଲି l ଚିଠିଟି ଝାପ୍ସା ଦେଖା ଯାଉଛି, କିଛି କିଛି ଅକ୍ଷର ଲିଭି ଯାଇଛି, ତଥାପି ଚିଠିଟି ଖୋଲି ପଢ଼ିବା ଆରମ୍ଭ କଲି....
ମୋ ଜୀବନର ସାଥୀ
ତୁମର ସତୀତ୍ୱ ମହାଶକ୍ତିମୟୀ, ଦୁର୍ଗତିନାଶିନୀ ମା ଦୁର୍ଗା ରକ୍ଷା କରନ୍ତୁ, ଏହାହିଁ ତୁମପାଇଁ ମୋର ଆଶୀର୍ବାଦ l ମୋର ସୁଆଶିଷ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଚୁମ୍ବନ ମଧ୍ୟ ଗ୍ରହଣ କରିବ l ଆଶାକରେ ତୁମେ ସେଠାରେ ଭଗବାନ ବାହ'ଓଲ୍ଲହ୍ ଙ୍କ କୃପାରୁ ଭଲ ଭାବରେ ଥିବ l କିଛିଦିନ ହେଲା ମୋର ଦେହ ଏମିତି ଦୁର୍ବଳ ଲାଗୁଛି ଯେ ଚାଲିବାକୁ ଇଛା ହେଉନାହିଁ କିମ୍ବା ଶୋଇବାକୁ ମଧ୍ୟ ଇଚ୍ଛା ହେଉନାହିଁ l ବିଲରୁ ଘାସବଛା ସରିଗଲାଣି, ରାଶି ବୁଣିବା ପାଇଁ ଗୋଡ଼ା ଜମି ଯୋତା ଚାଲିଛି, ପାଣି ଯୋଗୁଁ ରାଶି ବୁଣା ହୋଇ ପାରୁନାହିଁ, ଲାଗୁଛି ପ୍ରାୟ ୩୦ ତାରିଖ ଯାଏ ଲାଗି ରହିବ l ମୋର ଭବିଷ୍ୟତ ଜୀବନ ସୁଖମୟ ନାଁ ଦୁଃଖମୟ ମୁଁ କିଛି ଭାବି ପାରୁନାହିଁ l ଆଜି ସକାଳୁ କେବଳ ଲୁଣପାଣି ସହିତ ମୁଢି ଭିଜେଇ ଖାଇଦେଲି, ପରେ ମାଆ ଆସି ତୁମେ ଘର ଛାଡ଼ି ଚାଲିଯାଇଛ କଥାକୁ ମନେ ପକେଇ ଦେଲେ l ସେହି ସମୟରୁ ମନଟା ଭଲ ଲାଗୁନି, ଦେହ ଦୁର୍ବଳ ଲାଗୁଛି, ଗୋଡ଼ହାତ ବଥା ହେଉଛି ଶୋଇଲେ ମଧ୍ୟ ଛାଡୁ ନାହିଁ l ତୁମ ପାଖକୁ ଯିବାକୁ ମଧ୍ୟ ମୋ ପାଖରେ ପଇସା ଟିଏ ନାହିଁ l ବହୁତ କଷ୍ଟରେ ଟଙ୍କା ପଇସା ଏଡ଼ଜଷ୍ଟ କରୁଛି, ଛାଡ଼ ଏସବୁ ତୁମକୁ କହି କଣ ଲାଭଯେ l ରୁଆ ଧାନ ଗଛ ଗୁଡିକ ସିଧା ହୋଇ ଆସିଲାଣି, ସେଥିରେ ସାର ଓ ଔଷଧ ଟିକିଏ ଦରକାର, ହେଲେ ମୁଁ କଣ କରିବି କିଛି ଭାବି ପାରୁନାହିଁ l ହଁ, ତୁମକୁ ଆଣିବାକୁ ଯିବାପାଇଁ ଟିକିଏ ଡେରି ହୋଇପାରେ l
ପ୍ରକୃତରେ କଳ୍ପେ ତୁମେ ଠିକ କୁହ ମୁଁ ମରିଗଲେ ବି ତୁମକୁ ଦୁଃଖ ହେବନି କାରଣ ମୁଁ ତୁମକୁ ଏଯାଏ ଦେଇଛି କଣ ? କେତେଦିନରୁ ମଙ୍ଗଳସୂତ୍ର ମାଗୁଛ ଯେ ମୁଁ ଦେଇ ପାରୁନାହିଁ l ଭଲ ଶାଢ଼ୀ ଟିଏ ବା ସାୟା କିମ୍ବା ବ୍ଲାଉଜ ଖଣ୍ଡିଏ ଦେଇ ପାରିନାହିଁ, ଭଲରେ ଖାଇବାକୁ ଗଣ୍ଡିଏ ଦେଇ ପାରିନି l ସତରେ ଆମ ଘରେ ସୁଖ କଣ ତୁମେ ଜାଣି ପାରିଲ ନାହିଁ l ବିବାହର ସାତ ବର୍ଷ ବିତିଗଲା, ହେଲେ ଆମଘରୁ ପାଇଛ କଣ ? କେବଳ ଅପମାନ ଓ ନିର୍ଯାତନା l ଏହି ମଧ୍ୟରେ ମୋ ଠାରୁ ତୁମେ ଭଲ ଭାବରେ ସ୍ନେହ, ପ୍ରେମ ଟିକିଏ ପାଇ ପାରିନ l ଜାଣିଛ କଳ୍ପେ ପୃଥିବୀର ଯେତେ କୁଭାଷା ଅଛି ସେସବୁର ମୁଁ ଗୋଟିଏ ଡଷ୍ଟବିନ ହୋଇ ରହିଗଲି l ଗଳ୍ପରେ ମୁଁ ଆଠ ଓଲ୍ଲାଙ୍କ କଥା ପଢ଼ିଥିଲି ହେଲେ ଆଜି ମୁଁ ନିଜେ ଗୋଟିଏ ଓଲ୍ଲା ହୋଇ ରହିଗଲି l କଣ କରିବି କିଛି ଭାବି ପାରୁନାହିଁ, କିଏ କହି ପାରିବ ତୁମର ଏବଂ ମୋର ସମ୍ପର୍କ ସାତ ଜନ୍ମଯାଏ ରହିବ ବୋଲି l ମୁଁ ଜାଣିଛି ଏ ଜନ୍ମରେ ଯଦି ଗୋଟିଏ ଆତ୍ମା ଅନ୍ୟ ଆତ୍ମା ପ୍ରତି ସନ୍ତୁଷ୍ଟ ନୁହେଁ, ସେ ତାର ପସନ୍ଦର ଆତ୍ମା ବାଛି ଥାଏ l ତୁମେ ମତେ ଅନେକ ଥର କହିଛ " ମୁଁ ତୁମକୁ ବିବାହ କରି ମୋ ନିଜ ଜୀବନକୁ ନଷ୍ଟ କରିଦେଇଛି, ମୋର ଜୀବନକୁ ମାଟି କରିଦେଲି "l ଯଦି ତୁମର ମାଆବାପା ମତେ ବିବାହ କରିବାକୁ ମନା କରୁଥିଲେ ତୁମର ମାନିବାର ଥିଲା, ଛାଡ଼ ଯାହା ହେବାର ଥିଲା ହେଲା l ହେଲେ ମୁଁ ଏତିକି ଜାଣେ ତୁମେ ମତେ ବିବାହ କରି ସନ୍ତୁଷ୍ଟ ନୁହଁ l ଅମାବାସ୍ୟା ରାତ୍ରିର କଥା ମନେ ପକାଅ ସାମାନ୍ୟ ମଜାକ୍ କଥା କୁ ନେଇ କେତେ ବଡ଼ ଘଟଣା ଘଟିବାକୁ ଯାଉଥିଲା l ଘର ଛାଡ଼ି ଚାଲିଗଲ, ମତେ ଅତି କଦର୍ଯ୍ୟ ଭାଷାରେ ଗାଳି ଦେବାସହ, ପିଟିବାକୁ ଉଦ୍ୟତ ହେଲ ମୁଁ ମରିଗଲେ ବି ତୁମକୁ ଜମାରୁ ଦୁଃଖ ହେବନି ବୋଲି କହିଲ l ଏସବୁ ଭାବିବା ବେଳକୁ ଲାଗୁଛି ତୁମେ ମୋ ପ୍ରତି ସନ୍ତୁଷ୍ଟ ନୁହଁ l ଛାଡ଼, ମୋ ଭାଗ୍ୟରେ ଯାହାଥିବ ତାହା ନିଶ୍ଚୟ ହେବ l ହେଲେ ମୁଁ କଣ କରିବି କଳ୍ପେ, ଯେତେବେଳେ ମୁଁ ରୁମ୍ ରେ ଏକା ହୋଇଯାଏ ସେତେବେଳେ ତୁମ କଥା ବହୁତ ମନେ ପଡେ, ଆଉ ତୁମ କଥା ମନେ ପଡିଲେ ଅତୀତ ଗର୍ଭରେ ଲୀନ ହୋଇଯାଇଥିବା ଅନେକ ଅଭୁଲା ସ୍ମୁତି ଗୁଡିକ ମନେ ପଡ଼ିଯାଏ, " ତୁମ ଗାଁ ନଈକୂଳେ ବିଜନ ବେଳାରେ, ପୂର୍ଣ୍ଣିମାର ଶୀତଳ କିରଣରେ, ତୁମ କଲେଜର ପ୍ରତୀକ୍ଷାଳୟରେ ଏପରି ଅନେକ ଅଭୁଲା ମୁହୂର୍ତ୍ତ.... " l ସେତେବେଳେ ମୁଁ ଭାବେ ଏତେ ଭଲ ପାଉଥିବା ଝିଅଟି ଏତେ ତାର କାହିଁକି ପରିବର୍ତ୍ତନ, କଣ ମୋର ଭୁଲ ରହିଗଲା....... ହଁ କେବଳ ଏତିକି ମୋ ପାଖରେ ଟଙ୍କା ନାହିଁ କି ଷ୍ଟେଟସ ନାହିଁ l ହେଲେ ମୁଁ ତ ତୁମକୁ ଆଗରୁ କହିଥିଲି " ମୁଁ ଦୈନିକ ମଜୁରୀ କରୁଥିବା ପରିବାରର l ଏସବୁ କରି ଓ କହି ତୁମେ କଣ ଲାଭ ପାଇଥାଅ କଳ୍ପେ, କେବଳ ଉଭୟଙ୍କ ମନରେ ଦୁଃଖ ଓ ଅବସାଦ ବ୍ୟତୀତ ଅନ୍ୟ କିଛି ନୁହେଁ l Love କହି ଗୋଟିଏ ଶବ୍ଦ ଅଛି ଯାହା ତୁମକୁ ଭଲଭାବରେ ଜଣା,ହେଲେ ଏହି ଶବ୍ଦଟି କେବଳ ଶୁଣିଛି ମୁଁ,କାହାରିଠାରୁ ପାଇ ପାଇପାରିଲି ନାହିଁ ନାଁ ମାଆ ଠାରୁ ନାଁ ପତ୍ନୀ ଠାରୁ... ସତରେ ମୁଁ କେତେ ହତଭାଗା କଳ୍ପେ..., ଏ ପୃଥିବୀଟା ସ୍ନେହ, ପ୍ରେମର ଡୋରିରେ ବନ୍ଧା, ହେଲେ, ମୁଁ ସେଥିରୁ ଭିନ୍ନ ହୋଇଗଲି l ଏତେ ବଡ଼ ଘଟଣା ଘଟିଗଲା ହେଲେ ମୁଁ ନ ମରି କାହିଁକି ବଞ୍ଚି ଗଲି ନିଜେବି ଜାଣି ପାରୁନି କି ଭଗବାନଙ୍କୁ ବି ପ୍ରଶ୍ନ ପଚାରି ପାରୁନି.... ହେଲେ ତୁମକୁ ମୋର ଗୋଟିଏ ପ୍ରଶ୍ନ......
୧- ସତରେ କଳ୍ପେ ତୁମେ ମତେ ବିବାହ କରି କଣ ତୁମର ଜୀବନ ନଷ୍ଟ ହୋଇଗଲା?
ମୁଁ ଜଣକୁ ରକ୍ତ ଦେଇ ତାର ଜୀବନ ବଞ୍ଚାଇବାକୁ ଚାହେଁ ହେଲେ ନଷ୍ଟ କରିବାକୁ ନୁହେଁ l ତୁମେ ଜଣେ ଉଚ୍ଚ ଶିକ୍ଷିତା ଝିଅ, ତୁମ ମାଆଙ୍କ ଠାରୁ ତୁମେ ସମ୍ପୂର୍ଣ୍ଣ ଭିନ୍ନ, ତୁମର ବିଚାର କରିବାର ଶକ୍ତି ଅଛି l
ଜଣେ ପତିବ୍ରତା ନାରୀପାଇଁ ସ୍ୱାମୀ ତାର ସବୁ କିଛି ଏହା ତୁମେ ନିଜେ ଅନୁଭବ କଲାପରେବି......
ଏପରି ଅନେକ ଅସରନ୍ତି ଭାବନା ମଧ୍ୟରେ ଚିଠିଟି ପଢ଼ୁ ପଢ଼ୁ ଆଖିର ଟୋପା ଟୋପା ଲୁହରେ ଚିଠି ଟି ଭିଜିଯାଇ ଆହୁରି ଅନେକ ଲେଖା ଗୁଡିକ ଲିଭି ଲିଭି ଯାଉଥାଏ, ଲାଗୁଥିଲା ଯେମିତି ସମସ୍ତେ ମୋ ଜୀବନରୁ ବିଦାୟ ନେଇଯାଉଛନ୍ତି, ରହିଯାଇଛି କେବଳ ମୁଁ ଏକା ଏକ ଥୁଣ୍ଟା ବରଗଛ ପରି l
ଏକ ଦୀର୍ଘ ନିଶ୍ୱାସ ଛାଡୁ ଛାଡୁ ଖୋଜିବା ଆରମ୍ଭ କଲି କାଳେ ଆହୁରି କିଛି ପୁରୁଣା ସ୍ମୁତି ମିଳିଯିବ l
ପାଇଲେ ଅନ୍ୟ ଏକ ଚିଠିରେ ଦେଖା ହେବ ଆପଣଙ୍କ ସଙ୍ଗେ, ଧନ୍ୟବାଦ।
