ଉପସ୍ଥିତ ବୁଦ୍ଧି
ଉପସ୍ଥିତ ବୁଦ୍ଧି
ବାସ୍ତବରେ ଜୀବନ ଏକ ସଂଘର୍ଷରେ ଭରା, ବେଳେବେଳେ ମାଡିଆସେ ଭୟଙ୍କର ବିପଦ, ଯାହାର ସାମ୍ନା କରିବା ସମୟରେ ଯଦି ସାମାନ୍ୟ ଟିକିଏ ଭୁଲ ହୋଇଗଲେ ଏହି ମୂଲ୍ୟବାନ ଜୀବନଟି ନଷ୍ଟ ହୋଇଯାଏ ବେଳେବେଳେ ଉପସ୍ଥିତ ବୁଦ୍ଧି ଆମକୁ ବଞ୍ଚିବାର ବାଟକୁ ପ୍ରସ୍ତଶ କରି ଦେଇଥାଏ l ଏପରି ଏକ ଘଟଣା ଘଟିଥିଲା ଏହି ନିପଟ ମଫସଲ ରେ ବାସ କରୁଥିବା ଝିଅର ଜୀବନରେ l
ମୋ ନାଁ ଝିଲି, ନରସିଂହପୁର ଜିଲ୍ଲାର ସୁରୁଲେଇ ନାମକ ଏକ ମଫସଲ ଆମ ଗାଁ l ବଣ, ପାହାଡ଼ ପର୍ବତ ତଥା ଝରଣା ରେ ଘେରା ଏକ ସୁନ୍ଦର ଗାଁ l ଯଦିଓ ସହର ପରି ସବୁ ପ୍ରକାରର ସୁବିଧା କିମ୍ବା ଚାକଚକ୍ୟ ତଥାପି ଆମ ଗାଁରେ ରହିଛି ଭାଇଚାରା, ଆତ୍ମୀୟତା, ସର୍ବ ଆଲିଙ୍ଗନ କାରୀ ପ୍ରେମ, ପାରସ୍ପରିକ ସହଯୋଗ l ପକ୍ଷୀ ମାନଙ୍କର ମନମତାଣିଆ ରାବ, ସୁଲୁସୁଳିଆ ପବନ ରେ ଭାସିଆସେ ଫୁଲର ବାସ୍ନା ଯାହା ମନକୁ ଆନନ୍ଦିତ କରିଦିଏ l ଗାଁ ଠାରୁ ତିନି କିଲୋମିଟର ଦୂରରେ ଆମର ବିଦ୍ୟାଳୟ l ରାସ୍ତାର ଦୁଇ କଡରେ ସିଧା ସିଧା ଠିଆ ହୋଇଛି ଶାଳ ଗଛ ଗୁଡିକ ଏବଂ ତାକୁ ଛୁଇଁଛି ଘନ ଜଙ୍ଗଲ l ଏହି ରାସ୍ତା ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ l ଆମ ଗାଁରୁ ପ୍ରାୟ ଆଠ ଜଣ ପୁଅ ଓ ଝିଅ ମିଶି ବିଦ୍ୟାଳୟ କୁ ପଢିବାକୁ ଯାଉ l ଯେ କୌଣସି ପରିସ୍ଥିତି ହେଉନା କାହିଁକି ଆମେ ସନ୍ଧ୍ୟା ହେବା ଆଗରୁ ଗାଁକୁ ଫେରି ଆସୁ l ଏହା ଆମ ଗାଁର ଏକ ସାଧାରଣ ନିୟମ ଅଟେ l ସନ୍ଧ୍ୟା ହୋଇଗଲେ ଜଙ୍ଗଲଟା ଏକ ଭୟଙ୍କର ରୂପ ନେଇଯାଏ l
ମୋର ବୟସ ଷୋହଳ, ଗାଁ ତଥା ବିଦ୍ୟାଳୟ ରେ ମତେ ବିୟୁଟି କୁଇନ ବୋଲି ଡାକନ୍ତି l ମୁଁ ଅତି ଶାନ୍ତ ସରଳ ସ୍ଵଭାବର ଝିଅଟିଏ, ଅନ୍ୟକୁ ସାହାଯ୍ୟ କରିବାକୁ ତଥା ଦୁଃଖୀରଙ୍କି ମାନଙ୍କର ସେବା କରିବାକୁ ମୁଁ ବେଶୀ ପସନ୍ଦ କରେ l ପଢାପଢି ରେ ବି ମୁଁ ଆଗରେ ଏଥିପାଇଁ ମୋ ମନରେ ଟିକିଏବି ଗର୍ବ ନଥାଏ ବରଂ ଅନ୍ୟକୁ ସାହାଯ୍ୟ କରିବାର ଅଭିଳାଷ ଥାଏ l ଏହି ସବୁ ପାଇଁ ଆମ ବିଦ୍ୟାଳୟର ପ୍ରତ୍ୟେକ କାର୍ଯ୍ୟକ୍ରମ ର ପରିଚାଳନା ଦାୟିତ୍ୱ ମୋତେହିଁ ମିଳିଥାଏ, ଆଉ ଏଥିପାଇଁ ମୁଁ ବହୁତ ଖୁସି ଥାଏ l
ଦିନକର ଘଟଣା
ସେଦିନ ଆମ ବିଦ୍ୟାଳୟ ବାର୍ଷିକ ସମ୍ବିଳନୀ ହେଉଥାଏ l କରୋନା ପ୍ରଭାବ କମି କମି ଆସୁଥାଏ, ତଥାପି ସରକାରଙ୍କ ସବୁ ନୀତିନିୟମ ପାଳନ କରି ଏହାର ଆୟୋଜନ କରିଥିଲୁ,ଏହି ସମ୍ବିଳନୀ ସବୁ ଦାୟିତ୍ୱ ମୋ ଉପରେ l କାର୍ଯ୍ୟକ୍ରମ ସବୁ ଠିକଠାକ ଚାଲିଥାଏ ହେଲେ ମୁଖ୍ୟ ଅତିଥି ଙ୍କ ଆସିବା ଡେରି ହେଉଥାଏ l ମୁଖ୍ୟ ଅତିଥି ଆସିଗଲା ପରେ ସବୁ ଠିକଠାକ ଚାଲିଲା, ପୁରସ୍କାର ଅତିଥି ମାନଙ୍କ ହାତରେ ବଣ୍ଟନ କରାଗଲା l ସନ୍ଧ୍ୟା ହେବା ପୂର୍ବରୁ ମୋ ସାଙ୍ଗମାନେ ମୋଠୁ ଅନୁମତି ନେଇ ଘର ଲେଉଟାଣି ହୋଇଥିଲେଣି l କାର୍ଯ୍ୟକ୍ରମ ସରୁସରୁ ସନ୍ଧ୍ୟା ହୋଇ ଆସୁଥାଏ, ମୁଁ ତରତର ହୋଇ ଯିବାକୁ ବାହାରୁ ଥାଏ, ମନରେ ଭୟ ଥିଲେ ବି ମନରେ ଥିଲା ସାହସ ଏବଂ ଭଗବାନଙ୍କ ପ୍ରତି ଅଗାଢ ବିଶ୍ୱାସ l ମନେ ମନେ "ଈଶ୍ୱରଙ୍କ ବ୍ୟତୀତ ସଙ୍କଟ ମୋଚନକାରୀ କେବେ ହେଲେ ଅନ୍ୟ କେହି ଅଛିକି? କୁହ ଈଶ୍ୱର ବନ୍ଦନୀୟ ସେ ପରମାତ୍ମା, ସମସ୍ତେ ତାଙ୍କର ସେବକ ସମସ୍ତେ ତାଙ୍କର ଆଜ୍ଞା ବନ୍ଧନରେ ଆବଦ୍ଧ l"ପ୍ରାର୍ଥନା ବୋଲି ଦୁଇ ଯାକ ପାଦ ଆଗକୁ ବଢ଼େଇ ଚାଲିଥାଏ l ଆଧାରୁ ଅଧିକ ବାଟ ଅତିକ୍ରମ କରି ଯାଇଥାଏ ମନରୁ ଭୟ କମି କମି ଆସୁଥାଏ l ହଠାତ ଚାରି ପାଞ୍ଚ ଜଣ ଭେଣ୍ଡିଆ ଟୋକା ଜଙ୍ଗଲ ଭିତରୁ ବାହାରି ଆସି ମୋ ସହିତ ଖରାପ ଭାଷାରେ କଥା ଆରମ୍ଭ କରିଦେଲେ l ତାଙ୍କ କଥାଭାଷା ରୁ ଜଣା ପଡୁଥାଏ ଯେ ମୋ ସହିତ କିଛି ଅଘଟଣ ଘଟେଇବେ l ଦୁଇ ଜଣ ସିଧା ମୋ ଆଡକୁ ମାଡ଼ି ଆସୁଥାନ୍ତି ମତେ ଧରିବା ପାଇଁ, କଣ କରିବି ଏମିତି ଭାବୁ ଭାବୁ ହଠାତ ଆଖି ବୁଜି କହି ଉଠିଲି ଭାଇମାନେ ମୁଁ କରୋନା ପୋଜିଟିଭ l ଆଖି ଖୋଲି ଦେଖିଲି ମୋ ପାଖକୁ ଆସୁଥିବା ପିଲାମାନେ ଦୁମକିନା ସେଠି ରହିଗଲେ ଆଉ କହିଲେ ତାକୁ କରୋନା ଗ୍ରାସିଛି ରେ ଛାଡିଦିଅ, ଏଠୁ ଶୀଘ୍ର ଗଲୁ କରୋନାବାଲି l ମୁଁ ବିଶ୍ୱାସ କରି ପାରୁନଥାଏ ଏତେବଡ ବିପଦରୁ ପ୍ରାର୍ଥନା ଓ କରୋନା ନାମରେ ବଞ୍ଚିଗଲି l
ବାସ୍ତବରେ ଝିଲି ର ଉପସ୍ଥିତ ବୁଦ୍ଧି ହିଁ ଏକ ଆସନ୍ନ ବିପଦରୁ ଝିଲି ବଞ୍ଚେଇ ଦେଲା, ଅନ୍ୟଥା ତାର ମୂଲ୍ୟବାନ ଜୀବନ ନିମିଷ ମାତ୍ରକେ ନଷ୍ଟ ହୋଇଯାଇଥାନ୍ତ l
