ମୁଁ କରୋନା କହୁଛି
ମୁଁ କରୋନା କହୁଛି
ତୃତୀୟ ଦିନ ପ୍ରାରମ୍ଭରେ କରୋନା ସମସ୍ତଙ୍କୁ ଉତ୍ସାହିତ କରି କହି ଉଠିଲା, ବନ୍ଧୁଗଣ ତୃତୀୟ ଦିବସରେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ବାଗତ, ଭୟ କରିବାର କୌଣସି କାରଣ ନାହିଁ l ଯେତେବେଳେ ପର୍ଯ୍ୟନ୍ତ ମୁଁ ଆପଣଙ୍କ ସହିତ ଅଛି,କେବେବି ଆପଣ ମାନଙ୍କୁ ମଣିଷ ଅଧୀନରେ ରହିବାକୁ ଦେବି ନାହିଁ l ଅନାଦି କାଳରୁ ଏ ଯେଉଁ ଯୁଦ୍ଧ ଆରମ୍ଭ ହୋଇଛି,ତାର ଶେଷ ବିଜୟ ପାଇଁ ଆମକୁ ମଣିଷ ବିରୁଦ୍ଧରେ ଏକ ଚୂଡାନ୍ତ , ସୁଚିନ୍ତିତ ଓ ପକ୍କା ରଣନୀତି ପ୍ରସ୍ତୁତ କରିବା l
ଶୀଘ୍ର କହନ୍ତୁ ମହାମହିମ ଶୀଘ୍ର କୁହନ୍ତୁ ମଣିଷ ବିରୁଦ୍ଧରେ କଣ କରିବାକୁ ହେବ, ଆମେ ସର୍ବଦା ତତ୍ପର, ସମସ୍ତେ ଏକ ସ୍ୱରରେ କହି ଉଠିଲେ l
ବନ୍ଧୁଗଣ, ମଣିଷ ନିଜକୁ ଈଶ୍ୱରଙ୍କ ସୃଷ୍ଟିରେ ଶ୍ରେଷ୍ଠ, ସର୍ବଜ୍ଞାନ ସମ୍ପନ୍ନ ମହାବଳବାନ ବୋଲି ବିବେଚନା କରିଛି ଏବଂ ଆମକୁ ଦୁର୍ବଳ ମୂର୍ଖ ବୋଲି ବିବେଚନା କରୁଛି,ତାର ଏହି ଚିନ୍ତାଧାରା କୁ ଆମେ ଧରାଶାୟୀ କରି ଚିରକାଳ ପାଇଁ ଆମର ଦାସ କରି ରଖିବା l ମନେ ପକାଅ ମହାମାନ୍ୟ ମହିଷାସୁର ସାମାନ୍ୟ ଗୋଟିଏ ଭୁଲ ପାଇଁ ଚିରକାଳ ବିଜୟରୁ ବଞ୍ଚିତ ହୋଇଗଲେ l ସେହି ଭୁଲ କଣ ଜାଣିଛ ?
ନାଁ ମହାମହିମ ଆମେ ଜାଣିପାରିଲୁ ନାହିଁ, ଫଙ୍ଗସ କହିଲା l
ତାଙ୍କର ବିନାଶ କିପରି ହେଲା କୁହ ?
ଗୋଟିଏ ନାରୀ ହାତରେ, ବାର୍ଡ଼ଫ୍ଲୁ କହିଲା
ଠିକ କଥା,ହେଲେ ସେ ଯେତେ ନାରୀ ଥିଲେ ସମସ୍ତଙ୍କୁ ନିଜର ଭୋଗ୍ୟ ସାମଗ୍ରୀ ରୂପେ ଦାସୀ କରି ରଖିଥିଲେ,ତେବେ କେଉଁ ନାରୀ ହାତରେ ତାଙ୍କର ମୃତ୍ୟୁ ହେଲା ?
ଯେତେବେଳେ ସବୁ ଦେବଗଣ ପର୍ବତ ଶିଖରରେ ଏକଜୁଟ ହୋଇଥିଲେ ଏବଂ ସମସ୍ତଙ୍କର ଶକ୍ତି ଏକଜୁଟ ହୋଇ ସେଥିରୁ ଯେଉଁ ଦିବ୍ୟଶକ୍ତି ସମ୍ପନ୍ନ ଦିବ୍ୟ ନାରୀ ପ୍ରକଟ ହେଲା,ସେହି ନାରୀ ହାତରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା l
ସାଧୁବାଦ ! ସାଧୁବାଦ ବନ୍ଧୁଗଣ ତୁମେମାନେ ଠିକ ବୁଝି ପାରିଛ, ଯଦି ମହାମାନ୍ୟ ମହିଷାସୁର ସବୁ ଦେବଗଣ ମାନଙ୍କୁ ଅଲଗା ଅଲଗା କରିଦେଇଥାନ୍ତେ, ଏକଜୁଟ ହେବାକୁ ଦେଇ ନଥିଲେ ସେ ଦିବ୍ୟନାରୀ ଙ୍କର ଆବିର୍ଭାବ ହୋଇ ନଥାନ୍ତା କି ତାଙ୍କର ବିନାଶ ହୋଇ ନଥାନ୍ତା l
ଆପଣ ଠିକ କହିଛନ୍ତି ମହାମହିମ, ତା ହେଲେ ଆମକୁ କଣ କରିବାକୁ ହେବ ଶୀଘ୍ର କୁହନ୍ତୁ l
ବନ୍ଧୁଗଣ ଆମର ଏହି ଯୁଦ୍ଧ ଅନାଦିକାଳରୁ ଚାଲିଆସିଛି, ଅତୀତରେ ଆମେ ଅସୁରକୁଳ ଥିଲେ ଏବଂ ମାନବ ମାନେ ଦେବକୁଳ, କେତେବେଳେ ଆମର ବିଜୟ ତ କେତେବେଳେ ତାଙ୍କର ବିଜୟ, ଏହା ଏକ ଲୁଚକାଳି ଖେଳ ଭଳିଆ ଚାଲିଛି ଏହି ଯୁଗରେ ମାୟାବୀ ମଣିଷ ବିରୁଦ୍ଧରେ ଅନ୍ତିମ ଯୁଦ୍ଧ କରି ବିଜୟ ହାସଲ କରି ଆମର ଦିତି ମାତାଙ୍କୁ ରାଜମାତା ରୂପେ ଘୋଷିତ କରିବା l ଏହି ସମୟରେ ଆମେ ମଣିଷ ସମାଜକୁ ଏକଜୁଟ ହେବାକୁ ଦେବା ନାହିଁ l କିଛି ସମୟ ଅପେକ୍ଷା କର ଆମର ପରମ ମିତ୍ର ମାନଙ୍କୁ ଆବାହନ କରୁଛି,ସେମାନେ ସଦାବେଳେ ଆମକୁ ସହାୟତା କରି ଆସୁଛନ୍ତି ଏବଂ ଏହି ନିର୍ଣ୍ଣାୟକ ଯୁଦ୍ଧରେ ଆମକୁ ସହାୟତା ପ୍ରଦାନ କରିବେ l
ପରମପ୍ରିୟ ବନ୍ଧୁ,ଲୋଭ, ମୋହ,ମାୟା,କାମ କ୍ରୋଧ, ଘୃଣା, ମିଥ୍ୟା, ସ୍ୱାର୍ଥ, ଇର୍ଷା, କଳି, ହିଂସା,ଅହଂ ଦ୍ୱାଦଶ ମହାଶକ୍ତି ପ୍ରକଟ ହୋ......ପ୍ରକଟ ହୋ.....ପ୍ରକଟ ହୋ......
ଆଖିପିଛୁଳାକେ ଦ୍ୱାଦଶ ମହାଶକ୍ତି ଅଟ୍ଟହାସ୍ୟ କରି ସଭାସ୍ଥଳ ରେ ଆବିର୍ଭାବ ହୋଇଗଲେ ଏବଂ କହିଲେ ମହାମହିମ ଆମକୁ ଜରୁରୀ ଆମନ୍ତ୍ରଣ କରିବାର ଅଭିପ୍ରାୟ...... l
ବନ୍ଧୁଗଣ ଏହି ଭବ୍ୟ ସମ୍ବିଳନୀରେ ସମ୍ମାନ ପୂର୍ବକ ସ୍ୱାଗତ କରୁଛୁ l ଆପଣଙ୍କୁ ଆମନ୍ତ୍ରଣ କରିବାର ଏକମାତ୍ର ଅଭିପ୍ରାୟ ଏହିଯେ ମଣିଷ ମାନଙ୍କ ବିରୁଦ୍ଧରେ ଅନ୍ତିମ ଯୁଦ୍ଧର ନିଷ୍ପତ୍ତି ନେଇଛୁ ଯାହା ଆପଣମାନଙ୍କ ସହାୟତା ବିନା ଜିଣିବା ଅସମ୍ଭବ ଅଟେ l ତେଣୁ
. ବୁଝିଗଲୁ ମହାମହିମ, ଆପଣଙ୍କ ସହିତ ବନ୍ଧୁତା ଥିଲା, ରହିଛି ଏବଂ ରହିଥିବ ମଧ୍ୟ,ହେଲେ କଣ କରିବୁ କୁହନ୍ତୁ?
ଆପଣମାନେ ମଣିଷ ମାନଙ୍କ ମଧ୍ୟରେ ଏପରି ପ୍ରବେଶ କରନ୍ତୁ ଏବଂ ଏପରି ତାଙ୍କ ସହିତ ମିଶିଯାନ୍ତୁ ଯେ ସେମାନେ ଆପଣମାନଙ୍କୁ ଶତ୍ରୁ ନଭାବି ଅତି ଘନିଷ୍ଠ ବନ୍ଧୁ ଭାବନ୍ତୁ l ଏହି ପରିସ୍ଥିତିର ସୁଯୋଗ ନେଇ ତାର ଦୁର୍ବଳ ସ୍ଥାନ ଗୁଡିକରେ ବାରୁମ୍ବାର ପ୍ରହାର କରି ଧରାଶାୟୀ କରି ଦିଅନ୍ତୁ " ମଣିଷ ମଣିଷ ମଧ୍ୟରେ, ଦେଶ ଦେଶ ମଧ୍ୟରେ, ଜାତି ଜାତି ମଧ୍ୟରେ , ଧର୍ମ ଧର୍ମ ମଧ୍ୟରେ , ବର୍ଣ୍ଣର ନାମରେ, ଭାଷାର ନାମରେ ସମାଜର ନାମରେ ଏତେ ଘୃଣା, ଏତେ ମିଥ୍ୟା, ଏତେ ହିଂସା ଉତ୍ପନ୍ନ କରନ୍ତୁ ଯେ ଏକତାର ଶବ୍ଦକୁ ଭୁଲି ଯିବେ l
ଆପଣ ଚିନ୍ତା କରନ୍ତୁ ନାହିଁ ମହାମହିମ ଏ ସବୁ ଦିଗରେ ଆମେ ଅତି ଦକ୍ଷ ଓ ନିପୁଣ l ଏ ସବୁ ଆମେ ପୂର୍ବରୁ ସ୍ଥାପିତ କରିବା ଆରମ୍ଭ କରିଦେଇଛୁ, ସ୍ୱାମୀ ସ୍ତ୍ରୀ ମଧ୍ୟରେ, ବାପା ପୁଅ ମଧ୍ୟରେ, ମା ଝିଅ ମଧ୍ୟରେ,ଶାଶୁ ବୋହୂ ମଧ୍ୟରେ, ଭାଇ ଭାଇ ମଧ୍ୟରେ, ପରିବାର ପରିବାର ମଧ୍ୟରେ, ଗାଁ ଗାଁ ମଧ୍ୟରେ, ସାହି ସାହି ମଧ୍ୟରେ, ଜାତି ଜାତି ମଧ୍ୟରେ, ଧର୍ମ ଧର୍ମ ମଧ୍ୟରେ, ଦେଶ ଦେଶ ମଧ୍ୟରେ ଏତେ ଘୃଣା, ଏତେ ହିଂସା ଏତେ ବିଶ୍ୱାସଘାତକ
ର ଭାବନା ଭରି ଦେଇ ଛନ୍ଦି ଦେଇଛୁ ଯେ ସେହି ଫାଶରୁ ମଣିଷ ମୁକୁଳିବା କାଠିକର ପାଠ ଅଟେ l ଏହାର ଆକଳନ ପାଇଁ ଆପଣ ବିଭିନ୍ନ ସ୍ଥାନ କୁ ଯଥା ଦେଶ,ପରିବାର, ଧର୍ମ ସ୍ଥଳି, ସଭାଗୃହ ପାର୍କ, ଯୁବାଦଳ କୁ ପରିଦର୍ଶନ (ଭିଜିଟ ) କରନ୍ତୁ l
ସାଧୁବାଦ ସାଧୁବାଦ ବନ୍ଧୁଗଣ, ତେବେ ଏହାର ଆକଳନ ପାଇଁ ଆମେ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ଏକ ସଠିକ ବିବରଣୀ ସଂଗ୍ରହ କରି ତା ଉପରେ ଚର୍ଚ୍ଚା କରିବା ଏବଂ ଅଚୁକ ରଣନୀତି ପ୍ରସ୍ତୁତ କରିବା l ବର୍ତ୍ତମାନ ଆମେ ସମସ୍ତେ ମଧ୍ୟାହ୍ନ ଭୋଜନ ପାଇଁ ଯିବା l
