ଆମ ରଜପର୍ବ
ଆମ ରଜପର୍ବ
ଆମ ଓଡ଼ିଆ ଜାତି ଭାରି ନିତ୍ୟନୈମିତ୍ତିକ, ମାସ ବୋଇଲେ ବାରଟି, ହେଲେ ପର୍ବ ପାଳୁ ତେର ଗୋଟି, ଆଉ ସବୁ ନିଆରା ଢଙ୍ଗରେ l ସଂସ୍କୃତି ଓ ପରମ୍ପରାର ଗନ୍ତାଘର ଏହି ଉତ୍କଳ ଭୂଇଁ କହିଲେ ଅତ୍ୟୁକ୍ତି ହେବନାହିଁ l ଅନେକ ସଂସ୍କୃତି ଓ ପରମ୍ପରା ମଧ୍ୟରେ ରଜପର୍ବ ଅନ୍ୟତମ, ଏହି ପର୍ବ ଗାଁ ଠୁଁ ସହର ଆଉ ସହର ଠୁଁ ପ୍ରତ୍ୟେକ ପରିବାରରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ l ଆମେ ସେହି ଉତ୍କଳୀୟ ମାନଙ୍କ ପାଇଁ ଗର୍ବ ଅନୁଭବ କରୁ ଯେଉଁମାନେ ଆଜି ଏହି ଉତ୍କଳ ମାଟିରେ ନାହାନ୍ତି, କିନ୍ତୁ ଅଛନ୍ତି କିଏ ରାଜ୍ୟ ବାହାରେ ତ କିଏ ନିଜ ଦେଶ ମାଟିରୁ ବହୁ ଦୂର ବିଦେଶରେ l ତାଙ୍କ ହୃଦୟର ଭାଷା ଭାସି ଆସି କର୍ଣ୍ଣ ଗୋଚର ହୁଏ ନିମ୍ନ ପଂକ୍ତିଟି -
"ଯେଉଁଠି ଥିଲେବି ଆମେ ଉତ୍କଳୀୟ
ପରମ୍ପରା ଆମ ଚିହ୍ନ,
ଉତ୍କଳ ମାତାର ଗର୍ବ ଓ ଗୌରବ
ହେବାକୁ ନଦେବୁ କ୍ଷୁଣ୍ଣ l"
ପରିବାର ସ୍ତରରେ ହେଉ ଅବା ସାମୁହିକ ସ୍ତରରେ ହେଉ କିନ୍ତୁ ନିଶ୍ଚିତ ଭାବରେ ପାଳନ୍ତି ବାର ମାସରେ ତେର ପର୍ବ, ଆଉ ଛୁଟିଥାଏ ପିଠାପଣାର ଆସର l ଖୁସିରେ ବାଣ୍ଟନ୍ତି ନିଜ ସାଇ ପଡିଶାକୁ ଆଉ ଗର୍ବରେ ଛାତି ଫୁଲାଇ ପରିଚୟ ଦେଇଥାନ୍ତି ଉତ୍କଳୀୟ ବୋଲି l ଆଜି ପାଳୁଥିବେ ରଜପର୍ବ ଓ ବାଣ୍ଟୁଥିବେ ରଜ ପାନ ସହିତ ଛେନାପୋଡ଼ l ସତରେ,ଏହି ଉତ୍କଳୀୟ ମାନଙ୍କ ଉତ୍କଳୀୟ ପ୍ରେମ ଦେଖି ହୃଦୟ ଅନ୍ତରୁ ଝରିଆସେ ସମ୍ମାନର ଭାବନା ଏବଂ ଆପେ ଆପେ ନଇଁଯାଏ ଏହି ମଥା l
ଆମେରେ ସେହି ଉତ୍କଳୀୟ, ଯାହାଙ୍କ ଠାକୁର,ବଡ଼ ଠାକୁର, ଯାହାଙ୍କ ଦାଣ୍ଡ ବଡଦାଣ୍ଡ, ଯାହାଙ୍କୁ ଲାଗିହୁଏ ଛପନ ଭୋଗ, ଯେଉଁଠି ପାଳିତ ହୁଏ ଭକ୍ତ ଭଗବାନଙ୍କର ଅପୂର୍ବ ମିଳନର ଯାତ୍ରା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଯେଉଁ ମାଟିରେ ପାଳନ ହୁଏ ପୂଣ୍ୟ ପବିତ୍ରର ପର୍ବ, ଭାଇଚାରାର ପର୍ବ, କୃଷିର ପର୍ବ, ଗଣ ପର୍ବ ଆଉ ସେହି ଅନ୍ନଦାତ୍ରୀ ମାଆ ମାଟିକୁ ସମ୍ମାନ ଦେବାର ପର୍ବ ରଜପର୍ବ l କେଉଁ ଆବାହମାନ କାଳରୁ ପାଳିତ ହୋଇଆସୁଛି ଏହି ରଜପର୍ବ ଏବଂ ପ୍ରତ୍ୟେକ ବର୍ଷ ପାଳିତ ହେଉଛି ଭାରି ନିଆରା ଢଙ୍ଗରେ l ଆଜିଠାରୁ ଶହେ ବର୍ଷ ତଳେ ଯେଉଁ ରଜପର୍ବ ପାଳିତ ହୋଇଥିଲା ତାହା ସେହି ସମୟ ପାଇଁ ଥିଲା ଭାରି ନିଆରା, ସେ ସମୟରେ ଗଜ ବନସ୍ତେ ଡାକ ଦେଉଥିଲା, ହେଲେ ଆଜିପରି ସେଲ୍ଫି ଫଟୋ ଉଠାର ମଜା ନଥିଲା, ସେ ସମୟରେ ଦେଶୀ ଗାଈର କ୍ଷୀରରୁ ଓ ନିଆଁରେ ତିଆରି କରାଯାଇଥିବା ଛେନାପୋଡ଼ର ମଜା ଥିଲା ହେଲେ ଆଜିର ଚିକେନ ବିରିୟାନୀ ର ମଜା ନଥିଲା l ତେଲର ଦୀପ ଜାଳି ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିବା ବେଳେ ଆଜିର ରଙ୍ଗୀନ ବିଜୁଳିବତୀର ମଜା ନଥିଲା, ବିଭିନ୍ନ ଜିନିଷ କିଣିବା ପାଇଁ ଦୂର ଜାଗା ବା ସହରକୁ ଯିବାକୁ ପଡୁଥିଲା ବେଳେ ଆଜି ପରି ସପିଙ୍ଗ ମଲ ର ମଜା ନଥିଲା l ଏପରି ଅନେକ ତଫାତ ରହିଛି ଅର୍ଥାତ ୧୮୨୫ ମସିହାରେ ପାଳିତ ହୋଇଥିବା ରଜପର୍ବ ସେ ସମୟ ପାଇଁ ନିଆରା ଥିଲା, ୨୦୨୫ ମସିହାରେ ପାଳିତ ହେଉଥିବା ରଜପର୍ବ ଏହି ସମୟ ପାଇଁ ନିଆରା ଅଟେ ଏବଂ ଆଗକୁ ୨୨୨୫ ମସିହାରେ ପାଳିତ ହେବାକୁ ଥିବା ରଜପର୍ବ ସେ ସମୟ ପାଇଁ ନିଆରା ହେବ l ସମୟ, ସୁବିଧା, ସୁଯୋଗ ଓ ତତ୍କାଳୀନ ଉପଲବ୍ଧିକୁ ନେଇ ଆମେ ପର୍ବ ପାଳନ କରିଥାଉ, ଏବଂ ଏହି ସମୟ ପାଇଁ ଏହା ନିଆରା ହୋଇଥାଏ, କିନ୍ତୁ ଉଦ୍ଦେଶ୍ୟ ଆମର ଗୋଟିଏ ପର୍ବ ପାଳନ l
ଅନଙ୍ଗ ପଟେଲ
ସୁନ୍ଦରଗଡ
ଓଡ଼ିଆ ମୋଭଷା ଓଡ଼ିଆ ଅସ୍ମିତା
ଓଡିଶା ମୋ ସ୍ୱାଭିମାନ,
ଉତ୍କଳ ମାତାର ସମ୍ମାନ ପାଇଁକି
ସଦାଥାଏ ଆମ ଧ୍ୟାନ l
ନହୁରେ କ୍ଷେତ୍ରଜ ପକ୍କା ଉତ୍କଳୀୟ
ବହୁଛି ଶରୀରେ ରକ୍ତ,
ଜଗତର ନାଥ ସେହି ଜଗନ୍ନାଥ
ଅଟୁରେ ତାଙ୍କର ଭକ୍ତ l
