ଯନ୍ତ୍ରଣା ହିଁ ଜୀବନ
ଯନ୍ତ୍ରଣା ହିଁ ଜୀବନ
ଆମ ଗାଆଁଟି ବର୍ତ୍ତମାନ ରାଜକନିକା ବ୍ଲକ ଭିତରେ ରହିଛି | ପିଲାଦିନେ ଆମେ କଟକ ଜିଲ୍ଲାର ଲୋକ ଭାବରେ ପରିଚିତ ହେଉଥିଲୁ | ବର୍ତ୍ତମାନ ଆମର ଜିଲ୍ଲା କେନ୍ଦ୍ରାପଡ଼ା ହେଇଛି | କିନ୍ତୁ ବାପାଙ୍କ ଅମଳରେ ଏହି ଅଞ୍ଚଳଟି କନିକା ରାଜ୍ୟ ପାଖରେ ଥିବା କାଏମା ଅଞ୍ଚଳ ଭାବରେ ପରିଚିତ ଥିଲା | ମୋ ବୋଉ କନିକା ରାଜ୍ୟ ଅଧିନସ୍ଥ ଗୋବିନ୍ଦପୁର ଗ୍ରାମରୁ ଆସିଥିଲେ | ସେ ସବୁବେଳେ କନିକା ରାଜକୁମାରୀ ଓ ରାଣୀଙ୍କ ବିଷୟରେ ଆମକୁ ଅନେକ କଥା କହନ୍ତି | ତାଙ୍କ ପାଖରେ ଥିବା ଉଜିରବେଗଙ୍କ ହାତଲେଖା ଖୁଦୁରୀକୁଣୀ ଗୀତଖାତାକୁ ଆମକୁ ଦେଖାନ୍ତି | କନିକା ରାଜାଙ୍କ ବିଷୟରେ ଶୁଣିଥିବା ଅନେକ କଥା କହି ଆମକୁ ଆମୋଦିତ କରନ୍ତି | ନିଜେ ସ୍ଵରକରି ତାକୁ ଗାଇ ଆମକୁ ଶୁଣାନ୍ତି | ସେ ଥିଲେ ଆମର ଭାଇ-ଭଉଣୀଙ୍କର ଆଦ୍ୟଗୁରୁ | ସେ ଆମକୁ ଆମର ଠିକଣା କହି ଦେଉଥିଲେ-ଗ୍ରାମ-ଏକତଳା, ଇଲା-କାଏମା, କିଲ୍ଲା-କନିକା, ଜିଲ୍ଲା-କଟକ ଲେଖିବ |
ମୁଁ ଛୋଟବେଳେ ଟିକେ ଦୁର୍ବଳ ଥିବାରୁ ବିଳମ୍ବରେ ବାପା ମୋତେ ସାଙ୍ଗରେ ନେଇ ଆମଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇ ଦେଇଥିଲେ | ନାମକୁ ମାତ୍ର ଥିଲା ଆମ ବିଦ୍ୟାଳୟ, ଚାଳଛପର ଭଙ୍ଗା ଘର ଖଣ୍ଡିଏ | ଶିକ୍ଷକ କିଏ କେବେ ଆସନ୍ତି, ତାଙ୍କ ଇଚ୍ଛାରେ | ଭଙ୍ଗା ସିଲଟ ଖଣ୍ଡେ, ମାଟି ଖଡ଼ିଟିଏ ଧରି କାଖରେ ଆସନ ଜାକି ଆମେ ସବୁ ସ୍କୁଲକୁ ଯାଉ | ତୃତୀୟ ଚତୁର୍ଥ ଶ୍ରେଣୀ ବେଳକୁ କାଳି ଦୁଆତ, କାଠି କଲମ ନେଇ ଯାଉଥିଲୁ | କେହି କେହି ପିଲା ସ୍କୁଲ ବହି କିଣିଥିବାରୁ ସ୍କୁଲକୁ ନେଇ ଯାଉଥିଲେ | କିନ୍ତୁ ଆମର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ମୋ ପାଇଁ କେବେ କୌଣସି ବହି କିମ୍ବା ଖାତା କିଣା ଯାଇପାରୁ ନଥିଲା | ଏମିତି ଏମିତି ପ୍ରାଥମିକ ବିଦ୍ୟାଳୟ ପାଠ ପଢା ଶେଷ ହେଇଗଲା | ଯୋଗକୁ ଆମ ଗାଆଁ ପାଖ ଜାଗୁଲାଇପଡ଼ା ଶେଷ ମୁଣ୍ଡରେ ଥିବା ଫୁଟବଲ ପଡ଼ିଆରେ ବର୍ଷକ ଆଗରୁ ମଧ୍ୟ ଇଂରାଜୀ ବିଦ୍ୟାଳୟ ଖୋଲିଥିଲା | ସେଇଠି ମାଗଣାରେ ଓ ସହଜରେ ମୋର ନାମ ଲେଖା ହେଇଗଲା | ସେଇଠି ବି ସେଇ ଅବସ୍ଥା | ଦୁଇବର୍ଷ ବହୁ କଷ୍ଟରେ ଚାଲିଗଲା | ରାଜକନିକା ହାଇସ୍କୁଲରେ ଆମର ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷା ହେଲା | କୌଣସି ମତେ ସେଥିରୁ ଉତ୍ତୀର୍ଣ୍ଣ ହୋଇଗଲି | ଏବେ ରାଜକନିକା ରାଜେନ୍ଦ୍ର ନାରାୟଣ ହାଇସ୍କୁଲରେ ପଢିବା କଥା | ସ୍କୁଲ ଫି ମାସକୁ ଦୁଇଟଙ୍କା ପଚାଶ ପଇସା ଲାଗୁଥିଲା | କିନ୍ତୁ ସେତେକ ଦେବାକୁ ମୁଁ ଅକ୍ଷମ ଥିବାରୁ ମୋତେ ପୋରବୟଜ ଫଣ୍ଡରୁ ସେହି ଟଙ୍କା ଦିଆ ଯାଉଥିଲା | ମୁଁ ମାଗଣାରେ ପଢିବାର ସୁଯୋଗ ପାଇଗଲି | କିନ୍ତୁ ବହି କିମ୍ବା ଖାତା ପେନସିଲ କିଛି ନଥିଲା | ସ୍କୁଲକୁ ଯିବା ପାଇଁ ସାର୍ଟ-ପ୍ୟାଣ୍ଟ ବି ନଥିଲା | ବାପାଙ୍କ ଧୋତିରେ ଲାଗିଥିବା ଚଦର ଖଣ୍ଡିକୁ ପିନ୍ଧି ମୁଁ ସ୍କୁଲ ଯାଉଥିଲି | ସାଙ୍ଗ ପିଲାମାନେ ଚଗଳାମୀ କରି ବାଟରେ ତାକୁ ଛଡ଼େଇ ନେଇ ଗଛ ଉପରକୁ ଫିଙ୍ଗି ଦିଅନ୍ତି | ଏମିତି ବାରମ୍ବାର ହେବା ପରେ ମୋର ସ୍କୁଲ ଯିବା ବନ୍ଦ ହେଇଗଲା | ବନ୍ୟା-ବାତ୍ୟା ଝଡ଼ି ବରଷା ହେଲେ ତ ଏମିତି ବର୍ଷରେ ପ୍ରାୟ ଛଅମାସ ଆମ ସ୍କୁଲ ବନ୍ଦ ହେଇଯାଏ |
ଗାଆଁରେ ରହି ବିଲବାଡ଼ି କାମ, ଘାସକଟା, ବେରୁହାଁ କଟା, ଦଉଡ଼ି ବଳା, ଘର ଛାଇବା ପାଇଁ କିଆଚେର କଟା, ପୋଖରୀ-ନାଳରୁ ମାଛ ଧରା, ଜାଳେଣୀ ପାଇଁ ପାଟରୁ ଶୁଖିଲା ପିମ୍ପଳା ଘାସ ସଂଗ୍ରହ କାମରେ ଲାଗି ରହୁଥିଲି | ନିଜ ଶକ୍ତି ସାମର୍ଥ୍ୟ ଅନୁସାରେ ବିଲରେ ଚାଷ କାମ କରୁଥିଲି | ପାଠପଢା ଏକପ୍ରକାର ବନ୍ଦ ହୋଇଯାଇଥାଏ | କିଛି ପୁରୁଣା ବହି ଯୋଗାଡ଼ କରି କେବେ କେମିତି ପଢି ପକାଏ | ସୂର୍ଯ୍ୟାସ୍ତ ପରେ ଚାରିଆଡ଼େ ଘନ ଅନ୍ଧକାର | ଲଣ୍ଠନ ଡିବିରି ପାଇଁ ଆସିଥିବା ନାଲି କିରୋସିନ ଟିକେ ମିଳିବା କଷ୍ଟ | ତଥାପି ଥିଲାବାଲାଘର ପିଲା କେତେଜଣ କ୍ଷୀଣ ଆଲୋକରେ ବହି ପଢୁଥିଲେ | ଜହ୍ନ ଆଲୁଅ ହିଁ ଆମ ପାଇଁ ଥିଲା ଏକମାତ୍ର ଭରସା |
କେବେ କେମିତି ସ୍କୁଲ ଯିବାର ସୁଯୋଗ ମିଳିଗଲେ, ମୁଁ ମନଭରି ଶିକ୍ଷକଙ୍କ ପାଠପଢାକୁ ବୁଝୁଥିଲି | ତେଣୁ କିଛି କିଛି ସାର୍ଙ୍କ କଥା ମନେ ରହି ଯାଉଥିଲା | ଥରେ ଆମ ସାହିତ୍ୟ ଶିକ୍ଷକ ଦୟାନିଧି ନାୟକ ସାର, ପାଠ ପଢାଉ ପଢାଉ ପିଲାଙ୍କୁ ବୁଝାଇଲେ- “ଆମେମାନେ ଆକାଶରେ ଦିନବେଳେ ସୂର୍ଯ୍ୟ ଦେଖୁ, ଆଉ ରାତିରେ ଜହ୍ନ ଦେଖୁ | ଦିନରେ ଆମ ଆଖିକୁ ଜହ୍ନ ଦେଖା ଯାଏନାହିଁ |” ସେହି କଥାକୁ ଶୁଣି ମୁଁ ଠିଆହେଇ ସାରଙ୍କୁ କହିଲି-“ସାର ! ଆପଣ ଭୁଲ କଥା କହିଲେ | ମୁଁ ତ କେତେଥର ଦିନରେ ଜହ୍ନ ଦେଖି ପାରୁଛି | ଅନେକ ସମୟ ପର୍ଯ୍ୟନ୍ତ ଆକାଶରେ ମୋତେ ଜହ୍ନ ଦେଖାଯାଏ |”
ଦୟାନିଧି ସାର ହଠାତ ମୋ ଉପରେ ରାଗିଯାଇ ମୋ ପାଖକୁ ମାଡ଼ି ଆସି ଦୁଇ ଚାପଡ଼ ମୋ ଗାଲରେ ଲଗାଇ ଦେଇ କହିଲେ-“ଆଉ ଦିନେ ଭୁଲରେ ବି ଏମିତି ବାଜେକଥା କହିବୁ ନାହିଁ | ମନେରଖ-ଦିନରେ କେବେ ଜହ୍ନ ଦେଖାଯାଏ ନାହିଁ |”
ମୁଁ ଦିନରେ ଜହ୍ନ ଦେଖିଥିବାରୁ ସେଦିନ ମାଡ଼ ଖାଇଲି, ସାଙ୍ଗମାନେ ହସିଲେ, ସାର ରାଗିଲେ | କିନ୍ତୁ ମୋ ମନ ମାନିଲା ନାହିଁ | ତାପର ଦିନ ସକାଳୁ ଆକାଶକୁ ଚାହିଁ ପୁଣି ଜହ୍ନ ଦେଖିଲି | କିନ୍ତୁ ସାରଙ୍କ ସହିତ ଆଉ ଯୁକ୍ତି କରିନାହିଁ କିମ୍ବା ଦିନରେ ଜହ୍ନ ଦେଖାଯାଏ ବୋଲି କାହାକୁ କହିନାହିଁ | ମଝିରେ ମଝିରେ ସକାଳୁ ପଶ୍ଚିମ ଆକାଶରେ ଖଣ୍ଡିଆ ଜହ୍ନକୁ ଦେଖିଲେ, ସାରଙ୍କ କଥା ମୋର ମନେ ପଡ଼ିଯାଏ |
ଏବେ ମୁଁ 67 ବର୍ଷ ବୟସ୍କ ବରିଷ୍ଠ ନାଗରିକ ହେଇଗଲିଣି, ତଥାପି ମଝିରେ ମଝିରେ ସକାଳୁ ପଶ୍ଚିମ ଆକାଶକୁ ଚାହିଁ ଜହ୍ନକୁ ମନଭରି ଦେଖେ | ଦୟାନିଧି ସାରଙ୍କ କଥା ଏବେ ବି ମନେ ପଡ଼ିଯାଏ | ସେ ଗତବର୍ଷ ଆରପାରିକୁ ଚାଲିଗଲେ, ଏହି ଶୋକ ସମ୍ବାଦ ପାଇ ତାଙ୍କ ସ୍ମରଣରେ କବିତାଟିଏ ବି ଲେଖିଲି | କିନ୍ତୁ ପୁଣି ସେହି ଜହ୍ନକଥାଟିକୁ ମନେ ପକାଇଲି | ଆଜିଯାଏ ମୁଁ ସେହି ଜହ୍ନ ଦେଖିବା କଥାକୁ ଭୁଲି ପାରୁନାହିଁ |
